spot_img
Home Blog Page 1338

ବିସ୍ଫୋରଣରେ ବୁଡିଗଲା ଋଷର କାର୍ଗୋ ଜାହାଜ

ନନ୍ଦିଘୋଷ ବ୍ୟୁରୋ:  ଭୂମଧ୍ୟ ସାଗରରେ ବୁଡିଗଲା ଋଷର କାର୍ଗୋ ଜାହାଜ। ସ୍ପେନ ଓ ଆଲଜେରିଆ ମଧ୍ୟରେ ଜାହାଜଟି ଗତି କରୁଥିବାବେଳେ ଇଞ୍ଜିନ ରୁମରେ ବିସ୍ଫୋରଣ ଘଟିବାରୁ ଘଟିଥିଲା ଦୁର୍ଘଟଣା। ଏନେଇ ସୂଚନା ଦେଇଛି ଋଷର ବୈଦେଶିକ ମନ୍ତ୍ରାଳୟ। ଜାହାଜରେ ଥିବା ୧୪ ଜଣ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ୧୨ ଦିନ ତଳେ ସେଣ୍ଟ ପିଟସବର୍ଗ ପୋର୍ଟରୁ ଉର୍ଷା ମେଜର ନାମକ ଏହି ଜାହାଜ ଯାତ୍ରାରମ୍ଭ କରିଥିଲା। ଜାହାଜରେ ୨ଟି କ୍ରେନ ରହିଥିଲା। ଏହା ଋଷର ପୂର୍ବାଞ୍ଚଳରେ ଥିବା ଭ୍ଲାଦିଭୋସ୍ତକକୁ ଯିବାର ଥିଲା। ଲାଇଫବୋଟ ଥିବାରୁ ୧୪ କ୍ରିଉ ମେମ୍ବର ଉଦ୍ଧାର ହୋଇଯାଇଥିଲେ। ୨ ଜଣ ନିଖୋଜ ଥିବା ସୂଚନା ମିଳିଛି। ୨୦୨୨ ମସିହାରୁ ଉର୍ଷା ମେଜର ଜାହାଜ ଆମେରିକାର କଟକଣା ପରିସରଭୁକ୍ତ ଥିଲା। ୨୦୦୯ରେ ଏହି ଜାହାଜର ନିର୍ମାଣ ହୋଇଥିଲା। ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଏହି ଜାହାଜ ଉପରେ କଟକଣା ଲଗାଇଥିଲା ଆମେରିକା।

ଭାଇ ହେଲା ଭଗାରୀ; ପରସ୍ପର ମଧ୍ୟରେ ହଣାକଟା

ନନ୍ଦିଘୋଷ ବ୍ୟୁରୋ: ଜମିଜମାକୁ କେନ୍ଦ୍ରକରି ଭାଇ ଭାଇ ମଧ୍ୟରେ ହଣାକଟା । ଏଥିରେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁରେ ୩ ଭାଇଙ୍କ ମଧ୍ୟରେ ହୋଇଛି ଏହି ଗଣ୍ଡଗୋଳ।

ସୂଚନା ଅନୁଯାୟୀ, ପୈତୃକ ଜମିରେ ନୂତନ ଘର କରିବା ପାଇଁ ଜମି ଭାଗ ବଣ୍ଟାକୁ ନେଇ ହଣାକଟା ହୋଇଛି। ଧାରୁଆ ଅସ୍ତ୍ର ପରସ୍ପରକୁ ଆକ୍ରମଣ କରିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରା ଯାଇଛି। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ପହଁଚି ଘଟଣାର ଅଧିକ ତଦନ୍ତ କରିଛି। କିଛି ମାସ ହେଲା ଖୋଜାପଲ୍ଲୀ ଗ୍ରାମର ୩ଭାଇ କୈଳାସ ସାହୁ, ଅନାଥ ସାହୁ, କବି ସାହୁ ଙ୍କ ମଧ୍ୟରେ ଜମି ପାଇଁ ଝଗଡା ଲାଗି ରହିଥିଲା ଗତକାଲି ସଂଧ୍ୟାରେ ପାଟି ତୁଣ୍ଡ ପରେ ତାହା ହିଂସାର ରୂପ ନେଇଥିଲା।

ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ ୧୫ ମୃତ

ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନ ପକତିକା ପ୍ରଜାତନ୍ତ୍ର ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ। ବର୍ମଲ ଜିଲ୍ଲାରେ ହୋଇଥିବା ଏୟାରଷ୍ଟ୍ରାଇକରେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ମହିଳା ଓ ଶିଶୁ। ମୃତ୍ୟୁସଂଖ୍ୟା ଅଧିକ ହେବା ଆଶଙ୍କା କରାଯାଉଛି। ଲମନ ଗାଁ ସମେତ ୭ଟି ଗ୍ରାମକୁ କରାଯାଇଥିଲା ଟାର୍ଗେଟ। କେବଳ ଲମନ ଗାଁର ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଛି। ବୋମାବର୍ଷଣରେ ସାମିଲ ହୋଇଥିଲେ ପାକିସ୍ତାନୀ ଜେଟ୍। ବର୍ମଲର ମୁର୍ଗବଜାର ଗାଁ ଧୂଳିସାତ ହୋଇଛି। ଆକ୍ରମଣର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି।

