ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ କଂଗ୍ରେସ ଦିଗହରା ହେବାରେ ଲାଗିଛି। ତୁରନ୍ତ ହାଇକମାଣ୍ଡ ପିସିସି ସଭାପତି ନିୟୁକ୍ତି କରିବାକୁ ଦାବି କରିଛନ୍ତି ଦଳର ବରିଷ୍ଠନେତାମାନେ। ଜୁଲାଇ ୨୧ ତାରିଖରେ ଏଆଇସିସି ପିସିସିର ସବୁ କମିଟି ଭାଙ୍ଗି ଦେବା ପରେ ମୁରବୀ ଶୂନ୍ୟ ହୋଇଛି ରାଜ୍ୟ କଂଗ୍ରେସ । ୨୧ ଜଣିଆ ଷ୍ଟିୟଂରି କମିଟି ମଧ୍ୟ ଠିକ ସେ କାର୍ଯକ୍ରମ କରୁନାହି ଓ ଶୀତଳ ପଡ଼ିଯାଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଜୟ ଦେବ ଜେନା କହିଛନ୍ତି । ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଯେ ଏଆଇସିସି ତୁରନ୍ତ ପିସିସି ସଭାପତି ନିୟୁକ୍ତି ଦେବେ । କାହାକୁ ପିସିସି ସଭାପତି କରାଯିବ ସେନେଇ ବିଚାର ବିମର୍ଷ ଚଳାଇଛନ୍ତି। ଖୁବଶୀଘ୍ର ପିସିସି ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ, ଶରତ ରାଉତ, ଭକ୍ତ ଚରଣ ଦାସ, ସପ୍ତଗିରୀ ଉଲାକା ଓ ବିଶ୍ବ ରଂଜନ ମହାନ୍ତିଙ୍କ ନାଁ ପିସିସି ସଭାପତି ରେସରେ ରହିଛି । ଚର୍ଚ୍ଚା ହେଉଥିବା ନେତା ଓ ନୂଆ ମୁହିଁକୁ କଂଗ୍ରେସ ହାଇକମାଣ୍ଡ ବିଶ୍ବାସକୁ ନେବେ ତାହା ଉପରେ ସଭିଁଙ୍କ ନଜର ।
ଘରେ ପଶିଲେ, ସିସିଟିଭିରେ ଶାଢ଼ୀ ପକାଇ ଲୁଟିଲେ
ଉଦଳା: ଚୋରି କରିବାକୁ ପାଇଁ ସିସିଟିଭିକୁ ଶାଢ଼ୀ ପିନ୍ଧାଇଲେ ଲୁଟେରା । ଏମିତି ଘଟଣା ଘଟିଛି ଉଦଳା ଥାନା ଏନଏସି ୪ ନମ୍ବର ଓ୍ବାର୍ଡରେ । ଲୁଟେରା ଦଳ ଘରର କବାଟ ଭାଙ୍ଗି ଘରେ ପଶିଲେ । ଏକ ଶାଢ଼ୀରେ ଗୁଡେଇ ହୋଇ ଭିତରକୁ ଯିବା ପରେ ବାଡିରେ ଶାଢ଼ୀକୁ ସିସିଟିଭି ଉପରେ ପକାଇ ଲୁଟିଲେ ।
ସିସିଟିଭିରୁ ବର୍ତ୍ତିବା ପାଇଁ ଚୋରଙ୍କ ଚାଲାଖି । ଘର ଭିତରେ ପଶିବା ସହ ସିସିଟିଭି ଉପରେ ଶାଢ଼ୀ ଢ଼ାଙ୍କି ଲୁଟ କରିଛନ୍ତି । ଗଡରେଜ ଓ ଆଲମାରୀ ଭାଙ୍ଗି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଲୁଟ କରିବା ପରେ ଦୁର୍ବୃତ୍ତମାନେ ଗୋଟିଏ ସିସିଟିଭି ଭାଙ୍ଗି ଦେବା ସହ ଅନ୍ୟ ଦୁଇଟିର ମୁହଁକୁ ବୁଲାଇ ଦେଇଛନ୍ତି ।
ଖବର ପାଇବା ପରେ ଉଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ପୋଲିସ ଏକ ଲୁଟ ମାମଲା ରୁଜୁ କରିଛି ।
ଦଳିତ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼ ମରା ଘଟଣା: ଶ୍ରମମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଯୁବ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ବର: ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସରକାରୀ ବାସଭବନ ସମ୍ମୁଖରେ ଯୁବ କଂଗ୍ରେସର ବିକ୍ଷୋଭ । ଢେଙ୍କାନାଳରେ ଦଳିତ ବର୍ଗର ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼ ମାରିବାକୁ ବିରୋଧ କରି ଗର୍ଜିଛି ଯୁବ କଂଗ୍ରେସ । ଯୁବ କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ମନ୍ତ୍ରୀଙ୍କ ବାସଭବନ ଘେରାଉ କରି ମୁଖ୍ୟମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଦେଇଛନ୍ତି ସ୍ଲୋଗାନ ।
ପ୍ରଦେଶ ଯୁବ କଂଗ୍ରେସର ବହୁ ନେତା ଓ କାର୍ଯ୍ୟକର୍ତ୍ତା ଫରେଷ୍ଟ ପାର୍କ ଟ୍ରାଫିକ ନିକଟରୁ ଏକ ଶୋଭାଯାତ୍ରାରେ ଆସି ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶ୍ରମିକଙ୍କ ଉପରେ ଆକ୍ରମଣରେ ରାଜନୈତିକ ସମ୍ପୃକ୍ତି ଅଭିଯୋଗ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶ୍ରମ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ୭ ଦିନ ମଧ୍ୟରେ ନିର୍ଯାତିତ ଶ୍ରମିକଙ୍କୁ ନ୍ୟାୟ ନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ଯବୁ କଂଗ୍ରେସ ।

