spot_img
Home Blog Page 1930

ଛତିଶଗଡ଼ କାଙ୍କର ଲୋକସଭା ଆସନର ୪ଟି ବୁଥରେ ହେବ ପୁନଃଗଣତି

ଛତିଶଗଡ଼: ନିର୍ବାଚନ ସରିଥିବା ବେଳେ କିଛି ସ୍ଥାନରେ ହାରଜିତକୁ ନେଇ କିଛି ପ୍ରାର୍ଥୀ ସନ୍ତୁଷ୍ଟ ନାହାନ୍ତି । ଏଥିପାଇଁ ସେମାନେ ପୁନଃଗଣତି ଆବେଦନ କରିଛନ୍ତି । ଏହି କ୍ରମରେ ଛତିଶଗଡ଼ର କାଙ୍କର ଲୋକସଭା ଆସନରେ କେତେକ ପୋଲିଂ ଷ୍ଟେସନରେ ହେବ ପୁନଃଗଣତି । ଏନେଇ ହୋଇଥିବା ଏକ ପିଟିସନକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ ।

ସାଞ୍ଜେରୀ ବାଲୋଡ, ଗୁନ୍ଦେରଦେହି ଓ ସିହାୱାର ବିଧାନସଭା ନିର୍ବାଚନ ମଣ୍ଡଳୀର ଚାରିଟି ପୋଲିଂ ଷ୍ଟେସନରେ ବ୍ଯାପକ ଇଭିଏମ ଟ୍ଯାମ୍ପରିଂ ହୋଇଥିବା ନେଇ କଂଗ୍ରେସ ପ୍ରାର୍ଥୀ ବୀରେଶ ଠାକୁର ଆବେଦନ କରିଥିଲେ । ଏହି ଆସନରେ ବିଜେପି ପ୍ରାର୍ଥୀ ଭୋଜରାଜ ନାଗଙ୍କଠାରୁ ମାତ୍ର ୧୮୮୪ ଭୋଟରେ ପରାସ୍ତ ହୋଇଥିଲେ ବୀରେଶ ।

ଏହାକୁ ନେଇ ଇଭିଏମର ମେମୋରୀ ଓ ମାଇକ୍ରୋ କଣ୍ଟ୍ରୋଲର ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ ବୀରେଶ । ନିର୍ବାଚନସ୍ତରୀୟ ସ୍ବଚ୍ଛତା ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ପ୍ରକାରେ ପୁନଃଗଣତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ । ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ସାଞ୍ଜାରୀ ବାଲୋଡର ଦୁଇଟି ବୁଥ, ଗୁନ୍ଦେରଦେହିର ଓ ସିହାୱାର ଗୋଟିଏ ଲେଖାଏଁ ବୁଥରେ ଭୋଟ ପୁନଃଗଣତି ହେବ ।

ଆଉ ତିନି ବର୍ଷ ବଢ଼ିଲା ହକି ଇଣ୍ଡିଆର ପ୍ରାୟୋଜକ ଅବଧି, ୨୦୩୬ ଯାଏଁ ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ବର: ହକି ଇଣ୍ଡିଆର ପ୍ରାୟୋଜକ ଅବଧି ଆଉ ତିନି ବର୍ଷ ବଢ଼ାଇଛନ୍ତି ଓଡ଼ିଶା ସରକାର । ୨୦୩୩ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ହେବାକୁ ନବୀନ ସରକାର ନିଷ୍ପତ୍ତି ନେଇଥିଲେ । ନୂଆ ସରକାର ଏହି ଅବଧି ଆଉ ୩ ବର୍ଷ ବଢାଇ ୨୦୩୬ ଯାଏଁ ବୃଦ୍ଧି କରିଛନ୍ତି । ଫଳରେ ଏବେ ୨୦୩୬ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା ।

ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ମହାସଚିବ ଭୋଳାନାଥ ସିଂ, ମୁଖ୍ୟଶାସନ ସଚିବ ପି.କେ. ଜେନା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି ।

୨୦୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି । ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆକୁ ସ୍ପନସରସିପ ଅବଧି ସମୟକୁ ୨୦୩୩ରୁ ଆଉ ତିନି ବର୍ଷ ପାଇଁ ବୃଦ୍ଧି କରାଯିବା । ହକିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ଯମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

