spot_img
Home Blog Page 1394

ବିନୋଦ କାମ୍ବଲିଙ୍କୁ ସାହାଯ୍ୟ କରିବେ କପିଲ ଦେବ ଏବଂ ସୁନିଲ ଗାଭାସ୍କର

ନନ୍ଦିଘୋଷ ବ୍ୟୁରୋ: ଘୋର ସ୍ଵାସ୍ଥ୍ୟ ସମସ୍ଯାରେ ପୀଡ଼ିତ ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି। ବିନୋଦ କାମ୍ବଲି ଏବେ ଠିକ ଭାବେ ଚାଲି ପାରୁନାହାନ୍ତି । ତାଙ୍କର ଶାରିରୀକ ଓ ମାନସିକ ସ୍ଥିତି ଠିକ ନଥିବା ଜଣାପଡିଛି। ୧୪ ଥର ରିହାବ ସେଣ୍ଟରକୁ ଯାଇ ମଧ୍ୟ ସେ ସୁସ୍ଥ ହୋଇପାରିନାହାନ୍ତି । କାମ୍ବଲିଙ୍କ ଆର୍ଥିକ ସ୍ଥିତି ମଧ୍ୟ ଠିକ ନାହିଁ। ଏଭଳି ସ୍ଥିତିରେ କାମ୍ବଲିଙ୍କ ସହାୟତା ଲାଗି ଆଗକୁ ଆସିଛନ୍ତି ମହାନ କ୍ରିକେଟର କପିଲ ଦେବ ଓ ସୁନୀଲ ଗାଭାସ୍କର। କାମ୍ବଲିଙ୍କୁ ସହାୟତା କରିବାକୁ ୧୯୮୩ ବିଶ୍ଵକପ ବିଜେତା ଟିମ ମଧ୍ୟ ଆଗକୁ ଆସିଛି । ଯଦି ସେ ସୁସ୍ଥ ହେବାକୁ ରିହାବ ସେଣ୍ଟର ଯିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସମସ୍ତ ପ୍ରକାର ଆର୍ଥିକ ସହାୟତା କରିବାକୁ ରାଜି ବୋଲି କହିଛନ୍ତି କପିଲ ଦେବ। ଯେତେଦିନ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିବ ସମସ୍ତ ଖର୍ଚ୍ଚ କପିଲ ଦେବ ବହନ କରିବାକୁ ରାଜି ଅଛନ୍ତି ବୋଲି ସେ କହିଛନ୍ତି। ସେପଟେ ମହାନ କ୍ରିକେଟ ସୁନୀଲ ଗାଭାସ୍କର କହିଛନ୍ତି, ବିନୋଦ କାମ୍ବଲିଙ୍କୁ ତାଙ୍କ ଗୋଡ଼ରେ ଛିଡ଼ା କରାଇବି। କାମ୍ବଲି ମୋର ପୁଅ ଭଳିଆ ବୋଲି କହିବା ସହ ଆମେ ଏଭଳି ଖେଳାଳିଙ୍କ ପାଇଁ ଚିନ୍ତାରେ ରହିଛୁ ବୋଲି କହିଛନ୍ତି ଗାଭାସ୍କର। ଭାରତୀୟ କ୍ରିକେଟ ଲାଗି ଅବଦାନ ଥିବା ଖେଳାଳିଙ୍କ ସହାୟତା କରିବାକୁ ୧୯୮୩ ବିଶ୍ଵକପ ଟିମ ଚାହୁଁଛି ବୋଲି କହିଥିଲେ ସୁନୀଲ ଗାଭାସ୍କର। କିଛିଦିନ ତଳେ ମୁମ୍ବାଇର ଶିବାଜୀ ପାର୍କରେ ଦିବଙ୍ଗତ କୋଚ ରମାକାନ୍ତ ଆଚରେକରଙ୍କ ସମ୍ମାନରେ ଆୟୋଜିତ କାର୍ଯ୍ୟକ୍ରମରେ କାମ୍ବଲିଙ୍କୁ ଦେଖିବାକୁ ମିଳିଥିଲା। ଯେଉଁଠଆରେ ତାଙ୍କର ବାଲ୍ୟବନ୍ଧୁ ସଚିନ ତେନ୍ଦୁଲକରଙ୍କ ସହ ସାକ୍ଷାତ କରିଥିଲେ। କାମ୍ବଲି ଏହି ସଭାରେ ଠିକରେ ଚାଲି ପାରୁନଥିଲେ। ସଚିନ ତାଙ୍କୁ ହାତ ଧରି ଡାକିଥିଲେ ମଧ୍ୟ ସେ ଯିବାକୁ ମନା କରି ଦେଇଥିଲେ। ମଦ୍ୟପାନରୁ ନିଶାଗ୍ରସ୍ତ ହୋଇ ବିନୋଦ କାମ୍ବଲିଙ୍କ ଏ ଅବସ୍ଥା ହୋଇଛି । ବଦଭ୍ଯାସ ଯୋଗୁଁ କାମ୍ବଲି ଏଭଳି ଶାରିରୀକ ସମସ୍ଯାର ସାମନା କରୁଛନ୍ତି।

ଏହି ମେଡିସିନ ପାଇଁ କୋଟିପତି ବନିଛନ୍ତି ଅସଦଙ୍କ ପରିବାର!

ନନ୍ଦିଘୋଷ ବ୍ୟୁରୋ: ସିରିଆରେ ଶେଷ ହୋଇଛି ଅସଦଙ୍କ ଶସନ । ରାଷ୍ଟ୍ରପତି ବସର ଅଲ୍ ଅସଦ ଏବେ ଦେଶ ଛାଡ଼ି ପଳାୟନ କରିଥିବା ସେନା ପକ୍ଷରୁ କୁହାଯାଇଛି। ସେ ଏକ ବିମାନରେ ଚାଲି ଯାଇଥିବାବେଳେ କେଉଁ ଦେଶକୁ ଯାଇଛନ୍ତି ତାହା ସ୍ପଷ୍ଠ ହୋଇନାହିଁ । ସିରିଆରେ ଏବେ ଲାଗି ରହିଛି ଗୃହ ଯୁଦ୍ଧ । ତେବେ ସିରିଆରେ ଲାଗି ରହିଥିବା ଏହି ଗୃହଯୁଦ୍ଧ ଦୀର୍ଘ ଦିନର ଲାଗି ରହିଥିଲା । ମାତ୍ର ଏବେ ଅସଦ ସରକାରଙ୍କ ପତନ ପରେ ଏହା ତିବ୍ର ହେବାରେ ଲାଗିଛି ।  ଯେବେ ବି ସିରିଆରେ ଗୃହଯୁଦ୍ଧ ହୋଇଥାଏ ସେବେ ରାଜନୀତି ସାଙ୍ଗକୁ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଏହାରି ଭିତରେ ଏକ ଔଷଧ ଘଟଣାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ସହ ଅସଦଙ୍କ ପରିବାର ଜଡ଼ିତ । କେବଳ ଅସଦ ନୁହଁନ୍ତି ଏହି ଔଷଧ ସିରିଆର ଅର୍ଥନୀତିକୁ ବେଶ ସୁଦୃଢ଼ କରିପାରିଥିବା କୁହାଯାଉଛି । ତେବ ଏହି ଔଷଧର ନାମ ହେଉଛି ଫେଣ୍ଟଗାନ୍ ।

ତେବେ ଏହି ମେଡିସିନ ଏକ ସାଧାରଣ ଔଷଧ ନୁହେଁ । ଏହା ଡିପ୍ରେସନ ରୋଗ ପାଇଁ ଚିକିତ୍ସାରେ ସହାୟକ ହୋଇଥାଏ । ଯାହାର ଚାହିଦା ସାରା ବିଶ୍ବରେ ରହିଛି । ସିରିଆ ଏହି ଔଷଧ ବିଦେଶୀ ରପ୍ତାନୀ କରିଥାଏ । ଏହି ମେଡିସିନ୍ ସିରିଆର ଆୟର ମଧ୍ୟ ମୁଖ୍ୟ ଉତ୍ସ ବୋଲି କୁହାଯାଇପାରେ । ଏଥିରେ ଅସଦଙ୍କ ପାଇଁ ମୁଖ୍ୟ ହାତ ରହିଥିବା ସିରିଆରେ ଚର୍ଚ୍ଚା ହେଉଛି । ମାତ୍ର ଏହାକୁ ଅନେକ ଥର ସିରିଆ ସିଧାସଳଖ ମନା କରି ଦେଇଛି । କିନ୍ତୁ ବିବିସିର ରିପୋର୍ଟ ମୁତାବକ ୨୦୨୧ ମସିହାରେ ଏହି ଔଷଧରୁ ସିରିଆ ୮,୮୧,୧୯୯ କୋଟି ଟଙ୍କା ରୋଜଗାର କରିଛି । ତେବେ ଡ୍ରିପ୍ରେସନ ପାଇଁ ଏହି ଔଷଧ ଲାଗିଥାଏ । ଏଥିଲାଗି ଏହାର ଚାହିଦା ଅଧିକ ରହିଛି । ତେବେ ଏହା ଏକ ନିଶା ଔଷଧ ଭାବେ ମଧ୍ୟ ବ୍ୟବହାର ହୋଇଥାଏ । ଯେଉଁଥି ପାଇଁ ଯୁବପିଢ଼ୀମାନେ ଅଧିକ ନେଇଥାନ୍ତି । ଏହାକୁ ବାହାର ଦେଶକୁ ମଧ୍ୟ ଅଧିକ ପରିମାଣର ରପ୍ତାନୀ କରାଯାଉଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ପୁଣି ବିଗିଡିଲା ଭାରତ- ବାଂଲାଦେଶ ସମ୍ପର୍କ

ନନ୍ଦିଘୋଷ ବ୍ୟୁରୋ: ପୁଣି ବିଗିଡିଲା ଭାରତ- ବାଂଲାଦେଶ ସମ୍ପର୍କ। ଦୁଇ ଦେଶ ମଧ୍ଯରେ ହୋଇଥିବା ବ୍ଯାଣ୍ଡୱିଡଥ ଟ୍ରାଞ୍ଜିଟ ଚୁକ୍ତିକୁ ରଦ୍ଦ କରିଛି ବାଂଲାଦେଶ। ଫଳରେ ଦେଶର ଉତ୍ତରପୂର୍ବାଞ୍ଚଳ ରାଜ୍ଯରେ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗାଣ ଯେଉଁ ଆଶା ରହିଥିଲା ତାହା ଧୂଳିସାତ୍ ହୋଇଛି। ଭାରତ ସହ ହୋଇଥିବା ଏହି ରାଜିନାମାକୁ ରଦ୍ଦ କରିଛି ବାଂଲାଦେଶର ଟେଲିକମ୍ଯୁନିକେସନ ରେଗୁଲେଟୋରୀ କମିଶନ ବା ବିଟିଆରସି। ଉତ୍ତର ପୂର୍ବାଞ୍ଚଳ ରାଜ୍ଯରେ ଟେଲିକମ ସେବା ଲାଗି ବାଂଲାଦେଶର ସମିଟ କମ୍ୟୁନିକେସନ୍ସ ଓ ଫାଇବର ଆଟ ହୋମ ସଂସ୍ଥା ସହ ଭାରତର ପ୍ରମୁଖ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ବାଂଲାଦେଶର ଏହି ପଦକ୍ଷେପ ଯୋଗୁ ଉତ୍ତର ପୂର୍ବାଞ୍ଚଳରେ ଡିଜିଟାଲ କନେକ୍ଟିଭିଟି ବୃଦ୍ଧି ନେଇ ଭାରତ ଯେଉଁ ଆଶା କରିଥିଲା ତାହା ସ୍ବପ୍ନରେ ହିଁ ରହିଯାଇଛି। ଭାରତର ଭୌଗଳିକ ସମସ୍ଯା ମଧ୍ଯରେ ଉବୁଟୁବୁ ଉତ୍ତର ପୂର୍ବାଞ୍ଚଳ ରାଜ୍ଯରେ ବର୍ତ୍ତମାନ ସୁଦ୍ଧା ଉଚ୍ଚମାନର ଟେଲିକମ ସେବା ଉପଲବ୍ଧ ହୋଇପାରିନାହିଁ। ଏହାକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ଯରେ ହୋଇଥିଲା ବ୍ଯାଣ୍ଡୱିଡଥ୍ ଟ୍ରାଞ୍ଜିଟ ରାଜିନାମା। ସେପଟେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣର ପ୍ରତିବାଦରେ କୋଲକାତାରେ ତୃଣମୂଳ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଛି ବଡ ଧରଣର ରାଲି। ସେଠାରେ ହିନ୍ଦୁଙ୍କ ସୁରକ୍ଷା ଦାବି କରିଛନ୍ତି ନେତା।

ସାରା ଦୁନିଆ ବାଲାଟ ପେପରରେ ଭୋଟ୍ ଦେଉଛି, ଆମେ କାହିଁକି ଇଭିଏମରେ ଭୋଟ୍ ଦେଉଛେ : ଶରଦ ପାଓ୍ବାର

ନନ୍ଦିଘୋଷ ବ୍ୟୁରୋ: ଇଭିଏମରେ ବ୍ୟାପକ ତୃଟି । ଇଭିଏମର ଅପବ୍ୟହାର କରି ନିର୍ବାଚନୀ ବୈତରଣୀ ପାର ହେଉଛି ବିଜେପି । ଏଭଳି ଅଭିଯୋଗ ବିରୋଧୀମାନେ ବାରମ୍ବାର ଆଣୁଛନ୍ତି । ତେବେ କିଛିଦିନର ବ୍ୟବଧାନ ପରେ ପୁଣିଥରେ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏନସିପିର ପ୍ରତିଷ୍ଠାତା ତଥା ମହାରାଷ୍ଟ୍ରର ଜଣାଶୁଣା ରାଜନେତା ଶରଦ ପାଓ୍ବାର । ସେ କହିଛନ୍ତି କି, ସାରା ଦୁନିଆ ଯେତେବେଳେ ବାଲାଟ ପେପରରେ ଭୋଟ ଦେଉଛି ଆମେ କାହିଁକି ଇଭିଏମରେ ଭୋଟ ଦେଉଛେ । ବଡ଼ ବଡ଼ ଦେଶର ଉଦାହରଣ ମଧ୍ୟ ଦେଇଛନ୍ତି ଶରଦ । ତେବେ ମହାରାଷ୍ଟ୍ରର ନିର୍ବାଚନରେ ପରାଜୟ ପରେ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶରଦ ପାଓ୍ବାର । ସେ ସୋଲାପୁରର ମର୍କରବାଡ଼ିରେ ପହଞ୍ଚିଛନ୍ତି ।

ତେବେ ଇଏ ହେଉଛି ସେହି ଗାଁ, ଯେଉଁଠାରେ ଲୋକେ ଇଭିଏମରେ ଭୋଟି ନଦେଇ ବାଲାଟ ପେପରେ ଭୋଟ ଦେବାକୁ ଦାବି କରିଥିଲେ । ମାତ୍ର ଏଠାରେ ପୋଲିସ ଅଟକାଇବା ପରେ ଭୋଟ ଗ୍ରହଣ ହୋଇନାହିଁ । ଯାହାକୁ ନେଇ ଶରଦ ପାଓ୍ବାର ଏଭଳି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି, ଏ ଗାଁ ସମ୍ପର୍କରେ ଦୁଇଦିନ ହେବ ସଂସଦରେ ମଧ୍ୟ ଆଲୋଚନା ହେଉଛି । ଏଠାକାର ଲୋକେ ବେଶ ଭଲଭାବେ ସବୁ ଜାଣନ୍ତି । ତେବେ ଶରଦ ପାଓ୍ବାର ଦାବି କରିଛନ୍ତି କି, ବାଲାଟ ପେପରରେ ଭୋଟ ଗ୍ରହଣ ହୋଇଥିଲେ ତାଙ୍କ ଦଳକୁ ବହୁମତ ମିଳିଥାନ୍ତା ।

ସେପଟେ ଶରଦ ପାଓ୍ବାରଙ୍କ ଯୁକ୍ତିକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି କି, ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ଶରଦ । ଲୋକସଭା ନିର୍ବାଚନ ସମୟରେ ଯେତେବେଳେ ଆମ ଦଳ କମ ଭୋଟ ପାଇଥିଲା ଆମେ ଏହାକୁ ନେଇ ପ୍ରଶ୍ନ ଉଠାଇନଥିଲୁ । କିନ୍ତୁ ପରାଜୟକୁ ବରଣ କରିନପାରି ଏଭଳି କହୁଛନ୍ତି ବରିଷ୍ଠ ନେତା । ମହାରାଷ୍ଟ୍ର ବିଜେପି ସଭାପତି ମଧ୍ୟ ସମାନ କଥା କହିଛନ୍ତି । ସେପଟେ କିନ୍ତୁ ଶରଦ ପାଓ୍ବାର ଆମେରିକା ଏବଂ ବ୍ରିଟେନ ଭଳି ଦେଶର ଉଦାହରଣ ଦେଇଛନ୍ତି । ଆଉ କହିଛନ୍ତି କି, ଏଭଳି ବିକଶିତ ଦେଶମାନଙ୍କରେ ଆଜି ମଧ୍ୟ ବାଲାଟ ପେପରେ ନିର୍ବାଚନ ହେଉଛି । ଆମର କାହିଁକି ଇଭିଏମରେ ଭୋଟ୍ ଗ୍ରହଣ ହେଉଛି ।

 

 

କଟକରେ ସିଏମସିର ଡ୍ରେନ କାମବେଳେ ଅଘଟଣ : ଜଣେ ମୃତ, ୨ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: କଟକରେ ଡ୍ରେନ କାମ ବେଳେ ଅଘଟଣ। ଡ୍ରେନ ନିକଟ କାନ୍ଥ ଭୁଶୁଡ଼ି ଜଣେ ଶ୍ରମିକ ମୃତ। ଅନ୍ୟ ୨ ଶ୍ରମିକ ଗୁରୁତର ହୋଇ ପଡ଼ିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ବିଡାନାସୀରେ ଡ୍ରେନ କାମ ଚାଲିଥିବାବେଳେ ଘଟିଛି ଏ ଅଘଟଣ। ସିଏମସି ପକ୍ଷରୁ କରାଯାଉଥିଲା ଏହି ଡ୍ରେନ କାମ। ତେବେ କେଉଁ ପରିସ୍ଥିତିରେ ଏ ଅଘଟଣ ଘଟିଛି କାରଣ ଅସ୍ପଷ୍ଟ ରହିଛି ।

 

’ପୁଷ୍ପା-୨’ ର ହିନ୍ଦି ଭଏସ ଡବିଂକୁ ନେଇ ଏମିତି କହିଲେ ଅଲ୍ଲୁଙ୍କ ଭଏସ ଦେଇଥିବା ଶ୍ରେୟସ

ନନ୍ଦିଘୋଷ ବ୍ୟୁରୋ: ’ପୁଷ୍ପା-୨’ । ଏବେ ବକ୍ସ ଅଫିସରେ ବେଶ ଭଲ ରୋଜଗାର କରୁଛି । ଦର୍ଶକଙ୍କ ମହଲରେ ବେଶ ଆଦୃତ ମଧ୍ୟ ହୋଇଛି । ଏବେ ସବୁ ହଲରେ ହାଉସଫୁଲ ରହିଛି । ପୁଷ୍ପା ଭଳି ପୁଷ୍ପା-୨ ମଧ୍ୟ ଗୋଟିଏ ପରେ ଗୋଟିଏ ଭାଙ୍ଗିବାରେ ଲାଗିଛି । ତେବେ ଫିଲ୍ମରେ ପୁଷ୍ପରାଜଙ୍କ ହିନ୍ଦି ଡାଏଲଗ ଶୁଣିଥିବେ ନିଶ୍ଚୟ । ଅଲ୍ଲୁଙ୍କ ଅଭିନୟ ସାଙ୍କକୁ ଡାଏଲଗ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ବାନ୍ଧି ରଖି ପାରୁଛି । ତେବେ ଅଲ୍ଲୁଙ୍କ ହିନ୍ଦି ଭଏଲ ଡବିଂ କରିଛନ୍ତି ଜଣାଶୁଣା ବଲିଉଡ ଅଭିନେତା ଶ୍ରେୟସ ତଲପଣ୍ଡେ । ଏବେ ଫିଲ୍ମକୁ ଅପୂର୍ବ ସଫଳତା ମିଳିଥିବାବେଳେ ଏକ ଜାତୀୟ ଗଣମାଧ୍ୟକୁ ନିଜର ଇଣ୍ଟରଭିୟୁ ସମୟରେ ଅନେକ ସ୍କୃତି ସେ ବଖାଣିଛନ୍ତି । ତାଙ୍କୁ କିପରି ଭାବେ କାମ ମିଳିଲା ଏବଂ କିଭଳି ଭାବେ ନର୍ଭସ ଥିଲେ ।

ଫିଲ୍ମର ସଫଳତାକୁ ନେଇ ଯେତେବେଳେ ଶ୍ରୟସଙ୍କୁ ଶ୍ରେୟ ଦିଆଯାଇଥିଲା ସେ କହିଥିଲେ କି, ଏହା କେବଳ ନିର୍ଦ୍ଦେଶକ ଏବଂ ଅଲ୍ଲୁ ଅର୍ଜୁନ ଏବଂ ଟିମ ପାଇଁ ସମ୍ଭବ ହୋଇ ପାରିଛି । ଫିଲ୍ମର ଜ୍ବଳନ୍ତ ଅଭିନୟ ମୋତେ ସୁନ୍ଦର ଭାବେ ଭଏସ ଡବିଂ କରିବାକୁ ପ୍ରେରଣା ଦେଇଥିଲା ବୋଲି କହିଛନ୍ତି ଶ୍ରେୟସ । ଏହାସହ ତାଙ୍କୁ ଯେତେବେଳେ ପଚରା ଯାଇଥିଲା କି, ଯଦି ଏହି ଫିଲ୍ମର ରିମେକ ହୁଏ ତେବେ ତୁମେ ପୁଷ୍ପା ଭୂମିକାରେ ଅଭିନୟ କରିବ କି ? ଏହାର ଉତ୍ତରରେ ସେ କହିଛନ୍ତି କି, ମୁଁ ଏଯାବତ ଏଭଳି ଚରିତ୍ର ପାଇନାହିଁ । ଯଦି ମିଳେ ତାହେଲେ ଖୁସିରେ କରିବି ।

ଶ୍ରେୟସ କହିଛନ୍ତି କି, ମୋତେ କୁହାଯାଇଥିଲା କି, ଫିଲ୍ମର କ୍ଲାଇମାକ୍ସରେ ଏକ ଦୁଃଖ ସିନ୍ ରହିଛି । ଯାହାକି ଏକ ଛୋଟ ସିନ୍ । ମାତ୍ର ମୁଁ ଯେତେବେଳେ ଏହି ସିନକୁ ଦେଖି ଥିଲି ଭାବପ୍ରବଣ ହୋଇ ଯାଇଥିଲି । ଆଉ ଏକ ଶତପ୍ରତିଶତ ଦେବାକୁ ଚେଷ୍ଟା କରିଥିଲି । ଜଣେ କଳାକାର ଅଭିନୟ କରିଥିବାବେଳେ ତାଙ୍କ ପାଇଁ ଭଏସ ଡବିଂ କରିବା ବହୁତ କଷ୍ଟ । ତେବେ ହଲିଉଡ ଫିଲ୍ମର ହିନ୍ଦି ଭଏସ ଡବିଂ ମଧ୍ୟ କରିଛନ୍ତି ସେ । ଏହାସହ ବଲିଉଡ ବହୁ ହିଟ୍ ଫିଲ୍ମରେ ନଜର ଆସିଛନ୍ତି । କଙ୍ଗନାଙ୍କ ’ଏମରଜେନ୍ସି’ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ସେ ଅଭିନୟ କରିଛନ୍ତି । ଆଗକୁ ’ହାଉସଫୁଲ୍-୫’, ଓ୍ବେଲକମ ଟୁ ଦ ଜଙ୍ଗଲ ଏବଂ ବାଗି-୪ ଭଳି ସିନେମାରେ ନଜର ଆସିଛନ୍ତି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଯେତେବେଳେ ପୁଷ୍ପାର ଭଏସ ଡବିଂ ପାଇଁ ତାଙ୍କୁ କଲ ଯାଇଥିଲା ସେ ବେଶ ଖୁସି ହେବା ସହ ନର୍ଭସ ହୋଇଥିଲେ । ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁଫ୍ୟାନ୍ସ ରହିଥିବାବେଳେ ବଡ଼ ପ୍ରୋଜେକ୍ଟରେ ତାଙ୍କ ଭଏସ ଦେବାକୁ ନର୍ଭସ ହୋଇଥିଲେ । ଏମିତି ତାଙ୍କ ସହ ଭେଟ ହେବାକୁ ମଧ୍ୟ ଚାହିଁଥିଲେ । ମାତ୍ର ସେ ସୁଯୋଗ ତାଙ୍କ ମିଳିନଥିଲା ।

 

ପିଙ୍କ୍ ବଲ ଟେଷ୍ଟରେ କାହିଁକି ଜିତୁଛି ଅଷ୍ଟ୍ରେଲିଆ ? ଜାଣନ୍ତୁ ବିଜୟ ପଛର ପ୍ରମୁଖ କାରଣ

ନନ୍ଦିଘୋଷ ବ୍ୟୁରୋ: ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟରେ ଟିମ ଇଣ୍ଡିଆରେ ଲଜ୍ଜାଜନକ ପରାଜୟ ଘଟିଛି । ପ୍ରଥମ ଟେଷ୍ଟର ବଦଲା ନେଇଛି ଘରୋଇ ଦଳ । ତେବେ ପିଙ୍କ ବଲରେ ସବୁବେଳେ ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରିଥାଏ । ପିଙ୍କ୍ ବଲରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ବେଶ ଭଲ ରହିଥାଏ । ବିଜୟ ହାର ମଧ୍ୟ ଅଧିକ ରହିଛି । ତେବେ ପିଙ୍କ୍ ବଲରେ ଅଷ୍ଟ୍ରେଲିଆ ବିଜୟ ପଛର ଅନେକ କାରଣ ରହିଛି । ପିଙ୍କ ବଲରେ ଖେଳାଯାଉଥିବା ଦିବାରାତ୍ର ଷଯଷ୍ଟରେ କେବଳ ଓ୍ବେଷ୍ଟଇଣ୍ଡିଜ୍ ଗୋଟିଏ ଥର କଙ୍ଗାରୁ ଦଳକୁ ପରାସ୍ତ କରିଛି । ମାତ୍ର ଏଯାବତ ବିଜୟ ଧାରା ଜାରି ରଖିଛି ଅଷ୍ଟ୍ରେଲିଆ ।

ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆର ପରାଜୟ ପରେ କିନ୍ତୁ ଦଳ ଦଳର ପୂର୍ବତନ କ୍ରିକେଟର ରିଙ୍କି ପଏଣ୍ଟିଂ ଏବଂ କ୍ଲାକ ପୂର୍ବାନୁମାନ କରିଥିଲେ କି, ଘରୋଇ ଦଳ ପ୍ରତ୍ୟାବର୍ତ୍ତନ କରିବ । ବ୍ୟାଟ୍ସମ୍ୟାନଙ୍କ ସହ ବୋଲର ଷ୍ଟାର୍କ ଘାତକ ବୋଲିଂ କରିବେ । ଦଳର ଅଧିନାୟକ ପାଟ କମିନ୍ସ ମଧ୍ୟ ବେଶ ଆଶାବାଦୀ ରହିଥିବା କୁହାଯାଉଛି । ଶେଷରେ ଏହାମଧ୍ୟ ହୋଇଛି । ଘରୋଇ ମାଟିରେ ଅଷ୍ଟ୍ରେଲିଆ ଖେଳିବାର ଫାଇଦା ଉଠାଇଥାଏ । ଘରୋଇ ମ୍ୟାଚ ଗୁଡ଼ିକ ଏଠାରେ ପିଙ୍କ୍ ବଲରେ ଖେଳାଯାଇଥାଏ । ଏବଂ ଯେବେ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହୋଇଥାଏ ଏହା ଅଷ୍ଟ୍ରେଲିୟ ଖେଳାଳୁଙ୍କ ବେଶ ସୁହାଇଥାଏ । ସେମିତିରେ ଅନ୍ୟ ଦଳ ମାନଙ୍କ ଅପେକ୍ଷା ପିଙ୍କ ବଲରେ ଖେଳିବାର ଅଭିଜ୍ଞତା ଅଧିକ ଅଷ୍ଟ୍ରେଲିଆ ପାଖରେ ରହିଛି ।

ବିଦେଶୀ ଖେଳାଳିମାନେ ଅଷ୍ଟ୍ରେଲିଆ ମାଟିରେ ଖେଳିବା ପାଇଁ ସର୍ବଦା କେ୍‌ଟସାଧ୍ୟ ମନେ କରିଥାନ୍ତି । ଯାହାର ଫାଇଦା ଘରୋଇ ଦଳ ଉଠାଇଥାଏ । ସେପଟେ ଭାରତ ଦୀର୍ଘ ଦେଢ଼ ବର୍ଷ ପରେ ପିଙ୍କ ବଲରେ ଖେଳିଛି । ଏଣୁ ଖେଳାଳିମାନେ ଭଲ ପ୍ରଦର୍ଶନ କରିନଥିବା ମଧ୍ୟ କୁହାଯାଉଛି ।

 

 

ଭାରସ୍ୟମ ହରାଇ ଓଲଟିଲା ସ୍କୁଲ ବସ୍, ୩ ଛାତ୍ର ମୃତ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ପାଲି ଅଞ୍ଚଳରେ ସଡକ ଦୁର୍ଘଟଣା । ଏକ ସ୍କୁଲ ବସ୍ ଓଲଟି ତିନିଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଭାରସ୍ୟମ ହରାଇ ସ୍କୁଲ ବସଟି ଓଲଟି ପଡିଥିଲା। ସ୍କୁଲ ବସରେ ଛାତ୍ରଛାତ୍ରୀମାନେ ପିକନିକ୍ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ବସଟି ଓଲଟି ପଡିବାରୁ ଛାତ୍ରଛାତ୍ରୀମାନେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବସ ଭିତରୁ ବାହାର କରିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ। ଆହାତ ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଜନତା

ବଲାଙ୍ଗୀର: ବଲାଙ୍ଗୀର ତୁଷୁରା ଥାନାରେ ଅଭାବନୀୟ ଘଟଣା । ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଜନତା । ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଘଟଣାକୁ କେନ୍ଦ୍ରକରି ପୋଲିସ ଜନତା ଭିତରେ ଖଣ୍ଡଯୁଦ୍ଧ ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ପୁଣି ଗଣ୍ଡଗୋଳ ହୋଇଥିଲା । ଏହାକୁ କେନ୍ଦ୍ରକରି ଜନତା ଉତ୍ୟକ୍ତ ହୋଇ ପୋଲିସ ଗାଡିକୁ ଆକ୍ରମଣ କରିଛନ୍ତି । ପରିସ୍ଥିତି ଅଣାୟତ୍ତ ହେବାରୁ ଲୋକଙ୍କୁ ଗୋଡାଇ ପିଟିଛି ପୋଲିସ। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି ।

ସୂଚନା ଅନୁଯାୟୀ, ଗୋଦାମପଡା-ପତିତପାବନ ପଡା ମଧ୍ୟରେ ପୂର୍ବରୁ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ପତିତପାବନପଡାବାସୀ ତୁଷୁରା ଥାନାରେ ମାମଲା ଦାୟର କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ପତିତପାବନପଡାର ଲୋକମାନେ ତୁଷୁରାଥାନାକୁ ଯାଇ ପଚରାଉଚରା କରିଥିଲେ । ଏହି ସମୟରେ ପୋଲିସ ସହ ଯୁକ୍ତିତର୍କ ପରେ, ପୋଲିସ ପ୍ରଥମେ ଲୋକଙ୍କୁ ଆକ୍ରମଣ କରିଥିଲା। ପରେ ଲୋକମାନେ ମଧ୍ୟ ପୋଲିସକୁ ନିସ୍ତୁକ ଛେଚିଥିଲେ । ଉଭୟ ପକ୍ଷରୁ ଥାନା ସମ୍ମୁଖରେ ଗଣ୍ଡଗୋଳ ଉଗ୍ରରୁପ ଧାରଣ କରିଥିଲା । ପୋଲିସ ଲୋକଙ୍କୁ ଓ ଲୋକେ ପୋଲିସଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । କିଛି ସମୟ ପାଇଁ ଥାନା ସମ୍ମୁଖ ପାଲଟିଯାଇଥିଲା ରଣକ୍ଷେତ୍ର । ଖବର ପାଇ ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ଲାଲ ହିଂସା, ସ୍ବାମୀ ସାମ୍ନାରେ ସ୍ତ୍ରୀଙ୍କୁ ନିର୍ମମ ହତ୍ୟା

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ସୂଚନା ଅନୁଯାୟୀ, ତେଲେଙ୍ଗାନା ପୋଲିସ ଇନଫର୍ମର ସନ୍ଦେହରେ ଗତ କାଲି ମଦେଡ ଥାନା ଅନ୍ତର୍ଗତ ଲୋଦେଡ ଗ୍ରାମର ଦମ୍ପତି ରାମାୟା ୟାଲମ ଓ ସୁକରା ୟାଲମଙ୍କୁ ମାଓବାଦୀ ମାନେ ଘରୁ ଅପହରଣ କରି ତିନି କିଲୋମିଟର ଦୂର ଜଙ୍ଗଲକୁ ନେଇଥିଲେ। ହେଲେ ଆଜି ସକାଳେ ସ୍ୱାମୀ ରାମାୟା ୟାଲମଙ୍କୁ ନକ୍ସଲ ମାନେ ବାଡିରେ ନିସ୍ତୁକ ଭାବେ ପିଟିଥିବା ବେଳେ ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀ ସୁକରା ୟାଲମଙ୍କୁ ନକ୍ସଲ ମାନେ ଗଳା କାଟି ହତ୍ୟା କରିଛନ୍ତି ।

ମାଓବାଦୀଙ୍କ ହତ୍ୟା କାଣ୍ଡ ସଂପର୍କରେ ସୂଚନା ପାଇ ବିଜାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ କୁମିଂ ଅପରେସନ ଆରମ୍ଭ କରିଛି । ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।