spot_img
Home Blog Page 1843

ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ବାଲିନାଳି ପେଟ୍ରୋଲ ପମ୍ପ ନିକଟରୁ ବାଘ ଛାଲ ବିକ୍ରି ସମୟରେ ମାଡି ବସିଲା ବନବିଭାଗ। ଏକ କଲରା ପତରିଆ ବାଘ ଛାଲ ଜବତ କରିବା ସହିତ   ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି  ଛେଣ୍ଡିପଦା  ବନବିଭାଗ  । ଗିରଫ ୨ଜଣ  ଛେଣ୍ଡିପଦା ଥାନା ହାଣ୍ତିଗୋଡା ଗାଁର ଟିକନ୍ ଗୋଛୟତ ଓ ଧଉରାଖମଣ ଗାଁର ସମିତି ସଭ୍ୟ ଯୁଗଳ ନାଏକ ବୋଲି ଜଣାପଡିଛି । ବାଘ କୁ କେଉଁ ଜଙ୍ଗଲ ରୁ ଶୀକାର କରିଛନ୍ତି କେତେ ଦିନ ହେଲାଣି କେଉଁଠି କି ବିକ୍ରୀ ହେଉଥଲା ତା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ବନ ବିଭାଗ ତଦନ୍ତ ଚଳାଇଛି । ତଦନ୍ତ ପରେ ବାଘ ଛାଲ କେଉଁଠାରୁ ଆସିଲା ସେ ନେଇ ସବିଶେଷ ତଥ୍ୟ ଜଣା ପଡିବ।

ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ଯ

ନନ୍ଦିଘୋଷ ବ୍ୟୁରୋ: ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ଯ। ୧୪ଟି ଖରିଫ ଫସଲ ଲାଗି ବଢିଛି ଏମଏସପି। କେନ୍ଦ୍ର କ୍ଯାବିନେଟ ବୈଠକରେ ଧାନର ଏମଏସପି ୧୧୭ ଟଙ୍କା ବଢାଯାଇ କରାଯାଇଛି ୨୩ଶହ ଟଙ୍କା। ୨୦୧୩-୧୪ରେ ଧାନର ଏମଏସପି ଥିଲା ୧୩୧୦ ଟଙ୍କା। କପାର ଏମଏସପି ବଢାଯାଇଛି ୫୦୧ ଟଙ୍କା। ସେହିପରି ରାଗି, ବାଜରା, ମକାର ଏମଏସପି ମଧ୍ଯ ବୃଦ୍ଧି କରାଯାଇଛି। ଦେଶରେ କେନ୍ଦ୍ର ସରକାର ପ୍ରତିଷ୍ଠା କରିବେ ୨ ଲକ୍ଷ ଗୋଦାମ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ମହାରାଷ୍ଟ୍ରରେ ବଧାବନ ପୋର୍ଟ ପ୍ରୋଜେକ୍ଟ ଲାଗି ମଞ୍ଜୁର ହୋଇଛି ୭୦ ହଜାର କୋଟି ଟଙ୍କା। ଏମଏସପିକୁ ଆଇନଗତ ଗ୍ଯାରେଣ୍ଟି ପ୍ରଦାନ ଲାଗି ବିଭିନ୍ନ ଚାଷୀ ସଂଗଠନର ଦୀର୍ଘ ଦିନର ଦାବି ରହିଛି। ସେପରଟେ ହରିଆଣା, ମହାରାଷ୍ଟ୍ର, ଝାଡଖଣ୍ଡରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଏମଏସପି ଘୋଷଣା କରାଯାଇଥିବା କୁହାଯାଉଛି।

ଦୁଷ୍କର୍ମ ପରେ ମା ଓ ଝିଅକୁ ହତ୍ୟା !

