ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା `ଦାନା’। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ହେଉଛି ଅଶାନ୍ତ। ସାଟେଲାଇଟ ଚିତ୍ରରେ ଦେଖାଗଲା ବାତ୍ୟାର ଆଖି। ଆସନ୍ତା କାଲି ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ। ପାରାଦୀପ ରାଡାରକୁ ଆସିଛି ବାତ୍ୟାର ଚିତ୍ର। ବାତ୍ୟାର ବାହ୍ୟ ବଳୟର ବାଦଲ ରାଡାରରେ ପ୍ରବେଶ କରିଛି। ବଙ୍ଗୋପ ସାଗରରେ ସୃଷ୍ଟି ଗଭୀର ଅବପାତ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଗତି କରୁଛି। ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ପୂର୍ବରେ ୫୬୦ କିଲୋମିଟର ଦୂରରେ ରହିଛି। ସାଗର ଦ୍ବୀପର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୩୦ କିଲୋମିଟର ଓ ଖେପୁପଡ଼ାର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୩୦ କିଲୋମିଟର ଦୂରରେ ରହିଛି। ଦୂରରେ ଏହା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପରେ ଆସନ୍ତା ୧୨ ଘଣ୍ଟାରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହା ଉତ୍ତର ଓଡ଼ିଶା ଓ ପଶ୍ଚମବଙ୍ଗ ଉପକୂଳ ଦେଇ ଗତି କରିବ। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ଯରେ ଏହା ପୁରୀ ଓ ସାଗର ଦ୍ବୀପ ମଧ୍ଯରେ ଗତି କରିବ। ପବନର ବେଗ ରହିବ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର। ସର୍ବାଧିକ ବେଗ ହୋଇପାରେ ୧୨୦ କିଲୋମିଟର।
ମାଡ଼ି ଆସୁଛି ଭୀଷଣ ବାତ୍ୟା ! ୬ ବରିଷ୍ଠ ଆଇଏଏସଙ୍କୁ ବାତ୍ୟା ପରିଚାଳନା ଦାୟିତ୍ୱ
ଭୂବନେଶ୍ୱର : ମାଡି ଆସୁଛି ବାତ୍ୟା ‘ଦାନା’। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କି.ମି. ଦୂରତାରେ କେନ୍ଦ୍ରୀଭୂତ ହୋଇଛି।
ବାତ୍ୟା ମୁକାବିଲା ପାଇଁ ୬ ବରିଷ୍ଠ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ବ ଦେଇଛନ୍ତି ରାଜ୍ଯ ସରକାର । କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ବର ଦାୟିତ୍ବ ମିଳିଥିବାବେଳେ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ବଲୱନ୍ତ ସିଂ ପୁରୀ, ବିନୀତ ଭରଦ୍ବାଜଙ୍କୁ ମୟୂରଭଞ୍ଜ, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ବ ମିଳିଛି । ଆସନ୍ତାକାଲି ସକାଳ ସୁଦ୍ଧା ଜିଲ୍ଲାରେ ପହଞ୍ଚିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଡେଭିଡ ଓ୍ବାର୍ନରଙ୍କ ବଡ଼ ଘୋଷଣା : ଭାରତକୁ ହରାଇବାକୁ କରିପାରନ୍ତି ୟୁଟର୍ନ
ନୂଆଦିଲ୍ଲୀ : ଆଗକୁ ଅଛି ବର୍ଡର-ଗାଭାସ୍କର ଟ୍ରଫି ମହାଲଢେଇ। ଏଥର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ହେବ କଡ଼ା ଟକ୍କର । ମ୍ୟାଚ୍ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଅବସରରେ ଥିବା ଖେଳାଳି ଡେଭିଡ ଓ୍ବାର୍ନର । ସେ କହିଛନ୍ତି ଭାରତକୁ ହରାଇବା ପାଇଁ ସେ ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ ।
