spot_img
Home Blog Page 1929

ରେଢ଼ାଖୋଲରେ ଜମିଲା ପ୍ରଣବଙ୍କ ପ୍ରଚାର

ସମ୍ବଲପୁର: ରେଢ଼ାଖୋଲରେ ଜମିଲା ପ୍ରଣବଙ୍କ ପ୍ରଚାର । ହୁଳହୁଳି,  ସଂକୀର୍ତ୍ତନ, ଖଞ୍ଜଣି ଭଜନରେ ପ୍ରକମ୍ପିତ ହେଲା ରାସ୍ତାଘାଟ । ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ  ଘୋଷଣା ପରେ ପ୍ରଥମ ଥର ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି  ପ୍ରଣବ ପ୍ରକାଶ ଦାସ । ତାଙ୍କୁ ସ୍ଥାନୀୟବାସିନ୍ଦା ଓ ଦଳୀୟ କର୍ମୀ ଭବ୍ୟ ସ୍ବାଗତ ଜଣାଇଥିଲେ । ମଧୁପୁର ଗାଁରେ ଥିବା ଭୀମଭୋଇଙ୍କ ପ୍ରାପ୍ତିପୀଠ, ଭୀମଭୋଇଙ୍କ ବାଲ୍ୟଳୀଳା ଓ ମହାଯଜ୍ଞ ଉତ୍ସବରେ ଯୋଗ ଦେଇଥିଲେ ପ୍ରଣବ । ପ୍ରଥମେ ସାଧୁ ସନ୍ଥଙ୍କ ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇ  ପ୍ରାପ୍ତିପୀଠକୁ ନିଆଯାଇଥିଲା । ପ୍ରାପ୍ତିପୀଠରେ ଦୀପ ପ୍ରଜ୍ଜ୍ୱଳନ କରି  ସାଧୁସନ୍ଥଙ୍କ ଠାରୁ ଆଶୀର୍ବାଦ ନେଇଥିଲେ ପ୍ରଣବ ପ୍ରକାଶ । ଏହି ଅବସରରେ ଶତାଧିକ ମାଆମାନଙ୍କ ହୁଳହୁଳି,  ସଂକୀର୍ତ୍ତନ, ଖଞ୍ଜଣି ଭଜନରେ ପ୍ରକମ୍ପିତ ହୋଇଥିଲା ଭୀମଭୋଇଙ୍କ ପୀଠ । ଏହା ସହିତ ମହିମା ଧର୍ମାବଲମ୍ବୀ ସାଧୁ ସନ୍ଥ ଓ ଭକ୍ତମାନଙ୍କ ସହିତ ମିଶି ବିଭିନ୍ନ ବିଷୟକୁ ନେଇ  ଆଲୋଚନା କରିଥିଲେ ପ୍ରଣବ   । ଏହି ଉତ୍ସବରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରି , ସମାଜସେବୀ ରାଜୀବ ପୂଜାରି ,ବିଜେଡି ବ୍ଲକ ସଭାପତି ପିଣ୍ଟୁ ତ୍ରିପାଠୀ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ ।

ଜେଜେ ବାପାଙ୍କ ଦଶାହ ଶୁଦ୍ଧିକ୍ରିୟାରେ ନାତିର ମୃତ୍ୟୁ

କଟକ: ଜେଜେ ବାପାର ଦଶାହ ଶୁଦ୍ଧିକ୍ରିୟାରେ ନାତିର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ତୁଳସୀପୁର ହାତୀଗଡା ଘାଟରେ। ଜେଜେ ବାପାର ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ତୁଠକୁ ଆସିଥିବା ୨୨ ବର୍ଷିଆ ନାତି ରୂପକ ବାନାର୍ଜୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକର ମୃତଦେହ ଉଦ୍ଧାର କରିଥିଲେ। ସିଡିଏ ୬ରେ ରହୁଥିବା ରୂପକ ଭୂବନେଶ୍ବରର ଏକ ଘରୋଇ କଲେଜର ବି ଟେକ ଛାତ୍ର ଥିଲେ।ତେବେ ରୂପକ ଗାଧୋଇବା ପାଇଁ ନଦୀକୁ ଡେଇଁ ବୁଡି ଯାଇ ଥିଲେ କି ଅନ୍ଯ କୌଣସି କାରଣରୁ ଡେଇଁଥିଲେ ତାହା ସ୍ପଷ୍ଟ ହୋଇ ନାହିଁ।

