spot_img
Home Blog Page 1928

ଖଲ୍ଲିକୋଟ ରାଜନୈତିକ ହିଂସାର ତଦନ୍ତ କରିବ ଏସଆଇଟି

ଭୁବନେଶ୍ବର: ଖଲ୍ଲିକୋଟ ରାଜନୈତିକ ହିଂସା ମାମଲାର ତଦନ୍ତ କରିବ ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ । ୩୦ ଦିନ ଭିତରେ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ । ଅତିରିକ୍ତ ପୋଲିସ ଡିଜି ଆର. କେ ଶର୍ମା ଛତ୍ରପୁରରେ କ୍ଯାମ୍ପ କରି ରହିବେ । ଆଇନଶୃଙ୍ଖଳା ସ୍ଥିତି ଉପରେ ନଜର ରଖିବା ସହ ଶୀଘ୍ର ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

ଗତ ୧୫ ତାରିଖରେ ୮ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଉପରେ ଉତ୍ତ୍ଯକ୍ତ ଲୋକ କରିଥିଲେ ଆକ୍ରମଣ । ଉତ୍ତ୍ଯକ୍ତ ଲୋକଙ୍କୁ ଘଉଡ଼ାଇବାକୁ ମୃଦୁ ଲାଠି ଚାଳନା କରିଥିଲା ପୋଲିସ । ଉକ୍ତ ଦିନ ଶ୍ରୀକୃଷ୍ଣଶରଣପୁରରେ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ । କର୍ତ୍ତବ୍ଯରେ ଅବହେଳା ପାଇଁ ଖଲ୍ଲିକୋଟ ଥାନାର ୪ ପୋଲିସ କର୍ମଚାରୀଙ୍କୁ ଏସପି ଅଫିସକୁ ବଦଳି କରାଯାଇଥିଲା । ହିଂସାରେ ବିଜେଡିର ୮ ଜଣ କର୍ମୀ ଗୁରୁତର ହୋଇଥିବାବେଳେ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ଯୁ ଘଟିଥିଲା ।

ମିଶନ ଶକ୍ତି ମାଆଙ୍କୁ ବିଜେପି ନେତା ଡରାଉଥିବା ଅଭିଯୋଗ, ସିଇଓଙ୍କ ଦ୍ବାରସ୍ଥ ହେଲା ବିଜେଡି

ଭୁବନେଶ୍ବର: ସମ୍ବଲପୁରରେ ବିଜେପି ନେତା ମହିଳାଙ୍କୁ ଡରାଇବା, ଖରାପ ଭାଷାରେ ଗାଳିଗୁଲଜ କରିବା, ଧମକଚମକ ଦେଉଥିବା ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହେଲା ବିଜେଡି ।

ସମ୍ବଲପୁର ଜିଲ୍ଲାର ପୂର୍ବତନ ଏମପିଙ୍କ ନୋମିନି ତଥା ବିଜେପି ନେତା ନରେଶ ସିଂ ଠାକୁର ବାମରା ବ୍ଲକର ଏମବିକେ, ଆଶା, ଅଙ୍ଗନୱାଡ଼ି କର୍ମୀଙ୍କୁ ଡରାଇବା ଓ ଧମକାଇବା ସହିତ ଫୋନରେ ଅଶୀଳ ଭାଷାରେ ଗାଳି କରୁଛନ୍ତି । ୩ ମିନଟ ୨୧ ସେକେଣ୍ଡର ଏକ ଅଡିଓ ରେକର୍ଡିଂକୁ ଆଜି ନିର୍ବାଚନ କମିଶନଙ୍କ ପାଖରେ ଦେଇ ସମ୍ପୃକ୍ତ ମହିଳାଙ୍କ ସୁରକ୍ଷା ଦାବି କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଦଳ ।

