କେଜରିୱାଲଙ୍କୁ ଗିରଫ ଯୋଜନା କରିଥିଲା ବିଜେପି : ସଞ୍ଜୟ ସିଂ

1 min read

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିବା ଲାଗି ବିଜେପି ଯୋଜନା କରିଥିଲା ବୋଲି ଆପ୍ ନେତା ସଞ୍ଜୟ ସିଂ କରିଛନ୍ତି ଗୁରୁତର ଅଭିଯୋଗ। ଏପରିକି ମିଥ୍ଯା ବୟାନ ଦେବା ଲାଗି ଏମପି ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ରାଘବ ମାଗୁନ୍ତାଙ୍କ ଉପରେ ବିଜେପି ଚାପ ପକାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ ଜେଲରେ ସପ୍ତାହକୁ ୫ ଥର ବୈଠକ କରିବା ଲାଗି ଆବେଦନ ପ୍ରସଙ୍ଗ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଏହି ଆବେଦନକୁ ବିଚାର କରୁଛନ୍ତି ଦିଲ୍ଲୀ ରାଉସ ଆଭେନ୍ଯୁ କୋର୍ଟ । ବର୍ତ୍ତମାନ ସପ୍ତାହକୁ ଦୁଇ ଥର ବୈଠକ ଲାଗି ଅନୁମତି ମିଳିଛି । ତେବେ ଏହି ସଂଖ୍ଯା ୫କୁ ବଢାଇବା ଲାଗି କେଜରିଓ୍ବାଲ ଆବେଦନ କରିଛନ୍ତି । ନିଜ ଆବେଦନରେ ସେ କହିଛନ୍ତି- ତାଙ୍କ ନାମରେ ବିଭିନ୍ନ ରାଜ୍ୟରେ ମାମଲା ରହିଛି । ତେଣୁ ଆଇନଗତ ପ୍ରକ୍ରିୟା ଲାଗି ତାଙ୍କୁ ଅଧିକ ସମୟ ଆବଶ୍ୟକତା ରହିଛି । କେଜରିଓ୍ବାଲଙ୍କ ଏହି ଆବେଦନ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କଠାରୁ ମତାମତ ଜାଣିବାକୁ ଚାହିଁଛନ୍ତି କୋର୍ଟ ।

ପୂର୍ବରୁ କେଜରିଓ୍ବାଲଙ୍କୁ ମୁଲାକାତ ଜଙ୍ଗଲାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସାଧାରଣ ଦର୍ଶକଙ୍କ ପରି ଭେଟି ପାରିବେ ବୋଲି କହିଥିଲେ ତିହାର ଜେଲ୍ କର୍ତ୍ତୃପକ୍ଷ । ଜେଲରେ ମୁଲାକାତ ଜଙ୍ଗଲା ହେଉଛି ଏପରି ଏକ ସ୍ଥାନ ଯେଉଁଠି ତାରଜାଲି ଘେରା ପ୍ରକୋଷ୍ଠରେ ବସି ଜଣେ ବିଚାରାଧୀନ ବନ୍ଦୀ ଅନ୍ୟମାନଙ୍କୁ ସାକ୍ଷାତ କରିପାରିବେ । ମାନଙ୍କୁ ଜେଡ ପ୍ଲସ ସୁରକ୍ଷା ଦିଆଯାଇଥିବାରୁ କେଜରିଓ୍ବାଲଙ୍କ ସହ ସାକ୍ଷାତ ବେଳେ ତାଙ୍କ ଲାଗି ଅଲଗା ନିରାପତ୍ତା ବ୍ୟବସ୍ଥା କରାଯାଇଥାଏ ।