ମେକ୍ସିକୋ : ମେକ୍ସିକୋ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମେକ୍ସିକୋ କେନ୍ଦ୍ରୀୟ ରାଜମାର୍ଗରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକ୍ଟର-ଟ୍ରଲି ସହ ଯାତ୍ରୀବାହୀ ବସ୍ ଧକ୍କା ହୋଇଥିଲା । ଫଳରେ ଉଭୟ ଗାଡି ଖାଲରେ ପଡିଯାଇଥିଲା । ଫଲରେ ପ୍ରାୟ ୨୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜକାଟେକସ୍ ଗଭର୍ଣ୍ଣରଙ୍କ ସୂଚନା ମୁତାବତ, ଶନିବାର ଏହି ଦୁର୍ଘଟଣା ଘଟିଛି । ମେକ୍ସିକୋର କେନ୍ଦ୍ରୀୟ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସକୁ ମକ୍କା ଭର୍ତ୍ତି ଟ୍ରାକ୍ଟର ପଛକୁ ଧକା ଦେଇଥିଲା । ଖବର ପାଇ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୫ଗୁରୁତରଙ୍କ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏହି ଘଟଣାରେ ମୋଟ୍ ୨୪ଜଣଙ୍କ ମୃତ୍ୟୁ ହୋଇଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ବସ୍ ଆମେରିକା-ମେକ୍ସିକୋ ସୀମାରେ ଥିବା ଚିହୁଆହୁଆ ରାଜ୍ୟର ସିୟୁଡାଡ ଜୁଆରେଜକୁ ଯାଉଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ମେକ୍ସିକୋର ବାସିନ୍ଦା ଥିଲେ।
ବାତ୍ୟା ‘ଦାନା’କୁ ନେଇ ସରକାରଙ୍କୁ ପଞ୍ଚାନନଙ୍କ ତାତ୍ସଲ୍ୟ
ଭୁବନେଶ୍ବର: ବାତ୍ୟା ‘ଦାନା’କୁ ନେଇ ରାଜ୍ୟ ସରକାରଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ତାତ୍ସଲ୍ୟ । ଅଭିଯୋଗ କରିଛନ୍ତି, ବାତ୍ୟା ନେଇ ଲୋକଙ୍କୁ ଆତଙ୍କିତ କଲେ ରାଜ୍ୟ ସରକାର । ପୂର୍ବରୁ ଓଡ଼ିଶା କେତେ ଭୟଙ୍କର ବାତ୍ୟାକୁ ସଫଳତାର ସହ ମୁକାବିଲା କରିଆସିଛି । ମହାବାତ୍ୟା ପରେ ଫାଇଲିନ୍, ହୁଡହୁଡ୍, ୟସ୍, ଫନି ଓ ଅମ୍ଫାନ୍ ଭଳି ବାତ୍ୟାରେ ଘଣ୍ଟା ପ୍ରତି ପ୍ରାୟ ୨୦୦ କି.ମି. ପବନ ବହିଥିଲା । ରାଜ୍ୟରେ ପୂର୍ବ ସରକାର ସମୟରେ ଦୁର୍ବିପାକ ମୁକାବିଲା ନେଇ ବଳିଷ୍ଠ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା । ଏବର ଡବଲ ଇଞ୍ଜିନ ସରକାର ନିଜର ବଡ଼ିମା ଦେଖାଇଛନ୍ତି ।
ସରକାର ଗତ ସପ୍ତାହେ ତଳୁ ଏହି ବାତ୍ୟାକୁ ନେଇ ଏପରି ବଢ଼େଇ ଚଢ଼େଇ ପ୍ରଚାର କଲେ, ଲାଗିଲା ଯେ ପୁଣି ଥରେ ଯେପରି ମହାବାତ୍ୟା ପରି ସ୍ଥିତି ସୃଷ୍ଟି ହେବ । ପ୍ରଥମେ କହିଲେ ୧୪ ଜିଲ୍ଲା ପ୍ରଭାବିତ ହେବ । ପରେ ଏହାକୁ ବଦଳାଇ ୧୧ ଓ ୯ ଜିଲ୍ଲା ପ୍ରଭାବିତ ହେବ ବୋଲି ପ୍ରଚାର କଲେ । ବାସ୍ତବରେ ହେଲା ବେଳକୁ ୩ ଜିଲ୍ଲା ପ୍ରଭାବିତ ହେଲା ।
