ଅନୁଗୁଳ : ତାଳଚେର କଣିହାଁସ୍ଥିତ NTPCରେ ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି। କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀର ୨ଟି ଗାଡି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି । ଅଗ୍ନିକାଣ୍ଡରେ ଚାରିଆଡେ ଧୂଆଁ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁ ଭୟଭୀତ ହୋଇପଡିଛନ୍ତି ଲୋକେ। ନିଆଁର ପ୍ରଭାବ ଏତେ ଯେ ସମଗ୍ର ପ୍ଲାଣ୍ଟ ଅଞ୍ଚଳ ଧୁଆଁ ମୟ ହେବା ସହ ଚାରି ଆଡ଼କୁ ବ୍ୟାପିବାରେ ଲାଗିଛି ଧୁଆଁ । ଅନ୍ୟପଟେ ନିଆଁକୁ ଦେଖି ପ୍ଲାଣ୍ଟ ଆଖ ପାଖରେ ରହୁଥିବା ଲୋକେ ଭୟଭିତ ହେବାରେ ଲାଗିଛନ୍ତି ।
ଏହି ୫ଟି ଉପାୟରେ ଘରୋଇ ଋଣ EMI କମ୍ ହୋଇପାରିବ
ନନ୍ଦିଘୋଷ ବ୍ୟୁରୋ : ରେପୋ ରେଟ୍ ସ୍ଥିର ରଖିବା ସହିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଋଣ ନେଇଥିବା ଲୋକଙ୍କୁ ଝଟକା ଦେଇଛି। ଅଧିକାଂଶ ଗୃହ ଋଣ ନେଇଥିବା ବ୍ୟକ୍ତି ଆଶା କରୁଥିଲେ ଯେ ସେମାନେ EMI ରେ କିଛି ଆରାମ ପାଇବେ | କିନ୍ତୁ ତାହା ଦେଖିବାକୁ ମିଳିଲା ନାହିଁ । ଯଦିଓ ଆରବିଆଇ ଆପଣଙ୍କର EMI ହ୍ରାସ କରିନାହିଁ, ତଥାପି ଆପଣ ଏହି ୫ଟି ଟିପ୍ସ ସାହାଯ୍ୟରେ ଆପଣଙ୍କର କିସ୍ତି କମ କରିପାରିବେ | ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରମାଗତ ସପ୍ତମ ଥର ପାଇଁ ରେପୋ ହାରକୁ ୬.୫୦ ପ୍ରତିଶତରେ ସ୍ଥିର କରିଛି। ବ୍ୟାଙ୍କଗୁଡିକ ଘରୋଇ ଋଣ, କାର ଋଣ ଏବଂ ବ୍ୟକ୍ତିଗତ ଋଣର ସୁଧ ହାର ଆରବିଆଇ ରେପୋ ହାର ଆଧାରରେ ସ୍ଥିର କରନ୍ତି |
ଘର ଋଣ EMI କମ୍ କରିବାର ଟିପ୍ସ
ଯଦି ତୁମେ ତୁମର ଘର ଋଣର EMI ହ୍ରାସ କରିବାକୁ ଚାହୁଁଛ, ତେବେ ତୁମେ ଏହି ଟିପ୍ସ ଅନୁସରଣ କରିପାରିବ ।
- ଯଦି ଆପଣଙ୍କର CIBIL ସ୍କୋର ଭଲ, ତେବେ ଆପଣ ନିଜ ବ୍ୟାଙ୍କରୁ ଘର ଋଣ ଉପରେ କମ୍ ସୁଧ ପାଇଁ ବୁଝାମଣା କରିପାରିବେ | ଯଦିଓ ଆପଣଙ୍କର CIBIL ସ୍କୋର ସମୟ ସହିତ ଉନ୍ନତି କରୁଛି, ତଥାପି ଆପଣ ଗୃହ ଋଣ ଉପରେ ସୁଧ ହ୍ରାସ କରିବାକୁ ଆପଣଙ୍କ ବ୍ୟାଙ୍କ ସହିତ ବୁଝାମଣା କରିପାରିବେ | ପ୍ରାୟତ ଆପଣଙ୍କ ଋଣ ଉପରେ ସୁଧ ହ୍ରାସ କରିବାକୁ ବ୍ୟାଙ୍କ ମ୍ୟାନେଜରଙ୍କର ଯଥେଷ୍ଟ ମାର୍ଜିନ ଥାଏ ।
- ଘର ଋଣ EMI ହ୍ରାସ କରିବାର ଗୋଟିଏ ଉପାୟ ହେଉଛି | ଯଦି ଆଗକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାର ହ୍ରାସ କରିବ, ତେବେ ତୁମର EMI ମଧ୍ୟ ସେହି ଅନୁସାରେ ତଳକୁ ଆସିବ |
- ଯଦି ତୁମେ ତୁମର ମାସିକ EMI ହ୍ରାସ କରିବାକୁ ଚାହୁଁଛ, ତୁମେ ତୁମର ଋଣର ସମୟସୀମା ବୃଦ୍ଧି କରିପାରିବ | ଏହା ଆପଣଙ୍କ ଘର ଋଣର ମାସିକ EMI ହ୍ରାସ କରିବ |
