spot_img
Home Blog Page 1383

ରାଜଧାନୀ ଏୟାରଫିଲ୍ଡ ଥାନା ବୀରବନ୍ଧ ଗାଁରେ ହତ୍ୟାକାଣ୍ଡ, ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ

ଭୁବନେଶ୍ବର : ସମଲିଙ୍ଗୀ ସମ୍ପର୍କ ହେଲା କାଳ ! ଅପ୍ରାକୃତିକ ଯୌନ ସମ୍ପର୍କ ନେଲା ଜୀବନ ! କ୍ରାଇମ ସ୍ପଟରୁ ମିଳିଲା ଆପତ୍ତିଜନକ ସାମଗ୍ରୀ । ଖସିଯିବା ବେଳେ ଅଭିଯୁକ୍ତକୁ କାବୁ କଲା ଏୟାରଫିଲଡ଼ ପୋଲିସ । ଇଏ ହେଉଛି ରାଜଧାନୀ ଉପକଣ୍ଠ ଏୟାରଫିଲଡ଼ ଥାନା ଅନ୍ତର୍ଗତ ବିରବନ୍ଧ ଗାଁ । ପୁରା ଗାଁ ଶୂନଶାନ । କାରଣ ପୂର୍ବତନ ସରପଞ୍ଚ ବାଉରୀବନ୍ଧୁ ବେହେରାଙ୍କ ମୃତ୍ୟୁ ଘଟିଛି । ବାଉରୀବନ୍ଧୁଙ୍କ ନାତିର ଥିଲା ଜନ୍ମଦିନ । ସେଥିପାଇଁ କାଲିଠାରୁ ଘରେ ଖୁସିର ମାହୋଲ ଥିବା ବେଳେ ଭୋରରୁ ଖେଳିଯାଇଥିଲା ଶୋକର ଛାୟା । ସୂର୍ଯ୍ୟ ଉଦୟ ବେଳକୁ ଘର ମୁରବୀଙ୍କ ମୃତଦେହ ଗାଁ ଦାଣ୍ଡରେ ଦେଖି ସମସ୍ତେ ହୋଇଯାଇଥିଲେ ହତବାକ । ମୃତକଙ୍କ ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ । ଖବର ପାଇ ଏୟାରଫିଲଡ଼ ଥାନା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

ବାଉରୀଙ୍କ ହତ୍ୟା ପଛର କାରଣ ଖୋଜିବାକୁ ଘଟଣାସ୍ଥଳରେ ସାଇଣ୍ଟିଫିକ ସହ ପହଞ୍ଚିଥିଲେ ସ୍ଥାନୀୟ ଏସିପି । ଜଣଙ୍କୁ କାବୁ କରିବା ସହ କ୍ରାଇମ ସ୍ପଟ ଭେରିଫିକେସନ ବେଳେ ପୋଲିସ ପାଇଛି କିଛି ଆପତ୍ତିଜନକ ସାମଗ୍ରୀ । ସମଲିଙ୍ଗୀ ଯୌନ ସଂପର୍କ ନେଇ ମିଳିଛି ପ୍ରମାଣ । ମୃତକ ଓ ଅଭିଯୁକ୍ତର ଦ୍ବୟ ବାରଣ ସତ୍ତ୍ୱେ ମଧ୍ୟ ଲୁଚିଛପି ଏକାଠି ହେଉଥିବା କଥା ପୋଲିସ ଆଗରେ ବୟାନ ଦେଇଛନ୍ତି ଗ୍ରାମବାସୀ । ତେବେ ଏକଥାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ପରିବାର ଲୋକେ । ଅଭିଯୁକ୍ତ ଜଣଙ୍କ ଅତ୍ୟଧିକ ମଦ୍ୟପାନ କରି ପୂର୍ବ ଶତ୍ରୁତାରୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବୋହୂ । ଘଟଣା ଘଟିବା ମାତ୍ରେ ଅଭିଯୁକ୍ତଙ୍କୁ ତୁରନ୍ତ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ ଡିସିପି । ଯଦି ଆଉ କୌଣସି ଲୋକର ଏଥିରେ ସମ୍ପୃକ୍ତି ଥିବ ତେବେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଡିସିପି ।

