ନନ୍ଦିଘୋଷ ବ୍ୟୁରୋ: ପିଛା ଛାଡୁନି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ଯା। ମୁଖ୍ଯମନ୍ତ୍ରୀ ପଦରୁ କେଜରିୱାଲଙ୍କୁ ବାହାର କରିବା ସଂକ୍ରାନ୍ତ ପିଟିସନର ଆଜି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ। ପୂର୍ବତନ ଆପ୍ ବିଧାୟକ ସନ୍ଦୀପ କୁମାର କରିଥିବା ଆବେଦନ ନେଇ ରାୟ ଦେଇପାରନ୍ତି ଅଦାଲତ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଗିରଫ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପଦରେ ସେ ରହିପାରିବେ ନାହିଁ ବୋଲି ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି ସନ୍ଦୀପ। ଦିଲ୍ଲୀ ମଦ ନୀତି ମାମଲାରେ କେଜରିୱାଲ ଗିରଫ ହେବାପରେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ ବୋଲି କହିଛନ୍ତି। ଜଷ୍ଟିସ ସୁବ୍ରମଣ୍ଯମ ପ୍ରସାଦ ଏହି ମାମଲାର ଶୁଣାଣି କରିବେ। ଦିଲ୍ଲୀ ସୁଲତାନପୁର ମାଜରାର ପୂର୍ବତନ ଆପ୍ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ହେଉଛନ୍ତି ସନ୍ଦୀପ କୁମାର। ୨୦୧୯ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ ସନ୍ଦୀପ କୁମାର।
ପାରିବାରିକ ଝଗଡାକୁ ସହି ନପାରି ଝୁଲି ପଡିଲେ ବୃଦ୍ଧ
ଭୁବନ: ପାରିବାରିକ କଳହର କରୁଣ ପରିଣତି। ପାରିବାରିକ ଝଗଡାକୁ ସହି ନପାରି ଝୁଲି ପଡିଲେ ବୃଦ୍ଧ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ରାମକୃଷ୍ଣପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ଅବସର ପ୍ରାପ୍ତ ବିଦ୍ୟୁତ କର୍ମଚାରୀ ପ୍ରସନ୍ନ ସେଠୀ । ପ୍ରସନ୍ନଙ୍କ ପେନସନ ଟଙ୍କାକୁ ନେଇ ପରିବାରରେ ବିବାଦ ଲାଗିଥିଲା । ଗତକାଲି ରାତିରେ ଝଗଡ଼ା ପରେ ରାତିରେ ସେ ଆତ୍ମହତ୍ଯା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ କରିଛି ।
ଉଦୟପୁର ବେଳାଭୂମିରେ ଅଘଟଣ, ବଜ୍ରାଘାତରେ ୩ ଆହତ
ବାଲେଶ୍ବର: ବାଲେଶ୍ବର ଉଦୟପୁର ବେଳାଭୂମିରେ ଅଘଟଣ । ବଜ୍ରାଘାତରେ ୩ ଆହତ । ସେମାଙ୍କ ମଧ୍ଯରେ ଜଣେ ଗୁରୁତର । ଗୁରତର ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ଯତୀନ୍ଦ୍ର ପଟ୍ଟନାୟକଙ୍କ ପୁଅ ନଟିଆ । ଉଦୟପୁର ସମୁଦ୍ର କୂଳରେ ଏକ ଦୋକାନରେ ୩ଜଣ ବସିଥିବାବେଳେ ବଜ୍ରପାତ ହୋଇଥିଲା । ଏଥିରେ ନଟିଆ ସହ ଦୁଇ ବଙ୍ଗୀୟ ପର୍ଯ୍ୟଟକ ଆହତ ହୋଇଥିଲେ । ୩ ଜଣଙ୍କୁ ଦୀଘା ହସ୍ପିଟାଲକୁ ନିଆଯାଇଛି । ନଟିଆ ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେହିପରି ଭାବେ କାଳବୈଶାଖୀ ବଜ୍ରପାତ ପ୍ରଭାବରେ ମହାକାଳପଡା ବ୍ଲକ ଓରତ ଗାଁରେ ନଡିଆ ଗଛରେ ଲାଗିଲା ନିଆଁ । ବଜ୍ରପାତରେ ଗଛଟି ସମ୍ପୂର୍ଣ୍ଣ ଜଳିଯାଇଛି । ଅନ୍ୟପଟେ କଳାହାଣ୍ଡି ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ଗୋଲାମୁଣ୍ଡା ଠାକୁରାଣୀ ମନ୍ଦିର ଛକ ରାସ୍ତାରେ ଗଛ ପଡ଼ି ଗୋଲାମୁଣ୍ଡା ଧର୍ମଗଡ ରାସ୍ତା ଅବରୋଧ । ଫଳରେ ଯାତାୟାତ କିଛି ସମୟ ପାଇଁ ଠପ୍ ହୋଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ଗଛ ଗୁଡିକୁ କାଟି ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି ।
ରାଗିଙ୍ଗରେ ଚାଲିଗଲା ୨୦ ବର୍ଷୀୟ ଯୁବକଙ୍କ ଜୀବନ
ନନ୍ଦିଘୋଷ ବ୍ୟୁରୋ: ଏବେବି ଥମିନି ସିନିୟରଙ୍କ ରାଗିଙ୍ଗର ବର୍ବରତା। ରାଗିଙ୍ଗରେ ଚାଲିଗଲା ୨୦ ବର୍ଷ ଯୁବକଙ୍କ ଜୀବନ। ଘଣ୍ଟାଏ ନୁହେଁ କି ଦୁଇ ଘଣ୍ଟା ନୁହେଁ. ଦୀର୍ଘ ୨୯ ଘଣ୍ଟାର ନିର୍ଯାତନା ପରେ ଆତ୍ମହତ୍ଯାର ପଥ ବାଛିଲେ ଛାତ୍ର। କେରଳ ୱାୟନାଡରେ ଘଟିଛି ଘଟଣା। ଗତମାସ ୧୮ ତାରିଖରେ ପ୍ରାଣୀ ଚିକିତ୍ସା ପାଠ ପଢୁଥିବା ସିଦ୍ଧାର୍ଥନଙ୍କ ମୃତଦେହ କଲେଜର ବାଥରମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ପୋଲିସ ଯାଞ୍ଚ କରି ଏକ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା। କିନ୍ତୁ କଲେଜର ଆଣ୍ଟି ରାଗିଙ୍ଗ ସ୍କ୍ବାଡ ପହଞ୍ଚି ଏହି ମାମଲାକୁ ଖୋଳତାଡ କରି ମେଡିକାଲ ରିପୋର୍ଟ ଓ ପ୍ରମାଣ ଏକଜୁଟ କରି ନିର୍ଯାତନା ସମ୍ପର୍କରେ ପ୍ରମାଣ ପାଇଥିଲେ। ସିନିୟର ଓ କ୍ଲାସମେଣ୍ଟମାନେ ମିଶି ଲଗାତର ୨୯ ଘଣ୍ଟା ଧରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ପରେ ସିଦ୍ଧାର୍ଥନ ଏହି ଚରମ ପଦକ୍ଷେପ ନେଇଥିଲେ ବୋଲି ଜଣାପଡ଼ିଛି।

