ଆନନ୍ଦପୁର: ହଦଗଡ଼ ହସ୍ତୀ ଅଭୟାରଣ୍ୟରୁ ହାତୀ ଛୁଆର ମୃତଦେହ ଉଦ୍ଧାର । ହାତୀ-ହାତୀଙ୍କ ମଧ୍ୟରେ ସଂଘର୍ଷରୁ ଛୁଆ ହାତୀଟିର ମୃତ୍ୟୁ ଘଟିଥିବା ବନ ବିଭାଗ ଅଧିକାରୀଙ୍କ ସୂଚନା । ମୃତ ହାତୀ ଛୁଆର ବୟସ ୫ରୁ ୬ ବର୍ଷ ହେବା । ଘଟଣା ସ୍ଥଳରେ ଏକାଧିକ ହାତୀ ଅନେକ ସମୟ ଧରି ରହିଥିଲେ । ତେବେ ମୃତ୍ୟୁର କାରଣ ନେଇ ତଦନ୍ତ ଜାରି ରହିଛି ।
ଇବ ନଦୀରୁ ମିଳିଲା ତୃତୀୟ ମୃତଦେହ
ସୁନ୍ଦରଗଡ଼: ଇବ ନଦୀରେ ଗୋଟାଏ ପରିବାରର ତିନି ଜଣ ବୁଡି ନିଖୋଜ ଘଟଣା । ମିଳିଲା ତୃତୀୟ ମୃତଦେହ । ପୂର୍ବରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକମାନେ ହେଲେ ମହମ୍ମଦ ରିଜୱାନ, ମହମ୍ମଦ ଫରହାନ ଏବଂ ମହମ୍ମଦ ସାହିଦ ।
ଗତକାଲି ଇବ୍ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ୩ ଜଣ ବୁଡ଼ି ଯାଇଥିଲେ । ତିନି ଜଣଙ୍କୁ ଉଦ୍ଧାର କରିବାକୁ ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ଼ ଅଗ୍ନିଶମ ବାହିନୀର ଟିମ୍ ସାମିଲ ହୋଇଥିଲେ । ଏହି ଘଟଣାକୁ ନେଇ ସୁନ୍ଦରଗଡରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଆଜି ଚାଷୀ କରିବେ ଦେଶବ୍ୟାପୀ ରେଳରୋକ ଆନ୍ଦୋଳନ
ନୂଆଦିଲ୍ଲୀ: ନ୍ଯାଯ୍ୟ ଦାବିରେ ଆଜି ଚାଷୀ କରିବେ ଦେଶବ୍ଯାପୀ ରେଳରୋକ ଆନ୍ଦୋଳନ । ଦେଶର ବିଭିନ୍ନ ଭାଗରେ ଶତାଧିକ କୃଷକ ସଂଗଠନ କରିବେ ପ୍ରତିବାଦ । ଦିନ ୧୨ଟାରୁ ଅପରାହ୍ଣ ୪ଟା ଯାଏଁ ରେଳରୋକ କରାଯିବ । ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ ଲାଗି ଆଇନଗତ ଗ୍ଯାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ବିଦ୍ୟୁତ ଦେୟ ନ ବଢାଇବା, ୬୦ ବର୍ଷରୁ ଅଧିକ ଚାଷୀ ଓ କୃଷି ଶ୍ରମିକଙ୍କୁ ମାସିକ ୧୦ ହଜାର ଟଙ୍କାର ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ୨୦୨୦-୨୧ରେ ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବି ନେଇ ଚାଲିଛି ଆନ୍ଦୋଳନ ।
ଆସନ୍ତା ୧୪ ତାରିଖରେ ମହାପଞ୍ଚାୟତ ଡାକରା ଦେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା । ଗତ ଫେବୃଆରୀ ୧୩ ତାରିଖରୁ ସଂଯୁକ୍ତ କୃଷକ ମୋର୍ଚ୍ଚାର ଆହ୍ବାନରେ ଚାଷୀ ଆନ୍ଦୋଳନ କରୁଛନ୍ତି । ବିବାଦର ସମାଧାନ ନେଇ କେନ୍ଦ୍ର ସରକାର ବାରମ୍ବାର ଆଲୋଚନା ପରେ ମଧ୍ଯ ସମାଧାନର ବାଟ ବାହାରି ପାରିନାହିଁ ।
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା
ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ନୟାପଲ୍ଲୀ ଗାଁରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ମୃତକ ଜଣଙ୍କ ହେଲେ ଶିବ ନାୟକ । ସେ ଜଣେ କବାଡିଆ ବେପାରୀ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତକୁ ଅଟକ ରଖିଛି ।
ଘଟଣା ସ୍ଥଳରେ ବୋଲଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇଛି । ଖୋର୍ଦ୍ଧା ଏସପି ଓ ଏସଡିପିଓ ଘଟଣା ସ୍ଥଳକୁ ଯାଉଛନ୍ତି । ପରିବାର ଲୋକେ ଏପର୍ଯ୍ୟନ୍ତ ଘଟଣାକୁ ନେଇ ଏତଲା ଦେଇନାହାନ୍ତି ।
ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା, କଂଗ୍ରେସ ପଚାରିଲା ନିର୍ବାଚନ ଲଢ଼ିବ କି ?
