spot_img
Home Blog Page 1902

ଆସନ୍ତା ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ନୂଆ ଆଇନ

ନନ୍ଦିଘୋଷ ବ୍ୟୁରୋ: ଜୁଲାଇ ୧, ୨୦୨୪ରୁ ସାରା ଦେଶରେ ଲାଗୁ ହେବ ନୂଆ ଆଇନ । ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ ଖୁବଶୀଘ୍ର ଉଠିଯିବ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ସହିତ ଆଲୋଚନା କଲେ ପୋଲିସ ଡିଜିପି ଅରୁଣ ଷଡଙ୍ଗୀ । ନୂଆ ଆଇନର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା ହୋଇଛି। ସବୁ ରାଜ୍ୟର ଡିଜିପି ଭର୍ଚୁଆଲ ଦ୍ୱାରା ବୈଠକରେ ସାମିଲ ହୋଇଥିଲେ। ଫେବୃଆରୀ ମାସରେ ଏ ନେଇ ବିଜ୍ଞପ୍ତି ଜାରି ହୋଇଥିଲା। ଦେଶରୁ ହଟିବ ସିଆରପିସି, ଆଇପିସି ଓ ଏଭିଡ଼େନ୍ସ ଆକ୍ଟ। ଇଣ୍ଡିଆନ୍ ପେନାଲ୍ କୋଡ୍’ ପରିବର୍ତ୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା।

କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର ପରିବର୍ତ୍ତେ ଆସିବ ଭାରତୀୟ ନାଗରିକ ସୁରକ୍ଷା ସଂହିତା। ଇଣ୍ଡିଆନ୍ ଏଭିଡେନ୍‌ସ୍ ଆକ୍ଟ ପରିବର୍ତ୍ତେ ଆସିବ ଭାରତୀୟ ସାକ୍ଷ୍ୟ ଆଇନ। ଏଥିରେ ପୂର୍ବରୁ ୫୧୧ଟି ଧାରା ଥିଲା। ଏବେ ୩୫୮ଟି ଧାରା ରହିବ। ୧୭୫ଟି ଧାରା ସଂଶୋଧନ କରାଯିବ। ପ୍ରାୟ ଦେଢ଼ ଶହ ବର୍ଷ ଧରି ଇଂରେଜ ଅମଳର ପୋଲିସ ଆଇନ ଏବେ ବି ଜାରି ରହିଛି। ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଯାହା ପ୍ରାବଧାନ ରହିଛି ସେ ନେଇ ବରିଷ୍ଠ ଆଇପିଏସ ମାନଙ୍କ ସହ ଆଲୋଚନା କରିଛନ୍ତି ଡିଜିପି। ଏ ନେଇ ନ୍ୟାସନ୍ୟାଲ କ୍ରାଇମ ରେକର୍ଡ ବ୍ୟୁରୋ ଓ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ସହ ମିଳିତ ଆଲୋଚନା ଚାଲିଛି। କ୍ରାଇମବ୍ରାଞ୍ଚ ଆଡିସିନାଲ ଡିଜି ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି ।

ଆଡିସିନାଲ ଚିଫ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ଷ୍ଟିଅରିଂ କମିଟି ଗଠନ ହୋଇଛି। କେନ୍ଦ୍ରର ଗୃହ ସଚିବ ଏ ନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି ଭିସିରେ ରହି କାର୍ଯ୍ୟକାରିତା ଦିଗରେ ଅଧିକ ଆଲୋଚନା କରିଛନ୍ତି। ଏ ନେଇ ପୋଲିସ ଅଧିକାରୀ ମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି। ଜୁଲାଇ ୧ ମଧ୍ୟରେ ଯେତିକି କେସ ରୁଜୁ ହୋଇଥିବ ତାହା ପୁରୁଣା ସିଆରପିସି ଅଧିନରେ ଶୁଣାଣି କରାଯିବ।ଏହାପରେ ଭାରତୀୟ ନ୍ୟାୟ ସଂହିତା ମୁତାବକ ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ।

ବାଣ ନଷ୍ଟ କଲାବେଳେ ବିସ୍ଫୋରଣ ଘଟି ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ଯୁ

କଟକ : ରଜରେ କଟକରେ ବଡ଼ ଅଘଟଣ। ବାଣ ନଷ୍ଟ କରିବାବେଳେ ବିସ୍ଫୋରଣ ଘଟିଛି। ଏଥରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ଯୁ ଘଟିଛି। ମୃତ କର୍ମଚାରୀ ପ୍ରଦୀପ କୁମାର ମଲ୍ଲିକ କଟକରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର କଟକ ପୀର ବଜାର ଅଞ୍ଚଳ ରେ। କଟକ ସଦର ଏଡିସିପିଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗୋପାଳପୁର ସୁଭଦ୍ରାପୁର ଘାଟରେ ଚାଲିଥିଲା ବାଣ ନିଷ୍କ୍ରିୟ କାର୍ଯ୍ୟ। କମିଶନରେଟ ପୋଲିସ ପକ୍ଷରୁ ବାଣ ନଷ୍ଟ କରାଯାଉଥିବାବେଳେ ବିସ୍ଫୋରଣ ଘଟିଥିଲା ।

