ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଅସହ୍ଯ ଖରା । ରବିବାର ବି ଦିନ ସାଢେ ଦୁଇଟା ସୁଦ୍ଧା ୪୩ ଡିଗ୍ରୀ ପାର ସହ ରାଜ୍ଯର ସବୁଠୁ ତତଲା ସହର ହୋଇଛି ଭୁବନେଶ୍ବର। ଭୁବନେଶ୍ବରରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୫ ସହରର ତାପମାତ୍ରା ୪୦ ଡିଗ୍ରୀ ପାର ହୋଇଛି। କେନ୍ଦୁଝରରେ ୪୨.୭, ଚାନ୍ଦବାଲିରେ ୪୨.୨, ବାଲେଶ୍ୱରରେ ୪୧.୪, ରାଉରକେଲାରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡାରେ ୩୯.୯, ସମ୍ବଲପୁରରେ ୩୯.୪, ହୀରାକୁଦରେ ୩୭.୮, ପୁରୀରେ ୩୪.୯, ଗୋପାଳପୁରରେ ୩୪.୨ ଓ ପାରାଦୀପରେ ୩୩.୪ ଡିଗ୍ରୀ ତାତି ରେକର୍ଡ ହୋଇଛି । ଆଜି ବି ରେଡ୍ ଆଲର୍ଟରେ ରହିଛି ଟୁଇନସିଟି କଟକ ଓ ଭୁବନେଶ୍ବର।
ମହାଦେବ ବେଟିଂ ଆପ୍ ମାମଲା : ଅଭିନେତା ସାହିଲ ଖାଁଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ
ନନ୍ଦିଘୋଷ ବ୍ୟୁରୋ: ମହାଦେବ ବେଟିଂ ଆପ୍ ମାମଲା। ଅଭିନେତା ସାହିଲ ଖାଁଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ। ମୁମ୍ବାଇ ପୋଲିସର ସାଇବର ସେଲର ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ ସାହିଲଙ୍କୁ ଛତିଶଗଡ଼ରୁ ଗିରଫ କରିଛି। ପୂର୍ବରୁ ବମ୍ବେ ହାଇକୋର୍ଟ ସାହିଲଙ୍କ ଅନ୍ତରୀଣ ଜାମିନକୁ ଅଗ୍ରାହ୍ୟ କରିଥିଲେ। ହାଇକୋର୍ଟରେ ଆବେଦନ ଖାରଜ ପରେ ସେ ମୁମ୍ବାଇ ଛାଡି ଚାଲିଯାଇଥିଲେ ବୋଲି ସୁଚନା ମିଳିଛି।
ଛତିଶଗଡ଼ ପୋଲିସ ସହ ମିଶି ମୁମ୍ବାଇ ପୋଲିସ ପ୍ରାୟ ୪୦ ଘଣ୍ଟାର ଅପରେସନ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଅଧିକ ଜେରା ଲାଗି ତାଙ୍କୁ ମୁମ୍ବାଇ ଅଣାଯାଇଛି। ଷ୍ଟାଇଲ, ଏସକ୍ଯୁଜ ମି ଫିଲ୍ମରେ ଅଭିନୟ କରିଥିବା ସାହିଲ ସୋସିଆଲ ମିଡିଆ ଇନଫ୍ଲୁଏନସର ଭାବେ ଜଣାଶୁଣା। ବିବାଦୀୟ ମହାଦେବ ବେଟିଂ ଆପ୍ ଜରିଆରେ ଛତିଶଗଡ଼ରେ ରିଏଲ ଇଷ୍ଟେଟ ଫାର୍ମ ଓ ଆର୍ଥିକ ପ୍ରତିଷ୍ଠାନ ମଧ୍ଯରେ କି ପ୍ରକାର କାରବାର ଚାଲିଥିଲା ତାହାର ଜେରା କରୁଛି ପୋଲିସ। କିଛି ଦିନ ତଳେ ଏହି ଆପ୍ ପ୍ରସଙ୍ଗରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ନିକଟକୁ ସମନ ଜାରି କରିଥିଲା ପୋଲିସ।
