ନନ୍ଦିଘୋଷ ବ୍ୟୁରୋ: ଦୀପାବଳି ଆସିବା ପୂର୍ବରୁ ଦିଲ୍ଲୀ-ଏନସିଆରରେ ବଢ଼ିଲା ବାୟୁ ପ୍ରଦୂଷଣ। ଧୀରେ ଧୀରେ ବିଷାକ୍ତ ହେବାରେ ଲାଗିଛି ରାଜଧାନୀର ବାୟୁ। ଶୀତ ଋତୁ ଆରମ୍ଭ ହେବା ସହ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ସୋମବାର ସକାଳେ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୫୦ ଅତିକ୍ରମ କରିଛି। କିଛି ଅଞ୍ଚଳରେ ଏହା ୩୭୦ରେ ପହଞ୍ଚିଛି। ଫଳରେ ଲୋକଙ୍କ ପାଇଁ ଶ୍ୱାସକ୍ରିୟା ଜନିତ ସମସ୍ୟା ବଢ଼ିବାର ଆଶଙ୍କା ରହିଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ତଥ୍ୟ ଅନୁଯାୟୀ, ଦିଲ୍ଲୀର ଆରକେ ପୁରମ ଅଞ୍ଚଳରେ AQI ୩୭୦ ରେକର୍ଡ ହୋଇଛି। ସେହିପରି ଅକ୍ଷରଧାମ ମନ୍ଦିର ଓ ITO ଅଞ୍ଚଳରେ AQI ୩୪୯ ରହିଛି। ଇଣ୍ଡିଆ ଗେଟ୍ ଓ ଜନପଥ ଅଞ୍ଚଳରେ ଏହା ୩୩୫ ରେକର୍ଡ କରାଯାଇଛି। ଏହି ସବୁ ଅଞ୍ଚଳରେ ବାୟୁର ମାନ ଅତି ଖରାପ ବର୍ଗରେ ରହିଛି।
ବଢ଼ୁଥିବା ପ୍ରଦୂଷଣକୁ ଦେଖି ନଭେମ୍ବର ୧ ତାରିଖରୁ ଦିଲ୍ଲୀରେ ନୂଆ କଟକଣା ଲାଗୁ କରାଯାଇଛି। ହେଲେ କଟକଣା ଲାଗୁ ହେବାର ପ୍ରଥମ ଦିନରେ ମଧ୍ୟ ପ୍ରଦୂଷଣ ସ୍ଥିତିରେ ବିଶେଷ ସୁଧାର ଆସିନଥିଲା। ଗତ ସପ୍ତାହରେ ବର୍ଷା ଓ ପବନ ଯୋଗୁଁ ବାୟୁର ମାନରେ କିଛିଟା ସୁଧାର ଆସିଥିଲା। କିନ୍ତୁ ପାଗ ବଦଳିବା ପରେ ପୁଣି ବଢ଼ିଛି ପ୍ରଦୂଷଣ।
ସବୁଠାରୁ ବଡ଼ ଚିନ୍ତାର କାରଣ ହେଉଛି, ଦୀପାବଳି ପାଇଁ ଆଉ ଅଳ୍ପ ଦିନ ବାକି ରହିଛି। ଏହି ସମୟରେ ବାଣ ଫୁଟାଇବା ଯୋଗୁଁ ପ୍ରଦୂଷଣ ଆହୁରି ବଢ଼ିବାର ଆଶଙ୍କା ରହିଛି।
CPCBର ତଥ୍ୟ ଅନୁଯାୟୀ, ରବିବାର ଅପରାହ୍ନ ୪ଟାରେ ଦିଲ୍ଲୀର ୨୪ ଘଣ୍ଟିଆ ହାରାହାରି AQI ୨୬୧ ରେକର୍ଡ ହୋଇଥିଲା। ଏପ୍ରିଲ ୧୭ ପରଠାରୁ ଏହା ଥିଲା ସର୍ବାଧିକ। ସେହିଦିନ AQI ୨୬୩ ରହିଥିଲା।
ଦୀପାବଳି ପୂର୍ବରୁ ହିଁ ଯଦି ଦିଲ୍ଲୀର ଏଭଳି ସ୍ଥିତି, ତେବେ ପର୍ବ ପରେ ପ୍ରଦୂଷଣ କେତେ ବଢ଼ିବ, ତାକୁ ନେଇ ଚିନ୍ତାରେ ଦିଲ୍ଲୀବାସୀ।

