ଭୁବନେଶ୍ବର : ବାତ୍ୟା ‘ ଦାନା ‘କୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ବରରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିଜେ ପୋଲିସ କମିଶନର ବାତ୍ୟାର ତଦାରଖ କରୁଛନ୍ତି। କୌଣସି ପ୍ରକାର ବିପଦକୁ ଏଡ଼ାଇବା ପାଇଁ ଥାନାରେ ଆବଶ୍ୟକତାଠୁ ଅଧିକ ଫୋର୍ସ ମୁତୟନ କରାଯାଇଛି । ଏହାସହ ଗଛ କାଟିବା ପାଇଁ ଆବଶ୍ୟକୀୟ ମେସିନ, ଶୁଖିଲା ଖାଦ୍ୟ , ବିସ୍କୁଟ ଆଦି ମହଜୁଦ ରଖାଯାଇଛି । ତଳିଆ ଅଞ୍ଚଳ କିମ୍ବା ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଉପରେ ନଜର ରଖାଯାଇଛି । ପକ୍କା ଘର ନଥିଲେ ସେମାନଙ୍କୁ ନିକଟସ୍ଥ ଛାତ ଘର, କଲ୍ୟାଣମଣ୍ଡପ, ବାତ୍ୟା ଆଶ୍ରୟସ୍ଥଳୀ , କମ୍ୟୁନିଟି ସେଣ୍ଟରକୁ ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା ହୋଇଛି । ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ପ୍ରାକୃତିକ ଦୁର୍ବିପାକକୁ ରୋକିବା ପାଇଁ ବିଏମସି ସହଭାଗିତାରେ କମାଣ୍ଡ କଣ୍ଟ୍ରୋଲ ରୁମ କରାଯାଇଛି । ତେଣୁ ରାଜଧାନୀ ବାସୀଙ୍କ ଡ଼ରିବା ର କୌଣସି ଆବଶ୍ୟକତା ନଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।
ଭାରତ ହେବ AI ହବ୍, ରିଲାଏନ୍ସ ଏବଂ Nvidia ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ
ନୂଆଦିଲ୍ଲୀ : ଭାରତ ପୁଣିଥରେ ପୁରା ବିଶ୍ବରେ ନିଜର ପ୍ରାଧାନତ୍ବ ବିସ୍ତାର କରିବାକୁ ଯାଉଛି । ନୂଆ ଟେକ୍ନୋଲୋଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା AI ମାଧ୍ୟମରେ ଭାରତ ସାରା ବିଶ୍ବରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ଭାରତକୁ ଏହି ଟେକ୍ନୋଲୋଜିରେ ଏକ୍ସପର୍ଟସ୍ ହେବା ପାଇଁ ରିଲାଏନସ୍ କମ୍ପାନୀ ଏବଂ ବିଶ୍ବର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ NVIDIA ଏନଭିଡିଆର ପ୍ରତିଷ୍ଠାତା ଜେଏନସନ୍ ହୁଆଙ୍ଗ୍ AIର ଏକ ସମ୍ମିଳନୀରେ ମିଳିତ ଭାବରେ ଅଧ୍ୟକ୍ଷତା କରିବେ ।
ମୁମ୍ବାଇର ଜିଓ କନଭେକ୍ସନ ହଲରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଟେକ୍ନୋଲୋଜି ଜଗତର ବଡ ବଡ କମ୍ପାନୀ ମାନେ ମଧ୍ୟ ଭାଗ ନେବେ । ଏହି ସମ୍ମିଳନୀରେ ପରିବର୍ତ୍ତନ ଶିଳ୍ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା AIର ଭୂମିକା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ଏହା ସହିତ କିଭଳି ଭାରତ ପୁରା ବିଶ୍ବରେ ଏକ ରୋଲ୍ ମଡେଲ୍ ଭାବରେ ଉଭା ହୋଇଛି ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ । ସୂଚନା ଅନୁସାରେ , ଅଗଷ୍ଟରେ ରିଲାଏନ୍ସ ର ବାର୍ଷିକ ବୈଠକରେ ମୁକେଶ ଅମ୍ବାନୀ ଦେଶରେ AI ଭିତ୍ତିଭୂମିର ବିକାଶ କରିବାକୁ ଅଧିକ ଗୁରୁତ୍ବ ଦିଆଯାଉ ବୋଲି କହିଥିଲେ । ଏହା ସହିତ ଗୁଜୁରାଟର ଜାମନଗରରେ AI ଦ୍ବାରା ପ୍ରସ୍ତୁତ ଏକ ଡାଟା ସେଣ୍ଟର ନିର୍ମାଣ କରିବାକୁ ଘୋଷଣା କରିଥିଲେ ।
ଶ୍ରୀମନ୍ଦିରରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ, ଦୁଇଦିନ ପାଇଁ ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ
ପୁରୀ : ବାତ୍ୟା ଦାନାକୁ ନେଇ ହବିଷ୍ୟାଳୀ ରହଣୀ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଓ ଆସନ୍ତାକାଲି ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ ରହିବ। ପ୍ରବଳ ବର୍ଷା ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବ। ଠାକୁରଙ୍କ ନୀତି କାନ୍ତିରେ ଯେଭଳି କୌଣସି ପ୍ରଭାବ ନପଡେ ସେନେଇ ସେବାୟତଙ୍କ ସହ ଆଲୋଚନା କରାଯାଇଥିବା ବେଳେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ହବିଷ୍ୟାଳି ମା ମାନେ ତୀର୍ଥ ପୁଷ୍କରିଣୀ, ମହାପ୍ରଭୁଙ୍କ ଦର୍ଶନ ପାଇଁ ବାରଣ କରାଯାଇଛି ।
ଅସ୍ତରଙ୍ଗରେ ବାତ୍ୟା ଦାନାର ପ୍ରଭାବ , ବିଭିନ୍ନ ସ୍ଥାନରେ ଭାଙ୍ଗିପଡିଛି ଗଛ
ଅସ୍ତରଙ୍ଗ : ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଦାନା ଅବପାତ ରୂପ ନେବା ପରେ ଏହାର ପ୍ରଭାବ ପୁରୀ ଜିଲ୍ଲା କୋଣାର୍କ,କାକଟପୁର ଓ ଅସ୍ତରଙ୍ଗରେ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରୁ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯାଇଛି । ଅନେକ ସ୍ଥାନରେ ବିରାଟକାୟ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ବେଳେ ଯାତାୟତ ମଧ୍ୟ ବାଧା ପ୍ରାପ୍ତ ହୋଇଛି । ବାତ୍ୟା ଦାନାକୁ ମୁକାବିଲା କରିବା ପାଇଁ ତଳିଆ ଅଂଚଳର ଲୋକଙ୍କୁ ସତର୍କ କରିବା ସହିତ ଅସ୍ତରଙ୍ଗ ଅଞ୍ଚଳର ଅନେକ ବାତ୍ୟା ଆଶ୍ରୟ ସ୍ଥଳୀରେ ଆନୁସଙ୍ଗିକ ସରଞ୍ଜାମ ମଧ୍ୟ ନାହିଁ । ଏ ନେଇ ଅନେକ ସ୍ଥାନରେ ଲୋକ ଅଭିଯୋଗ କରିଛନ୍ତି । ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ପୁରୀ ଏସପି ପରିଦର୍ଶନ କରୁଥିବା ବେଳେ ବାତ୍ୟା ଆଶ୍ରୟ ସ୍ଥଳୀରେ ଆଲୋକୀକରଣ ନଥିବା ଦେଖିଥିଲେ । ଅସ୍ତରଙ୍ଗ ବ୍ଲକରେ ଓଡ୍ରାଫ ଟିମ ପହଁଚି ଥିବା ବେଳେ ବର୍ଷା ପବନ ଆରମ୍ଭ ହୋଇଯାଇଛି ।

