spot_img
Home Blog Page 1498

ଯଦି ପ୍ରଧାନମନ୍ତ୍ରୀ ମୋଦୀ ଆସିଥାନ୍ତେ ଭଲ ହୋଇଥାନ୍ତା; ଆମେ ଆଜି ସମସ୍ତଙ୍କୁ ଭିକ୍ଷା ମାଗୁଛୁ

ନନ୍ଦିଘୋଷ ବ୍ୟୁରୋ:  ଆଜିଠୁ ଦୁଇଦିନ ଧରି ପାକିସ୍ତାନରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତୀୟ ପକ୍ଷରୁ ପହଞ୍ଚିଛନ୍ତି। ଏହି ଅବସରରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ସହ ସମ୍ପର୍କ ସମ୍ପର୍କରେ ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏସସିଓ ଶିଖର ସମ୍ମିଳନୀରେ ଯୋଗଦେବାକୁ ପାକିସ୍ତାନ ଆସିଥାନ୍ତେ ତେବେ ଭଲ ହୋଇଥାନ୍ତା ।

ଏକ ସାକ୍ଷାତକାରରେ ନୱାଜ ସରିଫ କହିଛନ୍ତି ଯେ ମୁଁ ଆରମ୍ଭରୁ ଭାରତ ସହ ଭଲ ସମ୍ପର୍କକୁ ସମର୍ଥନ କରିଆସୁଛି । ମୁଁ ଆଶା କରୁଛି ଯେ ଆମ ମଧ୍ୟରେ ସମ୍ପର୍କ ପୁଣି ସୁଦୃଢ ହେବ ଏବଂ ମୁଁ ଆଗାମୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ସହ ବସି କଥାବାର୍ତ୍ତା କରିବାର ସୁଯୋଗ ପାଇବି।

ସାକ୍ଷାତକାର ସମୟରେ ନୱାଜ ସରିଫ ପାକିସ୍ତାନର ଆର୍ଥିକ ପରିସ୍ଥିତି ବିଷୟରେ କହି ନିଜର ଦୁଃଖ ବୟାନ କରିଛନ୍ତି । ସେ କହିଛନ୍ତି ଯେ ଭାରତ ଚନ୍ଦ୍ରକୁ ଯାଉଥିବା ବେଳେ ତାଙ୍କ ଦେଶ ସମଗ୍ର ବିଶ୍ୱରୁ ଟଙ୍କା ମାଗୁଛି। ତାଙ୍କର ୬୦୦ ବିଲିୟନ ଡଲାରର ଭଣ୍ଡାର ଅଛି  । ସେ ଜି -20 ଶିଖର ସମ୍ମିଳନୀ ଆୟୋଜନ କରୁଥିବାବେଳେ ଆମେ ଚୀନ୍ ସମେତ ଆରବ ଦେଶମାନଙ୍କ ଆଗରେ ପ୍ରତ୍ୟେକଙ୍କୁ  ୧ ବିଲିୟନ ଡଲାର ଭିକ୍ଷା ମାଗୁଛୁ। ଏଭଳି ପରିସ୍ଥିତିରେ ଆମ ପାଇଁ କେଉଁ ସମ୍ମାନ ବାକି ଅଛି ?

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ନୱାଜ ସରିଫ ଭାରତ ସହ ସମ୍ପର୍କ ବିଷୟରେ କଥାବାର୍ତ୍ତା କରିଛନ୍ତି। ଅତୀତରେ ମଧ୍ୟ ସମ୍ପର୍କକୁ ସୁଦୃଢ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସାକ୍ଷାତକାରରେ ନୱାଜ ସରିଫ ଭାରତକୁ ଦେଇଥିବା ପ୍ରତିଶ୍ରୁତି ଭାଙ୍ଗିବା ତାଙ୍କ ଭୁଲ ବୋଲି ସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ କାର୍ଗିଲ ଯୁଦ୍ଧରେ ଯାହା ଘଟିଲା ତାହା ଆମର ଭୁଲ । ଆମେ ଲାହୋର ଚୁକ୍ତିନାମା ଗ୍ରହଣ କରିନାହୁଁ  । ଏଥିପାଇଁ ଆମେ ଦୋଷୀ  । ଆମେ ଏହା କରିବା ଉଚିତ୍ ନୁହେଁ  ।

ପ୍ରସୂତି ସରକାରୀ ପ୍ରୋତ୍ସାହନ ରାଶି ନାଁ ରେ ଗର୍ଭବତୀଙ୍କୁ ଠକିଦେଲେ ..

ପୁରୀ: ପୁରୀ ଜିଲ୍ଲା ନିମାପଡ଼ାରେ ବଢ଼ି ଚାଲିଛି ସାଇବର ଠକଙ୍କ ପାଦ୍ରୁର୍ଭାବ। କିଛିଦିନ ତଳେ ସୁଭଦ୍ରା ଯୋଜନା ନାଁରେ ଜଣେ ମହିଳା ସାଇବର ଠକେଇର ଶିକାର ହୋଇଥିଲେ।ପୁଣି ଏବେ ଡେଣୁଅଁ ପଞ୍ଚାୟତ ଛେନୁଅ ଗ୍ରାମର ଦୁଇ ଜଣ ମହିଳାଙ୍କୁ ସ୍ବାସ୍ଥ୍ୟ ବିଭାଗ ନାଁ କହି ଚୂନ ଲଗାଇଛନ୍ତି ସାଇବର ଠକ। ଜଣେ ପ୍ରସୂତି ମହିଳାଙ୍କ ସ୍ବାମୀଙ୍କୁ କେହି ଜଣେ ଦୃର୍ବୁତ୍ତ ସ୍ବାସ୍ଥ୍ୟ ବିଭାଗ ନାଁ ରେ ଫୋନ କରି ତାଙ୍କର ଫୋନ ପେ ଅଛି କି ନାହିଁ ପଚାରୁଛି। ପୁଣି ବ୍ୟାଙ୍କ ଖାତାରେ କେତେ ଟଙ୍କା ଥିବା କଥା ମଧ୍ୟ ପଚାରୁଛି। ଏହି ଗ୍ରାମର ୪ରୁ ୫ଜଣ ପ୍ରସୂତି ମହିଳାଙ୍କୁ ସ୍ବାସ୍ଥ୍ୟ ବିଭାଗ ନାମରେ କେହିଜଣେ ଦୃର୍ବୁତ୍ତ ଫୋନ କରିବା ସହିତ ଗ୍ରାମର ଆଶା ଦିଦୀଙ୍କୁ ଫୋନ୍ ମାଧ୍ୟମରେ ଲାଇନରେ ରଖି ତାଙ୍କୁ ଅଣ୍ଡା,ଛତୁଆ ଏବଂ ମେଡିସିନ ଠିକ୍ ଟାଇମ୍ ରେ ମିଳୁଛି କି ନାହିଁ ପଚାରିଥିଲେ।

ପରେ ତାଙ୍କୁ ପ୍ରସୂତି ସରକାରୀ ପ୍ରୋତ୍ସାହନ ରାଶି ଯୋଗାଇଦେବା କଥା କହି ଲିଙ୍କ ପଠାଇ ଫୋନ୍ ପେ ମାଧ୍ୟମରେ ୧୯ହଜାର ୭ସହ ୩୦ଟଙ୍କା ଠକି ନେଇଥିଲେ।ଏଭଳି ଠକେଇର ଶିକାର ହୋଇଛନ୍ତି ଛେନୁଅ ବାସିନ୍ଦା ମନମୋହନ ସେଠୀଙ୍କ ବୋହୂ ଲିପାରାଣୀ ସେଠୀ।ସେହିପରି ଆଉ ଜଣେ ମହିଳା ଲକ୍ଷ୍ମୀପ୍ରିୟା ବହାଲ୍ୟା ମଧ୍ୟ ୩ହଜାର ୫ସହ ୯୭ଟଙ୍କା ସାଇବର ଠକେଇର ଶିକାର ହେଉଛନ୍ତି।ଗ୍ରାମର ୪ରୁ ୫ଜଣ ପ୍ରସୂତି ମହିଳାଙ୍କୁ ଫୋନ କଲ୍ ଆସିଥିବା ବେଳେ ବାକି ମହିଳାଙ୍କ ବ୍ୟାଙ୍କ ଖାତାରେ ପର୍ଯ୍ୟାପ୍ତ ପରିମାଣର ଜମା ରାଶି ନଥିବାରୁ ସେମାନେ ଏହିଭଳି ଠକେଇରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁଇଜଣ ମହିଳା ଏହାର ଶିକାର ହୋଇଛନ୍ତି।ତେବେ ଏନେଇ ମହିଳାଙ୍କ ଶଶୁର ମନମୋହନ ସେଠି ସାଇବର ଥାନାରେ ଅଭିଯୋଗ କରିବା ସହିତ ନିମାପଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଟ୍ରେନ ଧକ୍କାରେ ଚାଲିଗଲା ଛୁଆହାତୀର ଜୀବନ

ରାଉରକେଲା: ଟ୍ରେନ ଧକ୍କାରେ ହାତୀଛୁଆର ମୃତ୍ୟୁ । ଟ୍ରେନ ଲାଇନ ପାର ହେଉଥିବାବେଳେ ଘଟିଲା ଅଘଟଣ, ଚାଲିଗଲା ଛୁଆହାତୀର ଜୀବନ। ରାଉରକେଲା ସହର ନିକଟବର୍ତ୍ତୀ ବନ୍ଧମୁଣ୍ଡା ଏ କେବିନ ନିକଟରେ ଗତ ରାତିରେ ଟ୍ରେନ ଧକ୍କାରେ ଗୋଟିଏ ଛୁଆ ହାତୀ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ୨୫ଟିକିଆ ହାତୀପଲ ଗତ ରାତିରେ ରେଳ ଲାଇନ ପାର ହେଉଥିବା ବେଳେ ମାଲବାହୀ ଟ୍ରେନ ଧକ୍କାରେ ଛୁଆ ହାତୀ ମୃତ୍ୟୁ ଵରଣ କରିଥିବା ଅଭିଯୋଗ ହୋଇଛି। ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିବା ପରେ ରାଉରକେଲା ବନ ଵିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ରେଳ ଲାଇନ ନିକଟରେ ଛୁଆ ହାତୀର ମୃତଦେହ ରହିଥିବା ବେଳେ ଆଜି ଛୁଆ ହାତୀର ମୃତଦେହ ବ୍ୟବଛେଦ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ ଓ ଅଧିକାରୀ। ଟ୍ରେନ ଧକ୍କାରେ ଛୁଆ ହାତୀର ମୃତ୍ୟୁ ହୋଇଥିବାରୁ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଦିନରେ ଟ୍ରେନ ଦୁର୍ଘଟଣାରେ ଯେପରି ହାତୀ ମୃତ୍ୟୁବରଣ ନ କରିବେ ସେନେଇ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିଵ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତ-କାନାଡା ସମ୍ପର୍କରେ ତିକ୍ତତା; କାନାଡାରୁ କୂଟନୈତିକ ପ୍ରତିନିଧିଙ୍କୁ ପ୍ରତ୍ଯାହାର କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ତିକ୍ତ ହେଲା ଭାରତ-କାନାଡା ସମ୍ପର୍କ। କାନାଡାରେ ଅବସ୍ଥାପିତ କୂଟନୈତିକ ପ୍ରତିନିଧିଙ୍କୁ ସ୍ଵଦେଶ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି ଭାରତ। କାଡାନାରେ ଅବସ୍ଥାପିତ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ କୂଟନୀତିକ ଅଧିକାରୀଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ଯାକାଣ୍ଡକୁ ନେଇ କାନାଡାର ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରିଛି ଭାରତ।