୧୦ ବର୍ଷ ଧରି ପରାଜିତ ହୋଇ ଆସୁଥିବାରୁ ଏହି ସିରିଜରେ ଅଷ୍ଟ୍ରେଲିଆ ଜିତିବା ଲାଗି ଆଶା ବାନ୍ଧିଛି। ଏହାକୁ ନେଇ ପ୍ୟାଟ କମିନ୍ସଙ୍କ ସମେତ ଟିମର ଅନ୍ୟ ଖେଳାଳିମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ଡେଭିଡ ଓ୍ବାର୍ନର ଭାରତକୁ ହରାଇବା ନିମନ୍ତେ ବଡ଼ ଘୋଷଣା କରିଛନ୍ତି। ଯଦି ଭାରତକୁ ହରାଇବା ଲାଗି ତାଙ୍କର ଆବଶ୍ୟକତା ପଡେ ତେବେ ସେ ସନ୍ନ୍ୟାସରୁ ଓହରି ପୁଣି ଖେଳିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।
ଅନ୍ୟପଟେ ଲଗାତାର ୪ ଥର ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ଏହି ସମୟରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୨ ଥର ଏବଂ ଆଉ ୨ ଥର ଘରୋଇ ମାଟିରେ ହରାଇଛି। ଏହି ପରାଜୟକୁ ନେଇ ପୁରା ଟିମ୍ ଜୋର ଲଗାଉଛନ୍ତି। ଟେଷ୍ଟ ଟିମ୍ ଅଧିନାୟକ କମିନ୍ସ ଭାରତକୁ ହରାଇବା ଲାଗି କଳ-ବଳ- କୌଶଳ ଆପଣାଇବାକୁ ଚାହୁଁଛନ୍ତି। ଏହାରି ମଧ୍ୟରେ ସେମାନଙ୍କ ଚିନ୍ତା ଦୂର କରିବା ଲାଗି ପୋଡକାଷ୍ଟ ଜରିଆରେ ଓ୍ବାର୍ନର ଏକ ବଡ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଗୋଟିଏ କଲ୍ରେ ସେ ସିରିଜ ଖେଳିବାକୁ ଉପଲବ୍ଧ ହୋଇଯିବେ ।
ନଭେମ୍ବର ୨୨ରେ ଖେଳାଯିବାକୁ ଥିବା ଏହି ସିରିଜ ପୂର୍ବରୁ ଓ୍ବାର୍ନର କହିଛନ୍ତି, ଅଷ୍ଟ୍ରେଲିଆ ଟିମ୍ ଫେବୃଆରୀ ପରେ କେବଳ ଗୋଟିଏ ଟେଷ୍ଟ ଖେଳିଛି। ଅର୍ଥାତ ମୋର ପ୍ରସ୍ତୁତି ତାଙ୍କ ଭଳି ରହିଛି। ଯଦି ବାସ୍ତବରେ ଏହି ସିରିଜ ଲାଗି ମୋର ଆବଶ୍ୟକତା ରହିଛି ତେବେ ମୁଁ ପ୍ରସ୍ତୁତି ଆରମ୍ଭ କରିଦେବି। ଉଚିତ କାରଣ ଯୋଗୁ ସନ୍ନ୍ୟାସ ନେଇଛି। ଏବେ ଏହାକୁ ଶେଷ କରିବାକୁ ଚାହୁଁଛି। ଯଦି ସେମାନଙ୍କୁ କାହାର ଆବଶ୍ୟକତା ଥିବ ତେବେ ମୁଁ ପ୍ରସ୍ତୁତ। ପଛକୁ ହଟିବି ନାହିଁ ବୋଲି ସେ କହିଛନ୍ତି। ତେବେ ସେ ଚଳିତ ବର୍ଷ ଜାନୁଆରୀରେ ପାକିସ୍ତାନ ବିପକ୍ଷରେ ଅନ୍ତିମ ମ୍ୟାଚ୍ ଖେଳି ଅବସର ଘୋଷଣା କରିଥିଲେ।
ସମ୍ଭାବ୍ଯ ବାତ୍ଯା ପାଇଁ ୧୭୮ ଟ୍ରେନ ବାତିଲ
ଭୁବନେଶ୍ୱର : ସମ୍ଭାବ୍ଯ ବାତ୍ଯା ପାଇଁ ବହୁ ଟ୍ରେନକୁ ବାତିଲ କରିଛି ରେଳବାଇ। ୮୫ଟି ଅପ୍ ଟ୍ରେନ ବାତିଲ ହୋଇଛି। ସେହିପରି ୯୩ଟି ଡାଉନ ଟ୍ରେନ ବାତିଲ ହୋଇଛି। ମୋଟ ୧୭୮ଟି ଟ୍ରେନ ବାତିଲ ହୋଇଥିବା ନେଇ ରେଲଓ୍ୱେ ପକ୍ଷରୁ ସୂଚନା । ଆସନ୍ତା ୨୩ରୁ ୨୫ ତାରିଖ ଯାଏଁ ଟ୍ରେନ ବାତିଲ କରାଯାଇଛି।
ହାୱଡା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ୱର, ହାୱଡା-ଭୁବନେଶ୍ୱର, ହାୱଡା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ୱର, ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡା, ପୁଡୁଚେରୀ-ଭୁବନେଶ୍ୱର, ବ୍ରହ୍ମପୁର-ଭୁବନେଶ୍ୱର, ବିଶାଖାପାଟନା-ଭୁବନେଶ୍ୱର, ବିଶାଖାପାଟନା-ଦୀଘା ଆଦି ଟ୍ରେନକୁ ବାତିଲ କରାଯାଇଛି।