ଜି-୭ ବୈଠକରେ ଯୋଗ ଦେବାକୁ ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆପୁଲିଆରେ ଆଯୋଜିତ ଗୃପ ଅଫ୍ ସେଭେନ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଇଟାଲୀରେ ମୋଦି। ଆପୁଲିଆ ବ୍ରିଣ୍ଡିଙ୍ଗ୍ ଏୟାରପୋର୍ଟରେ ପିଏମ ମୋଦିଙ୍କୁ ସ୍ଵାଗତ କରିଥିଲେ ଭାରତୀୟ ରାଷ୍ଟ୍ରଦୂତ ବାଣୀ ରାଓଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀ। ବିଶ୍ଵ ନେତାଙ୍କୁ ସାକ୍ଷାତ କରିବା ସହ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ପିଏମ ମୋଦି। ବିଭିନ୍ନ ପ୍ରସଙ୍ଗ ନେଇ ଚର୍ଚ୍ଚା କରିବାକୁ ଆଗ୍ରହୀ ଅଛନ୍ତି ବୋଲି ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ବିଶ୍ଵବ୍ୟାପୀ ଦେଖାଦେଇଥିବା ବିଭିନ୍ନ ସମସ୍ଯାର ସମାଧାନ ସମେତ ଉଜ୍ଜଳ ଭବିଷ୍ୟତ ଗଠନ ନେଇ ଅନ୍ତରାଷ୍ଟ୍ରୀୟ ସହଯୋଗ ବଢାଇବା ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି। ଏହି ଅବସରରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସମେତ ବିଶ୍ଵର ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ। ଜି ସେଭେନ ବୈଠକରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, କାନାଡା ଏବଂ ଜାପାନ ସାମିଲ ଅଛନ୍ତି। ଇଟାଲୀ ଜି-ସେଭେନ ବୈଠକର ଅଧ୍ୟକ୍ଷତା କରୁଛି। ଭାରତ ସମେତ ଆଫ୍ରିକା, ଦକ୍ଷିଣ ଆମେରିକା ଅଂଚଳର ୧୧ ରାଷ୍ଟ ଅଂଶଗ୍ରହଣ କରୁଛନ୍ତି। ଜି-୭ରେ ୟୁରୋପୀୟ ସଂଘ ସଦସ୍ୟ ନଥିଲେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଆସୁଛି।

ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବାଚସ୍ପତି

ଭୁବନେଶ୍ୱର : ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ସ୍ପିକର । ରାଜଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ଏବଂ ବିଧାନସଭା ର ସମସ୍ତ ସଦସ୍ୟଙ୍କୁ ଦେଲେ ଧନ୍ୟବାଦ ।

ନବ ନିର୍ବାଚିତ ବିଧାୟକଙ୍କୁ ଶପଥପାଠ କରାଇବେ ପ୍ରୋ-ଟେମ ସ୍ପିକର । ଜୁନ ୧୮ ଓ ୧୯ରେ ନୂଆ ବିଧାୟକମାନେ ଶପଥ ନେବେ । ଜୁନ ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏହା ପୂର୍ବରୁ କାମଚଳା ବାଚସ୍ପତି ଭାବେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନବ ନର୍ବାଚିତ ବିଧାୟକ ମାନଙ୍କୁ ଶପଥପାଠ କରାଇବେ ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ମନମୁଖୀ ନିଷ୍ପତି ପାଇଁ ଯାତ୍ରୀଙ୍କ ହଙ୍ଗାମା

ଭୁବନେଶ୍ୱର : ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ମନମୁଖୀ ନିଷ୍ପତି ପାଇଁ ଯାତ୍ରୀ କଲେ ହଙ୍ଗାମା। ଭୁବନେଶ୍ୱରରେ ଯାତ୍ରୀଙ୍କୁ ଛାଡ଼ିବା ବଦଳରେ କଲିକତାରେ ଅବତରଣ କଲା ବିମାନ । ସେଠାରୁ ଯାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଭୁବନେଶ୍ବର ଯିବାକୁ କହିବାରୁ ଅସନ୍ତୋଷ ବ୍ୟକ୍ତ କରି ହୋହାଲ୍ଲା କରିଥିଲେ ଯାତ୍ରୀ।