ବାତ୍ୟା ନହେଲା ପୂର୍ବରୁ ସରକାର ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିବା ପ୍ରଚାର କଲେ । ଏବେ କହୁଛନ୍ତି ୮ ଲକ୍ଷ ଲୋକ ସ୍ଥାନାନ୍ତର ହୋଇଛନ୍ତି । ସରକାରଙ୍କ ଘନ ଘନ ପ୍ରଚାର ଯୋଗୁଁ ବାତ୍ୟା ପ୍ରଭାବ ପକାଉ ନଥିବା ଅଞ୍ଚଳର ଲୋକେ ବିକଳରେ ଚଢ଼ା ଦାମରେ ଜିନିଷ କିଣି ହଇରାଣ ହରକତ ହେଲେ । ଏଥିରେ କେବଳ ବେପାରୀ ଗୋଷ୍ଠୀଙ୍କର ଫାଇଦା ହେଲା ବୋଲି ସେ କହିଛନ୍ତି ।
ବାତ୍ୟା ମୁକାବିଲାରେ ଓଡ଼ିଶା ମଡେଲ ଓ ନବୀନଙ୍କ ଦୂରଦୃଷ୍ଟିକୁ ସୁମିତ ଅଓ୍ବସ୍ତିଙ୍କ ପ୍ରଶଂସା
ଭୁବନେଶ୍ବର: ବାତ୍ଯା ମୁକାବିଲାରେ ଓଡ଼ିଶା ମଡେଲକୁ ପୁଣି ପ୍ରଶଂସା । ବିଶିଷ୍ଟ ସାମ୍ବାଦିକ ତଥା ଉପସ୍ଥାପକ ସୁମିତ ଅୱସ୍ତି ବାତ୍ଯା ମୁକାବିଲା ନେଇ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଡେଲକୁ କରିଛନ୍ତି ଭୂୟସୀ ପ୍ରଶଂସା । ଭୟଙ୍କର ଓ ଅତ୍ୟଧିକ ଭୟଙ୍କର ବାତ୍ଯାର ମୁକାବିଲାରେ ନବୀନଙ୍କ ଦୂରଦୃଷ୍ଟି ବେଶ୍ ଉପାଦେୟ ହୋଇଛି ବୋଲି କହିଛନ୍ତି ସୁମିତ ।
ସେ କହିଛନ୍ତି, ବାତ୍ଯା ସଂକଟ ବେଳେ କିପରି ଏହାର ମୁକାବିଲା କରାଯାଇପାରିବ ସେ ନେଇ ନବୀନଙ୍କ ଭିଜନ ଆଜି ବାଟ ଦେଖାଇଛି । ପ୍ରଥମେ ଭବିଷ୍ଯତ ବାଣୀ, ପରେ ବାତ୍ଯାର ମାର୍ଗ ଓ ତୀବ୍ରତା ଟ୍ରାକ କରିବା, ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା, ସେମାନଙ୍କୁ ସ୍ଥାୟୀ ଓ ମଜଭୁତ ଆଶ୍ରୟ ସ୍ଥଳରେ ଥଇଥାନ କରିବା ସହ ଖାଦ୍ଯପେୟ, ଔଷଧ ଇତ୍ଯାଦିର ବ୍ଯବସ୍ଥା କରିବା କେବଳ ନବୀନଙ୍କ ଦୂରଦୃଷ୍ଟିର ପରିଣାମ ବୋଲି କହିଛନ୍ତି ସୁମିତ । ଏସବୁ ସଠିକ୍ ଯୋଜନା, ସଠିକ୍ ଟିମ ୱାର୍କର ଫଳ ବୋଲି ସେ କହିଛନ୍ତି।
ମୁହଁରୁ ଦାନା ଛଡ଼ାଇ ନେଲା ‘ଦାନା’: ଭାଙ୍ଗିଛି ଘର, ଉଜୁଡ଼ିଛି ଫସଲ
ବାଲେଶ୍ବର: ବାତ୍ୟା ‘ଦାନା’ ଯାଇଛି । ହେଲେ ଲୋକଙ୍କ ମୁହଁରୁ ଦାନା ଛଡ଼ାଇ ନେଇଛି । ପବନ ଓ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ବାଲେଶ୍ବର ଜିଲ୍ଲାର ହଜାର ହଜାର ହେକ୍ଟର ପରିବା ଓ ଧାନ ବିଲରେ ଲହଡ଼ି ଭାଙ୍ଗୁଛି ପାଣି । ଚାଷୀ ପରିବା ତୋଳିବ କ’ଣ, କ୍ଷେତକୁ ଯିବାକୁ ଡରୁଛି । ବାଲେଶ୍ବରରେ ଚାଷକୁ ଉଜାଡି ଦେଇଛି ଦାନା । ସେପଟେ ସରକାର କହିଛନ୍ତି କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ । ହେଲେ ସରକାରୀ କଳର ସହାୟତା କ’ଣ ଚାଷୀର କ୍ଷତିକୁ ଭରଣା କରିପାରିବ ?
