spot_img
Home Blog Page 1391

୧୦ ଦିନ ଭିତରେ ଆସିପାରେ ପିସିସି ସଭାପତିଙ୍କ ନାଁ !

ଭୁବନେଶ୍ବର: ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପରେ ଜୋର ଧରିଲା ରାଜ୍ୟ କଂଗ୍ରେସର ମଙ୍ଗୁଆଳ ଚିନ୍ତା । ୧୦ ଦିନ ଭିତରେ ପିସିସି ସଭାପତିଙ୍କ ନାଁ ହାଇକମାଣ୍ଡ ଘୋଷଣା କରିବେ ବୋଲି କଂଗ୍ରେସର ବରିଷ୍ଠ ନେତା ଓ ବିଧାୟକମାନେ ଆକଳନ କରିଛନ୍ତି । ସାଂଗଠନିକ ଦକ୍ଷତା ଓ ସମସ୍ତଙ୍କୁ ନେଇ ଚଳିପାରୁଥିବା ନେତା ହିଁ ପିସିସି ସଭାପତି ମୁକୁଟ ପିନ୍ଧିବେ । ଏଆଇସିସିର ୨ ଜଣ ପର୍ଯ୍ୟବେକ୍ଷକ ଓ ଓଡ଼ିଶା ନେତାଙ୍କ ମତାମତ ଅନୁସାରେ ହାଇକମାଣ୍ଡ ନୂଆ ସଭାପତିଙ୍କ ନାଁ ଘୋଷଣା କରିବେ ବୋଲି ଆଶା କରିଛି କଂଗ୍ରେସ ।

ନଭେମ୍ବର ୪ ତାରିଖରେ ଏଆଇସିସିର ଦୁଇ ଜଣ ପର୍ଯ୍ୟବେକ୍ଷକ ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ ଓଡ଼ିଶା ଆସି କିଏ ହେବ ପରବର୍ତ୍ତୀ ପିସିସି ସଭାପତି ସେ ନେଇ ପ୍ରକ୍ରିୟା ଆରମ୍ଭ କଲେ । କଂଗ୍ରେସର ୨୧ ଜଣ ଷ୍ଟିୟରିଂ କମିଟି ସଦସ୍ୟ, ବିଧାୟକ, ସାଂସଦ, ଓ ଜିଲ୍ଲାସଭାପତିମାନଙ୍କ ସହ ବୈଠକ କରି କାହାକୁ ପିସିସି ସଭାପତି କରାଯିବ ସେନେଇ ମତାମତ ନେଲେ । ୫ ମାସ ଧରି ମଙ୍ଗୁଆଳ ଶୂନ୍ୟ ଥିବା ଓଡ଼ିଶା କଂଗ୍ରେସକୁ କିଏ ସଞ୍ଜୀବନୀ ଦେଇ ପାରିବ ସେ ନେଇ କସରତ ଆରମ୍ଭ କଲେ । ପୂର୍ବ ସୂଚନା ଅନୁଯାୟୀ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ପରେ ନୂଆ ପିସିସି ସଭାପତି କିଏ ହେବ ସେ ନେଇ ଚର୍ଚ୍ଚା ଜୋରଦାର ହୋଇଛି ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ ୧୦ ଦିନ ଭିତରେ ହାଇକମାଣ୍ଡ ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ । ସଂଗଠନକୁ ଚଳଚଞ୍ଚଳ କରି ପାରୁଥିବା ଜଣେ ଦକ୍ଷ ନେତାଙ୍କୁ ଦଳ ପିସିସି ସଭାପତିର ଗୁରୁ ଦାୟିତ୍ବ ଦେବାକୁ ଚୂଡ଼ାନ୍ତ କରିଥିବା କାଡ଼ାମ କହିଛନ୍ତି । ଅନ୍ୟପଟେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ସବୁ କଥାକୁ ବିଚାର କରି ହାଇକମାଣ୍ଡ ପିସିସି ସଭାପତିଙ୍କ ନାଁ ଖୁବଶୀଘ୍ର ଘୋଷଣା କରିବେ । ଓଡ଼ିଶା ସଂଗଠନକୁ ମଜଭୁତ କରିବା ପାଇଁ ହାଇକମାଣ୍ଡ ଫୋକସ କରିଛନ୍ତି ବୋଲି ଜୟଦେବ କହିଛନ୍ତି ।

ପିସିସି ସଭାପତି ଚୟନ ଚୂଡ଼ାନ୍ତ ତାଲିକାରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ ଓ ଭକ୍ତ ଚରଣ ଦାସଙ୍କ ନାଁ ଚର୍ଚ୍ଚାରେ ରହିଛି । କଂଗ୍ରେସର ଯୁବ ବିଧାୟକ ସାଗର ଦାସଙ୍କ ଯୁକ୍ତି ହେଉଛି ପିସିସି ସଭାପତି ନଥିବାରୁ କଂଗ୍ରେସର ବହୁତ କ୍ଷତି ହେଉଛି । ତେଣୁ ହାଇକମାଣ୍ଡ ଖୁବଶୀଘ୍ର ପିସିସି ସଭାପତିଙ୍କ ନାଁ ଘୋଷଣା କରନ୍ତୁ ବୋଲି ସେ କହିଛନ୍ତି । ନୂଆ ନା ପୁରୁଣା ନେତା କାହାକୁ ହାଇକମାଣ୍ଡ ଭରସା କରିବେ । ତାହାକୁ ନେଇ କଂଗ୍ରେସରେ ଆରମ୍ଭ ହୋଇଛି ହିସାବକିତାବ ।

ବିଜେପି ସରକାରର ମନ୍ତ୍ରୀଙ୍କୁ ଅଡୁଆ ରିପୋର୍ଟ କାର୍ଡ, ସଫଳତା ଅପେକ୍ଷା ବିଫଳତା ଓ ବିବାଦ ବେଶି

ଭୁବନେଶ୍ବର: ୧୫୦ ଦିନର ମନ୍ତ୍ରୀଙ୍କ ପ୍ରଦର୍ଶନକୁ ନେଇ ସମୀକ୍ଷା କରିବ ବିଜେପି । ସଫଳତା ଓ ବିଫଳତାକୁ ମାପଦଣ୍ଡ କରି ମନ୍ତ୍ରୀଙ୍କ ଦକ୍ଷତା ମପାଯିବ । ଏହାକୁ ନେଇ ଅଧିକାଂଶ ମନ୍ତ୍ରୀ ଏବେ ଅଡୁଆରେ ପଡ଼ିଛନ୍ତି । ସେମାନଙ୍କ ଛାତିରେ ଛନକା ପଶିଛି । କାରଣ ସଫଳତା ଅପେକ୍ଷା ବିଫଳତା ଓ ବିବାଦ ଅଧିକ । ରିପୋର୍ଟ କାର୍ଡ଼ରେ ସଫଳତା ଅପେକ୍ଷା ବିଫଳତାର ଲମ୍ବା ତାଲିକା ଜଳ ଜଳ ହୋଇ ଦିଶୁଥିବା କଟାକ୍ଷ କରିଛନ୍ତି ବିଜେଡି ଓ କଂଗ୍ରେସ । ମନ୍ତ୍ରୀମାନେ ନିଜ ସଫଳତାକୁ ନେଇ ଯୁକ୍ତି ବାଢିଥିବା ବେଳେ ପାଞ୍ଚ ଛଅ ମାସରେ ରାଜ୍ୟରେ ଏମିତି କିଛି ଘଟଣା ଘଟିଛି, ଯାହାକୁ ନେଇ ଅନେକ ମନ୍ତ୍ରୀ ଓ ସେମାନଙ୍କ ବିଭାଗ ଚର୍ଚ୍ଚାରେ ରହି ଆସିଛନ୍ତି ।