ଫେୟାର ପ୍ଲେ ବେଟିଂ ଆପ୍ ଜରିଆରେ ଆଇପିଏଲ ମ୍ଯାଚକୁ ପ୍ରମୋଟ କରିବା ଅଭିଯୋଗରେ ମହାରାଷ୍ଟ୍ର ସାଇବର ସେଲ ପକ୍ଷରୁ ତମନ୍ନାଙ୍କୁ ସମନ ଜାରି କରାଯାଇଥିଲା। ଗତବର୍ଷ ମହାଦେବ ଆପ୍ ପ୍ରସଙ୍ଗରେ ଅଭିନେତା ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମହାଦେବ ଅନଲାଇନ ବେଟିଂ ଆପକୁ ସୌରଭ ଚନ୍ଦ୍ରକାର ଓ ରବି ଉପ୍ପଲ ମିଶି ଦୁବାଇରୁ ଅପରେଟ କରୁଥିଲେ। ଉଭୟେ ଛତିଶଗଡ଼ ଭିଲାଇର ବାସିନ୍ଦା।
IPL ଟକ୍କର : ଦିଲ୍ଲୀର ଜ୍ୟାକ୍ ଝଡ଼ରେ ଉଡିଗଲା ମୁମ୍ୱାଇ
ନୂଆଦିଲ୍ଲୀ : ଚର୍ଚ୍ଚାରେ ଅଷ୍ଟ୍ରେଲିଆର ଯୁବ କ୍ରିକେଟର ଜ୍ୟାକ୍ ଫ୍ରେଜର ମ୍ୟାକଗର୍କ । ଆଇପିଏଲରେ ଡେବ୍ୟୁ ମ୍ୟାଚରୁ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଛାଇ ଯାଇଛନ୍ତି ଜ୍ୟାକ୍ । ଏବେ ସବୁଠି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ତାଙ୍କର ଧୂଆଁଧାର ବ୍ୟାଟିଂର ଚର୍ଚ୍ଚା ।
ମୁମ୍ବାଇ ବିପକ୍ଷରେ ଡେବ୍ୟୁ କରିଥିବା ଜ୍ୟାକ୍ ପ୍ରଥମ ମ୍ୟାଚରୁ ହିଁ ତାଙ୍କ ଜଲଓ୍ବା ଦେଖାଇବା ଆରମ୍ଭ କରିଦେଇଛନ୍ତି । କ୍ରିଜକୁ ଆସିବା ମାତ୍ରେ ଜ୍ୟାକ୍ ମୁମ୍ବାଇ ବୋଲରଙ୍କ ଉପରେ ନିର୍ଦ୍ଦୟ ପ୍ରହାର ଆରମ୍ଭ କରି ଦେଇଥିଲେ । ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିବା ସହ ଦିଲ୍ଲୀ ବିଜୟରେ ମୁଖ୍ୟ ଭୂମିକା ନିଭାଇଥିଲେ । ଏହି ମ୍ୟାଚରେ ଜ୍ୟାକ୍ ୨୭ ବଲ ଖେଳି ୮୪ ରନ୍ କରିଥିଲେ । ଫଳରେ ଦିଲ୍ଲୀ ୧୦ ରନରେ ଏହି ମ୍ୟାଚକୁ ଜିତି ନେଇଥିଲା । ଜ୍ୟାକଙ୍କ ଏହି ପ୍ରଦର୍ଶନ ପରେ ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍ ପ୍ରବୀଣ ଆମରେ ତାଙ୍କ ପ୍ରଶଂସା କରି କରି ଥକୁନାହାନ୍ତି । ମ୍ୟାଚ ଜିତିବା ସହ ଦିଲ୍ଲୀ ପ୍ଲେ ଅଫ୍ ଆଡକୁ ଆଉ ପାଦେ ଆଗେଇଛି ।
ଜ୍ୟାକ୍ ଫ୍ରେଜର ମ୍ୟାକଗର୍କଙ୍କ ଦମଦାର ଇନିଂସ ବଳରେ ଦିଲ୍ଲୀ ୪ ଓ୍ୱିକେଟ ହରାଇ ୨୫୭ ରନ କରିଥିଲା । ୨୫୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ମୁମ୍ବାଇ ଟିମ୍ ୨୪୮ ରନ୍ କରିବାକୁ ସକ୍ଷମ ହୋଇଥିଲା ।
ସୂଚନାଯୋଗ୍ୟ, ମ୍ୟାକଗୁର୍କକୁ ଦିଲ୍ଲୀ କ୍ୟାପିଟାଲ୍ସ ଲୁଙ୍ଗି ନିଗିଡିଙ୍କ ବଦଳରେ ୫୦ ଲକ୍ଷ ଟଙ୍କାରେ କିଣିଥିଲା । ଏବେ ସେ ଟିମରେ ସର୍ବାଧିକ ରନ୍ କରିଥିବା ୩ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଛନ୍ତି । ଟିମରେ ଡେଭିଡ ଓ୍ବର୍ନର ଏବଂ ପୃଥ୍ବୀ ଶ’ଙ୍କ ପରି କୋଟିପତି କ୍ରିକେଟର ଥିବା ବେଳେ ଲକ୍ଷାଧିକ ଟଙ୍କା ବେସ୍ ପ୍ରାଇସରେ କିଣାଯାଇଥିବା ଜ୍ୟାକ୍ ଏବେ ଟିମ୍ ପାଇଁ ଟ୍ରମ୍ପକର୍ଡ ପାଲଟିଛନ୍ତି ।
କ୍ଷମତାକୁ ଆସିଲେ ପୂରଣ ହେବ ୫ ଗ୍ଯାରେଣ୍ଟି : ରାହୁଲ ଗାନ୍ଧୀ
ସାଲେପୁର : ଦେଶବାସୀଙ୍କ ଆଶା ପୂରଣ କରିବ କଂଗ୍ରେସ। ଅନ୍ଯାୟ, ଭ୍ରଷ୍ଟାଚାର ବିରୋଧରେ ଦଳ ସର୍ବଦା ପ୍ରମୁଖ ଭୂମିକା ନେଇଛି। ଦେଶରେ ବେରୋଜଗାରୀ ବଢିଛି। ଲୋକେ ଉପଯୁକ୍ତ ନ୍ୟାୟ ପାଉନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସାଲେପୁରରେ ଆୟୋଜିତ ସମାବେଶରେ ରାହୁଲ କହିଛନ୍ତି- କଂଗ୍ରେସ କ୍ଷମତାକୁ ଆସିଲେ ମାସକୁ ମହିଳାଙ୍କୁ ମିଳିବ ୨ ହଜାର ଟଙ୍କା। ବେକାରୀଙ୍କ ଆକାଉଣ୍ଟକୁ ଯିବ ୩ ହଜାର।
ସେହିପରି କୃଷକଙ୍କ ଆକାଉଣ୍ଟକୁ ଯିବ ମାସିକ ୩ ହଜାର ଟଙ୍କା। ଦୁଇ କଂଗ୍ରେସ ଶାସିତ ରାଜ୍ଯ କର୍ଣ୍ଣାଟକ ଓ ତେଲଙ୍ଗାନା ଏବେ ମଡେଲ ପାଲଟିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଆରମ୍ଭ କରି ମହିଳାଙ୍କୁ ମାସିକ ସହାୟତା ସମ୍ଭବ ହୋଇଛି। ତେଲଙ୍ଗାନାରେ ବିଜେପି-ବିଆରଏସ ଶାସନ ଚାଲିଥିବାବେଳେ ବ୍ଯାପକ ହରିଲୁଟ ହେଉଥିଲା। ମୃଷ୍ଟିମେୟ ଲୋକ ଉପକାର ପାଉଥିଲେ। ମାତ୍ର କଂଗ୍ରେସ ଶାସନ ଆସିବା ପରେ ତାହା ଦୂର ହୋଇଛି। କଂଗ୍ରେସ ଯେଉଁ ୫ ଗ୍ଯାରେଣ୍ଟି ଦେଉଛି ତାହାକୁ ପୂରଣ କରାଯାଉଛି। ଦେଶରେ କିପରି ମୁଷ୍ଟିମେୟ ଲୋକଙ୍କ ନିକଟରେ ସମ୍ପତ୍ତି ଠୁଳ ହେଲା ସେ ନେଇ ପ୍ରଶ୍ନ କରିଛନ୍ତି ରାହୁଲ।
ଜଙ୍ଗଲରେ ନିଆଁ ଲାଗିବାରେ ୭ ଦିନରେ ଓଡ଼ିଶା ଦେଶରେ ପ୍ରଥମ
