ରେଢ଼ାଖୋଲରେ ଜମିଲା ପ୍ରଣବଙ୍କ ପ୍ରଚାର

ସମ୍ବଲପୁର: ରେଢ଼ାଖୋଲରେ ଜମିଲା ପ୍ରଣବଙ୍କ ପ୍ରଚାର । ହୁଳହୁଳି,  ସଂକୀର୍ତ୍ତନ, ଖଞ୍ଜଣି ଭଜନରେ ପ୍ରକମ୍ପିତ ହେଲା ରାସ୍ତାଘାଟ । ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ  ଘୋଷଣା ପରେ ପ୍ରଥମ ଥର ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି  ପ୍ରଣବ ପ୍ରକାଶ ଦାସ । ତାଙ୍କୁ ସ୍ଥାନୀୟବାସିନ୍ଦା ଓ ଦଳୀୟ କର୍ମୀ ଭବ୍ୟ ସ୍ବାଗତ ଜଣାଇଥିଲେ । ମଧୁପୁର ଗାଁରେ ଥିବା ଭୀମଭୋଇଙ୍କ ପ୍ରାପ୍ତିପୀଠ, ଭୀମଭୋଇଙ୍କ ବାଲ୍ୟଳୀଳା ଓ ମହାଯଜ୍ଞ ଉତ୍ସବରେ ଯୋଗ ଦେଇଥିଲେ ପ୍ରଣବ । ପ୍ରଥମେ ସାଧୁ ସନ୍ଥଙ୍କ ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇ  ପ୍ରାପ୍ତିପୀଠକୁ ନିଆଯାଇଥିଲା । ପ୍ରାପ୍ତିପୀଠରେ ଦୀପ ପ୍ରଜ୍ଜ୍ୱଳନ କରି  ସାଧୁସନ୍ଥଙ୍କ ଠାରୁ ଆଶୀର୍ବାଦ ନେଇଥିଲେ ପ୍ରଣବ ପ୍ରକାଶ । ଏହି ଅବସରରେ ଶତାଧିକ ମାଆମାନଙ୍କ ହୁଳହୁଳି,  ସଂକୀର୍ତ୍ତନ, ଖଞ୍ଜଣି ଭଜନରେ ପ୍ରକମ୍ପିତ ହୋଇଥିଲା ଭୀମଭୋଇଙ୍କ ପୀଠ । ଏହା ସହିତ ମହିମା ଧର୍ମାବଲମ୍ବୀ ସାଧୁ ସନ୍ଥ ଓ ଭକ୍ତମାନଙ୍କ ସହିତ ମିଶି ବିଭିନ୍ନ ବିଷୟକୁ ନେଇ  ଆଲୋଚନା କରିଥିଲେ ପ୍ରଣବ   । ଏହି ଉତ୍ସବରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରି , ସମାଜସେବୀ ରାଜୀବ ପୂଜାରି ,ବିଜେଡି ବ୍ଲକ ସଭାପତି ପିଣ୍ଟୁ ତ୍ରିପାଠୀ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ ।