spot_img
Home Blog Page 2030

ଚାନ୍ଦବାଲିରେ ବିଜେପିର ଗୁଣ୍ଡାଗର୍ଦ୍ଦି, ରାସ୍ତା ଖୋଳି ବନ୍ଦ କଲେ ଯାତାୟତ

ଚାନ୍ଦବାଲି: ବିଜେପି ହୁଅ, ନ ହେଲେ ଗାଁରେ ବନ୍ଦୀ ରୁହ। ରାସ୍ତା ଖୋଳି ୭୦ ପରିବାରକୁ ଯାତାୟତ ବନ୍ଦ କଲେ ବିଜେପି କର୍ମୀ। ଏନେଇ ଥାନାରେ ଏତଲା ଦେଲା ବ୍ଳକ ପ୍ରଶାସନ। ଏହି ଘଟଣା ଘଟିଛି ଚାନ୍ଦବାଲି ବ୍ଳକର ଖଦାଳ ପୋଖରୀ ପଞ୍ଚାୟତର ଗୋପାଳ ସାହିରେ। ସାହିରେ ୭୦ ପରିବାର ମଧ୍ୟରୁ ଅଧିକାଂଶ ବିଜୁ ଜନତା ଦଳର ସମର୍ଥକ।

ଅନ୍ୟ ଦଳରେ ଥିବା କିଛି କର୍ମୀ ଘଣ୍ଟେଶ୍ୱରରେ ଥିବା ବିଜେଡ଼ି କାର୍ଯ୍ୟାଳୟକୁ ବିଧାୟକଙ୍କୁ ଦେଖାକରିବାକୁ ଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପଡୋଶୀ ସାହିର ୧୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଗୋପାଳ ସାହିର ସବୁଦିନିଆ ଯାତାୟତ ରାସ୍ତାକୁ ମଧ୍ୟ ରାତ୍ରିରେ ଜେସିବି ଲଗାଇ ପ୍ରାୟ ୧୫ ଫୁଟ ତାଡି ଦେଇଛନ୍ତି। ଫଳରେ ୭୦ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛୋଟ ପିଲାମାନଙ୍କର ସ୍କୁଲ ଯିବା ଠାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ସବୁ ଠପ ହୋଇ ଯାଇଛି ।

ସବୁଠାରୁ ବଡ଼ କଥା ହେଉଛି ଉକ୍ତ ଘଟଣାକୁ ସରପଞ୍ଚ ମୋନାଲିସା ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନିନ୍ଦା କରିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳକୁ ଭିଡିଓ ଉତ୍ତୋଳନ ପାଇଁ ଯିବା ବେଳେ ସେଠାକୁ ଛାଡି ନ ଥିଲେ ବିଜେପି କର୍ମୀ । ପ୍ରଶାସନ ନିକଟରେ ସରପଞ୍ଚଙ୍କ ଅଭିଯୋଗ ପରେ ବ୍ଳକ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବାଂଶଡା ଥାନାରେ ଅଭିଯୋଗ କରିଛି। ଅଭିଯୋଗ ମୂଳେ ବାଂଶଡା ପୋଲିସ ଏକ ମାମଲା ରୁଜ୍ଜୁ କରି ଏଥିରେ ବ୍ୟବହୃତ ଜେସିବି ଗାଡି ସହ ଚାଳକକୁ ଗିରଫ କରିଛି।

‘ଛେନାପୋଡ’ ଦିବସ ପାଇଁ ଚଳଚଞ୍ଚଳ ନୟାଗଡ଼ ସହର

ନୟାଗଡ: ଆଜି ବିଶ୍ଵ ଛେନାପୋଡ ଦିବସ। ଚଳଚଞ୍ଚଳ ନୟାଗଡ ସହର । ପ୍ରତି ଓଡିଆଙ୍କ ପ୍ରିୟର ଖାଦ୍ଯ । ଛେନାପୋଡ କଥା ଆସିଲେ ପାଟିରୁ ଗଡିଯାଏ ଲାଳ । କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପଡ଼।