ହତ୍ଯାକାଣ୍ଡରେ ଭାରତୀୟ କୂଟନୈତିକ ପ୍ରତିନିଧିଙ୍କ ସାମିଲ ଥିବା ଅଭିଯୋଗ କରିଛି କାନାଡା। ଏହାପୂର୍ବରୁ ଭାରତରେ ଅବସ୍ଥାପିତ କାନାଡାର ଚାର୍ଜ ଡିଆଫାୟାର୍ସକୁ ନୂଆଦିଲ୍ଲୀ ପକ୍ଷରୁ ସମନ କରାଯାଇଥିଲା। ତାଙ୍କୁ ବୈଦେଶିକ ସଚିବ ଡାକିବା ସହ କାନାଡାରେ ଭାରତର ହାଇକମିଶନର ଓ କୂଟନୀତିକ ଅଧିକାରୀଙ୍କୁ ଅଯଥାରେ ବିବାଦ ମଧ୍ୟକୁ ଟାଣିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। କାନାଡାର କ୍ଷମତାସୀନ ଜଷ୍ଟିନ ଟ୍ରୁଡୋ ସରକାର ବିଦ୍ରୋହୀ ଓ ହିଂସାତ୍ମକ ପରିବେଶକୁ ସୁରକ୍ଷା ଦେବା ଭଳି କାମରେ ଲିପ୍ତ ରହିଛନ୍ତି। ସେଥିଯୋଗୁ ବର୍ତ୍ତମାନ କାନାଡାର କ୍ଷମତାସୀନ ସରକାର ଉପରେ କୌଣସି ପ୍ରକାରର ଭରସା ନାହିଁ ବୋଲି କହିଛି ଭାରତ। ସେଠାରେ ଭାରତୀୟ କୂଟନୈତିକ ପ୍ରତିନିଧିଙ୍କ ସୁରକ୍ଷାକୁ ନିଶ୍ଚିତ କରିବେ ବୋଲି କୌଣସି ନିଶ୍ଚିତତା ନାହିଁ। ତେଣୁ ଭାରତ ସରକାର କାନାଡାରେ ଥିବା ହାଇକମିଶନ ଓ ଅନ୍ୟ ଅଧିକାରୀମାନଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।

ଲରେନ୍ସ ବିଷ୍ଣୋଇ ଟାର୍ଗେଟରେ ବଡ଼ କମେଡିଆନ

ନନ୍ଦିଘୋଷ ବ୍ୟୁରୋ: ଏନସିପି ଅଜିତ ପାୱାର ଗୋଷ୍ଠୀ ନେତା ବାବା ସିଦ୍ଦିକି ହତ୍ଯାକାଣ୍ଡ ଘଟଣାର ତଦନ୍ତ ବେଳେ ବାହାରିବାରେ ଲାଗିଛି ସଂଘାତିକ ତଥ୍ୟ। ଅଭିଯୁକ୍ତଙ୍କ ପଚରାଉଚରରୁ ମିଳିଛି ଗ୍ଯାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ଟାର୍ଗେଟରେ କିଏ କିଏ ଅଛନ୍ତି। ଟାର୍ଗେଟରେ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ବଡ଼ କମେଡିଆନ ଥିବା ପୋଲିସ ସୂଚନା ଦେଇଛି। କମେଡିଆନ ଜଣକ ବିଗବସ୍ ରିୟଲିଟି ସୋ କମ୍ପିଟିସନ ଜିତିଛନ୍ତି।ଏଥିରୁ ଲରେନ୍ସଙ୍କ ଟାର୍ଗେଟରେ କମେଡିଆନ ମୁନବ୍ବର ଫାରୁକି ଥିବା ସନ୍ଦେହ କରାଯାଉଛି। ମୁନବ୍ବର ଗତ ସିଜନର ବିଗବସ ବିଜେତା। ଲରେନ୍ସ ବିଷ୍ଣୋଇ ଟାର୍ଗେଟରେ ଏନସିପି ନେତା ବାବା ସିଦ୍ଦିକୀଙ୍କ ପୁଅ ଜିଶନ ସିଦ୍ଦିକି ଥିବା ମଧ୍ୟ ପୋଲିସ ସୂତ୍ରରୁ ଜଣାପଡିଛି।