ସ୍ଥିତି ଏମିତି ହୋଇଛି, ବିଜେପି ନେତାଙ୍କ ଭୟରେ ଏମବିକେ, ଏସଏସଜି ମହିଳାମାନେ ଘରୁ ବାହାରି ପାରୁନାହାନ୍ତି । ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି ଏବେ ଚରମ ସୀମାରେ ପହଁଚି ଥିବା ଅଭିଯୋଗ କରି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ନିବେଦନ କରିଛି ବିଜେଡି ।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ବ୍ଲକ ଅଞ୍ଚଳର ବିଜେପି ନେତା ଏବେ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି । ମିଶନ ଶକ୍ତିରେ କାମ କରୁଥିବା ମହିଳାଙ୍କ ବ୍ୟକ୍ତିଗତ ଜୀବନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କର ଫୋନ ଟାପିଂ କରୁଛନ୍ତି । ପୁଣି ଧମକଚମକ ଦେଉଛନ୍ତି । ବିଜେପି ନେତାଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ମହିଳାମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ମହିଳା ହୋମଗାର୍ଡଙ୍କ ମାନବିକତା, ଡ୍ୟୁଟିରେ ଥାଇବି ପଥଚାରୀଙ୍କୁ ଦେଉଛନ୍ତି ଥଣ୍ଡାପାଣି

ଭୁବନେଶ୍ବର: ଏବେ ବି ବଞ୍ଚିଛି ମଣିଷପଣିଆ । ପାଖରେ ଧନ ନାହିଁ ହେଲେ ଅନ୍ୟକୁ ସାହାଯ୍ୟ କରିବାର ଅଛି ବିଶାଳ ମନ। ରାଜଧାନୀ ରାଜରାସ୍ତାରେ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଟ୍ରାଫିକ ଦାୟିତ୍ବରେ ଥିବା ଜଣେ ମହିଳା ହୋମଗାର୍ଡଙ୍କ ସେବା ମନୋବୃତ୍ତି। ଖରାରେ ଆଉଟୁ ପାଉଟୁ ପଥଚାରୀଙ୍କୁ ବଢ଼ାଇଛନ୍ତି ସାହାଯ୍ୟର ହାତ। ଡ୍ୟୁଟିରେ ଥାଇ ମଧ୍ୟ ପଥଚାରୀଙ୍କୁ ଦେଉଛନ୍ତି ଥଣ୍ଡା ପାଣି। ଗାଡ଼ିଟିଏ ଖରାପ ହେଲେ ପାରୁ ପର୍ଯ୍ୟନ୍ତ କରୁଛନ୍ତି ସହଯୋଗ ।

ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି କାର୍ତ୍ତିକ ଆର୍ୟାନଙ୍କ ମାମୁଁ ମାଇଁ

ମୁମ୍ବାଇ: ନିକଟରେ ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅଭିନେତା କାର୍ତ୍ତିକ ଆର୍ୟାନଙ୍କ ମାମୁଁ ମାଇଁ  । ମୁମ୍ବାଇରେ ଘୂର୍ଣ୍ଣିଝଡ ଯୋଗୁଁ ଘାଟକୋପର ଅଞ୍ଚଳରେ ଏକ ହୋର୍ଡିଂ ଖସିଯିବା ପରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ସମ୍ପର୍କୀୟଙ୍କୁ ହରାଇଛନ୍ତି କାର୍ତ୍ତିକ ଆର୍ୟନ । ଦୁର୍ଘଟଣାର ୫୬ ଘଣ୍ଟା ପରେ କାର୍ତ୍ତିକ ଆର୍ୟ୍ୟନଙ୍କ ମାମୁଁ ଏବଂ ମାଇଁଙ୍କ ମୃତଦେହ ମିଳିଛି। ବର୍ତ୍ତମାନ ସୁଦ୍ଧା ଅଭିନେତା କାର୍ତ୍ତିକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

କିଛିଦିନ ପୂର୍ବରୁ ଇନ୍ଦୋର ବିମାନ ବନ୍ଦରର ପୂର୍ବତନ ନିର୍ଦ୍ଦେଶକ ଥିବା ଅଭିନେତାଙ୍କ ମାମୁଁ ମନୋଜ ଖାନସୋରିଆ ତାଙ୍କ ପତ୍ନୀ ଅନୀତା ଚାନସୋରିଆଙ୍କ ସହ ମୁମ୍ବାଇ ଆସିଥିଲେ। ସେ ଜବଲପୁରର ସିଭିଲ୍ ଲାଇନ୍ସରେ ରହୁଥିଲେ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ମୁମ୍ବାଇ ଯାଇଥିଲେ। କିଛି ଦିନ ପରେ ପୁଅକୁ ଭେଟିବା ପାଇଁ ସେ ଆମେରିକା ଯାଇଥାନ୍ତେ। ସେ କିଛି ଦିନ ମୁମ୍ବାଇରେ ରହିବାକୁ ଆସିଥିଲେ ।

