ଭୁବନେଶ୍ୱର : ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସଭାପତି ପଦରୁ ଇସ୍ତଫା ଦେଲେ ସଂଗ୍ରାମ କେଶରୀ ପାଇକରାୟ। IMSME ବିଭାଗକୁ ପଠାଇଲେ ଇସ୍ତଫା ପତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ୨ ଥର ସଭାପତି ଦାୟିତ୍ୱରେ ଥିଲେ ସଂଗ୍ରାମ କେଶରୀ । ୩୧ ଅଗଷ୍ଟ ୨୦୧୯ରୁ ୫ ଜୁନ ୨୦୨୨ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ। ଏହା ପରେ ୨୧ ଅକ୍ଟୋବର ୨୦୨୨ରୁ ୮ ଜୁନ ୨୦୨୪ ପର୍ଯ୍ୟନ୍ତ ସଭାପତି ଦାୟିତ୍ୱରେ ଥିଲେ। ତାଙ୍କ ଅମଳରେ ଖଦି ବୋର୍ଡ଼ର ଥିବା ଅନେକ ଜାଗାକୁ ଜବରଦଖଲ ମୁକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଭୀମପୁରୀ ୟୁଟିଲିଟି ମଲର କାମ ଆରମ୍ଭ ହୋଇଛି। ସେହି ସମୟରେ ୩ ହଜାରରୁ ଅଧିକ ଯୁବପୀଢ଼ିଙ୍କୁ ଗ୍ରାମଉଦ୍ୟୋଗ ଆରମ୍ଭ କରିବା ପାଇଁ ଲୋନ ଦିଆଯାଇଛି। ରାଜ୍ୟରେ ମହୁ ଚାଷର ପ୍ରଚାର ପ୍ରସାର ପାଇଁ ମହୁ ବାକ୍ସ, ମହୁ ମାଛି ଦଳ ତଥା ଆନୁସଙ୍ଗିକ ଉପକରଣ ଯୋଗାଇ ଦିଆଯାଇଛି।
ଜମ୍ମୁ- କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, ଖୁବ୍ ଶୀଘ୍ର ହେବ ତାରିଖ ଘୋଷଣା
ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଜମ୍ମୁ- କାଶ୍ମୀରରେ ହେବ ନିର୍ବାଚନ । ତେବେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ଏହି ମାସରେ ହେବା ନେଇ ଆଶା କରାଯାଉଛି । ଲୋକସଭା ନିର୍ବାଚନ ପରେ କେନ୍ଦ୍ରଶାସିତ ଅଞ୍ଚଳରେ ଲୋକତନ୍ତ୍ର ଏବଂ ମତଦାନ ପ୍ରତି ସାଧାରଣ ଜନତାଙ୍କ ଉତ୍ସାହ ଦେଖି ନିର୍ବାଚନ ଆୟୋଗ ମଧ୍ୟ ଉତ୍ସାହିତ ଅଛନ୍ତି । ବିଧାନସଭା ନିର୍ବାଚନ ମଧ୍ୟ ଏହି ସକରାତ୍ମକ ମାହୋଲରେ ସମ୍ପନ୍ନ ହେବା ନେଇ ସେ ଆଶା ରଖିଛନ୍ତି । ସୂଚନା ଅନୁଯାୟୀ, ଅଗଷ୍ଟ ମାସ ଭିତରେ ଜମ୍ମୁ –କାଶ୍ମୀରରେ ବିଧାନସଭା ନିର୍ବାଚନ ସମାପ୍ତ ହୋଇପାରେ ।
୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ- କାଶ୍ମୀରରେ ପ୍ରଥମ ନିର୍ବାଚନ ହୋଇଥିଲା । ତେବେ ଚଳିତ ବର୍ଷ ଖୁବ୍ ଶୀଘ୍ର କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜମ୍ମୁ- କାଶ୍ମୀରରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ନେଇ ଇସିଆଇ ପକ୍ଷରୁ କୁହାଯାଇଛି । ତେବେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଶୁକ୍ରବାର ଇସି ରାଜନୈତିକ ଦଳ ମାନଙ୍କୁ ନିର୍ବାଚନୀ ଚିହ୍ନ ଚୟନ ସହ ଆବେଦନ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ଅର୍ଥାତ୍ ସମଗ୍ର ରାଜ୍ୟରେ ଏପରି ରାଜନୈତିକ ଦଳ ଯେଉଁମାନେ ଆୟୋଗରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ଆଞ୍ଚଳିକ ଦଳର ମାନ୍ୟତା ପାଇ ନାହାଁନ୍ତି, ସେମାନେ ମଧ୍ୟ ଏକ ନିର୍ବାଚନୀ ଚିହ୍ନରେ ପ୍ରାର୍ଥୀ ହୋଇ ପାରିବେ । କିନ୍ତୁ ସେମାନଙ୍କୁ ବିକଳ୍ପ ପ୍ରତୀକ ବା ଚିହ୍ନ ମଧ୍ୟରେ ନିଜ ପସନ୍ଦର ନିର୍ବାଚନୀ ପ୍ରତୀକ ବାଛିବାକୁ ପଡିବ ।
ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ଲୋକୋପାଇଲଟ ଐଶ୍ବର୍ଯ୍ୟା ମେନନଙ୍କୁ ନିମନ୍ତ୍ରଣ
ନନ୍ଦିଘୋଷ ବ୍ୟୁରୋ: ଶପଥଗ୍ରହଣ ଉତ୍ସବକୁ ଦକ୍ଷିଣାଞ୍ଚଳ ରେଳବାଇର ଚେନ୍ନାଇ ଡିଭିଜନ ଲୋକୋପାଇଲଟ ଐଶ୍ବର୍ଯ୍ୟା ମେନନଙ୍କୁ ବି ନିମନ୍ତ୍ରଣ କରାଯାଇଛି । ବନ୍ଦେ ଭାରତ ଓ ଶତାବ୍ଦୀ ଏକ୍ସପ୍ରେସର ଲୋକୋ ପାଇଲଟ ଭାବେ ଖ୍ଯାତି ଅର୍ଜନ କରିଛନ୍ତି ଐଶ୍ବର୍ଯ୍ୟା । ସେ ୨ ଲକ୍ଷରୁ ଧିକ ଘଣ୍ଟା ଟ୍ରେନ ଚାଳନାର ଅଭିଜ୍ଞତା ହାସଲ କରିଛନ୍ତି । ସେହିପରି ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ ସୁରେଖା ଯାଦବ ବି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ସେ ବର୍ତ୍ତମାନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ସୋଲାପୁରରୁ ବାହାରୁ ଥିବା ବନ୍ଦେ ଭାରତ ଟ୍ରେନରେ ଲୋକୋ ପାଇଲଟିଂ କରୁଛନ୍ତି । ସୁରେଖା ୧୯୮୮ରେ ଭାରତର ପ୍ରଥମ ମହିଳା ଟ୍ରେନ ଚାଳକ ଭାବେ ଯୋଗଦେଇଥିଲେ । ସେ ମଧ୍ଯ ସେମି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ମହିଳା ଲୋକୋ ପାଇଲଟ । ସେହିପରି ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟରେ କାର୍ଯ୍ୟରତ ପରିମଳ କର୍ମୀ, ତୃତୀୟ ଲିଙ୍ଗୀ, ଶ୍ରମିକ ବି ଉତ୍ସବରେ ସାମିଲ ହେବେ ।

