spot_img
Home Blog Page 1858

କୋଟିଏ ଟଙ୍କାର ହୀରା ପାଇଁ କନଷ୍ଟେବଳ ଶଙ୍କରକୁ କରାଯାଇଥିଲା ହତ୍ୟା

ବଲାଙ୍ଗୀର: ସୋନପୁର ରିଜର୍ଭ କନଷ୍ଟେବଳ ଶଙ୍କର ଭାନୁ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାସ । କୋଟିଏ ଟଙ୍କାର ହୀରା ପାଇଁ ଶଙ୍କରଙ୍କୁ ଯୋଜନାବଦ୍ଧ ଭାବେ ହୋଟେଲକୁ ଡାକି ହତ୍ୟା କରାଯାଇଥିବା କହିଛି ବଲାଙ୍ଗୀର ପୋଲିସ । ଏଥିରେ ୮ ଜଣ ସମ୍ପୃକ୍ତ ଥିବା ପୋଲିସ କହିଛି । ଏକ ପ୍ରେସମିଟରେ ଏହି ଖୁଲାସା କରିଛନ୍ତି ବଲାଙ୍ଗୀର ଏସ୍‌ପି ରିଷିକେଶ ଖିଲାରୀ ।

ରିଷିକେଶ କହିଛନ୍ତି, ‘ଘଟଣାରେ ୪ ଅଭିଯୁକ୍ତ ରାଜ୍ୟ ବାହାରର ଥିବାବେଳେ ୪ ଜଣ ଓଡ଼ିଶାର । ଦୀର୍ଘ ବର୍ଷ ଧରି ବଲାଙ୍ଗୀରରୁ ସୁରତକୁ ଚାଲିଥିଲା ବେଆଇନ ହୀରା ଓ ରତ୍ନ ପଥର କାରବାର । ରେଳ ଷ୍ଟେସନ ଛକରେ ଥିବା ହୋଟେଲ ଇନ୍ଦ୍ରପ୍ରସ୍ଥରେ ହେଉଥିଲା ଡିଲ । ଜାଲ ପରିଚୟପତ୍ର ଦେଇ ହୋଟେଲ ରୁମ ବୁକ କରୁଥିଲେ । ବୀରେନ ସିଂହ ନାମରେ ଜାଲ ପରିଚୟ ପତ୍ର ତିଆରି କରି ଘଟାଇଥିଲେ ହତ୍ୟାକାଣ୍ଡ । ବିହାର, କଲିକତା ଓ ପଞ୍ଜାବର କୁଖ୍ୟାତ ରତ୍ନପଥର ବ୍ୟବସାୟୀ ରଚିଥିଲା ଷଡଯନ୍ତ୍ର । ଟଙ୍କା ଲୋଭରେ ସେମାନଙ୍କୁ ସହଯୋଗ ଦେଇଥିଲେ ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରର ୪ ଅଭିଯୁକ୍ତ ।’

ଟାଉନ୍ ପୋଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ୨ ଜଣ ଫେରାର୍ ଅଛନ୍ତି । ଗିରଫ ଅଭିଯୁକ୍ତମାନେ ଝାରଖଣ୍ଡ କୋଡ଼ମା ଜିଲ୍ଲାର ପଙ୍କଜ କୁମାର ଓ ସୂରଜ ବନାରୱାଲ, ଅନୁଗୁଳ ଆଠମଲ୍ଲିକର କୃଷ୍ଣ ମେହେର, ବୌଦ୍ଧ ଇଚ୍ଛାପୁରର ମନୋରଞ୍ଜନ ସାଥୁଆ, ସୋନପୁର ଜିଲ୍ଲା ନନ୍ଦନମାଲର ନିତାଇ କର ଏବଂ ବଲାଙ୍ଗୀର ପାଟଣାଗଡ଼ ବରପଦର ଗାଁର ରୋହିତ ସା । ଗତ ୧୭ ତାରିଖରେ ବଲାଙ୍ଗୀର ରେଳ ଷ୍ଟେସନ ରାସ୍ତା ଇନ୍ଦ୍ରପ୍ରସ୍ତ ହୋଟେଲରେ ଘଟିଥିଲା ହତ୍ୟାକାଣ୍ଡ । ରୁମ ନଂ ୨୧୨ରେ ନିର୍ମମ ଭାବେ ଶଙ୍କରକୁ ହତ୍ୟା କରି ଫେରାର୍ ହୋଇଯାଇଥିଲେ ଅଭିଯୁକ୍ତ ।

