spot_img
Home Blog Page 2032

ରୌପ୍ୟ ଜୟନ୍ତୀ ବର୍ଷରେ ନବୀନ ସରକାର, ସବୁ କ୍ଷେତ୍ରରେ ଓଡ଼ିଶା ଛୁଇଁଛି ଶୀର୍ଷ ସ୍ଥାନ

ଭୁବନେଶ୍ବର: ରୌପ୍ୟ ଜୟନ୍ତୀ ବର୍ଷରେ ନବୀନ ସରକାର। ପୂରଣ କଲେ ୨୪ ବର୍ଷର ଶାସନ। ୨ ହଜାର ମସିହା ମାର୍ଚ୍ଚ ୫ ତାରଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମେ ଶପଥ ନେଇଥିଲେ। ଏହା ପରେ ଅପରାଜେୟ ଭାବେ ରାଜନୀତିର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିଚାଲିଛନ୍ତି । କ୍ରମାଗତ ଭାବେ ୫ଥର ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟବାସୀଙ୍କୁ ଦେଉଛନ୍ତି ସୁଶାସନ।

୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ନବୀନ ରାଜନୀତିରେ ପାଦ ଥାପିଥିଲେ। ଆନ୍ତର୍ଜାତିକ ସ୍ତରର ଲେଖକରୁ ସେ ବନିଯାଇଥିଲେ ରାଜନେତା। କଥା କମ୍, କାମ ବେଶୀ ତାଙ୍କର ବିଶେଷତ୍ବ । ବିଜୁ ଜନତା ଦଳ ଗଠନ ପରେ ବିଜୁବାବୁଙ୍କ ଉପରେ ରାଜ୍ୟବାସୀଙ୍କର ଥିବା ଆସ୍ଥା ନବୀନ ବାବୁ୍ଙ୍କ ଉପରେ ହିଁ ପ୍ରକଟ କରିଥିଲେ। ୨ ହଜାର ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ହେଲା। ଏପଟେ ଓଡ଼ିଶାରେ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ମୁଖ୍ଯମନ୍ତ୍ରୀ ହେଲେ । ସେବେଠାରୁ ଆଉ ପଛକୁ ଫେରି ଚାହିଁନାହାନ୍ତି ନବୀନ।

ସବୁ ରାଜନୀତି, ସବୁ ରଣନୀତି, ସବୁ ଚାଣକ୍ୟନୀତି ନବୀନ ବାବୁଙ୍କ ଆଗରେ ଫେଲ ମାରିଛି। ଓଡ଼ିଶାର ଭୋଟର ନବୀନଙ୍କୁ ହିଁ ନେତା ମାନୁଛନ୍ତି । କ୍ଷମତା ନୁହେଁ, ଲୋକଙ୍କ ସେବା ପାଇଁ ସେ ରାଜନୀତିକୁ ଆସିଥିଲେ। ସେବା ହିଁ ନବୀନଙ୍କ ରାଜନୀତିର ମୂଳମନ୍ତ୍ର। ରାଜନୀତି ତାଙ୍କ ଜନସେବାର ମାଧ୍ଯମ। ଗରିବ ଖଟିଖିଆଙ୍କ ଓଡ଼ିଶା ଆଜି ଅଗ୍ରଣୀ ଓଡ଼ିଶାରେ ପରିଣତ ହୋଇଛି। ଦିନ ଥିଲା ଭୋକିଲା ରାଜ୍ୟ କହିଲେ ଓଡ଼ିଶାକୁ ବୁଝାଉଥିଲା। ନବୀନ ବାବୁଙ୍କ ବଡ଼ ଟାର୍ଗେଟ୍ ଥିଲା ଓଡ଼ିଶାବାସୀଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା। କେହି ଯେପରି ଅନାହାରରେ ନ ମରନ୍ତି, ସେଥିପାଇଁ ନବୀନ ପ୍ରତିବଦ୍ଧ ଥିଲେ। ସେଥିପାଇଁ ସେ ଆରମ୍ଭ କରିଥିଲେ ଟଙ୍କିକିଆ ଚାଉଳ ଯୋଜନା।

