spot_img
Home Blog Page 1842

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିବସ। ତାଙ୍କର ଜନ୍ମଦିନ ଉପଲକ୍ଷେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ୧୯୫୮ ମସିହା ଆଜିର ଦିନରେ ମୟୂରଭଞ୍ଜ ଜିଲ୍ଲା ଉପରବେଡା ଗାଁରେ ତାଙ୍କର ଜନ୍ମ ହୋଇଥିଲା  । ୧୯୯୭ ମସିହାରେ ସେ ରାଜନୀତିକୁ ପ୍ରବେଶ କରିଥିଲେ । ପ୍ରଥମେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ । ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷା ହୋଇଥିଲେ । ୨୦୦୦ ଓ ୨୦୦୪ରେ ରାଇରଙ୍ଗପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୬ ମାର୍ଚ୍ଚ ୨୦୦୦ରୁ ୬ ଅଗଷ୍ଟ ୨୦୦୨ ମସିହା ଯାଏଁ ବାଣିଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୭ରେ ସେ ଲାଭ କରିଥିଲେ ଶ୍ରେଷ୍ଠ ବିଧାୟିକା ପୁରସ୍କାର ।

ଏହାପରେ ୨୦୧୫ରୁ ୨୦୨୧ ଝାଡ଼ଖଣ୍ଡ ରାଜ୍ୟପାଳ ରହିଥିଲେ। ଦ୍ରୌପଦୀ ପ୍ରଥମ ଓଡ଼ିଆ ମହିଳା ଯେ କି ଅନ୍ୟ ରାଜ୍ୟରେ ରାଜ୍ୟପାଳ ହୋଇଥିଲେ । ପରେ ରାଇରଙ୍ଗପୁରରୁ ରାଇସିଲା ହିଲକୁ ଯାଇ ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ ।  ୨୦୨୨ ମସିହାରୁ ସେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଉଛନ୍ତି । ରାଷ୍ଟ୍ରପତିଙ୍କ ଜନ୍ମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି ।

 

ଆଜିଠୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ପର୍ବ

ପୁରୀ: ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜିଠୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ । ମହାପ୍ରଭୁଙ୍କ ଗୁପ୍ତ ସେବା କରିବା ପାଇଁ ଆଜି ତ୍ରୟୋଦଶୀ ତିଥିରେ ଦଇତାମାନେ ମନ୍ଦିର ପ୍ରବେଶ କରିଛନ୍ତି । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରକ୍ଷକ ଭାବେ ପରିଚିତ ଦଇତାପତି ସେବକମାନେ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେର ସମସ୍ତ ନୀତି ନିର୍ବାହ କରିବାର ପ୍ରଥା ରହିଛି । ଦଇତା ପ୍ରବେଶ ପରେ ଶ୍ରୀଜିଉଙ୍କ ବଡସିଂହାର ଭୋଗ, ପହୁଡ ଆଳତି ହେବ ।  ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଢାଙ୍କି ସବୁ ନୀତି କରାଯିବ । ବଡସିଂହାର ପରେ ଦଇତା ସେବକମାନେ ପ୍ରଭୁଙ୍କ ବାହୁଟକଣ୍ଟ ନୀତି ସଂପାଦନ କରିବେ । ପରେ କୋଠ ସୁଆସିଆଁ ସେବକମାନେ ରତ୍ନ ସିଂହାସନରେ ଚାର ବାନ୍ଧିବାକୁ ଗର୍ଭଗୃହକୁ ପ୍ରବେଶ କରିବେ । ଚାର ବନ୍ଧାଯିବା ପରେ ଦଇତାପତିମାନେ ପ୍ରଭୁଙ୍କ ସେନାପଟା ବାନ୍ଧିବା ନୀତି ସଂପନ୍ନ କରିବେ ।

ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦେବ ସ୍ନାନ ଯାତ୍ରା ପରେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା କରିବେ । ନବଯୌବନ ଦର୍ଶନ ପରେ ଦଇତା ସେବକମାନେ ରଥଯାତ୍ରାରେ ମହାପ୍ରଭୁଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଇବାର ବିଧି ରହିଛି।

ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା

ଭଦ୍ରକ: ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ହଟହଟା ହେଲା ପୋଲିସ । ରାତି ଅଧିଆ ଚଢାଉ ବେଳେ ପୋଲିସକୁ ଅଟକ ରଖିଲେ ଗାଁ ଲୋକ । ଭଦ୍ରକ ଜିଲ୍ଲା ବ୍ରହ୍ମଡିଗିରି ଗାଁର ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା। ସୂଚନା ଅନୁଯାୟୀ, ଗତକାଲି ରାତିରେ ଜଣେ ହତ୍ଯା ଅଭିଯୁକ୍ତକୁ ଧରିବାକୁ ଯାଇଥିଲା ପୋଲିସ। କରଞ୍ଜମାଳ ଗାଁରେ ଅଭିଯୁକ୍ତ ଘଣ୍ଟେଶ୍ୱର ଫାଣ୍ଡି ଅଧିନ ବ୍ରହ୍ମଟିକିରି ଗାଁରେ ଲୁଚିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା। ହେଲେ ପୋଲିସ ଅଭିଯୁକ୍ତ ବଦଳରେ ଅନ୍ଯ ଜଣଙ୍କ ଝରକା କବାଟ ଭାଙ୍ଗି ଘର ଭିତରେ ପଶିଥିଲା । ସଂପୃକ୍ତ ପରିବାର ପୋଲିସ ନାଁରେ ଲୁଟ୍ ଅଭିଯୋଗ ଆଣିଛନ୍ତି ।

ପୋଲିସ ସୁନାଗହଣା ସହ ଦେଢ ଲକ୍ଷ ଟଙ୍କା ନେଇଥିବା ଏବଂ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ଦୁଇ ଏଏସଆଇ ଓ ୫ ଜଣ କନଷ୍ଟେବଳଙ୍କୁ ଅଟକ ରଖିଥିଲେ ଗାଁ ଲୋକ। ପରବର୍ତ୍ତୀ ସମୟରେ ଗ୍ରାମବାସୀ ଓ ପୋଲିସଙ୍କ ମଧ୍ୟରେ ବୁଝାସୁଝା ପରେ ପୋଲିସକୁ ଲୋକମାନେ ଛାଡିଥିବା ସୂଚନା ମିଳିଛି ।

ସ୍ବାଭାବିକ ହେଉଛି ବାଲେଶ୍ବର, ଆଜି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ଯୁ କୋହଳ

ବାଲେଶ୍ବର: ସ୍ବାଭାବିକ ହେଉଛି ବାଲେଶ୍ବର। ଗୋଷ୍ଠୀ ସଂଘର୍ଷ ଯୋଗୁଁ ବାଲେଶ୍ବର ସହରରେ ଜାରି ହୋଇଥିବା କର୍ଫ୍ଯୁ ବଳବତ୍ତର ରହିଛି । ତେବେ ଆଜି କର୍ଫ୍ଯୁକୁ ୪ ଘଣ୍ଟା କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ଯୁ କୋହଳ ହୋଇଛି । ଏହି ସମୟରେ ଲୋକମାନେ ସେମାନଙ୍କର ଅତ୍ଯାବଶ୍ଯକ ସମାଗ୍ରୀ କିଣାକିଣି କରୁଛନ୍ତି । ଆସନ୍ତା ୨୨ ତାରିଖ ଯାଏଁ ସହରରେ ଇଣ୍ଟରନେଟ ସେବା ବନ୍ଦ ରହିବ । କେବଳ ଲିଜ୍ ଲାଇନ ଥିବା ଲୋକଙ୍କୁ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଉଛି । ବ୍ୟାଙ୍କ ସମେତ ବ୍ୟବସାୟିକ ପ୍ରତିଷ୍ଠାନକୁ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍ ସେବା ଯୋଗାଇଦେବାକୁ ପ୍ରାଥମିକତା ଦିଆଯାଇଛି । ଆସନ୍ତା କାଲି ଯାଏଁ ସହରର ସମସ୍ତ ସ୍କୁଲ୍, କଲେଜ, ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ । ଗୋଟିଏ କମ୍ପାନୀ ବିଏସଏଫ୍ ବାଲେଶ୍ବରରେ ମୁତୟନ ହୋଇଥିବାବେଳେ ଖୁବଶୀଘ୍ର ଆଉ ୫କମ୍ପାନୀ ବିଏସଏଫ ଆସିବା ନେଇ ସୂଚନା ମିଳିଛି। କର୍ଫ୍ଯୁ ଉଲ୍ଲଂଘନ କରିଥିବା ୩୦ ଜଣଙ୍କୁ ଅଟକ ରଖାଯାଇଛି । ଗଣ୍ଡଗୋଳ ଘଟଣାରେ ଏଯାଏଁ ୪୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସହରକୁ କିପରି ଶାନ୍ତି ଫେରିବ ସେନେଇ ଅନୁଧ୍ଯାନ କରାଯାଉଛି । ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ପୋଲିସ ଘନଘନ ପଇଁତରା ମାରିବା ସହ କଡ଼ା ନଜର ରଖିଛି । ଗତ ସୋମବାର ବାଲେଶ୍ବର ସୁନହଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷରୁ ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଥିଲା ।

