spot_img
Home Blog Page 2066

ଦେବଗଡ଼ରେ ପ୍ରଚାର ଆରମ୍ଭ କଲେ ପ୍ରଣବ ପ୍ରକାଶ ଦାସ

ଦେବଗଡ଼: ଜାତୀୟ ଦଳଙ୍କ ପାଇଁ ଓଡ଼ିଶା ଗୋଟିଏ ବିନ୍ଦୁ, କିନ୍ତୁ ବିଜୁ ଜନତା ଦଳ ପାଇଁ ଓଡ଼ିଶା ହେଉଛି ସିନ୍ଧୁ। ଦେବଗଡ଼ରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀରେ ଯୋଗଦେଇ ଏପରି କହିବା ସହ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ସମ୍ବଲପୁର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ଦେବଗଡ଼ ଗସ୍ତ ବେଳେ ପ୍ରଣବଙ୍କୁ ଏକ ବିଶାଳ ରାଲିରେ ସ୍ବାଗତ କରାଯାଇଥିଲା। କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଣବ କହିଛନ୍ତି, ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼଼ିଶାବାସୀ ୫ ଜଣ ବିଜେପି ସାଂସଦଙ୍କୁ ନିର୍ବାଚିତ କରିଥିଲେ। କିନ୍ତୁ ବିଜେପି ସାଂସଦ ନିର୍ବାଚିତ ହେବାପରେ ଲୋକଙ୍କ କଥା ଭୁଲିଗଲେ। କେନ୍ଦ୍ରର ଆବାସ ଅବହେଳା ଓ ଚାଷୀମାରଣ ନୀତି ସମ୍ପର୍କରେ ସଂସଦରେ ପଦୁଟିଏ ବି କହିଲେନି। ଓଡ଼ିଶାର ସ୍ବାର୍ଥ ପାଇଁ ପଦୁଟିଏ ବି କହିଲେନି ବିଜେପି ସାଂସଦ। ଏବେ ଲୋକଙ୍କ ସମୟ ଆସିଛି। ମିଛ ପ୍ରତିଶୃତି ଓ ପ୍ରତାରଣା କରିଥିବା ନେତାଙ୍କୁ ଜବାବ ଦେବା ପାଇଁ ସମୟ ଆସିଛି ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି।  ଧର୍ମଯୁଦ୍ଧରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରହିବା ସହ ବିକାଶ ଧାରାରେ ସମସ୍ତେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି।

ପ୍ରଣବ ଆହୁରି କହିଛନ୍ତି, ବିଜେଡି ଯେତେଦିନ ଯାଏ ଅଛି, ଓଡ଼ିଶାର ବିକାଶ ଚାଲିଥିବ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତା’ର ନେତୃତ୍ବ ନେବେ। ମୁଖ୍ଯମନ୍ତ୍ରୀ ଓଡ଼ିଶାର ପ୍ରହରୀ ଭାବେ ଅହରହ କାମ କରୁଛନ୍ତି। ଦେବଗଡ଼ରେ ଏମିତି ମନ୍ଦିର, ମସଜିଦ କି ଚର୍ଚ୍ଚ ନାହିଁ, ଯାହାର ନବକଳେବର ହୋଇନାହିଁ । ଏହା ହିଁ ବିକାଶ ପ୍ରତି ନବୀନଙ୍କ ପ୍ରତିବଦ୍ଧତା। ଖାଲି ବିଧାନସଭା ନୁହେଁ, ଲୋକସଭାରେ ବି ଲୋକଙ୍କ ସ୍ବର ଉତ୍ତୋଳନ କରିବାକୁ ନବୀନଙ୍କ ହାତମୁଠା ଟାଣ କରିବା ପାଇଁ ଆହ୍ବାନ ଦେଇଛନ୍ତି ପ୍ରଣବ। ଏହି ଅବସରରେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଉମାଶଙ୍କର ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ଶଙ୍ଖ ଫୁଙ୍କିଛନ୍ତି ଉମାଶଙ୍କର । ଆଗାମୀ ଦିନରେ ବିଜେଡିକୁ ଅଧିକ ସୁଦୃଢ଼ କରିବା ସହ ନବୀନଙ୍କୁ ଷଷ୍ଠଥର ମୁଖ୍ଯମନ୍ତ୍ରୀ କରିବାକୁ ସମସ୍ତେ ଶପଥ ନେଇଛନ୍ତି ।

