spot_img
Home Blog Page 1533

ଶ୍ରମିକମାନଙ୍କ ସହ ସବୁବେଳେ ଥିଲି ଏବଂ ଶେଷ ପର୍ଯ୍ୟନ୍ତ ରହିବି : ନବୀନ ପଟ୍ଟନାୟକ

ଭୁବନେଶ୍ବର :  ଶ୍ରମିକମାନଙ୍କ ହକ ପାଇଁ ଲଢେଇ କରିବ ବିଜୁ ଜନତା ଦଳ। ଶ୍ରମିକମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଉଛି ବିଜେଡି। ଶ୍ରମିକମାନଙ୍କ ଉନ୍ନତି ପାଇଁ ବିଜୁ ବାବୁଙ୍କ ଠାରୁ ବିଜେଡି ସରକାର ସବୁବେଳେ କାମ କରୁଥିଲା। ବିଜୁ ଶ୍ରମିକ ସାମୁଖ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଉଦବୋଧନ ଦେଇ ଶ୍ରମିକ ମାନଙ୍କ ସହ ସବୁବେଳେ ଥିଲି ଏବଂ ଶେଷ ପର୍ଯ୍ୟନ୍ତ ରହିବି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଶ୍ରମିକମାନେ ଗୋଟିଏ ରାଷ୍ଟ୍ରର ସବୁଠୁ ବଡ଼ ଶକ୍ତି । ସେମାନଙ୍କ ତ୍ଯାଗ ଓ ପରିଶ୍ରମ ଦେଶକୁ ସମୃଦ୍ଧ କରିଥାଏ । ବିକାଶ ଓ ସମୃଦ୍ଧିର ପ୍ରତି କ୍ଷେତ୍ରରେ ଶ୍ରମିକଙ୍କ ବିଶେଷ ଅବଦାନ ରହିଛି । ସେମାନଙ୍କ ଅବଦାନକୁ ସେ ସମ୍ମାନ ଜଣାଇଛନ୍ତି । ବିଜୁ ବାବୁ ୧୯୯୦ରେ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରି ଇତିହାସ ସୃଷ୍ଟି କରିଥିଲେ । ବିଜୁ ଜନତା ଦଳ ସରକାର ସମୟରେ ଶ୍ରମିକଙ୍କର କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ କ୍ଷେତ୍ରରେ ବିଜେଡି ସରକାର ନୂଆ ଯୁଗ ଆରମ୍ଭ କରିଥିଲା । ବିଜୁ ଜନତା ଦଳ ସବୁବେଳେ ଆପଣମାନଙ୍କର ହକ୍‌ ପାଇଁ ଲଢେଇ କରି ଆସିଛି ଓ କରି ଚାଲିବ ବୋଲି କହିଛନ୍ତି ନବୀନ ।  ଶିଳ୍ପାୟନ ନାମରେ ମିଛ ନାଟକ କରୁଛି ବିଜେପି ସରକାର। ନୂଆ ସରକାରରେ ପାଚିକା ଠାରୁ ଆରମ୍ଭ କରି ଅଙ୍ଗନବାଡି କର୍ମୀ, ମିଶନ ଶକ୍ତିର କର୍ମଚାରୀମାନେ ଆଜି ଅବହେଳିତ। ଶିଳ୍ପ କାରଖାନାରେ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ମିଳୁନାହିଁ। ଏସବୁର ଜୋରଦାର ପ୍ରତିବାଦ କରିବ ବିଜୁ ଶ୍ରମିକ ସାମୁଖ୍ୟ। ଆଗକୁ ସରକାରଙ୍କୁ ଘେରିବା ସହ ଶ୍ରମିକଙ୍କ ହକ ପାଇଁ ଆନ୍ଦୋଳନକୁ ଓହ୍ଲାଇବ। ଭୁବନେଶ୍ୱରରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ଯର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସାରା ଶହ ଶହ କ୍ୟାଡର ଯୋଗ ଦେଇଛନ୍ତି ।