ନୟାଗଡ଼ ସହରର ସ୍ୱର୍ଗତ ସୁଦର୍ଶନ ସାହୁଙ୍କୁ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଏ। କଚେରି ବଜାରରେ ଜଳଖିଆ ଦୋକାନ କରିଥିବା ସୁଦର୍ଶନ ସାହୁ ଦିନେ ବଳିପଡିଥିବା କିଛି ଛେନାକୁ ନଷ୍ଟ ହେବାରୁ ବଂଚାଇବାକୁ କରିଥିଲେ ଉଦ୍ୟମ । ବଳକା ଥିବା ଛେନାରେ କିଛି ଚିନି ମିଶାଇ ତାକୁ ପୋଡି କରିଥିଲେ ପୋଡ଼ପିଠା ପ୍ରସ୍ତୁତ। ସ୍ୱର୍ଗତ ସୁଦର୍ଶନଙ୍କ ଜନ୍ମ ତାରିଖ ଅନୁସାରେ ଏପ୍ରିଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ଭାବରେ ପାଳନ କରିବାକୁ ଉଦ୍ୟମ କରାଯାଉଛି।

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ଯାତ୍ରା ଶେଷ

ଇନ୍ଦୁପୁର: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ଯାତ୍ରା ଶେଷ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଏହି ଯାତ୍ରାରେ ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଯାତ୍ରାରେ ବିଭିନ୍ନ ଘରକରଣା ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ଦୋକାନ ସଂଖ୍ୟା ବିଗତ ବର୍ଷ ତୁଳନାରେ ଅଧିକ ଥିଲା। ଘରକରଣା ସାମଗ୍ରୀ କିଣିବା ପାଇଁ ମହିଳାଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସେହିପରି ଠୁଙ୍କାପୁରୀ, ଚାଓମିନ୍‌ ଓ ଫାଷ୍ଟଫୁଡ୍‌ ଦୋକାନରେ ଭିଡ଼ ଲାଗିରହିଥିଲା।

ଚଳିତ ବର୍ଷ ବୌଦ୍ଧପୀଠ ଲଳିତଗିରି ଗ୍ରାମରୁ ପଥର ତିଆରି ଘରକରଣା ସାମଗ୍ରୀର ଚାହିଦା ବିଶେଷ ପରିଲକ୍ଷିତ ହୋଇଥିଲା। ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଭଲ ବ୍ୟବସାୟ ହୋଇଛି। ସେହିପରି ବାଉଁଶ ତିଆରି ସାମଗ୍ରୀ ଦୋକାନରେ ବିଶେଷ ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଥିଲା । ଏହି ପ୍ରାଚୀନ ବାରୁଣୀ ଯାତ୍ରା କେନ୍ଦ୍ରାପଡ଼ା ସହ ପଡ଼ୋଶୀ ଯାଜପୁର ଜିଲ୍ଲାବାସୀଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ସୁଦୃଢ କରିବାରେ ସହାୟକ ହୋଇଛି।

ବିରୂପା ନଦୀର ଉଭୟ ପାର୍ଶ୍ୱରେ ଥିବା ଦୁଇ ଜିଲ୍ଲାବାସୀଙ୍କ ଭାଇଚାରାର ସ୍ମୃତି ବହନ କରୁଥିବା ବାରୁଣୀ ଯାତ୍ରା ଏହି ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ ପର୍ବ ଭାବେ ପରିଚିତ ଲାଭ କରିଥିଲା। ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ପଟ୍ଟାମୁଣ୍ଡାଇ ଏସ୍‌ପିପିଓ ସନ୍ଧ୍ୟାରାଣୀ ବେହୁରିଆ, ନିକିରେଇ ଥାନା ଆଧିକାରୀ ଜ୍ୟୋତିପ୍ରକାଶ ସ୍ବାଇଁ, ଏଏସ୍‌ଆଇ ରଣେନ୍ଦ୍ର ସାମଲଙ୍କ ସମେତ ୮ ଜଣ ପୋଲିସ ଅଧିକାରୀ ଓ ୧ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ଉପସ୍ଥିତ ରହିଥିଲେ।

ଠକେଇର ଶିକାର ହେଲେ ପୋଲିସ ବାବୁ

ପୁରୀ: ଅନଲାଇନ ଆପରେ ମଗାଇଥିଲେ ସ୍ପ୍ରିଙ୍ଗର ୫ମିଟର ମାପ ଫିତା। ହେଲେ ପାର୍ସଲରୁ ବାହାରିଲା ନାଲି ଇଟା। ଅନଲାଇନ ମାଧ୍ୟମରେ ଜିନିଷ ମଗାଇ ଏଭଳି ଠକେଇର ଶିକାର ହୋଇଛନ୍ତି ପୁରୀ ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ ASI ଖଗେଶ୍ୱର କର।

ଖଗେଶ୍ୱରଙ୍କ ଅଭିଯୋଗ ଅନୁଯାଇ ସେ ସ୍ନାପ ଡିଲରୁ ଏକ ସ୍ପ୍ରିଙ୍ଗ ମାପ ଫିତା ମଗାଇଥିଲେ। ହେଲେ ପାର୍ସଲ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ସେଥିରେ ନାଲି ରଙ୍ଗ ଇଟା ଥିଲା। ଏନେଇ ସେ କମ୍ପାନୀକୁ ଅଭିଯୋଗ କରିଛନ୍ତି।

୨ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କଲେ ବାଚସ୍ପତି

ଭୁବନେଶ୍ୱର: ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ରଦ୍ଦ ହେଲା ସଭ୍ୟ ପଦ। ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶ ପାଇଛି ନିର୍ଦ୍ଦେଶାବଳୀ। ଦୁଇ ବିଧାୟକଙ୍କ ବିରୋଧରେ ମାର୍ଚ୍ଚ ୧୮ରେ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ପିଟିସନ ଆଧାରରେ ମାର୍ଚ୍ଚ ୧୯ରେ ଦୁଇ ବିଧାୟକଙ୍କୁ ମଗାଯାଇଥିଲା ସ୍ପଷ୍ଟୀକରଣ।

ତେବେ ପିଟିସନର କୌଣସି ଉତ୍ତର ରଖିନଥିଲେ ଅରବିନ୍ଦ ଓ ପ୍ରେମାନନ୍ଦ। ଦୁଇ ବିଧାୟକଙ୍କୁ ଅପ୍ରେଲ ୧୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅପ୍ରେଲ ୨ ତାରିଖରେ ବାଚସ୍ପତି ଚିଠି କରିଥିଲେ। ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖିଲେନି ଦୁଇ ବିଧାୟକ। ଫଳରେ ସରକାରୀ ମୁଖ୍ୟ ସଚେତକଙ୍କ ପିଟିସନ ଆଧାରରେ ଦୁଇ ବିଧାୟକ ନିଜ ଆଡୁ ବିଜେଡି ଛାଡିଥିବା ସ୍ପଷ୍ଟ ହୋଇଛି।

https://youtu.be/7Hgj-Xx9uJ4

୨୦୧୯ରେ ଅରବିନ୍ଦ ଢାଲି ବିଜେଡି ଟିକେଟରେ ଜୟଦେବ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଓ ପ୍ରେମାନନ୍ଦ ନାୟକ ତେଲକୋଇ ଆସନରୁ ଜିତିଥିଲେ। ନିଜ ଆଡୁ ବିଜେଡି ଛାଡିବାରୁ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ସରକାରୀ ମୁଖ୍ୟ ସଚେତକ ପିଟିସନ ଦାଖଲ କରିଥିଲେ। ସଭ୍ୟ ପଦ ରଦ୍ଦ ହେବା ପରେ ଜୟଦେବ ଓ ତେଲକୋଇ ଆସନ ଖାଲି ପଡିଲା। ସମ୍ବିଧାନର ଦଶମ ପରିଚ୍ଛେଦ ଓ ଓଡିଶା ବିଧାନସଭାର ଦଳବଦଳ ଆଇନ ଆଧାରରେ ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି।

