ଭୁବନେଶ୍ୱର : ପୁଣି ଅଲୋଡ଼ା ଶିଶୁକନ୍ୟା। ରାଜଧାନୀ ଭୁବନେଶ୍ଵରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମହାରାଜା ସିନେମା ହଲ ନିକଟ ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ବଢ଼ି ଭୋରରୁ କିଏ ଛାଡ଼ି ଚାଲି ଯାଇଥିବାବେଳେ ଉଦ୍ଧାର କଲେ ସାଧାରଣ ଲୋକେ। ପୋଲିସକୁ ଖବର ଦେବା ପରେ ସହିଦନଗର ଥାନା ପୋଲିସ ପହଁଚି ଶିଶୁକନ୍ୟାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଛନ୍ତି। ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡିଛି.
ଡିଜିପି ସମ୍ମିଳନୀ ଲାଗି ୩ ଦିନ ମୋ ବସ୍ ସେବା ପ୍ରଭାବିତ
ଭୁବନେଶ୍ୱର : ଡିଜିପି ସମିଳନୀ ପାଇଁ ମୋ ବସ ସେବା ପ୍ରଭାବିତ । କାଯ୍ୟକ୍ରମ ସମୟରେ ଏହି ସବୁ ରୁଟରେ ୩ ଦିନ ଧରି ମୋ ବସ ସେବା ପ୍ରଭାବିତ ହେବ । ରୁଟ ନମ୍ବର ୯, ୧୦,୧୧,୧୨ , ୧୩, ୧୭. ୨୧, ୨୧, ୨୨ଏ, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬, ୪୭, ୬୪, ୬୬ ଏବଂ AE1, AE2ରେ ବସ୍ ଆଜିଠାରୁ ଏକ ତାରିଖ ପର୍ଯ୍ୟନ୍ତ ପ୍ରଭାବିତ ହେବ ।
କମିସନରେଟ ପୋଲିସର ଟ୍ରାଫିକ କଟକଣା ଅନୁସାରେ ମୋ ବସ ସେବା ନେଇ ଏଭଳି ନିଷ୍ପତ୍ତି ନେଇଛି କ୍ରୃଟ୍ ।ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷା ଓ ନିରାପତ୍ତା ଏବଂ ଜନସାଧାରଣଙ୍କ ସୁଗମାନଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରିଛି ପୋଲିସ
ବାତ୍ୟାରେ ପରିଣତ ହୋଇପାରେ ଗଭୀର ଅବପାତ; ତାମିଲନାଡୁରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ
ଚେନ୍ନାଇ : ଆଜି ବାତ୍ୟାରେ ପରିଣତ ହୋଇପାରେ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ । ବାତ୍ୟାରେ ପରିଣତ ହେବା ପରେ ସାଇକ୍ଲୋନ୍ ଫେଙ୍ଗଲ କାକାଇକାଲ ଓ ମହାବଳୀପୁରମ ମଝିରେ ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ହେଲେ ଏବଠୁ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଦକ୍ଷିଣ ଭାରତ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି।
ନାଗପଟ୍ଟିନମ ସମେତ ଅନ୍ଯାନ୍ୟ ସ୍ଥାନରେ ବର୍ଷା ହୋଇଛି। ତାମିଲନାଡୁର ସମୁଦ୍ର କୂଳରେ ବଡ଼ ଲହର ଉଠୁଛି । ତାମିଲନାଡୁର କୁଡାଲୋର, କରାଇକାଲ, ଆଥିରାମପାଟ୍ଟିନମ୍, ପାରଙ୍ଗିପେଟ୍ଟାଇ, ମୀନାମ୍ବକମ୍ ସମେତ ତାମିଲନାଡୁର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପକୂଳରେ ପ୍ରବଳ ବର୍ଷା ସହ ପବନ ବହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।
ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସତର୍କତା ଦୃଷ୍ଟିରୁ ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି। ଏକ ତାରିଖ ପର୍ଯ୍ୟନ୍ତ ସୁମଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ତାମିଲନାଡୁ ସରକାର ସଜାଗ ରହିଛନ୍ତି ।
ଧୀରେ ଧୀରେ ସ୍ବାଭାବିକ ହେଉଛି ମଣିପୁର ସ୍ଥିତି ; ଆଜିଠାରୁ ଖୋଲିବ ସ୍କୁଲ, କଲେଜ
ଇମ୍ଫାଲ : ଧୀରେ ଧୀରେ ସ୍ବାଭାବିକ ହେଉଛି ମଣିପୁର ସ୍ଥିତି। ପ୍ରାୟ ଦୁଇ ସପ୍ତାହ ପରେ ଆଜିଠାରୁ ଖୋଲିବ ଶିକ୍ଷା ପ୍ରତିଷ୍ଠାନ। ହିଂସା କାରଣରୁ ମଣିପୁରରରେ ବନ୍ଦ ଥିବା ବିଶ୍ବବିଦ୍ୟାଳୟ ସମେତ ସ୍କୁଲ ଓ କଲେଜ ଖୋଲିବ। ଏନେଇ ସମସ୍ତ ଜିଲ୍ଲା ଓ ଜୋନାଲ ସ୍ତରୀୟ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ନିଷ୍ପତ୍ତି ଫଳରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଆଦି ଖୋଲିବ। ରାଜ୍ଯ ଗୃହ ବିଭାଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୋବାଲ, ବିଷ୍ଣୁପର, କାକଚିଙ୍ଗ ଓ ଜିରିବାମରେ ହିଂସା ଦେଖାଦେବା ପରେ ସ୍କୁଲ କଲେଜ ବନ୍ଦ ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ସେପଟେ ରାଜ୍ଯରେ ହିଂସା ପ୍ରତିବାଦରେ ବିଭିନ୍ନ ସ୍ଥାନରେ ସଭା କରାଯାଇଛି।
ଆଜି ବସିବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ
ନୂଆଦିଲ୍ଲୀ : ଆଜି ବସିବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ। ଏହି ବୈଠକରେ ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ହେବ ଆଲୋଚନା । ତିନି ରାଜ୍ୟରେ ଦଳର ପ୍ରଦର୍ଶନ ନେଇ କରାଯିବ ସମୀକ୍ଷା। ଏହା ସହ ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ଆଦାନୀ ପ୍ରସଙ୍ଗ ନେଇ ଟାର୍ଗେଟ କରିବା ରଣନୀତି ନେଇ ବି ଆଲୋଚନା ହେବ। ବୈଠକରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସାଂସଦ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ସାମିଲ ହେବେ ।
ଆସନ୍ତା ବର୍ଷ ହେବାକୁ ଥିବା ବିହାର ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ରଣନୀତି ସମ୍ପର୍କରେ ମଧ୍ଯ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଗତ ନିର୍ବାଚନରେ ମହାରାଷ୍ଟ୍ର ଓ ହରିୟାଣାରେ ଯେପରି ଦଳ ବିପର୍ଯ୍ୟୟର ଶିକାର ହେଲେ ତାହାକୁ ନେଇ ମାନସମନ୍ଥନ କରାଯିବ । ମହାରାଷ୍ଟ୍ରରେ ମହା ଅଘାଡି ମେଣ୍ଟରେ ଥିବା ଶିବସେନା ୟୁବିଟି ମାତ୍ର ୨୦ ଆସନ ପାଇଥିବାବେଳେ କଂଗ୍ରେସ ପାଇଥିଲା ୧୬ ଆସନ । ଏନସିପି ଶରଦ ପାଓ୍ବାର ପାଇଥିଲା ୧୦ ଆସନ।
ଆଜିଠାରୁ ଆରମ୍ଭ ୩ ଦିନିଆ ଡିଜିପି ସମ୍ମିଳନୀ , ସାମିଲ ହେବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ
ଭୁବନେଶ୍ବର : ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ତିନି ଦିନିଆ ଡିଜିପି ସମ୍ମିଳନୀ। ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ। ଆଜି ଅପରାହ୍ନ ୪ ଟା ୨୫ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ରାଜଭବନରେ କିଛି ସମୟ ବିଶ୍ରାମ ପରେ ଅପରାହ୍ନ ୬ଟା ୨୦ରେ ରାଜଭବନରୁ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବେ । ଗସ୍ତର ଦ୍ଵିତୀୟ ଦିନରେ ମୋଦି ସକାଳ ୮ ଟା ୨୫ ରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ପହଞ୍ଚି ଡିଜିପି ଓ ଆଇଜିପି ସମ୍ମିଳନୀରେ ଯୋଗଦେବେ। ସେହିପରି ଗସ୍ତର ତୃତୀୟ ଦିନ ଅର୍ଥାତ ଡିସେମ୍ବର ୧ ତାରିଖରେ ଡିଜିପି ସମ୍ମିଳନୀରେ ଯୋଗଦେଇ ଅପରାହ୍ନ ୪ ଟା ୪୫ରେ ଦିଲ୍ଲୀ ଫେରିଯିବେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଆଜି ଡିଜିପି ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ । ସନ୍ଧ୍ୟା ଆଠଟା ପର୍ଯ୍ୟନ୍ତ ଡିଜିପି ସମ୍ମିଳନୀରେ ରହିବେ ଗୃହମନ୍ତ୍ରୀ। ସେହିପରି ୩୦ ଓ ଡିସେମ୍ବର ୧ ତାରିଖରେ ମଧ୍ୟ ଗୃହମନ୍ତ୍ରୀ ଡିଜିପି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ଵର ରହିବ। ଭୁବେନଶ୍ଵରରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ। ରାଜ୍ୟ ପୋଲିସ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ ହୋଇଛନ୍ତି। ସୁରକ୍ଷା ପାଇଁ ଆଣ୍ଟି ଟେରର ଫୋର୍ସ ସଜାଗ ରହିବେ। ରାଜ୍ୟ ଓ କେନ୍ଦ୍ର ଗୁଇନ୍ଦା ସଂସ୍ଥା ରାଜଧାନୀ ଉପରେ କଡ଼ା ନଜର ରଖିବେ ବୋଲି ପୋଲିସ କମିଶନର କହିଛନ୍ତି।
ଛିଣ୍ଡୁନି ମହାରାଷ୍ଟ୍ର ଗଣିତ, କିଏ ହେବେ ମୁଖ୍ଯମନ୍ତ୍ରୀ ହୋଇପାରୁନି ନିଷ୍ପତ୍ତି
ନନ୍ଦିଘୋଷ ବ୍ୟୁରୋ: ଛିଣ୍ଡୁନି ମହାରାଷ୍ଟ୍ର ଗଣିତ। କିଏ ହେବେ ମୁଖ୍ଯମନ୍ତ୍ରୀ ତଥାପି ହୋଇପାରୁନି ନିଷ୍ପତ୍ତି। ଅଚଳାବସ୍ଥା ମଧ୍ଯରେ ଦିଲ୍ଲୀ ଗସ୍ତ କରିଛନ୍ତି କାମଚଳା ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ। ସମ୍ଭବତଃ ନୂଆ କ୍ଯାବିନେଟର ରୂପରେଖ ନେଇ ଆଲୋଚନା କରିପାରନ୍ତି ସିନ୍ଦେ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୩୨, ଶିବସେନାର ୫୭ ଓ ଏନସିପିର ୪୧ ବିଧାୟକ ଅଛନ୍ତି। ତେବେ ଦେବେନ୍ଦ୍ର ଫଡନବିସ ମୁଖ୍ଯମନ୍ତ୍ରୀ ହେବା ଏକରକମ ନିଶ୍ଚିତ ହୋଇଛି। କେତେକ ସର୍ତ୍ତରେ ସିନ୍ଦେ ଉପମୁଖ୍ଯମନ୍ତ୍ରୀ ହେବା ସମ୍ଭାବନା ରହିଛି। ଶିବସେନାକୁ ନଗର ଉନ୍ନୟନ, ରାଜସ୍ବ, କୃଷି, ସ୍ବାସ୍ଥ୍ୟ, ଗ୍ରାମୀଣ ବିକାଶ, ଶିଳ୍ପ, ସାମାଜିକ ନ୍ୟାୟ ଓ ରାଜ୍ଯ ସଡକ ପରିବହନ ବିଭାଗ ମିଳିପାରେ। ସେପଟେ ଏନସିପି ଉପମୁଖ୍ଯମନ୍ତ୍ରୀ, ଅର୍ଥ ଓ ଯୋଜନା, ମେଡିକାଲ ଶିକ୍ଷା, କ୍ରୀଡା, ମହିଳା ଓ ଶିଶୁ କଲ୍ଯାଣ ଆଦି ବିଭାଗ ଲାଗି ଚାହିଁଛି। ମନ୍ତ୍ରିମଣ୍ଡଳରେ ବିଜେପି ୨୧ରୁ ୨୨, ଶିବସେନା ୧୦ରୁ ୧୨ ଓ ଏନସିପି ୮ରୁ ୯ ମନ୍ତ୍ରୀ ପାଇବା ଆଶା ରହିଛି। ରାଜ୍ଯ ମନ୍ତ୍ରିମଣ୍ଡଳରେ ସର୍ବାଧିକ ୪୩ ମନ୍ତ୍ରୀ ରହିପାରିବେ।
ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ : ସଠିକ୍ ଉତ୍ତର ଦେଇ ପାରିଲେ ନାହିଁ କେନ୍ଦ୍ର କ୍ରୀଡାମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ କ୍ରୀଡାର ଭିତ୍ତିଭୂମି ବିକାଶ ପ୍ରସଂଗରେ ରାଜ୍ଯସଭା ସାଂସଦ ମାନସ ମଂଗରାଜ ପଚାରିଥିବା ପ୍ରଶ୍ନର ସଠିକ ଉତ୍ତର ଗୃହରେ ଦେଇ ପାରିଲେ ନାହିଁ କେନ୍ଦ୍ର କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବ୍ଯ। ଗତ ପାଂଚ ବର୍ଷ ମଧ୍ଯ୍ଯରେ ଓଡିଶାରେ କ୍ରୀଡାର ବିକାଶ ପାଇଁ କେଉଁ ଯୋଜନାରେ କେତେ ଅର୍ଥ କେନ୍ଦ୍ର ଦେଇଛି ଜାଣିବାକୁ ଚାହିଁଥିଲେ ମାନସ ମଂଗରାଜ । ତେବେ ମନ୍ତ୍ରୀ ରାଜ୍ଯୱାରୀ ହିସାବ ନଦେଇ ଦେଶର ସାମଗ୍ରିକ ଅନୁଦାନ କଥା କହିଥିଲେ।ସେହିଭଳି ଜାତୀୟ ରାଜପଥ-୫୩ ଅନ୍ତର୍ଗତ ପାରାଦୀପ -ଡୁବୁରୀ ୪ ଥାକିଆ ରାସ୍ତାରେ ଏବେ ୮୨ ପ୍ରତିଶତ କାମ ସରିଲାଣି।ବଳକା ଥିବା କାମ ୨୦୨୫ ଫେବୃଆରୀ ସୁଦ୍ଧା ସମ୍ପନ୍ନ ହେବ ବୋଲି ବିଭାଗୀୟ ମନ୍ତ୍ରୀ ନିତୀନ ଜୟରାମ ଗଡକରି ଗୃହକୁ ସୂଚନା ଦେଇଛନ୍ତି।ସେହିଭଳି ସାମୁଦ୍ରିକ ମତ୍ସ୍ଯ ଉତ୍ପାଦନ ସମ୍ପର୍କରେ ସେ ବିଭାଗୀୟ ମନ୍ତ୍ରୀ ରାଜୀବ ରଂଜନ ସିଂକୁ ପଚାରିଛନ୍ତି।
ଅବସର ଘୋଷଣା କଲେ ସିର୍ଦ୍ଧାର୍ଥ କୌଲ, ସୋସିଆଲ ମିଡିଆରେ ଲେଖିଲେ..
ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ପଟେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଛି ବର୍ଡର ଗାଭାସ୍କର ଟ୍ରଫି ଅନ୍ୟପଟେ ଅବସର ଘୋଷଣା କଲେ ଜଣେ ଖେଳାଳି । ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସିର୍ଦ୍ଧାର୍ଥ କୌଲ ନିଜର ଅବସର ଘୋଷଣା କରିଛନ୍ତି । ୨୦୧୯ ମସିହାରେ ସେ ନିଜର ଶେଷ ଆନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ । ସେ ନିଜର ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି । କିନ୍ତୁ ଆଇପିଏଲରେ ୫୫ ମ୍ୟାଚରେ ୫୮ ଓ୍ବିକେଟ ଅକ୍ତିଆର କରିଛନ୍ତି । କୋଲକାତା ନାଇଟ ରାଇଡର୍ସ, ସନ ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଛନ୍ତି । ସୋସିଆଲ ମିଡିଆ ଜରିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରି ନିଜର ଅବସର ଘୋଷଣା କରିଛନ୍ତି ।
https://www.instagram.com/iamsidkaul/?utm_source=ig_embed&ig_rid=4785954e-83eb-4264-9787-83cea2fbd96e
୪ଟି ସିଜିନରେ ଆଇପିଏଲରୁ ୫୦ କୋଟିରୁ ଅଧିକ ରୋଜଗାର କଲେଣି ଷ୍ଟାର୍କ
ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିୟ କ୍ରିକେଟର ମିଚେଲ ଷ୍ଟାର୍କଙ୍କୁ ଚଳିତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ୧୧.୭୫ କୋଟି ଟଙ୍କାରେ କିଣିଛି । ଚଳିତ ସିଜିନରେ ଯେଭଳି ଆଶା ରଖାଯାଇଥିଲା ଏଥରକ ସେମିତି ଆଖି ଦୃଶିଆ ଟଙ୍କାରେ କିଣା ହୋଇନାହାନ୍ତି । ତଥାପି ଷ୍ଟାର୍କଙ୍କ କଥା ଯଦି କହିବା ତାହେଲେ ସେ ୪ଟି ସିଜିନରେ ୫୦.୯ କୋଟି ଟଙ୍କା ଆୟ କରିଛନ୍ତି । ଗତ ସିଜିନରେ କୋଲକାତା ନାଇଟ ରାଇଡର୍ସ ତାଙ୍କୁ କିଣିଥିଲା । ୨୪.୭୫ କୋଟିରେ କେକେଆର କିଣିଥିବାବେଳେ ଏହା ଆଇପିଏଲ ଇତିହାସରେ ରେକର୍ଡ କରିଥିଲା ।
ମାତ୍ର ଏଥରକ ତାଙ୍କୁ ଅଧିକ ଟଙ୍କାରେ କିଣିନାହାନ୍ତି । ତେବେ ଆମେ ଯଦି ଷ୍ଟାର୍କଙ୍କ ଆଇପିଏଲ କ୍ୟାରିୟର କଥା କହିବା ତାହେଲେ ସେ ମାତ୍ର ୪ଟି ସିଜିନ ଖେଳିଛନ୍ତି । ପ୍ରଥମେ ସେ ୨୦୧୪ରେ ଆରସିବି ପାଇଁ ଖେଳିଥିଲେ । ୨ଟି ସିଜନରେ ସେ ଆରସିବି ପାଇଁ ଖେଳିଥିଲେ । ସେତେବେଳେ ଦଳ ତାଙ୍କୁ ୪ କୋଟି ଟଙ୍କାରେ କିଣିଥିଲା । ମାତ୍ର ପରେ ସେ ୨୦୧୮ରେ କୋଲକାତା ନାଇଟ ରାଇଡର୍ସରେ ସାମିଲ ହୋଇଥିଲେ । କୋଲକାତା ତାଙ୍କୁ ୯.୪ କୋଟି ଟଙ୍କାରେ କିଣିଥିଲା । ପରେ ଯାଇ ପୁଣିଥରେ ୨୦୨୪ ଅକ୍ସନରେ ଭାଗ ନେଇଥିବାବେଳେ କୋଲକାତା ୨୪.୭୫ କୋଟି ଟଙ୍କାରେ କିଣିଥିଲା । ତେବେ ୪ଟି ସିଜିନରେ ସେ ୫୦ କୋଟିର ଅଧିକ ରୋଜଗାର କରିଛନ୍ତି ।