ସଠିକ ସମୟରେ ମିଳିଲାନି ସରକାରୀ ସହାୟତା, ଚିକିତ୍ସା ଅଭାବରୁ ଚାଲିଗଲା ଜୀବନ

ସୋର : କେତେବେଳେ ଯେ କାହା ସୁଖର ସଂସାର ଉପରେ କଳା ପାହାଡ ମାଡି ଆସିବ ତାହା କେହି କହିପାରିବେ ନାହିଁ । ଯେମିତି ଏକ ଦୁଃଖର ପାହାଡ ଏବେ ଛିଣ୍ଡି ପଡିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡି ଗାଁର ଗଣେଶ ଦାସଙ୍କ ପରିବାର ଉପରେ । ଗଣେଷଙ୍କ ବଡ ପୁଅ ମିଥୁନଙ୍କ ଉପରେ ପୂରା ପରିବାର ନିର୍ଭର କରୁଥିଲା । ମିଥୁନ ୧୬ ମାସ ହେବ ମମତାକୁ ବିବାହ କରିଥିଲେ l ବିବାହର କିଛି ଦିନ ପରେ ମିଥୁନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ମିଥୁନଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଜମିବାଡି ସମେତ ସୁନା ଅଳଙ୍କାର ବିକ୍ରି କରି ସର୍ବଶାନ୍ତ ହେଲାପରେ ବି ମିଥୁନ ଭଲ ହୋଇନଥିଲେ । ଅଧିକ ଚିକିତ୍ସା ପାଇଁ ମୋହନ ସରକାରଙ୍କ ପାଖରେ ଆର୍ଥିକ ସହାୟତା ଲୋଡିଥିଲେ ପରିବାର ଲୋକେ । ଯୁବ ସାମାଜିକ କର୍ମୀଙ୍କ ସାହାର୍ଯ୍ଯରେ ୨ ନଭେମ୍ବର ୨୦୨୪ରେ ଜିଲ୍ଲାପାଳ, ସିମୁଳିଆ ବିଡ଼ିଓ ଓ ତହସିଲଦାରଙ୍କୁ ପତ୍ର ଓ ଟୁଇଟ ମାଧ୍ୟମରେ ଜଣାଇଥିଲେ l ହେଲେ ଦୁଃଖର ବିଷୟ ମୁଖ୍ଯମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଚଳିତ ଡିସେମ୍ବର ମାସ ୫ ତାରିଖରେ ମିଥୁନଙ୍କ ବ୍ୟାଙ୍କ ଖାତାକୁ ୫ହଜାର ଟଙ୍କା ଆସିଥିଲା  l ସେତେବେଳେକୁ ଚିକିତ୍ସା ଅଭାବରୁ ଗତମାସ ୩୦ ତାରିଖରେ ମିଥୁନଙ୍କ ମୃତ୍ଯୁ ହୋଇସାରିଥିଲା ।

ଚିକିତ୍ସା ପାଇଁ ସରକାର ଦେଇଥିବା ଅର୍ଥ ମିଥୁନଙ୍କ ଚିକିତ୍ସା ବଦଳରେ ତାଙ୍କ ଶୁଦ୍ଧିକ୍ରିୟାରେ ଲାଗିଲା । ସରକାରଙ୍କର ଯେଉଁ ରିଲିଫ ଫଣ୍ଡ ଅଛି ଯଦି ଠିକ ସମୟରେ ତଦନ୍ତ କରି ସହାୟତା ପ୍ରଦାନ କରନ୍ତି ତାହାଲେ ସାଧାରଣ ଲୋକମାନେ ଉପକୃତ ହୋଇପାରନ୍ତେ ବୋଲି ସ୍ଵେଚ୍ଛାସେବୀ କହିଛନ୍ତି ।