ସୁଧ ଟଙ୍କା ପାଇଁ ସଂଘର୍ଷ, ଉଭୟ ଗୋଷ୍ଠୀ ମଧ୍ୟରେ ବୋମାମାଡ

ଭୁବନେଶ୍ୱର: ପୁଣି ଅଶାନ୍ତ ପଦ୍ମକେଶରୀପୁର। ରାଜଧାନୀ ସ୍ଥିତ ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁର ଅଞ୍ଚଳରେ ଅଞ୍ଚଳରେ ହୋଇଛି ବୋମାମାଡ। ସୁଧ ଟଙ୍କା କାରବାରକୁ ନେଇ ଏହି ବୋମାମାଡ ହୋଇଥିବା ଜଣାପଡିଛି। ଗାଁର ଉଭୟ ଗୋଷ୍ଠୀ ମଧ୍ୟରେ ବୋମାମାଡ ସହିତ ପଥରମାଡ ହୋଇଛି।

ସ୍ଥାନୀୟ ଅଞ୍ଚଳରେ ଏବେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସୁଧ ଟଙ୍କା ଆଦାୟ କରିବାକୁ ନେଇ ଏହି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ଗତବର୍ଷ ଅକ୍ଟୋବରରେ ମଧ୍ୟ ସମାନ ଘଟଣା ଘଟିଥିଲା। ସୁଧ ଟଙ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ହିଂସା ଦେଖାଦେଇଥିଲା। ପରେ ପୋଲିସ ୭୭ଜଣ ପୁରୁଷ ଏବଂ ୫୦ ମହିଳାଙ୍କୁ ଗିରଫ କରିଥିଲା ପୋଲିସ।

ତେବେ ଆଗକୁ ନିର୍ବାଚନ ଥିବା ବେଳେ ଏଭଳି ଗୋଷ୍ଠୀ ସଂଘର୍ଷ ଘଟଣାକୁ ବେଶ ଗୁରୁତର ସହ ନେଇଛି ପୋଲିସ। ୧୦ ଜଣଙ୍କୁ ଏହି ଘଟଣାରେ ଅଟକ ରଖିଛି ମଞ୍ଚେଶ୍ୱର ଥାନା ପୋଲିସ।

ଇସ୍ରାଏଲ-ହମାସ ମଧ୍ୟରେ ପୁଣି ସଂଘର୍ଷ ତେଜିଲା, ଏୟାରଷ୍ଟ୍ରାଇକରେ ହମାସ ମୁଖ୍ୟଙ୍କ ୩ ପୁଅଙ୍କ ମୃତ୍ୟୁ

ଜେରୁଜେଲମ: ଇସ୍ରାଏଲ-ହମାସ ମଧ୍ୟରେ ପୁଣି ସଂଘର୍ଷ ତେଜିଲା। ଆକ୍ରମଣରେ ଆତଙ୍କୀ ସଂଗଠନ ହମାସ ମୁଖ୍ୟ ଇସମାଇଲ୍ ହାନିୟେଙ୍କ ୩ ପୁଅଙ୍କ ମୃତ୍ଯୁ ଘଟିଛି। ଇସ୍ରାଏଲ ସେନା ଆକ୍ରମଣରେ ନିହତ ହୋଇନ୍ତି ହମାସ ମୁଖ୍ୟ ହାନିୟେଙ୍କ ୩ ପୁଅ। ଜେରୁଜେଲମର ଅଲ ଆକସା ମସଜିଦ ଯିବା ବାଟରେ ତାଙ୍କ କାର ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ ସେନା। ଏଥିରେ ହାନିୟେଙ୍କ ୩ ପୁଅ ହାଜେମ, ଆମିର ଏବଂ ମହମ୍ମଦଙ୍କ ମୃତ୍ଯୁ ଘଟିଛି। ଏହାସହ ହାନିୟେଙ୍କ ୨ ନାତିଙ୍କର ମଧ୍ୟ ମୃତ୍ଯୁ ହୋଇଛି। ଅନ୍ୟ ଜଣେ ନାତି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ହମାସ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେପଟେ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ଯରେ ଇସ୍ରାଏଲ ଯିବେ ଭାରତର ୬ହଜାରରୁ ଅଧିକ ନିର୍ମାଣ ଶ୍ରମିକ। ବ୍ୟାପକ ଶ୍ରମିକ ଅଭାବ ଦୃଷ୍ଟିରୁ ଭାରତୀୟ ଶ୍ରମିକଙ୍କ ଉପରେ ଭରସା ରଖିଛି ଇସ୍ରାଏଲ। ଶ୍ରମିକଙ୍କୁ ପଠାଇବା ଲାଗି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରାଳୟ ଓ ଗୃହ ନିର୍ମାଣ ମନ୍ତ୍ରାଳୟ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସରକାର। ଏନେଇ ମିଳିତ ନିଷ୍ପତ୍ତି ନିଆଯାଇଛି।