ପୁଣି କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ବିଶ୍ବଭୂଷଣ ଦାସ ଓ ତ୍ରିନାଥ ବେହେରା

ପୁଣି କଂଗ୍ରେସକୁ ଝଟକା। ଦଳ ଛାଡ଼ିଲେ ପିସିସି ଉପସଭାପତି  ବିଶ୍ବଭୂଷଣ ଦାସ। ବିଶ୍ବଭୂଷଣ ପିସିସି ଉପସଭାପତି ଭାବେ କାର୍ଯ୍ୟ କରିବା ସହ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦୯ ଓ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ। ୨୦୦୯ରେ ସେ ୫୯ ହଜାର ୮୯୩ ଓ ୨୦୧୯ରେ ୪୬ ହଜାର ୨୦୬ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।

ବିଶ୍ବଭୂଷଣ ଦାସ ପୂର୍ବରୁ ପିସିସି ସାଧାରଣ ସମ୍ପାଦକ ଭାବେ ମଧ୍ଯ କାମ କରିଥିଲେ। ସେ ଛାତ୍ର ରାଜନୀତିରେ ସକ୍ରିୟ ରହି ବିଜେବି କଲେଜରେ ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି  ହୋଇଥିଲେ ବିଶ୍ବଭୂଷଣ ଦାସ।  ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର ଘନିଷ୍ଠ ସହଯୋଗୀ ଥିଲେ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ କଂଗ୍ରେସକୁ ଝଟକା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତ୍ରିନାଥ ବେହେରା । ପୂର୍ବରୁ ୨ ଥର ସେ କଂଗ୍ରେସ ଟିକେଟରେ ହିନ୍ଦୋଳରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିଥିଲେ । ଆଜି ନିଜର ଇସ୍ତଫା ପତ୍ର ସେ ପିସିସି ସଭାପତିଙ୍କୁ ପଠାଇଛନ୍ତି।

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ବସିଲା ପୋଲିସ

ଲମତାପୁଟ: ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ। ସେଲୋ ଟେପରେ ଦେହରେ ଗଞ୍ଜେଇ ଗୁଡ଼ାଇ ନେଉଥିଲା ଚୋରା ଚାଲାଣକାରୀ। କୋରାପୁଟ ପାଡୁଆ ବାଞ୍ଜଲାପୁଟ ନିକଟରେ ଧରାପଡ଼ିଲା। ଛତିଶଗଡ଼ ବସ୍ତର ଜିଲ୍ଲାର ମଣିକାନ୍ତା ନାମକ ଯୁବକ ନିଜ ଦେହରେ ୭ କେଜି ଗଞ୍ଜେଇ ସେଲୋ ଟେପ୍ ଦ୍ବାରା ଗୁଡ଼ାଇ ନେଉଥିଲା।

ଗୋଟାଏ ବ୍ୟାଗରେ ୧୫ କେଜି ଗଞ୍ଜେଇ ଧରି ବସକୁ ଅପେକ୍ଷା କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁଟ ଏସଡିପିଓଙ୍କ ନେତୃତ୍ୱରେ ପହଞ୍ଚିଥିଲା ପାଡୁଆ ପୋଲିସ। ବସକୁ ଅପେକ୍ଷା କରିବା ସମୟରେ ମାଡ଼ି ବସିଥିଲା ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ।

କଂଗ୍ରେସ୍ ଜାରି କଲା ନିର୍ବାଚନୀ ଇସ୍ତାହାର, ୫ ନ୍ୟାୟ ସହିତ ଦେଲା ୨୫ ଗ୍ୟାରେଣ୍ଟି

ନୂଆଦିଲ୍ଲୀ: କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର। ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ଦିନ ଘୋଷଣା ପତ୍ର ଜାରି କରିଛି କଂଗ୍ରେସ। ନ୍ୟାୟ ପତ୍ର ନାଁରେ ଘୋଷଣା ପତ୍ର ଜାରି କରାଯାଇଛି। କଂଗ୍ରେସ ଏହାର ମନିଫେଷ୍ଟୋରେ ଅନେକ ପ୍ରକାରର ଗ୍ୟାରେଣ୍ଟି ଅନ୍ତର୍ଭୁକ୍ତ କରିଛି।  ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ରହିଛି ଏହି ନିର୍ବାଚନୀ ଇସ୍ତାହାରରେ।

ଇସ୍ତାହାରରେ ପାଞ୍ଚଟି ନ୍ୟାୟ ଉପରେ ଗୁରୁତ୍ବ ଦିଆଯାଇଛି । ସେଗୁଡିକ ହେଲା ଯୁବ ନ୍ୟାୟ, ନାରୀ ନ୍ୟାୟ, କିଷାନ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗୀଦାରୀ ନ୍ୟାୟ । ନୂଆଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ସାଧାରଣ ସମ୍ପାଦକ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଘୋଷଣା ପତ୍ର ଜାରି କରାଯାଇଛି। ଏହି ସମୟରେ କଂଗ୍ରେସ ନେତା ପି ଚିଦାମ୍ବରମ୍ ମଧ୍ୟ ଉପସ୍ଥିତ ଥିଲେ। ଯୁବକଙ୍କୁ ଚାକିରି ଗ୍ୟାରେଣ୍ଟି ଓ ଗରିବ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ଭଳି ଗ୍ୟାରେଣ୍ଟି ଦେଇଛି କଂଗ୍ରେସ।  କୃଷକଙ୍କ ଋଣ ଛାଡ଼ କରାଯିବା ସହ ରୋଜଗାର ଓ ଟ୍ୟାକ୍ସ ସୁଧାର ଉପରେ ଗୁରୁତ୍ବ ଦିଆଯାଇଛି।

ଜାତି ଜନଗଣନା ପ୍ରତିଶ୍ରୁତି, ଓପିଏସ ପ୍ରତିଶ୍ରୁତି, ୩୦ ଲକ୍ଷ ସରକାରୀ ଚାକିରି, ଗରିବ ମହିଳାଙ୍କୁ ଲକ୍ଷେ ଟଙ୍କା ସହ ୪୫୦ ଟଙ୍କାରେ ରୋଷେଇ ସିଲିଣ୍ଡର ଯୋଗାଇ ଦେବାକୁ ଗ୍ୟାରେଣ୍ଟି ଦେଇଛି କଂଗ୍ରେସ । ଚାକିରିରେ ୫୦ ପ୍ରତିଶତ ମହିଳା ସଂରକ୍ଷଣ ପାଇଁ ମଧ୍ୟ ଘୋଷଣା କରାଯାଇଛି। ଏହା ସହିତ କୃଷକମାନଙ୍କ ପାଇଁ ସ୍ୱାମୀନାଥନ ଫର୍ମୁଲା ସହିତ ଏମଏସପି ର ଆଇନଗତ ଗ୍ୟାରେଣ୍ଟି, ଶ୍ରମିକମାନଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଗ୍ୟାରେଣ୍ଟି, ମାଗଣା ଚିକିତ୍ସା, ହସ୍ପିଟାଲ, ଡାକ୍ତର, ଔଷଧ, ଅସ୍ତ୍ରୋପଚାର ପାଇଁ ଗ୍ୟାରେଣ୍ଟି ଘୋଷଣା କରାଯାଇଛି। ଆହୁରି ମଧ୍ୟ ଯେଉଁମାନଙ୍କର ଜମି ନାହିଁ ସେମାନଙ୍କୁ ଜମି ଦେବା ପାଇଁ ମଧ୍ୟ ପ୍ରତିଶୃତି ଦିଆଯାଇଛି।