ପଂଜାବୀ ସିଙ୍ଗର ସିଦ୍ଦୁ ମୁସେୱାଲାଙ୍କ ହତ୍ଯାପରେ ଗ୍ଯାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଚର୍ଚ୍ଚାର ଘେରକୁ ଆସିଥିଲା। ଏବେ ବାବା ସିଦ୍ଦିକିଙ୍କ ମୃତ୍ଯୁ ପରେ ଲରେନ୍ସକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଲରେନ୍ସ ଆନ୍ତର୍ଜାତିକ ସ୍ତରରେ ଗ୍ଯାଙ୍ଗ ଚଳାଉଥିବା ଅଭିଯୋଗ ହୋଇଛି। ଲରେନ୍ସ ନେଟୱର୍କରେ ଦେଶରେ ୭ଶହରୁ ଅଧିକ ସୁଟର ରହିଥିବା ତଦନ୍ତରୁ ଜଣାପଡିଛି। ସେପଟେ ଗତକାଲି ବାବା ସିଦ୍ଦିକି ହତ୍ଯା ଘଟଣାରେ ତୃତୀୟ ଅଭିଯୁକ୍ତ ଗିରଫ କରିଥିଲା ପୋଲିସ। ଏହି ହତ୍ଯାକାଣ୍ଡରେ ମୋଟ ୬ ଅଭିଯୁକ୍ତଙ୍କୁ ଚିହ୍ନ କରାଯାଇଛି। ଏବେସୁଦ୍ଧା ୩ ଅଭିଯୁକ୍ତ ଧରା ପଡିଛନ୍ତି। ଗତ ୧୨ ତାରିଖରେ ପୁଅ ଜିସାନଙ୍କ କାର୍ଯ୍ୟାଳୟ ଆଗରେ ବାବା ସିଦ୍ଦିକିଙ୍କୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ ।

କୋଲକାତା ଆରଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ଯା ଘଟଣା; ଆଜି ୧୨ ଘଣ୍ଟିଆ ଡାକ୍ତର ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ଆଜି ଡାକ୍ତରଙ୍କ ୧୨ ଘଣ୍ଟିଆ ଆନ୍ଦୋଳନ। କୋଲକାତା ଆରଜି କର ମେଡିକାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ କରି ଆନ୍ଦୋଳନ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ। ସକାଳ ୬ଟାରୁ ସଂଧ୍ଯା ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଡାକ୍ତର ସଂଘ ଆହ୍ଵାନ ଦେଇଥିଲା। ଗତ ଅକ୍ଟୋବର ୫ ତାରିଖରୁ ଡାକ୍ତର ସଂଘ ଆନ୍ଦୋଳନ ଡାକରା ଦେଇଛି। ୧୦ ଜଣ ଜୁନିୟର ଡାକ୍ତର ଆମରଣ ଅନଶନ ଜାରି ରଖିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ବେ ଡାକ୍ତରଙ୍କ ଦାବି ପୂରଣ ହୋଇନାହି। କର୍ମସ୍ଥଳରେ ଡାକ୍ତରଙ୍କୁ ସୁରକ୍ଷା ଦାବି ଆନ୍ଦୋଳନ ଜାରି ରଖିଛନ୍ତି ଜୁନିୟର ଡାକ୍ତର ସଂଘ। ଡାକ୍ତରଙ୍କ ଦାବି ନେଇ ଆଉ କିଛି ମେଡିକାଲ କଲେଜର ସିିନିୟର ଡାକ୍ତର ମଧ୍ୟ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି। ଏହି ଅଘଟଣ ପରଠାରୁ ଆଜି ପର୍ଯ୍ୟନ୍ତ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି।

