spot_img
Home Blog Page 142

ବଢିବାରେ ଲାଗିଛି ନେପାଳରେ ଘଟିଥିବା ପ୍ରଳୟଙ୍କରୀ ଫ୍ଲାସ ଫ୍ଲଡରେ ମୃତ୍ୟୁସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ : ବଢିବାରେ ଲାଗିଛି ନେପାଳରେ ଘଟିଥିବା ପ୍ରଳୟଙ୍କରୀ ଫ୍ଲାସ ଫ୍ଲଡରେ ମୃତ୍ୟୁସଂଖ୍ୟା। ୪୭୦ରୁ ମୃତଦେହ ଉଦ୍ଧାର ହୋଇଛି। ୧୪୦୦ରୁ ଅଧିକ ନିଖୋଜ ଅଛନ୍ତି। ୧୩ ହଜାରରୁ ଅଧିକ ଯବାନ ରେସ୍କ୍ୟୁ ଅପରେସନରେ ନିୟୋଜିତ ହୋଇଛନ୍ତି । ନିଖୋଜ ୨୮୮ ଭାରତୀୟଙ୍କ ମଧ୍ୟରୁ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ୨୮୮ ଜଣଙ୍କ ମଧ୍ୟରୁ ୭୩ ଜଣ ତ୍ରିଶୂଳୀ ୱାନ ପାୱାର ପ୍ରୋଜେକ୍ଟରେ କାର୍ଯ୍ୟରତ ଥିଲେ। ନିଖୋଜ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ କିଛି ରାଜ୍ୟର ପର୍ଯ୍ୟଟକ।

ଭାରତୀୟ ନାଗରିକଙ୍କ ସହାୟତା ପାଇଁ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। … ସେପଟେ ତିବ୍ବତ-ନେପାଳ ସୀମାରେ ଏକ ଜଳାଶୟ ୭୨ ଘଣ୍ଟାରେ ଭାଙ୍ଗିପାରେ ବୋଲି ସତର୍କ କରାଇଛି ଚୀନ ଜଳ ସମ୍ପଦ ମନ୍ତ୍ରାଳୟ। ଏହି ଜଳାଶୟରେ ୨ ନିୟୁତ କ୍ୟୁବିକ ଘନଫୁଟ ଜଳ ଥିବାରୁ ଯଦି ଏହା ଭାଙ୍ଗେ ତେବେ ସ୍ଥିତି ଅଧିକ ଭୟଙ୍କର ହେବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ଉତ୍ତର ଲାଙ୍ଗତାଙ୍କ ଲିରୁଙ୍ଗରେ ବିଶାଳ ଗ୍ଲାସିୟର ଧସିବା ଯୋଗୁ ଏହି ଅଘଟଣ ଘଟିଥିଲା। ପ୍ରାୟ ୫ ହଜାର ୨୦୦ ମିଟର ଗ୍ଳାସିୟର ଧସିବା ସହ ୧୨୦୦ ମିଟର ତଳେ ଥିବା ଭୋତେକୋଶୀ ନଦୀର ଶାଖା ନଦୀ ଲିହେନ୍ଦ ନଦୀରେ ଖସିବା ଯୋଗୁ ଏହି ଭୟଙ୍କର ଦୁର୍ବିପାକ ଘଟିଥିଲା।

ପ୍ରକାଶ ପାଶୱାନଙ୍କୁ ରିମାଣ୍ଡରେ ନେବ ପୋଲିସ !