ଗତକାଲି ଦିଲ୍ଲୀରୁ ଭୁବନେଶ୍ବରକୁ ଉଡ଼ିଥିଲା ଏୟାରଇଣ୍ଡିଆ ଏକ୍ସପ୍ରେସ ବିମାନ। ହେଲେ ରାତି ସମୟରେ ପାଗ ଖରାପ ହେବା ଯୋଗୁଁ ଭୁବନେଶ୍ଵର ବିମାନ ବନ୍ଦରରେ ଅବତରଣ କରି ନପାରି କଲିକତାରେ କରିଥିଲା ଅବତରଣ। ସେଠାରୁ ନିଜ ଖଚରେ ଭୁବନେଶ୍ବର ଯିବା ପାଇଁ କହିଥିଲେ ବିମାନ କର୍ତୃପକ୍ଷ । ଏନେଇ ବିମାନ ବନ୍ଦରରେ ଆରମ୍ଭ ହୋଇଥିଲା ହଙ୍ଗାମା।ଉଚ୍ଚ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଆଜି ସକାଳୁ ସମସ୍ତ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଅଭିମୁଖେ ଉଡ଼ିଛି ବିମାନ।

ଭାରତରେ ପହଞ୍ଚିଥିଲା କୁଏତ ମୃତ ବ୍ୟକ୍ତିଙ୍କ ମୃତଦେହ

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲା କୁଏତ ଅଘଟଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମୃତଦେହ । କୋଚିରେ ଅବତରଣ କଲା ବାୟୁସେନାର ସ୍ଵତନ୍ତ୍ର ବିମାନ C -17 । ଏଠାରୁ ପୁଣି ନିଜ ନିଜ ଜନ୍ମମାଟି ଅଭିମୁଖେ ଯିବା ମୃତଦେହ ।

କୁଏତ ଅଗ୍ନିକାଣ୍ଡ ଘଟଣାରେ ମୋଟ ୪୯ ମୃତକଙ୍କ ମଧ୍ଯରୁ ୪୫ ଜଣ ହେଉଛନ୍ତି ଭାରତୀୟ। କେରଳର ୨୪ଜଣ ମୃତକ ରହିଛନ୍ତି। ଅଘଟଣ ତଦନ୍ତ ଓ ମୃତଦେହ ସ୍ବଦେଶ ଫେରାଇ ଆଣିବାକୁ ସମସ୍ତ ବ୍ୟବସ୍ଥା କରିଥିଲେ କେନ୍ଦ୍ର ସରକାର ।

ଏନେଇ କୁଏତ ଯାଇଥିଲେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ। ଯେଉଁଠି ଆହତଙ୍କୁ ଚିକିତ୍ସା କରାଯାଉଛି, ସେହି ହସପିଟାଲକୁ ଯାଇ ଆହତଙ୍କୁ ଭେଟିଥିଲେ କୀର୍ତ୍ତି ବର୍ଦ୍ଧନ ସିଂହ । ଲୋକେ ଶୋଇଥିବା ବେଳେ ବିଲଡିଂରେ ନିଆଁ ଲାଗିଥିଲା। ତେଣୁ ସେମାନେ ବାହାରକୁ ବାହାରିବା ଆଗରୁ ନିଆଁର ଆଁରେ ପୋଡ଼ି ଯାଇଥିଲେ।

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ପୁରୁଣାଡିହ ସାହିରେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା। ମୃତ ଯୁବକ ଜଣଙ୍କ ପୁରୁଣାଡିହ ଯୋଗୀ ସାହିର ଅଚ୍ୟୁତାନନ୍ଦ ନାଥ। ଅଚ୍ୟୁତାନନ୍ଦ ଗାଧୋଇବାକୁ ଯାଇ ଘରକୁ ଫେରୁଥିବାବେଳେ ଜମିବାଡ଼ିକୁ କେନ୍ଦ୍ରକରି ତାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ଯୁ ହୋଇଥିଲା।

ଖବର ପାଇ ପରଜଙ୍ଗ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବରୁ ଜମିବାଡି଼କୁ ନେଇ ବିବାଦ ଥିବା ଅଚ୍ୟୁତାନନ୍ଦଙ୍କ ଭାଇ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଗତ କିଛି ବର୍ଷ ହେବ ଦୁଇଟି ପରିବାର ମଧ୍ୟରେ ତିକ୍ତତା ବଢିଥିଲା। ତାହା ଆଜି ରକ୍ତପାତର ରୂପ ନେଇଛି। ଏ ନେଇ ପରଜଙ୍ଗ ପୋଲିସ ଛାନଭିନ ଆରମ୍ଭ କରି ଦେଇଛି।

