spot_img
Home Blog Page 1933

ଗୋଟେ ଦିନ ବଢ଼ିଲା ସକାଳୁଆ ସ୍କୁଲ, ୨୨ରୁ ସ୍ବାଭାବିକ ପାଠପଢ଼ା

ଭୁବନେଶ୍ବର: ରାଜ୍ୟରେ ଜାରି ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ଖରାକୁ ନଜରରେ ରଖି ଆଉ ଦିନେ ବଢ଼ିଲା ସକାଳୁଆ ସ୍କୁଲ ଅବଧି । ଆସନ୍ତାକାଲି ପର୍ଯ୍ୟନ୍ତ ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ହେବ ପାଠପଢ଼ା । ୨୨ ତାରିଖରୁ ସ୍ବାଭାବିକ ଭାବେ ଚାଲିବ ସ୍କୁଲ । ଏନେଇ ସୂଚନା ଦେଇଛି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ।

ପାଣିପାଗ ଦେଖି ସକାଳୁଆ ସ୍କୁଲ ଓ ଆବଶ୍ୟକ ପଡିଲେ ସ୍କୁଲ ବନ୍ଦ କରିବାକୁ ଜିଲ୍ଲାପାଳମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ଗତ ମଙ୍ଗଳବାରଠୁ ରାଜ୍ୟର କିଛି ଜିଲ୍ଲାରେ ସ୍କୁଲ ଖୋଲିଛି । ତେବେ କିଛି ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହୋଇଥିବାରୁ ସ୍କୁଲ ଖୋଲିନାହିଁ । ଚଳିତବର୍ଷ ଧାର୍ଯ୍ୟ ସମୟ ପୂର୍ବରୁ ସ୍କୁଲ ଛୁଟି ଘୋଷଣା ହୋଇଥିଲା । ପ୍ରବଳ ତାତି ଅନୁଭୂତ ହେବାରୁ ପୂର୍ବରୁ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର ।

ତେଜିଲା ନିଟ୍ ରାଜନୀତି; ବିହାର ଉପ ମୁଖ୍ୟମନ୍ତ୍ରୀଙ୍କ ଦାବି, ପେପର ଲିକ୍ ପଛରେ ତେଜସ୍ବୀ ଯାଦବଙ୍କ ବ୍ୟକ୍ତିଗତ ସଚିବଙ୍କ ଲିଙ୍କ

ପାଟନା: ନିଟ୍ ପରୀକ୍ଷା ପେରର ଲିକ୍ ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ପଦାକୁ ଆସୁଛି । ଏହାସହ ପ୍ରତିଦିନ କିଛି ନା କିଛି ନୂଆ ଅଭିଯୋଗ ମଧ୍ୟ ଆସୁଛି । ଏହି ମାମଲା ଏବେ କୋର୍ଟରେ ଥିବା ବେଳେ ଯାଞ୍ଚ ପ୍ରକ୍ରିୟାର ପରିସର ମଧ୍ୟ ବଢ଼ିବାରେ ଲାଗିଛି । ଏବେ ଏହି ମାମଲାରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ପାଟନାର ଜଣେ ଛାତ୍ର ପେପର୍ ଲିକ୍ ସ୍ବୀକାର କରିବା ପରେ ଏହା ରାଜନୈତିକ ରଙ୍ଗ ନେବା ଆରମ୍ଭ କରିଦେଇଛି । ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଏହି ଘଟଣାକୁ ନେଇ ଲାଲୁ ଯାଦବଙ୍କ ପରିବାର ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ପେପର ଲିକର ଲିଙ୍କ୍ ତେଜସ୍ବୀ ଯାଦବଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ରହିଥିବା ବିଜୟ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, ନିଟ୍ ପେପର ଲିକ୍ ଅଭିଯୁକ୍ତ ସିକନ୍ଦର ୟାଦୁବେନ୍ଦ୍ର ପାଇଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବ୍ୟକ୍ତିଗତ ସଚିବ ପ୍ରୀତମ କୁମାର ଯାଦବଙ୍କ ନିର୍ଦ୍ଦେଶରେ ଗେଷ୍ଟ ହାଉସ୍ ବୁକ୍ କରାଯାଇଥିଲା । ପ୍ରୀତମ କୁମାର ଗେଷ୍ଟ ହାଉସ୍ ବୁକ କରିବାକୁ ପ୍ରଥମେ ମେ’ ୧ ତାରିଖ ୯ଟା ୭ ମିନିଟରେ କଲ୍ କରିଥିଲେ । ଏହାପରେ ୪ ମେ’କୁ ଦ୍ବିତୀୟ ଥର ଫୋନ କରିଥିଲେ ।