୨୦୧୮ ମସିହାରୁ ବିଜେଡି ସରକାର ସମୟରୁ ଓଡ଼ିଶା ଭାରତୀୟ ହକିର ପ୍ରାୟୋଜକ ରହିଛି । ସାହାର ଇଣ୍ଡିଆ ଭାରତୀୟ ହକି ଟିମର ସ୍ପନସରସିପ୍ ଛାଡ଼ିବା ପରେ ହକି ପାଇଁ ସଂକଟ ସୃଷ୍ଟି ହୋଇଥିଲା । ଏହି ସମୟରେ ଓଡ଼ିଶା ଭାରତୀୟ ହକି ପାଇଁ ଆଶାର ଆଲୋକ ଭାବେ ଉଭା ହୋଇଥିଲା । ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ହକି ଇଣ୍ଡିଆର ପ୍ରାୟୋଜକ ସାଜିଥିଲା ଓଡ଼ିଶା । ପ୍ରଥମେ ୨୦୧୮ରୁ ୫ ବର୍ଷ ପାଇଁ ୨୦୨୩ ମସିହା ଯାଏଁ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିଥିଲା । ପରେ ଅବଧିକୁ ୨୦୩୩ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଥିଲେ ନବୀନ ସରକାର । ଓଡ଼ିଶାର ଉଦ୍ୟମର ଫଳ ହେଉଛି, ହକି କେବଳ ଦେଶ ନୁହେଁ ବିଶ୍ବସ୍ତରରେ ବି ଲୋକପ୍ରିୟତା ହାସଲ କରିଛି ।

୨୦୧୮ ଓ ୨୦୨୩ରେ ଲଗାତାର ଦୁଇ ଥର ହକି ବିଶ୍ବକପ ଆୟୋଜନ କରି ବିଶ୍ବକୁ ଚମକାଇ ଦେଇଥିଲା ଓଡ଼ିଶା । ଓଡ଼ିଶାର ପ୍ରାୟୋଜକ ଅବଧିରେ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିବାବେଳେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା ମହିଳା ଦଳ । ହକିକୁ ପ୍ରୋତ୍ସାହନ ସହ ହକି ପ୍ରତି ଯୁବପୀଢିଙ୍କ ଆଗ୍ରହ ବଢାଇବା ପାଇଁ ପୂର୍ବ ସରକାର ବ୍ୟାପକ ପଦକ୍ଷେପ ନେଇଥିଲେ । ଏବେ ରାଜ୍ଯର ନୂଆ ସରକାର ସ୍ପନସରସିପ ଅବଧିକୁ ଆଉ ୩ ବର୍ଷ ବୃଦ୍ଧି କରିଛନ୍ତି ।

ରାୟଗଡ଼ା ନୁହେଁ କଳାହାଣ୍ଡିରୁ ବ୍ୟାପିଛି ଡିପଥେରିଆ ସଂକ୍ରମଣ

ଭୁବନେଶ୍ବର: ଡିପଥେରିଆ ସଂକ୍ରମଣକୁ ନେଇ ଆସିଛି ବଡ଼ ଅପଡେଟ୍ । ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ରାଜ୍ୟରେ ଡିପଥେରିଆ ସଂକ୍ରମଣର ଉତ୍ସ ବୋଲି ଜଣାପଡିଛି । କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ସଂକ୍ରମଣ । ମାନୁଷପଦରରୁ ଜଣେ ବ୍ୟକ୍ତି ଇନ୍ଦ୍ରାବତୀକୁ ଯାଇଥିଲେ । ସେ ସେଠାରୁ ସଂକ୍ରମିତ ହୋଇ ମାନୁଷପଦର ଫେରିବା ପରେ ରାଜ୍ୟରେ ଡିପଥେରିଆ ସଂକ୍ରମଣ ବ୍ଯାପି ଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କଳାହାଣ୍ଡି, କୋରାପୁଟରେ ଏବେ ବି ସର୍ଭେଲାନ୍ସ ଚାଲିଛି । କୋରାପୁଟ ବନ୍ଧୁଗାଁର ୩୩ ପିଲାଙ୍କୁ ଦିଆଯାଇଛି ବୁଷ୍ଟର ଡୋଜ । କାଶୀପୁରର ମାନୁଷପଦର ଅଞ୍ଚଳର ୧୮ଟି ଗାଁରୁ ୧୩ଟି ଗାଁରେ ସରିଛି ବୁଷ୍ଟର ଡୋଜ୍ ଟୀକାକରଣ । ଏ ସବୁ ଗାଁରେ ୪୬୮ ପିଲାଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି । ଏହାଛଡ଼ା କାଶୀପୁର ବ୍ଲକର ଅନ୍ୟ ଗାଁରେ ଯେଉଁ ପିଲାମାନେ ଡିପଥେରିଆ ଟୀକା ବିଲକୁଲ ନେଇ ନଥିବେ, ସେମାନଙ୍କୁ ଚିହ୍ନଟ କରାଯାଇ ଟୀକା ଦିଆଯିବ ।

