ପୁରୀ: ଆସନ୍ତା ୮ ତାରିଖରେ ଖୋଲିବନି ରତ୍ନଭଣ୍ଡାର । ସେଦିନ ରଥଯାତ୍ରା ଥିବାରୁ ରତ୍ନଭଣ୍ଡାର ଖୋଲିବାର ସମ୍ଭାବନା ନାହିଁ । ଭୁବନେଶ୍ବରରେ ପହଞ୍ଚିବା ପରେ ଏନେଇ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ଆସନ୍ତାକାଲି ତାଙ୍କ ଅଧ୍ଯକ୍ଷତାରେ ରତ୍ନଭଣ୍ଡାର କମିଟିର ଗୁରୁତ୍ୱପୁର୍ଣ୍ଣ ବୈଠକ ବସିବ । ବୈଠକରେ ରତ୍ନଭଣ୍ଡାର ଖୋଲାଗଲେ ଗଣତି ବ୍ଯବସ୍ଥା ସମ୍ପର୍କରେ ଆଲୋଚନା ହେବ । ରାଜ୍ଯ ସରକାର ଯେବେ ଅନୁମତି ଦେବେ ସେବେଠୁ ରତ୍ନଭଣ୍ଡାର ଖୋଲି ଗଣତି କାମ ଆରମ୍ଭ ହେବ । ଜଷ୍ଟିସ ଅରିଜିତ ପଶାୟତ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ । ଏହି ସମୟରେ ମଧ୍ଯରେ ରତ୍ନଭଣ୍ଡାର ଖୋଲାଯାଇ ଗଣତି ହେବାର ସମ୍ଭାବନା ରହିଛି ।
କରଞ୍ଜିଆ ବନଖଣ୍ଡରେ ହାତୀ ପଲଙ୍କ ଉତ୍ପାତ
ନନ୍ଦିଘୋଷ ବ୍ୟୁରୋ: କରଞ୍ଜିଆ ବନଖଣ୍ଡରେ ହାତୀ ପଲଙ୍କ ଉତ୍ପାତ। କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଭୀମକୁଣ୍ଡ ଠାରେ ଥିବା ସରକାରୀ ବଙ୍ଗଳାର ପାଚେରୀ ଭାଙ୍ଗିଛନ୍ତି। ସେଠାରେ ଥିବା ଗୋଟିଏ ଦୋକାନ ଘରର ଚାଳିଆ ଭାଙ୍ଗିଛନ୍ତି ୨୪ ଟିକିଆ ହାତୀ ପଲ। ଏହାସହ କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ବନାଞ୍ଚଳର ଡୁମୁରିଆ ଗାଁରେ ହାତୀପଲ ଗୋଟିଏ ଘର ଭାଙ୍ଗିଛନ୍ତି ।
କରଞ୍ଜିଆ ବନଖଣ୍ଡକୁ ବର୍ଷର ବିଭିନ୍ନ ସମୟରେ ହାତୀ ଆସି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। କେନ୍ଦୁଝର ଜିଲ୍ଲା ଏବଂ କରଞ୍ଜିଆ ବନଖଣ୍ଡରେ ବର୍ଷ ଯାକ ଚଳ ପ୍ରଚଳ କରୁଛନ୍ତି ହାତୀ । ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
କଂଗ୍ରେସ ଭବନ ଆଗରେ ଗଣ୍ଡଗୋଳ ଘଟଣା: କାଲି କମିଶନରେଟ ପୋଲିସ ଅଫିସ ଘେରାଉ କରିବ କଂଗ୍ରେସ
ଭୁବନେଶ୍ୱର: କଂଗ୍ରେସ ଭବନ ସାମ୍ନାରେ ମଙ୍ଗଳବାରର ଗଣ୍ଡଗୋଳ ଘଟଣା ନେଇ କଂଗ୍ରେସର କଡ଼ା ଆଭିମୁଖ୍ଯ। ଆସନ୍ତାକାଲି କମିଶନରେଟ ପୋଲିସ ଅଫିସ ଘେରାଉ କରିବାକୁ ଦଳ ସଜବାଜ ହେଲାଣି। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, ଏଯାଏ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯାଇ ନାହିଁ। ତେଣୁ ଛାତ୍ର କଂଗ୍ରେସ ତରଫରୁ ଆସନ୍ତାକାଲି ପ୍ରତିବାଦ କରାଯିବ।
ସେପଟେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଦୋଷୀଙ୍କୁ ଗିରଫ କରାନଗଲେ ବିଜେପି ଅଫିସରେ ଆମେ ପଶିବୁ। ଶାସନକୁ ଆସୁ ଆସୁ ଗଣତନ୍ତ୍ରକୁ ହତ୍ଯା କରିଛି ବିଜେପି। ଦୋଷୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଦାବି କରି ଆସନ୍ତାକାଲି ସବୁ ଏସପି ଅଫିସ ଘେରାଉ କରାଯିବ। ମଙ୍ଗଳବାର ସଂଧ୍ଯା ପ୍ରାୟ ୬ଟାରେ ଭୁବନେଶ୍ବର ମାଷ୍ଟର କ୍ଯାଣ୍ଟିନ ଛକରେ ଥିବା କଂଗ୍ରେସ ଭବନ ଆଗରେ ମୁହାଁମୁହିଁ ହୋଇଥିଲେ ବିଜେପି ଓ କଂଗ୍ରେସ କର୍ମୀ। ଏପରିକି ଉଭୟ ପକ୍ଷରୁ ହୋଇଥିଲା ଟେକା ପଥର ମାଡ଼। ଦୁଇ ଦଳର କିଛି କର୍ମୀ ଆହତ ହୋଇଥିବା ବି କୁହାଯାଇଥିଲା। ସଂସଦରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ଯର ପ୍ରତିବାଦ କରି ବିଜେପି କର୍ମୀ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରୁଥିବା ବେଳେ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି। କଂଗ୍ରେସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିପାଇଁ ପରସ୍ପରକୁ ଦାୟୀ କରିଥିଲେ ଦୁଇ ଦଳର କର୍ମୀ।
ଅନ୍ଧବିଶ୍ୱାସରୁ ବୀଭତ୍ସ ହତ୍ଯା, ବୃଦ୍ଧାଙ୍କୁ କୁରାଢୀରେ ହାଣି ହତ୍ଯା କଲା ଯୁବକ
ମୟୂରଭଞ୍ଜ: ଅନ୍ଧବିଶ୍ୱାସରୁ ବୀଭତ୍ସ ହତ୍ଯା। ବୃଦ୍ଧାଙ୍କୁ କୁରାଢୀରେ ହାଣି ହତ୍ଯା କଲା ଯୁବକ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ନିଶ୍ଚିତପୁର ଗାଁରେ ଘଟିଛି ନିର୍ମମ ହତ୍ଯାକାଣ୍ଡ। ବୃଦ୍ଧାଙ୍କୁ ହାଣି ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଛି ଅଭିଯୁକ୍ତ। ମୃତ ମହିଳା ହେଲେ ୭୨ ବର୍ଷୀୟା ଗୌରୀ ବେହେରା। ଅଭିଯୁକ୍ତ ବାବୁଲି ମହାକୁଡକୁ ଗ୍ରାମବାସୀ ଅଟକ ରଖି ପୋଲିସର ଜିମା ଦେଇଛନ୍ତି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ଯାରେ ବ୍ଯବହୃତ କୁରାଢୀକୁ ଜବତ କରିଛି । ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରାଯାଉଥିବା ବେଳେ ଅନ୍ଧବିଶ୍ବାସରେ ଆସି ଅଭିଯୁକ୍ତ ହତ୍ଯା କରିଥିବା ସନ୍ଦେହ କରାଯାଉଛି ।
ସମ୍ବଲପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ
ସମ୍ବଲପୁର: ସମ୍ବଲପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ। ଝାଙ୍କର ପାଲି ଅଞ୍ଚଳରେ କରେଣ୍ଟ ଲାଗି ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହାତୀଟି ଫସଲ ଖାଇବାକୁ ଆସିଥିବା ବେଳେ ବିଦ୍ଯୁତ ଆଘାତରେ ତାର ଜୀବନ ଯାଇଥିବା ସନ୍ଦେହ କରାଯାଉଛି ।
କିଛିଦିନ ଆଗରୁ ଏହି ଅଞ୍ଚଳରେ ବିଦ୍ଯୁତ ଆଘାତରେ ଗୋଟିଏ ଦନ୍ତାର ମୃତ୍ଯୁ ହୋଇଥିଲା । ଆଜି ପୁଣି ଆଉ ଗୋଟିଏ ହାତୀର ମୃତ୍ଯୁ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଚୌଦ୍ୱାରରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଆତ୍ମହତ୍ଯା
କଟକ: ଟାଙ୍ଗୀ ଚୌଦ୍ୱାରରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଆତ୍ମହତ୍ଯା । ମୃତକ ହେଲେ ଗଦାଧର ଗୁରୁ । ସେ ଟାଙ୍ଗୀ ଚୌଦ୍ୱାର ବ୍ଲକରେ କାର୍ଯ୍ୟରତ ଥିଲେ । ପଞ୍ଚାୟତରେ ବିଭିନ୍ନ କାମକୁ ନେଇ ଉପରିସ୍ଥ ଅଧିକାରୀ ଗଦାଧରଙ୍କୁ ପୂର୍ବରୁ ଦାଗିଦ କରିଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ କିଛିଦିନ ହେବ ସେ ମାନସିକ ଚାପରେ ରହିଥିଲେ । ବୁଧବାରଠୁ ଘରକୁ ଫେରିନଥିଲେ ଗଦାଧର । ଏନେଇ ପରିବାର ଲୋକ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ।
ପରେ ବିଳମ୍ବିତ ରାତିରେ ଶଙ୍କରପୁର ଜଙ୍ଗଲ ନିକଟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ତେବେ ପ୍ରକୃତରେ କେଉଁ କାରଣ ପାଇଁ ସେ ଆତ୍ମହତ୍ଯା କରିଛନ୍ତି ତାହା ଅସ୍ପଷ୍ଟ ରହିଛି । ଉପରିସ୍ଥ ଅଧିକାରୀଙ୍କ ଚାପ ନା ଆତ୍ମହତ୍ଯା ପଛରେ ଆଉକିଛି କାରଣ ରହିଛି ସେନେଇ ପୋଲିସ ତଦନ୍ତ କରୁଛି ।
ନବବଧୂଙ୍କ ସନ୍ଦେହଜନକ ମୃତ୍ଯୁ, ପୋଲିସର ତଦନ୍ତ ଜାରି
ଭଦ୍ରକ: ସାଂସାରିକ ଜୀବନ ଏବେ ଏବେ ଆରମ୍ଭ ହେଉଥିଲା । ବାହାଘରକୁ ୨ ମାସ ବି ପୂରିନଥିଲା । ହେଲେ କଣ ଏମିତି ହେଲା କେଜାଣି, ସ୍ବାମୀଙ୍କ ଅନୁପସ୍ଥିତିରେ ଆତ୍ମହତ୍ଯା କରିଦେଲା ସ୍ତ୍ରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରଥପଦା ଗାଁରେ ନବବଧୂଙ୍କର ସନ୍ଦେହଜନକ ମୃତ୍ଯୁ ହୋଇଛି । ମୃତକ ରାଜଘରପୋରୀ ପଞ୍ଚାୟତର ସଦର ସାହିର ନକୁଳ ମହାନ୍ତିଙ୍କ ଝିଅ ମାନସୀ ।
ଅଭିଯୋଗ ଅନୁସାରେ, ପରିବାର ଲୋକ ମାନସୀଙ୍କର ଅନ୍ଯତ୍ର ବାହାଘର ଠିକ୍ କରିଥିଲେ। ଏଥିପାଇଁ ନିର୍ବନ୍ଧ ମଧ୍ଯ ଶେଷ ହୋଇଥିଲା। ମାତ୍ର ସେଠାରେ ବିବାହ ନକରି ଗତ ମେ ମାସ ୧୦ ତାରିଖରେ ପ୍ରେମିକ ବିରୁପାକ୍ଷଙ୍କୁ ସେ ପ୍ରେମ ବିବାହ କରିଥିଲେ । ଏଥିରେ ମାନସୀଙ୍କ ପରିବାର ଲୋକଙ୍କ ସମ୍ମତି ନଥିଲା । ଝିଅଘର ଲୋକ ବାହାଘରରେ ସାମିଲ ମଧ୍ଯ ହୋଇନଥିଲେ । ବିବାହ ପରେ ବିରୁପାକ୍ଷ କୋଲକାତାକୁ କାମ କରିବାକୁ ଯାଇଥିଲେ । ଗତ ଦୁଇରୁ ତିନି ଦିନ ହେଲା ପତି-ପତ୍ନୀଙ୍କ ମଧ୍ଯରେ କୌଣସି କାରଣରୁ ବିବାଦ ଲାଗିଥିଲା । ବୁଧବାର ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ମାନସୀ ରଶି ଲଗାଇ ଆତ୍ମହତ୍ଯା କରିଥିବା ଅଭିଯୋଗ ହୋଇଛି । ଶାଶୂଘର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇଁ ମାନସୀଙ୍କ ବାପଘର ଲୋକ ଡାକ୍ତରଖାନାରେ ପହଞ୍ଚି ଝିଅକୁ ହତ୍ଯା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