- ଘର ଋଣ EMI ହ୍ରାସ କରିବାର ଅନ୍ୟ ଏକ ଉପାୟ ହେଉଛି ତୁମର ଋଣକୁ ଅନ୍ୟ ବ୍ୟାଙ୍କକୁ ପଠାଇବା, ଏହା ତୁମର ମାସିକ EMI ହ୍ରାସ କରିବାରେ ସାହାଯ୍ୟ କରିବ | ଋଣ ପୋର୍ଟିଂ ଉପରେ, ନୂତନ ବ୍ୟାଙ୍କ ପ୍ରାୟତ ଗ୍ରାହକଙ୍କୁ ଶସ୍ତା ସୁଧ ପ୍ରଦାନ କରିଥାଏ |
- ତୁମର ଘର ଋଣର EMI ହ୍ରାସ କରିବାକୁ ତୁମେ ପ୍ରତିବର୍ଷ ଗୋଟିଏରୁ ଦୁଇଟି ଅତିରିକ୍ତ EMI ଦେଇ ପାରିବ | ଏହାର ଦ୍ୱିଗୁଣ ଲାଭ ଅଛି, ଗୋଟିଏ ହେଉଛି ତୁମର ଋଣ ସମୟସୀମା ହ୍ରାସ ପାଇବ | ଦ୍ୱିତୀୟତ ଆପଣଙ୍କର EMI ମଧ୍ୟ ହ୍ରାସ ପାଇବ |
ମନ୍ମଥଙ୍କ ପ୍ରଚାରରେ ବାପା ସୁର ରାଉତରାୟ ଦେଲେ ଜିନ୍ଦାବାଦ ନାରା
ଭୁବନେଶ୍ବର : ଭୁବନେଶ୍ବରରେ ପ୍ରଚାରକୁ ଜୋରଦାର କଲା ବିଜେଡି। ମଇଦାନକୁ ଓହ୍ଲାଇଛନ୍ତି ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ, ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ। ନୀଳାଦ୍ରିବିହାର ବୁଦ୍ଧ ପାର୍କ ପରିସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନତାଙ୍କ ସହ ଆଲୋଚନା କରିଛନ୍ତି ଉଭୟ ନେତା। କଥା ହୋଇ ସୁଖ ଦୁଃଖ ବୁଝିବା ସହ ସମ୍ପର୍କ ଯୋଡିଛନ୍ତି। ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମନ୍ମଥ ଲୋକଙ୍କ ସହ ଚା ଖଟିରେ ଚା ଓ ସର୍ବତ ପିଉଥିବା ଦେଖିବାକୁ ମିଳିଛି। ମାଆ ଓ ମାଉସୀମାନେ ମନ୍ମଥଙ୍କୁ କୋଳେଇ ନେଇ ଆର୍ଶୀବାଦ ଦେଉଛନ୍ତି। ଲୋକଙ୍କ ସମର୍ଥନ ଓ ଭଲ ପାଇବାକୁ ନେଇ ନିର୍ବାଚନରେ ବିଜୟଲାଭ କରିବେ ବୋଲି କହିଛନ୍ତି ମନ୍ମଥ। ଏହି ଅବସରରେ ସାମିଲ ହୋଇଥିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ। ତେବେ ମନ୍ମଥଙ୍କ ପ୍ରଚାରରେ ବାପା ସୁରେଶ ରାଉତରାୟ ସାମିଲ ହେବା ସହ ଦେଇଥିଲେ ଜିନ୍ଦାବାଦ ନାରା।
ତେଲଙ୍ଗାନା-ଛତିଶଗଡ଼ ସୀମାରେ ପୋଲିସ ଗୁଳିରେ ୩ ନକ୍ସଲ ନିହତ
ନନ୍ଦିଘୋଷ ବ୍ୟୁରୋ : ତେଲଙ୍ଗାନା- ଛତିଶଗଡ଼ ସୀମାରେ ଗୁଳି ବିନିମୟ। ପୂଜାରି କାଙ୍କେର କାରିଗୁଟା ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ପୋଲିସ ଗୁଳିରେ ୩ ନକ୍ସଲ ନିହତ ହୋଇଛନ୍ତି। ଜଙ୍ଗଲରୁ ନକ୍ସଲଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ତେଲଙ୍ଗାନା ଗ୍ରେ ହାଉଣ୍ଡ ଓ ଛତିଶଗଡ଼ ପୋଲିସ ପକ୍ଷରୁ ମିଳିତ ଅପରେସନ ହୋଇଛି। ପୂର୍ବରୁ ଅନେକ ଥର ମାଉବାଦୀଙ୍କ କାର୍ଯ୍ୟକଳାପ ଦେଖିବାକୁ ମିଳୁଥିଲା ସେହି ଅଞ୍ଚଳରେ ।
କାହାର ସେହି ଭୋଟ୍ ଯାହା ପାଇଁ ‘ଅଟଳ’ ସରକାର ଟଳି ପଡ଼ିଥିଲା