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଓଡ଼ିଶାର ଲକ୍ଷ ଲକ୍ଷ ପରିବାର ଉପକୃତ ହେଲେ। ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଭୋକର ଭୂଗୋଳରୁ ହଟିଯାଇଛି ଓଡ଼ିଶା। ଖାଦ୍ୟ ସମସ୍ୟା ସମାଧାନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଲୋକପ୍ରିୟ ଯୋଜନା ହେଲା- ଆହାର। ରାଜ୍ୟର ବଡ଼ ବଡ଼ ସହରକୁ କାମ ଧନ୍ଦା ଆଉ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଆସୁଥିବା ଗରିବ ଲୋକ ସହରରେ ବଡ଼ ବଡ଼ ହୋଟେଲରେ ଅଧିକ ପଇସା ଦେଇ ଖାଇ ପାରୁ ନ ଥିଲେ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଜନଗହଳି ସ୍ଥାନ ବା ଛକରେ ଆହାର କେନ୍ଦ୍ର ଖୋଲିଥିଲେ। ଯେଉଁଠି ଲୋକ ମାତ୍ର ୫ ଟଙ୍କା ଦେଇ ଖାଇପାରୁଛନ୍ତି। ନବୀନ ଯେ, କେବଳ ରାଜନୀତିଜ୍ଞ ନୁହନ୍ତି, ସେ ଜଣେ କ୍ରୀଡ଼ାନୀତିଜ୍ଞ ମଧ୍ୟ। କ୍ରୀଡ଼ା କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ ନବୀନ ସାରା ବିଶ୍ବରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି। କେବଳ ନବୀନଙ୍କ ପାଇଁ ବିଶ୍ବ ମାନଚିତ୍ରରେ ଓଡିଶା ପାଲଟିଛି ବ୍ରାଣ୍ଡେଡ ସ୍ପୋର୍ଟସ ହବ୍ ।

ଓଡ଼ିଶାକୁ ମିଳିଛି ଦେଶର ପ୍ରମୁଖ ସ୍ପୋର୍ଟସ ଡେଷ୍ଟିନେସନର ମାନ୍ୟତା। ବିଶ୍ବର ନାମକରା ହକି ଖେଳାଳିଙ୍କ ପସନ୍ଦ ପାଲଟିଛି ଓଡ଼ିଶା। ଏହା କେବଳ ସଫଳ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ଇଛାଶକ୍ତି ଓ ଉଦ୍ୟମ ପାଇଁ। ମିଶନ ମ୍ୟାନ୍ ନବୀନଙ୍କର ସବୁଠୁ ବଡ଼ ଶକ୍ତି ହେଉଛନ୍ତି ନାରୀ ଶକ୍ତି। ନାରୀ ଶକ୍ତିକୁ ଚାରି କାନ୍ଥର ଆବଦ୍ଧରୁ ବାହାର କରିବାକୁ ଅନବରତ ଉଦ୍ୟମ ଜାରି ରଖିଛନ୍ତି ନବୀନ। ପରିବାରରେ ଆର୍ଥିକ ପ୍ରଗତିରେ ନାରୀକୁ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ମିଶନ ଶକ୍ତି ଯୋଜନା। ମହିଳାମାନଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ଭାବେ ସଶକ୍ତ କରିବାକୁ ମଧ୍ୟ ପଦକ୍ଷେପ ନେଇଛନ୍ତି ନବୀନ। ନାରୀ ସଶକ୍ତିକରଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଛି। ସେହିପରି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୭୦ ଲକ୍ଷ ମହିଳା ଉପକୃତ ହୋଇଛନ୍ତି। ଖାଲି ସେତିକି ନୁହେଁ, ଶ୍ରୀକ୍ଷେତ୍ର ପୁରୀ ଓ ଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ସମସ୍ତ ଐତିହ୍ୟ କ୍ଷେତ୍ରର ବିକାଶ ହୋଇଛି। ଯାହା ଓଡ଼ିଶାକୁ ଏକ ନୂଆ ରୂପ ଦେଇଛି।

ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ପ୍ରତି ମଧ୍ୟ ନବୀନ ଧ୍ୟାନ ଦେଇଛନ୍ତି। ସରକାରୀ ସ୍କୁଲଗୁଡ଼ିକ ସହ ପୁରାତନ ଛାତ୍ରମାନଙ୍କୁ ଯୋଡ଼ିବା ପାଇଁ ମୋ ସ୍କୁଲ ଭଳି ଯୋଜନା ଆରମ୍ଭ କରିଛନ୍ତି। ଗରିବ ମେଧାବୀ ଓଡ଼ିଆ ପିଲାଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ିବାର ସୁବିଧା ପାଇଁ ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଛନ୍ତି। ରାଜ୍ୟର ସମସ୍ତଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବାକୁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ସ୍ବାସ୍ଥ୍ୟସେବାରେ ଉତ୍କର୍ଷ ପାଇଁ କଟକ ବଡ଼ ମେଡିକାଲକୁ ବିଶ୍ବସ୍ତରୀୟ କରିବାକୁ ନବୀନ କାର୍ଯ୍ୟ ଆରମ୍ଭ କରିଛନ୍ତି। ନବୀନ ନିଜ ସରକାରକୁ ଜନକୈନ୍ଦ୍ରିକ ବୋଲି ପ୍ରମାଣିତ କରିବାକୁ ସଚିବାଳୟର ନାମ ପରିବର୍ତ୍ତନ କରାଯାଇ ଲୋକସେବା ଭବନ କରିଛନ୍ତି। ପ୍ରଶାସନକୁ ଲୋକଙ୍କ ନିକଟତର କରିବା ପାଇଁ ଆରମ୍ଭ ହୋଇଛି ମୋ ସରକାର। ଦୁର୍ନୀତିର ମୂଳୋତ୍ପାଟନ ସହ ସାଧାରଣ ଲୋକଙ୍କୁ ପ୍ରଶାସନିକ ବ୍ୟବସ୍ଥା ସହ ଯୋଡ଼ିବାକୁ ଆରମ୍ଭ ହୋଇଛି 5T। କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାଳିଆ ଓ ବଳରାମ ଯୋଜନା ମାଇଲଖୁଣ୍ଚ ସାଜିଛି। ଶିଳ୍ପ କ୍ଷେତ୍ରରେ ଆସିଛି ବୈପ୍ଲବିକ ପରିବର୍ତ୍ତନ। ମେକ୍ ଇନ୍ ଓଡ଼ିଶା ଏକ୍ଷେତ୍ରରେ ସଫଳ ହୋଇଛି। ପ୍ରାକୃତିକ ବିପର୍ଯ୍ଯୟର ମୁକାବିଲାରେ ଓଡ଼ିଶା ସାରା ବିଶ୍ବରେ ରୋଲ ମଡେଲ ସାଜିଛି। ୧୯୯୯ ମହାବାତ୍ଯାରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା ଓଡ଼ିଶା। ୨୦୦୦ ମସିହାରେ ଓଡ଼ିଶା ଶାସନର ମଙ୍ଗ ଧରିଥିବା ନବୀନ ପଟ୍ଟନାୟକ ସବୁକିଛି ବଦଳାଇ ଦେଇ ଓଡ଼ିଶାକୁ ଅଗ୍ରଣୀ ରାଜ୍ଯରେ ପରିଣତ କରିଛନ୍ତି। ୨୪ ବର୍ଷର ଶାସନ ପୂରଣ କରି ଆଜି ରୌପ୍ୟ ଜୟନ୍ତୀ ବର୍ଷରେ ପାଦଦେଇଛି ନବୀନ ସରକାର। ସବୁକ୍ଷେତ୍ରରେ ଓଡ଼ିଶାର ବିକାଶ ପାଇଁ ନବୀନଙ୍କ ଉପରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ରହିଆସିଛି। ନବୀନଙ୍କୁ ଲଗାତାର ଷଷ୍ଠଥର ମୁଖ୍ଯମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀ ସଂକଳ୍ପ ନେଇଛନ୍ତି। ନବୀନ ପଟ୍ଟନାୟକ ଦେଶର ରାଜନୀତିରେ ରେକର୍ଡ କରିବେ। ଜନସେବା ଓ ରାଜନୀତିରେ ନବୀନ ଅନନ୍ଯ।

ଟ୍ବିଟରରେ ଶ୍ରଦ୍ଧାଞ୍ଜଳିର ସୁଅ, ବିଜୁବାବୁଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ ସାଂସଦ

ଭୁବନେଶ୍ବର: ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସମାଜର ସବୁ ବର୍ଗର ଲୋକଙ୍କୁ ନେଇ ବିକାଶକୁ ବଳିଷ୍ଠ କରିବା ଲାଗି ସେ ଆଙ୍କିଥିବା ନକ୍ସା ଏବେ ମଧ୍ୟ ଆମକୁ ବାଟ ଦେଖାଉଛି ।