ସେ ଆଗକୁ କହିଛନ୍ତି, ପ୍ରୀତମ କୁମାର ସିକନ୍ଦର ପାଇଁ ଗେଷ୍ଟ ହାଉସ୍ ବୁକ କରିବାକୁ ଚାପ ପକାଇଥିଲେ । ଜଣେ ଅଧିକାରୀ ସ୍ବୀକାର କରିଛନ୍ତି ଗେଷ୍ଟ ହାଉସ ବୁକ କରିବାକୁ ପ୍ରୀତମ ଚାପ ପକାଇଥିଲେ । ପ୍ରଥେମ ତାଙ୍କ ଫୋନକୁ ଗୁରୁତ୍ବର ସହ ନିଆଯାଇନଥିଲା । ହେଲେ ଦ୍ବିତୀୟ ଥର ଫୋନ କରି ସେ ଗେଷ୍ଟ ହାଉସ୍ ବୁକ୍ କରାଇଥିଲେ ।

ସାମ୍ବାଦିକ ସମ୍ମିଳନୀରେ ବିଜୟ ଏହି ଅଭିଯୋଗ ଆଣିବା ସହ ସେହିଠାରେ ହିଁ ପିଡବ୍ଲୁଡିର ତିନି ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଦେଇଛନ୍ତି । ଏହି ଗେଷ୍ଟ ହାଉସଟି ପିଡବ୍ଲୁଡି ଅଧୀନରେ ଆସୁଛି । ବିନା ଆବଣ୍ଟନରେ ଏହି ଅଧିକାରୀମାନେ ସିକନ୍ଦରଙ୍କୁ ଗେଷ୍ଟ ହାଉସରେ ରହିବାକୁ ଅନୁମତି ଦେଇଥିଲେ । ଏହାସହ ପ୍ରାୟ ଗୋଟେ ସପ୍ତାହ ହେବ ନିଟ୍ ପେପର ଲିକ୍ ମାମଲା ଚର୍ଚ୍ଚାରେ ଥିବା ବେଳେ ଏମାନେ ଚୁପ ରହିଥିଲେ ।

ଆଗକୁ ବିଜୟ ସିହ୍ନା କହିଛନ୍ତି, ଗତ ଏକ ବର୍ଷ ମଧ୍ୟରେ ସବୁ ଗେଷ୍ଟରେ କିଏ କିଏ ରହିଥିଲେ ତାହାର ତଥ୍ୟ ମଗା ଯାଇଛି । ଯଦି ତେଜସ୍ବୀଙ୍କ ବ୍ୟକ୍ତିଗତ ସଚିବ ପ୍ରୀତମ ଚାପ ପକାଇ ଏଠାରେ ଲୋକଙ୍କୁ ରହିବାର ବ୍ୟବସ୍ଥା କରିଥିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଧାନର ସର୍ବନିମ୍ନ ସହାୟତା ମୂଲ୍ଯ ୧୧୭ ଟଙ୍କା ବୃଦ୍ଧିକୁ ବିରୋଧୀଙ୍କ ପ୍ରତିବାଦ