 

ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବଦଳିଛି  ପାଗ, ତାତିରୁ  ମିଳିଛି ଅସ୍ବସ୍ତି । ୪ ଦିନର  ଅଗ୍ନୀବର୍ଷା ପରେ ଆଜି କୋହଲା ପାଗ  ସହ ତଳମୁହାଁ ହୋଇଛି ପାରଦ। ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି। ଆଜିଠାରୁ ରାଜ୍ୟରେ ପ୍ରବଳ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ଏକ ପଶ୍ଚିମା ଝଡ ସକ୍ରିୟ ହୋଇଥିବା ବେଳେ ବାୟୁମଣ୍ଡଳର ଉପରିଭାଗରେ ଏକ ନିମ୍ନଚାପରେଖା ସୃଷ୍ଟି ହୋଇଛି। ଏହାସହ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପବଳୟ ସକ୍ରିୟ ରହିଛି। ଫଳରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ୩ଟିଯାକ ପାଣିପାଗ ପ୍ରତିକ୍ରିୟାଶୀଳ ହୋଇ ଘଡଘଡି ବିଜୁଳି ସହ ରାଜ୍ୟରେ ଝଡବର୍ଷା ସୃଷ୍ଟି କରିବାରେ ସହାୟକ ହେଉଛି। ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ପ୍ରଚଣ୍ଡ ଘଡଘଡି ବିଜୁଳି ପାଇଁ ୧୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, କଟକ, ଯାଜପୁର, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ବୌଦ୍ଧ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି  ସ ବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ ୫୦ କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ବୃଷ୍ଟି ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। କାଲି ସକାଳ ପରଠାରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା  ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ୧୨ ଜିଲ୍ଲା ମୟୁରଭଞ୍ଜ, ଅନୁଗୁଳ  , ଦେଓଗଡ,  କେନ୍ଦୁଝର,  ସମ୍ବଲପୁର,  ସୋନପୁର,   ନୟାଗଡ,  ଗଂଜାମ,  ଗଜପତି, କନ୍ଧମାଳ , ରାୟଗଡା ଓ  କଳାହାଣ୍ଡି ପାଇଁ  ୟେଲୋ ଓ୍ବାର୍ଣ୍ଣିଂ ଜାରି କକରିଛି  ପାଣିପାଗ କେନ୍ଦ୍ର। ଅନ୍ୟପଟେ  ୯ରୁ ପୁଣି ପାଗ ବଦଳିବା ସମ୍ଭାବନା ରହିଛି।

 

ବାରବାଟୀ କଟକ ପାଇଁ ବିଜେଡି ପ୍ରାର୍ଥୀ ଭାବେ ପ୍ରକାଶ ବେହେରାଙ୍କ ନାମ ଘୋଷଣା ହେବା ପରେ ମିଳୁଛି ବିପୁଳ ସମର୍ଥନ

