ଇସ୍ରାଏଲର ଘେରାବନ୍ଦୀ ଯୋଗୁ ବିପନ୍ନଙ୍କୁ ମିଳିପାରୁନି ସହାୟତା

ନନ୍ଦିଘୋଷ ବ୍ୟୁରୋ : ଗାଜାରେ ଭୟଙ୍କର ଦୁର୍ଭିକ୍ଷ ସ୍ଥିତି । ଖାଦ୍ୟାଭାବରେ ସଢୁଛନ୍ତି ଲକ୍ଷ ଲକ୍ଷ ନାଗରିକ । ଇସ୍ରାଏଲର ଘେରାବନ୍ଦୀ ଯୋଗୁ ବିପନ୍ନଙ୍କୁ ମିଳିପାରୁନି ସହାୟତା । ସେପଟେ ଦୁର୍ଭିକ୍ଷକୁ ଏଡାଇବା ଲାଗି ଅଣ୍ଟାଭିଡିଛି ଜାତିସଂଘ । ସହାୟତା କାର୍ଯ୍ଯରେ ବାଧା ସୃଷ୍ଟି ନକରିବା ଲାଗି ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଛି ଜାତିସଂଘ ଅଧୀନସ୍ଥ ଆନ୍ତର୍ଜାତିକ ନ୍ଯାୟ କୋର୍ଟ ବା ଆଇସିଜେ । ଗାଜାରେ ଯେପରି ମାନବିକ ସହାୟତା ପହଞ୍ଚିପାରିବ ଓ ମୌଳିକ ସେବା ଯୋଗାଯାଇପାରିବ ସେଥିରେ ସହାୟତା କରିବା କରିବା ଲାଗି ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଛି ଆଇସିଜେ । ଆଉ କିଛି ସପ୍ତାହ ମଧ୍ଯରେ ଗାଜାରେ ଦୁର୍ଭିକ୍ଷ ରାଜ୍ କରିବ ବୋଲି ଆଶଙ୍କା କରିଛନ୍ତି କେତେକ ଆନ୍ତର୍ଜାତିକ ସଂଗଠନ । ସେପଟେ ଗାଜାରେ ଗଣହତ୍ଯା ଚାଲିଛି ବୋଲି ସାଉଥ ଆଫ୍ରିକା ପକ୍ଷରୁ ଆଇସିଜେରେ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛି ଇସ୍ରାଏଲ ।

ଏହି ସବୁ ସମସ୍ୟା ଲାଗି ଜାତିସଂଘ ହଁତ ଦାୟୀ ବୋଲି କହିଛି ଇସ୍ରାଏଲ । କିଛି ଦିନ ମଧ୍ଯରେ ଗାଜାରେ ଭୟଙ୍କର ସଙ୍କଟ ଦେଖାଦେବ ବୋଲି ଗତ ସପ୍ତାହରେ ସତର୍କ କରାଇଥିଲା ବିଶ୍ବ ଖାଦ୍ଯ କାର୍ଯ୍ଯକ୍ରମ ଅଧୀନସ୍ଥ ସମନ୍ବିତ ଖାଦ୍ୟ ନିରାପତ୍ତା ସଂସ୍ଥା । ଗାଜାରେ ବର୍ତ୍ତମାନ 22 ଲକ୍ଷ ଲୋକ ଖାଦ୍ୟାଭାବର ସମ୍ମୁଖୀନ ହୋଇଛନ୍ତି ଏବଂ ଆସନ୍ତା ମେ ମାସ ଶେଷ ବେଳକୁ ଉତ୍ତର ଗାଜାରେ ଭୟଙ୍କର ଦୁର୍ଭିକ୍ଷ ପଡିବ ବୋଲି ଆଶଙ୍କା କରାଯାଉଛି । ଏପରି ସଙ୍କଟ କାଳରେ ସବୁଠାରୁ ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି ଲକ୍ଷାଧିକ ଶିଶୁ ।