କଂଗ୍ରେସର ମହିଳା ନ୍ୟାୟ ‘ଗ୍ୟାରେଣ୍ଟି’

  • ଗରିବ ପରିବାରର ଜଣେ ମହିଳାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା
  • କେନ୍ଦ୍ର ସରକାରଙ୍କ ନୂଆ ଚାକିରିରେ ୫୦ ପ୍ରତିଶତ ମହିଳା ସଂରକ୍ଷଣ
  • ଆଶା, ମଧ୍ୟାହ୍ନ ଭୋଜନ, ଅଙ୍ଗନୱାଡି କର୍ମୀଙ୍କୁ ଅଧିକ ଦରମା
  • କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଅଧିକ ହଷ୍ଟେଲ

କଂଗ୍ରେସର କୃଷକ ନ୍ୟାୟ ‘ଗ୍ୟାରେଣ୍ଟି’

  • ସ୍ୱାମୀନାଥନ ଫର୍ମୁଲା ସହିତ MSP ର ଆଇନଗତ ଗ୍ୟାରେଣ୍ଟି
  • ଋଣ ଛାଡ ଯୋଜନା କାର୍ଯ୍ୟକାରୀ କରିବାକୁ ବନିବ ଆୟୋଗ
  • ଫସଲ ନଷ୍ଟ ହେଲେ ୩୦ ଦିନ ମଧ୍ୟରେ ଟଙ୍କା ଟ୍ରାନ୍ସଫର
  • କୃଷକଙ୍କ ସହ ପରାମର୍ଶ ପରେ ନୂତନ ଆମଦାନୀ-ରପ୍ତାନି ନୀତି
  • ଚାଷ ପାଇଁ ଅତ୍ୟାବଶ୍ୟକ ସମସ୍ତ ଜିନିଷରୁ ଜିଏସଟି ହଟିବ

କଂଗ୍ରେସର ଶ୍ରମ ନ୍ୟାୟ ‘ଗ୍ୟାରେଣ୍ଟି’

  • ଦୈନିକ ମଜୁରୀ ୪୦୦ ଟଙ୍କା, MNREGA ମଧ୍ୟ ଅନ୍ତର୍ଭୁକ୍ତ
  • ୨୫ଲକ୍ଷ ଟଙ୍କାର ହେଲ୍ଥ୍ କଭର
  • ସହର ପାଇଁ MNREGA ଭଳି ନୂତନ ନୀତି
  • ଅସଂଗଠିତ ଶ୍ରମିକଙ୍କ ପାଇଁ ଜୀବନ ଏବଂ ଦୁର୍ଘଟଣା ବୀମା

କଂଗ୍ରେସର ‘ଭାଗୀଦାରୀ’ ଗ୍ୟାରେଣ୍ଟି

  • ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ୫୦ ପ୍ରତିଶତ ସୀମା ହଟାଯିବ
  • SC / ST / OBC କୁ ପୂର୍ଣ୍ଣ ଅଧିକାର
  • ଯେତେ SC / ST ଜନସଂଖ୍ୟା, ସେତେ ବଜେଟ୍
  • ଜଙ୍ଗଲ ଅଧିକାର ଆଇନ ଅନ୍ତର୍ଗତରେ ଆସୁଥିବା ଜମି ପଟ୍ଟା ଉପରେ ୧ ବର୍ଷ ମଧ୍ୟରେ ନିଷ୍ପତ୍ତି

୩ ଏସପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନର

ଭୁବନେଶ୍ୱର: ବ୍ରିଜେଶ କୁମାର ରାୟ ହେଲେ ରାଉରକେଲା ଏସପି । ୨୦୦୯ ବ୍ୟାଚର ଆଇପିଏସ ବ୍ରିଜେଶ କୁମାର ରାୟ। ୨୦୦୮ ବ୍ୟାଚର ଆଇପିଏସ ଡକ୍ଟର ଉମାଶଙ୍କର ଦାଶ ଅନୁଗୁଳ ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି କଟକ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି ୨୦୦୮ ବ୍ୟାଚର ଆଇପିଏସ ପ୍ରକାଶ ଆର । ତିନି ଆଇପିଏସଙ୍କ ନୂଆ ନିଯୁକ୍ତିକୁ ଅନୁମତି ଦେଇଛନ୍ତି ECI ।

ସପ୍ତମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ: ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଭାରତୀୟ ରିଜର୍ଭ ବ୍ଯାଙ୍କର ଆର୍ଥିକ ନୀତି କମିଟି ବା ଏମପିସି ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ରେପୋ ରେଟକୁ ୬ ଦଶମିକ ୫ରେ ଅପରିବର୍ତ୍ତିତ ରଖାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଶୁକ୍ରବାର ଦିନ ପ୍ରକାଶ କରିଛି ଭାରତୀୟ ରିଜର୍ଭ ବ୍ଯାଙ୍କ।

ଏହାଫଳରେ ଲୋନ୍, EMI, ଏବଂ ଅନ୍ୟାନ୍ୟ ଋଣ ପରିମାଣରେ ବୃଦ୍ଧି ସମ୍ଭାବନା କମ୍ ରହିଛି। ସେହିପରି ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ୍ ଘରୋଇ ଉତ୍ପାଦ ବା GDP ଅଭିବୃଦ୍ଧି ୭ ପ୍ରତିଶତରେ ରହିବା ନେଇ ଆକଳନ କରିଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଗତବର୍ଷ ଅଭିବୃଦ୍ଧି ୭.୬ ପ୍ରତିଶତ ରହିବା ନେଇ ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା ଚଳିତଥର ଏହା କମ୍ ରହିଛି।

ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି MPCରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କନଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ ବା CPI ଇନଫ୍ଲେସନ୍ ରେଟ୍ ୪.୫ ପ୍ରତିଶତରେ ରହିବ ବୋଲି RBI ଆକଳନ କରିଛି। ଆସନ୍ତା ମୁଦ୍ରାନୀତି ସମୀକ୍ଷା ବୈଠକ ଜୁନ୍ ୫ରୁ ୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।

ସାଧାରଣତଃ ରେପୋରେଟ ବୃଦ୍ଧି ପାଇଲେ ସ୍ଥାୟୀ ଜମା ବା ଏଫଡି ସୁଧହାର ବଢିଥାଏ। ସେହିପରି ରେପୋ ରେଟ୍ ହ୍ରାସ ପାଇଲେ ଏଫଡି ସୁଧହାର ହ୍ରାସ ପାଇଥାଏ। ଗତବର୍ଷ ଫେବୃଆରୀରୁ ଆରବିଆଇ ରେପୋ ରେଟକୁ ୬ ଦଶମିକ ୫ରେ ରଖିଛନ୍ତି ଅପରିବର୍ତ୍ତିତ। ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ୨ରୁ ୬ ପ୍ରତିଶତରେ ସୀମିତ ରଖିବା ଲାଗି ରିଜର୍ଭ ବ୍ଯାଙ୍କ ଏହି ପଦକ୍ଷେପ ନେଇଛନ୍ତି।

 

ଜନତାଙ୍କ ହାଲଚାଲ୍ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଭୁବନେଶ୍ୱର: ନବୀନ ନେଉଛନ୍ତି ବିକାଶର ଅପଡେଟ୍। ଲୋକଙ୍କୁ ଫୋନ୍ କରି ବୁଝୁଛନ୍ତି ବିକାଶ କାମ। ସାଧାରଣ ଲୋକଙ୍କ ସହ ଫୋନରେ କଥା ହୋଇ ବିଭିନ୍ନ ଉନ୍ନତିମୂଳକ କାମର ଟିକିନିଖି ତଦାରଖ କରୁଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ।