ଗାଁର କୌଣସି ଘରେ ନାହିଁ କବାଟ, କୁକୁରଙ୍କ ପାଇଁ ଲାଗିଛି ତାଟି

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଶିଆଳିଆ ଗାଁ । ଗାଁର କୌଣସି ଘରେ ନାହିଁ କବାଟ । ଆଉ ଏହି କବାଟ ନଥିବା ପରମ୍ପରା ଏବେକାର ନୁହେଁ କାହିଁ କେଉଁ କାଳରୁ ଏହି ଗାଁରେ ପ୍ରଚଳିତ । ଏହାର କାରଣ, ବିଶ୍ଵାସ ରହିଛି ଗାଁର ସୁରକ୍ଷା ଗ୍ରାମଦେବତୀ ମା ଖରାଖାଇ କରିଥାନ୍ତି  l କିମ୍ବଦନ୍ତୀ କହେ ଗାଁର ଗ୍ରାମଦେବତୀ କବାଟକୁ ଡେରି ହୋଇ ଏକ ଶବ ଉପରେ ଦଣ୍ଡାୟମାନ କରିଥିବା ଆଉ ସେହି ଶବକୁ ଗୋଟେ ପଟୁ କୁକୁର ଆଉ ଅନ୍ୟପଟୁ ଶିଆଳ ଟାଣୁଥିବାର ଦୃଶ୍ୟ ଲାଗି ଏହି ଗାଁକୁ ଶବାଳୟ , ଶିବାଳୟା ଆଉ ପରେ ଅପଭ୍ରଂଶ କରି ଶିଆଳିଆ ନାଁ ଦିଆଯାଇଛି  l ଯୁଗ ସହ ତାଳ ଦେଇ ଗାଁର ଚାଳଛପର ଘର ସବୁ କୋଠାଘରରେ ପରିଣତ ହୋଇଛି ସତ କିନ୍ତୁ ଗାଁର କବାଟ ନଥିବା ପରମ୍ପରା ଏବେବି ଜାରି ରହିଛି । କେବଳ କୁକୁର ଆଉ ଶିଆଳ ଘରକୁ ନ ପଶିବା ଲାଗି ଘର ଆଗରେ ବାଉଁଶ ତାଟି କିମ୍ବା ଗ୍ରିଲ୍ ଲାଗିଛି ।  କିନ୍ତୁ ଗାଁର ଏବେବି କୌଣସି ଘରେ କବାଟ ଲାଗୁନାହିଁ କି କୌଣସି ଚୋରି ମାମଲା ଥାନାକୁ ଯାଇନାହିଁ l

ଶିଆଳିଆ ଗାଁ ପାଖରେ କନିକା ରାଜପ୍ରସାଦ, ଗିରିୟା ମଠ, ସୁଦାମ ବାଇ ପୀଠ ଭଳି ଏନେକ ପର୍ଯ୍ଯଟନସ୍ଥଳୀ ରହିଛି । ଶିଆଳିଆ ଗାଁର ଏହି ଅଦ୍ଭୁତ ପରମ୍ପରା ଦେଖିବା ପାଇଁ ଅନେକ ପର୍ଯ୍ଯଟକ ଏଠାକୁ ଆସିଥାନ୍ତି । ତେଣୁ ଏହି ଗାଁକୁ ରାଜ୍ଯ ସରକାର ପର୍ଯ୍ଯଟନସ୍ଥଳୀ ମାନ୍ଯତା ପ୍ରଦାନ କରିବାକୁ ଦାବି ଜୋର ଧରିଛି । କବାଟ ନ ଥିବା ଗାଁ ଶିଆଳିଆକୁ କେବେ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିବ ତାହା ଦେଖିବାକୁ ବାକି ରହିଲା ।

ଅଭିଯୋଗର ୫ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ, ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ମଣ୍ଡଳ ଗାଁର ଅନନ୍ତ ପେଡ଼ି ପ୍ରୋସେସିଂ ମିଲରେ ୫ ଶହରୁ ଅଧିକ କୁଇଣ୍ଟାଲ ଧାନ ଗଚ୍ଛିତ ଥିବା ନେଇ ଅଭିଯୋଗ ହୋଇଥିଲା । ଗତ ୬ ତାରିଖରେ ଭାରତୀୟ କିଷାନ ୟୁନିଅନ ପକ୍ଷରୁ ଭିଡିଓ ଜାରି କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରାଯାଇଥିଲା  । ହେଲେ ଜିଲ୍ଲା ପ୍ରଶାସନ ୫ ଦିନ ପରେ କୌଣସି ପଦକ୍ଷେପ ଗ୍ରହଣ କରିନି । ଚାଷୀଙ୍କୁ ମିଲରେ ଚଢାଉ ହେବ ବୋଲି ପ୍ରତିଶୃତି ଦେଉଥିଲେ ବି କୌଣସି ପଦକ୍ଷେପ ନେଉନାହାଁନ୍ତି । ଅଭିଯୋଗ ପରେ ମିଲର୍ସ ଗୋଦାମରୁ ବେଆଇନ୍ ଧାନ ଅନ୍ୟତ୍ର  ସ୍ଥାନାନ୍ତରିତ କରିଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଆକ୍ସନ ନେବା ବଦଳରେ ନୀରବ ରହୁଛନ୍ତି । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ଧାନ କିଣା ଅବ୍ୟବସ୍ଥା ଓ ପ୍ରଶାସନିକ ଅବହେଳା ପ୍ରତିବାଦରେ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା ।

ବଲାଙ୍ଗୀରରେ ଚଳିତ ବର୍ଷ ବିଳମ୍ବରେ ଅର୍ଥାତ୍ ଗତ ଡିସେମ୍ବର ୨ ତାରିଖରେ ମଣ୍ଡି ଖୋଲିବାରୁ ଅଧିକାଂଶ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ଦଲାଲଙ୍କୁ ଧାନ ଟେକି ଦେଲେଣି । ଯାହା ଫଳରେ ହଜାର ହଜାର କ୍ବିଣ୍ଟାଲ ବେଆଇନ ଧାନ ଏବେ ମିଲର୍ସଙ୍କ ଗୋଦାମରେ  । ଟୋକନ ଟେନସନର ଫାଇଦା ଉଠାଇଛନ୍ତି ଅସାଧୁ ଧାନ ବ୍ୟବସାୟୀ ଓ ମିଲର୍ସ । ଧାନ ବିକ୍ରି ପାଇଁ ଜିଲ୍ଲାର ୯୫ ହଜାର, ୮୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି   । ୧୭୬ ଟି ମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ୩୪ ଲକ୍ଷ,୯ ହଜାର,୭୩ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଛି । କିନ୍ତୁ ତା ପୂର୍ବରୁ କେମିତି ମିଲକୁ ବେଆଇନ ଧାନ ଗଲା ବୋଲି ଚାଷୀ ସଂଗଠନ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛି  । ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଧରାକୋଟ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ଠପ, ଠିକା କାମକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ଆସିକା : ଧରାକୋଟ ବ୍ଲକ୍ ସମେତ ସମସ୍ତ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍ । ନୂଆ ସରକାର ଆସିବାର ୬ମାସ ହେଲାଣି, ହେଲେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇନି । ଏପରିକି ବିଜେଡି ସରକାର ସମୟରେ ଆରମ୍ଭ କରାଯାଇଥିବା କାର୍ଯ୍ୟ ଅଧାରୁ ବନ୍ଦ କରିଦେଇଛନ୍ତି ସରକାର । ସେପଟେ ବିଜେପି-କଂଗ୍ରେସ ଠିକା କାମ ହାତେଇବାକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ମଧ୍ୟରେ ଏବେ ସୃଷ୍ଟି ମୁହାଁମୁହିଁ ପରିସ୍ଥିତି । ବିଜେପି ବିଡିଓଙ୍କୁ ଧମକ ଦେଇ କାର୍ଯ୍ୟ ହାତେଇବାକୁ ଉଦ୍ୟମ ଭିଡିଓ ଭାଇରାଲ ହେବା ପରେ ତାତିଛି କଂଗ୍ରେସ ।

ଘଟଣା ପରେ ଧରାକୋଟ ବ୍ଲକରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଭାଇରାଲ ଭି଼ଡିଓ ସଂପର୍କରେ ସଫେଇ ଦେଇଛନ୍ତି ସାନଖେମୁଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ  ।  ସେ କହିଛନ୍ତି ଯେ ଧରାକୋଟ ବିଡ଼ିଓଙ୍କ ସହ ସେ କଥା ହୋଇଥିଲେ । କିନ୍ତୁ କଂଗ୍ରେସ ଯେଉଁ ଅଭିଯୋଗ ଆଣୁଛି ତାହା ଭିତ୍ତିହୀନ  । ଏପରିକି ଏହି ବ୍ଲକରେ ସମସ୍ତ ନିର୍ବାଚିତ ପ୍ରତିନିଧି କଂଗ୍ରେସ ଦଳର  । ବିଜେପି କୌଣସି କର୍ମୀ ଏହି ବ୍ଲକର କେଉଁଠି ଠିକାଦାର ବି କାମ କରୁନାହିଁ  । କେବଳ କଂଗ୍ରେସ ଦଳ ବ୍ଲକ ରେ ହେଉଥିବା କାମକୁ ଜୋର ଦେଖାଇ ବନ୍ଦ କରୁଛି  । ଏହାର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା  । ବିଜେପି ଶାସନକୁ ଆସିବାର ୬ମାସ ବିତିଲାଣି ହେଲେ ଉନ୍ନୟନମୂଳକ କାର୍ଯ୍ୟ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ସେପଟେ ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲାପରିଷଦ ପର୍ଯ୍ୟନ୍ତ ବିଜେପି କେବଳ ଠିକାଦାରୀ କରି ଲୁଟ୍ ଉଦ୍ୟମକୁ କଂଗ୍ରେସ ନିନ୍ଦା କରିଛି

ଆସିକା ବିଧାୟକଙ୍କ ଆସ୍କା ଫୋର୍ଟି ଚିନ୍ତା

ଭୁବନେଶ୍ବର : ଆସିକା ବିଧାୟକଙ୍କ ଆସ୍କା ଫୋର୍ଟି ଚିନ୍ତା । ବିଧାନସଭାରେ ଆସ୍କା ଚିନିକଳରୁ ଉତ୍ପାଦନ ହେଉଥିବା ସୁରାର ମୂଲ୍ୟକୁ ନେଇ ଆସିକା ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ । ଆସ୍କା ଫୋର୍ଟିର ଦର ୬୦ ଟଙ୍କା ରହିଥିବା କହିଛନ୍ତି ମନ୍ତ୍ରୀ । ଆସିକା ଠାରେ ପ୍ରତିଷ୍ଠିତ ଆସିକା ସମବାୟ ଚିନି ଶିଳ୍ପ ନିଗମ ମୂଖ୍ୟତଃ ଚିନି ଉତ୍ପାଦନ କରିଥାଏ । ଚିନିର ଉତ୍ପାଦନ ମୂଲ୍ୟ ବିକ୍ରୟ ମୂଲ୍ୟଠାରୁ ଅଧିକ ଥିବା ଯୋଗୁଁ କ୍ଷତି ହେଉଛି । ଏହି କ୍ଷତିର ଭରଣା ପାଇଁ ବିକଳ୍ପ ଭାବେ ଏଠାରେ ଦେଶୀ ସୁରା ପ୍ରସ୍ତୁତ କରି ଓଡ଼ିଶା ରାଜ୍ୟ ପାନୀୟ ନିଗମକୁ ଯୋଗାଇ ଦିଆଯାଉଛି । ଓଡ଼ିଶା ରାଜ୍ୟ ପାନୀୟ ନିଗମ ଏହି ଦେଶୀ ସୁରାର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରଦାନ କରିଥାନ୍ତି । ବର୍ତ୍ତମାନ ଏହି ସୁରାର ବୋତଲ ପ୍ରତି ସର୍ବାଧିକ ବିକ୍ରୟ ମୂଲ୍ୟ ୬୦ ଟଙ୍କା ଧାର୍ଯ୍ୟ ଅଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ।

ଗୃହରେ ସାମ୍ବାଦିକଙ୍କ ହକ୍ ପ୍ରସଙ୍ଗ ଉଠାଇଲେ ଗୌତମବୁଦ୍ଧ

ଭୁବନେଶ୍ବର : ସାମ୍ବାଦିକଙ୍କ ହକ୍ ପ୍ରସଙ୍ଗ ଗୃହରେ ଉଠାଇଲେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମାରେ ବାପାମାଆଙ୍କୁ ସାମିଲ ସହ ସାମ୍ବାଦିକଙ୍କ ପାଇଁ ପେନସନ ଲାଗୁ କରିବାକୁ ସେ ଦାବି କରିଛନ୍ତି । ପୂର୍ବରୁ ସରକାର ସାମ୍ବାଦିକମାନଙ୍କ ପାଇଁ ୫ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିଥଲେ । ଦେଶର ୧୭ଟି ରାଜ୍ୟରେ ପେନସନ ବ୍ୟବସ୍ଥା ରହିଛି । ଏହାସହ ଗଣମାଧ୍ୟମ ପ୍ରତିନଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ସରକାର ଦିଅନ୍ତୁ । ପ୍ରେସ ଏକଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଯାଉ । ବେଳେ ବେଳେ ବି ଦେଖିବାକୁ ମିଳୁଛି ଅଫିସର ଓ ସାମ୍ବାଦିକଙ୍କ ମଧ୍ୟରେ କିଛି ବିବାଦ ରହୁଛି। ଯାହା ପାଇଁ ଖବର ସଂଗ୍ରହରେ ବାଧା ମଧ୍ୟ ଉପୁଜୁଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୂଚନା ପ୍ରସାରଣ ବିଭାଗ ରହିଛି । ସେ ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ ବୋଲି କହିଛନ୍ତି ଗୌତମବୁଦ୍ଧ ।

ପୋଲାଭରମ ପ୍ରକଳ୍ପକୁ ଆଦାନୀ କମ୍ପାନୀ ପାଇଁ ନିର୍ମାଣ କରୁଛନ୍ତି ସରକାର : ସପ୍ତଗିରି ଉଲାକା

ନୂଆଦିଳ୍ଲୀ : ଦେଶର ସ୍ବାର୍ଥ ପାଇଁ ନୁହେଁ, ପୋଲାଭରମ ପ୍ରକଳ୍ପକୁ ସରକାର ଆଦାନୀ କମ୍ପାନୀ ପାଇଁ ନିର୍ମାଣ କରୁଛନ୍ତି । ଲୋକସଭାରେ ଶୂନ୍ଯକାଳରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ପ୍ରକଳ୍ପ ଦ୍ବାରା ୧୬୨ଟି ଗାଁ ବୁଡିବ । ହଜାର ହଜାର ଏକର ଜମି ଜଳମଗ୍ନ ହେବ । ପ୍ରକଳ୍ପ ପୂର୍ବରୁ କୌଣସି ସର୍ଭେ କିମ୍ବା ଥଇଥାନ ଘୋଷଣା କରାଯାଇନାହିଁ ବୋଲି ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ସପ୍ତଗିରି । ଆନ୍ଧ୍ରରେ ନାଇଡୁ ସରକାର ଆସିବା ପରେ ଏବେ କାମ ଜୋରସୋରରେ ଚାଲିଛି । କେନ୍ଦ୍ର ସରକାର ମଧ୍ଯ ବଜେଟରେ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ଘୋଷଣା କରି ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ପ୍ରୋତ୍ସାହିତ କରିଛନ୍ତି । ପୂର୍ବ ଡିଜାଇନରେ ପରିବର୍ତ୍ତନ କରି ପୋଲାଭରମ ପ୍ରକଳ୍ପ ନିର୍ମାଣ ହେଉଥିବାବେଳେ ଓଡ଼ିଶା ଭୁବନେଶ୍ବରରୁ ଦିଲ୍ଲୀ ଉଦବେଗ ପ୍ରକାଶ କରି ଆସୁଛି ।

ବିଧାନସଭାରେ ୱାଲଟିୟର ଝଡ଼, ସରକାରଙ୍କୁ କଡା ସମାଲୋଚନା କଲା ବିଜେଡି

ଭୁବନେଶ୍ବର :  ବିଧାନସଭାରେ ୱାଲଟିୟର ଝଡ଼ । ୱାଲଟିୟର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ପ୍ରସଙ୍ଗରେ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ମମତା ନାହିଁ । ୱାଲଟିୟର ଡିଭିଜନ ଯଦି ସାଉଥ ସେଣ୍ଟ୍ରାଲ ରେଲୱେ, ବିଶାଖାପାଟଣା ସହିତ ମିଶାଇ ଦିଆଯାଏ ତେବେ ୨୦ ହଜାର କୋଟି ଟଙ୍କା ଓଡିଶାର ରାଜସ୍ବ ହାନି ହେବ  । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ପୂର୍ବତଟ ରେଳପଥ ହୋଇଥିଲା । ସେହିପରି ୱାଲଟିୟର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ପ୍ରସଙ୍ଗରେ ବିଜେପି ସରକାର ଉପରେ ବର୍ଷିଛି କଂଗ୍ରେସ । ତୁରନ୍ତ ଏ ନିଷ୍ପତ୍ତିରୁ ସରକାର ଓହରିଯାଆନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ୱାଲଟିୟର ଡିଭିଜନ ଯଦି ଆନ୍ଧ୍ରକୁ ଯାଏ ତାହା ଚିନ୍ତାଜନକ । ଏଥିରେ ଓଡିଶା ତାହାର ହକ ହରାଇବ । ଓଡିଶାର ଖଣି, ପାଣି ଲୁଟ କରିବାକୁ ବିଜେପି ସରକାର ଚେଷ୍ଟା ଚଳାଇଛି ବୋଲି ଅଭିଯୋଗ କରିଛନ୍ତି ରାମଚନ୍ଦ୍ର । ଜବାବରେ ଉପମୁଖ୍ଯମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଓଡିଶାର ଗୋଟେ ଇଞ୍ଚ ମଧ୍ୟ ଅଲଗା ରାଜ୍ୟକୁ ଯିବ ନାହିଁ । ଇଷ୍ଟ କୋଷ୍ଟ ତିନୋଟି ଡିଭିଜନକୁ ନେଇ ଚାଲିବ ।

ଆଳୁ ଚାଷକୁ ନେଇ ସରଗରମ ଗୃହ

ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ । ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଶ୍ନ କାଲରେ ଆଳୁ ଚାଷକୁ ନେଇ ସରଗରମ ହୋଇଛି ଗୃହ କାର୍ଯ୍ୟ। ଆଳୁଚାଷ ବିହନକୁ ନେଇ ବିଧାନସଭାରେ ପ୍ରଶ୍ନ ରଖିଥିଲେ ବିରୋଧୀ।ଚଳିତବର୍ଷ କେତେ ଟନ୍ ଆଳୁ ଉତ୍ପାଦନ ପାଇଁ ଧାର୍ଯ୍ୟ ରଖିଛନ୍ତି ସରକାର ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଅଶ୍ବିନୀ ପାତ୍ର । କମ୍ ଖର୍ଚ୍ଚରେ ନଦୀବାଲିରେ ଆଳୁଚାଷ କରିବାକୁ ଚାଷୀଙ୍କୁ ଉତ୍ସାହିତ କରିବେ କି ଉପ-ମୁଖ୍ୟମନ୍ତ୍ରୀ ? ଆଳୁ ସହ ଖମ୍ବଆଳୁ ଚାଷ କରିବାକୁ ଉତ୍ସାହିତ କରିବେ କି ବୋଲି ସେ ପ୍ରଶ୍ନ କରିଥିଲେ । ଆଳୁର ବିକଳ୍ପ ଭାବେ କେଉଁ ପରିବା ବ୍ୟବହାର କରାଯାଇପାରିବ ସେ ଉପରେ ସରକାର ଗବେଷଣା କଲେଣି କି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଗଣେଶ୍ଵର ବେହେରା। ଆଳୁର ଉତ୍ପାଦନ ବଢାଇବା ପାଇଁ ସରକାର କ’ଣ କରୁଛନ୍ତି କହିବେ କି ବୋଲି ସେ ପ୍ରଶ୍ନ କରିଥିଲେ । ଶୀତଳ ଭଣ୍ଡାରକୁ କମର୍ସିଆଲ୍ ନକରି ଡୋମେଷ୍ଟିକ୍ ଅନ୍ତର୍ଭୁକ୍ତ କରିବା ପାଇଁ ଚେଷ୍ଟା କରିବେ କି ବୋଲି ପ୍ରଶ୍ନ କରିଥିଲେ ରାଜେନ୍ଦ୍ର ଢୋଲକିଆ । ରାଜ୍ୟକୁ ସ୍ବାବଲମ୍ବୀ କରିବା ପାଇଁ ଚାଷୀ ଚାହୁଁଛନ୍ତି କିନ୍ତୁ ରାଜ୍ୟ ସରକାର ଆଗେଇ ଆସୁନାହାନ୍ତି । ବିହନ ଦେଲା ପରେ ଚାଷୀ କେତେ ଉତ୍ପାଦନ କଲା, କେତେ ବିକିଲା ଧ୍ୟାନ ଦେଉନାହାନ୍ତି ସରକାର ବୋଲି କହିଥିଲେ ରାମଚନ୍ଦ୍ର କାଡାମ୍ । ଆଳୁଚାଷ ଉପରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ରବି ଋତୁରେ ଆଳୁ ଚାଷ ପାଇଁ ୬୪ କୋଟି ଖର୍ଚ୍ଚ ହୋଇଛି । ୧୫ ହଜାର ୨୩ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଯୋଜନା ହୋଇଛି । ୧୮ଟି ସମବାୟ ଶୀତଳ ଭଣ୍ଡାରରୁ ୨ଟି କାର୍ଯ୍ୟକ୍ଷମ ଅଛି । ଉଦ୍ୟାନ କୃଷି ଅଧୀନରେ ଥିବା ୪ଟି ଶୀତଳ ଭଣ୍ଡାର ବନ୍ଦ ପଡ଼ିଛି । ଘରୋଇ ସଂସ୍ଥା ଭାବେ ଥିବା ୩୩ଟି କାର୍ଯ୍ୟକ୍ଷମ ଅଛି । ସମୁଦାୟ ୧୩୩ ରୁ ୩୫ଟି କାର୍ଯ୍ୟକ୍ଷମ ରହିଛି । ରାଜ୍ୟରେ ପିପିପି ମୋଡରେ ୫୮ଟି ଶୀତଳ ଭଣ୍ଡାର ନିର୍ମାଣ ହେବ । ଏହା ହାଇବ୍ରିଡ୍ ଢାଞ୍ଚାରେ ନିର୍ମାଣ ହେବ । ଯାହା ବିଦ୍ୟୁତ ଓ ସୌର ଚାଳିତ ହେବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।