ସରକାରୀ ଅଧିକାରୀଙ୍କୁ ଧମକ ଦେଉଛନ୍ତି ବିଜେପି ନେତା; ଏଭଳି ଅଭିଯୋଗ ଆଣିଲେ ସସ୍ମିତ ପାତ୍ର

1 min read

ଭୁବନେଶ୍ୱର: ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଧମକ ଦେଉଛନ୍ତି ବିଜେପି ନେତା ଓ କର୍ମୀ। ତାଙ୍କ ପାଇଁ କାମ ନକଲେ ନିର୍ବାଚନ କମିଶନଙ୍କୁ କହି ବଦଳି କରିଦେବାକୁ ଫୋନରେ ଦେଉଛନ୍ତି ଧମକ। ଏଭଳି ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଛି ବିଜେଡି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେପିକୁ ସମର୍ଥନ ନକଲେ ହଇରାଣ କରିବା ଓ ଅସୁବିଧାରେ ପକାଇବାକୁ ବିଜେପି ଧମକ ଦେଉଛି। ଏନେଇ ବିଜେଡି ମୁଖ୍ଯ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଛି। ବିଜେପି ନେତା ଓ ପ୍ରାର୍ଥୀମାନେ ନିର୍ବାଚନ କମିଶନଙ୍କ ନାଁକୁ ବ୍ଯବହାର କରି ତାଙ୍କ ଜରିଆରେ ସରକାରୀ ଅଧିକାରୀଙ୍କୁ ବଦଳି କରାଇଦେବାକୁ ଧମକ ଦେଉଛନ୍ତି। କିଛିଦିନ ତଳେ ରାଜ୍ଯରେ କିଛି ଆଇପିଏସ ଅଫିସରଙ୍କ ବଦଳି ହୋଇଛି। ତାହାର ଉଦାହରଣ ଦେଇ ସରକାରୀ କର୍ମଚାରୀଙ୍କୁ ବଦଳି କରିଦେବାର ନାଲିଆଖି ଦେଖାଉଛନ୍ତି ବିଜେପି ନେତା ଓ ପ୍ରାର୍ଥୀ। ଏନେଇ ବିଜେପି ଉପରେ ନଜର ରଖିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି ବିଜେଡି।

ସସ୍ମିତ ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନରେ ପରାଜୟ ନିଶ୍ଚିତ ଜାଣିବା ପରେ ସରକାରୀ ଅଧିକାରୀଙ୍କୁ ବିରୋଧ କରିବା ରାଜ୍ଯ ବିଜେପିର ଅଭ୍ଯାସ। ଯେବେ ସେମାନେ ନିର୍ବାଚନରେ ହାରିବା ଅନୁଭବ କରନ୍ତି, ସେତେବେଳେ ସେମାନେ ସରକାରୀ ଅଧିକାରୀଙ୍କୁ ବିରୋଧ ଆରମ୍ଭ କରନ୍ତି । ରାଜ୍ଯ ବିଜେପିର ଏହି ଅଭ୍ଯାସ ଆଜିର ନୁହେଁ ବରଂ ୨୦୧୯ରୁ ରହିଆସିଛି। ୨୦୧୯ରେ ନିର୍ବାଚନ ହାରିବା ଜାଣି ସରକାରୀ ଅଧିକାରୀଙ୍କୁ ବିରୋଧ କରିଥିଲା ବିଜେପି। ବିଭିନ୍ନ ଉପନିର୍ବାଚନରେ ବି ସେମାନେ ଏହି ଧାରା ଜାରି ରଖିଛନ୍ତି। ଏବେ ୨୦୨୪ ନିର୍ବାଚନରେ ବିଜେପିର ସେହି ଡ୍ରାମା ଆରମ୍ଭ ହୋଇଗଲାଣି। ଆସନ୍ତା ନିର୍ବାଚନରେ ବିଜେପି ହାରିବା ନିଶ୍ଚିତ। ଏକଥା ବିଜେପି ନେତାମାନେ ଜାଣିସାରିଲେଣି। ଏଣୁ ସରକାରୀ ଅଧିକାରୀଙ୍କୁ ଫୋନ କରି ଧମକ ଦେଲେଣି। BDO, CDPO ତହସିଲଦାର, ପୋଲିସ ଅଧିକାରୀଙ୍କୁ ଫୋନରେ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି।