spot_img
Home Blog Page 2058

ଆଗାମୀ ନିର୍ବାଚନରେ ଏକପାଖିଆ ବିଜୟୀ ହେବ ବିଜେଡି

ଭୁବନେଶ୍ବର: ଶଙ୍ଖମୟ ହେବ ଓଡ଼ିଶା l ଆଗାମୀ ନିର୍ବାଚନରେ ଓଡ଼ିଶାର ରାଜନୈତିକ ଇତିହାସରେ ବିଜେଡି ଯୋଡ଼ିବ ନୂଆ ଅଧ୍ଯାୟ l ଉଭୟ ବିଧାନସଭା ଓ ଲୋକସଭାରେ ବିଜେଡି ଅଧିକ ଆସନ ପାଇ ରେକର୍ଡ କରିବ l ବିଜେଡିର ବଡ଼ ବିଜୟ ସହ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ l ଲମ୍ବା ସମୟର ମୁଖ୍ୟମନ୍ତ୍ରୀ ଭାବେ ଦେଶରେ ନବୀନ ରେକର୍ଡ କରିବେ । ବିଭିନ୍ନ ସର୍ଭେ ଏବଂ ଓଡ଼ିଶାବାସୀଙ୍କ ମୁଡରୁ ଏପରି ଆକଳନ ପରେ ବିରୋଧୀ ଚିନ୍ତାରେ ପଡ଼ିଛନ୍ତି l ନବୀନଙ୍କ ଲୋକପ୍ରିୟତା ବିଜେଡିକୁ ବଡ଼ ବିଜୟୀ କରାଇବ ବୋଲି ଶାସକ ଦଳ କହିଛି।

ନବୀନ ଓ ବିଜେଡି ସପକ୍ଷରେ ଜନମତ । ଆଗାମୀ ନିର୍ବାଚନରେ ଏକପାଖିଆ ବିଜୟୀ ହେବ ବିଜେଡି। ବିଜୁଙ୍କ ରେକର୍ଡ ଭାଙ୍ଗିବେ ନବୀନ। ଷଷ୍ଠଥର ନବୀନ ହେବେ ମୁଖ୍ୟମନ୍ତ୍ରୀ। ବିଧାନସଭା ଓ ଲୋକସଭାରେ ବଢ଼ିବ ବିଜେଡି ଆସନ ସଂଖ୍ୟା। ଆଗାମୀ ନିର୍ବାଚନରେ ବିଜେଡି ୧୨୮ ବିଧାନସଭା ଓ ୧୮ଟି ଲୋକସଭା ଆସନରେ ବାଜିମାତ୍ କରିବ l ଓଡ଼ିଶାବାସୀଙ୍କ ମୁଡ୍ ଓ ବିଭିନ୍ନ ସଂସ୍ଥାର ଜନମତ ସର୍ଭେ ରିପୋର୍ଟ ଆସିବା ପରେ ବିଜେଡି ଏପରି ଦମ୍ଭୋକ୍ତି ପ୍ରକାଶ କରିଛି l ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢ଼ିଥିବାରୁ  ୨୦୧୯ ଅପେକ୍ଷା ୨୦୨୪ରେ ବିଜେଡି ଉଭୟ ବିଧାନସଭା ଓ ଲୋକସଭାରେ ଅଧିକ ଆସନ ପାଇବ ବୋଲି ଶାସକ ଦଳ ଯୁକ୍ତି ବାଢିଛି l

ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଏକଥା କହିବା ପରେ ଆଜି ଦଳୀୟ ବିଧାୟକମାନେ ସମାନ ଯୁକ୍ତି ବାଢ଼ିଛନ୍ତି l ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି, ବିଜେଡି ଓ ନବୀନଙ୍କ ଉପରେ ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭରସା ବଢ଼ିଛି l ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାର ଭାବି କାମ କରୁଛନ୍ତି l ତେଣୁ ବିଜେଡି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢୁଛି l  ୨୦୨୪ରେ ବିଜେଡିର ରେକର୍ଡ ସଂଖ୍ୟକ ବିଧାୟକ ନିର୍ବାଚିତ ହେବେ l ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲ କରିଛି  l୨୪ରେ ବିଜେଡି ଆହୁରି ଭଲ ପ୍ରଦର୍ଶନ କରିବ l ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ନବୀନଙ୍କ ଉପରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଥିବାରୁ ବିଜେଡିକୁ ସଫଳତା ମିଳିବ ବୋଲି ଦଳର ନେତାମାନେ କହିଛନ୍ତି l