ଭୁବନେଶ୍ୱର: ଏମଏସପିକୁ ନେଇ ମୁହାଁମୁହିଁ। ଗତକାଲି ଧାନର ସର୍ବନିମ୍ନ ସହାୟତା ମୂଲ୍ଯ ୧୧୭ ଟଙ୍କା ବୃଦ୍ଧିକୁ ନେଇ ବିରୋଧୀ ପ୍ରତିବାଦ କରିଛନ୍ତି । ନିର୍ବାଚନବେଳେ ପ୍ରଧାନମନ୍ତ୍ରୀ ଓଡିଶାରେ କହିଥିଲେ ଧାନର ସର୍ବନିମ୍ନ ମୂଲ୍ୟ ୩୧ଶହ କରିବେ । ଏବେ ତାହା ହେଲା କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ମାତ୍ର ୧୧୭ ଟଙ୍କା ବଢିବାକୁ ନେଇ ଦେଶ ଓ ରାଜ୍ୟର ଚାଷୀ ଖୁସି ନାହାଁନ୍ତି । ତେଣୁ ସ୍ୱାମୀନାଥନ କମିଟିର ସୁପାରିସ କ୍ରମେ ଚାଷୀଙ୍କ ଖର୍ଚ୍ଚକୁ ଆଖି ଆଗରେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଉ ବୋଲି ବିଜେଡି ଦାବି କରିଛି ।

ସେହିପରି ସେହି ସମାନ ପ୍ରଶ୍ନ କରିଛି କଂଗ୍ରେସ । କାହିଁକି ସ୍ବାମୀନାଥନ କମିଟି ସୁପାରିସ ଅନୁସାରେ ଧାନର ଏମଏସପି ବୃଦ୍ଧି କରାଯାଉନାହିଁ ? ଇସ୍ତାହାରରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଆସି ଏଠାରେ କହିଥିଲେ ଯେ, ଏମଏସପି ୩୧ଶହ ଟଙ୍କା ହେବ କିନ୍ତୁ କାହିଁକି ପ୍ରତିଶୃତି ପାଳନ କଲେ ନାହିଁ ? ସରକାର ଶୀଘ୍ର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ଅନ୍ଯପଟେ ଏହାର ଜବାବରେ ବିଜେପି କହିଛି, ୧୫ ଦିନ ହେବ ନୂଆ ସରକାର ଆସିଛି। ଲୋକ ଯାହା ଚାହିଁବେ ତାହା ହେବ, ଅପେକ୍ଷା କରନ୍ତୁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଧାନର ସର୍ବନିମ୍ନ ମୂଲ୍ୟ ୩୧ଶହ ଟଙ୍କା ହେବ, ତାହା ନିଶ୍ଚୟ ହେବ ।

ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ନେଇ ଛୁ ମାରିଲେ ପୋଷ୍ଟ ମାଷ୍ଟର

ରାଜନଗର: ଟଙ୍କା ନେଇ ଛୁ ମାରିଲେ ପୋଷ୍ଟ ମାଷ୍ଟର। ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ନେଇ ଫେରାର୍। ରାଜନଗର କୃଷ୍ଣନଗର ପୋଷ୍ଟ ଅଫିସରେ ହିତାଧିକାରୀଙ୍କ ଜମା ଖାତାରୁ ପୋଷ୍ଟ ମାଷ୍ଟର ଟଙ୍କା ଉଠାଇ ଫେରାର ହୋଇଯାଇଛନ୍ତି। ଶତାଧିକ ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ। ଘଟଣାସ୍ଥଳରେ ତହସିଲଦାରଙ୍କ ସମେତ ପୋଷ୍ଟ ମାଷ୍ଟର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି କରିଛନ୍ତି।

ପୋଷ୍ଟ ମାଷ୍ଟର ଦୀପଙ୍କର ଦାସ ଗତ ୧୧ ଦିନ ହେବ ଅଫିସରେ ଅନୁପସ୍ଥିତ ଥିଲେ। ଏନେଇ ହିତାଧିକାରୀଙ୍କ ମନରେ ଟିକେ ସନ୍ଦେହ ଉପୁଜିଥିଲା। ହିତାଧିକାରୀ ମାନେ ପୋଷ୍ଟ ଅଫିସରେ ଜମା ଖାତା ଚେକ କରିବାରୁ ସେଥିରୁ ଟଙ୍କା ଉଠିଥିବା ଜାଣିବାକୁ ପାଇଥିଲେ। ଜଣେ କି ଦୁଇ ଜଣ ନୁହେଁ ଶତାଧିକ ହିତାଧିକାରୀଙ୍କ ଜମା ଖାତାରୁ ଟଙ୍କା ଗାୟବ ହୋଇଥିଲା।