ରିପୋର୍ଟ ଅନୁଯାୟୀ, ଏହାର ଜବାବ ଦିଆଯିବ ବୋଲି ଧମକ ଦେଇଛି ତାଲିବାନର ପ୍ରତିରକ୍ଷା ମନ୍ତ୍ରାଳୟ। ଏହି ଭୂଖଣ୍ଡର ସାର୍ବଭୋମର ସୁରକ୍ଷା କରାଯିବ ବୋଲି କହିଛି ତାଲିବାନ। ବିଶେଷ କରି ୱାଜିରସ୍ତାନୀ ଶରଣାର୍ଥୀଙ୍କୁ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି। ତେବେ ତାଲିବାନର କେତେକ ଆଡ୍ଡାସ୍ଥଳୀ ଉପରେ ଏହି ହମଲା କରାଯାଇଥିବା କୁହାଯାଇଛି। ଏହି ବୋମା ମାଡକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ଯରେ ସମ୍ପର୍କ ତିକ୍ତ ହୋଇଛି। ପାକିସ୍ତାନ ବାହିନୀ ଉପରେ ତେହରିକ-ଇ-ତାଲିବାନ ପାକିସ୍ତାନ ବା ଟିଟିପିର ଆକ୍ରମଣ ବଢୁଥିବାରୁ ଏହାର ଜବାବ ଦେଇଛି ପାକିସ୍ତାନ।

ଧରାବତରଣ କଲେ ପ୍ରଭୁ ଯୀଶୁ, ସବୁଠି ଉତ୍ସାହର ମାହୋଲ

ଭୁବନେଶ୍ୱର: ଧରାବତରଣ କଲେ ପ୍ରଭୁ ଯୀଶୁ। ବଡ଼ଦିନ ପାଇଁ ସବୁଠି ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ଚର୍ଚ୍ଚ ମାନଙ୍କରେ ଭିଡ଼ ଜମାଇଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ବିଭିନ୍ନ ଚର୍ଚ୍ଚରେ ପାଳିତ ହୋଇଛି ପ୍ରଭୁ ଯୀଶୁଙ୍କ ଜନ୍ମ ଉତ୍ସବ। ସାମୂହିକ ପ୍ରାର୍ଥନା ସହିତ ବାଇବେଲ ପାଠ ହୋଇଛି। ଚର୍ଚ୍ଚକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଛି ଦିବସ। ବଡ଼ଦିନ ଲାଗି ପୁରପଲ୍ଲୀ, ସହର ସବୁଠି ଉତ୍ସାହ।

ସେହିଭଳି ଦେଶରେ ବିଭିନ୍ନ ଜାଗାରେ ଧୁମଧାମରେ ବଡ଼ ଦିନ ପାଳନ କରାଯାଉଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ପରି ବିଭିନ୍ନ ସହରରେ ଥିବା ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି ।

୩୦୦ ଫୁଟ ଗଭୀର ଘାଇକୁ ଖସିଲା ଆର୍ମି ଟ୍ରକ, ୫ ଯବାନ ମୃତ

ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ପୁଞ୍ଚରେ ବଡ଼ ଧରଣର ଅଘଟଣ। ୩୦୦ ଫୁଟ ଗଭୀର ଘାଇକୁ ଖସିଲା ଏକ ଆର୍ମି ଟ୍ରକ । ଦୁର୍ଘଟଣାରେ ୫ ଯବାନଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ଯାରେ ଘାରୋଆ ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ୬ଟି ଟ୍ରକରେ ଯବାନମାନେ ବାନୋଇକୁ ଯାଉଥିବାବେଳେ ବାଟରେ ଘଟିଥିଲା ଅଘଟଣ। ମୃତାହତ ଯବାନମାନେ ହ୍ବାଇଟନାଇଟ କର୍ପ୍ସର ଯବାନ ଥିଲେ। ଏହି ଦୁର୍ଘଟଣାର ତଦନ୍ତ କରାଯାଉଛି।

ସମ୍ଭବତଃ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ଏହି ଅଘଟଣ ପଛରେ ଆତଙ୍କବାଦୀ ହାତ ନଥିବା ସୂଚନା ମିଳିଛି। ଏହି ଘଟଣାରେ ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଇଛି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