ନବୀନଙ୍କୁ ଓଡ଼ିଶାବାସୀ ଷଷ୍ଠଥର ଓ ଦେଶରେ ଲମ୍ବା ସମୟର ମୁଖ୍ୟମନ୍ତ୍ରୀ କରାଇବେ। ଏଥିପାଇଁ ପୂରା ଓଡ଼ିଶା ପ୍ରସ୍ତୁତ ବୋଲି ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି l ନିର୍ବାଚନ ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି l ନବୀନଙ୍କ ସପକ୍ଷରେ ଜନମତ ଥିବା ସର୍ଭେରୁ ସ୍ପଷ୍ଟ ହେବା ପରେ ବିଜେଡି ନେତା, ଖୋଲାଖୋଲି କହିଛନ୍ତି ଯେ, ୨୪ ହେବ ରେକର୍ଡର ବର୍ଷ l ରାଜନୈତିକ ସମୀକ୍ଷକ ମଧ୍ଯ ଆକଳନ କରିଛନ୍ତି ଯେ ବିଜେଡି ଗତ ପଞ୍ଚାୟତ ନିର୍ବାଚନ ପରି ୨୪ ନିର୍ବାଚନରେ ଏକପାଖିଆ ବିଜୟ ଲାଭ କରିବ l

୨୦୦୯ରେ ବିଜେଡି ୧୦୩ ବିଧାନସଭା ଆସନ ଓ ୧୪  ଲୋକସଭା ଆସନ ପାଇଥିଲା l ୨୦୧୪ରେ ୧୧୭ ବିଧାନସଭା ଓ ୨୦ଟି ଲୋକସଭା ଆସନ,  ୨୦୧୯ରେ ୧୧୨ଟି ବିଧାନସଭା ଓ ୧୨ଟି ଲୋକସଭା ଆସନ ଜିତିଥିଲା l ୧୯୯୦ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା  ଦଳ ପାଇଥିଲା ୧୨୩  ବିଧାନସଭା ଆସନ l  ୨୦୨୪ ନିର୍ବାଚନରେ ବିଜେଡି ୧୨୮ ବିଧାନସଭା ଆସନ ଲାଭ କରି ରେକର୍ଡ କରିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି l

 

ସଚିନ କିମ୍ବା କୋହଲି ଯାହା କରି ପାରିନଥିଲେ ୨୨ ବର୍ଷ ବୟସରେ କରି ଦେଖାଇଲେ ଜୟସ୍ବାଲ

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ କିମ୍ବଦନ୍ତୀ ତଥା କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଅନେକ ରେକର୍ଡ ରହିଛି । ଯାହାକି ଆଜି ମଧ୍ୟ ବିଶ୍ବର କୌଣସି ଖେଳାଳି ଭାଙ୍ଗିପାରିନାହାନ୍ତି । ତେବେ ଦିନିକିଆରେ ସଚିନ ଶତକ ରେକର୍ଡ ଭାଙ୍ଗିଥିବା ବିରାଟ କୋହଲି ମଧ୍ୟ ଅନେକ ରେକର୍ଡର ଅଧିକାରୀ ଅଟନ୍ତି । କିନ୍ତୁ ଏମାନଙ୍କ ରେକର୍ଡ ଯେଭଳି ସମସ୍ତଙ୍କର ମନେ ରହିଛି ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଜଶସ୍ବୀ ଜୟସ୍ବାଲ ମଧ୍ୟ ଗୋଟିଏ ପରେ ଗୋଟିଏ ରେକର୍ଡ କରିଚାଲିଛନ୍ତି । ଜୟସ୍ବାଲ ୨୨ ବର୍ଷ ବୟସରେ ଯେଉଁ ରେକର୍ଡ କରିଛନ୍ତି ବିରାଟ କୋହଲି କିମ୍ବା ସଚିନ ମଧ୍ୟ ତାହା କରିପାରିନଥିଲେ । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳୁଥିବା ଜୟସ୍ବାଲ ପ୍ରଥମ ପାଳିରେ ୭୩ ରନର ପାଳି ଖେଳିଛନ୍ତି । ଯେଉଁଥିରେ ୮ ଚୌକା ଏବଂ ଗୋଟିଏ ଛକା ମଧ୍ୟ ରହିଛି ।