୬ ମାସର ବିଜେପି ସରକାର କ’ଣ କରିଛି ? ନିର୍ବାଚନୀ ପ୍ରତିଶ୍ରୁତି କେତେ ପାଳନ ହୋଇଛି ? କେମିତି ରହିଛି ମନ୍ତ୍ରୀଙ୍କ ପ୍ରଦର୍ଶନ ? କୁହାଯାଉଛି, ମନ୍ତ୍ରୀମାନେ ନିଜ ନିଜ ରିପୋର୍ଟ କାର୍ଡ ପ୍ରସ୍ତୁତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ଦଳୀୟ ଅଫିସରେ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରନ୍ତି, ତା’ହେଲେ ସେମାନେ ନିଜ ନିଜର ରିପୋର୍ଟ ଦେଖାଇବେ । ଏହାକୁ ନେଇ ସେମାନଙ୍କ ଛାତିରେ ଛନକା ପଶିଛି ।

ଏହାକୁ ନେଇ ବିରୋଧୀ କହିଛନ୍ତି, ରିପୋର୍ଟ କାର୍ଡରେ ମନ୍ତ୍ରୀମାନେ ନିଜ ବିଫଳତା ବି ଉଲ୍ଲେଖ କରନ୍ତୁ । ବିଜେଡିର ଅଭିଯୋଗ କରିଛି, ୫ ମାସର ବିଜେପି ଶାସନରେ ବିକାଶ ସଂପୂର୍ଣ୍ଣ ଠପ୍ ହୋଇ ଯାଇଛି । ରାଜ୍ୟକୁ ଫେରିଛି ଅନାହାର ମୃତ୍ୟୁ । ଆମ୍ଵ ଟାକୁଆ ଖାଇ ଲୋକଙ୍କ ମୃତ୍ଯୁ ହୋଇଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ବେଳେ ନିର୍ବାଚନୀ ପ୍ରତିଶ୍ରୁତି ପ୍ରତାରଣା ପାଲଟିଛି ।

ସେହିପରି କଂଗ୍ରେସ କହିଛି, ମହାନଦୀ, ପୋଲାଭରମ, ଶିଶୁ ବିକ୍ରି, ଆଦିବାସୀଙ୍କୁ ଅବହେଳା ଓ ନାରୀ ନିର୍ଯାତନା ବିଜେପି ମନ୍ତ୍ରୀଙ୍କ ବିଫଳତାର ବଡ଼ ନିଦର୍ଶନ । ତେବେ ବିରୋଧୀଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି ।

କେଉଁ ମନ୍ତ୍ରୀଙ୍କ କେଉଁ ବିଭାଗରେ କ’ଣ ହୋଇଛି ?

ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଚାଉଳ ନ ମିଳିବାରୁ ଆମ୍ବ ଟାକୁଆ ଖାଇ ୩ ଜଣ ଆଦିବାସୀଙ୍କ ମୃତ୍ୟୁ, ଆଳୁ ସଙ୍କଟ, ନିୟନ୍ତ୍ରଣ ବାହାରେ ଦରଦାମ ନିୟନ୍ତ୍ରଣ । ଏସବୁ ହୋଇଛି ଯୋଗାଣ ବିଭାଗରେ । ଯାହାର ମନ୍ତ୍ରୀ ହେଉଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।

ପୃଥ୍ବୀରାଜ ହରିଚନ୍ଦନ ହେଉଛନ୍ତି ଆଇନ, ପୂର୍ତ୍ତ, ଅବକାରୀ ପରି ଗୁରୁତ୍ବ ପୂର୍ଣ୍ଣ ବିଭାଗର ମନ୍ତ୍ରୀ । ପୁରୀ ରଥଯାତ୍ରାରେ ବିଭ୍ରାଟ, ଚିକିଟିରେ ବିଷାକ୍ତ ମଦ ମୃତ୍ୟୁ, ରାଜ୍ୟପାଳ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିବା ଘଟଣାକୁ ସେ ଚର୍ଚ୍ଚାକୁ ଆସିଛନ୍ତି ।

ସେହିପରି  ଗନ୍ଧମାର୍ଦ୍ଦନ ପାଦ ଦେଶରେ ଆଦାନୀର ଜମି କିଣା, ଝାରସୁଗୁଡ଼ା ପାଉଁଶ, କୋଟିଆ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶ କଲେଜ ନିର୍ବାଚନ କରିବାରେ ଫେଲ୍ ମାରିଛନ୍ତି । ଓଡ଼ିଆ ଅସ୍ମିତା ସ୍ଲୋଗାନ, କେବଳ ସ୍ଲୋଗାନରେ ରହିଯାଇଛି । ଯାହାକି ଆସୁଛି ସଂସ୍କୃତି ବିଭାଗ ଅଧୀନରେ । ସୂରଜ ବି ହେଉଛନ୍ତି ସଂସ୍କୃତି ମନ୍ତ୍ରୀ ।

ହାତୀ ମୃତ୍ୟୁ ଓ ବାଘ ଶିକାର କରି ମାଂସ ଖାଇବା ଭଳି ଅପବାଦ ମୁଣ୍ଡେଇଛି ଜଙ୍ଗଲ ବିଭାଗ । ଏହି ବିଭାଗର ମନ୍ତ୍ରୀ ହେଉଛନ୍ତି ଗଣେଶ ରାମ ଖୁଣ୍ଟିଆ

ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇ ନପାରିବା ଓ ଶିଶୁ ବିକ୍ରିକୁ ନେଇ ଚର୍ଚ୍ଚାକୁ ଆସିଛି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିଭାଗ ମହିଳା ଓ ଶିଶୁ ବିକାଶ ।

ସେହିପରି ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର ସମସ୍ତଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଦେଇପାରି ନାହାନ୍ତି । ବିଭାଗୀୟ ମନ୍ତ୍ରୀ ହେଉଛନ୍ତି ଉପମୁଖ୍ଯମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଅନେକ ମନ୍ତ୍ରୀଙ୍କ ପ୍ରଦର୍ଶନ ଫିଫଟି-ଫିଫଟି ରହିଛି । ତଥାପି ସେମାନେ ଉତ୍ସାହିତ ।