ପଥେରିଆରେ ମୃତ୍ୟୁ ଘଟିଥିବା ଜଣେ ୧୧ ବର୍ଷୀୟା ଝିଅର ଓଜନ ୧୫ କିଲୋଗ୍ରାମ ଥିଲା । ତେବେ ତାହା ଅପପୁଷ୍ଟି ନା ନାହିଁ, ସେ ନେଇ ଯାଞ୍ଚ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିବା ଡାକ୍ତର ସଂଯୁକ୍ତା କହିଛନ୍ତି ।

ଅନ୍ଯପଟେ ରାଜ୍ୟରେ ଡିପଥେରିଆ ସଂକ୍ରମଣ ସ୍ଥିର ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ନୂଆ ସଂକ୍ରମଣ ହୋଇନି । ସଂକ୍ରମଣର କାରଣ ଅପପୁଷ୍ଟି ନା ନୁହେଁ, ସେ ନେଇ ଅନ୍ୟ ବିଭାଗ ଦ୍ଵାରା ତଦନ୍ତ ଚାଲିଛି । ଏହାର ଯାଞ୍ଚ କରିବାକୁ ଜିଲ୍ଲାପାଳ ମଧ୍ଯ ନିର୍ଦ୍ଦେଶ ଦେଇଛନ୍ତି । ସେଠାକୁ ଯାଇଥିବା ଜଣେ ବୟସ୍କ ଲୋକ ପ୍ରଥମେ ଡିପଥେରିଆରେ ଆକ୍ରାନ୍ତ ହୋଇଥିଲେ । ଏବେ କଲାହାଣ୍ଡିର ସଂକ୍ରମଣର ଉତ୍ସ ସ୍ଥଳରେ ସର୍ଭେଲାନ୍ସ ଚାଲିଛି ।

ଓଡ଼ିଶାରେ ପୁଣି ମାଡ଼ିଲା ଜାପାନିଜ୍ ଏନସେଫାଲିଟିସ୍

ଅନୁଗୁଳ: ଓଡ଼ିଶାରେ ପୁଣି ଜାପାନିଜ୍ ଏନସେଫାଲିଟିସ୍ ଆତଙ୍କ ଦେଖା ଦେଇଛି । ଏହି ଜେଇ ରୋଗରେ ଅନୁଗୁଳ ଜିଲ୍ଲାରୁ ୪ ଜଣ ପୀଡ଼ିତ ଥିବା ଜଣାପଡ଼ିଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ତନାଘନା ଆରମ୍ଭ କରିଛି । ଅନୁଗୁଳରେ କେଉଁ ପରିସ୍ଥିତିରେ ଜେଇ ବ୍ୟାପିଲା ଓ ଏହାର ପ୍ରକୃତ କାରଣ କ’ଣ ଖୋଜିବାକୁ ସ୍ବାସ୍ଥ୍ୟ ବିଭାଗରୁ ଏକ ଚାରି ଜଣିଆ ଟିମ୍ ଅନୁଗୁଳ ଗସ୍ତରେ ଆସିଛନ୍ତି ।

ଜିଲ୍ଲାରେ ମ୍ୟାଲେରିଆଠାରୁ ଆରମ୍ଭ କରି ଜେଇ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ଏହି ଟିମ୍ । ତେବେ ଏହି ରୋଗ ଘୁଷୁରୀଠାରୁ ବ୍ୟାପିଥିବା ଆଶଙ୍କା କରାଯାଉଛି । ରେଗୁଲାର ଏହି ରୋଗ ପାଇଁ ଟୀକାକରଣ ହେଉଥିବାରୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାନନ୍ଦ ମହାନ୍ତି କହିଛନ୍ତି ।