କଟକ: ରାଜ୍ୟର ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ବାରବାଟୀ କଟକ ପାଇଁ ସବୁଠୁ ଆଗରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି । ଅନ୍ଯ ଦଳଗୁଡିକ ଏଥିରେ ପଛରେ ଅଛନ୍ତି । ପ୍ରାର୍ଥୀତ୍ବ ଘୋଷଣା ହେବା କ୍ଷଣି ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ନିଜର ପ୍ରଚାର ଆରମ୍ଭ କରିଛନ୍ତି ପ୍ରକାଶ ବେହେରା । ସହରର ଜଣାଶୁଣା ବରିଷ୍ଠ ରାଜନେତା, କ୍ରୀଡା ସଂଗଠକ ଓ ସାହି ମୁରବୀଙ୍କୁ ଭେଟି ନିର୍ବାଚନରେ ସେମାନଙ୍କ ସହଯୋଗ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କଟକ ପାଇଁ ଥିବା ଭଲ ପାଇବା ଓ ବିକାଶକୁ ଦେଖି ଏଥର ଭୋଟ ତାଙ୍କ ସପକ୍ଷରେ ଯିବ ବୋଲି ଆଶା ରଖିଛନ୍ତି ।

୨୪ ମହାଲଢ଼େଇ ଜୋରଦାର । ଜମିଲାଣି ନିର୍ବାଚନ ପ୍ରଚାର । ବିକାଶ ପାଇଁ ବିଜେଡି ନେତାଙ୍କୁ ମିଳୁଛି ବିପୁଳ ଆଶୀର୍ବାଦ। ବାରବାଟୀ କଟକ ପାଇଁ ବିଜେଡି ପ୍ରାର୍ଥୀ ଭାବେ ପ୍ରକାଶ ବେହେରାଙ୍କ ନାମ ଘୋଷଣା ହେବା ପରେ ମିଳୁଛି ବିପୁଳ ସମର୍ଥନ। ସହରର ଜଣାଶୁଣା ବରିଷ୍ଠ ରାଜନେତା, କ୍ରୀଡା ସଂଗଠକ ଓ ସାହି ମୁରବୀଙ୍କୁ ଭେଟି ସହଯୋଗ କାମନା କରିଛନ୍ତି ପ୍ରାର୍ଥୀ । ପୂର୍ବତନ ଓସିଏ ସଂପାଦକ ଆଶୀର୍ବାଦ ବେହେରାଙ୍କ ଘରେ ପହଂଚି ଆଲୋଚନା କରିଛନ୍ତି । ଯାଦବ ସଂପ୍ରଦାୟର ଭୋଟ ସହ କ୍ରୀଡା ସଂଗଠନ ଗୁଡିକର ସମର୍ଥନ ପ୍ରକାଶଙ୍କ ସପକ୍ଷରେ ଯିବ ବୋଲି କହିଛନ୍ତି ଆଶୀର୍ବାଦ।

ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ରଞ୍ଜନ ତ୍ରିପାଠୀ । ବାରବାଟୀ କଟକ ଉପରେ ମୁଖ୍ୟମନ୍ତ୍ରୀଙ୍କ ଶୁଭଦୃଷ୍ଟି ସବୁ ବେଳେ ରହିଥିବାରୁ ଲୋକଙ୍କ ସହ ଅଧିକରୁ ଅଧିକ ମିଶି କାମ କରିବାକୁ ପରାମର୍ଶ ଦେଇଛନ୍ତି । କଟକର ସାହି, ପୂଜା କମିଟି, ଶାନ୍ତି କମିଟି ସହ ସୁସମ୍ପର୍କ ରଖି ନିର୍ବାଚନୀ ପ୍ରଚାରକୁ ଆଗକୁ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଭାତ । ସେହିଭଳି ମେୟର ସୁବାସ ସିଂ ମଧ୍ଯ ସହଯୋଗର ହାତ ବଢାଇଛନ୍ତି ।

 