ନନ୍ଦିଘୋଷ ବ୍ୟୁରୋ : ରାଉରକେଲାର ଯୁବ ନେତା ପ୍ରକାଶ ପାସୱାନଙ୍କୁ ରିମାଣ୍ଡରେ ନେଇପାରେ ପୋଲିସ । ଆଜି କୋର୍ଟରେ ରଘୁନାଥ ପଲ୍ଲୀ ଥାନା ପୋଲିସ ଆବେଦନ କରିବ ବୋଲି ଜଣାପଡ଼ିଛି। ରିମାଣ୍ଡରେ ନେଲେ ଚୋରା ବନ୍ଧୁକ କାରବାର ନେଇ ଅଧିକ ତନାଘନା କରିବ। ପ୍ରକାଶଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରୁଛି। ବିହାର ସମସ୍ତିପୁରରୁ ପ୍ରକାଶଙ୍କୁ ଗିରଫ କରିଥିଲା ପୋଲିସ ।

ଗତ ରାତିରେ କୋର୍ଟରେ ହାଜିରା ପରେ ହାଜତକୁ ପଠାଯାଇଥିଲା। ରାଉରକେଲା ପାନପୋଷ ସର୍କିଟ ହାଉସରେ ଚୋରା ବନ୍ଧୁକ ସହିତ ଅପରାଧୀ ଧରାପଡ଼ିଥିଲେ। ୯ ଜଣଙ୍କୁ ଗିରଫ କରାଯାଇଥିଲା। ଜବତ ହୋଇଥିଲା ୪ଟି ବନ୍ଧୁକ ଓ ୧୧ଟି ଗୁଳି। ସାମ୍ନାକୁ ଆସିଥିଲା ସେଥିରେ ରହିଛି ପ୍ରକାଶ ପାସୱାନଙ୍କ ଲିଙ୍କ୍। ସେ କିନ୍ତୁ ବିହାରକୁ ଖସି ଯାଇଥିଲେ। ତାଙ୍କୁ ସମସ୍ତିପୁରରୁ ଗିରଫ କରାଯାଇ ଓଡ଼ିଶାକୁ ଅଣାଯାଇଥିଲା। ରାଉରକେଲା ଟିମ୍ଵର କଲୋନୀ ନିକଟ ସଂରକ୍ଷିତ ଜଙ୍ଗଲ ଜମିରେ ପ୍ରକାଶ ପାଶଓ୍ବାନ ବେଆଇନ ଭାବେ ଅଫିସ କରିଥିବାର ବି ଅଭିଯୋଗ ଅଛି। ବନ ବିଭାଗ ଏହାର ତଦନ୍ତ କରୁଛି। ଆଜି ପାନପୋଷ ରେଞ୍ଜ ଅଫିସର ତଦନ୍ତ ରିପୋର୍ଟ ଦେବା ପରେ ଆକ୍ସନ ନିଆଯିବ ବୋଲି ଡିଏଫଓ କହିଛନ୍ତି।

କଟକ ରେଭେନ୍ସା ୟୁନିଭରସିଟିର ଶିକ୍ଷକ ସଂଘର ଧାରଣା

ନନ୍ଦିଘୋଷ ବ୍ୟୁରୋ : ସମୂହ ଛୁଟିରେ କଟକ ରେଭେନ୍ସା ୟୁନିଭରସିଟିର ଶିକ୍ଷକ ସଂଘ। ସମସ୍ତ ଅଧ୍ଯାପକ ଅଧ୍ୟାପିକା ଆଜି ଗୋଟିଏ ଦିନ ସମୂହ ଛୁଟିରେ ଯାଇଛନ୍ତି। ଆଜି ସେମାନେ କୁଳପତିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ପୂର୍ବ ବିବାଦର ସମାଧାନ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଇ ନ ଥିବାରୁ ଆଜି କଳାବ୍ଯାଚ ପିନ୍ଧି ପ୍ରତିବାଦ କରୁଛନ୍ତି ରୁଟାର ସଦସ୍ଯ