ରାଜ୍ୟରେ ୨୦୧୨ରେ ମାଲକାନଗିରିରେ ଜେଇ ଆତଙ୍କ ସୃଷ୍ଟି କରିଥିଲା । ସେଠାରେ ୨୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହାବ୍ୟତୀତ ଦୁଇ ଶହରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଆରଏମଆରସି ପକ୍ଷରୁ ଏହାର କାରଣ ଖୋଜା ଯାଇଥିଲା । ମଶା କାମୁଡ଼ାରୁ ଏହି ରୋଗ ହେଉଥିବା ଜଣାପଡ଼ିବା ପରେ ଟୀକା ଦିଆଯାଇଥିଲା ।

ଭାଇଠାରୁ ଟଙ୍କା ହଡ଼ପ କରିବାକୁ ଭଉଣୀ ରଚିଥିଲା ଅପହରଣ ନାଟକ

ଭୁବନେଶ୍ୱର : ଚନ୍ଦକା ମହିଳା ଅପହରଣ ନାଟକରେ ପୂର୍ଣ୍ଣଚ୍ଛେଦ । ଅପହରଣ ନାଟକ ରଚି ଭାଇଠାରୁ ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲା ଭଉଣୀ ସ୍ମୃତିରେଖା ପାଣି । ଇନଷ୍ଟାଗ୍ରାମରେ ସ୍ମୃତିରେଖା ରାଜସ୍ଥାନର ପ୍ରଦୀପ ଓ ଦେବିଲାଲ ସହ ପ୍ରଥମେ ସାଙ୍ଗ ହୋଇଥିଲେ । ପରେ ସ୍ମୃତିରେଖା ଏବଂ ପ୍ରଦୀପଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ପରବର୍ତ୍ତୀ ସମୟରେ ବେଙ୍ଗାଲୁରୁରେ ଥିବା ସ୍ମୃତିଙ୍କ ଭାଇଙ୍କଠାରୁ ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲେ । ଫୋନ୍ କରି କୋଟିଏ ଟଙ୍କା ଡିମାଣ୍ଡ କରିଥିଲେ । ଘଟଣା ନେଇ ଏତଲା ପରେ କମିଶନରେଟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ପ୍ରଥମେ ଚାରିଛକ ଅଭିମୁଖେ ଯାଇଥିଲେ ୩ ଜଣ ଅଭିଯୁକ୍ତ । ପରବର୍ତ୍ତୀ ସମୟରେ ନୟାଗଡ଼ ଆସିଥିଲେ ଅଭିଯୁକ୍ତ । ଚେକିଂ ବେଳେ ପୋଲିସକୁ ଧକ୍କା ଦେଇ ଖସିବାକୁ ଉଦ୍ୟମ କରିଥିଲେ । ନୟାଗଡ଼ରେ ତିନି ଜଣଙ୍କୁ କାବୁ କରିଥିଲା ସ୍ପେଶାଲ୍ ସ୍କ୍ୱାର୍ଡ । ପରେ ନିଜ ମୁହଁରେ ନିଜ ଦୋଷ ସ୍ଵୀକାର କରିଥିଲେ ଅଭିଯୁକ୍ତ । ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ଏହି ଅପହରଣ ନାଟକର ଖୋଳତାଡ଼ କରିଛନ୍ତି ।

ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣାଣି କରିବେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର :  ଆଜିଠାରୁ ଆରମ୍ଭ ହେବ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ମୁଖ୍ଯମନ୍ତ୍ରୀ । ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ। ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀବିଭିନ୍ନ ସମୟରେ ଲୋକଙ୍କ ସହିତ ମିଶୁଛନ୍ତି । ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ଆଶ୍ଵାସନା ମଧ୍ୟ ଦେଉଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଏକ ଶୃଙ୍ଖଳିତ ଓ ସମୟୋଚିତ ବ୍ୟବସ୍ଥା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି।