୫ ମାସର ବିଜେପି ସରକାର ନବୀନ ସରକାରଙ୍କ ୨୧ଟି ଯୋଜନାର ନାଁ ପରିବର୍ତ୍ତନ କରିଛନ୍ତି । ବିକାଶମୂଳକ କାମ ଅପେକ୍ଷା ରଙ୍ଗ ବଦଳାଇବା ଓ ଯୋଜନାର ନାଁ ପରିବର୍ତ୍ତନ କରିବାକୁ ଦିଆଯାଇଛି ପ୍ରାଥମିକତା । ରିପୋର୍ଟ କାର୍ଡ଼ରେ ମନ୍ତ୍ରୀଙ୍କ ପ୍ରଦର୍ଶନରେ ଏସବୁ ମାପଦଣ୍ଡ ସେମାନଙ୍କ ପାଇଁ ସୃଷ୍ଟି କରିବ ଅଡୁଆ ।

ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ବନ୍ଧ୍ୟାକରଣ ପାଇଁ ଡରୁଛି ପୁରୁଷ

ଭୁବନେଶ୍ବର: ପୁରୁଷତ୍ବ ନଷ୍ଟ ହେବା ଭୟରେ ବନ୍ଧ୍ୟାକରଣ କରିବାକୁ ଡରୁଛନ୍ତି ପୁରୁଷ । ଉପାନ୍ତ ନୁହେଁ, ଶିକ୍ଷିତ ଜିଲ୍ଲାରେ କମିଛି ପୁରୁଷ ବନ୍ଧ୍ୟାକରଣ । ସ୍ବାମୀ ଓ ସ୍ତ୍ରୀ ସଚେତନ ହୋଇ ପରିବାର ନିୟୋଜନ ଦିଗରେ କାମ କରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପର୍ବ ନବୀନ ପଟ୍ଟନାୟକ ସରକାର ଯେଉଁ ଟ୍ରେନିଂ ସେଣ୍ଟର ବୃଦ୍ଧି ନିଷ୍ପତ୍ତି କରିବାକୁ ଯୋଜନା କରିଥିଲେ । ତାକୁ କାର୍ଯ୍ୟକାରୀ କରିବାକୁ ଚିନ୍ତା କରୁଛି ସ୍ବାସ୍ଥ୍ୟ ବିଭାଗ ।

ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ବନ୍ଧ୍ୟାକରଣ ପାଇଁ ଡରୁଛି ପୁରୁଷ । ପୁରୁଷତ୍ବ ହରାଇବା ଭ୍ରମରେ ବନ୍ଧ୍ୟାକରଣକୁ କରୁଛନ୍ତି ଭୟ । ପଡୁଛି ଜନସଂଖ୍ଯା ଉପରେ ନକରାତ୍ମକ ପ୍ରଭାବ । ରାଜ୍ୟରେ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ଶିକ୍ଷିତ ଅଞ୍ଚଳ ଅପେକ୍ଷା ଆଦିବାସୀ ଅଞ୍ଚଳର ସଂଖ୍ୟା ଅଧିକ ରହିଛି । ୨୦୨୩-୨୪ରେ ରାଜ୍ୟର କୋରାପୁଟ ଜିଲ୍ଲାରେ ସର୍ବାଧିକ ୩୦୭ ପୁରୁଷ କରାଇଛନ୍ତି ବନ୍ଧ୍ୟାକରଣ । ସୁନ୍ଦରଗଡ଼ ଜିଲ୍ଲାରେ ୨୮୨ ଓ ରାୟଗଡ଼ାରେ ୨୬୪ ପୁରୁଷଙ୍କ ହୋଇଛି ବନ୍ଧ୍ୟାକରଣ । ହେଲେ ଦେବଗଡ଼ ଜିଲ୍ଲାରେ ଏହି ସଂଖ୍ଯା ଶୂନ । ଖାଲି ସେତିକି ନୁହେଁ, ରାଜ୍ୟର ଅନୁଗୁଳ, ବଲାଙ୍ଗୀର, ଢେଙ୍କାନାଳ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର , ସୁବର୍ଣ୍ଣପୁର ପରି ୭ ଜିଲ୍ଲାରେ ପୁରୁଷ ବନ୍ଧ୍ୟାକରଣ ଦୁଇ ଅଙ୍କ ବି ଛୁଇଁନି । ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଳାହାଣ୍ଡି, ଝାରସୁଗୁଡ଼ାରେ ମଧ୍ୟ ସ୍ଥିତି ଭଲ ନୁହେଁ । ପୁରୁଷ ବନ୍ଧ୍ୟାକରଣ ବଢାଇବାକୁ ପୂର୍ବ ନବୀନ ସରକାର ଏକ କମିଟି ଗଠନ କରିବାକୁ ଯୋଜନା କରିଥିଲେ । ତାକୁ ବର୍ତ୍ତମାନର ସରକାର କାର୍ଯ୍ୟକାରୀ କରିବାକୁ ଚିନ୍ତା କରିଛନ୍ତି । ଏଥିରେ ପ୍ରୋତ୍ସାହନ ରାଶି ସହ ପୁରସ୍କାର ମଧ୍ୟ ପ୍ରଦାନ କରିବାର ବ୍ୟବସ୍ଥା ରହିବ ।

୨୦୨୧-୨୨ରେ ରାଜ୍ୟରେ ମୋଟ ୯୦୦ ପୁରୁଷଙ୍କ ବନ୍ଧ୍ୟାକରଣ ହୋଇଥିବା ବେଳେ ୨୦୨୪-୨୫ରେ ୨ ହଜାରରୁ  ଅଧିକ ବନ୍ଧ୍ୟାକରଣ କରିବା ଲକ୍ଷ୍ୟ ରହିଛି । ବାର୍ଷିକ ୫ ହଜାରରୁ ବନ୍ଧ୍ଯାକରଣ ହେଉଥିବା କର୍ଣ୍ଣାଟକ ଓ ମହାରାଷ୍ଟ୍ର ପରି ଓଡ଼ିଶାରେ ଟାର୍ଗେଟ ନେଇ ସ୍ବାସ୍ଥ୍ୟ ବିଭାଗ କମିଟି କାମ କରିବ । ପୂର୍ବ ସରକାରର ଆଭିମୁଖ୍ଯ କାର୍ଯ୍ୟକାରୀ ନହେଲେ ଅସମ୍ଭାଳ ହୋଇପାରେ ସ୍ଥିତି । ନନ୍ ସ୍କାପେଲ୍ ଭାସ୍କେଟୋମି ବା ଏନଏସଭି ପଦ୍ଧତି ହିଁ ପୁରୁଷ ବନ୍ଧ୍ୟାକରଣର ଏକ ମାତ୍ର ଉପାୟ । ଏଥିଲାଗି ଅଧିକ ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଆଯିବ । ବର୍ତ୍ତମାନ ଗୋଟିଏ ଟ୍ରେନିଂ ସେଣ୍ଟର କଟକରେ ରହିଛି । କଳାହାଣ୍ଡି ବା କୋରାପୁଟରେ ଆଉ ଏକ ଟ୍ରେନିଂ ସେଣ୍ଟର ଖୋଲାଯିବାର ଯୋଜନା ରହିଛି ।