ବିହାର ସରକାରଙ୍କୁ ବଡ ଝଟକା, ବର୍ଦ୍ଧିତ ସଂରକ୍ଷଣ କୋଟା ରଦ୍ଦ କଲେ ପାଟନା କୋର୍ଟ

ପାଟନା: ନୀତିଶ ସରକାରଙ୍କୁ ବଡ ଝଟକା । ସରକାରୀ ଚାକିରୀରେ ୬୫ ପ୍ରତିଶତ ସଂରକ୍ଷଣ ପ୍ରଦାନ ପାଇଁ ବିହାର ସରକାରଙ୍କ ଆଇନକୁ ରଦ୍ଦ କଲେ ପାଟଣା କୋଟ । ଜାତିଗତ ଜନଗଣନା ପରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନିଆଯାଇଥିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ବାତିଲ କରିଦେଇଛନ୍ତି। ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେଭି ଚନ୍ଦ୍ରନଙ୍କ ବେଞ୍ଚ ଶୁଣାଣି କରି ରାଜ୍ୟ ସରକାରଙ୍କ ବର୍ଦ୍ଧିତ ସଂରକ୍ଷଣ କୋଟା ନିଷ୍ପତ୍ତିକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଜାତିଗତ ଜନଗଣନା ପରେ ରାଜ୍ୟରେ ସଂରକ୍ଷଣ ସୀମା ବୃଦ୍ଧି କରାଯାଇଥିଲା। ବିହାର ସରକାର ପଛୁଆ ବର୍ଗ, ଅତ୍ୟଧିକ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣକୁ ୫୦%ରୁ ୬୫%କୁ ବୃଦ୍ଧି କରିଥିଲେ। ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାରେ ପାଟନା ହାଇକୋର୍ଟ ଗୌରବ କୁମାର ଏବଂ ଅନ୍ୟମାନଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିଶନର ଶୁଣାଣି କରିଥିଲେ। ଶୁଣାଣି ପରେ ହାଇକୋର୍ଟ ଏହି ନିଷ୍ପତ୍ତି ୧୧ ମାର୍ଚ୍ଚ ୨୦୨୪ ପାଇଁ ସଂରକ୍ଷିତ ରଖିଥିଲେ। ଏହି ମାମଲା ଉପରେ ଆଜି କୋର୍ଟ ନିଜ ରାୟ ଶୁଣାଇଛନ୍ତି।

ପାଟନ ହାଇକୋର୍ଟଙ୍କ କହିବା ଅନୁଯାୟୀ ସଂରକ୍ଷଣ ସୀମା ପୂର୍ବରୁ ହିଁ ନିର୍ଦ୍ଧାରିତ, ଏହାକୁ ବର୍ଦ୍ଧିତ କରାଯାଇପାରିବ ନାହିଁ। ଏହି ପ୍ରସଙ୍ଗ ସାମ୍ବିଧାନିକ, ତେଣୁ ଏହି ମାମଲା ଆଗକୁ ଶୁଣାଣି ହେବ। ଶୁଣାଣି ପରେ ହିଁ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

 