ଓଡ଼ିଶାକୁ ଜଳଶକ୍ତି ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ଘୋଷଣା ହୋଇଛି ପଞ୍ଚମ ଜାତୀୟ ଜଳ ଶକ୍ତି ପୁରସ୍କାର। ଶ୍ରେଷ୍ଠ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶା। ଉତ୍ତରପ୍ରଦେଶ ଦ୍ବିତୀୟ ଏବଂ ଗୁଜରାଟ ଓ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯିବ। ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ଭଳି ୯ଟି ବର୍ଗର ପଞ୍ଚମ ଜାତୀୟ ଜଳ ପୁରସ୍କାର ପାଇଁ ଯୁଗ୍ମ ବିଜେତାଙ୍କ ସମେତ ୩୮ ଜଣ ବିଜେତାଙ୍କ ନାମ ଘୋଷଣା ହୋଇଛି। ଆସନ୍ତା ୨୨ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ।

ଗ୍ୟାସ୍ ସିଲିଣ୍ଡର୍ ଟାଙ୍କି ଫାଟି ଜଳିଗଲା ପ୍ଲାଷ୍ଟିକ ମୂର୍ତ୍ତି ଗୋଦାମ

ନନ୍ଦିଘୋଷ ବ୍ୟୁରୋ: ଗ୍ୟାସ୍ ସିଲିଣ୍ଡର୍ ଟାଙ୍କି ଫାଟି ଜଳିଗଲା ପ୍ଲାଷ୍ଟିକ ମୂର୍ତ୍ତି ଗୋଦାମ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ । ପୁରୀ ଜିଲ୍ଲା ଗୋପ ଥାନା ବେଗୁନିଆ ଛକରେ ଅଘଟଣ । ହୁତୁ ହୁତୁ ହୋଇ ଜଲିଗଲା ପ୍ଲାଷ୍ଟିକ ମୂର୍ତ୍ତି ଗୋଦାମ । ବେଗୁନିଆ ଅଞ୍ଚଳରେ ବୁଲୁ ସାହୁଙ୍କ ପ୍ଲାଷ୍ଟିକ ମୂର୍ତ୍ତି ଗୋଦାମରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ହଟାତ୍   ନିଆଁ ଲାଗିବା ଫଳରେ ଗୋଦାମ ଭିତରେ ଥିବା ଗ୍ୟାସ୍ ସିଲିଣ୍ଡର୍ ଫାଟି ଯାଇଥିଲା । କିଛି ସମୟ ଭିତରେ ଗୋଦାମଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ତେବେ ଗୋଦାମ ଭିତରେ ଥିବା କିଛି ମୂର୍ତ୍ତି କାରିଗର ଏବଂ ତାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଟାଙ୍କି ଫାଟିବାର ଶବ୍ଦ ଏତେ ଭୟଙ୍କର ଥିଲା ଯେ ସମ୍ପୂର୍ଣ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିଲେ ।.

ମାଲବାହୀ ଟ୍ରେନ ଲାଇନଚ୍ୟୁତ୍

ନନ୍ଦିଘୋଷ ବ୍ୟୁରୋ: ମାଲବାହୀ ଟ୍ରେନ ଲାଇନଚ୍ୟୁତ୍। ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଷ୍ଟେସନ ସମ୍ମୁଖରେ ଲାଇନ ଚ୍ୟୁତ୍ ହୋଇଛି ଟ୍ରେନ । ବାରିପଦାରୁ ବାଙ୍ଗିରିପୋଷି ଷ୍ଟେସନକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ଟ୍ରେନରେ ମେଟାଲ ବୋଝେଇ ରହିଥିଲା। ଟ୍ରେନରେ ଚାଳିଶରୁ ଅଧିକ ବଗି ରହିଥିବା ବେଳେ ଗୋଟାଏ ବଗି ଲାଇନ୍ ଚ୍ୟୁତ ହୋଇଛି।ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ । ବାଙ୍ଗିରିପୋଷି ରେଳ ଷ୍ଟେସନକୁ ଆସିବାକୁ ଥିବା ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ ବାତିଲ କରାଯାଇଛି । ଖଡ଼ଗପୁର ରେଳ ଡିଭିଜନକୁ ବାଙ୍ଗିରିପୋଷି ରେଳ ଷ୍ଟେସନ୍ ପକ୍ଷରୁ ଘଟଣା ନେ଼ଇ ସୂଚନା ଦିଆଯାଇଛି। ସେପଟେ ରେଳ ବିଭାଗର ଟେକ୍ନିକାଲ ଟିମ୍ ଖୁବ ଶୀଘ୍ର ଘଟଣା ସ୍ଥଳରେ ପହଞ୍ଚିବା ନେଇ ସୂଚନା ମିଳିଛି।