ପରିବା କ୍ଷେତରେ ଲହଡ଼ି ଭାଙ୍ଗୁଛି ୬ ଫୁଟ ଉଚ୍ଚାର ପାଣି । ପାଣିରେ ବୁଡ଼ି ହଳଦିଆ ପଡ଼ିଗଲାଣି ଗଛର ପତ୍ର । କଲରା ତୋଳିବାକୁ ଯିବାକୁ ଡରୁଛନ୍ତି ଚାଷୀ । କେବଳ କଲରା ମଞ୍ଚା ନୁହେଁ । କୁନ୍ଦୁରି,ପୋଟଳ, ଜହ୍ନି ମଞ୍ଚା ବି ପାଣିରେ ଭାସୁଛି । ବାଇଗଣ, ଭେଣ୍ଡି, ଲଙ୍କା, ବୋଇତାଳୁ ଗଛ ଦେଖା ଯାଉନି । ରେମୁଣା ବ୍ଲକ୍ ପତ୍ରିପାଳ, ମାହାନ୍ତିପଡ଼ା, ବଡ଼ପାଳ, ହରିପୁର, ମନ୍ଦାରପୁର ଆଦି ଗାଁର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ସମାନ ସ୍ଥିତି ଦେଖିବାକୁ ମିଳିଛି ଧାନ ଚାଷୀଙ୍କର । ବାତ୍ୟା ଓ ଲଗାଣ ବର୍ଷାରେ ବୁଡ଼ି ଯାଇଛି ଧାନବିଲ । କ୍ଷେତରେ ଏବେ ଧାନରେ ଥୋଡ଼ ଆସିଛି । ପବନ ବାଜିଥିଲେ ଧାନ ଫଳିଥାନ୍ତା । ୩ ଦିନ ହେଲା ବିଲରେ ଆଉ ଧାନଗଛ ଦେଖାଯାଉ ନାହିଁ । ସବୁଆଡ଼େ ଖାଲି ପାଣି ଆଉ ପାଣି ।
ଗତ ୨୪ ତାରିଖରୁ ବାଲେଶ୍ବର ଜିଲ୍ଲାରେ ବର୍ଷା ଲାଗି ରହିଛି । ଔପଦା ବ୍ଲକରେ ସର୍ବାଧିକ ୨୪୦ ମି.ମି. ବର୍ଷା ହୋଇଥିବାବେଳେ, ରେମୁଣା ବ୍ଲକରେ ୮୫ ମି.ମି. ଓ ବାଲେଶ୍ବର ସଦର ବ୍ଲକରେ ୯୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ବାତ୍ୟା ଓ ବନ୍ୟା ଯୋଗୁଁ ଜିଲ୍ଲାର ୩ ହଜାର ୧୪୦ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହାଯାଇଛି । ହେଲେ ବାସ୍ତବରେ ପ୍ରାୟ ୧୦ ହଜାର ହେକ୍ଟର ଚାଷଜମି ବାତ୍ୟା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି । ପ୍ରଶାସନ ତରଫରୁ କୃଷି, ହର୍ଟିକଲଚର, ପଶୁପାଳନ ସମେତ ସମସ୍ତ ବିଭାଗକୁ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ ସରକାରଙ୍କ ପାଖକୁ ପଠାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