ଆଗରେ ପାର୍ଟସ ଦୋକାନର ବୋର୍ଡ, ଭିତରେ ନକଲି ଚା’ ପ୍ୟାକିଂ କାରଖାନା

ଜଳେଶ୍ବର : ଆଗରେ ଲାଗିଥିଲା ଅଟୋ ପାର୍ଟସ ଦୋକାନର ସାଇନ ବୋର୍ଡ।  ଭିତରେ ଚାଲିଥିଲା ନକଲି ଚା’ ପ୍ୟାକିଂ କାରଖାନା। ନକଲି ଚା ପ୍ୟାକେଟରେ ନାମିଦାମୀ ଚା’ କମ୍ପାନୀର ଲୋଗୋ ଲଗାଇ ହେଉଥିଲା ପ୍ୟାକିଂ।  ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଗ୍ରୱାଲା ଛକ ନିକଟ ନକଲି ଚା’ ପ୍ୟାକିଂ କାରଖାନା ଉପରେ ଚଢ଼ାଉ ହୋଇଛି। ବଜାରରୁ ଶସ୍ତା ଦାମରେ ଚା କିଣି ଏହାକୁ ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ ସହ ପ୍ଯାକେଜିଂ କରି ବିକ୍ରି କରା ଯାଉଥିବା ନେଇ ଅଭିଯୋଗ ହୋଇଥିଲା।  ଟାଟା ଟି କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯିବା ପରେ ଅଦାଲତଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଳେଶ୍ବର ପୋଲିସ ସହାୟତାରେ ଚଢ଼ାଉ କରିଥିଲେ। ଅଟୋପାର୍ଟସ ଦୋକାନ ଭିତରୁ ପ୍ୟାକେଜିଂ ମେସିନ୍, ବିଭିନ୍ନ ଚା କମ୍ପାନୀର ଲୋଗୋ ଥିବା ପଲିଥିନ୍ ବ୍ଯାଗ, ଚା ପ୍ଯାକେଟ ଆଦି ଜବତ କରାଯାଇଛି। ତେବେ ଦୀର୍ଘ  ବର୍ଷ ଧରି ଏଠାରେ ନକଲି ବେପାର ଚାଲିଥିଲା। ନକଲି ଚା ପ୍ଯାକେଟ ସ୍ଥାନୀୟ ବଜାରରେ ବିକ୍ରି ହେବା ସହ ରାଜ୍ୟ ବାହାରକୁ ମଧ୍ୟ ସପ୍ଲାଇ ହେଉଥିବା ଜଣାପଡିଛି।

 

କେଉଁଠି ଓ କିଏ ଚାକିରି ବିକ୍ରି କରିଥିଲେ, ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ : ବିଜେଡି

ଭୁବନେଶ୍ବର : ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା। ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ ଗୃହ ଆରମ୍ଭରୁ ନାରାବାଜି କରିଛି ବିଜେଡି। ନିଯୁକ୍ତିରେ ଚଞ୍ଚକତା ଓ ASO ଚାକିରି ବିକ୍ରି ହେଉଥିବା ନେଇ ଗୃହରେ କହିଥିଲେ ମୁଖ୍ୟମନ୍ତ୍ରୀ। ଯାହାକୁ ବିରୋଧ କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ ଯେ, କେଉଁଠି ଓ କିଏ ଚାକିରି ବିକ୍ରି କରିଥିଲେ। ସେନେଇ ସରକାରଙ୍କୁ ପ୍ରଶ୍ନ କରିଛି ବିଜେଡି। ପ୍ରବଳ ହୋହଲ୍ଲା ହେବାରୁ ବାଚସ୍ପତି ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ କରିଛନ୍ତି। ଗତକାଲି ବିଧାନସଭାରେ ପ୍ରଶ୍ନପତ୍ର ନେଇ ସଂଶୋଧନ ବିଲ ଆସିଥିଲା। ମୁଖ୍ୟମନ୍ତ୍ରୀ ସାଙ୍ଘାତିକ କଥା କହିଥିଲେ ଯେ, ୩୦ ଲକ୍ଷ ଟଙ୍କାରେ ASO ଚାକିରି ବିକ୍ରି ହୋଇଥିଲା। ମୁଖ୍ୟମନ୍ତ୍ରୀ ଏପରି କହିବା ଶୋଭନୀୟ ନୁହେଁ। କିଏ ଲାଞ୍ଚ ନେଇ ଚାକିରି ଦେଲା, ତଦନ୍ତ କରନ୍ତୁ। କିଏ ଲାଞ୍ଚ ନେଇଛନ୍ତି ଓ କିଏ ଲାଞ୍ଚ ନେଇ ଚାକିରି ପାଇଛନ୍ତି, ତାହା ସ୍ପଷ୍ଟ କରନ୍ତୁ। ନ ହେଲେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି।

 

ଏମିତି ପ୍ରେମିକା ଠାରୁ ଲୁଟୁଥିଲା ପ୍ରେମିକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ଯୁବତୀକୁ ପ୍ରତାରଣା କରି ତାଙ୍କଠାରୁ ପ୍ରାୟ ୨.୫ କୋଟି ଟଙ୍କା ଲୁଟିଛି ପ୍ରେମିକ । କେତେବେଳେ ସେ ତାଙ୍କୁ ଏକ ସ୍ପୋର୍ଟସ୍ କାର୍, ଦାମୀ ଘଣ୍ଟା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଦେବାକୁ ବାଧ୍ୟ କରୁଥିଲା ।  ଖାଲି ସେତିକି ନୁହେଁ,  ଯୁବତୀଙ୍କ ଆପତ୍ତିଜନକ ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବାକୁ ଧମକ ଦେଉଥିଲା।

ଘଟଣା ସମ୍ପର୍କରେ ଯୁବତୀ ଜଣଙ୍କ ପୋଲିସଙ୍କୁ ଜଣାଇବା ପରେ ଅଭିଯୁକ୍ତ ପ୍ରେମିକ ମୋହନ କୁମାରକୁ ଗିରଫ କରିଛି ପୋଲିସ । ପୋଲିସର ସୂଚନାନୁସାରେ, ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୮୦ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି। ପ୍ରଥମେ ପଚରାଉଚରା ବେଳେ ଅଭିଯୁକ୍ତ ପୋଲିସକୁ ସହଯୋଗ କରିନଥିଲା। ତେବେ ପରେ ସେ ନିଜ ଅପରାଧ ସ୍ୱୀକାର କରିଥିଲା। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ତାଙ୍କ ପ୍ରେମିକାଙ୍କ ଏକ ବ୍ୟକ୍ତିଗତ ଭିଡିଓ ଇଣ୍ଟରନେଟରେ ପୋଷ୍ଟ କରିବାକୁ ଯାଉଥିଲା କିନ୍ତୁ ଏହା ପୂର୍ବରୁ ସେ ଧରାପଡିଥିଲା । ଅଭିଯୁକ୍ତ ଯୁବତୀ ସହିତ ବିବାହର ବାହାନା କରି ଭିଡିଓ କରିବା ପରେ ସେହି ଭିଡିଓ ମାଧ୍ୟମରେ ସେ ତାଙ୍କୁ ବ୍ଲାକମେଲ କରୁଥିଲା  । ଦୀର୍ଘ ସମୟ ଧରି ଟଙ୍କା ଲୁଟି ନେଇଥିଲା ।

ଶୀଘ୍ର ସିରିଆ ଛାଡ଼ି ପଳାଇ ଆସିବାକୁ ଅପିଲ

ନନ୍ଦିଘୋଷ ବ୍ୟୁରୋ : ସିରିଆରେ ଭୟଙ୍କର ରୂପ ନେଉଛି ଗୃହ ଯୁଦ୍ଧ। ଟ୍ରାଭେଲ ଆଡଭାଇଜରି ଜାରି କଲା ଭାରତ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସିରିଆ ନଯିବାକୁ ପରାମର୍ଶ ଦିଆଯାଇଛି। ଶୀଘ୍ର ସିରିଆ ଛାଡ଼ି ପଳାଇ ଆସିବାକୁ କୁହାଯାଇଛି। ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଆଡଭାଇଜରି। ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ବର +୯୬୩୯୯୩୩୮୫୯୭୩ ଜାରି କରିଛି ଭାରତ। ଉତ୍ତର ସିରିଆରୁ ଏଯାଏଁ ବିସ୍ଥାପିତ ହେଲେଣି ବିଭିନ୍ନ ଦେଶର ୨ ଲକ୍ଷ ୮୦ ହଜାର ନାଗରିକ।