ନନ୍ଦିଘୋଷ ବ୍ୟୁରୋ : ଦେଶରେ ଏପରି ଅନେକ ରାଜନୈତିକ ଘଟଣା ଘଟିଛି, ଯାହା ଲୋକଙ୍କ ହୃଦୟରେ ଏକ ଅବିସ୍ମରଣୀୟ ହୋଇ ରହିଛି । ଆଜି ଆମେ ଆପଣଙ୍କୁ ଏପରି ଏକ କାହାଣୀ କହିବୁ ଯେତେବେଳେ ୧୩ ମାସର ଅଟଳ ବିହାରୀ ବାଜପେୟୀଙ୍କ ସରକାର କେବଳ ଗୋଟିଏ ଭୋଟ୍ ଯୋଗୁଁ ବିଫଳ ହୋଇଥିଲେ ଲୋକସଭାରେ। ସେତେବେଳେ ଅଟଳ ବିହାରୀ ବାଜପେୟୀ ଦେଶର ଦଶମ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଜଣେ ସାଂସଦଙ୍କ ଭୋଟ୍ ହେତୁ ଏହି ସବୁ ଘଟିଛି, ତେଣୁ ଆସନ୍ତୁ ଜାଣିବା ସେହି ସାଂସଦ କିଏ, ଯାହାଙ୍କର ଏକକ ଭୋଟ୍ ସହିତ ୧୯୯୯ ମସିହାରେ ଅଟଳ ବିହାରୀ ସରକାର ଖସି ଆସିଥିଲେ। ୧୯୯୮ ମସିହାରେ ଦ୍ୱିତୀୟ ଥର ପାଇଁ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୩ ମାସ ପରେ, ୧୭ ଏପ୍ରିଲ ୧୯୯୯ ରେ ସରକାର କେବଳ ଗୋଟିଏ ଭୋଟରେ ଲୋକସଭାରେ ଆସ୍ଥା ଭୋଟ୍ ଜିତିବାରେ ବିଫଳ ହୋଇଥିଲେ। ସେତେବେଳେ ରାଜନୈତିକ ପରିଧିରେ ଅନେକ ନାମ ଉପରେ ଆଲୋଚନା କରାଯାଇଥିଲା । ଯେଉଁଥିପାଇଁ ବାଜପେୟୀ ସରକାର ୧୩ ମାସର ସ୍ୱଳ୍ପ କାର୍ଯ୍ୟକାଳ ପରେ ହଠାତ୍ ଗୋଟିଏ ଭୋଟ୍ ଦ୍ୱାରା ଆସ୍ଥା ମୋସନ ହରାଇଲେ।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାରରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶକ୍ତି ସିହ୍ନା ତାଙ୍କ ପୁସ୍ତକ ‘ଦି ଇୟର୍ସ ଦ୍ୟାଟ୍ ଚେଞ୍ଜ ଇଣ୍ଡିଆ’ରେ ସେହି ସମୟ ସହ ଜଡିତ ଅନେକ କାହାଣୀ ଲେଖିଛନ୍ତି। ତାଙ୍କ ପୁସ୍ତକରେ ସେ ଅନେକ ନେତାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାର ସମର୍ଥନ ପରେ ଅଟଳ ସରକାର ଗୋଟିଏ ଭୋଟରେ ଖସିଆସିଥିଲେ । ସେଥିମଧ୍ୟରୁ ଗୋଟିଏ ନା ସାମ୍ନାକୁ ଆସେ ଅଲ ଇଣ୍ଡିଆର ଆନ୍ନା ଦ୍ରାବିଡା ମୁନ୍ନେଟ୍ରା କାଜଗାମ ପାର୍ଟିର ଜେ ଜୟଲଳିତା। କୁହାଯାଉଛି ଯେ ତାଙ୍କ ସମର୍ଥନ ପ୍ରତ୍ୟାହାର କରିବା ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସଂଖ୍ୟାଲଘୁ ହୋଇ ଯାଇଥିଲେ ଏବଂ ପରେ ଲୋକସଭାରେ ଆସ୍ଥା ଭୋଟ୍ ହରାଇଥିଲେ। ଆଲୋଚନାରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ତତ୍କାଳୀନ କଂଗ୍ରେସ ସାଂସଦ ଗିରିଧର ଗମାଙ୍ଗ ଏବଂ ଜାତୀୟ ସମ୍ମିଳନୀର ସୈଫୁଦ୍ଦିନ ସୋଜ ବାଜପେୟୀ ସରକାରକୁ ହଟାଇବା ପାଇଁ ସେହି ଗୋଟିଏ ଭୋଟ୍ ପାଇଁ ଦାୟୀ ଥିଲେ। ପରଦିନ ଅଟଳ ସରକାରଙ୍କ ପତନ ପରେ ଫାରୁକ୍ ଅବଦୁଲ୍ଲା ସୋଜଙ୍କୁ ଦଳରୁ ବହିଷ୍କାର କରିଥିଲେ।