ଖରସ୍ରୋତା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଖରସ୍ରୋତା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ରୋଡ ଯୋକଡ଼ିଆ ନିକଟ ଖରସ୍ରୋତା ନଦୀରୁ ଉଦ୍ଧାର ହୋଇଛି ମୃତଦେହ।ମୃତ ଯୁବକ ହେଉଛନ୍ତି ସ୍ଥାନୀୟ କିମ୍ଭୀରା ଗାଡ଼ିଆ ଗାଁର ଚିନ୍ତାମଣି ନାୟକଙ୍କ ପୁଅ ଆଶୁତୋଷ ନାୟକ। ଆଶୁତୋଷ ଗତକାଲି ଜନସେବା କେନ୍ଦ୍ରକୁ ଯାଉଛି କହି ଘରୁ ବାହାରିଥିଲେ ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରୁକୁ ଫେରି ନଥିଲେ।ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଆଶୁତୋଷଙ୍କ ସନ୍ଧାନ ମିଳିନଥିଲା। ଆଜି ସକାଳୁ ଯୋକଡ଼ିଆ ନିକଟ ଖରସ୍ରୋତା ନଦୀକୂଳରେ ମୃତଦେହ ଦେଖି ଲୋକ ପୋଲିସକୁ ଖବର ଦେଇଥିଲେ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।ସେପଟେ ଆଶୁତୋଷଙ୍କ ପରିବାର ଲୋକ ମୃତଦେହ ଚିହ୍ନଟ କରିବା ସହ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ହେବ ଖୁଡ଼ି- ପୁତୁରା ଲଢ଼େଇ

ନବରଙ୍ଗପୁର: ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବ ବିଗ ଫାଇଟ। ମୁହାଁମୁହିଁ ହୋଇଛନ୍ତି ଗୋଟିଏ ପରିବାରର ଖୁଡି ଓ ପୁତୁରା। ଖୁଡି କୌଶଲ୍ୟା ପ୍ରଧାନୀ ହେଲେ ନବରଙ୍ଗପୁର ବିଜେଡି ବିଧାୟିକା ପ୍ରାର୍ଥିନୀ ଓ ପୁତୁରା ଦିଲ୍ଲୀପ ପ୍ରଧାନୀ ହେଲେ ନବରଙ୍ଗପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ। କାହା ରାଜନୀତି ଗଣି କରିବ ପ୍ରଭାବିତ ତାକୁ ଅପେକ୍ଷା।

ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବ ବିଗ ଫାଇଟ।  ମୁହାଁମୁହିଁ ହୋଇଛନ୍ତି ଗୋଟିଏ ପରିବାରର ଖୁଡି ଓ ପୁତୁରା। ମଇଦାନକୁ ଓହ୍ଲାଇଛନ୍ତି ୯ ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଖଗପତି ପ୍ରଧାନୀଙ୍କ ପରିବାର। ଗତ ନିର୍ବାଚନରେ ସ୍ବର୍ଗତ ଖଗପତି ପ୍ରଧାନୀଙ୍କ ନାତି ସଦାଶିବ ପ୍ରଧାନୀ ବିଜେଡ଼ିରୁ ବିଧାୟକ ହୋଇଥିଲେ। ଚଳିତ ନିର୍ବାଚନରେ ତାଙ୍କ ଧର୍ମପତ୍ନୀ କୌଶଲ୍ୟା ପ୍ରଧାନୀ ବିଜୁ ଜନତା ଦଳ ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟ ପଟେ ତାଙ୍କ ପରିବାରର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ପ୍ରଧାନୀଙ୍କ ପୁଅ ଦିଲ୍ଲୀପ ପ୍ରଧାନୀ କଂଗ୍ରେସ ଟିକେଟ ପାଇ ବିଧାୟକ ପ୍ରାର୍ଥୀ ହୋଇଛନ୍ତି।  କୌଶଲ୍ୟା ବିଜେଡି ଓ ଦିଲ୍ଲୀପ କଂଗ୍ରେସ ଦଳରୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନେ ସମ୍ପର୍କରେ ଖୁଡି ପୁତୁରା ହେବେ।

