ବାଲେଶ୍ବର: ବାଲେଶ୍ବର ଉଦୟପୁର ବେଳାଭୂମିରେ ଅଘଟଣ । ବଜ୍ରାଘାତରେ ୩ ଆହତ । ସେମାଙ୍କ ମଧ୍ଯରେ ଜଣେ ଗୁରୁତର । ଗୁରତର ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ଯତୀନ୍ଦ୍ର ପଟ୍ଟନାୟକଙ୍କ ପୁଅ ନଟିଆ । ଉଦୟପୁର ସମୁଦ୍ର କୂଳରେ ଏକ ଦୋକାନରେ ୩ଜଣ ବସିଥିବାବେଳେ ବଜ୍ରପାତ ହୋଇଥିଲା । ଏଥିରେ ନଟିଆ ସହ ଦୁଇ ବଙ୍ଗୀୟ ପର୍ଯ୍ୟଟକ ଆହତ ହୋଇଥିଲେ । ୩ ଜଣଙ୍କୁ ଦୀଘା ହସ୍ପିଟାଲକୁ ନିଆଯାଇଛି । ନଟିଆ ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେହିପରି ଭାବେ କାଳବୈଶାଖୀ ବଜ୍ରପାତ ପ୍ରଭାବରେ ମହାକାଳପଡା ବ୍ଲକ ଓରତ ଗାଁରେ ନଡିଆ ଗଛରେ ଲାଗିଲା ନିଆଁ । ବଜ୍ରପାତରେ ଗଛଟି ସମ୍ପୂର୍ଣ୍ଣ ଜଳିଯାଇଛି । ଅନ୍ୟପଟେ କଳାହାଣ୍ଡି ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ଗୋଲାମୁଣ୍ଡା ଠାକୁରାଣୀ ମନ୍ଦିର ଛକ ରାସ୍ତାରେ ଗଛ ପଡ଼ି ଗୋଲାମୁଣ୍ଡା ଧର୍ମଗଡ ରାସ୍ତା ଅବରୋଧ । ଫଳରେ ଯାତାୟାତ କିଛି ସମୟ ପାଇଁ ଠପ୍ ହୋଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ଗଛ ଗୁଡିକୁ କାଟି ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି ।
ରାଗିଙ୍ଗରେ ଚାଲିଗଲା ୨୦ ବର୍ଷୀୟ ଯୁବକଙ୍କ ଜୀବନ
ନନ୍ଦିଘୋଷ ବ୍ୟୁରୋ: ଏବେବି ଥମିନି ସିନିୟରଙ୍କ ରାଗିଙ୍ଗର ବର୍ବରତା। ରାଗିଙ୍ଗରେ ଚାଲିଗଲା ୨୦ ବର୍ଷ ଯୁବକଙ୍କ ଜୀବନ। ଘଣ୍ଟାଏ ନୁହେଁ କି ଦୁଇ ଘଣ୍ଟା ନୁହେଁ. ଦୀର୍ଘ ୨୯ ଘଣ୍ଟାର ନିର୍ଯାତନା ପରେ ଆତ୍ମହତ୍ଯାର ପଥ ବାଛିଲେ ଛାତ୍ର। କେରଳ ୱାୟନାଡରେ ଘଟିଛି ଘଟଣା। ଗତମାସ ୧୮ ତାରିଖରେ ପ୍ରାଣୀ ଚିକିତ୍ସା ପାଠ ପଢୁଥିବା ସିଦ୍ଧାର୍ଥନଙ୍କ ମୃତଦେହ କଲେଜର ବାଥରମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ପୋଲିସ ଯାଞ୍ଚ କରି ଏକ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା। କିନ୍ତୁ କଲେଜର ଆଣ୍ଟି ରାଗିଙ୍ଗ ସ୍କ୍ବାଡ ପହଞ୍ଚି ଏହି ମାମଲାକୁ ଖୋଳତାଡ କରି ମେଡିକାଲ ରିପୋର୍ଟ ଓ ପ୍ରମାଣ ଏକଜୁଟ କରି ନିର୍ଯାତନା ସମ୍ପର୍କରେ ପ୍ରମାଣ ପାଇଥିଲେ। ସିନିୟର ଓ କ୍ଲାସମେଣ୍ଟମାନେ ମିଶି ଲଗାତର ୨୯ ଘଣ୍ଟା ଧରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ପରେ ସିଦ୍ଧାର୍ଥନ ଏହି ଚରମ ପଦକ୍ଷେପ ନେଇଥିଲେ ବୋଲି ଜଣାପଡ଼ିଛି।
ଜେଜେ ବାପାଙ୍କ ଦଶାହ ଶୁଦ୍ଧିକ୍ରିୟାରେ ନାତିର ମୃତ୍ୟୁ