ନାରୀ ସୁରକ୍ଷା ଦାବିରେ ବିଜେପି ଉପରେ ବର୍ଷିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ବିଜେପି ସରକାର ସମୟରେ ମହିଳାମାନେ ଅସୁରକ୍ଷିତ । ବିଜେପି ମହିଳାଙ୍କୁ ସମ୍ମାନ କଥା କହୁଛି ସିନା ସୁରକ୍ଷା କିନ୍ତୁ ଦେଇପାରୁନି । ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ଓ କଂଗ୍ରେସ । ଦିଲ୍ଲୀରେ ଓଡ଼ିଆ ଅସ୍ମିତାକୁ ଆଘାତ ଆସିଥିବା ବେଳେ ସରକାର କିନ୍ତୁ ନିଦରେ ଶୋଇଛନ୍ତି । ଓଡ଼ିଆ ଅସ୍ମିତା ଓଡ଼ିଆ ଅସ୍ମିତା ଚିଲ୍ଲାଉଥିବା ମୋହନ ସରକାର ଓଡ଼ିଆ ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ତୁରନ୍ତ ପୀଡ଼ିତାଙ୍କୁ ସହାୟତା ପ୍ରଦାନ କରିବା ସହ ନ୍ୟାୟ ଯୋଗାଇ ଦେବାକୁ ବିଜେଡି ଦାବି କରିଛି ।

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ନେଇ ସରଗମର ହୋଇଛି ରାଜ୍ୟ ରାଜନୀତି । ଗତ ଶୁକ୍ରବାର ରାତିରେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ସରାଇ କାଲେ ଖାନ ଅଞ୍ଚଳରୁ ଉଦ୍ଧାର ହୋଇ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିରୋଧୀ । ଓଡ଼ିଆ ଅସ୍ମିତାର ଚିତ୍କାର କରୁଥିବା ବିଜେପି ସରକାର କାହିଁକି ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ନିଦ ଭାଙ୍ଗୁନାହିଁ ? ଗଣମାଧ୍ଯମରେ ପ୍ରସାର ହେଲାପରେ ଗଣଦୁଷ୍କର୍ମର ତିନି ଦିନ ପରେ ମୋହନ ସରକାରଙ୍କ ଯାଇକି ନିଦ ଭାଙ୍ଗୁଛି । ଯାହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ବିଜେପି ସରକାର ସମୟରେ ନାରୀମାନେ ଅସୁରକ୍ଷିତ । ଏତେ ପରେ ବି ବିଜେପିର ଆଚରଣ ଓ ଉଚ୍ଚାରଣରେ କିଛି ପରିବର୍ତ୍ତନ ଆସିନି । ବିଜେପି ମହିଳାଙ୍କୁ ପ୍ରାଧାନ୍ୟ ଦେଉଛି ବୋଲି ଡିଣ୍ଡିମ ପିଟୁଛି । ହେଲେ କେମିତି ସମ୍ମାନ ଓ ସୁରକ୍ଷା ଦିଏ ତାହା ଦିଲ୍ଲୀ ଘଟଣାରୁ ସ୍ପଷ୍ଟ ବୋଲି କଟାକ୍ଷ କରିଛନ୍ତି ସାଂସଦ ସୁଲତା ଦେଓ । ଓଡ଼ିଶାର ଭରତପୁର ଥାନା ଘଟଣା ସାରା ଦେଶ ଦେଖିଲା । ବିଜେପି ଗୋଟେ କଥା କୁହେ, କାମ ଆଉ ଗୋଟେ କରେ । ଓଡ଼ିଶାର ମହିଳାଙ୍କ ସହ ଦୁଷ୍କର୍ମ ପରେ କାହିଁକି ଚୁପ ରହିଲେ ଆବାସିକ କମିଶନର ବୋଲି ପ୍ରଶ୍ନ କରିଛି ବିଜେଡି । ଦିଲ୍ଲୀରେ ଗଣଦୁଷ୍କର୍ମର ଶୀକାର ଯୁବତୀ ଜୀବନ ମୃତ୍ୟୁସହ ସଂଗ୍ରାମ କରୁଥିବା ବେଳେ  ମୋହନ ସରକାର କିନ୍ତୁ ପୂଜା ମଣ୍ଡପ ବୁଲି ଆନନ୍ଦ ନେଉଛନ୍ତି ।