ବିକାଶ ପୁରୁଷଙ୍କ ଅବଦାନକୁ ମନେ ପକାଇ ଓଡ଼ିଆ ଜାତୀୟତାର ପରିଚୟକୁ ଆହୁରି ଗୌରବାନ୍ଵିତ କରିବା ସହ ନୂଆ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଜୁ ବାବୁଙ୍କ ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସେହିପରି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମଧ୍ୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପଞ୍ଚାୟତିରାଜ ଦିବସ ତଥା ଓଡ଼ିଶା ମାଟିର ସ୍ୱାଭିମାନର ପ୍ରତୀକ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଶାର ପ୍ରଗତି ପାଇଁ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ସାଂସଦ ମାନସ ମଙ୍ଗରାଜ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଅସୀମ ବୀରତ୍ୱର ପ୍ରତୀକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଭୂମିପୁତ୍ର ବିଜୁବାବୁଙ୍କ ଅଗାଢ଼ ଦେଶପ୍ରେମ, ଅଦମ୍ୟ ସାହସ ଓ ପରାକ୍ରମ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଅବଦାନ ଅତୁଳନୀୟ। ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଏକ ହୋଇ କାମ କରିବା ସହ ନୂଆ ଓଡ଼ିଶା ଗଢ଼ିବାକୁ ଆହ୍ବାନ ଦେଇଛନ୍ତି ସାଙ୍ଗଠନିକ ସମ୍ପାଦକ।

ଖୁବଶୀଘ୍ର ନିଯୁକ୍ତ ହେବେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ବର: ପ୍ରାଥମିକ ଶିକ୍ଷାର ହେଉଛି ନବକଳେବର । ରାଜ୍ଯର କୌଣସି ସ୍କୁଲରେ ରହିବନି ଶିକ୍ଷକ ଅଭାବ । ଖୁବଶୀଘ୍ର ନିଯୁକ୍ତ ହେବେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ । ଏହି ନିଯୁକ୍ତି ଫଳରେ ରାଜ୍ଯରେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ଶିକ୍ଷକ ପଦବୀ ପୂରଣ ହେବ । ଏବେ ଚାଲୁରହିଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବାପରେ ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ପୂର୍ବରୁ ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିୟୋଜନ ପ୍ରକ୍ରିୟା ଏବେ ଜାରି ରହିଛି । ଏହି ପ୍ରକ୍ରିୟା ଶେଷହେବାପରେ ଯଥାଶୀଘ୍ର ନୂତନ ନିଯୁକ୍ତି ଆରମ୍ଭ ହେବ । ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ ଓ ପାରଦର୍ଶୀ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ଶିକ୍ଷା ବ୍ଯବସ୍ଥାକୁ ଫାଇଭ-ଟି ଉପକ୍ରମରେ ରୂପାନ୍ତରଣ କରି ପିଲାଙ୍କ ଭବିଷ୍ଯତକୁ ଉଜ୍ବଳ କରୁଛନ୍ତି ରାଜ୍ଯ ସରକାର । ଏହି କ୍ରମରେ ସବୁ ସ୍କୁଲରେ ଶିକ୍ଷକ ପଦ ପୂରଣ କରାଯାଇ ପ୍ରାଥମିକ ଶିକ୍ଷାକୁ ସୁଦୃଢ କରାଯାଉଛି । ଯାହାକୁ ନେଇ ପିଲା ଓ ଅଭିଭାବକ ଏବଂ ଚାକିରି ଆଶାୟୀ ମାନେ ଖୁସି ପ୍ରକାଶ କରିଛନ୍ତି ।

ଆମେରିକାରେ ୧୫ଟି ପ୍ରଜାତନ୍ତ୍ର ଓ ଗୋଟିଏ ଟେରିଟୋରୀରେ ଆଜି ନିର୍ବାଚନ

ୱାଶିଂଟନ: ଆଜି ଆମେରିକା ଲାଗି ସୁପରଟିଉଜ ଡେ। ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ନିକ୍କି ହାଲେଙ୍କ ଲାଗି ଅଗ୍ନି ପରୀକ୍ଷା। ୧୫ଟି ପ୍ରଜାତନ୍ତ୍ର ଓ ଗୋଟିଏ ଟେରିଟୋରୀରେ ଆଜି ନିର୍ବାଚନ। ରିପବ୍ଲିକାନ ଦଳ ପକ୍ଷରୁ ପ୍ରାର୍ଥୀ ହେବାକୁ ଯାଉଥିବା ଟ୍ରମ୍ପଙ୍କ ବିଜୟ ସମ୍ଭାବନା ଉଜ୍ବଳ ରହିଛି। ସାଉଥ କାରୋଲିନାର ପୂର୍ବତନ ଗଭର୍ଣ୍ଣର ତଥା ରିପବ୍ଲିକାନ ପ୍ରାର୍ଥୀ ନିକ୍କି ହାଲେଙ୍କ ସହ କଡ଼ା ମୁକାବିଲା ହେବ।