ଭୁବନେଶ୍ୱର : ରାଜ୍ୟରେ ଜଳୁଛି ବିଭିନ୍ନ ଜଙ୍ଗଲ। ଜଙ୍ଗଲରେ ନିଆଁ ଲାଗିବାର ୭ ଦିନ ମଧ୍ୟରେ ଓଡ଼ିଶା ଦେଶରେ ପ୍ରଥମ। ତେବେ ବନ ବିଭାଗର ପଦକ୍ଷେପ ଯୋଗୁ ଗତବର୍ଷ ତୁଳନାରେ ଏବର୍ଷ ରାଜ୍ୟରେ ଜଙ୍ଗଲ ନିଆଁ କମ୍ ରହିଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ- ଏଫ୍ଏସ୍ଆଇ ତଥ୍ୟାନୁସାରେ, ସାରା ଦେଶରେ ଶନିବାର ୧୪୦ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଥିଲା। ଓଡ଼ିଶାରେ ସର୍ବାଧିକ ୪୧ଟି ସ୍ଥାନରେ ନିଆଁ ଲାଗିଛି। ତେବେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିବାରେ ଗତ ୨୦ ତାରିଖରୁ ୭ ଦିନ ମଧ୍ୟରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ଗତବର୍ଷ ଏହି ସମୟରେ ୩୮ ହଜାରରୁ ଉର୍ଦ୍ଧ୍ବ ସ୍ଥାନରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ୧୬ ହଜାରରୁ ଅଧିକ ସ୍ଥାନରେ ନିଆଁ ଚିହ୍ନଟ ହୋଇଛି।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ଚଳିତ ବର୍ଷ ଶନିବାର ସୁଦ୍ଧା ୩୧୮ଟି ପଏଣ୍ଟ ରେ ନିଆଁ ଚିହ୍ନଟ ହୋଇଛି । ଏଫ୍ଏସ୍ଆଇର ଗତ ୫ବର୍ଷର ତଥ୍ୟକୁ ଦେଖିଲେ ଶିମିଳିପାଳରେ ମଧ୍ୟ କମ୍ ସ୍ଥାନରେ ନିଆଁ ଲାଗିଛି। ୨୦୨୦ରେ ଜାନୁଆରୀରୁ ଏପ୍ରିଲ ମାସ ଭିତରେ ୫୯୯ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା। ୨୦୨୧ରେ ୨ ହଜାର ୮୬୧, ୨୦୨୨ ରେ ୩୧୯, ୨୦୨୩ରେ ୧ ହଜାର ୪୫୬ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଛି । ଗତ ଜାନୁଆରୀରୁ ଏପ୍ରିଲ ୨୭ ତାରିଖ ମଧ୍ୟରେ ଶିମିଳିପାଳରେ ୩୧୮ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଶିମିଳିପାଳରେ ୩୦୦ ଫାୟାର ସ୍କ୍ୱାଡ ନିୟୋଜିତ ଥିବା ବେଳେ ୩୦ ଜଣ ପୂର୍ବତନ କର୍ମଚାରୀ, ଓଡ୍ରାଫର ୫୨ ଜଣ, ୨୨ଟି ସ୍ୱତନ୍ତ୍ର ଗାଡ଼ି, ଫାୟାର ସ୍କ୍ୱାଡ ପାଇଁ ୨୦ଟି ଗାଡ଼ି, ଫାୟାର ବ୍ଲୋୟର୍ସ ୪୬୦ଟି ଇତ୍ୟାଦି ଦିଆଯାଇଛି । ସେପଟେ ଜଙ୍ଗଲ ନିଆଁ ୯୦ପ୍ରତିଶତ ମନୁଷ୍ୟକୃତ ବୋଲି କୁହାଯାଉଛି। ଶିକାର ପାଇଁ ହେଉ ବା ମହୁଲ ଆଣିବା ପାଇଁ ଜଙ୍ଗଲରେ ଲୋକ ନିଆଁ ଲଗାଇ ଦେଉଛନ୍ତି । ଏଭଳି ସ୍ଥଳରେ ସେମାନଙ୍କୁ ଧରିବା ପାଇଁ ମଧ୍ୟ ବନ ବିଭାଗ କଡ଼ା ପଦକ୍ଷେପ ନେଇଛି । ୬୦ରୁ ଅଧିକ ଲୋକଙ୍କୁ ବନ ବିଭାଗ ଧରିସାରିଲାଣି।