ଆସନ୍ତା ବର୍ଷ ଜନଗଣନା ହେବାକୁ ଯାଉଛି । ହେଲେ ଯେଉଁ ପରି ଜନସଂଖ୍ୟାରେ ବିସ୍ଫୋରଣ ଘଟୁଛି, ତାହା ଆଗାମୀ ପିଢି ପାଇଁ ଭୟଙ୍କର ବିପଦ ଆଣିବା ଆଶଙ୍କା ରହିଛି ।

ଦିଦି ବନ୍ଦ କଲେ ଆଳୁ: ଗୋଟିଏ ଦିନରେ ବଢ଼ିଲା ୧୦ ଟଙ୍କା, ଆଗକୁ ସ୍ଥିତି ହେବ ଅସମ୍ଭାଳ

ଭୁବନେଶ୍ବର: ପୁଣି ଟେନସନ୍ ଦେଲା ଆଳୁ । ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ରପ୍ତାନୀ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦେବା ପରେ ଏବେ ରାଜ୍ୟରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଗତକାଲି ଆଳୁ କିଲୋପ୍ରତି ଖୁଚୁରା ଦର ୩୦ ଟଙ୍କା ଥିବା ବେଳେ ଆଜି ୪୦ ଟଙ୍କାରେ ପହଞ୍ଚିଛି । ହୁଏତ କାଲିକୁ ୫୦ ଛୁଇଁପାରେ ବୋଲି କହିଛନ୍ତି ବ୍ୟବସାୟୀ । ଆଜି ଉତ୍ତର ପ୍ରଦେଶରୁ କିଛି ଆଳୁ ଆସିଛି । ହେଲେ ପଶ୍ଚିମବଙ୍ଗରୁ ଆଳୁ ନଆସିଲେ ଦୋକାନ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ବ୍ୟବସାୟୀ । ସେପଟେ ଏନେଇ ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ମନ୍ତ୍ରୀ କହୁଛନ୍ତି ସରକାର ବ୍ୟବସ୍ଥା କରୁଛନ୍ତି ।

ପଶ୍ଚିମବଙ୍ଗ ଆଳୁ ନ ଦେଲେ ଅଣାୟତ ହୋଇଯିବ ସ୍ଥିତି । ହାତ ଟେକି ଦେଲା ବ୍ୟବସାୟୀ ମହାସଂଘ । ଗତ ସରକାରରେ ଭରସା ଥିଲା, ଏ ସରକାରରେ ଭରସା ପାଉନି । ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନୀ ବନ୍ଦ କରି ଦେବା ପରେ ଏବେ ରାଜ୍ୟରେ ହୁ ହୁ ହୋଇ ବଢୁଛି ଆଳୁ ଦର । ଗତକାଲି କିଲୋ ପ୍ରତି ୩୦ ଟଙ୍କା ଥିବା ବେଳେ ଆଜି ୪୦ରେ ପହଞ୍ଚିଛି । ରାଜଧାନୀ ଭୁବନେଶ୍ବର ସମେତ କଟକ ଓ ବାଲେଶ୍ବରରେ ସ୍ଥିତି ଗମ୍ଭୀର ହେଲାଣି । ଖଟିଖିଆଠାରୁ ଆରମ୍ଭ କରି ମଧ୍ୟବିତ୍ତ ସମସ୍ତଙ୍କ ପାଇଁ ଦରକାରୀ ପରିବା ଆଳୁର ଯୋଗାଣ ଓ ମୂଲ୍ୟକୁ ନିୟନ୍ତ୍ରଣ କରିପାରୁନାହାନ୍ତି ସରକାର । ଯାହା ୨୪ ବର୍ଷରେ ହୋଇ ନଥିଲା ତାହା ଏବେ ହେଉଛି । ଯେଉଁ ଆଶା ସରକାର ଉପରେ ଥିଲା ତାହା ମଉଳୁଛି ବୋଲି କହିଛନ୍ତି ଗ୍ରାହକ ।

ସେପଟେ ଆଳୁ ସଂକଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛି ବ୍ୟବସାୟୀ ମହାସଂଘ । ଆଳୁକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ପୂର୍ବରୁ ଅନେକ ଥର ଏମିତି ଅସୁବିଧା ହୋଇଛି । ସେତେବେଳେ ସରକାରଙ୍କ ଉପରେ ବିଶ୍ଵାସ ଥିଲା । କିନ୍ତୁ ଏବେକାର ସରକାର ଉପରେ ଭରସା ନାହିଁ । ସରକାର ବିବାଦ ସମାଧାନ ନକରି କେବଳ କଥାରେ କହୁଛନ୍ତି । ୟୁପିରୁ ଏବେ ଆଳୁ ଆସୁଛି । କିନ୍ତୁ ଆବଶ୍ୟକତାକୁ ପୂରଣ କରିବା ଅସମ୍ଭବ । ସେପଟେ ଦୈନିକ ୫ରୁ ୬ ଗାଡ଼ି ଆଳୁ ଆବଶ୍ୟକ । ଗତକାଲି ୩ ଗାଡ଼ି ଆଉ ଆଜି ପଶ୍ଚିମବଙ୍ଗରୁ ଲୁଚିଛପି ୩ ଗାଡ଼ି ଆଳୁ ଆସିଛି । ଯାହା ସମୁଦ୍ରକୁ ଶଙ୍ଖେ । ସରକାର ତୁରନ୍ତ ନିଷ୍ପତ୍ତି ନିୟନ୍ତୁ । ୟୁପିରୁ ଆଳୁ ଆଣି ବଜାରରେ ଉପଲବ୍ଧ କରାନ୍ତୁ । ନଚେତ ପରିସ୍ଥିତି ଅସମ୍ଭାଳ ହେବ । ସେହିପରି ବାଲେଶ୍ଵରରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି ।

ପୂର୍ବରୁ ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଗାଡ଼ି ଉପରେ କଟକଣା ଲାଗୁ ସମୟରେ ୟୁପିରୁ ଟ୍ରେନରେ ଆଳୁ ଆସୁଛି ବୋଲି କହିଥିଲେ ଯୋଗାଣ ମନ୍ତ୍ରୀ । ପୁଣି ଥରେ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ଠପ୍ ହେବା ପରେ ଚିନ୍ତା ବଢ଼ିଛି ।

ରୋହିଣୀ ନକ୍ଷତ୍ରରେ ବୃହସ୍ପତିଙ୍କ ପ୍ରବେଶ, ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ବଦଳିବ ଭାଗ୍ୟ !