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଇମଣୀ ଛକ ନିକଟରେ ଅଭାବନୀୟ ଘଟଣା।  ମାଆକୁ ଦୁଷ୍କର୍ମ ପରେ ହତ୍ୟା ସହିତ  ଝିଅକୁ  ପଥରରେ ଚେଛି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।  ସୂଚନା ଅନୁଯାୟୀ ଜଳଙ୍ଗା ଅଞ୍ଚଳ ର ସୁକାନ୍ତି ମୁଣ୍ଡା , ସ୍ୱାମୀ ରାଜୁ ମୁଣ୍ଡା ଓ 6 ବର୍ଷୀୟ ଝିଅ ରାଇମଣିରେ ରହି ମଜୁରିଆ କାମ କରୁଥିଲେ। ବୁଧବାର ସକାଳୁ ମାଆ ଓ ଝିଅ ମେଡିକାଲ ଯାଇଥିଲେ। ପରେ ସ୍ଥାନୀୟ ଲୋକେ ମାଆ ସୁକାନ୍ତି ମୁଣ୍ଡାର ମୃତଦେହ ଦେଖିଥିଲେ। ସେହି ସ୍ଥାନରୁ ନାବାଳକ କୁ ଦେଖି ସନ୍ଦେହ ହେବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ। ତେବେ କିଛି ସମୟ ପରେ ମୃତ ମହିଳାଙ୍କ ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ  ମିଳିଥିଲା। ତେବେ ସ୍ଥାନୀୟ ଲୋକେ ନାବାଳକକୁ  ଧରି ଗ୍ରାମାଞ୍ଚଳ ପୁଲିସକୁ ଦେଇଥିଲେ। ତେବେ ମୃତକଙ୍କ ସ୍ୱାମୀ ଙ୍କ ଅଭିଯୋଗ ଅନୁଯାୟୀ ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଓ ଝିଅ ଦେଖିଦେବାରୁ ଝିଅକୁ ପଥରରେ ଚେଛି ହତ୍ୟା କରାଯାଇଥିବା କହିଛନ୍ତି । ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି

୮ ତାରିଖରେ ଖୋଲିବ ନାହିଁ ରତ୍ନଭଣ୍ଡାର

ଭୁବନେଶ୍ୱର :ଆସନ୍ତା ୮ ତାରିଖରେ ଖୋଲିବନି ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏବେ ରତ୍ନଭଣ୍ଡାର ଖୋଲିବନି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ରାଜ୍ଯ ସରକାର । ଛତିଶା ନିଯୋଗ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନି । ବିଶୃଙ୍ଖଳିତ ଭାବରେ ଜଣେ ଏଏସଆଇ ଅଧିକାରୀ ଏପରି ମନ୍ତବ୍ଯ ଦେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସଂପୃକ୍ତ ଏଏସଆଇ ଅଧିକାରୀଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ରତ୍ନଭଣ୍ଡାର ଖୋଲିବା ଉପରେ ସରକାର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଛନ୍ତି । ସରକାର ହିଁ ଏ ବାବଦରେ ନିଷ୍ପତ୍ତି ନେବେ ବୋଲି ପୃଥ୍ବୀରାଜ କହିଛନ୍ତି ।

ମଧ୍ଯାହ୍ନରେ ପରିଚାଳନା କମିଟି ବୈଠକ ପରେ ଗଣମାଧ୍ଯମକୁ ରତ୍ନଭଣ୍ଡାର ଖୋଲିବା ନେଇ ସୂଚନା ଦେଇଥିଲେ ଏଏସଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ । ଏଏସଆଇ ଅଧୀକ୍ଷକ କହିଥିଲେ ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରତିଶୃତି ମିଳିଛି । ଏହାଛଡ଼ା ରତ୍ନଭଣ୍ଡାର ଖୋଲିବା ପରେ ମରାମତି ପ୍ରସଙ୍ଗରେ ବି କହିଥିଲେ ଏଏସଆଇ ଅଧୀକ୍ଷକ । ହେଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଏନେଇ କୌଣସି ସ୍ପଷ୍ଟୋକ୍ତି ଦେଇନଥିଲେ । ରତ୍ନଭଣ୍ଡାର କମିଟିର ସୁପାରିସ ଆଧାରରେ ହିଁ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ଯ ସରକାର ନିଷ୍ପତ୍ତି ନେବେ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ଯପ୍ରଶାସକ ଭିଭି ଯାଦବ । ଏବେ ଖୋଦ୍ ଆଇନ ମନ୍ତ୍ରୀ ସଂପୃକ୍ତ ଏଏସଆଇଙ୍କ ମନ୍ତବ୍ଯକୁ ଖଣ୍ଡନ କରିବା ସହ ଏବେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ହୋଇନି ବୋଲି ସ୍ପଷ୍ଟ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି, କାହିଁକି ଏଭଳି ଖାମଖିଆଲି ମନ୍ତବ୍ଯ ଦେଲେ ଏଏସଆଇ ଅଧିକାରୀ ? କାହା ନିର୍ଦ୍ଦେଶରେ ଏଏସଆଇ ଅଧିକାରୀ ଦେଇଥିଲେ ମନ୍ତବ୍ଯ ? ସରକାର ନିଷ୍ପତ୍ତି ନେଇନଥିବାବେଳେ ଏଏସଆଇ ଅଧିକାରୀ କାହିଁକି ଦେଲେ ଏଭଳି ମନ୍ତବ୍ଯ ?

ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା

ନନ୍ଦିଘୋଷ ବ୍ୟୁରୋ:

ବିଜେଡି ବିଧାୟକ ଦଳ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ବସମ୍ମତ  ବିରୋଧୀ ଦଳ ନେତା ନିର୍ବାଚିତ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ବିଧାୟକ ଦଳ ବୈଠକରେ ଏନେଇ ହୋଇଛି ନିଷ୍ପତ୍ତି।  ସେହିପରି ରେଢାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ଯ ହୋଇଛନ୍ତି ବିରୋଧୀ ଦଳ ଉପନେତା। ପୂର୍ବତନ ସରକାରୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ ଏବେ ବିରୋଧୀ ଦଳ ମୁଖ୍ଯ ସଚେତକ ଭୂମିକା ତୁଲାଇବେ। ପୂର୍ବତନ ମନ୍ତ୍ରୀ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ ହୋଇଛନ୍ତି ବିରୋଧୀ ଦଳ ଉପମୁଖ୍ଯସଚେତକ। ଦୀର୍ଘ ୨୪ ବର୍ଷ ଧରି ରାଜ୍ଯ ଶାସନର ମଙ୍ଗ ଧରି ସାରା ବିଶ୍ବରେ ଖ୍ଯାତି ଅର୍ଜନ କରିଛନ୍ତି ନବୀନ। ସେ  ୫ଥର ଓଡ଼ିଶାର ମୁଖ୍ଯମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ହିଞ୍ଜିଳି ଆସନରୁ ଲଗାତାର ୬ ଥର ହୋଇଛନ୍ତି ବିଧାୟକ। ସମାଜର ସବୁ ବର୍ଗର ଲୋକଙ୍କ ଲାଗି ଅନେକ ଲୋକପ୍ରିୟ ଯୋଜନା ପ୍ରସ୍ତୁତ କରି ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଥିଲେ ନବୀନ। ତାଙ୍କ ଶାସନକାଳ ଓଡ଼ିଶା ଇତିହାସରେ ଥିଲା ସୁବର୍ଣ୍ଣଯୁଗ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଜଳସେଚନ ଆଦି ସମସ୍ତ କ୍ଷେତ୍ରରେ ଦିଗଦର୍ଶକ ଥିଲେ ବିଜେଡି ସୁପ୍ରିମୋ ନବୀନ। ସରକାରଙ୍କୁ ସଚେତନ କରିବା, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀ ଦଳର ଭୂମିକା ରହିଥାଏ ଗୁରୁତ୍ବପୂର୍ଣ୍ଣ। ସଶକ୍ତ ବିରୋଧୀ ହିଁ ସୁସଂହତ ଗଣତାନ୍ତ୍ରିକ ବ୍ଯବସ୍ଥା ଲାଗି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଜେଡିର ଏହି  ଶକ୍ତିଶାଳୀ ଟିମ୍ ବିଧାନସଭାରେ ସରକାର ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ରାଜ୍ଯର ବିକାଶ ଲାଗି ଦଳୀୟ ରଣନୀତି ସ୍ଥିର କରିବେ।