ଏହି ପ୍ରତିଦ୍ବନ୍ଦ୍ବିତାର ଫଳାଫଳକୁ ନେଇ ସମସ୍ତେ ଉତ୍ସାହିତ। କିଏ ବାଜି ମାରିବ, କାହାର  ନିର୍ବାଚନ ଗଣିତ ପ୍ରଭାବିତ ହେବ, ତାହାକୁ ନେଇ ଭୋଟର ସମୀକ୍ଷା କରିବା ଆରମ୍ଭ କରିଛନ୍ତି । ନବରଙ୍ଗପୁରରେ ଗତ ତିନୋଟି ନିର୍ବାଚନରେ ଲଗାତାର ବିଜେଡି ପ୍ରାର୍ଥୀ ବିଧାୟକ ଭାବରେ ନିର୍ବାଚିତ ହେଇଛନ୍ତି । ଏଥର ବି ଲୋକ ବିକାଶକୁ ଫୋକସ କରୁଛନ୍ତି।

 

ନିର୍ବାଚନକୁ ପ୍ରଭାବିତ କରିପାରେ AI

ନନ୍ଦିଘୋଷ ବ୍ୟୁରୋ: ଭାରତ, ଆମେରିକା ଓ ସାଉଥ କୋରିଆ ସାଧାରଣ ନିର୍ବାଚନକୁ ନେଇ ଚେତାବନୀ ଦେଲା ମାଇକ୍ରୋସଫ୍ଟ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ନିର୍ବାଚନ ପ୍ରଭାବିତ କରିବା ଲାଗି ଚୀନ ଉଦ୍ୟମ କରୁଛି ବୋଲି କହିଛି ମାଇକ୍ରୋସଫ୍ଟ। ତାଇୱାନ ରାଷ୍ଟ୍ରପତି ନିର୍ବାଚନରେ ବି ଚୀନ ଏଆଇ ଜରିଆରେ ନିର୍ବାଚନ ପ୍ରଭାବିତ କରିବା ଲାଗି ଏଆଇର ବ୍ୟବହାର ପରୀକ୍ଷାମୂଳକ ଭାବେ ସମ୍ପନ୍ନ କରିଥିବା ସୂଚନା ମିଳିଥିଲା। ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏଥିରେ ଉଦ୍ଯମ କରାଯାଇଥିବା ଜଣାପଡିଥିଲା।

ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତକାର ବେଳେ ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ ଗୋଟସ ଏଆଇ ସମ୍ପର୍କରେ ଆଲୋଚନା କରିବା ସହ ଏହାର ସାମାଜିକ ଉପଯୋଗ, ମହିଳା ସମ୍ପର୍କିତ ବିକାଶ, ଆଧୁନିକ ସ୍ବାସ୍ଥ୍ଯସେବା ଓ କୃଷିରେ ଏଆଇର ବ୍ଯବହାର ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ବିଶ୍ବର ପ୍ରାୟ ୬୪ଟି ରାଷ୍ଟ୍ରରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଅର୍ଥାତ ବିଶ୍ବ ଜନସଂଖ୍ଯାର ପ୍ରାୟ ୪୯ ପ୍ରତିଶତ ଲୋକ ଏହି ନିର୍ବାଚନରେ ସାମିଲ ହେବେ। ତେବେ ସବୁଠାରୁ ବଡ଼ କଥା ହେଲା ଚଳିତ ବର୍ଷ ନିର୍ବାଚନକୁ ବିଭିନ୍ନ ଦିଗରେ ପ୍ରଭାବିତ କରିବା ଲାଗି ଚୀନ ଓ ନର୍ଥକୋରିଆର ସାଇବର ଗ୍ରୁପ ସାମିଲ ହେବା ଆଶଙ୍କା ରହିଛି। ଏଆଇ ଜରିଆରେ ମିଥ୍ଯା ସୂଚନା ପ୍ରସାରଣ, ଡିପଫେକ ଜରିଆରେ ମନଗଢ଼ା କାହାଣୀର ପ୍ରସାର ଉପରେ ଚୀନ ଗୁରୁତ୍ବ ଦେବା ଆଶଙ୍କା ରହିଛି। ତାଇୱାନ ନିର୍ବାଚନ ସମୟରେ ବେଜିଂର ଷ୍ଟର୍ମ ୧୩୭୬ ନାମକ ସଂସ୍ଥା ବା ସ୍ପାମୋଫ୍ଲେଜ ଜରିଆରେ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଯୋଜନା କରାଯାଇଥିଲା।