ହାତଗୋଡ ବନ୍ଧା ଅବସ୍ଥାରେ ବାଥରୁମରୁ ମୃତଦେହ ଉଦ୍ଧାର କରିଥିଲା ଟାଉନ୍ ଥାନା ପୋଲିସ । ଗତ ୧୬ ତାରିଖ ଦିନ ବିରେନ୍ ସିଂ ନାମକ ଜଣେ ବ୍ୟକ୍ତି ନାଁରେ ହୋଟେଲ ରୁମ ବୁକ ହୋଇଥିଲା । ଅଭିଯୁକ୍ତଙ୍କୁ ଭେଟିବାକୁ ଯାଇ ହତ୍ୟାର ଶିକାର ହୋଇଥିଲେ ପୋଲିସ କନଷ୍ଟେବଳ ଶଙ୍କର । ମୁଖ୍ୟ ଅଭିଯୁକ୍ତ ବିରେନ ସିଂଙ୍କ ଘର ବାସେପୁର ଧନବାଦ ଜିଲ୍ଲାରେ । ହୋଟେଲ ରେଜିଷ୍ଟରରେ ଉଲ୍ଲେଖ ରହିଥିଲା ବିରେନ ସିଂଙ୍କ ନାଁ ।

୧୬ ତାରିଖରେ କନଷ୍ଟେବଳ ଶଙ୍କରକୁ ଏମାନେ ହତ୍ୟା କରିବା ପରେ ତାଙ୍କ କାରକୁ ଖୁଜେନପାଲି ରେଳ ଫାଟକ ନିକଟରେ ଦୁର୍ଘଟଣା କରାଯାଇଥିଲା । ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇବା ପରେ ଫେରାର୍ ଯାଇଥିଲେ ଅଭିଯୁକ୍ତ । ୧୭ ତାରିଖରେ ଟାଉନ୍ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଂଚି ଛାନଭିନ ଆରମ୍ଭ କରିଥିଲେ । ରାଜ୍ୟ ବାହାରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ରାଜଧାନୀରେ ସିରିଜ୍ ଦୁର୍ଘଟଣା, ଏକାଧିକ କାରକୁ ଧକ୍କା ଦେଲା ଟ୍ରକ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସିରିଜ ଦୁର୍ଘଟଣା । ପଳାଶୁଣିରେ ଏହି ଦୁର୍ଘଟଣା ଘଟିଛି । ଏକ ଟ୍ରକ ଏକାଧିକ କାରକୁ ଧକ୍କା ଦେଇଥିବା ଜଣାପଡିଛି ।

ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପଳାଶୁଣିରେ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ଏକାଧିକ କାରକୁ ଧକ୍କା ଦେଇଛି । ଫଳରେ ୫ ଜଣ ଆଡତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପଳାଶୁଣି ଛକରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ପଳାଶୁରି ଛକରେ ରାସ୍ତାରୋକ କରିଛନ୍ତି ।

ମଞ୍ଚେଶ୍ବର ଥାନା ପୋଲିସ ଦୁର୍ଘଟଣା ଘଟଣା ଥିବା ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ନବୀନ ନିବାସରେ ବିଜେଡି ନେତା, ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା

ଭୁବନେଶ୍ବର: ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡି ନେତା । ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ ଏବଂ ଉଷା ଦେବୀ ନବୀନ ନିବାସ ଯାଇ ନବୀନଙ୍କ ସାକ୍ଷାତ କରିଛନ୍ତି ।

ଏହି ସାକ୍ଷାତକାର ବେଳେ ସାଙ୍ଗଠନୀକ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିବା କହିଛନ୍ତି ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ । ବିଜେଡିର ଏଭଳି ବିପର୍ଯ୍ୟୟ ହେବ ବୋଲି ଆଶା କରାଯାଇ ନଥିବା କହିଛନ୍ତି ଉଷା ଦେବୀ । ରଘୁ ମହାନ୍ତି ଓ ରାଜାଶ୍ରୀ ମହାନ୍ତି ବି ନବୀନ ନିବାସ ଯାଇ ନବୀନଙ୍କୁ ସାକ୍ଷାତ କରିଛନ୍ତି ।

ଏଟିଏମରୁ ଟଙ୍କା ଉଠାଇଲେ ଲାଗିବ ଅଧିକ ଚାର୍ଜ !

ଭୁବନେଶ୍ବର: ଆପଣ ଏଟିଏମ ବ୍ୟବହାର କରୁଛନ୍ତି କି ? ଯଦି କରୁଥିବେ ତେବେ ଟଙ୍କା ବି ଉଠାଉ ଥିବେ ? ହୋଇପାରେ ଆପଣ ପରବର୍ତ୍ତୀ ଟ୍ରାଞ୍ଜାକ୍ସନରେ ଲାଗିପାରେ ଅଧିକ ଟ୍ୟାକ୍ସ । କାରଣ ଏଟିଏମ୍ ଅପରେଟର କ୍ୟାସ ବାହାର କରିବା ପାଇଁ ଇଣ୍ଟରଚେଞ୍ଜ ଫିସ୍ ବଢ଼ାଇବାକୁ ଦାବି କରୁଛନ୍ତି । ଆରବିଆଇ ପାଖରେ ସେମାନେ ଏମିତି ଦାବି କରିଛନ୍ତି । ବର୍ତ୍ତମାନ ଏଟିଏମରୁ ଟଙ୍କା ଉଠାଇବା ପାଇଁ ୧୫ରୁ ୧୭ ଟଙ୍କା ଚାର୍ଜ ଦେବାକୁ ପଡୁଥିଲା । ଯଦି ଏଟିଏମ ଅପରେଟଙ୍କ ଦାବି ଗ୍ରହଣ କରାଯାଏ, ତେବେ ଗ୍ରାହକଙ୍କୁ ୨୩ ଟଙ୍କା ପର୍ଯ୍ୟନ୍ତ ଅଧିକ ଶୁଳ୍କ ଦେବାକୁ ପଡିପାରେ ।

ସିଏଟିଏମଆଇ ପ୍ରତି ଟ୍ରାଞ୍ଜାକ୍ସରେ ୨୩ ଟଙ୍କା ବଢ଼ାଇବାକୁ ଦାବି କରୁଛି । ବ୍ୟବସାୟକୁ ସୂଚାରୁ ରୂପେ ସମ୍ପାଦନ କରିପାରିପାଇଁ ଫଣ୍ଡିଂ ଯୋଗାଡ଼ କରିବା ପାଇଁ ସେମାନେ ଏମିତି ଦାବି କରିଛନ୍ତି ।

ଏଜିଏସ ଟ୍ରାଞ୍ଜାକ୍ଟ ଟେକ୍ନୋଲଜିର ଏକଜିକ୍ୟୁଟିଭ ଡାଇରେକ୍ଟର ଷ୍ଟେନଲି ଜନସନ କହିଛନ୍ତି, ‘ଦୁଇ ବର୍ଷ ପୂର୍ବରୁ ଈଣ୍ଟରଚେଞ୍ଜ ରେଟ ବଢ଼ାଯାଇଥିଲା । ଆମେ ଆରବିଆଇ ସହ ଏନେଇ ଆଲୋଚନା କରୁଛୁ । ବ୍ୟାଙ୍କ ଆମ କଥାକୁ ଗୁରୁତ୍ବ ଦେଇଥିବା ଜଣାପଡୁଛି । ସିଏଟିଏମଆଇ ପ୍ରତି ଟ୍ରାଞ୍ଜାକ୍ସନରେ ୨୧ ଟଙ୍କା ବଢ଼ାଇବାକୁ ଦାବି କରିଛି । ତେବେ ଅନ୍ୟ କିଛି ଏଟିଏମ ପ୍ରସ୍ତୁତ କରୁଥିବା କମ୍ପାନୀ ଏହାକୁ ୨୩ ଟଙ୍କା କରିବାକୁ ଦାବି କରୁଛନ୍ତି ।’