ଶଙ୍ଖ ଭବନରେ ନେତାଙ୍କ ଭିଡ଼, କିଛି ସମୟ ମଧ୍ୟରେ ଆରମ୍ଭ ହେବ ବିଧାୟକ ଦଳ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଶଙ୍ଖ ଭବନରେ ଜମୁଛି ନେତାଙ୍କ ଭିଡ଼। ବିଜେଡି ନେତା, କର୍ମୀ ଏବଂ ବିଧାୟକମାନେ ଭିଡ଼ ଜମାଇଛନ୍ତି । ଆଜି ବିଧାୟକ ଦଳ ବୈଠକ ବସିବାକୁ ଥିବାବେଳେ ବିଧାୟକମାନେ ଆସି ଶଙ୍ଖ ଭବନରେ ପହଞ୍ଚୁଛନ୍ତି । ତେବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଶଙ୍ଖ ଭବନରେ ବୈଠକ ଆରମ୍ଭ ହେବ । ବୈଠକରେ ବିଜେଡି ବିଧାୟକ ଦଳ ନେତା ବଛାଯିବା ସହ ଆଗାମୀ ଦିନର ରାଜନୈତିକ ଏଜେଣ୍ତା ପ୍ରସ୍ତୁତ କରାଯିବ । ପ୍ରଥମ ଥର ବିଜେଡି ୫୧ ଜଣ ବିଧାୟକଙ୍କୁ ନେଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିବ । ରାଜ୍ୟସ୍ବାର୍ଥ ସମ୍ପର୍କିତ ବହୁ ପ୍ରସଙ୍ଗରେ ଦଳ ଶାଣିତ ସ୍ବର ଉଠାଇବା ସହ ୨୪ ବର୍ଷର ବିଜେଡି ଶାସନରେ ଯେଉଁ ବିକାଶ ହୋଇଛି ତାହାକୁ ନୂଆ ସରକାର କିପରି ଆଗେଇ ନେବେ ତାହା ଉପରେ ଦଳ ଫୋକସ କରିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହେବାକୁ  ବିଜେଡିର ଅଧିକାଂଶ ନବ ନିର୍ବାଚିତ ବିଧାୟକ ପ୍ରସ୍ତାବ ଦେଇଛନ୍ତି । ୨୪ ବର୍ଷ ଧରି ଓଡ଼ିଶାର ନେତୃ୍ତ୍ବ ନେଇ ନବୀନ ବିକାଶ ପାଇଁ ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି । ତାଙ୍କର ଅଭିଜ୍ଞତା ଓ ଅନୁଭୂତି ଗୃହରେ ବିରୋଧୀ ଦଳ ନେତା ଭାବେ ବେଶ ସହାୟକ ହେବ । ନବୀନ ପଟ୍ଟନାୟକ ବିଜେଡିର ସବୋର୍ଚ୍ଚ ନେତା ଥିଲେ, ଅଛନ୍ତି ଓ ରହିବେ ବୋଲି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ବିଜେଡି ବିଧାୟକ ଦଳ ବୈଠକରେ ନବୀନ ହିଁ ଗୃହର ନେତାଭାବେ ନିର୍ବାଚିତ ହେବେ ବୋଲି ଦଳୀୟ ନେତା କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ତାହାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଆରମ୍ଭ  ହୋଇଛି । ସନ୍ଧ୍ଯାରେ କଂଗ୍ରେସର ବିଧାୟକ ଦଳ ବସିବ । ପିସିସି ସଭାପତିଙ୍କ ଅଧ୍ଯକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ବଛାଯିବା ନେଇ ସୂଚନା ରହିଛି ।

ଇସଲାମ ଧର୍ମର ପବିତ୍ର ପୀଠ ମକ୍କାରେ ଦୁଃଖଦ ଘଟଣା, ପ୍ରଚଣ୍ଡ ତାତିରେ ପ୍ରାଣ ହରାଇଲେ ୫୭୭ରୁ ଅଧିକ ଶ୍ରଦ୍ଧାଳୁ