କଟକ: ଜେଜେ ବାପାର ଦଶାହ ଶୁଦ୍ଧିକ୍ରିୟାରେ ନାତିର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ତୁଳସୀପୁର ହାତୀଗଡା ଘାଟରେ। ଜେଜେ ବାପାର ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ତୁଠକୁ ଆସିଥିବା ୨୨ ବର୍ଷିଆ ନାତି ରୂପକ ବାନାର୍ଜୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକର ମୃତଦେହ ଉଦ୍ଧାର କରିଥିଲେ। ସିଡିଏ ୬ରେ ରହୁଥିବା ରୂପକ ଭୂବନେଶ୍ବରର ଏକ ଘରୋଇ କଲେଜର ବି ଟେକ ଛାତ୍ର ଥିଲେ।ତେବେ ରୂପକ ଗାଧୋଇବା ପାଇଁ ନଦୀକୁ ଡେଇଁ ବୁଡି ଯାଇ ଥିଲେ କି ଅନ୍ଯ କୌଣସି କାରଣରୁ ଡେଇଁଥିଲେ ତାହା ସ୍ପଷ୍ଟ ହୋଇ ନାହିଁ।
ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ୟରେ ବଦଳିଛି ପାଗ, ତାତିରୁ ମିଳିଛି ଅସ୍ବସ୍ତି । ୪ ଦିନର ଅଗ୍ନୀବର୍ଷା ପରେ ଆଜି କୋହଲା ପାଗ ସହ ତଳମୁହାଁ ହୋଇଛି ପାରଦ। ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି। ଆଜିଠାରୁ ରାଜ୍ୟରେ ପ୍ରବଳ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ଏକ ପଶ୍ଚିମା ଝଡ ସକ୍ରିୟ ହୋଇଥିବା ବେଳେ ବାୟୁମଣ୍ଡଳର ଉପରିଭାଗରେ ଏକ ନିମ୍ନଚାପରେଖା ସୃଷ୍ଟି ହୋଇଛି। ଏହାସହ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପବଳୟ ସକ୍ରିୟ ରହିଛି। ଫଳରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ୩ଟିଯାକ ପାଣିପାଗ ପ୍ରତିକ୍ରିୟାଶୀଳ ହୋଇ ଘଡଘଡି ବିଜୁଳି ସହ ରାଜ୍ୟରେ ଝଡବର୍ଷା ସୃଷ୍ଟି କରିବାରେ ସହାୟକ ହେଉଛି। ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ପ୍ରଚଣ୍ଡ ଘଡଘଡି ବିଜୁଳି ପାଇଁ ୧୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, କଟକ, ଯାଜପୁର, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ବୌଦ୍ଧ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ସ ବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ ୫୦ କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ବୃଷ୍ଟି ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। କାଲି ସକାଳ ପରଠାରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ୧୨ ଜିଲ୍ଲା ମୟୁରଭଞ୍ଜ, ଅନୁଗୁଳ , ଦେଓଗଡ, କେନ୍ଦୁଝର, ସମ୍ବଲପୁର, ସୋନପୁର, ନୟାଗଡ, ଗଂଜାମ, ଗଜପତି, କନ୍ଧମାଳ , ରାୟଗଡା ଓ କଳାହାଣ୍ଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କକରିଛି ପାଣିପାଗ କେନ୍ଦ୍ର। ଅନ୍ୟପଟେ ୯ରୁ ପୁଣି ପାଗ ବଦଳିବା ସମ୍ଭାବନା ରହିଛି।