କେଉଁ ପ୍ରକାର ଟ୍ରାଞ୍ଜାକ୍ସନରେ ଏହି ଫିସ୍ ଲାଗିଥାଏ ?

ଏହି ଫିସ୍ କାର୍ଡ ଦେଇଥିବା ବ୍ୟାଙ୍କକୁ ଯାଇଥାଏ । ଗ୍ରାହକଙ୍କୁ ଚାର୍ଜ କରାଯାଉଥିବା ଫିସ୍ ୨୦ରୁ ୨୧ ଟଙ୍କା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବଡ ବଡ଼ ବ୍ୟାଙ୍କ ଦେଶର ୬ଟି ସହରରେ ସେଭିଂ ଆକାଉଣ୍ଟ ଥିବା ଗଅାହକଙ୍କୁ ପ୍ରତିମାସ ୫ଟି ଫ୍ରି ଟ୍ରାଞ୍ଜାକ୍ସନ ଦେଉଛନ୍ତି । ଏହି ସହର ଗୁଡିକ ହେଲା ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଓ ନୂଆଦିଲ୍ଲୀ । ଅନ୍ୟ ବ୍ୟାଙ୍କ ଏଟିଏମରେ ପ୍ରତିମାସ ୩ଟି ଫ୍ରି ଟ୍ରାଞ୍ଜାକ୍ସନ ଦିଆଯାଉଛି ।

କେଉଁ ବ୍ୟାଙ୍କରେ କେତେ ଟଙ୍କା ଚାର୍ଜ ଲାଗୁଛି ?

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଖରୁ ପ୍ରତି ଟ୍ରାଞ୍ଜାକ୍ସନରେ ୧୦ ଟଙ୍କା ସହ ଜିଏସଟି ନେଉଛି । ଅନ୍ୟ ବ୍ୟାଙ୍କ କାର୍ଡ ଟ୍ରାଞ୍ଜାକ୍ସନ ଉପରେ ୨୦ ଟଙ୍କା ଓ ଜିଏସଟି ନେଉଛି । ଆଇସିଆଇସିଆଇ ବ୍ୟାଙ୍କ ପ୍ରତି ମାସ ୫ଟି ଟ୍ରାଞ୍ଜାକ୍ସନ ମାଗଣାରେ ଦେଉଛି । ଏହାବାଦ ପ୍ରତି ନନ୍-ଫାଇନାନସିଆଲ ଟ୍ରାଞ୍ଜାକ୍ସନ ପାଇଁ ୮ ଟଙ୍କା ୫୦ ପଇସା ନେଉଛି । ଏହାସହ ଫାଇନାନସିଆଲ ଟ୍ରାଞ୍ଜାକ୍ସନ ଉପରେ ୨୦ ଟଙ୍କା ଚାର୍ଜ ଲଗାଉଛି । ନିଜ ଏଟିଏମ ବାଦ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାର କଲେ ପ୍ରତି ଟ୍ରାଞ୍ଜାକ୍ସନରେ ୨୦ ଟଙ୍କା ନେଉଛି ।