ନନ୍ଦିଘୋଷ ବ୍ୟୁରୋ: ହଜ ଯାତ୍ରାରେ ପ୍ରଚଣ୍ଡ ଉତ୍ତାପ ଯୋଗୁ ମକ୍କାରେ ୫୭୭ ଶ୍ରଦ୍ଧାଳୁଙ୍କ ମୃତ୍ଯୁ। ସେମାନଙ୍କ ମଧ୍ଯରୁ କେବଳ ଇଜିପ୍ଟର ୩୨୩ ବ୍ଯକ୍ତି ରହିଥିବା ସୂଚନା ମିଳିଛି। ଅସୁସ୍ଥଙ୍କ ମଧ୍ଯରୁ ଅନେକଙ୍କୁ ମକ୍କାର ଅଲ-ମୁଆସିଅମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ଯରେ ଜୋର୍ଡାନର ୬୦ ଜଣ ରହିଛନ୍ତି। ଇସଲାମ ଧର୍ମରେ ସବୁଠାରୁ ପବିତ୍ର ସ୍ଥଳ ହେଉଛି ସାଉଦିଆରବର ମକ୍କା। ଏହା ସହ ଇସଲାମ ଧର୍ମର ପାଞ୍ଚ ଧାର୍ମିକ ସ୍ତମ୍ଭ ମଧ୍ଯରୁ ହଜ ହେଉଛି ଅନ୍ୟତମ। ମକ୍କାର ଗ୍ରାଣ୍ଡ ମସଜିଦରେ ତାପମାତ୍ରା ପ୍ରାୟ ୫୨ ଡିଗ୍ରୀ ହୋଇଥିବାବେଳେ ସାମାନ୍ଯ ଦଳାଚକଟା ଓ ଜାମ୍ କାରଣରୁ ଭକ୍ତମାନେ ପ୍ରାଣ ହରାଇଥିବା ସୂଚନା ମିଳିଛି। ତାପମାତ୍ରା ବୃଦ୍ଧି କାରଣରୁ ୨ ହଜାର ଶ୍ରଦ୍ଧାଳୁ ପ୍ରଭାବିତ ହୋଇଛନ୍ତି। ମକ୍କା ଯିବା ଲାଗି ଛତା, ପର୍ଯ୍ଯାପ୍ତ ପାଣି ଆଦି ଧରି ଯିବା ଲାଗି ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛନ୍ତି ସାଉଦି କର୍ତ୍ତୃପକ୍ଷ। ଚଳିତ ବର୍ଷ ମକ୍କାକୁ ୧୮ ଲକ୍ଷ ଶ୍ରଦ୍ଧାଳୁ ଆସିଥିବାବେଳେ କେବଳ ୧୬ ଲକ୍ଷ ଶ୍ରଦ୍ଧାଳୁ ଆସିଥିଲେ ବିଦେଶରୁ।

 

ସ୍ବାମୀକୁ ହତ୍ୟା କରିଥିଲା ସ୍ତ୍ରୀ, ଧରାଇଦେଲା ହ୍ବାଟ୍ସଆପ୍ ମେସେଜ୍

ନନ୍ଦିଘୋଷ ବ୍ୟୁରୋ: ସ୍ୱାମୀ ହତ୍ୟାର ଷଡ଼ଯନ୍ତ୍ରକାରିଣୀ ସ୍ତ୍ରୀ । ଦୁର୍ଘଟଣାରେ ବର୍ତ୍ତିଯିବା ପରେ ଗୁଳି କରି ମାରିଲା। ଦୀର୍ଘ ୩ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କରିଛି ଜଣେ ସ୍ତ୍ରୀ। ପ୍ରଥମେ ଦୁର୍ଘଟଣା ଘଟାଇ ମାରିବାକୁ ଉଦ୍ୟମ ପଣ୍ଡ ହୋଇଯିବା ପରେ ଘରେ ଲୋକ ଲଗାଇ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୀର୍ଘ ୩ ବର୍ଷ ପରେ ପୋଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ସହ ସମ୍ପୃକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ହରିୟାଣାର ଏହି ଘଟଣା।

୨୦୨୧ ଅକ୍ଟୋବର ୫ରେ ମୃତ ବିନୋଦ ବରଦାଙ୍କୁ ପଞ୍ଜାବରେ ପଞ୍ଜିକୃତ ହୋଇଥିବା ଏକ ଗାଡ଼ି ଧକ୍କା ଦେଇଥିଲା। ସୌଭାଗ୍ୟବଶତଃ ସେ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ, ହେଲେ ଦୁଇ ଗୋଡ଼ ହରାଇ ସାରା ଜୀବନ ପାଇଁ ପଙ୍ଗୁ ହୋଇ ଯାଇଥିଲେ। କିନ୍ତୁ ଦୁଇ ମାସ ପରେ, ଡିସେମ୍ବର ୧୫, ୨୦୨୧ରେ ବିନୋଦଙ୍କୁ ପାନିପତ ସ୍ଥିତ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଥିଲା। ଏବେ ଦୀର୍ଘ ତିନି ବର୍ଷ ପରେ ବିନୋଦଙ୍କ ହତ୍ୟା ପଛରେ ସ୍ତ୍ରୀ ନିଧିର ହାତ ଥିବା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ପ୍ରେମିକ ସୁମିତଙ୍କ ସହ ମିଶି ନିଧି ତାଙ୍କ ସ୍ୱାମୀ ହତ୍ୟାର ଷଡ଼ଯନ୍ତ୍ର ରଚିଥିବା ପୁଲିସ କହିଛି। ହ୍ବାଟ୍ସଆପ ଚାଟରୁ ପୋଲିସ ହତ୍ୟାର ରହସ୍ୟକୁ ଖଣ୍ଡନ କରିପାରିଛି।

