spot_img
Home Blog Page 1926

ସାଧାରଣ ନିର୍ବାଚନ ଲାଗି ଜୋର ଧରିଲା ପ୍ରଚାର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଲାଗି ଜୋର ଧରିଲା ପ୍ରଚାର। ପ୍ରଧାମନମନ୍ତ୍ରୀ ମୋଦିଙ୍କ ସହ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆଜି ଜୋରଦାର ପ୍ରଚାର କରିଛନ୍ତି। ଛତିଶଗଡ଼ ଓ ମହାରାଷ୍ଟ୍ରରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ। ବିରୋଧୀ କଂଗ୍ରେସକୁ ପ୍ରଧାନମନ୍ତ୍ରୀ କଡ଼ା ସମାଲୋଚନା କରିବା ସହ ବିଜେପି ସପକ୍ଷରେ ଭୋଟ ମାଗିଛନ୍ତି।

ଛତିଶଗଡ଼ର ବସ୍ତର ଓ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। ବସ୍ତର ଭାନପୁରୀର ଅମ୍ବାଲ ଗାଁରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। ମହାରାଷ୍ଟ୍ର ଚନ୍ଦ୍ରପୁରରେ ବିଜେପି ଲୋକସଭା ପ୍ରାର୍ଥୀ ସୁଧୀର ମୁଙ୍ଗତିୱାରଙ୍କ ଲାଗି ସେ ଭୋଟ ମାଗିଥିଲେ ।

ସେପଟେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି ଆଜି ମଧ୍ୟପ୍ରଦେଶରେ ପ୍ରଚାର କରିଛନ୍ତି। ମଧ୍ୟପ୍ରଦେଶର ସିଓନିରେ ଦଳୀୟ ନେତାଙ୍କ ସପକ୍ଷରେ ଭୋଟ ମାଗିଛନ୍ତି ରାହୁଲ। ସରକାରୀ ଦଳକୁ କଡ଼ା ସମାଲୋଚନା କରିବା ସହ ରାଜନୀତିର ବିଜେପି ଓ କଂଗ୍ରେସ ମଧ୍ୟରେ ଏ ନୀତି ଆଦର୍ଶର ଲଢେଇ ବୋଲି କହିଛନ୍ତି ରାହୁଲ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶର ଆଦିବାସୀ ଅଂଚଳରେ କଂଗ୍ରେସକୁ ଅନେକ ସମର୍ଥନ ମିଳିଛି। ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷିତ ଥିବା ୪୭ ବିଧାନସଭା ଆସନରୁ ୨୨ ଆସନରେ ବିଜୟୀ ହୋଇଥିଲା କଂଗ୍ରେସ। ଆସନ୍ତା ସପ୍ତାହରେ ପ୍ରିୟଙ୍କା ମଧ୍ୟ ଏଠାରେ ନିର୍ବାଚନୀ ପ୍ରଚାର କରିବେ ବୋଲି ଜଣାପଡିଛି।

ଅପରପକ୍ଷେ ଦିଲ୍ଲୀରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି ଆମ ଆଦମୀ ପାର୍ଟି। ଦିଲ୍ଲୀର ଆନନ୍ଦପୁର ସାହିବରୁ ଆମ ଆଦମୀ ପାର୍ଟି ପ୍ରଚାର ଆରମ୍ଭ କରିଛି। ଜେଲ କା ଜବାବ ଭୋଟରେ ନାରା ଦେଇ ଏହି ପ୍ରଚାର ଆରମ୍ଭ କରିଛି ଦଳ। ନାରା ଦେଇଛି ଜେଲର ଜବାବ ଭୋଟରେ ଦିଆଯିବ। ଏହି ଅଭିଯାନ ଜରିଆରେ ଦିଲ୍ଲୀର ପ୍ରତି ଘରକୁ ଯିବ ଆମ ଆଦମୀ ପାର୍ଟି। ଦିଲ୍ଲୀର ୪ ଲୋକସଭା ଆସନରେ ଆମ ଆଦମୀ ପାର୍ଟି ଏହି କ୍ଯାମ୍ପେନ୍ ଆରମ୍ଭ କରିଛି। ଏହି ଅଭିଯାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫକୁ ବିରୋଧ କରିଛନ୍ତି ଆମ ଆଦମୀ ପାର୍ଟିର ନେତା ।

କେଉଁ ବାପା ନିଜ ପୁଅ ସମର୍ଥନରେ ନରହିବ: ସୁର ରାଉତରାୟ

ଭୁବନେଶ୍ୱର: କଂଗ୍ରେସ କାରଣଦର୍ଶାଅ ନୋଟିସର ରୋକଠୋକ୍ ଉତ୍ତର ଦେଲେ ଦଳର ବିଧାୟକ ସୁରେଶ ରାଉତରାୟ। କହିଛନ୍ତି, ସେ ଅନ୍ଯ କୌଣସି ଦଳ ପାଇଁ ପ୍ରଚାର କରିନାହାନ୍ତି । ପୁଅ ମନ୍ମଥ ଭୁବନେଶ୍ବରରୁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥିବାରୁ କେଉଁଠି କେଉଁଠି ତା’ ସହ ସାକ୍ଷାତ ହୋଇଯାଉଛି। ସେ କିନ୍ତୁ କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି। ଏହା ସତ୍ତ୍ବେ କଂଗ୍ରେସ ତାଙ୍କୁ କାଢ଼ିଦେଲେ ବି ଶେଷ ଯାଏଁ ସେ ଦଳ ପାଇଁ କାମ କରିବେ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୁଁ କଂଗ୍ରେସ ମ୍ୟାନ। କଂଗ୍ରେସରେ ଅଛି ଓ ରହିବି। କଂଗ୍ରେସ ମୋତେ କାଢ଼ି ଦେଲେ ବି ମୁଁ ଦଳ ପାଇଁ କାମ କରିବି। ତୃତୀୟ ଥର ପାଇଁ କଂଗ୍ରେସ କାରଣଦର୍ଶାଅ ନୋଟିସର ଉତ୍ତର ଦେଇ ଏମିତି କହିଛନ୍ତି କଂଗ୍ରେସ ହେଭିଓ୍ବେଟ ତଥା ଚର୍ଚ୍ଚିତ ବିଧାୟକ ସୁରେଶ ରାଉତରାୟ। ଦୀର୍ଘବର୍ଷ ଧରି ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଲୋକଙ୍କ ସୁଖଦୁଃଖରେ ସାଥୀ ହୋଇଛି। କଂଗ୍ରେସ ପାଇଁ ମୁଁ ପ୍ରଚାର କରୁଛି। ଆଗକୁ ମଧ୍ୟ କରିବି’’।

ପୁଅ ବିଜେଡି ପ୍ରାର୍ଥୀ ହୋଇଥିଲେ ମଧ୍ୟ ମୁଁ ଦଳୀୟ ଶୃଙ୍ଖଳା ଭାଙ୍ଗିନାହିଁ ବୋଲି ଗଣମାଧ୍ୟମରେ ଗର୍ଜନ କରି ସୁର କହିଛନ୍ତି । ତେବେ ଯିଏ ପଚାରିବ ପୁଅକୁ ଭୋଟ ଦେବୁ କି ? ମୁଁ କହିବି ଦିଅ । କେଉଁ ବାପା ନିଜପୁଅ ସମର୍ଥନରେ ନରହିବ ବୋଲି ସୁର ପ୍ରଶ୍ନ କରିଛନ୍ତି ।

ବିଜେପିରେ ବଢୁଛି ଦଳୀୟ କନ୍ଦଳ

ପୁରୀ: ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ଓ ସତ୍ୟବାଦୀ ବିଧାୟକ ପ୍ରାର୍ଥୀଙ୍କୁ ନିଜ ଦଳରୁ ବିରୋଧ। ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶଙ୍କୁ ଲୋକ ପସନ୍ଦ କରୁନାହାନ୍ତି। ସତ୍ୟବାଦୀ ଅଞ୍ଚଳର ବରିଷ୍ଠ ବିଜେପି ନେତା କୃଷ୍ଣ ଜଗଦେବଙ୍କ ସମେତ ଅନେକ ନେତା ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି। ଓମଙ୍କ ନାଁରେ ଅନେକ ଅପରାଧିକ ମାମଲା ସମେତ ଯୌନ କେଳେଙ୍କାରୀ ଅଭିଯୋଗ ଅଛି। ଏହା ସତ୍ତ୍ୱେ ତାଙ୍କୁ ପ୍ରାର୍ଥୀ ଘୋଷଣା ପଛରେ ସ୍ୱାର୍ଥ ରହିଥିବା ଅଭିଯୋଗ ଆଣିଛନ୍ତି କୃଷ୍ଣ ଜଗଦେବ ।

ଯୁବନେତା କାମାକ୍ଷା ପ୍ରଧାନଙ୍କୁ ବିଜେପି ଟିକେଟ ଦେବା ପାଇଁ ନିବେଦନ କରାଯାଇଥିବା ବେଳେ ବିଚାର ନକଲେ ଆଗାମୀ ଦିନରେ ବିଜେପିରୁ ସାମୂହିକ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି କୃଷ୍ଣ। ସେହିପରି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣିଛନ୍ତି କୃଷ୍ଣ ଜଗଦେବ। ସତ୍ୟବାଦୀ ଅଞ୍ଚଳରେ ଲୋକମାନଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା କମାକ୍ଷା ପ୍ରଧାନ ମଧ୍ୟ ବିଜେପିର ଏପରି ନିଷ୍ପତ୍ତି ଓ ଅଣଦେଖାକୁ ନିନ୍ଦା କରିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଅଦାଲତରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଅଦାଲତରୁ ମିଳିଛି ଆଶ୍ବସ୍ତି। କୋଲ୍ ସ୍କାମ ମାମଲାରେ ତଳକୋର୍ଟ ଦ୍ବାରା ହୋଇଥିବା ୩ ବର୍ଷ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ତଳକୋର୍ଟ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ଦିଲ୍ଲୀପ ରାୟ ହାଇକୋର୍ଟରେ ଅପିଲ କରିଥିଲେ।

୧୯୯୯ ଝାଡ଼ଖଣ୍ଡର ଗିରିଡ଼ିହର ଏକ କୋଇଲା ବ୍ଲକ କାଷ୍ଟ୍ରନ ଟେକ୍ନୋଲୋଜିକୁ ମିଳିଥିଲା। ଏଥିରେ ଅନିୟମିତତା ଅଭିଯୋଗ  ହେବାପରେ ଏହି ମାମଲାର ତଦନ୍ତ ସିବିଆଇ କରିଥିଲା। ସିବିଆଇ ଚୂଡ଼ାନ୍ତ ରିପୋର୍ଟରେ ଦିଲ୍ଲୀପ ରାୟଙ୍କ ସମେତ ଅନ୍ୟ ୫ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ସିବିଆଇ ରିପୋର୍ଟ ଆଧାରରେ ଦିଲ୍ଲୀର ଟ୍ରାଏଲ କୋର୍ଟ ଅକ୍ଟୋବର ୬, ୨୦୨୦ରେ ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ଲକ୍ଷ ଟଙ୍କା ଜରିମାନା ଏବଂ ୩ବର୍ଷ କାରାଦଣ୍ଡ ଶୁଣାଇଥିଲେ। ଟ୍ରାଏଲ କୋର୍ଟ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ହାଇକୋର୍ଟ ଯାଇଥିଲେ ଦିଲ୍ଲୀପ।

ଦିଲ୍ଲୀପଙ୍କ ରାଜନୈତିକ କ୍ୟାରିୟରକୁ ତର୍ଜମା କରିବା ସହ ହାଇକୋର୍ଟ ସମସ୍ତ ପକ୍ଷର ଯୁକ୍ତି ଶୁଣିଥିଲେ। ତିନି ବର୍ଷ ଜେଲ ଦଣ୍ଡାଦେଶ କାଏମ ରହିଥିଲେ ଦିଲ୍ଲୀପ ୨୦୨୪ ସାଧାରଣ ନିର୍ବାଚନ ଲଢିବାର ସୁଯୋଗ ହରାଇଥାନ୍ତେ। ସମସ୍ତ ଦିଗକୁ ବିଚାର କରି ହାଇକୋର୍ଟ ତଳକୋର୍ଟର ରାୟକୁ ସ୍ଥଗିତ ରଖିଛନ୍ତି। ଏହା ଫଳରେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କ ନିର୍ବାଚନ ଲଢିବାର ବାଟ ଫିଟିଛି।

ରାଜ୍ଯ କଂଗ୍ରେସ କାର୍ଯ୍ୟାଳୟରେ ହାଇଡ୍ରାମା

ଭୁବନେଶ୍ୱର: ଜଟଣୀ କଂଗ୍ରେସରେ ଫାଟ। ଅଧାରେ ଅଟକିଲା କଂଗ୍ରେସର ମିଶ୍ରଣ ପର୍ବ। ହୁଲୁସ୍ତୁଲ ହେଲା ରାଜ୍ଯ କଂଗ୍ରେସ କାର୍ଯ୍ୟାଳୟ। କଂଗ୍ରେସ ଭବନରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବାର ଥିଲା। ସନ୍ତୋଷ ଜେନାଙ୍କ ସମର୍ଥକ ମାନେ କଂଗ୍ରେସରେ ମିଶିବାକୁ ଆସିଥିବା ବେଳେ ଏହାକୁ ଆଉ ଏକ ଗୋଷ୍ଠୀ ବିରୋଧ କରିଥିଲେ।

ଟିକେଟ ଆଶାୟୀ  ସଂଗ୍ରାମ ରାଉତରାୟଙ୍କ ସମର୍ଥକ ମାନେ କଂଗ୍ରେସ ଭବନରେ ହୋହଲ୍ଲା କରିଥିଲେ। ଟିକେଟ ନଦେଲେ ପରିସ୍ଥିତି ଖରାପ ହେବ ବୋଲି ଚେତାବନୀ ଦେଇଥିଲେ ।  ସେମାନଙ୍କ ଅଭିଯୋଗ ସୁର ଓ ତାଙ୍କ ବଡ଼ ପୁଅ ଦୀର୍ଘଦିନରୁ ସଂଗ୍ରାମଙ୍କୁ ପ୍ରାର୍ଥୀ କରିବାକୁ କହିଥିଲେ। ହେଲେ ଏବେ ଜଣେ ଜମି ମାଫିଆଙ୍କୁ ଆଣି ଟିକେଟ ଦେବାକୁ ବସିଛନ୍ତି। ସେପଟେ ସୁରଙ୍କ ପୁଅ ସିଦ୍ଧାର୍ଥ କହିଛନ୍ତି କଂଗ୍ରେସ ସଠିକ ସମୟରେ ସଠିକ ନିଷ୍ପତ୍ତି ନେବ।

କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଆବେଦନ ପ୍ରସଙ୍ଗ

ନୂଆଦିଲ୍ଲୀ: ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଆବେଦନ ପ୍ରସଙ୍ଗ। ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ତୃତୀୟ ଆବେଦନକୁ ଖାରଜ କରିଛନ୍ତି ଅଦାଲତ। ଏଭଳି ଆବେଦନ ଉପରେ ବିପୁଳ ପରିମାଣର ଜୋରିମାନା ହେବା ଆବଶ୍ୟକ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ମାମଲାରେ ଶୁଣାଣି କରି ଏଭଳି ମନ୍ତବ୍ୟ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ।

ଏହି ମାମଲାର ଶୁଣାଣି କରି ଅଦାଲତ କହିଛନ୍ତି ଯେ, ପୂର୍ବରୁ ଏ ପ୍ରସଙ୍ଗ ନେଇ ଦୁଇ ଦୁଇଟି ଆବେଦନ ଖାରଜ ହୋଇସାରିଛି। ଏଭଳି ସ୍ଥଳରେ ଏହି ଆବେଦନର କିଛି ମୂଲ୍ୟ ରହୁନାହିଁ। କେବଳ ପ୍ରଚାର ଲାଗି ଏଭଳି ଆବେଦନ କରାଯାଉଛି ବୋଲି କହିଛନ୍ତି ବିଚାରପତି। ଆମ ଆଦମୀ ପାର୍ଟି ପୂର୍ବତନ ନେତା ତଥା ମନ୍ତ୍ରୀ ସନ୍ଦୀପ କୁମାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବକୁ ଦାବି କରି ଆବେଦନ ରୁଜୁ କରିଥିଲେ। କେଜରିୱାଲଙ୍କୁ ଇଡି ଗିରଫ କରିଥିବାବେଳେ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ଅକ୍ଷମତା ପ୍ରଦର୍ଶନ କରୁଛନ୍ତି ବୋଲି ଆବେଦନରେ ପ୍ରକାଶ କରିଥିଲେ।

ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ଭାବେ ରହିବାର ଅଧିକାର କେଜରିୱାଲ ହରାଇ ସାରିଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରିଥିଲେ ଆମ ଆଦମୀ ପାର୍ଟି ନେତା ସନ୍ଦୀପ କୁମାର। ଏଭଳି ଜନସ୍ଵାର୍ଥ ମାମଲାକୁ କଡ଼ା ସମାଲୋଚନା କରିଛନ୍ତି ଜଷ୍ଟିସ ସୁବ୍ରମଣ୍ୟମ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନ ଏଭଳି ସମାନ ଆବେଦନକୁ ଖାରଜ କରିଥିଲେ। ଏପ୍ରିଲ ୪ ତାରିଖରେ ସାମାଜିକ କର୍ମୀ ବିଷ୍ଣୁଗୁପ୍ତଙ୍କ ଆବେଦନକୁ ଖାରଜ କରିଥିଲେ ମୁଖ୍ୟ ବିଚାରପତି। ଏହା ପୁର୍ବରୁ ମାର୍ଚ୍ଚ ୨୮ରେ ସୁରଜିତ ସିଂ ନାମକ ବ୍ଯକ୍ତି କରିଥିବା ଆବେଦନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

କପିଳାସକୁ ଗଲା ଢେଙ୍କାନଳରୁ ଉଦ୍ଧାର ସନ୍ଦିଗ୍ଧ ପାରା

କପିଳାସ: କପିଳାସକୁ ଗଲା ଢେଙ୍କାନଳରୁ ଉଦ୍ଧାର ସନ୍ଦିଗ୍ଧ ପାରା। ପୋଲିସର ପରାମର୍ଶ କ୍ରମେ ପାରାକୁ କପିଳାସ ସ୍ଥାନାନ୍ତର କରାଯାଇଛି। ପାରାକୁ ଦେଖିବା ପାଇଁ ଭୁବନେଶ୍ବରରୁ ପୋଲିସର କମ୍ୟୁନିକେସନ ବିଭାଗ ତରଫରୁ ଏକ ସ୍ଵତନ୍ତ୍ର ଟିମ୍ ଆସୁଥିବା ସୂଚନା ରହିଛି। ଏକ ଏକ୍ସପୋର୍ଟ ଟିମ୍ ଓ ଇଣ୍ଟେଲିଜେନ୍ସର ଟିମ୍ ମଧ୍ୟ କପିଳାସ ଅଭିମୁଖେ ଥିବା ଜଣାପଡିଛି।

ଏହି ସ୍ବତନ୍ତ୍ର ଟିମକୁ ପାରା ହସ୍ତାନ୍ତର କରାଯିବ। ଢେଙ୍କାନାଳ ଷଡ଼ଙ୍ଗୀ ରେଞ୍ଜ ଲାଉଲେଇ ଗାଁରୁ ଏହି ଚାଇନିଜ ପାରା ଜବତ ହୋଇଥିଲା। ପାରା ଗୋଡ଼ରେ ବନ୍ଧା ହୋଇଛି ସ୍ଵତନ୍ତ୍ର GPS। GPSରେ ଚାଇନିଜ୍ ଭାଷା ଲେଖା ଯିବା ସହିତ ଚାଇନିଜ ଆର୍ମିର ଚିହ୍ନ ରହିଛି। ଗତକାଲି ବର୍ଷା ପବନରେ ପାରାଟି ଖସି ପଡିଥିଲା। ବନବିଭାଗ କର୍ମଚାରୀ ପାରାଟିକୁ ଉଦ୍ଧାର କରିଥିଲେ। ଏନେଇ ପୋଲିସକୁ ଖବର ଦେବା ପରେ କପିଳାସ ସ୍ଥାନାନ୍ତର କରାଯାଇଛି।

ବିବାହ ବାର୍ଷିକରେ ଭିନ୍ନ ସଂକଳ୍ପ ନେଲେ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ

ଭୁବନେଶ୍ୱର: ନିଜ ବିବାହ ବାର୍ଷିକକୁ ଭିନ୍ନ ଏବଂ ମହତ ଢଙ୍ଗରେ ପାଳନ କରିଛନ୍ତି ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣେଲ ସବ୍ୟସାଚ୍ଚୀ ଦାଶ। ବିବାହ ବାର୍ଷିକରେ ଉଭୟ କ୍ୟାପିଟାଲ ହସ୍ପିଟାଲରେ ରକ୍ତଦାନ କରିବା ସହ ଅଙ୍ଗ ଦାନ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ଅଙ୍ଗଦାନ ଫର୍ମ ନମ୍ବର ୭ ପୂରଣ କରି ନିଜର ସ୍ୱୀକୃତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଅଙ୍ଗପ୍ରତିରୋପଣ ପାଇଁ ଅପେକ୍ଷା କରିଥିବା ବେଳେ ଡୋନରଙ୍କ ସଂଖ୍ୟା ବହୁତ କମ ରହିଛି। ତେବେ ଜନ୍ମ ଦିନ, ବିବାହ ବାର୍ଷିକୀ ବା କୌଣସି ଶୁଭ କାର୍ଯ୍ୟରେ ଲୋକେ ଅଙ୍ଗଦାନ ସହ ରକ୍ତ ଦାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣେଲ ସବ୍ୟସାଚୀ ଦାଶ।

ଶିକାରୀଙ୍କୁ ଧରୁଛି AI କ୍ୟାମେରା; ଗଜପତିରୁ ଧରା ପଡିଲେଣି ୭

ଗଜପତି: ବନ ବିଭାଗକୁ ବଡ ସଫଳତା। ଆନ୍ତ-ରାଜ୍ୟ ଜଙ୍ଗଲୀ ଶିକାର ରାକେଟର ହୋଇଛି ପର୍ଦ୍ଦାଫାସ। ଗଜପତିରୁ ଧରା ପଡିଛନ୍ତି ରାକେଟର ୭ ଜଣ ସଦସ୍ୟ। ତାଙ୍କ ନିକଟରୁ ୫ଟି କଲରପତାରିଆ ଓ ବଜ୍ରକାପ୍ତା ଚମଡା ଜବତ ହୋଇଛି। ରାଜ୍ୟ ବାହାରକୁ ବନ୍ୟପ୍ରାଣୀ ଅଙ୍ଗ ଚାଲାଣ ନେଇ ବଡ଼ ରାକେଟ କାମ କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାକେଟର ମୁଖ୍ଯ ଅଭିଯୁକ୍ତ ଫେରାର ରହିଥିବାବେଳେ ଏମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଦକ୍ଷିଣ ପୂର୍ବ ଦେଶରେ ବାଘ ହାଡ଼ ଓ ଚର୍ବିରୁ ପ୍ରସ୍ତୁତ ତେଲର ଚାହିଦା ରହିଥିବାରୁ ସେ ଦିଗରେ ତଦନ୍ତ କରାଯାଉଛି। ଓଡିଶା ଜଙ୍ଗଲକୁ ଶିକାରୀମୁକ୍ତ କରିବାକୁ ସ୍ୱତନ୍ତ୍ର ଯୋଜନା କରାଯାଇଛି। ଏଆଇ ସହାୟତାରେ ଚାଲିଛି ଶିକାରୀ ଦମନ। ଜଙ୍ଗଲରେ ଖଞ୍ଜା ଯାଇଛି କ୍ୟାମେରା । ଏହି କ୍ୟାମେରା ବିନା ଫ୍ଲାସରେ ଶିକାରୀର ଫଟୋ ଉଠାଉଛି ।

ଆଗକୁ କୁଲଡିହା ଓ ସାତକୋଶିଆରେ ଏହି କ୍ୟାମେରା ଲଗାଯିବ। କୁଲଡିହାରେ ବି ଦୁଇ ବନ କର୍ମଚାରୀଙ୍କୁ ଗୁଳି କରାଯିବା ପରେ ଅନେକ ଶିକାରୀଙ୍କୁ ଗିରଫ କରାଯାଇଛି। ଆଗକୁ ଏକ୍ସ ଆର୍ମି ଅଫିସରଙ୍କୁ କୁଲଡିହାରେ ନିୟୋଜିତ କରାଯିବ। ସାତକୋଶିଆ ପାଇଁ ସ୍ୱତନ୍ତ୍ର ଜେଟିଏଫ ଗଠିତ ହୋଇଛି। ଶିକାରୀ ଜଗିବା ପାଇଁ ଚନ୍ଦକାରେ ତିଆରି ୭ଟି ୱାଚ ଟାୱାର। ଏହାସହ ଶୀଘ୍ର ଏକ୍ସ ଆର୍ମି ଟିମ ନିୟୋଜିତ ହେବେ ବୋଲି ସୂଚନା ଦେଇଛନ୍ତି ବନ୍ଯପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।

ସରକାରୀ ଅଧିକାରୀଙ୍କୁ ଧମକ ଦେଉଛନ୍ତି ବିଜେପି ନେତା; ଏଭଳି ଅଭିଯୋଗ ଆଣିଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଧମକ ଦେଉଛନ୍ତି ବିଜେପି ନେତା ଓ କର୍ମୀ। ତାଙ୍କ ପାଇଁ କାମ ନକଲେ ନିର୍ବାଚନ କମିଶନଙ୍କୁ କହି ବଦଳି କରିଦେବାକୁ ଫୋନରେ ଦେଉଛନ୍ତି ଧମକ। ଏଭଳି ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଛି ବିଜେଡି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେପିକୁ ସମର୍ଥନ ନକଲେ ହଇରାଣ କରିବା ଓ ଅସୁବିଧାରେ ପକାଇବାକୁ ବିଜେପି ଧମକ ଦେଉଛି। ଏନେଇ ବିଜେଡି ମୁଖ୍ଯ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଛି। ବିଜେପି ନେତା ଓ ପ୍ରାର୍ଥୀମାନେ ନିର୍ବାଚନ କମିଶନଙ୍କ ନାଁକୁ ବ୍ଯବହାର କରି ତାଙ୍କ ଜରିଆରେ ସରକାରୀ ଅଧିକାରୀଙ୍କୁ ବଦଳି କରାଇଦେବାକୁ ଧମକ ଦେଉଛନ୍ତି। କିଛିଦିନ ତଳେ ରାଜ୍ଯରେ କିଛି ଆଇପିଏସ ଅଫିସରଙ୍କ ବଦଳି ହୋଇଛି। ତାହାର ଉଦାହରଣ ଦେଇ ସରକାରୀ କର୍ମଚାରୀଙ୍କୁ ବଦଳି କରିଦେବାର ନାଲିଆଖି ଦେଖାଉଛନ୍ତି ବିଜେପି ନେତା ଓ ପ୍ରାର୍ଥୀ। ଏନେଇ ବିଜେପି ଉପରେ ନଜର ରଖିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି ବିଜେଡି।

ସସ୍ମିତ ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନରେ ପରାଜୟ ନିଶ୍ଚିତ ଜାଣିବା ପରେ ସରକାରୀ ଅଧିକାରୀଙ୍କୁ ବିରୋଧ କରିବା ରାଜ୍ଯ ବିଜେପିର ଅଭ୍ଯାସ। ଯେବେ ସେମାନେ ନିର୍ବାଚନରେ ହାରିବା ଅନୁଭବ କରନ୍ତି, ସେତେବେଳେ ସେମାନେ ସରକାରୀ ଅଧିକାରୀଙ୍କୁ ବିରୋଧ ଆରମ୍ଭ କରନ୍ତି । ରାଜ୍ଯ ବିଜେପିର ଏହି ଅଭ୍ଯାସ ଆଜିର ନୁହେଁ ବରଂ ୨୦୧୯ରୁ ରହିଆସିଛି। ୨୦୧୯ରେ ନିର୍ବାଚନ ହାରିବା ଜାଣି ସରକାରୀ ଅଧିକାରୀଙ୍କୁ ବିରୋଧ କରିଥିଲା ବିଜେପି। ବିଭିନ୍ନ ଉପନିର୍ବାଚନରେ ବି ସେମାନେ ଏହି ଧାରା ଜାରି ରଖିଛନ୍ତି। ଏବେ ୨୦୨୪ ନିର୍ବାଚନରେ ବିଜେପିର ସେହି ଡ୍ରାମା ଆରମ୍ଭ ହୋଇଗଲାଣି। ଆସନ୍ତା ନିର୍ବାଚନରେ ବିଜେପି ହାରିବା ନିଶ୍ଚିତ। ଏକଥା ବିଜେପି ନେତାମାନେ ଜାଣିସାରିଲେଣି। ଏଣୁ ସରକାରୀ ଅଧିକାରୀଙ୍କୁ ଫୋନ କରି ଧମକ ଦେଲେଣି। BDO, CDPO ତହସିଲଦାର, ପୋଲିସ ଅଧିକାରୀଙ୍କୁ ଫୋନରେ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି।