spot_img
Home Blog Page 1300

ଅବିବାହିତ ଦମ୍ପତିଙ୍କୁ ଓୟୋ ହୋଟେଲ ମନା !

ନନ୍ଦିଘୋଷ ବ୍ୟୁରୋ: ଅବିବାହିତ ଦମ୍ପତିଙ୍କୁ ଏଣିକି ମନା ହେବ ଓୟୋ ହୋଟେଲ। କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଛି ନୂଆ ଚେକ ଇନ ପଲିସି। ଏହ ଯୋଜନା ମିରଟରୁ ଆରମ୍ଭ ହୋଇଛି। ନୂଆ ନିୟମ ଅନୁସାରେ ଯେଉଁ ଦମ୍ପତିମାନେ ଚେକ୍ ଇନ କରିବେ ସେମାନେ ନିଜର ସମ୍ପର୍କର ବୈଧ ପ୍ରମାଣପତ୍ର ଦାଖଲ କରିବେ। ଏପରିକି ଓୟୋରେ ବୁକିଂ ବେଳେ ବି ଏହି ପ୍ରମାଣପତ୍ର ଦାଖଲ କରିବାକୁ ପଡିବ। ବିଭିନ୍ନ ସିଭିଲ ସୋସାଇଟି ଗ୍ରୁପ ପକ୍ଷରୁ ମିଳିଥିବା ପ୍ରସ୍ତାବ ଅନୁସାରେ ଓୟୋ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ପ୍ରଥମରେ ଏହି ଯୋଜନା ମିରଟରୁ ଆରମ୍ଭ କରାଯାଇଛି। ପରେ ଅନାନ୍ୟ ସହରରେ ବି ଏହି ନିୟମ କାର୍ଯ୍ୟକାରୀ ହେବ। ଆତିଥ୍ୟ କ୍ଷେତ୍ରରେ ନିରାପଦ ବ୍ୟବସ୍ଥା ଓ ଦାୟିତ୍ୱବୋଧ ସ୍ବରୂପ ଏହି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଓୟୋ ନର୍ଥ ଇଣ୍ଡିଆର ମୁଖ୍ୟ ପୱସ ଶର୍ମା।

HMPV ସଂକ୍ରମଣ ପ୍ରସଙ୍ଗ; ସଂକ୍ରମଣ ବୃଦ୍ଧି ଅଭିଯୋଗକୁ ଚୀନର ଖଣ୍ଡନ

ନନ୍ଦିଘୋଷ ବ୍ୟୁରୋ: ହ୍ୟୁମାନ ମେଟାନ୍ୟମୋଭାଇରସ ବା HMPV ସଂକ୍ରମଣ ବୃଦ୍ଧି ଅଭିଯୋଗକୁ ଖଣ୍ଡନ କରିଛି ଚୀନ । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହା ଏକ ଋତୁକାଳୀନ ଅବସ୍ଥା ଏବଂ ଶୀତ ଋତୁରେ ଏହା ଘଟିଥାଏ। ଦେଶରେ ଥିବା ପର୍ଯ୍ୟଟକ ଓ ନାଗରିକମାନେ ସୁରକ୍ଷିତ ଅଛନ୍ତି । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଶୀତ ଋତୁରେ ସାଧାରଣତଃ ଶ୍ୱାସପ୍ରଶ୍ୱାସଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଚୀନ ନାଗରିକ ତଥା ବାହାର ଦେଶରୁ ଆସିଥିବା ଲୋକଙ୍କ ସ୍ୟାସ୍ଥ୍ୟ ସୁରକ୍ଷିତ ରହିଛି । ପ୍ରାୟ ଦୁଇ ଦଶନ୍ଧି ତଳେ ଏହି ଭାଇରସର ସନ୍ଧାନ ମିଳିଥିଲେ ବି ୨୪ ବର୍ଷ ପରେ ବି ଏହାର ଟିକା ବାହାର କରାଯାଇ ପାରିନାହିଁ । ୨୦୦୧ରେ ପ୍ରଥମ ଥର ଲାଗି ଡଚ ଗବେଷକମାନେ ଏହି ଭାଇରସକୁ ପିଲାମାନଙ୍କଠାରେ ଚିହ୍ନଟ କରିଥିଲେ । ସେରୋଲୋଜିକାଲ ତଥ୍ୟ ଅନୁସାରେ ଏହି ଭାଇରସ ପ୍ରାୟ ୬୦ ବର୍ଷ ଧରି ରହିଆସିଛି ଏବଂ ସାରା ପୃଥିବୀରେ ଏହା ସାଧାରଣ ଶ୍ବାସପ୍ରଶାସ ସହ ଜଡିତ ଭୂତାଣୁ ଭାବେ ରହିଛି । ଏହି ଭୂତାଣୁର ବିନାଶ ଲାଗି କୌଣସି ଔଷଧ ବାହାରିନାହିଁ ବୋଲି କହିଛନ୍ତି ଆମେରିକାର କ୍ଲିଭଲ୍ୟାଣ୍ଡ କ୍ଳିନିକ ।

ସେହିପରି ଏହି ଭୂତାଣୁ ଲାଗି କୌଣସି ଟିକା ସମ୍ପର୍କରେ ବି ସୂଚନା ଦେଇନାହିଁ ଚୀନର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର । ଯଦି କୌଣସି ବ୍ୟକ୍ତି ବା ଶିଶୁ ଅସୁସ୍ଥ ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ପରାମର୍ଶ ଦିଆଯାଇଛି । ଫରିଦାବାଦର ଅମ୍ରିତା ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ଅର୍ଜୁନ ଖାନ୍ନା କହିଛନ୍ତି-HMPV ଏକ ସାଧାରଣ ଭୂତାଣୁ । ସେପଟେ କୋଭିଡ ପରି ଅବସ୍ଥା ସୃଷ୍ଟି ହେବାର ନାହିଁ ଏବଂ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି କେନ୍ଦ୍ର ସରକାର ଭାରତୀୟଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଭୂତାଣୁ ସାଧାରଣତଃ ଥଣ୍ଡା ରୋଗର କାରଣ । ବୟସ୍କ ଓ ଶିଶୁଙ୍କ କ୍ଷେତ୍ରରେ ଏହା ଅଧିକ ପରିଲକ୍ଷିତ ହେବ । ମୁକାବିଲା ଲାଗି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପ୍ରସ୍ତୁତ ବୋଲି କହିଛନ୍ତି ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ ଅତୁଲ ଗୋଏଲ ।

ସେପଟେ ଚୀନରେ ଦେଖାଦେଇଥିବା ଅବସ୍ଥା ମାମୁଲି ବୋଲି କହିଛନ୍ତି ସରକାର । ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଥିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଆଇଡିଏସପି, ଆଇସିଏମଆର, ଦିଲ୍ଲୀ ଏମସ, ଇଏମଆର ବିଭାଗର ପ୍ରତିନିଧି । ସାମ୍ପ୍ରତିକ ସ୍ଥିତି ପ୍ରତି ସରକାର ତୀକ୍ଷ୍ଣ ଦୃଷ୍ଟି ଦେଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଦେଶରେ ବର୍ତ୍ତମାନ ସେପରି କିଛି ସଂକ୍ରମଣ ବୃଦ୍ଧି ପାଇନାହିଁ ବୋଲି ବୈଠକରେ ପ୍ରତିନିଧିମାନେ ସୂଚନା ଦେଇଥିଲେ । ସମ୍ଭାବ୍ୟ ସମସ୍ୟାର ମୁକାବିଲା ଲାଗି ସରକାର ପ୍ରସ୍ତୁତ ବୋଲି କୁହାଯାଇଛି ।

ଦରବୃଦ୍ଧି ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର: ଦରବୃଦ୍ଧି ପ୍ରସଙ୍ଗରେ ବିଜେପିକୁ ବିଜେଡିର ସମାଲୋଚନା। ଦରବୃଦ୍ଧି ଯୋଗୁ ହାଣ୍ଡିଶାଳରେ ପଡ଼ିଲାଣି ଚଡ଼କ। ଖାଇବା ସାମଗ୍ରୀଠୁ ଆରମ୍ଭ କରି ପନିପରିବା ଦର ଆକାଶଛୁଆଁ ହୋଇଛି। କମିବାର ନାଁ ନେଉନି ପେଟ୍ରୋଲ ଡିଜେଲ ଦର। ଅର୍ଥନୀତି ପରିଚାଳନାରେ ସରକାର ଫେଲ। ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିଲାଣି। ୬.୭୮ ପ୍ରତିଶତ ସହ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଦରବୃଦ୍ଧି ଯୋଗୁ ମହିଳା ସର୍ବାଧିକ କ୍ଷତି ସହୁଛନ୍ତି। ଆନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଡିଜେଲ ଦର କମିଛି। ହେଲେ ଏଠି ସରକାର ଦର କମାଉ ନାହାନ୍ତି ବୋଲି କହିଛି ବିଜେଡି। ସୁଭଦ୍ରା ନାଁରେ ଡବଲ ପାଇପ ଲଗାଇ ଶୋଷଣ କରାଯାଉଛି।