ସାରା ଦେଶରେ ଆମ୍ ଆଦମୀ ପାର୍ଟି ପାଳନ କରୁଛି ସାମୂହିକ ଉପବାସ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫଦାରୀର ପ୍ରତିବାଦ । ରବିବାର ସାରା ଦେଶରେ ଆମ୍ ଆଦମୀ ପାର୍ଟି ପାଳନ କରୁଛି ସାମୂହିକ ଉପବାସ । ଦିଲ୍ଲୀ ମଦନୀତି ମାମଲାରେ କେଜରିଓ୍ବାଲଙ୍କୁ ବିନା କାରଣରେ ଫସାଇ ଦିଆଯାଇଛି ବୋଲି ଦଳ ଅଭିଯୋଗ କରିବା ସହ ଏହି ଉପବାସ ପାଳନ କରୁଛି । କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ କେଜରିଓ୍ବାଲଙ୍କ ସମର୍ଥକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଆପ୍ ମନ୍ତ୍ରୀ ଗୋପାଳ ରାଏ । ଦିଲ୍ଲୀ ଜନ୍ତରମନ୍ତରରେ ଏହି ଆନ୍ଦୋଳନ କରାଯାଉଛି । ଅହିଂସା ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି । ଗିରଫ ପ୍ରତିବାଦରେ ଗତ ମାସରେ ପ୍ରଧାନମନ୍ତ୍ରୀ ଆବାସ ଘେରାଉ କରିଥିଲା । ଏହା ସହ ବିଭିନ୍ନ ଆନ୍ଦୋଳନ ଜରିଆରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ ଆପ୍ କର୍ମୀ । ସେପଟେ କେଜରିଓ୍ବାଲ ଜେଲରେ ରହିଲେ ବି ଦଳର ନେତୃତ୍ବ ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି ଆପ୍ ନେତା । ଗତ ମାର୍ଚ୍ଚ ୨୧ରେ କେଜରିଓ୍ବାଲ ଗିରଫ ହେବା ପରେ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ଜୋରଦାର ପ୍ରଦର୍ଶନ ହୋଇଥିଲା । ଏଥିରେ ପ୍ରାୟ ୨୦ଟି ଦଳର ନେତାମାନେ ସାମିଲ ହୋଇଥିଲେ ।

କଂଗ୍ରେସରେ ଟିକେଟ ବିକ୍ରି ହେଉଛି: ପାଣ୍ଡଵ କର୍ଣ୍ଣ

ବରଗଡ଼: ଟଙ୍କା ଦମରେ କଂଗ୍ରେସରେ ମିଳୁଛି ଟିକେଟ। ଦଳ ଟିକେଟ ବିକ୍ରି ହେଉଥିବା  ସାଙ୍ଘାତିକ ଅଭିଯୋଗ ଆଣିଲେ ବରଗଡ଼ର କଂଗ୍ରେସ ଟାଣୁଆ ନେତା ପାଣ୍ଡଵ କର୍ଣ୍ଣ । ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ ସୁଦ୍ଧା କଂଗ୍ରେସ ଦଳ ତାଙ୍କ ପ୍ରତି ଅବହେଳା କରିଥିବା ଏବଂ ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଚୟନ କରିନଥିବାରୁ ଅସନ୍ତୋଷ ଜାହିର କରିଛନ୍ତି । କଂଗ୍ରେସ ଦଳରେ ଟିକେଟ ବିକ୍ରି ହୋଇଥିବା ଏବଂ ତାଙ୍କୁ ଟିକେଟ ପାଇଁ ଟଙ୍କା ମାଗିଥିବା ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଦଳ ତାଙ୍କୁ ପ୍ରାର୍ଥୀ ଭାବରେ ଚୟନ ନକଲେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେବା ସହ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବେ ବୋଲି ଚେତାବନୀ ଦେଇଛନ୍ତି ।

ଅପରାଜିତା ଗୋବ୍ୟାକ ନାରାରେ କମ୍ପିଲା ବୋଲଗଡ

ଖୋର୍ଦ୍ଧା: ବେଗୁନିଆ ପରେ ବୋଲଗଡ। ଅପରାଜିତା ଗୋବ୍ୟାକ ନାରାରେ କମ୍ପିଲା ରାସ୍ତାଘାଟ । ସବୁଠି ତେଜୁଛି ଅପରାଜିତାଙ୍କ ବିରୋଧରେ ବିଜେପି କର୍ମୀଙ୍କ  ଅସନ୍ତୋଷ। ପ୍ରତିଦିନ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ ଅପରାଜିତାଙ୍କୁ ବିରୋଧ କରୁଛନ୍ତି ନିଜ ଦଳର କମୀ ଓ ନେତା । ଗତକାଲି ବେଗୁନିଆ ଗଡମାଣିତ୍ରୀ ପରେ ଆଜି ବୋଲଗଡ ବ୍ଲକ ଖଙ୍ଗୁରିଆ ପଞ୍ଚାୟତର ରାମ ମନ୍ଦିର ପୀଠରେ ଶତାଧିକ ବିଜେପି କର୍ମୀଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ହାତରେ ବିଜେପି ପତାକା ଧରି ଅପରାଜିତା ଗୋ ବ୍ୟାକ ନାରା ନେଇଥିଲେ ଦଳୀୟ କର୍ମୀ । ଗତ ୫ବର୍ଷ ହେଲା ସାଂସଦ ଅପରାଜିତା ବୋଲଗଡ ବେଗୁନିଆରେ ତୃଣମୂଳ ସ୍ତରର ଦଳୀୟ କର୍ମୀଙ୍କୁ ଉପେକ୍ଷିତ କରିଥିବା ଅଭିଯୋଗ ହୋଇଛି । ଏହାର ଜବାବ ଆଗାମୀ ନିର୍ବାଚନରେ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି କର୍ମୀ । ବୋଲଗଡରେ ମଣ୍ଡଳ ସ୍ତରୀୟ ବିଜେପି କର୍ମୀମାନେ ଆଗାମୀ ଦିନରେ `ଉପେକ୍ଷିତ କର୍ମୀ ସମ୍ମିଳନୀ’  ଆୟୋଜନ କରି  ସାଂସଦ ଅପରାଜିତାଙ୍କ ବିରୁଦ୍ଧରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବେ ବୋଲି ନିଷ୍ପତି ନେଇଛନ୍ତି । ବୋଲଗଡ ମଣ୍ଡଳ ବିଜେପି ନେତା ଚନ୍ଦ୍ରଭାନୁ ମହାରଥାଙ୍କ ନେତୃତ୍ୱରେ ଆୟୋଜିତ ଏହି ଉପେକ୍ଷିତ କର୍ମୀ ସମ୍ମିଳନୀରେ ସଭାପତି ରବୀନ୍ଦ୍ର ସାଥୁଆ ,  ଲକ୍ଷ୍ମୀଧର ସାମନ୍ତରାୟ, ଦଳେଇ ସାହି ପଞ୍ଚାୟତ ସଭାପତି ଧରମା ମହାରଣା,  ଦଳେଇ ସାହି ପଞ୍ଚାୟତ ଉପସଭାପତି ଏବଂ ଭାବଗ୍ରାହୀ ପ୍ରଧାନଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ । ଆଗାମୀ ନିର୍ବାଚନୀ ବିଜେପି ସାଂସଦ ପାର୍ଥି ଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।