ଗୋଟିଏ ଟେଷ୍ଟ ସିରିଜରେ ୬୦୦ ରନରୁ ଅଧିକ ସ୍କୋର କରିବାର ଏକ ରେକର୍ଡ ମଧ୍ୟ ଅର୍ଜନ କରିଛନ୍ତି ଜୟସ୍ବାଲ । ଯାହାକି କୋହଲି କିମ୍ବା ସଚିନ ପୂର୍ବରୁ କରିବାରେ ସକ୍ଷମ ହୋଇନାହାନ୍ତି । ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନଭାବେ ଗୋଟିଏ ସିରିଜରେ ୬୦୦ ରନ କରିବାରେ ସକ୍ଷମ ହୋଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏହି ସିରିଜରେ କୌଣସି ଖେଳାଳି ୩୦୦ରୁ ଉପରେ ସ୍କୋର କରିନଥିବାବେଳେ ଜୟସ୍ବାଲ ୬୦୦ ରନ ପୂରଣ କରିସାରିଛନ୍ତି ।

ଶେଷହେଲା ଖଣ୍ଡଗିରି ମେଳା, ନାଗା ବାବାଙ୍କ ଆର୍ଶୀବାଦ ନେବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର: ଶେଷହେଲା ଖଣ୍ଡଗିରି ମେଳା । ନାଗା ବାବାଙ୍କୁ ଦର୍ଶନ ସହ ଆର୍ଶୀବାଦ ନେବାକୁ ଖଣ୍ଡଗିରି ଶ୍ରଦ୍ଧାଳୁଙ୍କ ଖଣ୍ଡଗିରିରେ ପ୍ରବଳ ଭିଡ଼ । ଦୀର୍ଘ ୯ ଧରି ହୋମ, ଯଜ୍ଞ ସହ ପୁରା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା ଖଣ୍ଡଗିରି । ସାଧୁମାନେ ଧୂନି ଜାଳି ବିଶ୍ଵ ଶାନ୍ତି ପାଇଁ ଆହୁତି ଦେଉଥିଲେ । ନାଗା ଓ ଜୈନ୍ ସନ୍ଥମାନଙ୍କ ଠାରୁ ଆର୍ଶୀବାଦ ନେବାକୁ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ଉଜ୍ଜୟିନୀ ମହାକାଲ, ହରିଦ୍ଵାର, କେଦାର ନାଥ, କାଶ୍ମୀ, ମଥୁରା, ବୃନ୍ଦାବନ , ଡେରାଡୁନର ସାଧୁ ସନ୍ଥମାନେ ଏକାଠି ହୋଇଥିଲେ । ଆକର୍ଷଣ ସାଜିଥିଲେ ଶ୍ରୀଦିଗାମ୍ବର ବମବମ ପୁରୀ ମହାରାଜ, ଶ୍ରୀ ଦିଗାମ୍ବର ଫୈଜୀ ନାଗା ସ୍ବାମୀ, ଷ୍ଟାଣ୍ଡିଙ୍ଗ ବାବା, ରୁଦ୍ରାକ୍ଷ ବାବା। ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ସର୍ବଭାରତୀୟ ସାଧୁସନ୍ଥ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି।