୧୭ ଏପ୍ରିଲ ୧୯୯୯ରେ ଅଟଳ ବିହାରୀ ବାଜପେୟୀ ସରକାରଙ୍କୁ ଲୋକସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିଥିଲା, କିନ୍ତୁ ସେହି ଦିନ ଅଟଳ ବିହାରୀ ବାଜପେୟୀ ସରକାର ୨୬୯ ଭୋଟ୍ ପାଇଥିଲେ। ଏଥିସହ ବିରୋଧୀ ଦଳରେ ୨୭୦ ଭୋଟ୍ ଦିଆଯାଇଥିଲା। ୧୩ ମାସର ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ଆସ୍ଥା ଭୋଟ୍ ହରାଇବା ପରେ ବିଜେପିର ବାଜପେୟୀ ସରକାର ଇସ୍ତଫା ଦେଇଥିଲେ ।
ରାଜଧାନୀ ଭୁବନେଶ୍ବରରେ ବର୍ଷୁଛି ନିଆଁ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରରେ ବର୍ଷୁଛି ନିଆଁ । ଗତକାଲି ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ମଧ୍ଯରେ ୧୧ତମ ସ୍ଥାନରେ ଭୁବନେଶ୍ବର। ଏପ୍ରିଲ ଆରମ୍ଭରୁ ପ୍ରବଳ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ଗତକାଲି ଭୁବନେଶ୍ବରରେ ଚଳିତ ସିଜିନର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା । ୪୩.୨ ଡିଗ୍ରୀ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ଭାବରେ ରେକର୍ଡ ହୋଇଥିଲା । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ଜଳିବ ଓଡିଶା । ଉପାନ୍ତରୁ ଉପକୂଳ ସବୁଠି ସ୍ବାଭାବିକ ଠାରୁ ୫ ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି ତାପମାତ୍ରା । ଯାହାକୁ ନଜରରେ ରଖି ୬ ତାରିଖରେ ରାଜ୍ୟର ୧୪ ସହର ପାଇଁ ହିଟୱେଭ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି । ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି । ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । କେଉଁଝର, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, ବୌଦ୍ଧ, ଭଦ୍ରକ, କନ୍ଧମାଳ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଛୋଟପିଲା, ବୟସ୍କ, ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଖରାକୁ ବାରଣ କରାଯାଇଛି ।
ଅନ୍ୟପଟେ ଆସନ୍ତାକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝଡବର୍ଷା ସମ୍ଭାବନା ରହିଛି । କିଛି ଜିଲ୍ଲାରେ 7 ରୁ 11 ସେଣ୍ଟିମିଟର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ପଶ୍ଚିମା ଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ଫଳରେ ୭, ୮ ଓ ୯ ତାରିଖରେ କାଳବୈଶାଖୀ ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ପବନର ବେଗ ମଧ୍ୟ 40 ରୁ 50 ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ।
ଆରମ୍ଭ ହେବାକୁ ଯାଉଛି ଆଉ ଏକ ଯୁଦ୍ଧ, ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ !
ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନୁହେଁ, ଏହା ଦ୍ୱାରା ଅନେକ ଦେଶ ମଧ୍ୟ ଶିକାର ହେବାକୁ ଯାଉଛନ୍ତି | ବିଶେଷ କରି ମଧ୍ୟ ପୂର୍ବ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଏକ ବଡ଼ ଯୁଦ୍ଧର ସମ୍ଭାବନା ଅଛି | ନିକଟରେ ଏକ ଗୁପ୍ତଚର ରିପୋର୍ଟ ଅନୁସାରେ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ଇସ୍ରାଏଲକୁ ଚେତାବନୀ ଦେଇଛି ଯେ ଇରାନ ଶୀଘ୍ର ଏହା ଉପରେ ଏକ ବଡ଼ ଆକ୍ରମଣ କରିପାରେ। ବର୍ତ୍ତମାନ ଆମେରିକୀୟ ଏଜେନ୍ସି ପୁଣିଥରେ ଇରାନକୁ ଚେତାବନୀ ଦେଇଛି। ଆମେରିକାର ଗୁପ୍ତଚର ଏଜେନ୍ସିମାନେ ପୁନର୍ବାର ସୂଚାଇଛନ୍ତି ଯେ ଇରାନ ଆସନ୍ତା ସପ୍ତାହରେ ଇସ୍ରାଏଲ ଉପରେ ଆକ୍ରମଣ କରିବ। ଏହି ଆକ୍ରମଣ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା କରାଯାଇପାରେ। ଏଜେନ୍ସିମାନେ ବିଶ୍ୱାସ କରନ୍ତି ଯେ ଇରାନ ଆସନ୍ତା ସପ୍ତାହରେ ଡ୍ରୋନ୍ କିମ୍ବା କ୍ରୁଜ୍ କ୍ଷେପଣାସ୍ତ୍ର ସହିତ ସେହି ଦେଶ ବାହାରେ ଇସ୍ରାଏଲ୍ କିମ୍ବା ଇସ୍ରାଏଲ୍ ଟାର୍ଗେଟ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ସିଆଇଏ ଆହୁରି ମଧ୍ୟ କହିଛି ଯେ ଇରାନ ମଧ୍ୟ ପୂର୍ବ କିମ୍ବା ଅନ୍ୟ ଅଞ୍ଚଳରେ ଇସ୍ରାଏଲର ଦୂତାବାସ କିମ୍ବା କନସୁଲେଟକୁ ଟାର୍ଗେଟ କରିପାରେ। ଆମେରିକାର ଚେତାବନୀ ପରେ ଇସ୍ରାଏଲ ଆଲର୍ଟ ମୋଡକୁ ଆସିଛି। ଛୁଟି ଦିଆଯାଇଥିବା ସୈନ୍ୟମାନଙ୍କୁ ସେମାନଙ୍କ ଛୁଟି ବାତିଲ କରିବା ପରେ ପୁନର୍ବାର ଡକାଯାଇଛି। ଏହାସହ ସାରା ବିଶ୍ୱରେ ଇସ୍ରାଏଲ୍ ଦୂତାବାସ ଅଧିକାରୀଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛି।
ମାର୍ଚ୍ଚ ୪ ତାରିଖ ଗୁରୁବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ବାର୍ତ୍ତାଳାପରେ ଇରାନ ଆକ୍ରମଣ ବିଷୟରେ ବିଶେଷ ଆଲୋଚନା ହୋଇଥିଲା। ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ ଇରାନ କେବେ ଓ କିପରି ଆକ୍ରମଣ କରିବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିମ୍ବା କୌଣସି ନିର୍ଦ୍ଦିଷ୍ଟ ତାରିଖ ଜଣା ନାହିଁ | ସିଆଇଏ ରିପୋର୍ଟ ଅନୁଯାୟୀ ଆସନ୍ତା କିଛି ଦିନ ମଧ୍ୟରେ ଇରାନରୁ ଆକ୍ରମଣ ହୋଇପାରେ। ସିରିଆରେ ଇରାନ ସମର୍ଥିତ ଟାର୍ଗେଟ ଉପରେ ଇସ୍ରାଏଲ ଅନେକ ଆକ୍ରମଣ କରିଛି। ଲିବାନୋନରେ ଏକ ଶକ୍ତିଶାଳୀ ଇରାନର ପ୍ରକ୍ସି ହିଜବୁଲ୍ଲାକୁ ଅସ୍ତ୍ରଶସ୍ତ୍ର ପଠାଇବା ପ୍ରାୟତ ଟାର୍ଗେଟ କରାଯାଏ |
ଦେଶର ଭବିଷ୍ଯତ ଭୋଟ ପ୍ରତି ହେଉଛନ୍ତି ବିମୁଖ
ନୂଆଦିଲ୍ଲୀ : ଦେଶରେ ଗଣତନ୍ତ୍ରକୁ ସୁଦୃଢ କରିବା ଲାଗି ସବୁ ସ୍ତରରେ ହେଉଛି ଯୋଜନା। କରାଯାଉଛି ନାନା ପ୍ରକାର ସଚେତନତା, ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବବୃହତ ନିର୍ବାଚନ ପ୍ରକ୍ରିୟା ଲାଗି ଖର୍ଚ୍ଚ ହେଉଛି ଶହ ଶହ କୋଟି। ହେଲେ ଆପଣ ଆଶ୍ଚର୍ଯ୍ଯ ହେବେ ଯେ- ଯେଉଁମାନେ ଦେଶର ଭବିଷ୍ଯତ ସେମାନେ ଭୋଟ ପ୍ରତି ହେଉଛନ୍ତି ବିମୁଖ। ଯେଉଁମାନେ ୧୮ ବା ୧୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ସେମାନେ ଭୋଟ ପ୍ରକ୍ରିୟା ପ୍ରତି କମ୍ ଆଗ୍ରହ ପ୍ରକାଶ କରୁଛନ୍ତି। ସାରା ଦେଶରେ ସେମାନଙ୍କ ମଧ୍ଯରୁ ୪୦ ପ୍ରତିଶତରୁ କମ୍ ପିଲା ଭୋଟ ଦେବାକୁ ପଞ୍ଜିକୃତ ହୋଇଛନ୍ତି। ବିଶେଷ କରି ବିହାର, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ସେମାନେ କମ ପଞ୍ଜିକରଣ କରିଥିବା ଦେଖାଯାଇଛି। ଦେଶରେ ୧ କୋଟି ୮୦ ଲକ୍ଷରୁ ଅଧିକ ୧୮ରୁ ୧୯ ବର୍ଷ ବୟସର ଯୁବକଯୁବତୀଙ୍କ ନାମ ଭୋଟର ତାଲିକାରେ ସ୍ଥାନ ପାଇଛି। ଏହି ବୟସ ବର୍ଗଙ୍କ ସଂଖ୍ୟା ପ୍ରାୟ ୪ କୋଟି ୯୦ ଲକ୍ଷ। ଅର୍ଥାତ ମାତ୍ର ୩୮ ପ୍ରତିଶତ ଯୁବକଯୁବତୀ ପ୍ରଥମ ଥର ଲାଗି ଭୋଟ ଦେବାକୁ ଯାଉଛନ୍ତି। ଅଧିକାଂଶ ଭାରତୀୟଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ଲାଗି ନିର୍ବାଚନ କମିଶନ, ରାଜନୈତିକ ଦଳ ଓ ନାଗରିକ ସମାଜ ପକ୍ଷରୁ ଆହ୍ବାନ ଦିଆଯାଉଥିବା ସତ୍ତ୍ବେ ଏହା ବିଫଳ ହେଉଥିବା ପରିଲକ୍ଷିତ ହେଉଛି।