 

କିନ୍ତୁ ଯେତେବେଳେ ତାଙ୍କ ପୁଅ ୟଶ ପିତାମାତାଙ୍କ ସହ କଥା ହୋଇପାରିନଥିଲେ, ସେତେବେଳେ ସେ ସମ୍ପର୍କୀୟଙ୍କ ସାହାଯ୍ୟ ନେଇଥିଲେ। ଏହା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପିତାମାତା ମୁମ୍ବାଇ ଝଡ଼ରେ ଫସି ରହିଛନ୍ତି। ଘଟଣାର ଅନୁସନ୍ଧାନ କରିବାର ୫୬ ଘଣ୍ଟା ପରେ ସେମାନଙ୍କ ମୃତଦେହ ମିଳିଥିଲା।

ଏହି ଦୁର୍ଘଟଣାର ୬୦ ଘଣ୍ଟା ପରେ ୧୬ ଜଣଙ୍କ ମୃତଦେହ ମିଳିଥିଲା  । ଏହି ଦୁର୍ଘଟଣାରେ ୭୫ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ଘଟିଥିବା ସ୍ଥାନକୁ ସିଲ୍ କରାଯାଇ ଅଧିକ ତଦନ୍ତ ଆରମ୍ଭ ହେବ  ।

 

ଧରାପଡିଲା ବାରିପଦା ସହରରେ ଆତଙ୍କ ଖେଳାଇଥିବା ବାଘ

ବାରିପଦା: ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ବନବିଭାଗ ହାତରେ ଧରାପଡିଛି ଶିମିଳିପାଳ ବାଘ । ତାକୁ ଠାବ କରିବା ପରେ ଟ୍ରାଙ୍କୁଲାଇଜ କରାଯାଇଛି। ଟ୍ରାଙ୍କୁଲାଇଜ ପରେ ମଧ୍ୟ ସେ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା । ହେଲେ ଜଣଙ୍କ ଘର ନିକଟରେ ଅଚେତ ହୋଇ ପଡି ଯାଇଥିଲା ।

ବନବିଭାଗର କର୍ମଚାରୀ ମାନେ ତାକୁ ସତର୍କତାର ସହ କେଜ୍‌ ଭିତରକୁ ଆଣିଥିଲେ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ସମ୍ରାଟ ଗୈାଡା ବାଘଟିକୁ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା କାର୍ଯ୍ୟାଳୟକୁ ନେଇ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି । ବାଘଟି ସୁସ୍ଥ ହେବା ପରେ ଜଙ୍ଗଲରେ ଛଡାଯିବ ।

କେରଳରେ ଦ୍ରୁତ ଗତିରେ ବ୍ୟାପୁଛି ହେପାଟାଇଟିସ୍‌ ଏ, ଦୁଇ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ

କୋଚି: କେରଳରେ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ହେପାଟାଇଟିସ୍ ଏ ରୋଗ । ଯକୃତ ସଂକ୍ରମଣ କାରଣରୁ କେରଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ତଥାପି, ଏଥିରେ କୌଣସି ସୁଧାର ଆସିନଥିବା ଜଣାପଡିଛି।

କେରଳର ମାଲାପୁରମ୍, ଏର୍ନାକୁଲମ୍, କୋଜିକୋଡେ ଏବଂ ଥ୍ରିସୁରରେ ହେପାଟାଇଟିସ୍ ଏ ରୋଗ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଏହି ରୋଗର ୨ ହଜାର ରିପୋର୍ଟ ସାମନାକୁ ଆସିଛି । ରାଜ୍ୟ ସରକାର ଲୋକଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ରୋଗ କେରଳରେ ଏକ ସାଂଘାତିକ ରୂପ ନେଉଛି।

ହେପାଟାଇଟିସ୍ ଏ କ’ଣ ଏବଂ ଏହି ରୋଗ କିପରି ସାଂଘାତିକ ହୁଏ?

