ବିଦେଶ ମାଟିରେ କାହାକୁ ହତ୍ୟା କରିବା ଭାରତର ନୀତି ନୁହେଁ : ବୈଦେଶିକ ମନ୍ତ୍ରାଳୟ

1 min read

ନନ୍ଦଘୋଷ ବ୍ୟୁରୋ : ଆତଙ୍କବାଦୀଙ୍କୁ ହଟାଇବା ଲାଗି ପାକିସ୍ତାନ ମାଟିରେ ଭାରତ ପକ୍ଷରୁ ବ୍ୟକ୍ତିବିଶେଷଙ୍କୁ ହତ୍ଯା କରାଯାଉଛି । ବ୍ରିଟେନ ଗଣମାଧ୍ୟମରେ ପ୍ରକାଶିତ ଏହି ଖବର ପରେ ବଢିଛି ରାଜନୈତିକ ଉଷ୍ମତା । ଦି ଗାର୍ଡିଆନରେ ପ୍ରକାଶିତ ଏହି ଖବରକୁ ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ବିଦେଶ ମାଟିରେ କାହାକୁ ହତ୍ୟା କରିବା ଭାରତର ନୀତି ନୁହେଁ ବୋଲି ମନ୍ତ୍ରାଳୟ କହିଛି । ଭାରତ ବିରୋଧୀ ଲୋକଙ୍କୁ ଟାର୍ଗେଟ କରିବା ସମ୍ପର୍କରେ କେନ୍ଦ୍ର ସରକାର ଏକ ଯୋଜନା କରିଛନ୍ତି ବୋଲି ଗାର୍ଡିଆନ ଯେଉଁ ଅଭିଯୋଗ କରିଛି ତାହାକୁ ଖଣ୍ଡନ କରାଯାଇଛି । ୨୦୧୯  ପୁଲଓ୍ବାମା ଆକ୍ରମଣ ପରଠାରୁ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିଟିକାଲ ଓ୍ବିଙ୍ଗ ବା ର ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ 20 ଲୋକଙ୍କୁ ହତ୍ଯା କରାଯାଇଛି ବୋଲି ଅଭିଯୋଗ କରାଯାଇଛି ।

ଏପରିକି ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ ଓ ରୁଷର କେଜିବି ଠାରୁ ପ୍ରେରଣା ଲାଭ କରି ଭାରତ ହତ୍ୟାକାଣ୍ଡ ଚଳାଇଛି ଏବଂ ୨୦୧୮ରେ ସାଉଦି ସାମ୍ବାଦିକ ଜମାଲ ଖାସୋଗୀଙ୍କ ହତ୍ୟା ଏହାର ଏକ ଉଦାହରଣ ବୋଲି ରିପୋର୍ଟରେ କୁହାଯାଇଛି । ପୂର୍ବରୁ ବି ବିଦେଶ ମାଟିରେ ଭାରତର ହତ୍ଯାକାଣ୍ଡ ନେଇ ଅଭିଯୋଗ କରିଥିଲେ କାନାଡା ଓ ଆମେରିକା । ଗତବର୍ଷ ସେପ୍ଟେମ୍ବରରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଅଭିଯୋଗ କରିଥିଲେ- ଖଲିସ୍ତାନୀ ନେତା ହରଦୀପ ସିଂ ନିଜାର ହତ୍ଯା ପଛରେ ଭାରତର ହାତ ରହିଛି ।