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ । ୪୫ ମାସ ପୂର୍ବରୁ ଗୋଏଲ ଇସ୍ତଫା ଦେଇଛନ୍ତି ଗୋଏଲ । ୨୦୨୭ ଡିସେମ୍ବର ୫ରେ ତାଙ୍କ କାର୍ଯ୍ୟକାଳ ସରୁଥିଲା । ଆସନ୍ତା ବର୍ଷ ସେ ମୁଖ୍ୟ ନିର୍ବାଚନ କମିାନର ହୋଇଥାନ୍ତେ । ଗତ ଫେବୃଆରୀରେ ଅନୁପ ଚନ୍ଦ୍ର ପାଣ୍ଡେ ଅବସର ନେଇଥିବା ବେଳେ ଏବେ ଅରୁଣ ଇସ୍ତଫା ଦେଇଛନ୍ତି । ତିନି ଜଣିଆ ନିର୍ବାଚନ ଆୟୋଗରେ ଏବେ ମାତ୍ର ଜଣେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି ।
ତେବେ ଗୋଏଲଙ୍କ ଇସ୍ତଫାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ନିର୍ବାଚନ କମିଶନର ପଦରୁ ଅରୁଣ ଗୋଏଲଙ୍କ ଇସ୍ତଫା ୩ଟି ପ୍ରଶ୍ନ ଛିଡ଼ା କରୁଛି ।
ଜୟରାମ ପଚାରିଛନ୍ତି, କ’ଣ ମୁଖ୍ୟ ନିର୍ବାଚନ କମିଶନର ନା ମୋଦି ସରକାର ସହ ମତଭେଦ କାରଣରୁ ଇସ୍ତଫା ଦେଇଛନ୍ତି ? କ’ଣ ସେ ନିଜସ୍ବ କାମ ପାଇଁ ଇସ୍ତଫା ଦେଇଛନ୍ତି ? କ’ଣ ସେ କୋଲକାତା ହାଇକୋର୍ଟ ବିଚାରପତିଙ୍କ ପରି ବିଜେପି ଟିକେଟରୁ ନିର୍ବାଚନ ଲଢ଼ିବାକୁ ଇସ୍ତଫା ଦେଇଛନ୍ତି ?
ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ନିର୍ବାଚନ ଆୟୋଗ ନା ନିର୍ବାଚନ ଭୁଲ ? କିଛି ଦିନ ପରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଥିବା ବେଳେ ଏବେ ଭାରତରେ ଜଣେ ନିର୍ବାଚନ କମିଶନର ଅଛନ୍ତି । ଯଦି ସ୍ବତନ୍ତ୍ର ସଂସ୍ଥାରେ ବ୍ୟବସ୍ଥିତ ବିନାଶ ବନ୍ଦ କରାନଯାଏ ତେବେ ଏକଛତ୍ରବାଦ ଲୋକତନ୍ତ୍ରକୁ ନିଜ ଅକ୍ତିଆରକୁ ନେଇଯିବ ।
ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର, ମେଡିକାଲରେ ଭର୍ତ୍ତି
ଦାରିଙ୍ଗବାଡି: ବାରହା ଆକ୍ରମଣରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସରୁଲାଇ ଗାଁର ଜଣେ ବୃଦ୍ଧ ଗୁରୁତର । ଆହତ ବ୍ୟକ୍ତି ହେଲେ ଗାଟିସା ପ୍ରଧାନ ।ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଖରା ଦିନିଆ ଧାନ ଚାଷ ପାଇଁ ପ୍ରତିଦିନ ଭଳି ଗତକାଲି ବିଲକୁ କାମ କରିବାକୁ ଯାଇଥିଲେ ଗାଟିସା । ହେଲେ ସେଠାରେ ଏକ ବାରହା ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା । ଗାଟିସା ଚିତ୍କାର କରିବାରୁ ଆଖପାଖରେ ଥିବା ଲୋକେ ଧାଇଁ ଆସିବାରୁ ବାରହାଟି ପଳାଇଥିଲା । ଗାଟିସାଙ୍କ ଦୁଇ ଗୋଡ଼, ଜଙ୍ଘ ଓ ବାମ ହାତରେ କ୍ଷତ ହୋଇଥିବା ଜଣାପଡ଼ିଛି ।