ନବୀନ ନିଜେ ରାଜ୍ଯର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଫୋନ୍ କରୁଛନ୍ତି । ଲୋକଙ୍କ ସହ ସିଧାସଳଖ କଥା ହେଉଛନ୍ତି । ବିଭିନ୍ନ ଅଞ୍ଚଳରେ ଚାଲିଥିବା ସ୍କୁଲ ରୂପାନ୍ତରଣ, ମନ୍ଦିର, ବ୍ରିଜ ଆଦି ବିକାଶ ମୂଳକ କାମ କିଭଳି ଚାଲୁଛି ଓ ସରିଲାଣି କି ନାହିଁ ସେନେଇ ମତାମତ ନେଉଛନ୍ତି । ଏପରିକି ପିଲାମାନେ ଖୁସି ଅଛନ୍ତି କି ବୋଲି ବି ନବୀନ ଲୋକଙ୍କୁ ପଚାରି ବୁଝୁଛନ୍ତି । ଲୋକମାନେ ବି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି।

ନବୀନ ସରକାର ହେଉଛି ଲୋକଙ୍କ ସରକାର। ମୋ ସରକାର ମାଧ୍ଯମରେ ଜନସାଧାରଣଙ୍କ ଫିଡବ୍ଯାକ ନେଇ ଗଣତନ୍ତ୍ରରେ ନିଆରା ପରମ୍ପରା ସୃଷ୍ଟି କରିଥିବା ନବୀନ ଲୋକଙ୍କ ସହ ସିଧାସଳଖ ଫୋନରେ କଥାହେବା ତାଙ୍କର ଓ ତାଙ୍କ ସରକାରର ଉତ୍ତରଦାୟିତ୍ବର ପ୍ରମାଣ ଦେଉଛି।

ହାଟରେ ବୋମାମାଡ଼; ଗୋରୁ ବ୍ଯବସାୟୀଙ୍କଠୁ ୧୪ ଲକ୍ଷ ଟଙ୍କା ଲୁଟ୍

କାମାକ୍ଷାନଗର: ହାଟରେ ବୋମାମାଡ଼ କରି ୧୪ ଲକ୍ଷ ଟଙ୍କା ଲୁଟ୍। ଗୋରୁ ବ୍ଯବସାୟୀଙ୍କ ଉପରେ ଗୁଳି ଚଳାଇବା ସହ ବୋମାମାଡ଼ କରି ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରୁ କିଛି ବ୍ଯବସାୟୀ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିରାଳ ସାପ୍ତାହିକ ହାଟକୁ ଆସିଥିଲେ।

ହାଟ ନିକଟରେ ବୋଲେରୋ ଗାଡ଼ିରେ ବସିଥିବାବେଳେ ୫ଜଣ ଦୁର୍ବୃତ୍ତ ପ୍ରଥମେ ଡ୍ରାଇଭର ଉପରକୁ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଭୟଭୀତ କରିଥିଲେ। ପରେ ବୋମାମାଡ଼ କରି ଟଙ୍କା ବ୍ଯାଗ ସହ ବୋଲେରୋ ଧରି ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

୨୦୨୪ ଲୋକସଭା ନିର୍ବାଚନ; ଆଜି ଆସିବ କଂଗ୍ରେସର ନିର୍ବାଚନୀ ଇସ୍ତାହାର

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଲାଗି କଂଗ୍ରେସର ବ୍ଲୁପ୍ରିଣ୍ଟ। ଆଜି ଦଳ ଘୋଷଣା କରିବ ନିର୍ବାଚନୀ ଇସ୍ତାହାର। ଏହା ସହ ଆଜି ଜୟପୁରରେ ଓ ଆସନ୍ତାକାଲି ହାଇଦ୍ରାବାଦରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ । ଜୟପୁରରେ ହେବାକୁ ଥିବା ମେଗାରାଲିରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ସାଧାରଣ ସମ୍ପାଦକ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଯୋଗଦେବେ। ସେଠାରେ କଂଗ୍ରେସ ଇସ୍ତାହାର ଘୋଷଣା ହେବ।

