spot_img
Home Blog Page 1306

ଓଡ଼ିଶାକୁ ଅଣଦେଖା, ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼

ଭୁବନେଶ୍ବର : ନିର୍ବାଚନ ସରିଲା, ଅସ୍ମିତା ଚୁଲିକି ଗଲା। ଡବଲ ଇଞ୍ଜିନ ସରକାରଙ୍କୁ ଘେରିଲା ବିଜେଡି।କର୍ତ୍ତବ୍ୟ ପଥରେ କାହିକିଁ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼ ? ଟାର୍ଗେଟ କଲା କଂଗ୍ରେସ। ଉତ୍ତର ରଖିଲା ବିଜେପି। ପୁଣି ଡ଼ବଲ ଇଂଜିନ ସରକାରରେ ଓଡ଼ିଶାକୁ ଅଣଦେଖା।ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼।ଓଡ଼ିଶା ମଡ଼େଲକୁ କେନ୍ଦ୍ରର ପ୍ରତ୍ୟାଖାନ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି।ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଡବଲ ଇଂଜିନ ସରକାର ଅସ୍ମିତା କଥା ଉଚ୍ଚାରଣ କରୁଛନ୍ତି କିନ୍ତୁ ଆଚରଣରେ ତାହା ପ୍ରତିଫଳିତ ହେଉନି।କର୍ତ୍ତବ୍ୟ ପଥରେ ଓଡିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଲେ ସାରା ବିଶ୍ୱ ଏହାକୁ ଦେଖିବ।ଓଡ଼ିଆ କଳା, ସଂସ୍କୃତି,ପରମ୍ପରାର ଝଲକ ଦେଖିଥାନ୍ତା।ତେଣୁ କର୍ତ୍ତବ୍ୟ ପଥରେ ଓଡିଶାର ପ୍ରଜ୍ଞାପନ ମେଢ଼ କିପରି ସ୍ଥାନ ପାଇବ ତାହା ଉପରେ ସରକାର ଗୁରୁତ୍ବ ଦେବାକୁ ଦାବି କରିଛି ବିଜେଡି।…

କଂଗ୍ରେସ ମଧ୍ୟ ପ୍ରଜ୍ଞାପନ ମେଢ଼ ସ୍ଥାନ ନପାଇବା ପ୍ରସଙ୍ଗ ନେଇ ବିଜେପି ସରକାର ଉପରେ ବର୍ଷିଛି।ବିଜେପିର ଓଡ଼ିଆ ଅସ୍ମିତା କେବଳ ନିର୍ବାଚନ ପାଇଁ ଥିଲା କହିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ। ଭୋଟ ହାତେଇବା ପରେ ଅସ୍ମିତାକୁ ଭୁଲିଯାଇଛି ଡବଲ ଇଂଜିନ ସରକାର। ଓଡ଼ିଶାବାସୀ ଏକଥା ବୁଝିସାରିଲେଣି ବୋଲି କହିଛି କଂଗ୍ରେସ। ଓଡିଶାର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ସ୍ଥାନ ନପାଇବା ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ ପରେ ଅକଳରେ ପଡ଼ିଛି ବିଜେପି। ସରକାରୀ ଦଳ ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଓଡିଶାର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ସ୍ଥାନ ପାଇଁ ଚେଷ୍ଟା କରାଯିବ। ଦିଲ୍ଳୀର କର୍ତ୍ତବ୍ୟ ପଥରେ ୧୫ ରାଜ୍ୟର ମଡେଲ ସ୍ଥାନ ପାଇଛି। ତେବେ ଓଡ଼ିଶାକୁ ସ୍ଥାନ ମିଳିନଥିବାରୁ ରାଜ୍ୟରେ ଉଠିଛି ବିରୋଧର ସ୍ବର। ଓଡ଼ିଆ ଅସ୍ମିତାର ଡିଣ୍ଡିମ ପିଟୁଥିବା ବିଜେପି ଏ ପ୍ରସଙ୍ଗରେ ଚୁପ କାହାକିଁ ବୋଲି ସବୁ ମହଲରରୁ ଉଠୁଛି ପ୍ରଶ୍ନ।