ନାବାଳକର ନାରକୀୟ କାଣ୍ଡ: ଡବଲ୍ ନୁହେଁ ଟ୍ରିପଲ ମର୍ଡର କରିଛି ନାବାଳକ

ଭଦ୍ରକ: ଭଦ୍ରକରେ ଚାଞ୍ଚଲ୍ଯ। ନାବାଳକର ନାରକୀୟ କାଣ୍ଡ। ଡବଲ୍ ନୁହେଁ ଟ୍ରିପଲ ମର୍ଡର କରିଛି ନାବାଳକ। ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଇମଣି ଛକ ନିକଟରେ ଡବଲ ମର୍ଡର ଘଟଣା ନୂଆ ମୋଡ଼ ନେଇଛି। ଗତକାଲି ମାଆ ଓ ଝିଅଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରୁ ଜଣେ ନାବାଳକଙ୍କୁ ଅଟକ ରଖିଥିଲା ପୋଲିସ। ଆଜି ସେହି ସ୍ଥାନରୁ ଜଣେ ବୃଦ୍ଧାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧା ଅଭିଯୁକ୍ତ ନାବାଳକର ଆଈ ବୋଲି ଜଣାପଡ଼ିଛି । ନାବାଳକଟି ଦୁଇଦିନ ତଳେ ଆଈକୁ ହତ୍ଯା କରିଥିବା ସନ୍ଦେହ କରାଯାଉଛି । ଟ୍ରିପଲ ମର୍ଡର ଅଭିଯୋଗରେ ନାବାଳକଟିକୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପଚରାଉଚରା କରୁଛି ।

ସୂଚନାଯୋଗ୍ୟ, ଗତକାଲି ସକାଳୁ ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା ଓ ତାଙ୍କ ୬ ବର୍ଷର ଝିଅ ଡାକ୍ତରଖାନା ଯାଇଥିଲେ। ହେଲେ କିଛି ଘଣ୍ଟା ପରେ ସ୍ଥାନୀୟ ଲୋକେ ସୁକାନ୍ତି ମୁଣ୍ଡାଙ୍କ ମୃତଦେହ ଦେଖିଥିଲେ । ସେହି ସ୍ଥାନରେ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ । ତେବେ କିଛି ସମୟ ପରେ ଘଟଣାସ୍ଥଳରୁ ପ୍ରାୟ ଏକ କିଲୋମିଟର ଦୂରରୁ ମହିଳାଙ୍କ ଝିଅର ମୃତଦେହ ମଧ୍ଯ ଉଦ୍ଧାର ହୋଇଥିଲା । ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା ଝିଅର ମୃତଦେହ । ସ୍ଥାନୀୟ ଲୋକେ ନାବାଳକକୁ ଧରି ଗ୍ରାମାଞ୍ଚଳ ପୋଲିସକୁ ହସ୍ତାନ୍ତର କରିଥିଲେ। ମାଆକୁ ଦୁଷ୍କର୍ମ ପରେ ଝିଅକୁ ପଥରରେ ଛେଚି ନାବାଳକଟି ହତ୍ୟା କରିଥିବା ମୃତକଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି।

ଅନ୍ଯପଟେ ଆଜି ସକାଳୁ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଇଥିଲେ ଥାନାଧିକାରୀ । ଏହି ସମୟରେ ଏକ ବୁଦାରୁ ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ । ବୁଦା ମୂଳରୁ ଜଣେ ବୃଦ୍ଧାର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ଅଭିଯୁକ୍ତ ନାବାଳକର ଆଈ ସୁମତି ମୁଣ୍ଡା ବୋଲି ଜଣାପଡ଼ିଛି । ସୁମତିଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବାବେଳେ ଶାଢୀରେ ବେକକୁ ଗୁଡ଼ାଇ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇଦିନ ତଳେ ମୃତ ସୁମତିଙ୍କୁ ଦେଖିବାକୁ ପାଇଥିଲେ । ନାବାଳକଟି ତାଙ୍କୁ ହତ୍ଯା କରିଥିବା ଅଭିଯୋଗ ହୋଇଛି । ତେବେ କେଉଁ କାରଣରୁ ନାବାଳକଟି ତିନି ତିନି ଜଣଙ୍କୁ ହତ୍ଯା କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ମେଡିକାଲ ପ୍ରବେଶିକା ପରୀକ୍ଷା ପେପର ଲିକ୍ ପ୍ରସଙ୍ଗ: ପ୍ରଶ୍ନପତ୍ର ଲିକ୍ ହୋଇଥିବା ମାନିଲେ ୪ ଛାତ୍ର !

