ବଢ଼ୁଛି ଖରାର ପ୍ରକୋପ, ଜନ ଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ପାରଦ। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳରେ ବି ବଢିଛି ତାତି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ଆସନ୍ତା ଦୁଇ ଦିନ ମଧ୍ୟରେ  ୧୨ ରୁ ୧୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ। ବିଶେଷ କରି ଆଭ୍ୟନ୍ତରୀଣ ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ । କାଲିଠୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲା କେନ୍ଦୁଝର, ମୟୁରଭଂଜ, ଯାଜପୁର, ଢେ଼ଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, କଟକ, କନ୍ଧମାଳ, କୋରାପୁଟ, ମାଲକାନଗିରି, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବାକି ୨୦ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଜିଲ୍ଲାରେ ବି ଅଗ୍ନିବର୍ଷା ନେଇ ଆକଳନ କରାଯାଇଛି । ୧୭ରୁ ୨୦ ଆକାଶରୁ ବର୍ଷିବ ନିଆଁ । ଅଧିକାଂଶ ସହରରେ ୪୩ ରୁ ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା। ଅସହ୍ୟ ପାଣିପାଗ ସ୍ଥିତି ପାଇଁ ସତର୍କ କଲା ପାଣିପାଗ କେନ୍ଦ୍ର। ଶରୀର ପାଇଁ ଘାତକ ହୋଇପାରେ ଉଷ୍ମ ଓ ଆର୍ଦ୍ର ପାଣିପାଗ । ଆଜି ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ଗଞ୍ଜାମ ଏବଂ ଜଗତସିଂହପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାରେ ତାପମାତ୍ରା ୩୯ ଡିଗ୍ରୀ ମଧ୍ୟରେ ରହିବା ସହ ଆର୍ଦ୍ରତା ୬୦ ରୁ ୭୦ ପ୍ରତିଶତ ରହିବ । ଫଳରେ ଏକ ଅସହ୍ୟ ପାଗ ସୃଷ୍ଟି ହେବ ।