ମଣ୍ଡିରେ ତାଲା ପକାଇଲେ ଚାଷୀ

ଆଠଗଡ଼ : ମଣ୍ଡିରେ ତାଲା ପକାଇଲେ ଚାଷୀ। କଟକ ଆଠଗଡ଼ ବ୍ଲକ କଲାଇଲୋ ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ। ଧାନର FAQ ମାନ ନିର୍ଦ୍ଧାରଣ ନେଇ ଚାଷୀ ମିଲର୍ ମୁହାମୁହିଁ ହୋଇଛନ୍ତି। ବିବାଦରୁ ମଣ୍ଡିରୁ ଉଠି ପାରିଲା ନାହିଁ ଧାନ। ଆଜି ପ୍ରଥମ ଦିନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଆଠଗଡ଼ ବ୍ଲକ୍ ର ସବୁଠୁ ବଡ଼ ମଣ୍ଡି ଭାବେ  ପରିଚିତ କୁଲାଇଲୋ ସେବା ସମବାୟ ସମିତି। ଗତବର୍ଷ ୧୭ ହଜାର କୁଇଣ୍ଟାଲ୍ ଧାନ କିଣା ଯାଇଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଏଭଳି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଚାଷୀ। ଧାନ ବିକ୍ରୟ ପାଇଁ ଏହି ମଣ୍ଡିରେ ସକାଳ ୮ଟାରୁ ଚାଷୀ ଆସି ଦିନ ତିନିଟା ପର୍ଯ୍ୟନ୍ତ ଭୋକ ଉପାସରେ ପଡ଼ି ରହିଛନ୍ତି। ଗୋଟିଏ ପଟେ ମିଲର ମଣ୍ଡିକୁ ଆସି ନଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟ ପଟେ ମିଲର କଟନି ଛଟନିକୁ ନେଇ ଆସୁ ନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଭୋକ ଉପାସରେ ମଣ୍ଡିରେ ବସିଥିବା ଚାଷୀମାନେ ଶେଷରେ ଉତ୍ୟକ୍ତ ହୋଇ କୁଲାଇଲୋ ସେବା ସମବାୟ ସମିତିର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି।

ପୂର୍ବରୁ କହିଥିଲେ, ଏବେ ଭଣ୍ଡାଇଦେଲେ : ଭାଗଚାଷୀଙ୍କୁ ହତାଶ କଲେ ନୂଆ ସରକାର

ଭୁବନେଶ୍ବର : ପୂର୍ବରୁ କହିଥିଲେ, ଏବେ ଭଣ୍ଡାଇଦେଲେ । ପୁଣି ଭାଗଚାଷୀଙ୍କୁ ହତାଶ କଲେ ବିଜେପି ସରକାର । ମିଳିବ ନାହିଁ ଅଦିନିଆ ବର୍ଷା ଯୋଗୁ ଫସଲହାନୀର କ୍ଷତିପୂରଣ । ରାଜ୍ୟରେ ଭାଗଚାଷୀଙ୍କ ପାଇଁ କୌଣସି ଆଇନ ନଥିବାରୁ ସରକାରଙ୍କ ରିଲିଫ ପାଇବାରୁ ବଞ୍ଚିତ ହେବେ ଭାଗଚାଷୀ । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦିଆଯିବା ପ୍ରସଙ୍ଗରେ ଏହା ସ୍ପଷ୍ଟ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କୃଷି ଓଡ଼ିଶା-୨୦୨୫ ମଞ୍ଚରୁ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଉଥିବା ବେଳେ ଭାଗଚାଷୀଙ୍କୁ ଆଇନର ଦ୍ବାହି ଦେଇ ଫସଲହାନୀର କ୍ଷତିପୂରଣରୁ ବଂଚିତ କରାଯାଉଛି।  ଯେଉଁ ଚାଷୀମାନେ ଭାଗରେ ଧାନ କି ପନିପରିବା ଚାଷ କରିଥିଲେ ସେମାନଙ୍କୁ ସରକାରଙ୍କ କ୍ଷତିପୂରଣ ରାଶି ମିଳିବ ନାହିଁ । ଭାଗଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ବୈମାତୃକ ମନୋଭାବକୁ ସମାଲୋଚନା କରିଛି ବିଜେଡି।

ଅଦିନିଆ ବର୍ଷାରେ ଫସଲହାନୀ ବାବଦରେ ଜିଲ୍ଲାପାଳଙ୍କ ବିସ୍ତୃତ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି। କୃଷି ଓଡ଼ିଶା ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଡିସେମ୍ବର ୩୦ ସୁଦ୍ଧା ଜିଲ୍ଲାପାଳ ଦେଇଥିବା ରିପୋର୍ଟ ଅନୁଯାୟୀ ଅନୁଗୁଳ,ଭଦ୍ରକ,କଟକ,ଢେଙ୍କାନାଳ, ଗଜପତି, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା,ପୁରୀ,ରାୟଗଡା, ଜଗତସିଂହପୁର, କନ୍ଧମାଳ, ନୟାଗଡ, ନୂଆପଡା, ରାୟଗଡା ଭଳି ୧୬ ଜିଲ୍ଲାରେ ୬ ଲକ୍ଷ ୬୬ ହଜାର ୭୨୦ଜଣ ଚାଷୀଙ୍କ ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି । ଏଥିପାଇଁ SDRF ପାଣ୍ଠିରୁ ୨୯୧କୋଟି ୬୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ସେହିଭଳି ଆକଳନରୁ ବାଦ ପଡ଼ିଥିବା ଚାଷୀଙ୍କୁ ପରବର୍ତ୍ତୀ ସମୟ ରେ ସାମିଲ କରାଯିବ ।

ଅଦିନିଆ ବର୍ଷାରେ ୧୬ ଜିଲ୍ଲାରୁ ଗଞ୍ଜାମରେ ସର୍ବାଧିକ ୬୦ହଜାର ୭୧୨ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୪୯ ହଜାର ୨୯୬ ହେକ୍ଟର ଏବଂ ନୂଆପଡ଼ାରେ ସର୍ବନିମ୍ନ ୧୨.୬୦ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ଧାନ ଚାଷରେ ୨ ଲକ୍ଷ ୨୩ ହଜାର ୩୧୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉଦ୍ୟାନକୃଷିରେ ୩ହଜାର ୪୭୯ ହେକ୍ଟର ଜମି କ୍ଷତି ଗସ୍ତ ହୋଇଛି।

ବୀମା କମ୍ପାନୀଙ୍କୁ ଅପେକ୍ଷା ନକରି କ୍ଷତିପୂରଣ ଦିଅନ୍ତୁ ସରକାର : ବିଜେଡି

କଟକ : ଅଦିନିଆ ବର୍ଷାରେ ଧାନ ଫସଲ କ୍ଷୟକ୍ଷତିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ କୃଷି ଓଡିଶା କାର୍ଯ୍ୟକ୍ରମରେ ଦେଇଥିବା ବିବୃତି ନେଇ ତୀବ୍ର ପତିକ୍ରିୟା ଦେଇଛନ୍ତି ବିଜେଡି ବରିଷ୍ଠ ନେତା ଅରୁଣ କୁମାର ସାହୁ। ସରକାର ଏଣୁତେଣୁ କଥା ନ କହି ବୀମା କମ୍ପାନୀକୁ ଅପେକ୍ଷା ନକରି ପ୍ରଥମେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ରାଜକୋଷରୁ କ୍ଷତିପୂରଣ ଦିଅନ୍ତୁ। ଅଫିସରଙ୍କ ଦ୍ଵାରା ଜିଓ ଟ୍ୟାଗ୍ ସର୍ଭେ କରି ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ। ଧାନ ଯେଉଁ ଅବସ୍ଥାରେ ଅଛି ତୁରନ୍ତ ତାକୁ ସରାକର କିଣିନେବା ସହିତ ଚାଷୀଙ୍କ ସହ ଏହି ସମୟରେ ଛିଡା ହୁଅନ୍ତୁ ବୋଲି କହିଛନ୍ତି ଅରୁଣ ସାହୁ। ୭ ମାସର ସରକାର ଆଜି କେବଳ ଉପକ୍ରମଣିକାରେ ରହିଯାଇଛନ୍ତି। ଭିତରକୁ ଯାଉନାହାନ୍ତି। ପୂର୍ବ ସରକାର କିଛି କରିନାହିଁ ବୋଲି ନୂଆ ସରକାର କହି ବୁଲୁଥିବା ବେଳେ ଏହାର ଜବାବ ରଖିଛନ୍ତି ପୂର୍ବତନ କୃଷି ମନ୍ତ୍ରୀ ଅରୁଣ ସାହୁ। ଦୁଇ ହଜାର ମସିହାରେ ନବୀନ ଓଡିଶାର ଦାୟିତ୍ୱ ନେବା ବେଳେ ରାଜ୍ୟରେ ୨୦ ଲକ୍ଷ ଲିଟର କ୍ଷୀର ଉତ୍ପାଦନ ହେଉଥିଲା। ଏହା ଆଜି ୮୫ଲକ୍ଷ ଲିଟରରେ ପହଁଚିଛି। ସେହିଭଳି ଦୈନିକ ଅଣ୍ଡା ଉତ୍ପାଦନ ୨୦ରୁ ୨୨ ଲକ୍ଷରୁ ୯୦ରୁ ଦେଢ଼ ଲକ୍ଷ, ମାଛରୁ ଏବେ ୧୦ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି।  ଧାନ ଓ ଚାଉଳରେ ବଳକା ରାଜ୍ୟ ହୋଇଛି ଓଡିଶା। ଚିକେନ ଉତ୍ପାଦନ ୧୦ ଗୁଣ ବଢିଛି। ପନିପରିବାରେ ୫୦ଲକ୍ଷ ମେଟ୍ରିକ ଟନରୁ ୧୫୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଏଥିଲାଗି କେନ୍ଦ୍ରରୁ ୬ ଥର ମିଳିଛି କୃଷି କର୍ମଣ ପୁରସ୍କାର।ତେଣୁ ମୋହନ ସରକାର ବୟାନବାଜି ଛାଡି ଚାଷୀଙ୍କୁ ସାହାଯ୍ୟ କରନ୍ତୁ। ଚାଷ କ୍ଷୟକ୍ଷତି ନେଇ ବିଜେଡି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛି। ସରକାର କ୍ଷୟକ୍ଷତି ସଠିକ ରିପୋର୍ଟ ଦିଅନ୍ତୁ। ନଚେତ ଆଗାମୀ ଦିନରେ ଭୟାବହ ଲଢେଇ ହେବ। ଆଉ ବିଜେଡି ଏହାର ନେତୃତ୍ୱ ନେବ ବୋଲି କଟକରେ ଆୟୋଜିତ ପ୍ରେସମିଟରେ କହିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ।