ଦେଶରେ ପ୍ରଗତିକୁ ଦୃଷ୍ଟିରେ ରଖି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଇଛି । ଇସ୍ତାହାରରେ ପାଞ୍ଚଟି ନ୍ୟାୟ ଉପରେ ଗୁରୁତ୍ବ ଦିଆଯାଇଛି । ସେଗୁଡିକ ହେଲା ଯୁବ ନ୍ୟାୟ, ନାରୀ ନ୍ୟାୟ, କିଷାନ ନ୍ୟାୟ, ଶ୍ରମିକ ନ୍ୟାୟ ଓ ସମାନତା ନ୍ୟାୟ । ଗତ ଏପ୍ରିଲ ୩ରୁ ସାରା ଦେଶରେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଘର ଘର ଗ୍ଯାରେଣ୍ଟି କ୍ୟାମ୍ପେନ । ଦେଶର ଆଠ କୋଟି ପରିବାର ନିକଟରେ କଂଗ୍ରେସ ପହଞ୍ଚିବ ବୋଲି ଯୋଜନା କରାଯାଇଛି । ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ଦେଶରେ ନ୍ଯାୟ ପ୍ରତିଷ୍ଠା ନେଇ ଆହ୍ବାନ ଦେଇଥିଲେ କଗ୍ରେସ ନେତା ରାହୁଲ ଗାନ୍ଧୀ।

ପୁଣି ଅପରାଜିତା ଷଡଙ୍ଗୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

ଟାଙ୍ଗୀ: ଆହୁରି ତେଜିଲା ବିଜେପିର ଖୋର୍ଦ୍ଧା କଳି। ଦଳ ଘୋଷଣା କରିବା ପୂର୍ବରୁ ପୁଣିଥରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଦେଲେ ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଟାଙ୍ଗୀରେ ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟନ ଅବସରରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ଅପରାଜିତା।

ସଭାରେ ଅପରାଜିତା କହିଥିଲେ, କିଛିଦିନର କଥା ଅଛି, ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାର ପ୍ରାର୍ଥୀ ହିସାବରେ ମନୋନୀତ ହୋଇଯିବେ। ସେ ପ୍ରାର୍ଥୀ ହେବାନେଇ ପୂରା ଆଶା ଓ ବିଶ୍ବାସ ଅଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଅପରାଜିତା। ଏପରିକି ଦିନେ ଦୁଇଦିନ ମଧ୍ଯରେ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଯିବ ବୋଲି ସେ କହିଥିଲେ। ସଭାରେ କାଳୁଖଣ୍ଡାୟତରାୟଙ୍କ ଗୋଷ୍ଠୀ ଉପସ୍ଥିତ ନଥିଲେ। କିଛିଦିନ ପୂର୍ବରୁ ଅପରାଜିତା ମନଇଚ୍ଛା ଏକ ସଭାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା ପରେ ବିବାଦ ଆରମ୍ଭ ହୋଇଥିଲା।

ଏପରିକି କାଳୁଖଣ୍ଡାୟତରାୟକ ଗୋଷ୍ଠୀ ଅପରାଜିତାଙ୍କ ନିଷ୍ପତ୍ତି ବିରୋଧରେ ବିଜେପି ରାଜ୍ଯ ଅଫିସରେ ହଲ୍ଲାବୋଲ୍ କରିଥିଲେ। ହଜାର ହଜାର ସମର୍ଥକ ପାର୍ଟି ଅଫିସରେ ହଙ୍ଗାମା କରିବା ସହ ଅପରାଜିତା ଓ ରାଜ୍ୟ ନେତୃତ୍ବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ଟିକେଟ ନମିଳିଲେ ଯାହାହେବ ଦେଖିବ ବୋଲି କାଳୁ ଚେତାବନୀ ଶୁଣାଇଥିଲେ। ପ୍ରାର୍ଥୀ ଘୋଷଣା କରିବାକୁ ଅପରାଜିତା କିଏ ବୋଲି ପ୍ରଶ୍ନ କରିଥିଲେ। ଏବେ ପୁଣି ଥରେ ଅପରାଜିତା ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁ ଘୋଷଣା କରିବା ପରେ ବିବାଦ ଆହୁରି ତେଜିଛି।