କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ଯାତ୍ରା ଶେଷ

ଇନ୍ଦୁପୁର: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ଯାତ୍ରା ଶେଷ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଏହି ଯାତ୍ରାରେ ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଯାତ୍ରାରେ ବିଭିନ୍ନ ଘରକରଣା ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ଦୋକାନ ସଂଖ୍ୟା ବିଗତ ବର୍ଷ ତୁଳନାରେ ଅଧିକ ଥିଲା। ଘରକରଣା ସାମଗ୍ରୀ କିଣିବା ପାଇଁ ମହିଳାଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସେହିପରି ଠୁଙ୍କାପୁରୀ, ଚାଓମିନ୍‌ ଓ ଫାଷ୍ଟଫୁଡ୍‌ ଦୋକାନରେ ଭିଡ଼ ଲାଗିରହିଥିଲା।

ଚଳିତ ବର୍ଷ ବୌଦ୍ଧପୀଠ ଲଳିତଗିରି ଗ୍ରାମରୁ ପଥର ତିଆରି ଘରକରଣା ସାମଗ୍ରୀର ଚାହିଦା ବିଶେଷ ପରିଲକ୍ଷିତ ହୋଇଥିଲା। ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଭଲ ବ୍ୟବସାୟ ହୋଇଛି। ସେହିପରି ବାଉଁଶ ତିଆରି ସାମଗ୍ରୀ ଦୋକାନରେ ବିଶେଷ ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଥିଲା । ଏହି ପ୍ରାଚୀନ ବାରୁଣୀ ଯାତ୍ରା କେନ୍ଦ୍ରାପଡ଼ା ସହ ପଡ଼ୋଶୀ ଯାଜପୁର ଜିଲ୍ଲାବାସୀଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ସୁଦୃଢ କରିବାରେ ସହାୟକ ହୋଇଛି।

ବିରୂପା ନଦୀର ଉଭୟ ପାର୍ଶ୍ୱରେ ଥିବା ଦୁଇ ଜିଲ୍ଲାବାସୀଙ୍କ ଭାଇଚାରାର ସ୍ମୃତି ବହନ କରୁଥିବା ବାରୁଣୀ ଯାତ୍ରା ଏହି ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ ପର୍ବ ଭାବେ ପରିଚିତ ଲାଭ କରିଥିଲା। ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ପଟ୍ଟାମୁଣ୍ଡାଇ ଏସ୍‌ପିପିଓ ସନ୍ଧ୍ୟାରାଣୀ ବେହୁରିଆ, ନିକିରେଇ ଥାନା ଆଧିକାରୀ ଜ୍ୟୋତିପ୍ରକାଶ ସ୍ବାଇଁ, ଏଏସ୍‌ଆଇ ରଣେନ୍ଦ୍ର ସାମଲଙ୍କ ସମେତ ୮ ଜଣ ପୋଲିସ ଅଧିକାରୀ ଓ ୧ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ଉପସ୍ଥିତ ରହିଥିଲେ।