ହଷ୍ଟେଲ ବିବାଦର ସମାଧାନ ବେଳେ କଟକ ସଦର ବିଧାୟକ ଜଣେ ପ୍ରଫେସରଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରିଥିଲେ। ଏହା ପରେ ରୁଟା ଆନ୍ଦୋଳନକୁ ଓହ୍ଲାଇଥିବା ଦେଳେ ସଂପୃକ୍ତ ଚିଫ୍ ୱାଡେନ ଙ୍କ ନାଁରେ ବିଧାୟକ ବାଚସ୍ପତିଙ୍କୁ ଏକ ଚିଠି ଲେଖିଥିଲେ। ଅନେକ ବୈଠକ ହୋଇ ଥିଲେ ସୁଦ୍ଧା ବିବାଦ ର ସମାଧାନ ହୋଇ ପାରି ନାହିଁ। ସେତେବେଳେ ସମସ୍ତ ୱାଡେନ ଇସ୍ତଫା ଦେଇଥିଲେ। ପରେ ଇସ୍ତଫା ଗ୍ରହଣ କରି ସମସ୍ତ ୱାଡେନଙ୍କୁ ବଦଳାଇଥିଲେ କର୍ତ୍ତୃପକ୍ଷ।

SCB ଆର୍ଥିକ ହେରଫେର, ଜଣେ ଗିରଫ

ନନ୍ଦିଘୋଷ ବ୍ୟୁରୋ : କଟକ SCB ମେଡିକାଲ କଲେଜ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଜଣେ ଡିଇଓ ଗିରଫ । ଦୀନେଶ ରାଉତଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିବା ଦୀନେଶ ବଡ଼ ଧରଣର ଆର୍ଥିକ ହେରଫେରରେ ସଂପୃକ୍ତ ଥିବା ଜଣା ପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଭିନ୍ନ ଦେୟକୁ ସେ ବିଭିନ୍ନ ସମୟରେ ହଡପ କରି ନେଇଥିଲେ । ଏନେଇ ଅଭିଯୋଗ ହେବା ପରେ ଧରପଗଡ଼ ଆରମ୍ଭ ହୋଇଥିଲା ।

ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ କାରଣ ଅସ୍ପଷ୍ଟ

ନନ୍ଦିଘୋଷ ବ୍ୟୁରୋ : ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଶିଖର ହାଟ ପୋଲ ଉପରେ ସ୍କୁଟି ଥୋଇ ଯୁବକ ନଦୀକୁ ଡେଇଁ ପଡିଛନ୍ତି । ଯୁବକ ଜଣକ ତିହୁଡ଼ା ଗାଁର ୨୦ ବର୍ଷୀୟ ଶୈଳେଶ ପାଢ଼ୀ ବୋଲି ଜଣାପଡ଼ିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ତେବେ ଯୁବକ ଜଣଙ୍କ କାହିଁକି ନଦୀକୁ ଡେଇଁପଡ଼ିଲେ ? କାରଣ ଅସ୍ପଷ୍ଟ ରହିଛି ।  ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଖୋଲିବ ପାରାଦୀପ ଜାହାଜ ବୁଡ଼ି ଘଟଣାର ରହସ୍ୟ

ନନ୍ଦିଘୋଷ ବ୍ୟୁରୋ : ଲୁହା ପଥର ଜାହାଜ ଓସେନ ୱିନର ବୁଡ଼ିବା ଘଟଣାର ଚାଲିଛି ତଦନ୍ତ। ଉଦ୍ଧାର ହୋଇଥିବା ଦୁଇ କର୍ମଚାରୀଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଛି। କିନ୍ତୁ ତାଙ୍କ ଭାଷା ବୁଝି ହେଉନଥିବାରୁ ଦୁଇ ଜଣ ଅନୁବାଦକ ଆସିଛନ୍ତି। ସେମାନେ ପାରାଦୀପରେ ଆସି ପହଞ୍ଚିଛନ୍ତି।

ଉଦ୍ଧାର ଦୁଇ କର୍ମଚାରୀଙ୍କଠାରୁ ତଥ୍ୟ ହାସଲ କରିବାରେ ଏମାନେ ସାହାଯ୍ୟ କରିବେ। ଓସେନ ୱିନରରେ ମୋଟ ୨୪ ଜଣ କର୍ମଚାରୀ ଥିଲେ। ଦୁଇ ଜଣଙ୍କୁ ଅଗଷ୍ଟ ୨୨ ତାରିଖରେ ଉଦ୍ଧାର କରାଯାଇଥିଲା। ଗତକାଲି ସେମାନେ ପାରାଦୀପରେ ପହଞ୍ଚିଥିଲେ। ପଚରା ଉଚରା କରି ତଥ୍ୟ ସଂଗ୍ରହ ପରେ ସେହି ଦୁଇ କର୍ମଚାରୀଙ୍କୁ ଚୀନ ପଠାଯିବ।

୨୧ ତାରିଖରେ ପାରାଦୀପରୁ ପ୍ରାୟ ୨୩୦ ନଟିକାଲ ମାଇଲ ଦୂରରେ ବୁଡ଼ି ଯାଇଥିଲା ଓସେନ ୱିନର। ଜାହାଜର ମୋଟ ୨୪ କର୍ମଚାରୀଙ୍କ ମଧ୍ୟରୁ ୨୦ ଜଣ ଚୀନର, ୩ ଜଣ ମିଆଁମାରର ଓ ଜଣେ ବାଂଲାଦେଶୀ।

ଆଜି ଠାରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା

ନନ୍ଦିଘୋଷ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୨୯ ତାରିଖରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଆଜି ଠାରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା । ୨ ଜିଲ୍ଲାକୁ ଅରେଞ୍ଜ ଓ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି l

ଏହି ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ସହ ୪୦ ରୁ ୫୦ କିଲୋମିଟର ବେଗରେ ବପନ ବହିବାର ସମ୍ଭାବନା ରହିଛି । ସେହିପରି ପ୍ରବଳ ବର୍ଷା ନେଇ ୧୯ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କଟକ , ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି  । ଅନ୍ୟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ସେପ୍ଟେମ୍ବର ୩ ତାରିଖ ଯାଏ ଲାଗି ରହିବ ବର୍ଷା ।

ସେପଟେ ଆସନ୍ତା ୩୦ ଓ ୩୧ ତାରିଖରେ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ଗତ ୨୪ ଘଣ୍ଟାରେ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୮୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି ।

କାନପୁର ନିକଟରେ ଟ୍ରେନି ବିମାନ ଦୁର୍ଘଟଣା କ୍ଷେତରେ ଖସିପଡ଼ିଲା ବିମାନ

ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶର କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା। ଗଙ୍ଗା ନଦୀ କୂଳ ନିକଟ ଏକ କ୍ଷେତରେ ଦୁଇ ଇଞ୍ଜିନ୍ ବିଶିଷ୍ଟ ଚାରି ସିଟ୍‌ର ଟ୍ରେନିଂ ବିମାନ  ଖସି ପଡ଼ିଛି। ଏଥିରେ ଉଭୟ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଜଣେ ଟ୍ରେନି ପାଇଲଟ୍ ଥିବା ବେଳେ ଅନ୍ୟଜଣ ଇନ୍‌ଷ୍ଟ୍ରକ୍ଟର ଥିଲେ। ପୁଲିସ ସୂଚନା ଅନୁସାରେ, ଗୁଜରାଟର ସଚିନ ଭାଟିଆ ଏବଂ କର୍ଣ୍ଣାଟକର ଅଭିଷେକ ପୂଜାରୀ ଗୁରୁବାର ସକାଳ ପ୍ରାୟ ୧୧ଟା ୩୦ରେ କାନପୁର Garg Aviation Training Centreରୁ ବିମାନ ନେଇ ଉଡ଼ାଣ ଭରିଥିଲେ।

ପ୍ରାୟ ୨୦ ମିନିଟ୍ ପରେ ଟ୍ରେନିଂ ସେଣ୍ଟରକୁ ଫେରୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଇନ୍‌ଷ୍ଟ୍ରକ୍ଟରଙ୍କର ପ୍ରାୟ ୩,୦୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା। ଘଟଣା ସମ୍ପର୍କରେ DGCAକୁ ଅବଗତ କରାଯାଇଛି। DGCAର ଏକ ଟିମ୍ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବ। ଘଟଣାସ୍ଥଳକୁ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ରଖିଛି।

ଦୁର୍ଘଟଣାର ଖବର ପାଇବା ପରେ ତୁରନ୍ତ ଜରୁରୀକାଳୀନ ସେବା ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାସ୍ଥଳର ଚିତ୍ରରେ ବିମାନଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି।ତେବେ ବିମାନଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା, ତାହାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଉଡ଼ାଣ ସମୟରେ ବିମାନଟି ନିୟନ୍ତ୍ରଣ ହରାଇବା ପରେ ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ। ଏହି ଟ୍ରେନିଂ ବିମାନଟି ୨୦୨୩ ମସିହାରେ ଟ୍ରେନିଂ ସେଣ୍ଟରକୁ ଅଣାଯାଇଥିଲା ।

ଦାଦାବଟି ନଦେବାରୁ ଖଣ୍ଡାରେ ଆକ୍ରମଣ, ଯୁବକ ଓ ମାମୁଁ ଆହତ

ନନ୍ଦିଘୋଷ ବ୍ୟୁରୋ : ଦାଦାବଟି ମାଗିଲେ, ନଦେବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଭରତପୁର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ। ଗଣେଶ ପୂଜା ପୂର୍ବରୁ ରାଜଧାନୀରେ ଅପରାଧୀଙ୍କ ହଲ୍ଲାବୋଲ। ଖଣ୍ଡାରେ ହାଣି ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଲହୁଲୁହାଣ କରିଦେଇଛନ୍ତି। ଅଟକାଇବାରୁ ତାଙ୍କ ମାମୁଁଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଆହତ ଯୁବକ ଜଣକ ହେଲେ ଅଂଶୁମାନ ପଟ୍ଟନାୟକ। ତାଙ୍କର ଏକ ସେଲ୍ଫ ଡ୍ରାଇଭ୍ କାର୍ ସୋରୁମ୍ ରହିଛି।

ଗତକାଲି ରାତି ପ୍ରାୟ ୯ଟା ସମୟରେ ଅଂଶୁମାନ ଭରତପୁରସ୍ଥିତ ଆୟୁର୍ବେଦିକ୍ ହସ୍ପିଟାଲ ନିକଟରେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅଂଶୁମାନଙ୍କ ମାମୁଁ ମଧ୍ୟ ଖଣ୍ଡା ଚୋଟର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପଟେ, ଏନେଇ ଆହତ ଦୁଇଜଣ ଆଜି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନେ ରାଜନେତାଙ୍କ ଛତ୍ରଛାୟାରେ ରହି ବାରମ୍ବାର ଏଭଳି କାଣ୍ଡ ଭିଆଉଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର। ପୁରୀ ଜିଲ୍ଲା କାକଟପୁର-ନିମାପଡ଼ା ମୁଖ୍ୟ ରାସ୍ତା ଚାରିଛକରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଚାରିଛକ ପୋଲିସ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ର ଜିମା ଦେଇଥିଲା। ସେଠାରେ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ, ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଶିଶୁଟିର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଶିଶୁ ମଙ୍ଗଳ ସମିତିକୁ ଅବଗତ କରାଯାଇଛି। କେଉଁ ପରିସ୍ଥିତିରେ ଏବଂ କାହା ଦ୍ୱାରା ନବଜାତ ଶିଶୁଟିକୁ ରାସ୍ତା କଡ଼ରେ ଫିଙ୍ଗି ଦିଆଗଲା, ସେ ନେଇ ପୋଲିସ ସ୍ଥାନୀୟ ଅଞ୍ଚଳରେ ତଦନ୍ତ ଆରମ୍ଭ କରିଛି।