ମାମଲା ସେବେ ଆଗକୁ ବଢିଥିଲା ଯେବେ ବିନୋଦଙ୍କ ଦାଦା ବିରେନ୍ଦ୍ର ଟ୍ରକ୍ ଡ୍ରାଇଭର ଦେବ ସୁନାରଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ। ପୁତୁରାଙ୍କ ଦୁର୍ଘଟଣା ପାଇଁ ଡ୍ରାଇଭର ଦେବ ସୁନାର ଦାୟୀ ଥିବା ଦର୍ଶାଇ ୨୦୨୧ରେ ସେ ଏକ ମାମଲା ରୁଜୁ କରିଥିଲା। ଯାହା ପରେ ପୁଲିସ ଦେବ ସୁନାରଙ୍କୁ ଗିରଫ କରିଥିଲା। ୧୫ ଦିନ ପରେ ଜେଲରୁ ଫେରି ମାମଲା ରଫାଦଫା କରାଇଦେବାକୁ ବିରେନ୍ଦ୍ରଙ୍କୁ ଅନୁରୋଧ କରିଥିଲା ଦେବ। କିନ୍ତୁ ସେ ନ ଶୁଣିବାରୁ ତାଙ୍କୁ ଧମକ ଦେଇଥିଲା। ଡିସେମ୍ବର ୧୫, ୨୦୨୧ରେ ଦେବ ସୁନାର ଏକ ପିସ୍ତଲ ନେଇ ବିନୋଦଙ୍କୁ ତାଙ୍କ ଘରେ ଗୁଳି କରିଥିଲା।

ତୁରନ୍ତ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାର ଦେବ ସୁନାର ପୁଣି ଗିରଫ ହୋଇ ଜେଲରେ ରହିଥିଲା। କିନ୍ତୁ ନିକଟରେ ଅଷ୍ଟ୍ରେଲିଆରେ ରହୁଥିବା ବିନୋଦଙ୍କ ଜଣେ ଭାଇ ମାମଲା ଉପରେ ସନ୍ଦେହ ପ୍ରକଟ କରିଥିଲେ ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଥିଲେ। ଏନେଇ ସେ ହ୍ୱାଟ୍ସଆପ୍ ଯୋଗେ ପୁଲିସକୁ ଅଭିଯୋଗ କରିଥିଲେ।

ଏହାପରେ ପୁଲିସ ଅଧିକାରୀ ଫାଇଲର ରିଓପନ୍ କରିଥିଲେ। ତଦନ୍ତ ସମୟରେ ଦେବ ସୁନାର ସୁମିତ ନାମକ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଥିବା ଜାଣିବାକୁ ପାଇଥିଲା ପୁଲିସ, ଯିଏକି ବିନୋଦଙ୍କ ପତ୍ନୀ ନିଧି ସହ ନିୟମିତ କଥାବାର୍ତ୍ତା କରୁଥିଲେ। ଫଳରେ ସୁମିତ ଉପରେ ପୁଲିସର ସନ୍ଦେହ ବଢିଥିଲା। ଚଳିତ ବର୍ଷ ଜୁନ୍ ୭ରେ ପଚରା ଉଚରା ସମୟରେ ସୁମିତଠୁ ସବୁ ସତ ବାହାର କରିଛି ପୁଲିସ।

ସୁମିତ କହିଛି ଯେ, ବିନୋଦଙ୍କ ପତ୍ନୀ ନିଧି ସହ ତାଙ୍କର ଏକ ଜିମରେ ଦେଖା ହୋଇଥିଲା। ଏହା ପରେ ସେମାନେ ବନ୍ଧୁ ହୋଇଥିଲେ। ବିନୋଦ ଏ ବାବଦରେ ଜାଣିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ଉଭୟ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ପ୍ରଥମେ ଦୁର୍ଘଟଣାରେ ମାରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ସେଥିରୁ ବର୍ତ୍ତି ଯିବାରୁ ନୂଆ ପ୍ଲାନ୍ କରିଥିଲେ।