ହେପାଟାଇଟିସ୍ ଏ ଖରାପ ପାଣି ଏବଂ ଦୂଷିତ ଖାଦ୍ୟ ଯୋଗୁଁ ସୃଷ୍ଟି ହୋଇଥାଏ। ପ୍ରତ୍ୟେକ ରୋଗୀ ଠାରେ ଗମ୍ଭୀର ଲକ୍ଷଣ ଦେଖା ଦିଏ ନାହିଁ  । ଅଧିକାଂଶ କ୍ଷେତ୍ରରେ ରୋଗୀ ସୁସ୍ଥ ହୋଇଯାଏ, କିନ୍ତୁ କେତେକ କ୍ଷେତ୍ରରେ ଏହି ରୋଗ ଗୁରୁତର ହୋଇଯାଏ। ହେପାଟାଇଟିସ୍ ଯକୃତ ସଂକ୍ରମଣର କାରଣ ହୋଇଥାଏ | ଏହି ଜୀବାଣୁ ଯକୃତକୁ ଆକ୍ରାନ୍ତ କରିଥାଏ। ଏହା ମଧ୍ୟ କେତେକ ରୋଗୀଙ୍କଠାରେ ଜଣ୍ଡିସ ସୃଷ୍ଟି କରିଥାଏ । ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ ତେବେ ଏହା ଯକୃତକୁ କ୍ଷତି ପହଞ୍ଚାଇଥାଏ  । ଏହି ରୋଗ ଯକୃତ ବିଫଳତାର କାରଣ ମଧ୍ୟ ହୋଇଥାଏ  । ଏପରି ପରିସ୍ଥିତିରେ ଯକୃତ ପ୍ରତିରୋପଣ ଆବଶ୍ୟକ ହୋଇଥାଏ  । ଯଦି ଏହା ନହୁଏ ତେବେ ରୋଗୀର ମୃତ୍ୟୁ ହେବାର ଆଶଙ୍କା ରହିଥାଏ ।

ଲକ୍ଷଣ:

କ୍ଲାନ୍ତି ଲାଗିବା

ହଠାତ୍ ବାନ୍ତି ଲାଗିବା

ପେଟ ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା

ମାଟି କିମ୍ବା ବାଦାମୀ ଝାଡା

ଭୋକ ନ ହେବା

ଜ୍ୱର

ଗାଢ ରଙ୍ଗର ପରିସ୍ରା

ଗଣ୍ଠି ଯନ୍ତ୍ରଣା

ଚର୍ମ ହଳଦିଆ ଏବଂ ଆଖିର ଧଳା ରଙ୍ଗ (ଜଣ୍ଡିସ)

ଶରୀରରେ ଘା’

 

ଚିକିତ୍ସା:

 ଯଦି ଆପଣଙ୍କ ଠାରେ ହେପାଟାଇଟିସ୍ ଏ ର ଲକ୍ଷଣ ଦେଖାଯାଉଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ  । ହେପାଟାଇଟିସ୍ ଏ ଟିକା କିମ୍ବା ଇମ୍ୟୁନୋଗ୍ଲୋବୁଲିନ୍ ନାମକ ଏକ ଆଣ୍ଟିବଡି ଇଞ୍ଜେକ୍ସନ୍ ଆପଣଙ୍କୁ ଜୀବାଣୁ ସଂସ୍ପର୍ଶରେ ଆସିବାର ଦୁଇ ସପ୍ତାହ ମଧ୍ୟରେ ସଂକ୍ରମଣରୁ ରକ୍ଷା କରିପାରିବ।

 

ସମ୍ବଲପୁର ମାଟିରୁ କେନ୍ଦ୍ରମନ୍ତ୍ରୀଙ୍କୁ ଏକାଧିକ ପ୍ରଶ୍ନ କଲେ କାର୍ତ୍ତିକ ପାଣ୍ଡିଆନ

ସମ୍ବଲପୁର: ସମ୍ବଲପୁର ମାଟିରୁ କେନ୍ଦ୍ରକୁ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମଲୋଚନା। ସମ୍ବଲପୁରରୁ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଛନ୍ତି ଏକାଧିକ ପ୍ରଶ୍ନ। କହିଥିଲେ, ଏ ଅଂଚଳର ଭାଷା, କଳା ଓ ସଂସ୍କୃତି ଲାଗି ସମ୍ବଲପୁର ପାଇଛି ସ୍ଵତନ୍ତ୍ର ପରିଚୟ। ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଠମ ଅନୁଚ୍ଛେଦରେ ସାମିଲ ଲାଗି ଲଗାତର ୫ ଥର ଧରି ପ୍ରସ୍ତାବ ପଠାଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ କେନ୍ଦ୍ର କିଛି କଲେ ନାହିଁ।