ମଠ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କଲା ରଙ୍ଗିଲା ବାବା

ରେଢ଼ାଖୋଲ: ରେଢ଼ାଖୋଲରେ ଲଜ୍ଜା। ମଠ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କଲା ରଙ୍ଗିଲା ବାବା। ଲୁହାପଙ୍କ ପଞ୍ଚାୟତ ବୈଷ୍ଣବଝୁଲି ଗାଁ ମଠ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ । ଔଷଧ ଦେଇ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୫୩ ବର୍ଷୀୟ ବାବା ପ୍ରଫୁଲ୍ଲ ମହଲାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ। ସୂଚନା ଅନୁଯାୟୀ, ଚାରମାଳ ଥାନା ଅଞ୍ଚଳର ଜଣେ ଯୁବତୀ ଫୋନରେ କଥାହୋଇ ଔଷଧ ପାଇଁ ବାବାଙ୍କ ପାଖକୁ ଆସିଥିଲେ। ଯୁବତୀଙ୍କୁ ଏକାକୀ ଦେଖି ରଙ୍ଗିଲା ବାବା କୌଣସି ଏକ ଔଷଧ ଖାଇବାକୁ  ଦେଇଥିଲେ। ଔଷଧ ଖାଇବା ପରେ ଯୁବତୀ ଜଣକ ଅଚେତ ହୋଇ ପଡିବାରୁ ବାବା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହା ପରେ ଯୁବତୀଙ୍କୁ ବୁଝାସୁଝା କରି ଅଟୋରେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ରଙ୍ଗିଲା ବାବା। ମେଡିକାଲ ପହଞ୍ଚିବା ପୂର୍ବରୁ ଅଚେତ ହୋଇ ପଡିବାରୁ ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ଜାଣି ପୋଲିସକୁ ଖବର ଦେଇଥିଲେ।  ଯୁବତୀଙ୍କୁ ପଚରାଉଚରା ପରେ ବାବାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ।

ସକାଳୁ ସକାଳୁ ୩ ଥର ଥରିଲା ହିମାଚଳ ପ୍ରଦେଶ, ଭୟଭୀତ ଲୋକେ

ନନ୍ଦିଘୋଷ ବ୍ୟୁରୋ : ଥରିଲା ହିମାଚଳ ପ୍ରଦେଶ । ସକାଳୁ ସକାଳୁ ୩ ଥର ଭୂମିକମ୍ପ ଅନୁଭୂତ ହୋଇଛି ।  ମାଣ୍ଡି ସହରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଗୋଟିଏ ପରେ ଗୋଟିଏ ୩ଥର ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।  ଯଦିଓ ରିଚ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୩ ରହିଥିଲା ।  ସକାଳ ପ୍ରାୟ ୨.୩୦ ମିଟନ ସମୟରେ ଘଟିଥିଲା । ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ।

ଗତକାଲି ଆମେରିକାର କାଲିଫର୍ନିଆ ସହରରେ ୭ ତିବ୍ରତାର ଏକ ଭୂମିକମ୍ପ ଘଟିଥିଲା। କାଲିଫର୍ନିଆର ଫର୍ଣ୍ଡଲେ ସହରଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦେଖିବାକୁ ମିଳିଥିଲା। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଘର ଓ ରାସ୍ତାର କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା।

ଗୋରଖପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୩ ବାଇକ୍ ଧକ୍କାରେ ୫ ମୃତ

ଗୋରଖପୁର : ଉତ୍ତରପ୍ରଦେଶର ଗୋରଖପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ତିନି ଜଣ ଗୁରୁତର ଆହତ ହୋଇଛନ୍ତି  । ଏହି ଦୁର୍ଘଟଣା ଗୋରଖପୁର କ୍ୟାଣ୍ଟ ପୋଲିସ ଷ୍ଟେସନ ଅଞ୍ଚଳର ମୋହାଦୀପୁର କେନାଲ ବ୍ରିଜରେ ଘଟିଛି।