ଏହି ନିର୍ବାଚନ ଉଭୟ ପ୍ରାର୍ଥୀଙ୍କ ଲାଗି ଅଗ୍ନିପରୀକ୍ଷାର ଦିନ ବୋଲି କୁହାଯାଉଛି । ତେବେ ମାର୍ଚ୍ଚ ୩ ନିର୍ବାଚନରେ ୱାଶିଂଟନ ଡିସିରେ ବିଜୟ ହାସଲ କରି ଟ୍ରମ୍ପଙ୍କୁ ଚାଲେଞ୍ଜ ଦେଇଛନ୍ତି ନିକ୍କି ହାଲେ। ଆଲାବାମା, ଆଲାସ୍କା, କାଲିଫର୍ଣ୍ଣିଆ, କୋଲରାଡୋ, ମାସାଚୁସେଟେସ, ନର୍ଥ କାରୋଲିନା, ଟେକ୍ସାସ, ଭିର୍ଜିନିଆ ଆଦି ପ୍ରଜାତନ୍ତ୍ରରେ ଏହି ନିର୍ବାଚନ ହେବ। ଗତ ମାର୍ଚ୍ଚ ୨ ତାରିଖ ନିର୍ବାଚନରେ ତିନିଟି ପ୍ରଜାତନ୍ତ୍ର ମିଚିଗାଁ, ଇଡାହୋ ଓ ମିସୋରୀରେ ନିକ୍କି ହାଲେଙ୍କୁ ପରାସ୍ତ କରିଥିଲେ ଟ୍ରମ୍ପ।

ଗତ ଫେବୃଆରୀ ୨୫ ତାରିଖରେ ସାଉଥ କାରୋଲିନା ରିପବ୍ଲିକାନ ଚୟନ ପ୍ରକ୍ରିୟାରେ ବିଜୟୀ ହୋଇଥିଲେ ଟ୍ରମ୍ପ । କ୍ରମାଗତ ୭୭ ବର୍ଷ ବୟସ୍କ ଟ୍ରମ୍ପଙ୍କ ମାନସିକ ଅବସ୍ଥାକୁ ସମାଲୋଚନା କରିଆସୁଛନ୍ତି ହାଲେ । ଯଦି ଟ୍ରମ୍ପ ପୁଣି ରାଷ୍ଟ୍ରପତି ହୁଅନ୍ତି ତେବେ ଅସ୍ଥିରତା ସୃଷ୍ଟି ହେବ ବୋଲି ସେ ସତର୍କ କରାଇଆସୁଛନ୍ତି । ୨୦୧୦ରେ ସାଉଥ କାରୋଲିନାରେ ଗଭର୍ଣ୍ଣର ଥିବା ହାଲେ ନିଜ ରାଜ୍ୟରେ ଦଳୀୟ ପରାଜୟ ବରଣ କରିଥିଲେ । ପୂର୍ବରୁ ଇଓ୍ବା, ନ୍ୟୁ ହାମ୍ପସାୟାର ଓ ନେଭାଦାରେ ଟ୍ରମ୍ପ ବିଜୟ ହାସଲ କରିସାରିଛନ୍ତି । ଆସନ୍ତା ନଭେମ୍ବର ୫ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ । ୨୦୨୧ ଜାନୁଆରୀ ୬ରେ କାପିଟଲ ହିଂସାକାଣ୍ଡ ଘଟଣାରେ ଟ୍ରମ୍ପଙ୍କ ଭାଗ୍ୟ ନେଇ ସସପେନ୍ସ ଜାରି ରହିଥିବା ସତ୍ତ୍ବେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଆସୁଛି ।

ରାଜ୍ୟରେ ଲାଗି ରହିବ ଖରାଛାଇର ଖେଳ, ଦୁଇଦିନ ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ବର୍ଷା