କାହିଁକି କୋଶଳୀ ଭାଷା ଆଜି ପର୍ଯ୍ୟନ୍ତ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଇନାହିଁ ବୋଲି ପଚାରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁରୀ ଶାଢୀରେ ଥିବା ଇକତ ଡିଜାଇନକୁ ସ୍ଵତନ୍ତ୍ର ପରିଚୟ ଦେବାକୁ ଦିଲ୍ଲୀରେ ଥିବା କୃଷି ଭବନର ଜିଜାଇନ ଏହି ସମ୍ବଲପୁରୀ ଶାଢୀ ଡିଜାଇନରେ କରାଯାଇଛି। ଏହି କୋଠାର ଡିଜାଇନ ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି। କଳାଭୂମିରେ ସମ୍ବଲପୁରୀ ଶାଢୀ ମ୍ଯୁଜିଅମ ତିଆରି କରୁଛନ୍ତି। ଅଂଚଳରୁ ଥିବା କେନ୍ଦ୍ରମନ୍ତ୍ରୀ ସମ୍ବଲପୁରୀ ଶାଢୀର ଉନ୍ନତି ଓ ଏହାକୁ ଜୀବିକା କରିଥିବା ବୁଣାକାରଙ୍କ ପାଇଁ କଣ କରିଛନ୍ତି ବୋଲି ପଚାରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ଏଠାରେ ଟେକ୍ସଟାଇଲ ପାର୍କ କରିପାରିଥାନ୍ତେ। ହେଲେ କଣ କରିଛନ୍ତି ବୋଲି ପଚାରିଛନ୍ତି। ବୁଣାକାରଙ୍କ ସହଯୋଗ ଲାଗି ସମ୍ବଲପୁରୀ ଶାଢୀର ରପ୍ତାନୀ ଲାଗି ପଦକ୍ଷେପ ନେଇପାରିଥାନ୍ତେ। ଏ ଅଂଚଳର ବରପୁତ୍ରଙ୍କ ସ୍ମୃତି ପୀଠ ଲାଗି କେନ୍ଦ୍ରମନ୍ତ୍ରୀ କିଛି କରିନାହାନ୍ତି। ଯାହା ବି କରିଛନ୍ତି ମୁଖ୍ୟମନ୍ତ୍ରୀ ବଡ଼଼ ବଡ଼ ସ୍ମୃତି ପୀଠ କରିଛନ୍ତି। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର କେନ୍ଦ୍ର ସହ ମିଶି ବେଆଇନ ଆଡ଼ିବନ୍ଧ ଓ ଡ୍ଯାମ ନିର୍ମାଣ କଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସୁପ୍ରିମକୋର୍ଟରେ ମହାନଦୀ ଟ୍ରିବ୍ଯୁନାଲ ଗଠନ ହେଲା। ଏହି ଟ୍ରିବ୍ଯୁନାଲ ଗଠନକୁ ବିରୋଧ କରିଥିଲେ କେନ୍ଦ୍ର ସରକାର।

ସେହି ସମୟରେ ଏଠାକାର କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଠିଆ ହୋଇଥିଲେ। ସମ୍ବଲପୁର, ବରଗଡ଼ ସହ ଶେଷରେ ଓଡ଼ିଶାକୁ ଭୁଲିଗଲେ କେନ୍ଦ୍ରମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ, ବିଜେପିକୁ ବିଜେଡିର ସମାଲୋଚନା

ଭୁବନେଶ୍ବର: ଚାଷୀଙ୍କ ସ୍ବାର୍ଥରେ ନବୀନ ସରକାର । ଚାଷୀଙ୍କ ବିଷୟରେ ଯଦି କିଏ ବେଶୀ ଭାବୁଛନ୍ତି ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ କାଳିଆ ଯୋଜନାରେ ଚାଷୀଙ୍କ ପିଲାମାନଙ୍କ ଉଚ୍ଚ ଅଧ୍ୟୟନ ପାଇଁ ବ୍ୟବସ୍ଥା ରହିଛି । ବିଜେପିର ନିର୍ବାଚନୀ ଇସ୍ତାହାର ପତ୍ର ହେଉଛି ଫମ୍ପା ଆବାଜ । ଚାଷ ଓ ଚାଷୀମାନଙ୍କ ବିଷୟରେ କିଛି ବି କଥା ଉଲ୍ଲେଖ କରି ନାହାନ୍ତି ବୋଲି ପ୍ରେସମିଟ କରି କହିଛି ବିଜେଡି ।

ରାଜ୍ୟ ସରକାର ଚାଷୀଙ୍କ ପାଇଁ ସ୍ବତନ୍ତ୍ର କୃଷି ବଜେଟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ବଜେଟ ହୋଇ ଖର୍ଚ୍ଚ ହୋଇଛି । କାଳିଆରେ ୬୪ଲକ୍ଷ ଚାଷୀଙ୍କୁ ୧୧ ହଜାର ୫୦୦ କୋଟି ସହାୟତା ପ୍ରଦାନ କରାଯାଇଛି । ସାରା ଦେଶକୁ ପିଡିଏସ ଚାଉଳ ଯୋଗାଣରେ ତୃତୀୟ ବୃହତ୍ ଯୋଗଦାନକାରୀ ରାଜ୍ୟ ଭାବେ ପରିଗଣିତ ହୋଇଛି। ୪ ବର୍ଷରେ ଚାଷୀଙ୍କୁ ବିନା ସୁଧରେ ୧.୪୫ ଲକ୍ଷ କୃଷି ଋଣ ଦିଆଯାଇଛି । ଗତ ୫ ବର୍ଷରେ ୨୦ ଲକ୍ଷ ହେକ୍ଟର ଜଳସେଚନ କରାଯାଇଛି ।

ଆଗାମୀ ୧୦ ବର୍ଷରେ ୨୦ ଲକ୍ଷ ହେକ୍ଟର ଜଳସେଚନ କରାଯିବ। କୃଷକଙ୍କ ଆୟ ଦ୍ଵିଗୁଣିତ କରାଯାଇଛି। ଅନ୍ୟ ରାଜ୍ୟ ତୁଳନାରେ ଦୃତ ଗତିରେ ଚାଷୀଙ୍କ ଆୟରେ ବୃଦ୍ଧି ହେଉଛି । ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ ଇସ୍ତାହାରରେ ଘୋଷଣା କରିଛି ବିଜେଡି । ଚାଷୀଙ୍କ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ମଣ୍ଡି ଖୋଲିବା ଓ ପୁରୁଣା ମଣ୍ଡିର ଆଧୁନିକୀକରଣ ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେବ ୫୦୦ କୋଟି ଟଙ୍କା ।

ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କୁ ଅବହେଳା କରିଛନ୍ତି। କିନ୍ତୁ ରାଜ୍ୟ ସରକାର ପ୍ରିମିୟମ ଛାଡ କରିଛନ୍ତି । ଆଗକୁ ବି ଏହା ଜାରି ରହିବ। ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। MSP ୨୯୩୦ ଟଙ୍କା କରିବାକୁ ୨୦୧୭ରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ବି ଦିଲ୍ଲୀରେ ସ୍ୱର ଉଠାଇଥିଲେ। ବିଜେଡି ସାଂସଦ ବି ସଂସଦ ଭିତରେ ଓ ବାହାରେ ପ୍ରସଙ୍ଗ ଉଠାଇଥିଲେ ବି କେନ୍ଦ୍ର ସରକାର ଶୁଣି ନାହାଁନ୍ତି । ବିଜେପି ତାର ଜାତୀୟ ଇସ୍ତାହାରରେ MSP ବାବଦରେ ପଦୁଟିଏ ବି କହି ନାହାଁନ୍ତି। କିନ୍ତୁ ମିଛ ବିଜେପିର ନିର୍ବାଚନୀ ଇସ୍ତାହାର ହେଉଛି ଏକ ଫମ୍ପା ଆବାଜ।

ପୁଣି ବଢିଲା ତାପମାତ୍ରା, ଆହୁରି ତିନି ଦିନ ଉପକୂଳରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ବର: ରାଜ୍ଯକୁ ପୁଣି ଫେରିଲା ଗ୍ରୀଷ୍ମପ୍ରବାହ । ଗତ ଦୁଇଦିନ ଅପେକ୍ଷା ଆଜି ତାପାମାତ୍ରା ବୃଦ୍ଧି । ଆଗାମୀ ୨ ରୁ ୩ ଦିନ ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ବଢିବା ସହ ଉପକୂଳ ତଥା ଏହାର ପାର୍ଶ୍ଵବର୍ତ୍ତୀ ସ୍ଥାନମାନଙ୍କରେ ଗୁଳୁଗୁଳି ଅଧିକ ରହିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ଅପରାହ୍ନ ସମୟରେ ଆଭ୍ୟନ୍ତରୀଣ ତଥା ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାମାନଙ୍କରେ ବର୍ଷା ନେଇ ସମ୍ଭାବନା ରହିଛି। ବର୍ତ୍ତମାନର ଆକଳନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ମିଆଁମାର ଆଡକୁ ଯିବା ସମ୍ଭାବନା କମ । ସମ୍ଭବତଃ ପଶ୍ଚିମବଙ୍ଗ-ଆନ୍ଧ୍ରପ୍ରଦେଶ ମୁହାଁ ହେବା ସମ୍ଭାବନା ଅଧିକ, ତେବେ କେବେ ଘନୀଭୂତ ହେବ ତାହା ଏବେଠୁ ଆକଳନ କରିବା କଷ୍ଟ।

ପୁଣି ଆକାଶଛୁଆଁ ସୁନା ଦର, ଜାଣନ୍ତୁ କେଉଁ ସହରରେ କେତେ ଦାମ୍‌ ?

ନୂଆଦିଲ୍ଲୀ: ପୁଣି ବଢିଲା ସୁନା ଦର  । ଆନ୍ତର୍ଜାତୀୟ ବଜାରରେ ଅଭିବୃଦ୍ଧି ମଧ୍ୟରେ ଘରୋଇ ବଜାରରେ ଶୁକ୍ରବାର ଦିନ ସୁନା ଦର ପୁଣି ଥରେ ବୃଦ୍ଧି ପାଇଛି। ସୁନା ମୂଲ୍ୟ ଗ୍ରାମ ପିଛା ୭୦୦ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ୧୦ ଗ୍ରାମ ସୁନା ଦର ୭୪,୧୮୦ ଟଙ୍କା ରହିଛି। ସୁନା ମୂଲ୍ୟ ବୃଦ୍ଧି ହେତୁ ଏହା ପୁଣି ୭୫ ହଜାର ଟଙ୍କାରେ ପହଞ୍ଚିବାକୁ ପ୍ରସ୍ତୁତ  । ଏଥି ସହିତ ରୂପା ଦର ମଧ୍ୟ ୮୯,୨୦୦ ଟଙ୍କା ରହିଛି ।

 

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଜୁନ୍ ସୁନାର ବେଞ୍ଚମାର୍କ ଚୁକ୍ତି ଆଜି ୭୨,୯୦୭ ଟଙ୍କା ମୂଲ୍ୟ ରହିଛି। ଖବର ଲେଖିବା ସମୟରେ, ଏହି ଚୁକ୍ତି ୨୮୦୦ ଟଙ୍କା ବୃଦ୍ଧି ସହିତ ୭୩,୦୦୮ ଟଙ୍କାରେ କାରବାର କରିଥିଲା ​​ । ଏହି ସମୟରେ ଏହା ଦିନର ସର୍ବୋଚ୍ଚ ୭୩୦୦୮ ଟଙ୍କା ଏବଂ ଦିନର ସର୍ବନିମ୍ନ ୭୨,୮୩୩ ଟଙ୍କା ଛୁଇଁଛି  । ସୁନାର ଫ୍ୟୁଚର ମୂଲ୍ୟ ଗତ ମାସରେ ସର୍ବୋଚ୍ଚ ସ୍ତରକୁ ୭୩,୯୫୮ ଟଙ୍କା ଛୁଇଁଥିଲା।

 

ସହର ୨୨ କ୍ୟାରେଟ୍ ସୁନା ହାର ୨୪ କ୍ୟାରେଟ୍ ସୁନା ହାର
ଚେନ୍ନାଇ 67,960 74,410
କୋଲକାତା 67,860 74,030
ଗୁରୁଗ୍ରାମ 68,010 74,180
ଲକ୍ଷ୍ନୌ 68,010 74,180
ବେଙ୍ଗାଲୁରୁ 67,860 74,030
ଜୟପୁର 68,010 74,180
ପାଟନା 67,910 74,080
ଭୁବନେଶ୍ୱର 67,860 74,030
ହାଇଦ୍ରାବାଦ 67,860 74,030