ଆପାର୍ଟମେଣ୍ଟ ଲୁଟ୍ ରୋକିବାକୁ ପୋଲିସର ଆକ୍ସନ ପ୍ଲାନ

ଭୁବନେଶ୍ବର: କମିଶନରେଟ ପୋଲିସର ନିଦ ହଜାଇଛନ୍ତି ଆପାର୍ଟମେଣ୍ଟ ଲୁଟେରା । ଆପାର୍ଟମେଣ୍ଟ ଲୁଟେରାକୁ ଧରିବା ପାଇଁ ଜରୁରୀ ବୈଠକ । ରାଜଧାନୀରେ ବିଭିନ୍ନ ଅପାର୍ଟମେଣ୍ଟ ଲୁଟ ଘଟଣାକୁ ନେଇ ଆଜି ସମସ୍ତ ଥାନା ଅଧିକାରୀଙ୍କ ସହ ବୈଠକ କରିଛନ୍ତି ପୋଲିସ କମିଶନର । ସବୁ ଘଟଣାରେ ଜବତ ହୋଇଥିବା ସିସିଟିଭି ଫୁଟେଜକୁ ନେଇ ତର୍ଜମା କରାଯାଇଛି । ଅଧିକାଂଶ ଲୁଟର ତରିକା ସମାନ ଥିବାରୁ ପୁଣିଥରେ ଜିରୋ ରୁ ସ୍ୱତନ୍ତ୍ର ଟିମ କରି ତଦନ୍ତ ଆରମ୍ଭ କରିବ ବୋଲି କହିଛନ୍ତି ପୋଲିସ କମିଶନର ।

ଆପାର୍ଟମେଣ୍ଟ ଲୁଟ ରୋକିବାକୁ ପୋଲିସର ଆକ୍ସନ ପ୍ଲାନ । ଜିରୋ ରୁ ତଦନ୍ତ ଆରମ୍ଭ କରିବ କମିଶନରେଟ ପୋଲିସ । ସିସିଟିଭି ଫୁଟେଜକୁ ନେଇ ତର୍ଜମା କଲେ ପୋଲିସ କମିଶନର । ତୁରନ୍ତ ଲୁଟେରାଙ୍କୁ ଗିରଫ ସହ ସମ୍ପତି ରିକଭରିକୁ ଫୋକସ । ଗତ ୧ ମାସରୁ ଅଧିକ ଧରି ରାଜଧାନୀର ବିଭିନ୍ନ ଅପାର୍ଟମେଣ୍ଟ ଲୁଟ ଘଟଣାକୁ ନେଇ ଆଜି ସମସ୍ତ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା । ସବୁ ଘଟଣାରେ ଜବତ ହୋଇଥିବା ସିସିଟିଭି ଫୁଟେଜକୁ ନେଇ ତର୍ଜମା କରିବା ସହ ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କେଉଁ ଘଟଣାର ତଦନ୍ତ କେତେବାଟ ଗଲା ଏନେଇ ସମୀକ୍ଷା ହୋଇଛି । ତେବେ ସବୁ ଚୋରିର ପୁଣିଥରେ ଜିରୋରୁ ତଦନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

ଗତ ୫ ମାସରେ ୧୨ରୁ ଅଧିକ ଅପାର୍ଟମେଂଟର ୨୨ରୁ ଅଧିକ ଫ୍ଲାଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସବୁ ଘଟଣାରେ ସିସିଟିଭି ଫୁଟେଜ ଜବତ ହୋଇଛି । ଅଧିକାଂଶ ଘଟଣାରେ ସମାନ ତରିକାରେ ହୋଇଛି ଚୋରି । ଯେଉଁ ସବୁ ଅପାର୍ଟମେଂଟ ରୁ ଚୋରି ହୋଇଛି, ସେସବୁ ଅପାର୍ଟମେଂଟର ସୁରକ୍ଷାକର୍ମୀଙ୍କୁ ଜେରା କରାଯାଇଛି । ଆସନ୍ତାକାଲି ଅପାର୍ଟମେଂଟ ବାସୀଙ୍କ ସହ ଆଲୋଚନା କରି ସୁରକ୍ଷା ଦିଗରେ ଆଲୋଚନା କରିବ ପୋଲିସ ।

ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବାକୁ ଯାଉଛି। ଆଇପିସିର ସ୍ଥାନ ନେବ ନୂଆ ଫୌଜଦାରୀ ଆଇନ। ସରକାର ଏହାକୁ ନେଇ ଔପଚାରିକ ଘୋଷଣା ମଧ୍ୟ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ କାର୍ଯ୍ୟକାରୀ ହେବ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୩ ନୂଆ ଆଇନ ବ୍ୟବସ୍ଥାକୁ ସଂସଦରେ ପୂର୍ବରୁ ପାରିତ ହୋଇଛି। ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ବର୍ଷ ଡିସେମ୍ବରରେ ଏହି ୩ ବିଧେୟକକୁ ସ୍ଵୀକୃତି ପ୍ରଦାନ କରିଛନ୍ତି। ୧୮୬୦ର ଇଣ୍ଡିଆନ ପେନାଲ କୋଡ, ୧୯୭୩ ମସିହାର ସିଆରପିସି ଏବଂ ୧୮୭୨ ମସିହାର ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ସ୍ଥାନ ନେବ ଏହି ନୂତନ ୩ ଆଇନ।

ବାଇକରେ ବୁଲିଲେ 5T ଅଧ୍ୟକ୍ଷ

ଭଦ୍ରକ: ଯେବେ ସେବା ଏକ ସଂକଳ୍ପ ହୋଇଯାଏ ସେବେ ଜନତା ହିଁ ସବୁକିଛି ସାଜନ୍ତି । ଲୋକଙ୍କ ପାଇଁ ଜୀବନ ଉତ୍ସର୍ଗୀକୃତ ହୋଇଯାଏ । ଭଦ୍ରକ ଜିଲ୍ଲା ମଲ୍ଲିମହରା ଓ  ଗୌରାଙ୍ଗପୁରରେ ଦେଖିବାକୁ ମିଳିଛି ଜନସେବା ପ୍ରତି 5T ଅଧ୍ଯକ୍ଷଙ୍କ ପ୍ରତିବଦ୍ଧତାର ଆଉ ଏକ ନିଆରା ଚିତ୍ର । 5T ଅଧ୍ଯକ୍ଷଙ୍କ ଗସ୍ତ ସମୟରେ ଛୁଟିଆସିଥିଲେ ଜନସମୁଦ୍ର ଭଳି ଲୋକ । ବିକାଶର ସାରଥିଙ୍କ ପାଖରେ ଲାଗିଥିଲା ଭଲପାଇବା ଆଉ ଭରସାର ଭିଡ଼ । ହଜାର ହଜାର ଲୋକ ଆସି କାର୍ତ୍ତିକ ପାଣ୍ଡିଆନଙ୍କୁ ଦେଖା କରିବା ସହ ବିନା ଦ୍ବିଦ୍ଧାରେ ନିଜର ଅଭିଯୋଗ ଜଣାଇଥିଲେ । ଏହି ସମୟରେ ଲୋକଙ୍କ ଗହଣରେ ବାଇକରେ ବସି ଯାତ୍ରା କରିଥିଲେ କାର୍ତ୍ତିକ ପାଣ୍ଡିଆନ । ଆପଣା ଲୋକଙ୍କ ସାଥିରେ ସାଧାରଣ ଲୋକଙ୍କ ଭଳି ସଭିଙ୍କୁ ସାଥିରେ ନେଇ ଆଗକୁ ଚାଲିଥିଲେ ଫାଇଭ-ଟି ଅଧ୍ଯକ୍ଷ । କାର୍ତ୍ତିକ ପାଣ୍ଡିଆନ ବାଇକରେ ବସି ଯିବାବେଳେ ସାଧାରଣ ଲୋକମାନେ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ । ସଭିଏଁ ପାଣ୍ଡିଆନଙ୍କ ପାଖେ ପାଖେ ରହି ତାଙ୍କ ସହିତ ଆଗକୁ ଯାଇଥିଲେ ।