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କ ବିଶେଷ ସ୍ଥାନ ରହିଛି । ବୃହସ୍ପତିଙ୍କୁ ଧନ, ଦାନ, ପୂଣ୍ୟ, ଶିକ୍ଷା, ସମ୍ମାନ, ବୁଦ୍ଧି, ପବିତ୍ର ସ୍ଥାନ, ସନ୍ତାନ, ବଡଭାଇ ଆଦିର କାରକ ଗ୍ରହ କୁହାଯାଏ । ବୃହସ୍ପତିଙ୍କ ଗୋଚର ବା ଚଳନକୁ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଇଥାଏ । ନଭେମ୍ବର ୨୮ ତାରିଖରୁ ଦେବଗୁରୁ ବୃହସ୍ପତି ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ଜନ୍ମିତ ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହେବ ବୋଲି ଜ୍ୟୋତିଷମାନେ ଆକଳନ କରିଛନ୍ତି ।

ମୂଳତଃ ଦେବଗୁରୁ ବୃହସ୍ପତି ହେଉଛନ୍ତି ପୁନର୍ବସୁ, ବିଶାଖା ଏବଂ ପୂର୍ବ ଭାଦ୍ରପଦ ନକ୍ଷତ୍ରର ଅଧିପତି । ୨୦୨୪ ମସିହା ମଇ ମାସ ୧ ତାରଖରୁ ବୃହସ୍ପତି ବୃଷ ରାଶିରେ ଅବସ୍ଥାନ କରିଛନ୍ତି । ୨୦୨୫ ମସିହା ମଇ ମାସ ୧୩ ତାରଖ ପର୍ଯ୍ୟନ୍ତ ବୃହସ୍ପତି ଏହି ରାଶିରେ ଅବସ୍ଥାନ କରିବେ । ୨୦୨୪ ମସିହା ଅଗଷ୍ଟ ୨୦ ତାରଖରୁ ରୋହିଣୀ ନକ୍ଷତ୍ରରୁ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରି ସେଠାରେ ଅବସ୍ଥାନ କରିଥିଲେ । ୨୮ ନଭେମ୍ବରରେ ପୁଣି ଫେରି ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ନଭେମ୍ବର ୨୮ରୁ ୨୦୨୫ ମସିହା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ବୃହସ୍ପତି ରୋହିଣୀ ନକ୍ଷତ୍ରରେ ଅବସ୍ଥାନ କରିବେ ।

ଚନ୍ଦ୍ର ହେଉଛନ୍ତି ରୋହିଣୀ ନକ୍ଷତ୍ରର ଅଧିପତି । ଚନ୍ଦ୍ର-ବୃହସ୍ପତିଙ୍କ ମଧ୍ୟରେ ମିତ୍ର ସମ୍ପର୍କ ରହିଛି । ତେବେ ବୃହସ୍ପତି ନକ୍ଷତ୍ରରେ ପରିବର୍ତ୍ତନ ହେତୁ ଆପଣଙ୍କ ରାଶି ଉପରେ ଏହାର ପ୍ରଭାବ କ’ଣ ରହିବ ଆସନ୍ତୁ ଜାଣିବା ।

ମେଷ

ବୃହସ୍ପତିଙ୍କ ରୋହିଣୀ ନକ୍ଷତ୍ରରେ ପ୍ରବେଶ ଫଳରେ ମେଷ ରାଷିର ବ୍ୟକ୍ତିଙ୍କ ଆତ୍ମ ବିଶ୍ବାଷ ଦୋହଲି ଯିବ । ମନ ଅପ୍ରସନ୍ନ ରହିବ । ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ ଏବଂ ମଧୁର ବଚନ ଦ୍ବାରା ପ୍ରଶସ୍ଥି ବଢିବ ।

ବୃଷ

ବୃଷ ରାଶି ବ୍ୟକ୍ତିଙ୍କ ବଚନ ମଧୁର ହେବ । ଆତ୍ମ ବିଶ୍ବାସ ବୃଦ୍ଧି ପାଇବ । ଶୈକ୍ଷିକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ, ଅଧ୍ୟୟନ ପାଇଁ ରୁଚି ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହ ସଦଭାବ ବଜାୟ ରଖିବା ଜରୁରୀ ।

ମିଥୁନ

ମିଥୁନ ରାଶିର ବ୍ୟକ୍ତିଙ୍କ ମନ ପ୍ରସନ୍ନ ରହିବ କିନ୍ତୁ ନିଜ ବଚନରେ ନିୟନ୍ତ୍ରଣ ରଖିବା ଜରୁରୀ । ଅଯଥା ଝଗଡାରୁ ଦୂରେଇ ରୁହନ୍ତୁ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡିବ । କାର୍ଯ୍ୟକ୍ଷେତ୍ରରେ ଅନ୍ୟ ସ୍ଥାନକୁ ଯାତ୍ରା ଯୋଗ ରହିଛି ।

କର୍କଟ

ମନ ଅଶାନ୍ତ ରହିବ । ଆତ୍ମ ସଞ୍ଜମ ହେବାକୁ ପଡିବ । ଆପଣଙ୍କୁ ଧର୍ଯ୍ୟ ଧରିବାକୁ ପଡ଼ିବ । କାରବାରରେ ପରିବର୍ତ୍ତନ ଯୋଗ ରହିଛି । ପିତାଙ୍କ ସହଯୋଗ ପ୍ରାପ୍ତି ହେବ । କାର୍ଯ୍ୟ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପ୍ରାପ୍ତି ହେବ ।

ସିଂହ

ସିଂହରାଶି ବ୍ୟକ୍ତିଙ୍କ ମାନସିକ ସ୍ଥିତି ମଧ୍ୟମ ଧରଣର ରହିବ । ମାନସିକ ସ୍ଥିତି ଭଲ-ଖରାପ ଦେଇ ଗତି କରିବ । ଜୀବନ ସାଥିଙ୍କ ସ୍ବାସ୍ଥ୍ୟପ୍ରତି ଯତ୍ନବାନ ରହିବେ । ଲାଭ ଯୋଗ ରହିଛି ।

କନ୍ୟା

କନ୍ୟା ରାଶି ବ୍ୟକ୍ତିଙ୍କ ମନ ପ୍ରସନ୍ନ ରହିବ । ଘରେ ମାଙ୍ଗଳିକ କାର୍ଯ୍ୟ ହେବା ସମ୍ଭାବନା ରହିଛି । ଲାଭ ଯୋଗ ରହିଛି । ବନ୍ଧୁଙ୍କ ଠାରୁ ଆର୍ଥିକ ସହଯୋଗ ମିଳିପାରେ । ଘରେ ସୁଖ-ଶାନ୍ତି ବଜାୟ ରହିବ ।

ତୁଳା

ତୁଳା ରାଶି ବ୍ୟକ୍ତିଙ୍କ ମନ ଅପ୍ରସନ୍ନ ରହିବ । କ୍ରୋଧକୁ ନିୟନ୍ତ୍ରଣ କରିବା ସହ ଆତ୍ମ ସଞ୍ଜମତାର ଆବଶ୍ୟକତା ରହିଛି । ପରିବାର ସହ କୌଣସି ଧାର୍ମିକ କ୍ଷେତ୍ର ଭ୍ରମଣ କରିବାର ଯୋଗ ରହିଛି । ଜୀବନ ସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ବିଛା

ବିଛା ରାଶି ବ୍ୟକ୍ତିଙ୍କ ମନ ଅଶାନ୍ତ ରହିବ । ଆତ୍ମ ବିଶ୍ବାସ ହ୍ରାସ ପାଇବ । ଧର୍ଯ୍ୟ ରକ୍ଷା ପାଇଁ ଉଦ୍ୟମ ଆବଶ୍ୟକ । ଧର୍ମ ବିଶ୍ବାସ ବୃଦ୍ଧି ପାଇବ । ପିତାଙ୍କ ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହେବା ଜରୁରୀ । ଲାଭ ପାଇଁ ଅବସର ଆସିବ ।

ଧନୁ

ଧନୁ ରାଶି ବ୍ୟକ୍ତିଙ୍କ ମନ ଚିନ୍ତିତ ରହିପାରେ । ସଞ୍ଜମତା ଅବଲମ୍ବନ କରନ୍ତୁ । ଧର୍ଯ୍ୟ ଧରିବା ପାଇଁ ଉଦ୍ୟମ ଆବଶ୍ୟକ । ଦୌଡା ଦୌଡି ବେଶୀ କରିବାକୁ ପଡିପାରେ । କୌଣସି ବନ୍ଧୁଙ୍କ ସହଯୋଗରେ ବ୍ୟବସାୟ ବୃଦ୍ଧି ଯୋଗ ରହିଛି ।

ମକର

ମକର ରାଶି ବ୍ୟକ୍ତିଙ୍କ ମନ ପ୍ରସନ୍ନ ରହିବ । କିନ୍ତୁ ଆତ୍ମବିଶ୍ବାସ କମିବ । ନୂଆ କାରବାର ଆରମ୍ଭ ଯୋଗ ରହିଛି । ବାକ୍ୟରେ ସଂଯମତା ଜରୁରୀ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ ।

କୁମ୍ଭ

କୁମ୍ଭ ରାଶି ବ୍ୟକ୍ତିଙ୍କ ଆୟ ବୃଦ୍ଧି ଘଟିବ । ମନ ପ୍ରସନ୍ନ ରହିବ । ଆତ୍ମବିଶ୍ବାସ ହ୍ରାସ ପାଇବ । ପରିଶ୍ରମ ଅଧିକ ହେବ । ବ୍ୟବସାୟ ବୃଦ୍ଧି ଘଟିବାର ଅବସର ରହିଛି ।

ମୀନ

ମୀନ ରାଶିର ବ୍ୟକ୍ତିଙ୍କ ସଂଯମତା ଅବଲମ୍ବନ କରିବା ଜରୁରୀ । କ୍ରୋଧ ଓ ବାଦ ବିବାଦରୁ ଦୂରରେ ରହିବା ଭଲ । କୌଣସି ବ୍ୟବସାୟୀ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ବନ୍ଧୁଙ୍କ ସହେଯାଗରେ ବ୍ୟବସାୟରେ ଉନ୍ନତି ଘଟିବ ଏବଂ ଆୟ ବୃଦ୍ଧି ହେବ ।

ଓଡ଼ିଶାର ମସାଲା ଚା’କୁ ପ୍ରଶଂସା କରିବା ସହ କଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ହେଉଥିବା ତିନିଦିନିଆ ଡିଜିପି ସମ୍ମିଳନୀରେ ସାମିଲ ହେବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି । ରାଜଧାନୀ ଭୁବନେଶ୍ବରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଓଡ଼ିଶାର ମସାଲା ଚା’କୁ ପ୍ରଶଂସା କରିବା ସହ ନାଁ ନନେଇ ବିରୋଧୀ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବିରୋଧୀ ସମ୍ବିଧାନ ଓ ଲୋକତନ୍ତ୍ରର ସବୁ ମାନସମ୍ମାନକୁ ଦଳିମକଚି କ୍ଷମତାକୁ ଫେରିବାକୁ ଚାହୁଁଥିବା ପ୍ରଧାନମନ୍ତ୍ରୀ କଟାକ୍ଷ କରି କହିଛନ୍ତି ।

ସେ କହିଛନ୍ତି, କିଛି ଲୋକ କ୍ଷମତାକୁ ନିଜ ଜନ୍ମଗତ ଅଧିକାର ଭାବୁଥିଲେ । କିନ୍ତୁ ସେମାନେ କେନ୍ଦ୍ରରେ ଗତ ଏକ ଦଶନ୍ଧି ଧରି କ୍ଷମତାରେ ନାହାଁନ୍ତି । ଏଥିପାଇଁ ସେମାନେ ସାଧାରଣ ଲୋକଙ୍କ ଉପରେ ମଧ୍ୟ ରାଗ ଶୁଝାଉଛନ୍ତି । କ୍ଷମତାକୁ ଆସିବା ଜିଦରେ ସେମାନେ ଦେଶ ବିପକ୍ଷରେ ଷଡଯନ୍ତ୍ର କରୁଛନ୍ତି ।

ଆଗକୁ ସେ କହିଛନ୍ତି, ବିରୋଧୀ ଦଳ କେବଳ ଅପପ୍ରଚାର କରୁଛନ୍ତି । ରାଜନୀତିରେ ନୀତିଗତ ବିରୋଧ ରହିବା ସ୍ୱଭାବିକ । ବିରୋଧୀ ଦଳମାନେ ସରକାର ବିରୋଧରେ ଆନ୍ଦୋଳନ କରନ୍ତି । କିନ୍ତୁ ଦେଶକୁ ଖରାପ ରାସ୍ତାରେ ନେବାକୁ ସେମାନେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।

ଓଡ଼ିଶା ମସାଲା ଚା’ ପିଇ ଖୁସି ଲାଗିଲା

ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପର୍ବ କଥା ମନେ ପକାଇ ରାଜ୍ୟର ମସାଲା ଚା’କୁ ପ୍ରଶଂସା କରିଥିଲେ । କହିଥିଲେ, ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହୋଇ ଭଲ ଲାଗିଥିଲା । ସେଠାରେ ଓଡ଼ିଶାର ମସାଲା ଚା’ ପିଇ ଖୁସି ଲାଗିଲା । ଆପଣମାନଙ୍କ ଆତିଥ୍ୟରେ ବହୁତ ଖୁସି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ରାଜଧାନୀରେ ଭବ୍ୟ ସ୍ବାଗତ

ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ରାଜ୍ୟ ବିଜେପି ତରଫରୁ ଭବ୍ୟ ସ୍ବାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡାଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତା ଓ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ସେଠାରୁ ସେ ବିମାନବନ୍ଦର ଛକରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ ।

GST ଅନିୟମିତତା ପାଇଁ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଆଉ ଲାଗିବନି ଅତିରିକ୍ତ ଜରିମାନା

ନୂଆଦିଲ୍ଲୀ: ଛୋଟ ବା କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଶ୍ବସ୍ତି । ଜିଏସ୍‌ଟି ଅନିୟମିତତା ପାଇଁ ଆଉ କ୍ଷୁଦ୍ର ବ୍ୟବସାୟୀଙ୍କୁ ଲାଗିବନି ଅତିରିକ୍ତ ଜରିମାନା । ଜିଏସ୍‌ଟି ଆଇନର ଧାରା ୧୨୮ ଉପଧାରା ‘ଖ’କୁ କୋହଳ କରିଛନ୍ତି କେନ୍ଦ୍ର ସରକାର ।

ଜିଏସ୍‌ଟି ରିଟର୍ଣ୍ଣ ନିୟମିତ ନ ଦେଲେ ଏ ନେଇ ଥିଲା ଆର୍ଥିକ ଜରିମାନା ବ୍ୟବସ୍ଥା । ଯାହାକୁ ନେଇ ସର୍ବଭାରତୀୟ ବ୍ୟବସାୟୀ ସଂଘ କେନ୍ଦ୍ର ଅର୍ଥମନ୍ତ୍ରାଳୟକୁ ଅଭିଯୋଗ କରିଥିଲା । ଜିଏସ୍‌ଟି ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ସମ୍ପର୍କରେ ବ୍ୟବସାୟୀଙ୍କୁ ସଚେତନ କରାଯିବ । ଏ ନେଇ ଖୋଦ ଜିଏସ୍‌ଟି କମିଶନର ଆସନ୍ତାକାଲି ଉତ୍କଳ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌ରେ ଏକ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ କରିବେ ।

୨୦୧୭ ଜୁଲାଇରୁ ଜିଏସ୍‌ଟି ପ୍ରଚଳନ ହେବା ପରେ କ୍ଷୁଦ୍ର ବ୍ୟବସାୟୀଙ୍କ ଅନିୟମିତତା ନେଇ ସହଯୋଗ କରାଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ବ୍ୟବସାୟୀଙ୍କ ଉପରେ ବହୁ ଜରିମାନା ଓ ଆର୍ଥିକ ତଣ୍ଡ ଜିଏସଟି କର୍ତ୍ତୃପକ୍ଷ ବସାଇଥିଲେ । ଯାହାକୁ ନେଇ ବ୍ୟବସାୟୀ ମହଲରେ ୩ ବର୍ଷ ଧରି କ୍ଷୋଭ ରହିଥିଲା ।

ସରକାରଙ୍କ ପ୍ରତିଶ୍ରୁତି ପାଣିରେ ଗାର: ମଣ୍ଡିରେ ଚାଲିଛି କଟନି ଛଟନି, ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର: ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଣିରେ ଗାର । କହିଲେ- ଏଥର ହେବନି କଟନି ଛଟନି । ହେଲେ ଗତବର୍ଷଠାରୁ ଅଧିକ ହେଉଛି କଟନି ଛଟନି । ଏମିତି ସ୍ଥିତି ସମ୍ବଲପୁର ଜିଲ୍ଲାରେ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ମଣ୍ଡିରୁ ଉଠିପାରୁନି ଧାନ । ମାନ ନିର୍ଦ୍ଧାରଣକୁ ନେଇ ଚାଷୀଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଭଲ ମାନର ଧାନ ଦେଲେ ସୁଦ୍ଧା କଟନି ଛଟନି କରାଯାଉଥିବାରୁ ତେଜୁଛି ଅସନ୍ତୋଷ । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ ଓ କୃଷକ ସଙ୍ଗଠନ ।

ମୋହନ ସରକାରଙ୍କ ଚାଷୀଙ୍କୁ ପ୍ରତାରଣା । ପ୍ରତିଶ୍ରୁତି ସତ୍ତ୍ବେ ବିଗତ ବର୍ଷଠାରୁ ଅଧିକ ହେଉଛି କଟନି ଛଟନି । ସମ୍ବଲପୁର ଜିଲ୍ଲାରେ ଧାନକିଣା ଆରମ୍ଭରୁ ଅବ୍ଯବସ୍ଥା । ମାନ ନିର୍ଦ୍ଧାରଣକୁ ନେଇ ତେଜୁଛି ଅସନ୍ତୋଷ । ଉଚିତ ମୂଲ୍ଯ ନପାଇ ଆନ୍ଦୋଳକୁ ଓହ୍ଲାଇଲେ ଚାଷୀ । ପୁଣି ସମ୍ବଲପୁର ଜିଲ୍ଲାରେ ବନ୍ଦ ହେଲା ଧାନ ବିକ୍ରି ।

ଜିଲ୍ଲାର ତବଲା ଧାନ ମଣ୍ଡିରେ FAQ  ମାନର ଧାନ ଦେଲେ ସୁଦ୍ଧା ହେଉଛି କଟନି ଛଟନି । ଯାହାକୁ ନେଇ ଅସନ୍ତୁଷ୍ଟ ଚାଷୀ ଆନ୍ଦୋଳକୁ ଓହ୍ଲାଇଛନ୍ତି । ଧାନ କିଣା ବନ୍ଦ ରହିଥିବାରୁ ମଣ୍ଡିରେ ପହଞ୍ଚି ମିଲ ମାଲିକ ଓ ଯୋଗାଣ ଅଧିକାରୀ ଚାଷୀଙ୍କ ସହ ଆଲୋଚନା କରିଛନ୍ତି, ହେଲେ କୌଣସି ଫଳ ବାହାରି ପାରିନାହିଁ ।

ଚଳିତବର୍ଷ କୌଣସି କଟନି ଛଟନି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ । ଏପରିକି ବିକ୍ରିର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଖାତାକୁ ଟଙ୍କା ଆସିବ ବୋଲି କହିଥିଲେ । ହେଲେ ସବୁ ବାହାସ୍ଫୋଟ ପାଲଟିଛି । ସରକାରୀ ଅଧିକାରୀ ନଆସିବା ପର୍ଯ୍ୟନ୍ତ ଧାନ ପଡ଼ି ରହିବ ବୋଲି କହିଛନ୍ତି ଚାଷୀ । ଆଉ ଏପରି ଅବ୍ଯବସ୍ଥା ପାଇଁ ପ୍ରଶାସନ ଓ ସରକାରଙ୍କୁ ଦାୟୀ କରିଛନ୍ତି ଚାଷୀ ।

ଘଟଗାଁ ତାରିଣୀ ପୀଠରେ ସ୍ବଚ୍ଛ ଭାରତ ମିଶନ ଫେଲ, ରାସ୍ତାରେ ଗଦା ହୋଇଛି କୁଢ଼କୁଢ଼ ଅଳିଆ

କେନ୍ଦୁଝର: ପରିବେଶକୁ ସ୍ଵଚ୍ଛ ରଖିବା ପାଇଁ ସରକାରଙ୍କ ସ୍ଵଚ୍ଛ ଭାରତ ମିଶନ ରହିଛି । କିନ୍ତୁ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ବାସିନୀ ମା’ ତାରିଣୀଙ୍କ ପୀଠରେ ସ୍ଵଚ୍ଛ ଭାରତ ମିଶନ ଫେଲ ମାରିଥିବା ଦେଖିବାକୁ ମିଳିଛି । ଘଟଗାଁକୁ ପ୍ରବେଶ କରିବା ରାସ୍ତା ପାର୍ଶ୍ୱରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଯାହା ଉପରେ ବ୍ଲକ ପ୍ରଶାସନର ନଜର ପଡୁ ନଥିବା ଅଭିଯୋଗ ହେଉଛି ।

ସ୍ଥାନୀୟ ହୋଟେଲରୁ ବାହାରୁଥିବା ଅଇଁଠା ଖଲି ଚଉପତି ଆଦିକୁ ଆଣି ରାସ୍ତା କଡ଼ରେ ପକା ଯାଉଥିବାରୁ ରାସ୍ତା ପାର୍ଶ୍ବ ଦୁର୍ଗନ୍ଧରେ ଫାଟି ପଡୁଛି । ଫଳରେ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କିନ୍ତୁ ପରିତାପର ବିଷୟ ଘଟଗାଁକୁ ସଫା ସୁତରା ରଖିବା ପାଇଁ କାହାର ନିଘା ନାହିଁ । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋର ଧରିଛି ।

ଘଟଗାଁକୁ ପ୍ରତ୍ଯେକ ଦିନ ହଜାର ହଜାର ସଂଖ୍ଯାରେ ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ରାସ୍ତା କଡରେ କୁଢକୁଢ ଅଳିଆ ପଡୁଥିବାରୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଉଛି । ଅନ୍ୟପଟେ ଘଟଗାଁରେ ଅଳିଆ ଆବର୍ଜନା ପକାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଜାଗାର ଆବଶ୍ୟକ ରହିଥିବା ବେଳେ ଏଥିପ୍ରତି କାହାର ଦୃଷ୍ଟି ପଡୁ ନଥିବା ଅଭିଯୋଗ ହୋଇଛି । ସେପଟେ ସ୍ଥାନୀୟ ବିଡ଼ିଓଙ୍କୁ ଏ ବାବଦରେ ଜଣାଇବା ପରେ ସେ ଯଥାଶୀଘ୍ର ଅଳିଆ ଆବର୍ଜନା ପକାଉଥିବା ଦୋକାନଗୁଡିକୁ ନୋଟିସ ପଠାଇବା ପାଇଁ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମାଇକ ଯୋଗେ ଲୋକଙ୍କୁ ସଚେତନତା କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

୧୯ ଲକ୍ଷ ଟଙ୍କା ନକଲି ନୋଟ କାରବାର ଅଭିଯୋଗରେ ୩ ଗିରଫ

ବ୍ରହ୍ମପୁର: ନକଲି ନୋଟ କାରବାର ରାକେଟର ପର୍ଦ୍ଦାଫାଶ । ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ଠକି ୧୯ ଲକ୍ଷ ଟଙ୍କାର ନକଲି ନୋଟ ରଖି ସେହି ପରିମାଣର ଅସଲି ନୋଟ ନେଇ ଚମ୍ପଟ ମାରିଥିବା ଠକଙ୍କୁ କାବୁ କଲା ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ । ନକଲି ନୋଟ୍ କାରବାର ସଂପୃକ୍ତ ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ପି ଜଣେ ଅଭିଯୁକ୍ତ ଫେରାର୍ ଅଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ କଟକର ଅଜୟ ମହାପାତ୍ର, ବଟକୃଷ୍ଣ ପ୍ରଧାନ ଏବଂ ବ୍ରହ୍ମପୁରର ଶିବଶଙ୍କର ପଟ୍ଟନାୟକ । ପୂର୍ବ ଆଲୋଚନା ଅନୁଯାୟୀ ୬୦ ଲକ୍ଷ ଟଙ୍କାର ଝୁମର ପାଇଁ ପ୍ରଥମେ ୧୯ ଲକ୍ଷ ଟଙ୍କା ଦେବାକୁ ବ୍ରହ୍ମପୁରର ବ୍ୟବସାୟୀ ପ୍ରମୋଦ ସାହୁଙ୍କୁ  କହିଥିଲେ ଦଲାଲ । ପ୍ରମୋଦ ଟଙ୍କା ଦେବାକୁ କଟକର ୨ ଜଣ ବ୍ୟକ୍ତିଙ୍କୁ ନୂଆ ବସ୍‌ଷ୍ଟାଣ୍ଡ ନିକଟକୁ ଡାକିଥିଲେ । ସୁଯୋଗ ଦେଖି ଅଭିଯୁକ୍ତମାନେ ପ୍ରମୋଦଙ୍କ ଟ୍ରଙ୍କର ତାଲା ଖୋଲି  ଅସଲି ୧୯ ଲକ୍ଷ ବାହାର କରି ନକଲି ୧୯ ଲକ୍ଷ ଟଙ୍କାର କାଗଜ ନୋଟ ଭର୍ତ୍ତି କରି ଦେଇଥିଲେ । ଏହାପରେ ଅଭିଯୁକ୍ତମାନେ ପ୍ରମୋଦ ଏବଂ ତାଙ୍କ ସହଯୋଗୀଙ୍କୁ ଟ୍ରଙ୍କଟିକୁ ଅନ୍ୟ ଏକ ସ୍ଥାନକୁ ଆଣିବାକୁ କହିଥିଲେ । ଟ୍ରଙ୍କଟି ପୂର୍ବାପେକ୍ଷା ଓଜନିଆ ଲାଗିବାରୁ ପ୍ରମୋଦ ଓ ତାଙ୍କ ସହଯୋଗୀ ଯାଞ୍ଚ କରିବା ବେଳେ ସେଥିରୁ ନକଲି କାଗଜ ନୋଟ୍ ବାହାରିଥିଲା । ପ୍ରମୋଦ ବୈଦ୍ୟନାଥପୁର ଥାନାକୁ ଖବର ଦେଇ ଏନେଇ ଜଣାଇଥିଲେ ।

ବୈଦ୍ୟନାଥପୁର, ଗୋପାଳପୁର, ଗୋଳନ୍ଥରା ଓ ଛତ୍ରପୁର ଆଇଆଇସିଙ୍କୁ ନେଇ ଗଠିତି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୯ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।