ଭୁବନେଶ୍ବର: ରାଜ୍ୟରେ ଲାଗି ରହିବ ଖରାଛାଇର ଖେଳ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବନି ତାତି । ବର୍ତ୍ତମାନ ଯେତିକି ତାପମାତ୍ରା ରେକର୍ଡ ହେଉଛି ସେତିକି ମଧ୍ୟରେ ରହିବ ତାତି । ରାଜ୍ୟରେ ଏବେ ଏକ ପଶ୍ଚିମାଝଡ ସକ୍ରିୟ ଥିବାରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ଦେବଗଡରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୭ ଏବଂ ୮ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଘଡଘଡି ବିଜୁଳି ସହ ବର୍ଷା ହେବ ।

ବର୍ଷା ହେଲେ ମଧ୍ୟ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସାମାନ୍ୟ ତାତି ରହିବ । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁର ରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ରହିବ ତାତି ।

ନବୀନ ଓଡ଼ିଶା ମ୍ଯାଜିକ କାର୍ଡ ପାଇଁ ଆଜିଠୁ ପଞ୍ଜୀକରଣ, ଅଗଷ୍ଟ ୧୫ରେ ମିଳିବ

ଭୁବନେଶ୍ବର: ନବୀନ ଓଡ଼ିଶା ମ୍ଯାଜିକ କାର୍ଡ ପାଇଁ ଆଜିଠୁ ଆରମ୍ଭ ହେବ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଛାତ୍ରଛାତ୍ରୀଙ୍କୁ ଏହି ମ୍ଯାଜିକ କାର୍ଡ ପ୍ରଦାନ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁକ୍ତତିନି ଓ ପିଜିର ସମସ୍ତ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ଯାଜିକ କାର୍ଡ ପ୍ରଦାନ କରାଯିବ । ଏହି କାର୍ଡ ଜରିଆରେ ଯୁବଶକ୍ତିଙ୍କ ସମସ୍ତ ସ୍ବପ୍ନ ସାକାର ପାଇଁ ସହାୟତା ଯୋଗାଇ ଦିଆଯିବ ।

ଏହା ଛାତ୍ରଛାତ୍ରୀଙ୍କୁ ୱାଇଫାଇ, ବହି କିଣା, ମୋବାଇଲ ରିଚାର୍ଜ ଓ ବସ, ଟ୍ରେନ, ବିମାନ ଯାତ୍ରାରେ ରିହାତି ସହ କ୍ଯାରିୟର କାଉନସେଲିଂ ଓ ନିଯୁକ୍ତିରେ ସହାୟକ ହେବ । କାର୍ଡକୁ ସିଲଭର, ଗୋଲ୍ଡ, ପ୍ଲାଟିନମ କାର୍ଡକୁ ଉନ୍ନୀତ କରିବାକୁ ମଧ୍ୟ ସୁଯୋଗ ରହିଛି । ନୂଆ-ଓ ମାଧ୍ୟମରେ ଆୟୋଜିତ କୋ-କରିକୁଲାର ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିବା ସହ ସ୍ଵପ୍ନକୁ ସାକାର କରିବାକୁ ବଳ ଯୋଗାଇବ ।

ଚଣ୍ଡିଖୋଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ସାମିଲ ହେବେ ନବୀନ

ଭୁବନେଶ୍ବର: ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାଜପୁର ଚଣ୍ଡିଖୋଲରେ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ଯାସ କରିବେ । ଏହାପରେ ଏକ ସାଧାରଣ ସଭାରେ ଯୋଗଦେଇ ଉଦବୋଧନ ପ୍ରଦାନ କରିବେ ।

ଶିଳାନ୍ଯାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭୁବନେଶ୍ବର ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ ପର୍ଯ୍ୟନ୍ତ ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ । ଡିସିପି ଓ ୫ ଅତିରିକ୍ତ ଡିସିପି ସୁରକ୍ଷା ଦାୟିତ୍ଵରେ ନିୟୋଜିତ ହେବେ ।