ନନ୍ଦିଘୋଷ ବ୍ୟୁରୋ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପେପର ଲିକ୍ ମାମଲାରେ ବଡ଼ ଖୁଲାସା। ଗୋଟିଏ ଦିନ ଆଗରୁ ପ୍ରଶ୍ନପତ୍ର ମିଳିଥିବା ସ୍ଵୀକାର କଲେ ୪ ଅଭିଯୁକ୍ତ ଛାତ୍ର। ବିହାରର ଅନୁରାଦ ଯାଦବ ନାମକ ଛାତ୍ର ଏହିକଥା ସ୍ଵୀକାର କରିଛନ୍ତି। ପରୀକ୍ଷା ପୂର୍ବଦିନ ମିଳିଥିଲା ନିଟ୍ ପ୍ରଶ୍ନପତ୍ର। ସାରା ରାତି ପିଲାମାନେ ପରୀକ୍ଷା ପ୍ରସ୍ତୁତି କରିଥିଲେ। ଅଭିଯୁକ୍ତ ଛାତ୍ରଙ୍କ ସମ୍ପର୍କୀୟ ଏହି ପ୍ରଶ୍ନପତ୍ର ଯୋଗାଡ଼଼ କରିଥିଲେ। ଅନୁରାଗ ରାଜସ୍ଥାନର କୋଟାରେ କୋଚିଂ ନେଉଥିଲେ। ତେବେ ଛାତ୍ରଙ୍କ ସମ୍ପର୍କୀୟ ତାଙ୍କୁ ଘରକୁ ଫେରି ଆସିବାକୁ କହିଥିଲେ। ୫ ଜୁନରେ ପରୀକ୍ଷା ଥିବାବେଳେ ୪ ତାରିଖ ଦିନ ରାତିରେ ଏହି ପ୍ରଶ୍ନପତ୍ର ମିଳିଥିଲା। ପ୍ରଶ୍ନପତ୍ର ସହ ଉତ୍ତର ପତ୍ର ମଧ୍ୟ ମିଳିଥିଲା। ଅନ୍ୟ ଏକ ସ୍ଥାନରେ ସେ ଅଭିଯୁକ୍ତ ଛାତ୍ର ଅନୁରାଗକୁ ନେଇ ଛାଡିଥିଲେ। ପରୀକ୍ଷାରେ ସମାନ ପ୍ରଶ୍ନପତ୍ର ପଡିଥିଲା ବୋଲି କହିଛନ୍ତି ଅନୁରାଗ ଯାଦବ। ଏହାପରେ ପରୀକ୍ଷା ସରିବା ପରେ ପୋଲିସ ଆସି ତାଙ୍କୁ ଧରିଥିଲା। ତଦନ୍ତ ବେଳେ ଏ ସମସ୍ତ କଥା ମାନିଛନ୍ତି ସମ୍ପୃକ୍ତ ଛାତ୍ର।

ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ମାମଲାରେ ବିହାର ପୋଲିସ ଆର୍ଥିକ ଅପରାଧ ଶାଖାକୁ ରିପୋର୍ଟ ମାଗିଛି। ନିଟ୍ ପେପର ଲିକ ଘଟଣାକୁ ନେଇ ଦେଶର ବିଭିନ୍ନ ସହରରେ ଆନ୍ଦୋଳନ ଜାରି ରହିଛି। ସୁପ୍ରିମକୋର୍ଟ ସମେତ ଦେଶର ଏକାଧିକ ହାଇକୋର୍ଟରେ ଏ ପ୍ରସଙ୍ଗରେ ମାମଲା ରୁଜୁ ହୋଇଛି। ଦେଶର ବିଭିନ୍ନ ହାଇକୋର୍ଟରେ ପ୍ରସଙ୍ଗକୁ ନେଇ ରୁଜୁ ହୋଇଥିବା ମାମଲାକୁ ସୁପ୍ରିମକୋର୍ଟରୁ ସ୍ଥାନାନ୍ତର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆସନ୍ତା ମେଡିକାଲ କାଉନସେଲିଂ ବନ୍ଦ ହେବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଜୁଲାଇ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ନିଟ ପରୀକ୍ଷାରେ ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଗତ ୧୪ ତାରିଖରେ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବାର ଥିଲା। ତେବେ ଉତ୍ତରପୁସ୍ତିକା ମୂଲ୍ୟାଙ୍କନ ଆଗରୁ ସରିଯାଇଥିବାରୁ ୪ ଜୁନରେ ରେଜଲ୍ଟ ପ୍ରକାଶ ପାଇଥିଲା। ନିଟ୍ ରେଜଲ୍ଟ ମାମଲାରେ ପୂର୍ବରୁ ସୁପ୍ରିମକୋର୍ଟ ନିକଟରେ ଉତ୍ତର ରଖି ୧୫୬୩ ଜଣ ପରୀକ୍ଷାର୍ଥୀଙ୍କ ଗ୍ରେସ ମାର୍କ ରଦ୍ଦ କରାଯାଇଥିବା କହିଛି ଏନଟିଏ। ସେମାନଙ୍କ ଲାଗି ଜୁନ ୨୩ରେ ହେବ ପୁନଃପରୀକ୍ଷା।

NEET Exam Paper Was Leaked: 4 Arrested Students Tell Bihar Police

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା: ପୁଣି ଦୁଇ ଅଭିଯୁକ୍ତ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା । ପୁଣି ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବାଲିଗୁଡ଼ା ପୋଲିସ୍ । ଘଟଣାରେ ସମ୍ପୃକ୍ତ ପାଞ୍ଚ ଜଣଙ୍କ ମଧ୍ୟରୁ ଏବେବି ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଉକ୍ତ ହତ୍ୟା ଘଟଣାରେ ଅଭିଯୁକ୍ତ ବାଲିଗୁଡ଼ାର ଶ୍ୟାମସୁନ୍ଦର ପାତ୍ର ଓ ବିଶ୍ୱନାଥ ପାତ୍ରଙ୍କୁ ଗିରଫ କରିଥିବା ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ଗୋପାଳ ଚନ୍ଦ୍ର ପାତ୍ର, ରାମଚନ୍ଦ୍ର ପାତ୍ର ଓ ଅନ୍ନଦା ପ୍ରସାଦ ଆଚାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ଓଡିଶା ଉଚ୍ଚ ନ୍ୟାୟାଳୟ ଅଭିଯୁକ୍ତ ଅନ୍ନଦା ପ୍ରସାଦ ଆଚାର୍ଯ୍ୟଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ଜଣାପଡ଼ିଛି । ଅନ୍ୟ ତିନି ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ତନାଘନା ଜାରି ରଖିଛି ।

ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ସୁରମା ପାଢୀ। ରଣପୁର ବିଧାୟିକା ସୁରମା ପାଢୀ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ସୁରମା ନାମାଙ୍କନ ଦାଖଲ କରିଥିଲେ। ତାଙ୍କୁ ସର୍ବସମ୍ମତିକ୍ରମେ ବାଚସ୍ପତି ଭାବେ ନିର୍ବାଚିତ କରିବାକୁ ଗୃହରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ପ୍ରସ୍ତାବ ଆଗତ କରିଥିଲେ । ପ୍ରସ୍ତାବକୁ ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମର୍ଥନ କରିଥିଲେ । ଏହାପରେ ସୁରମା ସର୍ବସମ୍ମତ ଓ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏନେଇ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାର ସ୍ବାଇଁ ଘୋଷଣା କରିବା ପରେ ଗୃହର ସଦସ୍ଯଙ୍କ ଉପସ୍ଥିତିରେ ଦାୟିତ୍ବ ଗ୍ରହଣ କରିବା ସହ ଆସନ ଅଳଙ୍କୃତ କରିଥିଲେ ସୁରମା । ଆସନ ଗ୍ରହଣ କରିବା ପରେ ବାଚସ୍ପତି ଗୃହ ପରିଚାଳନା କରିଥିଲେ ।
ଗୃହରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବାଚସ୍ପତି ସମସ୍ତଙ୍କୁ ଧନ୍ଯବାଦ ଦେବାସହ ନିରପେକ୍ଷତା ଅବଲମ୍ବନ କରି ସମସ୍ତଙ୍କ ସହଯୋଗରେ ଗୃହ ପରିଚାଳନା କରିବାକୁ ପ୍ରତିଶୃତି ଦେଇଛନ୍ତି।