ଖରସ୍ରୋତା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଯାଜପୁର: ଖରସ୍ରୋତା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ରୋଡ ଯୋକଡ଼ିଆ ନିକଟ ଖରସ୍ରୋତା ନଦୀରୁ ଉଦ୍ଧାର ହୋଇଛି ମୃତଦେହ।ମୃତ ଯୁବକ ହେଉଛନ୍ତି ସ୍ଥାନୀୟ କିମ୍ଭୀରା ଗାଡ଼ିଆ ଗାଁର ଚିନ୍ତାମଣି ନାୟକଙ୍କ ପୁଅ ଆଶୁତୋଷ ନାୟକ। ଆଶୁତୋଷ ଗତକାଲି ଜନସେବା କେନ୍ଦ୍ରକୁ ଯାଉଛି କହି ଘରୁ ବାହାରିଥିଲେ ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରୁକୁ ଫେରି ନଥିଲେ।ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଆଶୁତୋଷଙ୍କ ସନ୍ଧାନ ମିଳିନଥିଲା। ଆଜି ସକାଳୁ ଯୋକଡ଼ିଆ ନିକଟ ଖରସ୍ରୋତା ନଦୀକୂଳରେ ମୃତଦେହ ଦେଖି ଲୋକ ପୋଲିସକୁ ଖବର ଦେଇଥିଲେ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।ସେପଟେ ଆଶୁତୋଷଙ୍କ ପରିବାର ଲୋକ ମୃତଦେହ ଚିହ୍ନଟ କରିବା ସହ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।
ନିର୍ବାଚନକୁ ପ୍ରଭାବିତ କରିପାରେ AI
ନନ୍ଦିଘୋଷ ବ୍ୟୁରୋ: ଭାରତ, ଆମେରିକା ଓ ସାଉଥ କୋରିଆ ସାଧାରଣ ନିର୍ବାଚନକୁ ନେଇ ଚେତାବନୀ ଦେଲା ମାଇକ୍ରୋସଫ୍ଟ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ନିର୍ବାଚନ ପ୍ରଭାବିତ କରିବା ଲାଗି ଚୀନ ଉଦ୍ୟମ କରୁଛି ବୋଲି କହିଛି ମାଇକ୍ରୋସଫ୍ଟ। ତାଇୱାନ ରାଷ୍ଟ୍ରପତି ନିର୍ବାଚନରେ ବି ଚୀନ ଏଆଇ ଜରିଆରେ ନିର୍ବାଚନ ପ୍ରଭାବିତ କରିବା ଲାଗି ଏଆଇର ବ୍ୟବହାର ପରୀକ୍ଷାମୂଳକ ଭାବେ ସମ୍ପନ୍ନ କରିଥିବା ସୂଚନା ମିଳିଥିଲା। ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏଥିରେ ଉଦ୍ଯମ କରାଯାଇଥିବା ଜଣାପଡିଥିଲା।
ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତକାର ବେଳେ ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ ଗୋଟସ ଏଆଇ ସମ୍ପର୍କରେ ଆଲୋଚନା କରିବା ସହ ଏହାର ସାମାଜିକ ଉପଯୋଗ, ମହିଳା ସମ୍ପର୍କିତ ବିକାଶ, ଆଧୁନିକ ସ୍ବାସ୍ଥ୍ଯସେବା ଓ କୃଷିରେ ଏଆଇର ବ୍ଯବହାର ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ବିଶ୍ବର ପ୍ରାୟ ୬୪ଟି ରାଷ୍ଟ୍ରରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଅର୍ଥାତ ବିଶ୍ବ ଜନସଂଖ୍ଯାର ପ୍ରାୟ ୪୯ ପ୍ରତିଶତ ଲୋକ ଏହି ନିର୍ବାଚନରେ ସାମିଲ ହେବେ। ତେବେ ସବୁଠାରୁ ବଡ଼ କଥା ହେଲା ଚଳିତ ବର୍ଷ ନିର୍ବାଚନକୁ ବିଭିନ୍ନ ଦିଗରେ ପ୍ରଭାବିତ କରିବା ଲାଗି ଚୀନ ଓ ନର୍ଥକୋରିଆର ସାଇବର ଗ୍ରୁପ ସାମିଲ ହେବା ଆଶଙ୍କା ରହିଛି। ଏଆଇ ଜରିଆରେ ମିଥ୍ଯା ସୂଚନା ପ୍ରସାରଣ, ଡିପଫେକ ଜରିଆରେ ମନଗଢ଼ା କାହାଣୀର ପ୍ରସାର ଉପରେ ଚୀନ ଗୁରୁତ୍ବ ଦେବା ଆଶଙ୍କା ରହିଛି। ତାଇୱାନ ନିର୍ବାଚନ ସମୟରେ ବେଜିଂର ଷ୍ଟର୍ମ ୧୩୭୬ ନାମକ ସଂସ୍ଥା ବା ସ୍ପାମୋଫ୍ଲେଜ ଜରିଆରେ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଯୋଜନା କରାଯାଇଥିଲା।