ପଇସା ଦେଇ ଛୋଟପିଲାଙ୍କୁ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରୁଛି ବିଜେପି : ବିଜେଡି
ଭୁବନେଶ୍ୱର : ବିଜେପିର ବାରମ୍ବାର ଆଚରଣବିଧି ଉଲ୍ଲଂଘନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି। ବିଜେଡ଼ିର ଏକ ଟିମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ନିର୍ବାଚନ ପ୍ରଚାର କାର୍ଯ୍ୟରେ ବିଜେପି ଛୋଟ ପିଲାଙ୍କୁ ବ୍ୟବହାର କରୁଥିବାର ଅଭିଯୋଗ କରିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବାରମ୍ବାର ପିଲାମାନଙ୍କୁ ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଥିବା ବେଳେ ଏବେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବେ ଶିଶୁମାନଙ୍କୁ ବ୍ୟବହାର କରୁଛନ୍ତି, ଯାହା ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ବିଜେଡି କହିଛି।
ବିଜେପି ନେତାମାନେ ନିଜ ଭିତରେ ପ୍ରତିଯୋଗିତା କରୁଛନ୍ତି ଆଚରଣ ବିଧିର ଉଲ୍ଲଂଘନ ନେଇ। ଏପରି ଜାରି ରହିଲେ ରାଜ୍ୟରେ ମୁକ୍ତ ଅବାଧ ନିରପେକ୍ଷ ନିର୍ଵାଚନ ହୋଇପାରିବ ନାହିଁ। ତେଣୁ ବିଜେପି ର ଏହି ବିଶୃଙ୍ଖଳିତ ନେତାମାନଙ୍କ ପାଇଁ ଏକ ଗାଇଡ଼ ଲାଇନ ସ୍ଥିର କରିବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିବା ସହ ଆଚରଣ ବିଧି ଉଲ୍ଲଙ୍ଗନ ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଛୋଟ ପିଲାଙ୍କୁ, ନବମ ଦଶମ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କୁ ପ୍ରଦୀପ ପାଣିଗ୍ରାହୀ ଅର୍ଥ ଦେଇ ନିର୍ବାଚନୀ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।
ଚାକିରୀ ସହ UPSC ପାଇଁ କରୁଥିଲେ ପ୍ରସ୍ତୁତି; ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି IAS ଟପ୍ପର ଅନିମେଶ