ଅନ୍ୟପଟେ ସମାନ ଘଟଣାରେ ଉଭୟ କେନ୍ଦ୍ର ଓ ରାଜ୍ଯ ଉପରେ ବର୍ଷିଛି କଂଗ୍ରେସ । ଦିଲ୍ଲୀ ରାଜରାସ୍ତାରେ ଓଡିଆ ଅସ୍ମିତା ଦରମରା । କିନ୍ତୁ ବିଜେପି ନେତା ଚୁପ ବସିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ବିଜେପି ସରକାର ସମୟରେ ମହିଳାମାନେ ସବୁବେଳେ ଅସୁରକ୍ଷିତ । ଯେଉଁ ବଡ଼ ବଡ଼ ନେତା ଓଡ଼ିଶା ଆସି ଓଡ଼ିଶା ଅସ୍ମିତା କଥା କହୁଥିଲେ ତାହା ଆଜି ଫମ୍ପା ଆୱାଜ ପାଲଟିଛି । ତୁରନ୍ତ ପୀଡିତାଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି କରିଛି ଦଳ । ଅନ୍ୟପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ଯ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ମଣିପୁରରୁ ଓଡିଶା ମହିଳା ସବୁଠି ଅସୁରକ୍ଷିତ । ନ୍ୟାୟ ମାଗିଲେ ବି ମିଳୁନି । ବିଜେପି ସରକାର କିନ୍ତୁ ନିଦରେ ଶୋଇଛି । ଅସନ୍ତୋଷ ଦାନା ବାନ୍ଧୁଥିବାବେଳେ ରାଜ୍ୟ ସରକାର ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତାଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଅନ୍ତୁ ବୋଲି କହିଛନ୍ତି ଜୟଦେବ । ସେହିପରି ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ ମଧ୍ୟ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ମଧ୍ୟ ଦିଲ୍ଲୀ ଗଣଦୁଷ୍କର୍ମ ନେଇ ସରକାରଙ୍କ ବିଳମ୍ବରେ ନିଦ ଭାଙ୍ଗିବା ନେଇ ବର୍ଷିଛନ୍ତି ।

ଦିଲ୍ଲୀରେ ନ୍ୟାୟ ପାଇନାହିଁ ଓଡ଼ିଶା ଝିଅ । ଯାହାକୁ ନେଇ ବିଜେଡି ସରକାରଙ୍କୁ ଚେତାଇବା ସହ ପୀଡ଼ିତାଙ୍କୁ ସବୁ ପ୍ରକାର ସହାୟତା ଦେବାକୁ ଦାବି କରିଛି । ଅନ୍ୟପଟେ ଦୁଷ୍କର୍ମ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବା ସହ ବିଜେପିର ଓଡ଼ିଆ ଅସ୍ମିତା ନେଇ ଫାଙ୍କା ଆୱାଜକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।