ଇସ୍ରାଏଲର ବିଭିନ୍ନ କ୍ଷେତ୍ରରେ ନିର୍ମାଣ ଶ୍ରମିକଙ୍କ ଅଭାବ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଇସ୍ରାଏଲରେ କାମ କରିବା ଲାଗି ପ୍ରାୟ ୮୦ ହଜାର ପାଲେଷ୍ଟିନୀୟ ଓ ୧୭ ହଜାର ୱେଷ୍ଟବ୍ଯାଙ୍କବାସୀ ଇସ୍ରାଏଲ ଆସିଥାନ୍ତି। ମାତ୍ର ଯୁଦ୍ଧ ପରେ ସେମାନଙ୍କ ଚୁକ୍ତି ଅବଧି ହଟାଇଦିଆଯାଇଥିବାରୁ ଏହି ସମସ୍ଯା ଉପୁଜିଛି। ଚଳିତ ଏପ୍ରିଲ ମଧ୍ୟଭାଗରେ ୮୫୦ ଶ୍ରମିକ ଇସ୍ରାଏଲ ଯିବେ ବୋଲି ସୂଚନା ମିଳିଛି।

ଜେଲରେ ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ଵାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ଜେଲରେ ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ଵାସ୍ଥ୍ୟାବସ୍ଥା। କେଜରିୱାଲଙ୍କ ସୁଗର ଲେଭେଲ ସାମାନ୍ୟ ଠାରୁ ଢେର ଅଧିକ ବଢିଥିବା ଜଣାପଡିଛି। ମଧୁମେହରେ ଆକ୍ରାନ୍ତ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବ୍ଲଡ୍ ସୁଗର ପରିମାଣ ୧୬୦ ରେକର୍ଡ ହୋଇଛି।  ପୂର୍ବରୁ ତାଙ୍କର ଏହି ସୁଗର ଲେଭେଲ୍ ସାମାନ୍ୟ ଥିଲା। ଜେଲ ଯିବା ପରଠାରୁ କେଜରିୱାଲଙ୍କ ସ୍ଵାସ୍ଥାବସ୍ଥାରେ ଅବନ୍ନତି ଘଟିଛି। କେଜରିୱାଲଙ୍କ ଓଜନ ମଧ୍ୟ ବଢିଥିବା ଜଣାପଡିଛି।

ଜେଲ ଯିବା ପୂର୍ବରୁ ୬୪ କେଜି ଥିବାବେଳେ ଏବେ ଆଉ ଗୋଟିଏ କେଜି ଓଜନ ବଢିଥିବା ଜଣାପଡିଛି। ମୋଟାମୋଟି ଭାବେ ଜଣେ ବ୍ଯକ୍ତିଙ୍କ ବ୍ଲଡ୍ ସୁଗର ଲେଭେଲ୍ ୭୦ରୁ ୧୦୦ ମଧ୍ୟରେ ରହିଲେ ଏହା ସାମାନ୍ୟ ବୋଲି ଧରାଯାଇଥାଏ। ତେବେ କେଜରିୱାଲଙ୍କ ରକ୍ତରେ ଶର୍କରା ପରିମାଣ ୧୬୦ ମପାଯାଇଛି। ହେଲଥ୍ ବୁଲେଟିନ ଅନୁସାରେ ଏହି ସୁଗର ଲେଭେଲ୍ ବୃଦ୍ଧି ପାଇଛି।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରିଥିବା ଆବେଦନ ଖାରଜ କରିଛନ୍ତି ଅଦାଲତ। ବାରମ୍ବାର ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଥିଲେ ମଧ୍ୟ ପୁଣି ଆବେଦନ ରୁଜୁ ହୋଇଥିଲା। ଏଥିଲାଗି ପ୍ରସଙ୍ଗରେ ତୃତୀୟ ଆବେଦନକାରୀ ତଥା ଆମ ଆଦମି ପାର୍ଟିର ପୂର୍ବତନ ମନ୍ତ୍ରୀ ତଥା ନେତା ସନ୍ଦୀପ କୁମାରଙ୍କୁ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି।

ପୁରୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ: ପୁରୀରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ସେ ପୁରୀ ଆସିଥିବା ବେଳେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।ଶ୍ରୀମନ୍ଦିରରେ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ରହିଥିବା ବେଳେ ଭିତର ବେଢା ପରିକ୍ରମା କରିଥିଲେ।

ପରେ ସେ ଶ୍ରୀମନ୍ଦିରରୁ ବାହାରିବା ସହ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡ଼ିଛି। ବାହାରିବା ବେଳେ ବହୁ ଜନସାଧାରଣ ତାଙ୍କୁ ଅଭିବାଦନ ପ୍ରଦାନ କରିଥିବା ବେଳେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ସାଙ୍ଗରେ ରହିଥିବା ନଜରକୁ ଆସିଛି।

ଆଜି ପବିତ୍ର ଇଦ୍ ଉଲ ଫିତର; ସମୂହ ନମାଜ ପାଠ କରୁଛନ୍ତି ମୁସଲମାନ ଭାଇଭଉଣୀ

ନୂଆଦିଲ୍ଲୀ: ଆଜି ପବିତ୍ର ଇଦ୍ ଉଲ ଫିତର। ସାରା ଭାରତରେ ଆଜି ଇଦ୍ ଉତ୍ସବ ପାଳନ ହେଉଛି। ରମଜାନ ମାସ ପୂରଣ ହେବା ପରେ ଆଜି ଇଦ ପାଳନ କରୁଛନ୍ତି ଇସଲାମ ଭାଇଭଉଣୀ। ମସଜିଦରେ ଇସଲାମ ଧର୍ମାବଲମ୍ବୀଙ୍କ ଗହଳି ଲାଗିଛି। ସମୂହ ନମାଜ ପାଠ କରୁଛନ୍ତି ମୁସଲମାନ ଭାଇଭଉଣୀ। ମାସେ ଧରି ରମଜାନ ପାଳନ ପରେ ତ୍ୟାଗର ଏହି ପର୍ବ ପାଳନ କରୁଛନ୍ତି ଇସଲାମ ଧର୍ମାବଲମ୍ବୀ।

ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଉଛନ୍ତି। ଓଡ଼ିଶାରେ ମଧ୍ୟ ବିଭିନ୍ନ ମସଜିଦରେ ଇଦ୍ ପାଳନ କରାଯାଉଛି। ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସହ ଇଦ୍ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ। ମୁସଲମାନ ଭାଇଭଉଣୀମାନେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ର ଶୁଭେଚ୍ଛା ଜଣାଇଛନ୍ତି ।

ରାଜଧାନୀ ଭୁବନେଶ୍ଵର ଓ ଭାଇଚାରାର ସହର କଟକରେ ବିଭିନ୍ନ ସମ୍ପ୍ରଦାୟର ଲୋକ ମିଳିତ ଭାବରେ ଇଦ୍ ଶୁଭେଚ୍ଛା ଜଣାଉଛନ୍ତି। ସହରର ଦରଘାରେ ନମାଜ ପାଠ ସହ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଉଛନ୍ତି। ବଳିଦାନର ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ କମିଶନରେଟ ପୋଲିସ ଓ ସିଏମସି, ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।