ନନ୍ଦିଘୋଷ ବ୍ୟୁରୋ : ନିକଟରେ ପ୍ରକାଶ ପାଇଛି ସବୁଠୁ କଠିନ ପରୀକ୍ଷା ୟୁପିଏସସିର ରେଜଲ୍ଟ ଆଉ ଏଥିରେ ଦ୍ୱିତୀୟ ସ୍ଥାନରେ ଟପ୍ପର ହୋଇଛନ୍ତି ଅନିମେଶ ପ୍ରଧାନ । ଯାହାଙ୍କ ପରିଶ୍ରମର କାହାଣୀ ଯୁବପିଢିଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ । ସେ ଚାକିରି ସହ ୟୁପିଏସସି ପାଇଁ କରୁଥିଲେ ପ୍ରସ୍ତୁତି ।
ଓଡ଼ିଶାର ଅନୁଗୁଳ ସହର ବାସିନ୍ଦା ଅନିମେଶ ପ୍ରଧାନ ୟୁପିଏସସିରେ ଅଲ୍ ଇଣ୍ଡିଆ ରାଙ୍କ୍-୨ ହାସଲ କରିଛନ୍ତି । ଯେଉଁଠି ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଘଣ୍ଟା ଘଣ୍ଟା ଧରି ପାଠ ପଢନ୍ତି, ଅନ୍ୟପକ୍ଷେ ଚାକିରୀ ସହ ପାଠ ପଢି ଟପ୍ପର ହୋଇଛନ୍ତି ଅନିମେଶ । ଆହୁରି ମଧ୍ୟ ସେ ତାଙ୍କର ପ୍ରଥମ ପ୍ରୟାସରେ ହିଁ ଏହିପରି ବଡ଼ ସଫଳତା ପାଇଛନ୍ତି ।
ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ୟୁପିଏସି ଅନ୍ୟତମ । ଅନେକ ପରୀକ୍ଷାର୍ଥୀ ପ୍ରଥମ ପ୍ରୟାସରେ ୟୁପିଏସସି କ୍ଲିୟର କରିପାରନ୍ତି ନାହିଁ । କିନ୍ତୁ ଚାକିରୀ ସହ ପାଠ ପଢି ଏଭଳି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି ଅନିମେଶ ଓ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ସେ ଡିଏଭି ପବ୍ଲିକ୍ ସ୍କୁଲରେ ପାଠ ପଢୁଥିଲେ । ଏହା ପରେ ସେ ଏନଆଇଟି ରାଉରକେଲାରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିଛନ୍ତି । ଏଥି ସହିତ ସେ ଇଣ୍ଡିଆନ୍ ଅଏଲ୍ କମ୍ପାନୀରେ ଇନର୍ଫରମେଶନ ସିଷ୍ଟମ ଅଫିସର ଭାବେ କାର୍ଯ୍ୟରତ ଥିଲେ।
ଅମିମେଶ କହିଛନ୍ତି ଯେ, ସେ ଚାକିରୀ ସହ ପାଠପଢିବା ପାଇଁ ତାଙ୍କୁ ବହୁତ କମ୍ ସମୟ ମିଳୁଥିଲା । ସେଥିପାଇଁ ସେ କେବଳ ୫ରୁ ୬ ଘଣ୍ଟା ହିଁ ପଢିପାରୁଥିଲେ । ଏପରି କି ସେ କୌଣସି କୋଚିଙ୍ଗ ମଧ୍ୟ ନେଇନଥିଲେ ଏବଂ ସେ ଘରେ ରହି ସେଲ୍ଫ ଷ୍ଟଡି କରୁଥିଲେ । ଅନେକ ସମୟରେ ପଢିବାକୁ ସମୟ ମଧ୍ୟ ହେଉନଥିଲା । ତଥାପି ସେ ହାର ମାନିନଥିଲେ । ନିଜର କଠିନ ପ୍ରରିଶ୍ରମ ଏବଂ ଦୃଢ ମନୋବଳ ପାଇଁ ଆଜି ଏ ସଫଳତାର ଶୀର୍ଷ ଛୁଇଁ ପାରିଛନ୍ତି ।