ବିନୋଦଙ୍କୁ କ୍ଷମା ପ୍ରାର୍ଥନା କରିବା ବାହାନରେ ତାଙ୍କ ଘରକୁ ଯାଇଥିଲା ଦେବ। ସେଠାରେ ପହଞ୍ଚିବା ପରେ ଭିତର ପଟୁ କବାଟ ବନ୍ଦ କରି ତାଙ୍କ ଛାତି ଓ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲା। ପୁଲିସ ଏହି ମାମଲାରେ ନିଧି, ସୁମିତ ଓ ଦେବଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଦିଲ୍ଲୀରେ ଅସହ୍ୟ ଗରମ, ୨ ଦିନରେ ୭ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଜୁନ ମାସରେ ଅସହ୍ୟ ହେଉଛି ଖରାର ପ୍ରଭାବ । ରାଜଧାନୀ ଦିଲ୍ଲୀରେ ବଢ଼ିବାରେ ଲାଗିଛି ଉତ୍ତାପ । ୨ ଦିନରେ ଅଂଶୁଘାତରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ବହୁ ଲୋକ ମେଡିକାଲରେ ଭର୍ତ୍ତି ହୋଇଥିବା ମଧ୍ୟ କୁହାଯାଇଛି । ୟୁପି ଏବଂ ରାଜସ୍ଥାନ ପରେ ଏବେ ରାଜଧାନୀ ଦିଲ୍ଲୀରୁ ସାମନାକୁ ଆସିଛି ଅଂଶୁଘାତ ଜନିତ ମୃତ୍ୟୁ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀରେ ଜଳ ସଙ୍କଟ ଲାଗି ରହିଥିବାବେଳେ ଏବେ ପୁଣିଥରେ ଖରାର ପ୍ରଭାବ ବଢ଼ିଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ରାମ ମନୋହର ଲୋହିଆ ହସ୍ପିଟାଲରେ ୨ ଦିନ ମଧ୍ୟରେ ୨୩ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି । ତେବେ ଖରାର ପ୍ରକୋପ କମିବାର ନାଁ ନେଉନାହିଁ ।

ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ

ନନ୍ଦିଘୋଷ ବ୍ୟୁରୋ:  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଆଜି ଜନ୍ମଦିନ। ୫୪ ବର୍ଷ ବୟସରେ ପାଦ ଥାପିଛନ୍ତି ରାହୁଲ। ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ଯ କାର୍ଯ୍ୟାଳୟରେ କର୍ମୀଙ୍କ ସହ ରାହୁଲ ଜନ୍ମଦିନ ପାଳନ କରିଛନ୍ତି। ୧୯୭୦ ଜୁନ ୧୯ରେ ରାଜୀବ ଗାନ୍ଧୀ ଓ ସୋନିଆଙ୍କ କୋଳକୁ ଆସିଥିଲେ ରାହୁଲ।  ଗାନ୍ଧି -ନେହେରୁ ପରିବାରର ରାହୁଲ ହେଉଛନ୍ତି ପଞ୍ଚମ ପିଢ଼ିର ରାଜନେତା। ରାହୁଲ ଦିଲ୍ଲୀର ସେଣ୍ଟ  କଲମ୍ଵସ୍ ଓ ଡେରାଡୁନର ଡୂନ୍ ସ୍କୁଲରେ ଶିକ୍ଷାଲାଭ କରିଥିଲେ। ୧୯୮୯ରେ ସେ ସେଣ୍ଟ ଷ୍ଟିଫେନ୍ସ କଲେଜରେ ନାମ ଲେଖାଇଥିଲେ। ଇତିହାସରେ ସ୍ନାତକ ଶିକ୍ଷା ଲାଭ କରିବା ପରେ ରାହୁଲ ହାଭାର୍ଡ଼ ବିଶ୍ଵ ବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ପାଇଁ ଯାଇଥିଲେ। ରାଜୀବ ଗାନ୍ଧୀଙ୍କ ନିଧନ ପରେ ସେ ଭାରତକୁ ଫେରି ଆସିଲେ। ଟ୍ରିନିଟି କଲେଜରୁ ରାହୁଲ ଏମ.ଫିଲ୍ କରିଛନ୍ତି।