ନାଫିଥ୍ରୋମାଇସନ ଆଣ୍ଟିବାୟୋଟିକ ଦେବ ୧୦ ଗୁଣା ଲାଭ

ନନ୍ଦିଘୋଷ ବ୍ୟୁରୋ: ଆଣ୍ଟିବାୟୋଟିକର ବହୁଳ ବ୍ୟବହାର ଯୋଗୁ ଲୋକଙ୍କ ଦେହରେ ବଢୁଛି ଡ୍ରଗ ରେଜିଷ୍ଟାନ୍ସ୍ । କୋଭିଡରେ ବ୍ୟବହାର ହେଉଥିବା ମାକ୍ରୋଲାଇଡ୍ସ୍, ଆଜିଥ୍ରୋମାଇସିନ୍ ଆଉ କାମ ଦେଉନି । ଏହାର ଉପଚାର ବାହାର କରିଛନ୍ତି ଭାରତୀୟ ବୈଜ୍ଞାନିକ । ୩୦ ବର୍ଷର ଗବେଷଣା ପରେ ଆବିଷ୍କାର ହୋଇଛି ନୂଆ ଆଣ୍ଟିବାୟୋଟିକ୍ ନାଫିଥ୍ରୋମାଇସିନ୍ । ଯାହାକି ଶ୍ବାସ ଜନିତ ସଂକ୍ରମଣ ରୋଗ ଓ ଅନ୍ୟ ସଂକ୍ରମଣ ଜନିତ ରୋଗକୁ ଭଲ କରିବାରେ ଅବ୍ୟର୍ଥ ସାବ୍ୟସ୍ତ ହୋଇପାରେ । ତେବେ ବିଶ୍ବ ସ୍ତରରେ ଏହାର ଆଦୃତି କେତେ ହେବ ସେ ନେଇ ଏ ପର୍ଯ୍ୟନ୍ତ ଗବେଷଣା ହୋଇନି । ବିଶେଷଜ୍ଞଙ୍କ ମତ ଆସନ୍ତା ବର୍ଷ ଆଡ଼କୁ ଭାରତୀୟ ବଜାରରେ ଏହି ନୂଆ ଆଣ୍ଟିବାୟୋଟିକ ଉପଲବ୍ଧ ହେଲେ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ।

କାଳ ହେଲାଣି ଆଣ୍ଟିବାୟୋଟିକର ମନଇଚ୍ଛା ବ୍ୟବହାର । ଆଜିଥ୍ରୋମାଇସିନ୍ ଓ ମାକ୍ରୋଲାଇଡ୍ସ ଆଣ୍ଟିବାୟୋଟିକ୍ସ ଏବେ ଲୋକଙ୍କୁ ଧରୁନି । ଗୋଷ୍ଠୀଗତ ଭାବେ ଲୋକଙ୍କ ଦେହରେ ଚରିଗଲାଣି ଆଣ୍ଟି ମାଇକ୍ରୋବାୟାଲ ରେଜିଷ୍ଟାନସ୍ ବା AMR । ୩୦ ବର୍ଷର ଗବେଷଣା ପରେ ଭାରତୀୟ ବୈଜ୍ଞାନିକ ବାହାର କରିଛନ୍ତି ନୂଆ ଆଣ୍ଟିବାୟୋଟିକ ନାଫିଥ୍ରୋମାଇସିନ୍ । ଭାରତୀୟ ଫାର୍ମାସ୍ଯୁଟିକାଲ କମ୍ପାନୀ ଓ୍ବାକର୍ହଡ଼୍ ଦ୍ବାରା ପ୍ରସ୍ତୁତ ବ୍ରାଣ୍ଡ୍ ‘ମିକ୍ନେଫ’ । ଯାହାକି ଗୋଷ୍ଠୀଗତ ଡ୍ରଗ ରେଜିଷ୍ଟାନସ୍ ବିରୋଧରେ କାମ କରିପାରିବ । ଆଜିଥ୍ରୋମାଇସିନ୍ ବର୍ଗର ଯେଉଁ ଔଷଧ ରୋଗୀକୁ ଯଦି କାମ ଦେବନି । ସେହି ବ୍ୟକ୍ତିକୁ ଏହି ନୂଆ ଆଣ୍ଟିବାୟୋଟିକ ଅମୋଘ ଅସ୍ତ୍ର ଭଳି ୧୦ ଗୁଣ ରୋଗ ଉପଶମ କରିପାରିବ ।

ଶ୍ବାସଜନିତ ସଂକ୍ରମଣ ଓ ଅନ୍ୟ ସଂକ୍ରମଣ ରୋକିବାରେ ଏହି ଔଷଧକୁ ସଫଳତାର ସହ ବ୍ୟବହାର କରିହେବ । କୋଭିଡ ପରେ ସାଧାରଣତଃ ଛୋଟ ପିଲା ଓ ବୟସ୍କଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ଦେଖାଦେଉଛି । ନୂଆ ଆଣ୍ଟିବାୟୋଟିକ୍ ସୁରକ୍ଷିତ ଓ କମ ପାର୍ଶ୍ବ ପ୍ରତିକ୍ରିୟା କରୁଥିବା ଗବେଷଣାରୁ ଜଣାପଡ଼ିଛି । ଭେଷଜ ବିଶେଷଜ୍ଞଙ୍କ ମତ ଯେ କୌଣସି ଔଷଧକୁ ଡାକ୍ତରଙ୍କ ବିନା ପରାମର୍ଶରେ ମାତ୍ରାଧିକ ଓ ଅଧିକ ଦିନ ଧରି ବ୍ୟବହାର କଲେ ସମ୍ପୃକ୍ତ ବ୍ୟକ୍ତି ଦେହରେ ସେହି ଔଷଧ ଆଉ କାମ କରିବନି । ନୂଆ ଆଣ୍ଟିବାୟୋଟିକକୁ ଯଦି ଲୋକେ ମନଇଚ୍ଛା ବ୍ୟବହାର କରିବେ ତାକୁ ପ୍ରତିହତ କରିବା ପାଇଁ ମାଇକ୍ରୋଅଣୁଜୀବ ବା AMR ସକ୍ଷମ ହେବେ ।