କଳାହାଣ୍ଡିରେ ଚିହ୍ନଟ ହେଲା ଡିପଥେରିଆର ପ୍ରଥମ କେସ୍

ଭବାନୀପାଟଣା : କଳାହାଣ୍ଡିରେ ଚିହ୍ନଟ ହେଲା ଡିପଥେରିଆର ପ୍ରଥମ କେସ୍। ସରାପାସ୍ ଗାଁର ୬ ଜଣଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଆଇସୋଲେସନରେ ରଖା ଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଡିପଥେରିଆର ଆକ୍ରାନ୍ତ ହେଇଥିବା ସ୍ପଷ୍ଟ ହେଇଛି। ରୋଗୀ ଜଣକ ସରାପାସ୍ ଗାଁର ୨ ବର୍ଷୀୟ ଶିଶୁ ବୋଲି ସୂଚନା ମିଳିଛି।

ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁର ଚିକିତ୍ସା ହେଉଛି। ଗତକାଲି ଡିପଥେରିଆରେ କୋରାପୁଟର ଜଣେ ଶିଶୁଙ୍କର ଜୀବନ ଯାଇଥିଲା। ଡିପଥେରିଆରେ ପୀଡିତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ। ମୃତ ଶିଶୁ ଜଣକ ହେଲେ କୋରାପୁଟ ବନ୍ଧୁଗାଁ ବ୍ଲକ କୁମ୍ଭାରିପୁ ଗାଁର ଜିପୁନା ମେଲକା।

ମଧ୍ୟପ୍ରଦେଶରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ୩.୬ ତୀବ୍ରତା ରେକର୍ଡ

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଭୂକମ୍ପର କମ୍ପନ ଅନୁଭୂତ । ଭୂକମ୍ପ ଖବର ପାଇବା ମାତ୍ରେ ଲୋକମାନେ ଘରୁ ବାହାରକୁ ଆସିଥିଲେ। ସୂଚନାନୁସାରେ, ଶୁକ୍ରବାର ସକାଳ ପ୍ରାୟ ୯ଟା ୪ସମୟରେ ମଧ୍ୟପ୍ରଦେଶର ଖଣ୍ଡଓ୍ବାଠାରେ ହାଲୁକା ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୬ ମାପ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ।

କିନ୍ତୁ ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ନିଜ ଘରୁ ବାହାରକୁ ଆସିଥିଲେ। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଖଣ୍ଡୱାଠାରୁ ୧୦କିଲୋମିଟର ଦୂରରେ ବୋଲି କୁହାଯାଇଥିଲା। କୁହାଯାଉଛି ଯେ ଗୁଲମୋହର କଲୋନୀ, ହାଉସିଂ ବୋର୍ଡ କଲୋନୀ, ଆନନ୍ଦ ନଗର, ନାଭକର ନଗର, ସିଙ୍ଗାଦ ତାଲାଇ, ମାତା ଚୌକ, LIG ଏବଂ ର୍କିତ୍ତୀ ନଗର ସମେତ ଆଖପାଖ କଲୋନୀରେ ଏହି ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ଏହି ସମୟ ମଧ୍ୟରେ ଏହା ମଧ୍ୟ କୁହାଯାଇଥିଲା ଯେ କେତେକ ସ୍ଥାନରେ ବିସ୍ଫୋରଣ ପରି ଶବ୍ଦ ଶୁଣାଯାଇଥିଲା।

 

 

ପୁଣି କେଜ୍ରିଓ୍ୱାଲଙ୍କୁ ବଡ଼ ଝଟକା : ଜାମିନ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନାମଞ୍ଜୁର କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କେଜ୍‌ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା। ଇଡି ଏହାର ଆବେଦନରେ କହିଥିଲା ଯେ, ତଦନ୍ତର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ କେଜ୍‌ରିଓ୍ବାଲଙ୍କୁ ଜାମିନ ମିଳିବା ତଦନ୍ତ ଉପରେ ପ୍ରଭାବ ପକାଇବ କାରଣ କେଜ୍‌ରିଓ୍ବାଲ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି।

ଏହି ମାମଲାରେ କେଜ୍‌ରିଓ୍ବାଲଙ୍କ ଓକିଲ ଅଭିଷେକ ମନୁଙ୍କ ଅପିଲକୁ କୋର୍ଟ ଖାରଜ କରିଦେଇଥିଲେ ଏବଂ ଏହି ମାମଲାର ଜରୁରୀ ଶୁଣାଣି ଆବଶ୍ୟକ ନଥିବା କହିଥିଲେ। ଏହାରି ମଧ୍ୟରେ ବିଚାରପତି ସୁଧୀର ଜୈନ କହିଥିଲେ,  ଯେଉଁ ପର୍ଯ୍ୟନ୍ତ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି, ସେ ପର୍ଯ୍ୟନ୍ତ ନିମ୍ନ ଅଦାଲତର ଆଦେଶ ପ୍ରଭାବୀ ହେବ ନାହିଁ।