ତାମିଲନାଡୁରେ ଏହି ବୟସ ଗୋଷ୍ଠୀର ସଂଖ୍ୟା ୧୨ ଲକ୍ଷ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୬. ୭ ପ୍ରତିଶତ ଅର୍ଥାତ ଦୁଇ ତୃତୀୟାଂଶ ଭୋଟର ତାଲିକାରେ ପଞ୍ଜିକୃତ ହୋଇଛନ୍ତି। ଜାମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ସେମାନଙ୍କ ସଂଖ୍ଯା ୬୦ ପ୍ରତିଶତ। ବିହାରରେ ୧୮ରୁ ୧୯ ବର୍ଷର ଯୁବକଯୁବତୀଙ୍କ ସଂଖ୍ୟା ୫୪ ଲକ୍ଷ ଥିବାବେଳେ ପଞ୍ଜିକୃତ ହୋଇଛନ୍ତି ମାତ୍ର ୯ ଲକ୍ଷ ୩୦ ହଜାର ଅର୍ଥାତ ୧୭ ପ୍ରତିଶତ। ଦିଲ୍ଲୀରେ ସେମାନଙ୍କ ସଂଖ୍ୟା ୭ ଲକ୍ଷ ୨୦ ହଜାର ହୋଇଥିବାବେଳେ ପଞ୍ଜିକୃତ ହୋଇଛନ୍ତି ମାତ୍ର ଦେଢ ଲକ୍ଷ।
ବିଦେଶ ମାଟିରେ କାହାକୁ ହତ୍ୟା କରିବା ଭାରତର ନୀତି ନୁହେଁ : ବୈଦେଶିକ ମନ୍ତ୍ରାଳୟ
ନନ୍ଦଘୋଷ ବ୍ୟୁରୋ : ଆତଙ୍କବାଦୀଙ୍କୁ ହଟାଇବା ଲାଗି ପାକିସ୍ତାନ ମାଟିରେ ଭାରତ ପକ୍ଷରୁ ବ୍ୟକ୍ତିବିଶେଷଙ୍କୁ ହତ୍ଯା କରାଯାଉଛି । ବ୍ରିଟେନ ଗଣମାଧ୍ୟମରେ ପ୍ରକାଶିତ ଏହି ଖବର ପରେ ବଢିଛି ରାଜନୈତିକ ଉଷ୍ମତା । ଦି ଗାର୍ଡିଆନରେ ପ୍ରକାଶିତ ଏହି ଖବରକୁ ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ବିଦେଶ ମାଟିରେ କାହାକୁ ହତ୍ୟା କରିବା ଭାରତର ନୀତି ନୁହେଁ ବୋଲି ମନ୍ତ୍ରାଳୟ କହିଛି । ଭାରତ ବିରୋଧୀ ଲୋକଙ୍କୁ ଟାର୍ଗେଟ କରିବା ସମ୍ପର୍କରେ କେନ୍ଦ୍ର ସରକାର ଏକ ଯୋଜନା କରିଛନ୍ତି ବୋଲି ଗାର୍ଡିଆନ ଯେଉଁ ଅଭିଯୋଗ କରିଛି ତାହାକୁ ଖଣ୍ଡନ କରାଯାଇଛି । ୨୦୧୯ ପୁଲଓ୍ବାମା ଆକ୍ରମଣ ପରଠାରୁ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିଟିକାଲ ଓ୍ବିଙ୍ଗ ବା ର ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ 20 ଲୋକଙ୍କୁ ହତ୍ଯା କରାଯାଇଛି ବୋଲି ଅଭିଯୋଗ କରାଯାଇଛି ।
ଏପରିକି ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ ଓ ରୁଷର କେଜିବି ଠାରୁ ପ୍ରେରଣା ଲାଭ କରି ଭାରତ ହତ୍ୟାକାଣ୍ଡ ଚଳାଇଛି ଏବଂ ୨୦୧୮ରେ ସାଉଦି ସାମ୍ବାଦିକ ଜମାଲ ଖାସୋଗୀଙ୍କ ହତ୍ୟା ଏହାର ଏକ ଉଦାହରଣ ବୋଲି ରିପୋର୍ଟରେ କୁହାଯାଇଛି । ପୂର୍ବରୁ ବି ବିଦେଶ ମାଟିରେ ଭାରତର ହତ୍ଯାକାଣ୍ଡ ନେଇ ଅଭିଯୋଗ କରିଥିଲେ କାନାଡା ଓ ଆମେରିକା । ଗତବର୍ଷ ସେପ୍ଟେମ୍ବରରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଅଭିଯୋଗ କରିଥିଲେ- ଖଲିସ୍ତାନୀ ନେତା ହରଦୀପ ସିଂ ନିଜାର ହତ୍ଯା ପଛରେ ଭାରତର ହାତ ରହିଛି ।