ସୁରମା ହୋଇଛନ୍ତି ଓଡ଼ିଶା ବିଧାନସଭାର ଦ୍ବିତୀୟ ମହିଳା ବାଚସ୍ପତି । ପୂର୍ବରୁ ନବୀନ ସରକାରରେ ପ୍ରମିଳା ମଲ୍ଲିକ ପ୍ରଥମ ମହିଳା ବାଚସ୍ପତି ହୋଇଥିଲେ । ଜଣେ ଅଭିଜ୍ଞ ରାଜନେତା ହେଉଛନ୍ତି ସୁରମା ପାଢୀ । ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ସେ ଯୋଗଦେଇଥିଲେ । ୨୦୦୦ ମସିହାରେ ସେ ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଥିଲେ । ଏହାଛଡ଼ା ଦଳର ବିଭିନ୍ନ ପଦପଦବୀରେ କାମ କରିଛନ୍ତି । ୨୦୦୪ରେ ପ୍ରଥମ କରି ରଣପୁର ଆସନରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେପି- ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୯ ଓ ୨୦୧୪ରେ ରଣପୁରରୁ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ତେବେ ୨୦୨୪ରେ ରଣପୁରରୁ ଲଢି ବିଜେଡି ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ସୁରମା ।

ଡିପଥେରିଆ ନେଲା ଆଉ ଏକ ଜୀବନ

କୋରାପୁଟ: ଡିପଥେରିଆ ନେଲା ଆଉ ଏକ ଜୀବନ। କୋରାପୁଟ ଜିଲ୍ଲାରୁ ସ୍ଥାନାନ୍ତର ଜଣେ ଶିଶୁର ମୃତ୍ଯୁ ହୋଇଛି। ଡିପଥେରିଆରେ ପୀଡିତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ। ମୃତ ଶିଶୁ ଜଣକ ହେଲେ କୋରାପୁଟ ବନ୍ଧୁଗାଁ ବ୍ଲକ କୁମ୍ଭାରିପୁ ଗାଁର ଜିପୁନା ମେଲକା। ୧୭ ତାରିଖରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜିପୁନାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି।

ପରିସ୍ଥିତିକୁ ଦେଖି କାଶୀପୁର ବ୍ଲକରେ ୧ ବର୍ଷରୁ କମ୍ ଶିଶୁଙ୍କୁ ପେଣ୍ଟା ଟିକା, ୧ ରୁ ୭ ବର୍ଷ ମଧ୍ୟରେ ଶିଶୁଙ୍କୁ ଡିପିଟି ଗୋଟିଏ ଡୋଜ ଏବଂ ୭ ବର୍ଷ ରୁ ୧୫ ବର୍ଷ ମଧ୍ୟରେ ପିଲାଙ୍କୁ ଟିଡି ଭ୍ୟାକସିନ ଦିଆଯାଉଛି। ସ୍ବାସ୍ଥ୍ୟ କର୍ମୀ ଘରଘର ବୁଲି ଟିକା ଦେଉଛନ୍ତି। ଗତକାଲି କାଶୀପୁର ବ୍ଲକର ଗୁମୁଣ୍ଡିମାଣ୍ଡି, ତେନ୍ତୁଳିପଦର, ଭେଣ୍ଡିଆଯୋଡି, ଖମପପଦର, କଦଳିଖୋଲ ଗାଁରେ ଟିକାକରଣ ହୋଇଛି।