ରାଜ୍ୟରେ ମେଘୁଆ ପାଗ ସହ ତଳମୁହାଁ ହୋଇଛି ପାରଦ

ନନ୍ଦିଘୋଷ ବ୍ୟୁରୋ: ତାତିରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । ରାଜ୍ୟରେ ମେଘୁଆ ପାଗ ସହ ତଳମୁହାଁ ହୋଇଛି ପାରଦ। ଉପାନ୍ତରୁ ଉପକୂଳ ସ ବୁଠି ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ତାପମାତ୍ରା। ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପ୍ଝିପ୍ ବର୍ଷା ସହ ଆଜିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଉପକୂଳ ଓ ଉତ୍ତର ଉପକୂଳ ଓଡିଶାର ମୟୁରଭଞ୍ଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ,ଦେଓଗଡ଼,ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସକାଳୁ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ଝିପ୍ଝିପ୍ ବର୍ଷା ହୋଇଛି। ପଶ୍ଚିମା ଝଡ ଏବଂ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁ  ବାୟୁମଣ୍ଡଳକୁ ପ୍ରବେଶ କରୁଛି । ତେଣୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା କାଲି ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୨୦ ଜିଲ୍ଲାରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି। ତେବେ ବର୍ଷା ପ୍ରଭାବରେ ଦିନର ତାପମାତ୍ରା କମିଥିବା ବେଳେ ରାତ୍ରୀର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗତ ୨୪ ଘଣ୍ଟାରେ ଗଜପତିରେ ସର୍ବାଧିକ ୬.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀରେ ୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଉ କୌଣସି ସହରର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିନାହିଁ।

 

ଅମିତାଭଙ୍କ ସହ ପୁରୁଣା ସ୍ମୃତି ସେୟାର କଲେ ଅମୀର

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ମିଷ୍ଟର ପରଫେକ୍ଟ ଭାବେ ଅମୀର ଖାନ ଜଣାଶୁଣା । କୁହାଯାଏ କି, ସେ ଯେଉଁ କାମ କରନ୍ତି ପରଫେକ୍ଟଭାବେ କରନ୍ତି । ସେହିଭଳି ସୁପରଷ୍ଟାର ଅମିତାଭ ବଚ୍ଚନ ଅଭିନୟର ସେହନଶାହା । ଅମିତାଭ ବଚ୍ଚନ ଏବଂ ଅମୀର ଖାନଙ୍କ ସମ୍ପର୍କ ବେଶ ଭଲ ରହିଥିବାବେଳେ ୩୬ ବର୍ଷ ତଳର ପୁରୁଣା କଥା ମନେ ପକାଇ ସେୟାର କରିଛନ୍ତି ଅମିର ଖାନ । ’ଲାପତା ଲେଡିଜ୍’ ଫିଲ୍ମର ପ୍ରମୋସନ କରୁଥିଲେ ଅମିର ଖାନ । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅମିର ଖାନଙ୍କ ପୂର୍ବତନ ପତ୍ନୀ କିରଣ ରାଓ । ଏହାପୂର୍ବରୁ ଆମୀର ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଭୂମିକା ଗ୍ରହଣ କରିବାକୁ ଯାଉଥିଲେ, କିନ୍ତୁ ପରେ ସେହି ଭୂମିକା ରବି କିଶନଙ୍କ ଦ୍ୱାରା ହୋଇଥିଲା  । ତେବେ ପୁରୁଣା ଦିନର ସ୍ମୃତି ଏକ ଇଣ୍ଟରଭିୟୁ ଜରିଆରେ ସେୟାର କରିଛନ୍ତି ଅମୀର । ଅମିତାଭ ବଚ୍ଚନ କିଭଳିଭାବେ ତାଙ୍କର ପ୍ରେରଣା ପାଲଟିଥିଲେ ସେ ସମ୍ପର୍କରେ ମଧ୍ୟ କହିଛନ୍ତି ।

ସେ କହିଛନ୍ତି କି, ମୋର ପ୍ରଥମ ଫିଲ୍ମ ’କୟାମତ ସେ କୟାମତ ତକ୍’ ମୋର ପ୍ରଥମ ଫିଲ୍ମ । ମୁଁ କିଭଳି ଅଭିନୟ କରିବି କଣ କରିବି ପ୍ରଥମରୁ ଡରୁଥିଲି । ଯେତେବେଳେ ମୋ ଫିଲ୍ମର ସୁଟିଂ ହେଉଥିଲା ଡରରେ ରହିଥିଲି । ମାତ୍ର ସିନ ସୁଟିଂ ପରେ ମୁଁ ମେକଅପ ରୁମରେ ବସିଥାଏ । ଠିକ ସେହି ସମୟରେ ଜଣଙ୍କ ଭଏସ ବାରମ୍ବାର ଶୁଭୁଥାଏ । ଏବଂ ସେ ବାରମ୍ବାର ରିହର୍ସାଲ କରୁଥିବା ଦେଖିବାକୁ ମିଳେ । ମୁଁ କବାଟ ଖୋଲିବା ବେଳକୁ ଦେଖିଲି କି, ଅମିତାଭ ବଚ୍ଚନ ବାରମ୍ବାର ରିହର୍ସାଲ କରୁଛନ୍ତି । ଗୋଟିଏ ଡାଏଲଗକୁ ବାରମ୍ବାର ଘୋଷୁଛନ୍ତି । ମୁଁ ଅମିତାଭଙ୍କ ଜଣେ ବଡ଼ ପ୍ରଶଂସକ ରହିଥିଲି ଏବଂ ରହିଛି । ମୁଁ ନୂଆ ଅଭିନେତା ରହିଥିବାବେଳେ ସେ ଜଣେ ବଡ଼ କଳାକାର ଥିଲେ । ତାଙ୍କ ସିନର ସୁଟିଂ ଦେଖିଥିଲି । ସେ ୮ରୁ୧୦ ଟେକ୍ ନେଇଥିଲେ । ଆଉ ପରେ ଆସିବା ପରେ କହିଥିଲେ କି, ମୁଁ ଠିକ୍ କରିଛନ୍ତି ତ? ଯାହାକି ମୋ ପାଇଁ ପ୍ରେରଣା ପାଲଟିଥିଲା । ଯେତେ ଅଧିକ ରିହର୍ସାଲ କଲେ ସୁଦ୍ଧା ଏହାର ଅନ୍ତ ନାହିଁ ।

 

କ୍ରିକେଟର ଅଭିଶେକଙ୍କ ପାଇଁ ଜୀବନ ହାରିଥିଲେ ମଡେଲ ତାନ୍ୟା!

ନନ୍ଦିଘୋଷ ବ୍ୟୁରୋ: ଗୁଜୁରାଟର ମଡେଲ ତାନ୍ୟା ସିଂହ ଆତ୍ମହତ୍ୟା ମାମଲାରେ ସାମନାକୁ ଆସିଲା ବଡ଼ ଖବର । କ୍ରିକେଟର ଅଭିଶେକ ଶର୍ମାଙ୍କ ପାଇଁ ଜୀବନ ହାରିଛନ୍ତି ତାନ୍ୟା । ବାରମ୍ବାର ଫୋନ ଏବଂ ମେସେଜ କରିବା ପରେ ମଧ୍ୟ  ଅଭିଶେକ କୌଣସି ରେସପନ୍ସ ଦେଇନଥିବାରୁ ତାନ୍ୟା ଏଭଳି ଚରମ ପନ୍ଥା ଆପଣାଇଥିବା କୁହାଯାଉଛି । ମଡେଲଙ୍କ ମୃତ୍ୟୁକୁ ୬ଦିନ ବିତିଯାଇଥିବାବେଳେ ପୋଲିସକୁ ଗୋଟିଏ ପରେ ଗୋଟିଏ ଖବର ମିଳୁଛି । ସନରାଇଜର୍ସ ହାଇଦ୍ରବାଦା ପକ୍ଷରୁ ଖେଳୁଥିବା ଅଭିଶେକ ଶର୍ମା ଦୀର୍ଘ ବର୍ଷେ ହେବ ତାନ୍ୟାଙ୍କୁ ଅଣଦେଖା କରୁଥିଲେ । ତାନ୍ୟା ତାଙ୍କୁ ପ୍ରେମ କରୁଥିଲେ । ଏବଂ ସେ ଫୋନ କରୁଥିଲେ ସୁଦ୍ଧା ତାଙ୍କ ଫଷାନକୁ ଉଠାଉନଥିଲେ ଅଭିଶେକ । ଏପରକି ତାଙ୍କ ହ୍ବାଟ୍ସଆପର ରିପ୍ଲେ ମଧ୍ୟ ଦେଉନଥିଲେ । ଯେଉଁ କାରଣରୁ ତାନ୍ୟା ଡିପ୍ରେସନରରେ ରହୁଥିଲେ । ଆଉ ଆତ୍ମହତ୍ୟ କରିବା ଦିନ ଭିଡିଓ କଲରେ ତାଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ନିଜ ମନର କଥା କହିଥିଲେ । ତାଙ୍କୁ ଅଭିଶେକ ଇଗନୋର କରୁଥିବାବେଳେ ଏହାକୁ ସହିପାରୁନାହାନ୍ତି । ଏପରିକି ହ୍ବାଟ୍ସଆପରେ ମଧ୍ୟ ରିପ୍ଲାଇ ଦଉନଥିଲେ । ପୋଲିସ ସୂତ୍ର ଅନୁସାରେ ଅଭିଶେକ ଏବଂ ତାନ୍ୟା ଉଭୟ ଭଲ ବନ୍ଧୁ । ସେମାନେ ଦୀର୍ଘଦିନ ଧରି ବନ୍ଧୁ ହୋଇ ରହିଥିଲେ । ମାତ୍ର ତାନ୍ୟା ଅଭିଶେକଙ୍କୁ ଏକତରଫା ପ୍ରେମ କରୁଥିଲେ । ଅଭିଶେକ ତାନ୍ୟାଙ୍କୁ ଇଗନୋର କରୁଥିବାରୁ ସେ ଏଭଳି ଚରମପନ୍ଥା ଆପଣାଇଛନ୍ତି ।

 

ସର୍ଫରାଜଙ୍କ ସାନଭାଇ ମୁସିରଙ୍କ ନୂଆ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ କ୍ରିକେଟର ସର୍ଫରାଜ ଖାନ ନିଜର ଡେବ୍ୟୁ ମ୍ୟାଚରେ ଦମଦାର ପ୍ରଦର୍ଶନ କରି କ୍ରିକେଟପ୍ରେମୀଙ୍କ ମନ ଜିଣିଥିବାବେଳେ ଅଣ୍ଡର-୧୯ ବିଶ୍ବକପ ସାନଭାଇ ମୁସିର ଖାନ ନିଜର ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ । ତେବେ ପୁଣିଥରେ ମୁସିର ଏକ ରେକର୍ଡ କରିଛନ୍ତି । ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫି ଖେଳୁଥିବା ମୁସିର ଦ୍ବିଶତକ ମାରିଛନ୍ତି । ବରୋଦା ବିପକ୍ଷ ମ୍ୟାଚରେ ସେ ଏହି ରେକର୍ଡ ଅର୍ଜନ କରିଛନ୍ତି । ତେବେ ମୁମ୍ବାଇ ପକ୍ଷରୁ ଖେଳୁଥିବା ଦୁଇ ସିନିୟର ଖେଳାଳି ରାହାଣେ ଏବଂ ପୃଥୀ ଶ’ ବଡ଼ ପାଳି ଖେଳିବାରେ ବିଫଳ ହୋଇଛନ୍ତି । ରାହାଣେ ମାତ୍ର ୩ ରନ କରିଥିବାବେଳେ ପୃଥୀ ଶ’ ୩୩ ରନ କରିଛନ୍ତି । କିନ୍ତୁ ମୁସିର ଦଳ ପାଇଁ ବୁଝିସୁଝି ଖେଳିବା ସହ ଦ୍ବିଶତକ ହାସଲ କରିଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ସମସ୍ତ ପ୍ରଶଂସା କରିଛନ୍ତି ।

ନିକଟରେ ଅଣ୍ଡର-୧୯ ବିଶ୍ବକପ ଖେଳିଥିଲେ ମୁସିର । ସେ ୭ ମ୍ୟାଚରେ ୬୦ ରନ ହାରରେ ୩୬୦ ରନ ସଂଗ୍ରହ କରିଥିଲେ । ଏହାସହ ୭ ଓ୍ବିକେଟ ମଧ୍ୟ ଅକ୍ତିଆର କରିଥିଲେ । ଏଣୁ ଆଗାମୀ ଦିନରେ ସେ ଟିମ ଇଣ୍ଡିଆର ଷ୍ଟାର ଖେଳାଳିଭାବେ ଉଭା ହେବେ ବୋଲି ଭାରତୀୟ ପ୍ରଶଂସକମାନେ ଆଶା ରଖିଛନ୍ତି । ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ଟିମ ଇଣ୍ଡିଆରେ ସ୍ଥାନ ପାଇବେ ବୋଲି କୁହାଯାଉଛି ।