ତିନୋଟି ବାଇକ୍ ମୋହାଦୀପୁର କେନାଲରେ ଥିବା ବ୍ରିଜ ଦେଇ ଯାଉଥିଲା। ସମସ୍ତ ବାଇକ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏହି ମୃତକଙ୍କ ମଧ୍ୟରେ ୩ ପୁରୁଷ ଏବଂ ୨ ଶିଶୁ ଅଛନ୍ତି। ସମସ୍ତେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ମାଜିଷ୍ଟ୍ରେଟ ତଥା ବରିଷ୍ଠ ପୋଲିସ ଅଧୀକ୍ଷକ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମାମଲାର ତଦନ୍ତ ଚାଲିଛି। ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକ ପ୍ରକାଶ ପାଇଛି।

ଶ୍ରୀମନ୍ଦିରରେ ଆଜି ଘୋଡ଼ ଲାଗି ନୀତି

ପୁରୀ : ଶ୍ରୀମନ୍ଦିରରେ ଆଜି ଘୋଡ଼ ଲାଗି ନୀତି। ମାର୍ଗଶିର ଶୁକ୍ଳ ଷଷ୍ଠୀରେ ପବିତ୍ର ଓଢଣୀ ଷଷ୍ଠୀ ଅବସରରେ ଅନୁଷ୍ଠିତ ହେବ ଘୋଡ଼ ଲାଗି ନୀତି। ଶ୍ରୀଜୀଉ ମାନେ ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ଶୀତବସ୍ତ୍ର ପରିଧାନ କରିବାର ବିଧି ରହିଛି। ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ପ୍ରତ୍ୟହ ଏହି ଘୋଡ଼ ଲାଗି ନୀତି ସମ୍ପନ୍ନ ହେବ। ତେବେ ଏ ନେଇ ଗତକାଲି ଶ୍ରୀମନ୍ଦିରରେ ଘୋଡା ଅଧିବାସ ନୀତି ସମ୍ପାଦନା କରାଯାଇଥିଲା । ଶ୍ରୀଜୀଉ ମାନଙ୍କ ପାଇଁ ୪ଗୋଟି ଘୋଡ଼ ସହ ଘୋଡ଼ ଲାଗି ବେଶ ପାଇଁ ଖଟ ପାଛୋଡ଼ି, ତୁଳିପଟା, ଥୋଡ଼ ପାହାଡିଆ, ଫୁଲଛେଦା ଆଦି ପ୍ରସ୍ତୁତ କରାଯାଇଛି । ପରମ୍ପରା ଅନୁସାରେ ଗତକାଲିଠୁ ଶ୍ରୀମନ୍ଦିରରେ ରାତ୍ର ସମୟରେ ଚନ୍ଦନ ଲାଗି ନୀତି ପରେ ସମସ୍ତ ପ୍ରସ୍ତୁତ ଘୋଡ଼କୁ ଅଧିବାସ ହୋଇ ରଖାଯାଇଛି। ଆଜି ଏହି ଅଧିବାସିତ ଘୋଡ଼ ଲାଗି କରାଯିବ।

ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସୁଛି ବର୍ଷା । ଚିନ୍ତାରେ ଚାଷୀ । ଆସନ୍ତା ୮ ଓ ୯ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ୯ ତାରିଖରେ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ଢ଼େଙ୍କାନାଳ, ଅନୁଗୋଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବାକି ଜିଲ୍ଲାରେ ପାଗ ସାଧାରଣରେ ମେଘୁଆ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏନେଇ ଅମଳ ହେବାକୁ ଥିବା ଧାନ ଫସଲ ଉପରେ ପ୍ରଭାବ ପଡିପାରେ । ନିଜ ଫସଲକୁ ସୁରକ୍ଷିତ ଭାବେ ରଖିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ସେପଟେ ଆସନ୍ତା ୨୪ ଘଣ୍ଟା ଭିତରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ୱଲପୁର, ବରଗଡ଼ ପ୍ରମୁଖ ଜିଲ୍ଲାରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ୬ ଓ ୭ ତାରିଖରେ ପାଗ ଶୁଖିଲା ରହିବ।