କେଜରିୱାଲଙ୍କୁ ଗିରଫ ଯୋଜନା କରିଥିଲା ବିଜେପି : ସଞ୍ଜୟ ସିଂ
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିବା ଲାଗି ବିଜେପି ଯୋଜନା କରିଥିଲା ବୋଲି ଆପ୍ ନେତା ସଞ୍ଜୟ ସିଂ କରିଛନ୍ତି ଗୁରୁତର ଅଭିଯୋଗ। ଏପରିକି ମିଥ୍ଯା ବୟାନ ଦେବା ଲାଗି ଏମପି ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ରାଘବ ମାଗୁନ୍ତାଙ୍କ ଉପରେ ବିଜେପି ଚାପ ପକାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ ଜେଲରେ ସପ୍ତାହକୁ ୫ ଥର ବୈଠକ କରିବା ଲାଗି ଆବେଦନ ପ୍ରସଙ୍ଗ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଏହି ଆବେଦନକୁ ବିଚାର କରୁଛନ୍ତି ଦିଲ୍ଲୀ ରାଉସ ଆଭେନ୍ଯୁ କୋର୍ଟ । ବର୍ତ୍ତମାନ ସପ୍ତାହକୁ ଦୁଇ ଥର ବୈଠକ ଲାଗି ଅନୁମତି ମିଳିଛି । ତେବେ ଏହି ସଂଖ୍ଯା ୫କୁ ବଢାଇବା ଲାଗି କେଜରିଓ୍ବାଲ ଆବେଦନ କରିଛନ୍ତି । ନିଜ ଆବେଦନରେ ସେ କହିଛନ୍ତି- ତାଙ୍କ ନାମରେ ବିଭିନ୍ନ ରାଜ୍ୟରେ ମାମଲା ରହିଛି । ତେଣୁ ଆଇନଗତ ପ୍ରକ୍ରିୟା ଲାଗି ତାଙ୍କୁ ଅଧିକ ସମୟ ଆବଶ୍ୟକତା ରହିଛି । କେଜରିଓ୍ବାଲଙ୍କ ଏହି ଆବେଦନ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କଠାରୁ ମତାମତ ଜାଣିବାକୁ ଚାହିଁଛନ୍ତି କୋର୍ଟ ।
ପୂର୍ବରୁ କେଜରିଓ୍ବାଲଙ୍କୁ ମୁଲାକାତ ଜଙ୍ଗଲାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସାଧାରଣ ଦର୍ଶକଙ୍କ ପରି ଭେଟି ପାରିବେ ବୋଲି କହିଥିଲେ ତିହାର ଜେଲ୍ କର୍ତ୍ତୃପକ୍ଷ । ଜେଲରେ ମୁଲାକାତ ଜଙ୍ଗଲା ହେଉଛି ଏପରି ଏକ ସ୍ଥାନ ଯେଉଁଠି ତାରଜାଲି ଘେରା ପ୍ରକୋଷ୍ଠରେ ବସି ଜଣେ ବିଚାରାଧୀନ ବନ୍ଦୀ ଅନ୍ୟମାନଙ୍କୁ ସାକ୍ଷାତ କରିପାରିବେ । ମାନଙ୍କୁ ଜେଡ ପ୍ଲସ ସୁରକ୍ଷା ଦିଆଯାଇଥିବାରୁ କେଜରିଓ୍ବାଲଙ୍କ ସହ ସାକ୍ଷାତ ବେଳେ ତାଙ୍କ ଲାଗି ଅଲଗା ନିରାପତ୍ତା ବ୍ୟବସ୍ଥା କରାଯାଇଥାଏ ।