ବରିଷ୍ଠ ନ୍ୟୁରୋ ସର୍ଜନଙ୍କ ମତରେ ଭାରତୀୟ ବୈଜ୍ଞାନିକଙ୍କ ଏହି ଗବେଷଣା ଏବେ ବିଶ୍ବସ୍ତରରେ ମାନ୍ୟତା ପାଇନି । ସାଧାରଣତଃ ଗୋଟିଏ ପ୍ରକାର ଆଣ୍ଟିବାୟୋଟିକ ଉଦ୍ଭାବନ ପାଇଁ ବହୁ ବର୍ଷ ଲାଗିଥାଏ ।  ପ୍ରଥମେ ଏହାକୁ ପଶୁମାନଙ୍କ ଦେହରେ ପ୍ରୟୋଗ କରାଯାଇ ଅଧ୍ୟୟନ କରାଯାଏ । ପରେ ପଶୁ ଓ କିଛି ମଣିଷ । ଗୋଷ୍ଠୀଗତ ଭାବେ ପରୀକ୍ଷାନିରୀକ୍ଷା ପରେ ବିଶ୍ବସ୍ତରରେ ଚୟନ ହୋଇଥିବା ଦେଶର ଅଧିକାଂଶ ଲୋକଙ୍କ ସହମତି ଆଧାରରେ ଏହାକୁ ପ୍ରୟୋଗ କରି ଏହାର ଆରୋଗ୍ୟ କ୍ଷମତା ଚୂଡ଼ାନ୍ତ ହୋଇଥାଏ । ନୂଆ ଆଣ୍ଟିବାୟୋଟିକ ଏ ପର୍ଯ୍ୟନ୍ତ ବିଶ୍ବସ୍ତରରେ ଓ ବିଶେଷକରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନ୍ୟତା ପାଇବା ବାକି ଅଛି । ତେଣୁ ଏହା ଉପରେ ଆହୁରି ଅଧିକ ଗବେଷଣା ଜାରି ଅଛି । ଯଦି ଭାରତୀୟଙ୍କ ଦେହରେ ନୂଆ ଔଷଧ କାମ ଦେବ ସମାନ ଔଷଧ ଅନ୍ୟଦେଶର ଲୋକଙ୍କ ଦେହରେ ସଫଳତାର ସହ କାମ ଦେବ ବୋଲି ଗ୍ୟାରେଣ୍ଟି ନାହିଁ । ଏ ନେଇ ଅଧିକ ଅଧ୍ୟୟନ ଆବଶ୍ୟକ ।

ଗୋଟିଏ କଥା ସ୍ପଷ୍ଟ ଯେ କୌଣସି ଔଷଧକୁ ଡାକ୍ତରଙ୍କ ବିନା ପରାମର୍ଶରେ ବ୍ୟବହାର କରିବା ଆଦୌ ଅନୁଚିତ । ରୋଗ ହେଲେ ଆବଶ୍ୟକ ନ ପଡ଼ିଲେ ଆଣ୍ଟିବାୟୋଟିକ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ । କାରଣ ଆଣ୍ଟିବାୟୋଟିକ ଖରାପ ଜୀବାଣୁକୁ ନଷ୍ଟ କରିବା ସହିତ ଶରୀରରେ ଥିବା ଭଲ ଜୀବାଣୁକୁ ବି ନଷ୍ଟ କରି ଦେହକୁ ଦୁର୍ବଳ କରିଦେଇଥାଏ ।