ଖବର ଅନୁଯାୟୀ ଏହି ମାମଲାରେ ବିଚାରପତି ସୁଧୀର ଜୈନ ଏବଂ ରବିନ୍ଦର ଡୁଡେଜାଙ୍କ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ଇଡି ପକ୍ଷରୁ ହଜାର ହୋଇଥିବା ଓକିଲ କହିଥିଲେ ,ନିମ୍ନ ଅଦାଲତରେ ଏହିମାମଲାରେ ସେମାନଙ୍କର ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନଥିଲା। ଗୁରୁବାର ନିମ୍ନ ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜାମିନ ଦେଇଥିଲେ। ଯାହାକୁ ବିରୋଧକରି ଇଡି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା।

ପିସିସି ସଭାପତିଙ୍କ ଶରତ ପଟ୍ଟନାୟକଙ୍କ ଉପରେ କାଳିମାଡ

ଭୁବନେଶ୍ୱର : ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ କାଳିମାଡ଼। ଶୁକ୍ରବାର କଂଗ୍ରେସ ଭବନରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଫିଲ୍ମ ଷ୍ଟାଇଲରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ସମୟ ପାଖାପାଖି ୧୧.୨୦ରେ କଂଗ୍ରେସ ଭବନରେ ଉପର ମହଲା କୋଠରୀରେ ବସିଥାନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ହଠାତ ୨୦ରୁ ଅଧିକ ଯୁବକ ଶରତ ପଟ୍ଟନାୟକ ହାଏ ହାଏ ସ୍ଲୋଗାନ ଦେଇ ପିସିସି ସଭାପତିଙ୍କ ରୁମ ଭିତରେ ପଶି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ହାତ ମିଳାଇଲେ। ପକେଟରୁ କାଳି ବାହାର କରି କାଳି ମାଡ଼ କରିଥିଲେ। କାଳି ମାଡରେ ପିସିସି ସଭାପତି ଗାଧେଇ ପଡିଲା ଭଳି ଦେଖା ଯାଉଥିଲେ। ଉକ୍ତ ଯୁବକ ମାନେ କାଳି ମାଡ଼ କଲା ପରେ ତତକ୍ଷଣାତ ସେଠାରୁ ଫେରିଗଲେ। କାଳିମାଡ ପରେ ପିସିସି ସଭାପତି ଏଥିରେ ବ୍ଯଥିତ ନଥିବା କହିଥିଲେ। ରାଜନୀତି ଜୀବନରେ କେତେବେଳେ ଫୁଲମାଳ ମିଳେ ତ କେତେବେଳେ ଚପଲ ଫିଙ୍ଗାଯାଏ। ଏଥିରେ ବ୍ଯଥିତ ହେବାର ଆବଶ୍ଯକତା ନାହିଁ ବୋଲି କହିିଥିଲେ ଶରତ ପଟ୍ଟନାୟକ।

କାଳି ମାଡର କାରଣ ଅସ୍ପଷ୍ଟ ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି ସେ ଯୁବକ ମାନେ କିଏ ? ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଟକ ଜିଲ୍ଲା ସଭାପତି ସୁରେଶ ମହାପାତ୍ର ,ପୂର୍ବତନ ବିଧାୟକ ରବି ମାଲିକ ଉପରେ ମଧ୍ୟ କାଳି ମାଡ଼ ହୋଇଛି। ଯେହେତୁ ସେମାନେ ପିସିସି ସଭାପତିଙ୍କ ପ୍ରକୋଷ୍ଠ ରେ ଥିଲେ ସେମାନଙ୍କ ଉପରେ କାଳି ପଡିଛି। ସୂଚନାଥାଉ କି, କିଛି ଦିନ ହେବ ଦଳ ଭିତରେ ଟିକେଟ ଆବଣ୍ଟନ ଏବଂ ନିର୍ବାଚନ ପାଣ୍ଠିରେ ଅନିୟମିତତାକୁ ନେଇ ଚର୍ଚ୍ଚା ଜୋର ଧରିଛି।