୧୦ ଜଣ ଏସିପି ୧୯ ଇନ୍ସପେକ୍ଟର ୬୯ ଜଣ ଏସଆଇ ଓ ଏଏସଆଇ ସୁରକ୍ଷା ଦାୟିତ୍ଵରେ ରହିବେ । ସେହିଭଳି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୫୬ କନଷ୍ଟେବଲ ଓ ୧୧ ଜଣ ହାବିଲଦାର ରହିବେ । ୫୦ ଜଣ ବନ୍ଧୁକ ଧାରୀ ପୋଲିସ ଏୟାରପୋର୍ଟ ବାହାରେ ସୁରକ୍ଷା ଦାୟିତ୍ଵରେ ରହିବେ । ସେହିପରି ସଭାସ୍ଥଳ ଓ ହେଲିପ୍ୟାଡ଼ ସ୍ଥାନରେ କଡ଼ା ସୁରକ୍ଷା ବ୍ଯବସ୍ଥା ଅବଲମ୍ବନ କରାଯାଇଛିା । ୩୨୦୦ରୁ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ବମ୍ ସ୍କ୍ବାଡ୍ ସଭାସ୍ଥଳ ସ୍ଥିତି ଯାଞ୍ଚ କରୁଛନ୍ତି।

ବିଜେଡି ପାଳୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଦିବସ

ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଦିବସ । ବିକାଶ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ରାଜ୍ୟ । ମାଆ ଓ ମାଟି ପାଇଁ କାମ କରିବାର ଆଗ୍ରହ ତାଙ୍କୁ ରାଷ୍ଟ୍ରନେତା ବା ଷ୍ଟେଟସମ୍ୟାନ ଆଖ୍ୟା ଦେଇଛି । କଟକ ଆନନ୍ଦ ଭବନରୁ ଇଣ୍ଡୋନେସିଆ ଯାଏଁ ଏହି ଟଲ ମ୍ୟାନ ଛାଡିଯାଇଛନ୍ତି ନିଜ ସାହାସିକତା, ବୁଦ୍ଧିମତା ଓ ଜନନେତାର ଅଲିଭା ପଦଚିହ୍ନ ।

ବିଜୁ ବାବୁଙ୍କ ୧୦୮ ତମ ଜୟନ୍ତୀରେ ବିଜେଡି ପକ୍ଷରୁ ସବୁ ଜିଲ୍ଲା ଓ ନିର୍ବାଚନମଣ୍ଡଳୀରେ ବିଶାଳ ଆୟୋଜନ କରାଯାଉଛି । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଓ ବାଳାଶ୍ରମରେ ଫଳ ବଣ୍ଟନ ସହ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ରହିଛି । ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜନ ହେଉଛି ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ ।

ଅପରାହ୍ନରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଦଳର ନିର୍ବାଚିତ ଜନପ୍ରତିନିଧି, ଦଳୀୟ କର୍ମକର୍ତ୍ତା, କର୍ମୀ, ବିଜୁବାବୁଙ୍କ ଅନୁଗାମୀ ଏବଂ ଜନସାଧାରଣଙ୍କୁ ନେଇ ସାଧାରଣ ସଭା ଆୟୋଜନ କରାଯିବ । ନିଃସ୍ୱାର୍ଥପର ଲୋକସେବାର ପ୍ରତୀକ, ପ୍ରବାଦ ପୁରୁଷ, ମହାନ ରାଷ୍ଟ୍ରନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ଅମୂଲ୍ୟ ଅବଦାନ, ସଶକ୍ତ ଏବଂ ପୂର୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଯିବ। ବିଜେଡିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପରିପାଳନ ସହିତ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିରନ୍ତର ଉତ୍ସର୍ଗ କରିବାକୁ ବିଜେଡି କର୍ମୀମାନେ ସଙ୍କଳ୍ପ ନେବେ ।