ବିଷାକ୍ତ ମଦ ପିଇ ୨୫ ମୃତ, ୬୦ ରୁ ଅଧିକ ଗୁରୁତର

ତାମିଲନାଡୁ: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ବିଷାକ୍ତ ମଦ ପିଇ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ୬୦ରୁ ଅଧିର ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ପୋଲିସର ତଦନ୍ତ ଜାରି ରହିଛି ।

ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ନିଜ କର୍ତ୍ତ୍ୟବରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଏହି ଘଟଣାର ଖବର ପାଇବା ପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ପୀଡିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବେଆଇନ ଭାବେ ମଦ ବିକ୍ରି କରୁଥିବା କେ. କନ୍ନୁକୁଟ୍ଟିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ତାଙ୍କ ନିକଟରୁ ୨ଶହ ଲିଟର ମଦ ଜବତ ହୋଇଥିବା ବେଳେ ତାହାକୁ ପରୀକ୍ଷା ନିମନ୍ତେ ଲ୍ୟାବକୁ ପଠାଯାଇଥିଲା। ଏହାପରେ ସେଥିରେ ବିଷାକ୍ତ ମିଥାଇଲ ନାମକ ପଦାର୍ଥ ଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କରିବେ ପ୍ରାକ୍ ବଜେଟ ବୈଠକ

ନୂଆଦିଲ୍ଲୀ:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କରିବେ ପ୍ରାକ୍ ବଜେଟ ବୈଠକ । ବୈଠକରେ ଶିଳ୍ପ, ଚାଷୀ ସଂଗଠନ, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ନିର୍ମଳା । ଆସନ୍ତା ଜୁଲାଇ ଶେଷ ଭାଗରେ ଆସିପାରେ ୨୦୨୪-୨୫ କେନ୍ଦ୍ର ବଜେଟ । ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ଶେଷ ସପ୍ତାହରେ ଆଗତ କରିପାରନ୍ତି ବଜେଟ । ବଜେଟ ପୂର୍ବବର୍ତ୍ତୀ ବିଚାରବିମର୍ଷ ଲାଗି ଅର୍ଥମନ୍ତ୍ରୀ ଶିଳ୍ପ ସମୁଦାୟ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ଯ ତଥା ଆସନ୍ତା ଦିନରେ ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରାଯିବ।

ଭାରତୀୟ ରିଜର୍ଭ ବ୍ଯାଙ୍କର ଆକଳନ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୭.୨ ପ୍ରତିଶତ ଲକ୍ଷ୍ଯ ରଖାଯାଇଛି । ଏକାଦିକ୍ରମେ ନିର୍ମଳା ସୀତାରମଣ ସପ୍ତମ ଥର ଲାଗି ବଜେଟ ଆଗତ କରିବେ। ଏହା ସହ ସେ ମୋରାରଜୀ ଦେଶାଇଙ୍କ ରେକର୍ଡ ବି ଚଳିତ ଥର ଭଙ୍ଗ କରିବେ । ଛଅ ଦଶନ୍ଧି ତଳେ ମୋରାରଜୀ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ଛଅ ଥର ବଜେଟ ଆଗତ କରିଥିଲେ । ନିର୍ମଳା ବି ହେଉଛନ୍ତି ଏକମାତ୍ର ମହିଳା ଯିଏକି ଲଗାତାର ଦୁଇଥର ଅର୍ଥମନ୍ତ୍ରୀ ହୋଇଛନ୍ତି । ୨୦୨୪ ଅନ୍ତରୀଣ ବଜେଟରେ କ୍ଯାପିଟାଲ ଏକ୍ସପେଣ୍ଡିଚର ପରିମାଣ ୧୧.୧ ପ୍ରତିଶତ ଅର୍ଥାତ ୧୧ ଦଶମିକ ୧୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ପ୍ରେମିକା ସହ ଝଗଡା ଲାଗି ନିଜକୁ ନିଜେ ଛୁରୀ ଭୁସିଲେ ପ୍ରେମିକ