ସେହିପରି ଏଚଡିଏଫସି ବ୍ୟାଙ୍କ ମଧ୍ୟ ଫ୍ରି ଟ୍ରାଞ୍ଜାକ୍ସନ ଦେଉଛି । ଏହାବାଦ ପ୍ରତି ଟ୍ରାଞ୍ଜାକ୍ସନରେ ୨୧ ଟଙ୍କା ସହ ଟ୍ୟାକ୍ସ କାଟୁଛି । ଅନ୍ୟ ବ୍ୟାଙ୍କ ଏଟିଏମରେ ଟ୍ରାଞ୍ଜାକ୍ସନ ପାଇଁ ମଧ୍ୟ ସମାନ ଟଙ୍କା ଲାଗୁଛି । ଏକ୍ସେସ୍ ମଧ୍ୟ ଏଚଡିଏଫସି ପରି ସମାନ ଟଙ୍କା ନେଉଛି ।

ଅଜଣା ରୋଗରେ ୫ ଜଣଙ୍କ ମୃତ୍ୟୁ ଘଟଣା, ସ୍ଥିତି ଅନୁଧ୍ୟାନ ପାଇଁ ଗଲା ୭ ଜଣିଆ ଟିମ୍

କାଶୀପୁର: ରାୟଗଡା ଜିଲ୍ଲା କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗରେ ୫ ଜଣଙ୍କର ମୃତ୍ଯୁ ଘଟଣା । ସ୍ଥିତି ଅନୁଧ୍ୟାନ ପାଇଁ ବାହାରିଲା ସାତ ଜଣିଆ ଟିମ । ଟିମରେ ଅତିରିକ୍ତ ସ୍ବାସ୍ଥ୍ଯ ନିର୍ଦ୍ଦେଶକ ଡ. ଆଦିତ୍ୟ ମହାପାତ୍ର, କୋରାପୁଟ ମେଡିକାଲ କଲେଜର ୫ ଜଣ ବରିଷ୍ଠ ଡାକ୍ତରଙ୍କ ସହ ରାୟଗଡାର ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ସାମିଲ ହୋଇଛନ୍ତି । ସ୍ବତନ୍ତ୍ରି ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ ଗାଁକୁ ଯାଇ ଅନୁଧ୍ଯାନ କରିଛନ୍ତି ।

ଅଜଣା ରୋଗରେ ୫ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୪ ଜଣ ଶିଶୁ ଓ ଜଣେ ବୃଦ୍ଧା ଏବେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ବିଶେଷ କରି ଏହି ରୋଗରେ ଶିଶୁ ଓ ବୃଦ୍ଧା ଆକ୍ରାନ୍ତ ହେଉଛନ୍ତି । ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ପଠାଯାଇଛି । ଡିପଥେରିଆ ରୋଗ ବ୍ଯାପିଥିବା ଆଶଙ୍କା କରାଯାଉଛି । ଏହି ଟିମ ରୋଗର କାରଣ ଖୋଜିବା ସହ ନିରାକରଣ ପାଇଁ ବ୍ଯବସ୍ଥା କରୁଛି ।

ଗତକାଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ, କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍ ଏବଂ ବିଶ୍ବ ସ୍ବାସ୍ଥ୍ୟ ବିଭାଗ ଟିମ୍ ଯାଇ ଆକ୍ରାନ୍ତଙ୍କ ଚିକିତ୍ସା ନେଇ ଅନୁଧ୍ୟାନ କରିଥିଲେ । ରୋଗ ପଡୋଶୀ ଗାଁକୁ ବ୍ୟାପିବା ଆଶଙ୍କା ଥିବାରୁ ନିରାକରଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି ।

ବିଜେପି କର୍ମୀଙ୍କ ଦାଦାଗିରି, ଘରେ ପଶି ମହିଳାଙ୍କୁ ଆକ୍ରମଣ

ଯାଜପୁର: ନିର୍ବାଚନ ଫଳାଫଳ ଆସିବା ପରେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ଦାଦାଗିରି କରୁଥିବା ଅଭିଯୋଗ ହେଉଛି । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବିଜେପି କର୍ମୀ ଆତଙ୍କରାଜ ମଚାଇଥିବା ଅଭିଯୋଗ ହୋଇଛି ।

ମଙ୍ଗଳପୁର ଥାନା ବିରିପଟା ପଞ୍ଚାୟତ ଅନ୍ତର୍ଗତ ବରେଇଁ ଗାଁରେ ଗତକାଲି ହିଂସା ଦେଖିବାକୁ ମିଳିଥିଲା । ନୂତନ ସରକାର ଶପଥ ଗ୍ରହଣ ଅବସରରେ ବାଣ ଫୁଟାଇବାକୁ ନେଇ ବିବାଦ ହୋଇଥିଲା । ଘର ନିକଟରେ ବାଣ ଫୁଟାଇବାକୁ ବିରୋଧ କରିବାରୁ ଘରେ ପଶି ମହିଳାଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସ୍ବାମୀ ଓ ଶ୍ବଶୁରଙ୍କ ଉପସ୍ଥିତିରେ ଘରର ବୋହୂ ମିତା ଜେନା ଓ ଶାଶୂଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ପଙ୍କ ବାହାର କରୁ କରୁ ମିଳିଲା ପୁରାତନ ମନ୍ଦିର

ନୂଆପଡ଼ା: ପଙ୍କ ବାହାର କରୁ କରୁ ବାହାରିଲା ପୁରାତନ ମନ୍ଦିର। ନୂଆପଡ଼ା କୋମନା ବ୍ଲକରେ ଥିବା ସର୍ବପୁରାତନ ଦେଉଳ ବନ୍ଧ ପୋଖରୀରୁ ପଙ୍କ ବାହାର କରାଯାଉଥିଲା। ଏହି ସମୟରେ ପ୍ରାଚୀନ ମନ୍ଦିର ଆକୃତିର ଭଗ୍ନାବଶେଷ ଓ ତ୍ରିଶୂଳ ମିଳିଛି। ଏହାକୁ କୌଣସି ପ୍ରାଚୀନ କୀର୍ତ୍ତି ଭାବି ଲୋକେ ପୂଜାର୍ଚ୍ଚନା କରୁଛନ୍ତି। କୋମନା ସହରର ସର୍ବପୁରାତନ ପୋଖରୀ ହେଉଛି ଦେଉଳବନ୍ଧ। ପୋଖରୀ ହୁଡ଼ାରେ ମହାଦେବ ମନ୍ଦିର ରହିଛି। ପ୍ରତ୍ଯେକ ସୋମ‌ବାର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ।

ଚଳିତ ବର୍ଷ ପୋଖରୀର ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଜେସିବିରେ ପଙ୍କ ବାହାର କରିବା ସମୟରେ ଇଟା ଖଣ୍ଡ ବାହାରିଥିଲା। ୫ ଫୁଟରୁ ଉର୍ଦ୍ଧ୍ବ ଖୋଳିବା ପରେ ଇଟାରେ ତିଆରି ମନ୍ଦିର ସଦୃଶ ଦେଖାଯିବା ସହ ତ୍ରିଶୂଳ ବାହାରିଥିଲା। ପୋଖରୀରୁ ମିଳିଥିବା ମନ୍ଦିରଟି ପ୍ରାଚୀନ ଶିବ ମନ୍ଦିର ଓ ତାହା କାଳକ୍ରମେ ପୋତି ହୋଇ ଯାଇଥିବା ଗବେଷକ କହିଛନ୍ତି।


                

କୋନ ଆଇସକ୍ରିମରୁ ବାହାରିଲା ମଣିଷ ଆଙ୍ଗୁଠି

ମୁମ୍ବାଇ : କୋନ ଆଇସକ୍ରିମରୁ ବାହାରିଲା କଟା ଆଙ୍ଗୁଠି। ଅନଲାଇନରେ ମଗାଇଥିଲେ ଆଇସକ୍ରିମ। ହେଲେ ଖାଇବାବେଳେ ସେଥିରୁ ବାହାରିଲା ଏକ କଟା ମନୁଷ୍ୟ ଅଙ୍ଗୁଳି। ମୁମ୍ବାଇ ମଲାଡ ଅଞ୍ଚଳର ଏ ଚାଞ୍ଚଲ୍ୟକର ଘଟଣା। ମୁମ୍ବାଇର ଜଣେ ଡାକ୍ତର ଏହି ଅଭିଯୋଗ ଆଣିଛନ୍ତି।  ଏହି କୋନ ଆଇସକ୍ରିମ ଅନଲାଇନରେ ଅର୍ଡର କରିଥିଲେ ଡାକ୍ତରଙ୍କ ଭଉଣୀ।

ସୂଚନା ଅନୁଯାୟୀ, ଗତକାଲି ଡାକ୍ତରଙ୍କ ଭଉଣୀ ଅନଲାଇନରେ ଆଇସକ୍ରିମ ମଗାଇଥିଲେ। ଏକ ଅନଲାଇନ ଆପ ଜରିଆରେ ଆଇସକ୍ରିମ ସହ ଅନ୍ୟ ଗ୍ରୋସରୀ ସାମଗ୍ରୀ ମଗାଇଥିଲେ। ଆଇସକ୍ରିମ ଖାଇବାବେଳେ ଡାକ୍ତର ଜଣଙ୍କ ସେଥିରେ ଆଙ୍ଗୁଠି ଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏହି କଟା ଆଙ୍ଗୁଠି ଜବତ କରିବା ସହ ଫୋରେନସିକ୍ ଲ୍ୟାବକୁ ପରୀକ୍ଷା ଲାଗି ପଠାଇଛି । ଏହି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

୫ ହାଇୱେ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ହାଇୱେ ଲୁଟେରା ଗ୍ୟାଙ୍ଗ। ୫ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଅଭିଯୁକ୍ତମାନେ ସ୍ପିଡ୍ ବାଇକରେ ଆସି ଚଳନ୍ତା ଗାଡ଼ିରୁ ଲୁଟପାତ କରୁଥିଲେ । ଲୁଟ ପରେ ନିଜ ଗାଡ଼ି ନମ୍ବର ବଦଳାଉଥିଲେ । ଅଭିଯୁକ୍ତଙ୍କ ନିକଟରୁ ବିପୁଳ ପରିମାଣର ସୁନା ଗହଣା ସହ ବାଇକ ଓ ଟଙ୍କା ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।

ଆଠଗଡ ବ୍ଲକ ଅଫିସ ପରିସରରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ

ଆଠଗଡ: ଆଠଗଡ ବ୍ଲକ ଅଫିସ ପରିସରରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ। । ଘଟଣା ସ୍ଥଳରେ ଦେଖାଦେଇଛି ଉତ୍ତେଜନ। ସ୍ଥିତିକୁ ନେଇ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଘଟଣାସ୍ଥଳରେ ଏସଡିପିଓଙ୍କ ସହ ସ୍ଥାନୀୟ ଆଇଆଇସି ଉପସ୍ଥିତ ଅଛନ୍ତି।

ସୂଚନା ଅନୁଯାୟୀ, ଗତ ୧୦ ଧାଇପୁର ସରପଞ୍ଚ ମୀନାକ୍ଷୀ ସାହୁ ଆଠଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ଧମକ ଦେଇଥିଲେ। ଏହାର ପ୍ରତିବାଦ କରି ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦଙ୍କ ପକ୍ଷରୁ ମୀନାକ୍ଷୀ ସାହୁଙ୍କ ନାମରେ ଆଠଗଡ ଥାନାରେ ଏତଲା ଦେଇଥିଲେ। ଏହି ପ୍ରସଙ୍ଗକୁ ନେଇ ଆଜି ପୁଣି ମୁହାଁମୁହିଁ ହୋଇଛନ୍ତି କର୍ମୀ। ଉଭୟ ଦଳ ନିଜର ପତିଆରା ଜାହିର କରିବା ପାଇଁ ବ୍ଲକ କାର୍ଯ୍ୟାଳୟ ପରିସରରେ ମୁହାଁମୁହିଁ ହୋଇଥିଲେ।