ନିୟନ୍ତ୍ରଣ ବାହାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର, ପ୍ରତିବାଦରେ ୬ରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ବର : ଆକାଶ ଛୁଆଁ ଦର, ସରକାରଙ୍କ ନାହିଁ ନିଘା । ଅତିଷ୍ଠ ହେଲେଣି ଲୋକେ, ହୁ ହୁ ହୋଇ ବଢୁଛି ଦର । ରୋଷେଇଶାଳରେ ଚଡ଼କ, ଶୋଇଛନ୍ତି ସରକାର । ପ୍ରତିବାଦରେ ୬ରେ ବିଜେଡିର ଆନ୍ଦୋଳନ ଡାକରା । ୧୦୦ ଟଙ୍କାରେ ବ୍ୟାଗ ପୂରୁନାହିଁ । ଡାଲି, ତେଲ, ପିଆଜ, ଆଳୁ ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ । ଦରଦାମ ସମସ୍ତଙ୍କୁ ଅତିଷ୍ଠ କଲାଣି। ଗାଆଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି ଦରବୃଦ୍ଧି। ଗରିବଙ୍କ ଅବସ୍ଥା ଆହୁରି ଶୋଚନୀୟ। ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟରେ ଖସିଥିଲେ ସୁଦ୍ଧା ଦରଦାମ କିନ୍ତୁ କମୁନି। ଦରଦାମ ଅହେତୁକ ଭାବେ ବଢିବଢି ଚାଲିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ । ଲୋକେ ହନ୍ତସନ୍ତ ହେଉଥିବାରୁ ଲୋକଙ୍କ ସ୍ବର ସାଜି ବିଜେଡି ଆସନ୍ତା ୬ ତାରିଖରେ ଆନ୍ଦୋଳନ ମାଧ୍ୟମରେ ଦରଦାମ ବଦ୍ଧିର ପ୍ରତିବାଦ କରିବ। ବିଜେଡିର ବରିଷ୍ଠ ନେତାମାନେ ମିଳିତ ପ୍ରେସମିଟ କରି ଅଭିଯୋଗ କରିଛନ୍ତି ଯେ, ଯେବେଠୁ ଡବଲ ଇଞ୍ଜିନ୍ ସରକାର ଆସିଲା ସେବେଠୁ ଦରଦାମ ହୁ ହୁ ହୋଇ ବଢି ଚାଲିଛି । ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି । ତେଣୁ ଓଡିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଦଳ ଲଢେଇ ଜାରି ରଖିବ ବୋଲି ବିଜେଡି କହିଛି । ୬ ତାରିଖ ପରେ ଦରଦାମ ନିୟନ୍ତ୍ରଣ ନହେଲେ ରାଜ୍ଯର ୩୦ ଜିଲ୍ଲାରେ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛି ବିଜେଡି ।

ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଦର ବୃଦ୍ଧି ଯୋଗୁଁ ରୋଷେଇ ଘରେ ଚଡ଼କ ପଡ଼ିଛି । ଡବଲ ଇଞ୍ଜିନ୍ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି । ଯେଉଁଥିଲାଗି ବିଜେଡି ଲୋକସେବା ଭବନ ଆଗରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ମଧ୍ୟ ଦରଦାମ ବୃଦ୍ଧି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି । ଦରଦାମ ନିୟନ୍ତ୍ରଣ ବାହାରେ  ଥିବା ବେଳେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୁଣିଥରେ ବିତଣ୍ଡା ଯୁକ୍ତି ବାଢିଛନ୍ତି । ଦରଦାମ ନିୟନ୍ତ୍ରଣରେ ରହିଛି ବୋଲି ଯୋଗାଣ ମନ୍ତ୍ରୀ  ଦୋହରାଇବା ସହ ବିଜେଡି ତାର କର୍ତ୍ତବ୍ୟ କରୁଛି ବୋଲି ପାଲଟା ଜବାବ ଦେଇଛନ୍ତି । ୨୦୧୪ରେ ଅଚ୍ଛେ ଦିନର ନାରା ଦେଇ ଏନଡିଏ ସରକାରକୁ ଆସିଥିଲା । ବିଜେଡି ସରକାରରେ ଥିବା ସମୟରେ ବିଜେପି ଆନ୍ଦୋଳନ କରି ରାଜ୍ୟ ଭାଟ ହ୍ରାସ କରୁ ବୋଲି ଚିତ୍କାର କରୁଥିଲା । ସରକାର ଆସିବା ପରେ ନିଜ କଥା ନିଜେ ରଖୁ ବୋଲି ବିଜେଡି ବୁଦ୍ଧି ବତାଇଛି ।

Google Pay, Phone Pay ଉପରେ ରୋକ ଲଗାଇବେନି ସରକାର: ୨୦୨୬ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କଲା NPCI

ନନ୍ଦିଘୋଷ ବ୍ୟୁରୋ: ୟୁପିଆଇ ଆପ୍ସ ଉପରେ ମାର୍କେଟ ଶେୟାର କ୍ୟାପ ଲାଗୁ କରିବାର ସମୟସୀମା ଦୁଇ ବର୍ଷ ପାଇଁ ବୃଦ୍ଧି କରି ୨୦୨୬ ପର୍ଯ୍ୟନ୍ତ କରାଯାଇଛି । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI)ର ଏହି ନିଷ୍ପତ୍ତି ଫଳରେ ଭାରତୀୟ ୟୁପିଆଇ ଇକୋସିଷ୍ଟମରେ ଅଗ୍ରଣୀ ଥିବା ଗୁଗଲ ପେ ଓ ଫୋନ ପେ’କୁ ଆଶ୍ବସ୍ତି ମିଳିବ । ମାର୍କେଟ ଶେୟାର କ୍ୟାପର ପ୍ରସ୍ତାବ ୨୦୨୦ରେ ଦିଆଯାଇଥିଲା । କୌଣସି ୟୁପିଆଇ ପେମେଣ୍ଟ ଆପକୁ ୩୦ ପ୍ରତିଶତରୁ ଅଧିକ ବଜାର ଅଂଶଧନ ରଖିବା ନେଇ ରୋକାଯିବାର ଥିଲା । ପ୍ରତିଦ୍ବନ୍ଦ୍ବିତାକୁ ଗୁରୁତ୍ବ ଦେବା ଓ ମନମାନୀକୁ ରୋକିବା ଏହା ପଛର ଉଦ୍ଦେଶ୍ୟ ଥିଲା ।

ବର୍ତ୍ତମାନ ସମୟରେ ଫୋନ ପେ’ର ବଜାର ଅଂଶଧନ ୪୭.୮ ପ୍ରତିଶତ ରହିଥିବା ବେଳେ ଗୁଗଲ ପେ’ର ୩୭ ପ୍ରତିଶତ ରହିଛି । ଉକ୍ତ ପ୍ରସ୍ତାବ ଲାଗୁ କରିଥିଲେ ଲକ୍ଷ ଲକ୍ଷ ୟୁଜର୍ସଙ୍କ ସେବାରେ ବାଧା ସୃଷ୍ଟି ହୋଇଥାନ୍ତା । ଏହି ସମୟସୀମା ବୃଦ୍ଧି କରି ବଜାରରେ କମ୍ପିଟିସନକୁ ସନ୍ତୁଳନ ରକ୍ଷା କରିବାକୁ NPCI ପ୍ରୟାସ କରିଛି । ଏହାଫଳରେ ନୂଆ କରି ଆସୁଥିବା ଫିନଟେକ ପ୍ଲାଟଫର୍ମଗୁଡ଼ିକୁ ନିଜର ବ୍ୟବସାୟକୁ ମଜବୁତ କରିବାକୁ ଅଧିକ ସମୟ ମିଳିବ । NPCI ତରଫରୁ WhatsApp Pay ଉପରେ ୧୦୦ ମିଲିୟନ ୟୁଜର୍ସ ସୀମାକୁ ମଧ୍ୟ ହଟାଇ ଦିଆଯାଇଛି । ଏହାଫଳରେ Metaର ମାଲିକାନାରେ ରହିଥିବା ଏହି ପ୍ଲାଟଫର୍ମ ଏବେ ଭାରତରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଅଧିକ ପ୍ରଭାବୀ ଢଙ୍ଗରେ କମ୍ପିଟିସନ କରି ପାରିବ ।

ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟ ଉପରେ କମେଣ୍ଟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ

ଭୋପାଳ: ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ି ଚାଲିଥିବା ବେଳେ ଏହାଦ୍ବାରା ଅନେକ ଅପରାଧିକ କାର୍ଯ୍ୟକଳାପ ବଢ଼ୁଥିବାର ଦେଖାଯାଉଛି । ଅନେକ ସମୟରେ କିଛି ସୋସିଆଲ ମିଡ଼ିଆ ୟୁଜର୍ସ ଆପତ୍ତିଜନକ ପୋଷ୍ଟ ଉପରେ କମେଣ୍ଟ କରିବା ସହିତ ତାହାକୁ ଲାଇକ୍ ଓ ଶେୟାର କରିଥାନ୍ତି । ଏଭଳି ୟୁଜର୍ସଙ୍କ ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା । ଏନେଇ ପୋଲିସ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଗ୍ରୁପର ଆଡମିନଙ୍କୁ ସତର୍କ କରାଯିବା ସହ ଏପରି ସନ୍ଦେଶକୁ ରୋକିବାକୁ କୁହାଯାଇଛି ।

ସୂଚନା ମୁତାବକ, ସୋସିଆଲ ମିଡ଼ିଆରେ ଶର୍ଟ ଭିଡିଓ ଏବଂ ରୀଲ ଅପଲୋଡକୁ ନେଇ ଭୋପାଳ ପୋଲିସ ପକ୍ଷରୁ କଟକଣା ଲାଗୁ କରାଯାଇଛି । ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୧୬୩ ଅନୁସାରେ ଏହି କଟକଣା ଲାଗୁ କରିଛି ପୋଲିସ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଆପତ୍ତିଜନକ ପୋଷ୍ଟ କରୁଥିବା ଲୋକଙ୍କ ପାଇଁ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି । ଏନେଇ ଭୋପାଳ ପୋଲିସ କମିଶନରଙ୍କ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପୋଲିସ କମିଶନରଙ୍କ ତରଫରୁ ଜାରି  ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଆପତ୍ତିଜନକ ଫଟୋ-ଭିଡିଓ ଉପରେ ଟେକ୍ସଟ କରିବେ, ତେବେ ତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆପତ୍ତିଜନକ ପୋଷ୍ଟ ଉପରେ କମେଣ୍ଟ କରିବା, ଲାଇକ୍ କରିବା, ଶେୟାର କରିବା ବା ଫରଓ୍ବାର୍ଡ କରୁଥିବା ଲୋକଙ୍କୁ ଚେତାବନୀ ଦେଇ ସାବଧାନ ରହିବାକୁ କୁହାଯାଇଛି ।

ପ୍ରଦୂଷଣ ବଳୟରେ ଛନ୍ଦି ହେଲାଣି ଅନୁଗୁଳ, ଛେଣ୍ଡିପଦାରେ ଖଣି ପାଇଁ ଗଛ କଟାକୁ ବିରୋଧ

ଅନୁଗୁଳ : ପ୍ରଦୂଷଣର ବଳୟରେ ଛନ୍ଦି ହୋଇଗଲାଣି ଅନୁଗୁଳ। ଛେଣ୍ଡିପଦାରେ କିଛି ଖଣି ପାଇଁ ଗଛ କଟା ଆରମ୍ଭ ହୋଇଗଲାଣି । ଯାହାକୁ ବିରୋଧ କରିଛନ୍ତି ଲୋକ । ଛେଣ୍ଡିପଦା ଅଞ୍ଚଳରେ ସିଙ୍ଗରାଣୀ କମ୍ପାନୀ ଖଣି କରିବା ପାଇଁ ଆରମ୍ଭ କରିଛି ଗଛ କଟା। ଏହି ଖଣି ପାଇଁ ଛେଣ୍ଡିପଦା ଜଙ୍ଗଲରୁ ପ୍ରାୟ ୧ ଲକ୍ଷ ୬ ହଜାର ଗଛ କାଟିବାକୁ ପ୍ରଶାସନ ଓ ସରକାର ଅନୁମତି ଦେଇଛନ୍ତି। ତେବେ ଏତେ ସଂଖ୍ୟକ ଗଛ କାଟିଦେଲେ ଛେଣ୍ଡିପଦାର ପ୍ରଦୂଷଣ ମାତ୍ର ଯାହା ଅଛି ତାହା ବହୁ ମାତ୍ରାରେ ବଢିଯିବ ।  ଏଥିପାଇଁ ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ଓ ଅଞ୍ଚଳବାସୀ ଏହି ନିଷ୍ପତ୍ତିକୁ ବିରୋଧ କରି ଆସୁଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାର ମା ପାଇଁ ଗଛଟିଏ ନାରା ଦେଇ ଥିଲେ । ଏବେ ସେହି ସରକାର ଲକ୍ଷ ଲକ୍ଷ ବଡ଼ ବଡ଼ ଗଛ କାଟିବାକୁ ଅନୁମତି ଦେଇ ଲୋକଙ୍କୁ ବିପଦ ମୁହଁକୁ ଠେଲି ଦେଉଛନ୍ତି । ପ୍ରଦୂଷଣର ମାତ୍ରା ଯେଉଁଠି ଢେର ଅଧିକ ସେହି ଅଞ୍ଚଳରେ ଗଛ ଲଗାଇବା ପ୍ରତିବଦଳରେ ଗଛ କାଟିଲେ ଅଞ୍ଚଳବାସୀଙ୍କ ଉପରେ କଣ ପ୍ରଭାବ ପଡିବ ତାହା ସମସ୍ତଙ୍କୁ ଜଣା । ଏଥିପାଇଁ ଲୋକେ ନ୍ଯାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଆଶ୍ରୟ ନେଇଛନ୍ତି। NGTରୁ ଏବେ କମ୍ପାନୀ ଏବଂ ଜିଲ୍ଲା ପ୍ରଶାସନକୁ ନୋଟିସ ଆସିଛି। ଖୁବ ଶୀଘ୍ର NGT ଏହାର ଶୁଣାଣି କରିବ ଆଉ ଲୋକ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି ।

ସମ୍ବଲପୁରରେ ବଡ଼ ଧାରଣାର ଡକାୟତି, ଲୁଟିନେଲେ ୩୦ କିଲୋ ସୁନା ସହ ଟଙ୍କା

ସମ୍ବଲପୁର : ସମ୍ବଲପୁର ଜନଗହଳି ଫାଟକ ଅଞ୍ଚଳରେ ସଶସ୍ତ୍ର ଡକାୟତି l ବନ୍ଦୁକ୍ ଦେଖାଇ ମଣପୁରମ ଫାଇନାନ୍ସ କମ୍ପାନୀରୁ ୩୦ କିଲୋ ସୁନା ଲୁଟି ନେଲେ ଲୁଟେରା। ସେପଟେ ୫ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି ପୋଲିସ l ସଦର sdpo ଓ ସମସ୍ତ ଥାନାର iic ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମଣପୁରମ ଫାଇନାନ୍ସରେ ସୁନା ଗହଣା ବନ୍ଧା ରଖି ଲୋନ ନେବାର ବ୍ୟବସ୍ଥା ରହିଥାଏ । ଲୁଟ ପରେ ଜିଲ୍ଲା ଓ ଜିଲ୍ଲା ବାହାର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ୍। ଖୋଦ୍ ଉତ୍ତରଂଚଳ ଆଇଜି ପହଞ୍ଚି ଘଟଣାକୁ ଯାଞ୍ଚ କରୁଛନ୍ତି l ତେବେ ସବୁଠାରୁ ବଡ଼କଥା ହେଲା ଗତ ୨୦୧୮ ପରେ ପରେ ସମ୍ବଲପୁର ସହରରେ ୫ ଥର ସୁନା ଡକାୟତି ହେଲାଣି କିନ୍ତୁ ପୋଲିସ ହାତ ଖାଲି। ଡକାୟତି ଟିମ୍ କୁ ଧରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି l

କିଛି ଦିନ ଆଗରୁ ସହରର ଧନୁପାଲିର ଏକ ସୁନା ଦୋକାନରୁ ଓ ମାନେଶ୍ୱରର ସୁନା ଦୋକାନରୁ ସମାନ ଢଙ୍ଗରେ ସୁନା ଚୋରୀ ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାର ଟେର ପାଇନି ପୋଲିସ। ତେଣୁ ଏହା ପୋଲିସର ଅପାରଗତା ବୋଲି ଚର୍ଚ୍ଚା ହେଉଛି l ସହର ସାରା କ୍ୟାମେରା ଲାଗିଛି ତେଣୁ କେଉଁ ଆଡ଼କୁ ସେମାନେ ଯାଉଛନ୍ତି ତାଙ୍କୁ ଟ୍ରାକ କରୁଛି ପୋଲିସ l ଯେହେତୁ ସମସ୍ତ ଦୁର୍ବୃତ୍ତ ହିନ୍ଦୀ ରେ କଥା ବାର୍ତ୍ତା କରୁଥିଲେ ତେଣୁ ଏମାନେ ବିହାର କିମ୍ବା ପଶ୍ଚିମବଙ୍ଗରୁ ଆସି ଡକାୟତି କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି।

ହଂସୀତା ଓ ଅନୀଲ ଗିରଫ ଘଟଣା, ରିମାଣ୍ଡରେ ଆଣିବା ପରେ ସ୍ପେଶାଲ କ୍ରାଇମ ୟୁନିଟର ଖୋଳତାଡ

ଭୁବନେଶ୍ବର : କ୍ୟାପିଟାଲରୁ ହାଇପ୍ରୋଫାଇଲ କପଲଙ୍କୁ ଠକେଇ ଘଟଣାରେ ଗିରଫ କରିବା ପରେ ଅଭିଯୁକ୍ତଙ୍କ ପାଇଁ ଅଡୁଆ ଯେତିକି ବଢିଛି, ପୋଲିସ ପାଇଁ ମଧ୍ୟ ତଦନ୍ତ ସେତିକି କାଠିକର ପାଠ ପାଲଟିଛି। କାରଣ ଏମାନଙ୍କ ଲିଙ୍କ, ବ୍ୟାଙ୍କ ଟ୍ରାଞ୍ଜାକସନ, ସିଡ଼ିଆର ରିପୋର୍ଟ , ସବୁଥିରୁ ମିଳିଛି ପ୍ରତିପତ୍ତିଶାଳୀ ବା ପ୍ରଭାବଶାଳୀଙ୍କ ସମ୍ପର୍କ। ରିମାଣ୍ଡରେ ଆଣିବା ପରେ ସ୍ପେଶାଲ କ୍ରାଇମ ୟୁନିଟ ଅନେକ ଦିଗକୁ ନେଇ ଖୋଲତାଡ଼ କରିପାରେ। ଟେଣ୍ଡର ଫିକ୍ସିଂ, ହାଇପ୍ରୋଫାଇଲ ଲୋକଙ୍କ ନାଁ ନେଇ ଠକେଇ, ଚାକିରୀ ଦେବା ଓ ଟ୍ରାନ୍ସଫର କରିବାକୁ କହି ଠକେଇ , ଏମାନଙ୍କ ସହଯୋଗୀ, କେଉଁ କେଉଁ ଜାଗାରେ କଳା ଟଙ୍କା ବିନିଯୋଗ କରିଛନ୍ତି , ଏଭଳି ଅନେକ ପ୍ରଶ୍ନର ହୋଇପାରେ ଖୋଳତାଡ଼ । ତେବେ ଆଜି ଅନୀଲ ଓ ହଂସୀତାଙ୍କ ଦୁଇଟି ଘରୋଇ ବ୍ୟାଙ୍କରେ ଥିବା ଆକାଉଣ୍ଟର ଡିଟେଲସ ମାଗି ଏହି ଠକେଇର ଚେର ଖୋଜିବାରେ ଲାଗିଛି କମିଶନରେଟ ପୋଲିସ ।

ରଘୁନାଥପୁରରେ ଥିବା ଅନିଲଙ୍କ ଅଫିସରେ ରେଡ଼ କରିବା ସହ ଜବତ କମ୍ପ୍ୟୁଟର, ହାର୍ଡଡିସ୍କ , ମୋବାଇଲକୁ ଫରେନସିକ ଲ୍ୟାବକୁ ପଠାଯାଇଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଗ୍ରସରି ଦୋକାନ ଓ ପରେ ଗାଙ୍ଗୁରାମ ଦୋକାନ କରିଥିବା ଅନୀଲ କୋଟି କୋଟି ଟଙ୍କାର ମାଲିକ କେମିତି ହେଲେ ? ସୁଦୂର କଳାହାଣ୍ଡି ନର୍ଲା ରୁ ଆସିଥିବା ହଂସୀତା ପ୍ରଥମେ ରାଜଧାନୀର ଏକ ସ୍ପା ରେ କାମ କରୁଥିବା ବେଳେ  ସେ ମଧ୍ୟ କିଭଳି ଲୋକଙ୍କୁ ଚୁନ ଲଗାଇ କୋଟିପତି ହୋଇଗଲେ ସେ ନେଇ ମଧ୍ୟ ଆରମ୍ଭ ହୋଇଛି ଖୋଲତାଡ଼ । ଏସବୁ ଭିତରେ ଆୟକର ବିଭାଗର ସହଯୋଗ କମିଶନରେଟ ପୋଲିସ ଲୋଡିଥିବାରୁ କିଛି ଖଣି ବ୍ୟବସାୟୀ, ଜିମ ମାଲିକ, ମଦ ମାଫିଆ ଓ ଟେଲରଙ୍କ ପ୍ରତି ବଢ଼ିବାରେ ଲାଗିଛି ଅଡୁଆ । ରଘୁନାଥପୁରର ଏକ ଆପାର୍ଟମେଂଟରେ ଏମାନଙ୍କ ନାଁ ରେ ୨ ଟି ଫ୍ଲାଟ ରହିଛି । କିନ୍ତୁ ଡୋର ରେ ସେନସର ଲାଗିଥିବାରୁ ପୋଲିସ କୁ  ଅଧାରୁ ଫେରିବାକୁ ପଡିଛି ।