ଗଞ୍ଜାମ: ପ୍ରେମିକା ସହ ଝଗଡା ଲାଗି ନିଜକୁ ନିଜେ ଛୁରୀ ଭୁସିଲେ ପ୍ରେମିକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମୁଣ୍ଡଳ ଗାଁରେ । ସୂଚନା ଅନୁଯାୟୀ, ପାଟପୁର ଥାନା କଂସାମାରି ଗାଁର ସୁନୀଲ କୁମାର ସାହୁ ସୁମଣ୍ଡଳ ଗାଁର ଜଣେ ଯୁବତୀକୁ ଭଲ ପାଉଥିଲେ। ସୁନୀଲ ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିବାବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁନୀଲ ଜୀବନ ହାରିବା ଉଦ୍ଦେଶ୍ୟରେ ନିଜ ପେଟକୁ ନିଜେ ଛୁରୀ ଭୁସିଥିଲେ । ପେଟର ଦୁଇଟି ସ୍ଥାନରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ମେଡିକାଲରେ ପହଞ୍ଚି ଆହତ ପ୍ରେମିକକୁ ପଚରାଉଚରା କରିଛନ୍ତି ।

 

ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ

ଭୁବନେଶ୍ୱର: ଭୁବନେଶ୍ବରରେ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ୨ ଘଣ୍ଟା ପରେ ଆୟତ୍ତ ହେଲା ନିଆଁ । ୭ଟି ଫାୟାର ୟୁନିଟ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି । ସକାଳ ସାଢେ ୬ଟାରେ ପଟିଆ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା । ଆପାର୍ଟମେଣ୍ଟର ଅଷ୍ଟମ ମହଲା ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା । ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ।

୭ଟି ଦମକଳବାହିନୀର ଗାଡ଼ି ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା । ଅଘଟଣରେ କେହି ମୃତାହତ ହୋଇନଥିବାବେଳେ କ୍ଷୟକ୍ଷତିର ସୂଚନା ମିଳିପାରିନି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ୟୁଜିସି ନେଟ ପରୀକ୍ଷା ରଦ୍ଦ

ନନ୍ଦିଘୋଷ ବ୍ୟୁରୋ: ୟୁଜିସି ନେଟ ପରୀକ୍ଷା ରଦ୍ଦ। ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପଦକ୍ଷେପ। ବିଭିନ୍ନ ସହରରେ ହୋଇଥିଲା ୟୁଜିସି ନେଟ ପରୀକ୍ଷା। ପୁଣି ଥରେ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରାଳୟ ନେଇଛି ନିଷ୍ପତ୍ତି। ପରୀକ୍ଷାରେ ସ୍ବଚ୍ଛତା ନେଇ ସନ୍ଦେହ ପରେ ପରୀକ୍ଷା ରଦ୍ଦ ଲାଗି ନିଆଯାଇଛି ନିଷ୍ପତ୍ତି। ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ପରୀକ୍ଷାର ସ୍ବଚ୍ଛତା ଉପରେ ସରକାର ସର୍ବଦା ଗୁରୁତ୍ବ ପ୍ରଦାନ କରୁଛନ୍ତି। ଇଣ୍ଡିଆନ ସାଇବର କ୍ରାଇମ କୋଅର୍ଡିନେସନ ସେଣ୍ଟରର ତଥ୍ଯ ଅନୁସାରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ସେଣ୍ଟର କେନ୍ଦ୍ର ଗୃହ ବ୍ଯାପାର ମନ୍ତ୍ରାଳୟ ଅଧୀନରେ ରହିଥିବାବେଳେ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗରେ କିଛି ସୂଚନା ଦେଇଥିଲା।

ହାଇକମାଣ୍ଡ ସ୍ଥିର କରିବେ ଓଡ଼ିଶା କଂଗ୍ରେସ ବିଧାୟକ ଦଳର ନେତା

ନନ୍ଦିଘୋଷ ବ୍ୟୁରୋ: ହାଇକମାଣ୍ଡ ସ୍ଥିର କରିବେ ଓଡ଼ିଶା କଂଗ୍ରେସ ବିଧାୟକ ଦଳର ନେତା । କଂଗ୍ରେସର ବୈଠକ ପରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଦଳୀୟ ବିଧାୟକଙ୍କ ଉପସ୍ଥିତିରେ ବସିଥିବା ବୈଠକ ପରେ ଶରତ କହିଛନ୍ତି, ବିଧାନସଭାରେ ଲୋକଙ୍କ ସ୍ବର ହୋଇ ସରକାରଙ୍କୁ ଅଡୁଆରେ ପକାଇବ କଂଗ୍ରେସ । ରାଜ୍ଯର ବିକାଶକୁ ସାମନାରେ ରଖି ଦଳ ଆଗକୁ ବଢିବ । ଲୋକଙ୍କ ସମସ୍ଯା ଉଠାଇବା ସହ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ବୈଠକରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଓ ରାମଚନ୍ଦ୍ର କାଡାମ, ସିଏସ ରାଜନ ଏକାଙ୍କ ସହ ଅନ୍ଯ ବିଧାୟକ ମଧ୍ଯ ଉପସ୍ଥିତ ଥିଲେ ।