ଜୀବନ ବଞ୍ଚାଇଲା BSKY କାର୍ଡ

ବଲାଙ୍ଗୀର: ଜୀବନ ବଞ୍ଚାଇଲା ବିଏସ୍‌ କେ ୱାଇ କାର୍ଡ। ଆର୍ଥିକ ଦୁର୍ବଳବର୍ଗର ଲୋକଙ୍କ ପାଇଁ ଦେବଦୂତ ପାଲଟିଛି ଏବେ ଏହି କାର୍ଡ । ଓଡ଼ିଶାର ଦୂରଦୂରାନ୍ତରୁ ଗରିବ ଲୋକ ଉଭୟ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ସୁପରସ୍ପେସାଲିଟି ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ପାଇ ବହୁ ଜଟିଳ ରୋଗରୁ ଭଲ ହେଉଛନ୍ତି । ବିଏସ୍‌ କେ ୱାଇ କାର୍ଡରେ ଓଡ଼ିଶା ବାହାରେ ଚିକିତ୍ସିତ ହୋଇପାରିଛନ୍ତି ବଲାଙ୍ଗୀର ଜିଲ୍ଲା ପୌରାଞ୍ଚଳ ୭ ନମ୍ବର ଓ୍ବାର୍ଡର ପ୍ରଭାତ କୁମାର ରାଉତ। ପାକସ୍ଥଳୀ ଏବଂ ଛାତିରେ ପାଣି ଜମିବା, ଅଣନିଶ୍ଵାସୀ ହେବା ଆଦି ଗୁରୁତର ରୋଗରେ ଆକ୍ରାନ୍ତ ହୋଇପଡିଥିଲେ ସେ। ବି ଏସ୍ କେ ୱାଇ କାର୍ଡ ବଳରେ ବିଶାଖାପାଟଣା ମେଡିକଭର ହସ୍ପିଟାଲରେ  ହେଲା ଅତ୍ୟାଧୁନିକ ଚିକିତ୍ସା। ଫେବୃଆରୀ ୮ରେ  ବି ଏସ୍ କେ ୱାଇ କାର୍ଡ ବଳରେ ତାଙ୍କୁ ଆଡମିସନ ମିଳିଲା। ପରୀକ୍ଷା ନିରୀକ୍ଷାରୁ ତାଙ୍କର ଲିଭର ସିରୋସିସ ହୋଇଥିବା ଜଣାପଡ଼ିଲା। ଅତ୍ୟାଧୁନିକ ପଦ୍ଧତିରେ ତାଙ୍କର ଅପରେସନ ହୋଇଥିଲା। ଫେବୃଆରୀ ୨୯ ତାରିଖ ଦିନ ସେ ହସ୍ପିଟାଲରୁ ଡିସ ଚାର୍ଜ ହୋଇ ଘରକୁ ଫେରିଛନ୍ତି। ତାଙ୍କର ଚିକିତ୍ସା କରିଥିବା ଡାକ୍ତର ଶିବଶଙ୍କର ଦଳେଇ କହିଛନ୍ତି, ‘’ ବି ଏସ୍ କେ ୱାଇ କାର୍ଡ ବ୍ୟବସ୍ଥା ପାଇଁ ଆମେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଉଛୁ । ଏହି କାର୍ଡ ପାଇଁ ଓଡ଼ିଶାର ଦୂରଦୂରାନ୍ତ ଅଞ୍ଚଳର ଲୋକମାନେ ବଡବଡ ହସ୍ପିଟାଲ ଆସି ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ପାଇପାରୁଛନ୍ତି’’ ।

କଂଗ୍ରେସ ଫୋକସରେ ମିଡ଼ିଆ ଓ ସୋସିଆଲ ମିଡ଼ିଆ

ଭୁବନେଶ୍ବର: କଂଗ୍ରେସ ଫୋକସରେ ମିଡ଼ିଆ ଓ ସୋସିଆଲ ମିଡ଼ିଆ । ନିର୍ବାଚନରେ ସୋସିଆଲ ମିଡ଼ିଆକୁ ମୁଖ୍ୟ ଅସ୍ତ୍ର କରିବ କଂଗ୍ରେସ । ଏଥିପାଇଁ ଦଳର ମୁଖପାତ୍ର ଓ ବରିଷ୍ଠ ନେତାଙ୍କୁ ନେଇ ବସିଥିଲା ସଂକଳ୍ପ କର୍ମଶାଳା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଜାତୀୟ ମୁଖପାତ୍ର ଅଭୟ ଦୁବେ ଓ ପ୍ରଭାରୀ ଅଜୟ କୁମାର ଯୋଗ ଦେଇଥିଲେ । ସୋସିଆଲ ମିଡ଼ିଆକୁ ଅସ୍ତ୍ର କରି ସରକାରଙ୍କ ବିଫଳତା ଓ କଂଗ୍ରେସର ମୁଦ୍ଦାକୁ କେମିତି ଲୋକଙ୍କ ପାଖରେ କଂଗ୍ରେସ ପହଂଚାଇବ ସେ ନେଇ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି । ଏହା ସହ ଫେକ ନ୍ଯୁଜକୁ କିଭଳି କାଉଣ୍ଟର କରାଯିବ ସେ ନେଇ ଆଲୋଚନା କରାଯାଇଛି।