ଚା’ ଦୋକାନ ନିକଟରେ ଲୋକଙ୍କୁ ଧକ୍କା ଦେଲା ଟ୍ରକ; ଜଣେ ମୃତ, ପାଞ୍ଚ ଗୁରୁତର

ଆସିକା : ଟ୍ରକ ଧକ୍କାରେ ଜଣେ ମୃତ, ପାଞ୍ଚ ଗୁରୁତର । ସମସ୍ତେ ମେଡିକାଲରେ ଭର୍ତ୍ତି । ଧରାକୋଟ ଥାନା ବାହାଡା ଗୁଡା ଛକରେ ଘଟିଛି ଏହି ଅଘଟଣ । ଏକ ଚା ଦୋକାନ ନିକଟରେ ଥିବା ମଣ୍ଡପ ଉପରେ ୫ ଜଣ ବସିଥିବା ବେଳେ ଧକ୍କା ଦେଇଥିଲା ଟ୍ରକ । ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ପାଞ୍ଚ ଜଣ ଗୁରତର ହୋଇଛନ୍ତି  । ମୃତକ ହେଲେ ମହେନ୍ଦ୍ର ବିଷୋୟୀ । ଆହତ ମାନେ ହେଲେ କାମେଶ୍ୱର ସେଠି, ଲକ୍ଷ୍ମଣ ଗୌଡ଼, ବୃନ୍ଦା ସ୍ବାଇଁ , କାଳୁ ଚରଣ ପ୍ରଧାନ ଓ ମୁରଲୀ ଗୌଡ଼ । ଘଟଣା ସ୍ଥଳରେ ପୋଲିସ ପଂହଁଚି ତଦନ୍ତ ଜାରି ରଖିଛି l ସେଥି ମଧ୍ୟରୁ ଦୁଇ ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସକାଳୁ ସକାଳୁ ଚା ଦୋକାନରେ ଚାହା ପିଇବାକୁ ଅପେକ୍ଷା କରିଥିବା ବେଳେ ଘଟିଛି ଅଘଟଣ ।

ପହିଲି ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ପହିଲି ରଜରେ ପ୍ରଥମେ ଟ୍ବିଟର ଜରିଆରେ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା । ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଟ୍ବିଟ୍ କରି କହିଛନ୍ତି, ପହିଲି ରଜ ଉପଲକ୍ଷେ ଓଡ଼ିଶା ବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ସାଦର ଅଭିନନ୍ଦନ  । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଅନନ୍ୟ ଗଣ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।

ଚଳିତବର୍ଷ ରଜ ଖୁବ୍ ଆନନ୍ଦ ଉଲ୍ଲାସ ସହିତ ପୁରପଲ୍ଲୀରେ ପାଳନ କରାଯାଉଛି । ଗାଁର କୁଆଁରୀମାନେ ସାହି ପଡିଶା ବୁଲି, ନାନା ସଜବାଜ ହୋଇ ଦୋଳି ଖେଳୁଛନ୍ତି । ପାରମ୍ପରିକ ପିଠା ,ପାନ ଖାଇ ରଜକୁ ସବୁଠି ବେଶ ଉତ୍ସାହର ସହ ପାଳନ କରାଯାଉଛି ।

ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ

ଭୁବନେଶ୍ୱର : ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ । ତଥାପି ତାତିବ ପଶ୍ଚିମ ଓଡ଼ିଶା । ଆଜି ଗ୍ରୀଷ୍ମପ୍ରବାହ ନେଇ ୮ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ୧୪ ରୁ ୧୭ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ସତର୍କ କରାଇଲା ପାଣିପାଗ କେନ୍ଦ୍ର । ୩ ରୁ ୪ ଦିନ ମଧ୍ୟରେ ଆଗକୁ ବଢିବ ମୌସୁମୀ । ମୌସୁମୀ ସକ୍ରିୟ ହେଲେ ନିଅଣ୍ଟିଆ ଭରଣା କରିବା ଆଶା କରାଯାଇଛି । ୪ ଦିନ ପର୍ଯ୍ୟନ୍ତ ଗରମ ଗୁଳୁଗୁଳିରି ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର. ବରଗଡ, ସୋନପୁର ଏବଂ ବୌଦ୍ଧକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଉତ୍ତର ଏବଂ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲେ ମଧ୍ୟ ଆଗକୁ ବଢିବାକୁ ବଳ ପାଉନି । ଏବେ ଦୁଇଟି ଜିଲ୍ଲା କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅଟକି ଯାଇଛି ମୌସୁମୀ । ଆସନ୍ତା ୪ ଦିନ ମଧ୍ୟରେ କାଳବୈଶାଖୀ ବର୍ଷା ବଢିବା ସହ ମୌସୁମୀ ଆଗକୁ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।