ସାମ୍ନାକୁ ଆସିଲା ମିଲର୍ସଙ୍କ ଦାଦାଗିରି, ମଣ୍ଡିରେ କାନ୍ଦୁଛି ଚାଷୀ

ସଂଚାର ବ୍ୟୁରୋ: ବରଗଡ଼ରୁ ବଲାଙ୍ଗୀର, ସମ୍ବଲପୁରରୁ ସୁନ୍ଦରଗଡ଼, ସବୁଠି ଧାନ କିଣାକୁ ନେଇ ମଣ୍ଡିରେ ଅବ୍ୟବସ୍ଥା। କେଉଁଠି ଏଫଏକ୍ୟୁ ନାଁରେ କଟନି ଛଟନି ତ କେଉଁଠି ଓଜନରେ ଠକେଇ ଅଭିଯୋଗ। ମଣ୍ଡିରେ ବସ୍ତା ବସ୍ତା ଧାନ ବର୍ଷାରେ ନଷ୍ଟ ହେଉଥିବା ବେଳେ ବିଭିନ୍ନ ଜାଗାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ସମସ୍ୟା ଘେରରେ ଚାଷୀକୂଳ ଥିବା ବେଳେ ସରକାର ଚାଷୀଙ୍କ ସହ ଅଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି। ବର୍ଷା ଯୋଗୁଁ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ରାଜସ୍ବ ମନ୍ତ୍ରୀ କହିଥିବା ବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ମଣ୍ଡିରେ ବ୍ୟବସ୍ଥା କରାଯିବ , କୋହଳ ହେବ ଧାନ କିଣା କଟକଣା। ରାଜ୍ୟର ବିଭିନ୍ନ ଜାଗାରେ ଚାଷୀକୂଳ ତେଜିବା ଆରମ୍ଭ କରିଥିବା ବେଳେ ସରକାରଙ୍କ ଆଶ୍ବାସନାକୁ ସେମାନେ ଭରସା କରିପାରୁନାହାଁନ୍ତି ।

ମଣ୍ଡିରେ କାନ୍ଦୁଛି ଚାଷୀ। ସାମ୍ନାକୁ ଆସିଲା ମିଲର୍ସଙ୍କ ଦାଦାଗିରି। ସମ୍ବଲପୁରରେ ଚାଷୀଙ୍କ ପିଛା ଛାଡୁନି ସମସ୍ୟା। କଟନି ଛଟନି ଯୋଗୁଁ ହନ୍ତସନ୍ତ ଚାଷୀ।.ସମ୍ବଲପୁରରେ ଧାନ ବିକ୍ରି ପରେ ମିଲର ଫେରାଇଦେବାରୁ ମଣ୍ଡିରେ ଧାନ ଢାଳି କାନ୍ଦୁଛନ୍ତି ଚାଷୀ ଚୈତନ୍ୟ ମେହେର। ବିଭିନ୍ନ ମଣ୍ଡିରେ ଖୋଲା ଆକାଶ ତଳେ ବର୍ଷାରେ ଭିଜୁଛି ବସ୍ତା ବସ୍ତା ଧାନ। ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବରଗଡ଼ରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ୨୦ ତାରିଖରୁ ଧାନ କିଣା ଆରମ୍ଭରୁ ହିଁ ଲାଗିରହିଛି ସମସ୍ୟା। ଏପରି ସ୍ଥିତିରେ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି ପ୍ରଶାସନ। ବଲାଙ୍ଗୀରରେ ମଧ୍ୟ ସମାନ ଅବସ୍ଥା। ସରକାରଙ୍କୁ ଧାନ ବିକିବାକୁ ଚାଷୀ ରାତି ରାତି ଉଜାଗର ହେଉଥିବା ବେଳେ ମଣ୍ଡିରୁ ଉଠିପାରୁନି ଧାନ। ମଣ୍ଡିରୁ ମଣ୍ଡି ବୁଲିବୁଲି ମନ୍ତ୍ରୀମାନେ ସ୍ଥିତିର ତଦାରଖ କରିବା ପ୍ରତିଶୃତି ପାଣିର ଗାର ହୋଇଛି। ମଣ୍ଡିରେ ବାସ୍ତବ ଚିତ୍ର ହେଲା ଚାଷୀଙ୍କୁ ଶୋଷଣ, ଟୋକନ ଟେନସନ ଏବଂ କଟନି ଛଟନିର ଯନ୍ତ୍ରଣା।

ଚାଷୀଙ୍କ ଧାନକୁ ସୁରକ୍ଷିତ ରଖିବାର କିଛି ବ୍ୟବସ୍ଥା ନାହିଁ ବୋଲି ରାଜସ୍ବ ମନ୍ତ୍ରୀ ସ୍ବୀକାର କରିଛନ୍ତି । ଚାଷୀ ବଢୁଥିବା ବେଳେ ଜମି କମୁଥିବାରୁ ଧାନ ସୁରକ୍ଷିତ ରଖିବାର ଦାୟିତ୍ବ ନିଜେ ଚାଷୀ ନିଅନ୍ତୁ ବୋଲି ମନ୍ତ୍ରୀ କହିବା ସହ ଧାନ ନଷ୍ଟ ହେଲେ ସରକାର ନିୟମ ମୁତାବକ କ୍ଷତିପୂରଣ ଦେବେ ବୋଲି ଆଶ୍ବାସନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ଖାଦ୍ୟ ଯୋଗାଣ ମନ୍ତ୍ରୀ ମଧ୍ୟ ମଣ୍ଡିରେ ଅବ୍ୟବସ୍ଥାକୁ ପରୋକ୍ଷରେ ସ୍ବୀକାର କରିବା ସହ ଏଫଏକ୍ୟୁ ମାନରେ କୋହଳ ହେବ ବୋଲି କହିଛନ୍ତି। ଟୋକନ ଅବଧି ସରିଗଲେ ଆଉ ୧୫ ଦିନ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ବି କିଛି ଜାଗାରେ ମଣ୍ଡି ଖୋଲିନଥିବା ବେଳେ ଏଥିପାଇଁ ଖରାପ ପାଗକୁ ଦାୟୀ କରିଛନ୍ତି ବିଭାଗୀୟ ମନ୍ତ୍ରୀ। ଏବେ ସୁଦ୍ଧା ଦେଢ ଲକ୍ଷ ଚାଷୀଙ୍କ ଠାରୁ ସାଢେ ୭ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ୨୧ଶହ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି।

 

ରଘୁବର ଦାସଙ୍କ ଇସ୍ତଫା, ଡକ୍ଟର ହରିବାବୁ କମ୍ଭାମପତି ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ

ନନ୍ଦିଘୋଷ ବ୍ୟୁରୋ: ଇସ୍ତଫା ଦେଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି। ରଘୁବର ଦାସଙ୍କ ଇସ୍ତଫା ପରେ ଡକ୍ଟର ହରିବାବୁ କମ୍ଭାମପତିଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ପୂର୍ବରୁ ମିଜୋରମର ରାଜ୍ୟପାଳ ଥିଲେ ହରିବାବୁ କମ୍ଭାମପତି। ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସେ ଆନ୍ଧ୍ରର ରାଜ୍ୟ ବିଜେପି ସଭାପତି ଥିଲେ। ଲୋକସଭାକୁ ବି ଥରେ ନିର୍ବାଚିତ ହୋଇଥିଲେ। କାହିଁକି ରଘୁବର ଦାସ ଇସ୍ତଫା ଦେଲେ। ତାକୁ ନେଇ ନାନା ଥିଓରି କୁହାଯାଉଛି।

 

 

 

ବସ୍ ରୁ ବାହାରିବ ଅମ୍ଲଜାନ, ହ୍ରାସ କରିବ ପ୍ରଦୂଷଣ

ନନ୍ଦିଘୋଷ ବ୍ୟୁରୋ: ପ୍ରଦୂଷଣ ହ୍ରାସ କରିବ ବସ୍ । ପରିବେଶକୁ ରକ୍ଷା କରିବ। ବସ୍ ରୁ ବାହାରିବ ଅମ୍ଲଜାନ। ୧୮ ହଜାର ଗଛ ଦିନକୁ ଯେତେ ଅମ୍ଲଜାନ ଦିଅନ୍ତି, ଗୋଟିଏ ବସ୍ ସେତିକି ଅମ୍ଲଜାନ ଦେବ। ପରିବେଶ ପ୍ରଦୂଷଣ କରୁଥିବା ଅଙ୍ଗାରକାମ୍ଲ ଦାଉରୁ ଜୀବଜଗତକୁ ରକ୍ଷା କରିବ ସବୁଜ ଉଦଜାନ ଚାଳିତ ବସ୍। ଓଡ଼ିଶାରେ ଏପରି ବସ୍ ଚଳାଚଳ କରିବାକୁ ଯୋଜନା କରାଯାଇଛି। ଆଗରୁ ଲଦାଖ ଓ ଦିଲ୍ଲୀରେ ଏହି ସବୁଜ ଉଦଜାନ ଚାଳିତ ବସ୍ ଚଳାଚଳ କରୁଛି। ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ପରିବେଶବିତ୍।

ଯେଉଁ ବସ୍ ପରିବେଶ ପ୍ରଦୂଷଣରେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲା ସେହି ବସ୍ ଏବେ ଜୀବନ ରକ୍ଷାକାରୀ ଅମ୍ଳଜାନ ଯୋଗାଇବ। ୧୮ ହଜାର ଗଛ ଦୈନିକ ଯେତିକି ଅମ୍ଳଜାନ ଦିଅନ୍ତି, ଗୋଟିଏ ବସ୍ ଦିନକରେ ସେତିକି ଅମ୍ଳଜାନ ଦେବ।  ଯାତ୍ରୀ ପରିବହନ ସହ ପରିବେଶ ସୁରକ୍ଷା ଓ ଜୀବନ ରକ୍ଷା ଦିଗରେ କାମ କରିବ ଏହି ନୂଆ ସବୁଜ ଉଦଜାନ ଚାଳିତ ବସ୍ । ଖାଲି ସେତିକି ନୁହେଁ ଏହି ବସ୍ ପାଇଁ ଉଦଯାନ ପ୍ରସ୍ତୁତ ହେବ ପ୍ରଦୂଷିତ ବା ସ୍ଵେରେଜ ଜଳରୁ। ଏହା ଦ୍ଵାରା ବାୟୁ ଓ ଜଳ ପ୍ରଦୂଷଣକୁ ମଧ୍ୟ ରୋକାଯାଇ ପାରିବ। ବିଶ୍ୱ ଉତ୍ତାପନ ବୃଦ୍ଧି ଓ ପରିବେଶ ପ୍ରଦୂଷଣ ଏବେ ଚିନ୍ତାର କାରଣ ସାଜିଥିବା ବେଳେ ଓଡ଼ିଶାରେ ଚାଲିବାକୁ ଥିବା ଏହି ଉଦଜାନ ବସ୍ ଏବେ ନୂଆ ଆଶାର ସଂଚାର କରିଛି।

ଅଗଷ୍ଟ ୧୫ ସୁଦ୍ଧା ଭୁବନେଶ୍ୱରରେ ଏହି ବସ ଚାଲିବ ବୋଲି ଏନଟିପିସି ପକ୍ଷରୁ କୁହାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୩ଟି ବସ୍ ଚାଲିବ, ପରେ ଆସିବ ଆଉ ଦୁଇଟି ବସ୍ ।  ତିନୋଟି ବସ ଚାଲିବାକୁ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଚାଲିବ ଆଉ ଦୁଇଟି।  ଭୁବନେଶ୍ୱର ସହ ପରବର୍ତ୍ତୀ ପର୍ଯ୍ୟାୟରେ ପୁରୀ, କଟକରେ ମଧ୍ୟ ଏପରି ବସ୍ ଚଳାଚଳ କରାଯିବ। ବସ୍ ରେ ଭାଇବ୍ରେସନ ହେବନି କି ନଏଜ ହେବନି। ଥରେ ଉଦଜାନ ଭର୍ତ୍ତି ହେଲେ ଏହା ୬୦୦ କିଲୋମିଟର ଯିବ । ଗଛ ଲଗାଯାଏ ଅମ୍ଳଜାନ ପାଇଁ କିନ୍ତୁ ଏ ପଦ୍ଧତିରେ କେତେ ଗୁଣ ଅଧିକ ଅମ୍ଳଜାନ ମିଳିବ। ଏମିତି ଯେତେ ବସ୍ ଚାଲିବ, ଅଙ୍ଗାରକାମ୍ଳ ନିର୍ଗମନ ସେତେ କମିବ ବୋଲି ଏନଟିପିସି ପକ୍ଷରୁ କୁହାଯାଇଛି।

ମାତ୍ରାଧିକ ଅଙ୍ଗାରକାମ୍ଳ ନିର୍ଗମନ ସାରା ବିଶ୍ଵର ଚିନ୍ତା ବଢାଇଛି। ଅଧିକ ଅଙ୍ଗାରକାମ୍ଲ ନିର୍ଗମନ ଯୋଗୁଁ ତାପମାତ୍ରା ବଢୁଛି, ଜଳବାୟୁ ପରିବର୍ତ୍ତନ ହେଉଛି, ପ୍ରାକୃତିକ ବିପର୍ଯ୍ୟୟ ବଢୁଛି ବୋଲି ପରିବେଶବିତ କହିଛନ୍ତି। ୟୁରୋପ ଓ ଆମେରିକାରେ ଏଭଳି ଉଦଜାନ ବ୍ୟବହାର ହେଉଛି। ସବୁ ସମସ୍ୟାର ମୂଳ ହେଲା ଅଙ୍ଗାରକାମ୍ଳ। କୋଇଲା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ବ୍ୟବହାର ଯୋଗୁଁ ଅଙ୍ଗାରକାମ୍ଲ ବଢି ଚାଲିଛି। ଏଭଳି ପରିବେଶରେ ରହୁଥିବା ଲୋକଙ୍କ ଆୟୁଷ କମିଯାଉଛି ୧୦ ରୁ ୧୨ ବର୍ଷ । ବସ୍ ସହ ଧୀରେ ଧୀରେ କଳକାରଖାନା, ଟ୍ରକ, ରେଳ ବି ଉଦଜାନରେ ଚାଲିବ। ପରିବେଶ ରକ୍ଷା ପାଇଁ ଏକ ଶୁଭ ସଂକେତ ବୋଲି ପରିବେଶବିତ କହିଛନ୍ତି । ଭୁବନେଶ୍ଵର ଗାଡ଼କଣ ସିଟି ବସ ଚାର୍ଜିଙ୍ଗ ଷ୍ଟେସରେ ଉଦଯାନ ପ୍ରସ୍ତୁତି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ଯୋଜନା ହୋଇଛି। ଆଞ୍ଚଳିକ ସୁରକ୍ଷା ମଞ୍ଚ ଏହାକୁ ସ୍ୱାଗତ କରିଥିଲେ ମଧ୍ୟ ଏଭଳି ଏକ ପରିବେଶ ରକ୍ଷାକାରୀ ଵ୍ୟଵସ୍ଥାର ସଠିକ କ୍ରିୟାନ୍ଵୟନ ଉପରେ ଗୁରୁତ୍ୱ ଦେଇଛି।

ସୌର ଓ ପବନରୁ ଆସୁଥିବା ଶକ୍ତିରେ ସବୁଜ ଉଦଜାନ ବାହାରେ । ଚନ୍ଦ୍ରପୃଷ୍ଠକୁ ଯେତେବେଳେ ଆମେରିକାର ମହାକାଶଯାନ ଆପୋଲୋ ଯାଇଥିଲା, ସେଥିରେ ଇନ୍ଧନ ଭାବେ ଉଦଜାନ ବ୍ୟବହାର ହୋଇଥିଲା। ଉଦଯାନ ଚାଳିତ ବସ୍ ନନଷ୍ଟପ୍ ୬୦୦ କିଲୋମିଟର ଚାଲିବ। ଇଭି ଅପେକ୍ଷା ଏହା ଆହୁରି ଲାଭପ୍ରଦ ହେବ ବୋଲି କୁହାଯାଉଛି।

ଘରୋଇ ବୋଟ ଉପରେ ପାଉନି ପର୍ଯ୍ୟଟକଙ୍କ ଭରସା

ନନ୍ଦିଘୋଷ ବ୍ୟୁରୋ: ପର୍ଯ୍ୟଟନ ଋତୁରେ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ପର୍ଯ୍ୟଟକ ମାନଙ୍କ ନୌବିହାର ପାଇଁ ସରକାରୀ ଏବଂ ଘରୋଇ ବୋଟ ଥିବା ବେଳେ ଘରୋଇ ବୋଟ ଉପରୁ ପର୍ଯ୍ୟଟକ ଙ୍କ ଭରସା ତୁଟିଛି । ଗତ ରବିବାର ଭିତରକନିକା ନଦୀ ମଝିରେ ପର୍ଯ୍ୟଟକଙ୍କୁ ନୌବିହାର ପାଇଁ ଯାଇଥିବା ଘରୋଇ ବୋଟ ଅଚଳ ହେବା, ପର୍ଯ୍ୟଟକ ୩ ଘଣ୍ଟା ପରେ ଉଦ୍ଧାର ହେବାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପରିବେଶବିତ୍ ।

ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ଭିତରକନିକା  । ଲୁଣା ଜଙ୍ଗଲ, ବଉଳା କୁମ୍ଭୀର, ହରିଣ ଓ ବାରାହା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରେ । ଭିତରକନିକାକୁ ଭାରତର ମିନି ଆମାଜନ ବୋଲି କୁହାଯାଏ । ପର୍ଯ୍ୟଟକମାନେ ବୋଟରେ ନୌ ବିହାର ସମୟରେ ନଦୀ ପଠାରେ ପଡ଼ି ଖରା ଖାଉଥିବା ବଉଳା କୁମ୍ଭୀରଙ୍କୁ ଦେଖବା ମଜା ନିଆରା । ଭିତରକନିକାରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ମାନଙ୍କ ଭିଡ଼ ଜମିଥାଏ । କିନ୍ତୁ  ପର୍ଯ୍ୟଟକ ମାନଙ୍କୁ ନୌ ବିହାର ପାଇଁ ଥିବା ଘରୋଇ ବୋଟ ଉପରେ ପର୍ଯ୍ୟଟକଙ୍କ ଭରସା ପାଉନି । ଗତ ଡିସେମ୍ଵର ୨୨ ତାରିଖରେ ଭିତରକନିକା ଡ଼ାଙ୍ଗମାଳ ବୁଲି ଫେରିବା ବେଳେ ୨ଟି ଘରୋଇ ବୋଟ୍ ନଦୀ ମଝିରେ ଅଚଳ ହୋଇଥିଲା । କୁମ୍ଭୀରିଆ ନଦୀରେ ୨ଟି ବୋଟ ସହ ଭୁବନେଶ୍ୱରରୁ ବୁଲିବାକୁ ଆସିଥିବା ବରିଷ୍ଠ ନାଗରିକ ୩ ଘଣ୍ଟା ଧରି ଫସି ରହିଥିଲେ । ଯେଉଁଥି ପାଇଁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜଳଯାତ୍ରା ମଧ୍ୟରେ ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଅନୁଭୁତି ନିଆରା । ସେଥିପାଇଁ ପର୍ଯ୍ୟଟକଙ୍କ ପାଇଁ ସରକାରୀ ଓ ବେସରକାରୀ ବୋଟର ବ୍ୟବସ୍ଥା ରହିଛି । ଭିତରକନିକାକୁ ପ୍ରବେଶ କରିବା ପାଇଁ ଡାଙ୍ଗମାଳ, ଗୁପ୍ତି, ଖୋଳା ଓ ଚାନ୍ଦବାଲି ଦେଇ ପ୍ରବେଶ ପଥରେ ବନବିଭାଗ ପକ୍ଷରୁ ୧୭ଟି ଏବଂ ୫୭ଟି ଘରୋଇ ବୋଟ ରହିଛି । ଅଧିକାଂଶ ପର୍ଯ୍ୟଟକ ଘରୋଇ ବୋଟ ଉପରେ ନିର୍ଭର କରୁଥିବା ବେଳେ ନଦୀ ମଧ୍ୟରେ ଘରୋଇ ବୋଟ ଅଚଳ ହେବା ଏବଂ ପୁରୁଣା ଇଂଜିନରେ ବୋଟ ଗୁଡ଼ିକ ଚାଲୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭିତରକନିକା ଇତିହାସରେ ପ୍ରଥମ ଘଟଣା । ଆଗକୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଭିତରକନିକା ନଦୀରେ ପାଟ୍ରୋଲିଂ ଟିମ୍ ରହିବେ ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।