ପ୍ରେସମିଟ୍ କରି ବିଜେପି ସରକାର ଉପରେ ବର୍ଷିଛି ବିଜେଡି। ଦରବୃଦ୍ଧି ବିରୋଧରେ ଆସନ୍ତାକାଲି ଆନ୍ଦୋଳନ କରିବ ବିଜେଡି। ଆଗାମୀ ଦିନରେ ଜିଲ୍ଲା ଓ ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରାଯିବ। ବିଜେପି ଯେଉଁ ନିର୍ବାଚନୀ ପ୍ରତିଶୃତି ଦେଇଥିଲା ସେଥିରେ ସେମାନେ ଫେଲ ମାରିଛନ୍ତି ବୋଲି କହିଛି ବିଜେଡି। ଓଡ଼ିଶାର ସ୍ୱାର୍ଥ ରକ୍ଷା ଓ ସମ୍ମାନ ରକ୍ଷା ପାଇଁ ନବୀନ ପଟ୍ଟନାୟକ କାମ କରିଛନ୍ତି। ନବୀନ ପଟ୍ଟନାୟକଙ୍କୁ ଯେଉଁ ଦାୟିତ୍ୱ ରାଜ୍ୟବାସୀ ଦେଇଛନ୍ତି, ସେଥିପାଇଁ କାମ ଚାଲିଛି। ହେଲେ ବିଜେପି ସରକାର ଲୋକଙ୍କ ଭୂଆଁ ବୁଲାଇବା ସହ ପକେଟ ଖାଲି କରୁଛି ବୋଲି କହିଛି ବିଜେଡି।

ଓଡ଼ିଶାର ଅଧିକ କ୍ଷତି ଘଟାଇବା ଲାଗି କେନ୍ଦ୍ରର ଯୋଜନା: ବିଜେଡି

ଭୁବନେଶ୍ୱର: ରେଳବାଇ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ସମାଲୋଚନା । ଓଡ଼ିଶାର ଅଧିକ କ୍ଷତି ଘଟାଇବା ଲାଗି କେନ୍ଦ୍ରର ଯୋଜନା। ନୂଆବର୍ଷରୁ ରାଜ୍ୟର କ୍ଷତି ପାଇଁ ଚାଲିଛି ଚକ୍ରାନ୍ତ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁରୁ ରାୟଗଡା ପାଇଁ ନୂଆ ରେଳ ଡିଭିଜନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ହେଲେ ଏହି ପ୍ରକଳ୍ପ ପୂର୍ବରୁ ବିଜେଡି ଦାବି କରିଆସୁଥିଲା। ରାୟଗଡା ଡିଭିଜନର ବିସ୍କୁଟ ଦେଇ ଓଡ଼ିଶାର କ୍ଷତି କରିବାକୁ କେନ୍ଦ୍ର ସରକାର ଚାହୁଁଥିବାବେଳେ ରାଜ୍ୟ ସରକାର ଚୁପ୍ ବୋଲି କହିଛି ବିଜେଡି।

ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି- ଦେଶରେ ପ୍ରଥମ ଥର ଲାଗି ରେଳବାଇ ବିଜ୍ଞପ୍ତି ପ୍ରକାଶ କରି ନଥିବାବେଳେ ଏହାର ଉଦଘାଟନ ହେବାକୁ ଯାଉଛି। ଏହି ଡିଭିଜନର ମାଲିକାନା, କେଉଁ ଅଞ୍ଚଳ ରହିବ କିଛି ସ୍ପଷ୍ଟ ହୋଇନି। ଡିପିଆର ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। କୋଟିଆ, ପୋଲାଭରମ ପରି ଏହା ରାଜ୍ୟ ଲାଗି କ୍ଷତି ଘଟାଇବ। ଡବଲ ଇଂଜିନ ସରକାର ଚୁପ ହୋଇ ବସିଛନ୍ତି। ପୂର୍ବତଟ ରେଳବାଇ ଭାଙ୍ଗିବାକୁ ଏହି ସବୁ ଯୋଜନା ହୋଇଛି। ନିୟମ ଅନୁସାରେ ତିନୋଟି ଡିଭିଜନ ହେବ ଏବଂ ୱାଲଟିଅର ଡିଭିଜନ ଭାଙ୍ଗିବ। ଫଳରେ ସିଂହ ଭାଗ ଯିବ ଆନ୍ଧ୍ର ନିକଟକୁ। ଅଳ୍ପ କିଛି ଭାଗ ଆସିବ ରାୟଗଡା। ୧୯୯୮ରୁ ଆରମ୍ଭ ହୋଇଥିବା ପୂର୍ବତଟ ରେଳବାଇ ୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ଦେଇସାରିଲାଣି। ଏହାର ୬୦ ପ୍ରତିଶତ ଆସିଥାଏ ୱାଲଟିୟର ଡିଭିଜନରୁ। ମାତ୍ର ଓଡିଶାରୁ ଛଡାଇ ଆନ୍ଧ୍ରକୁ ଖୁସି କରିବା ଲାଗି ଯୋଜନା ଚାଲିଛି ବୋଲି କହିଛି ବିଜେଡି। ପୂର୍ବତଟ ରେଳ ପାଖରେ କିଛି ରହିବ ନାହିଁ। ରାୟଗଡା ଜିଲ୍ଲାରେ ଥିବା ରେଳ ଷ୍ଟେସନ ରାୟଗଡା ଅଧୀନରେ ରହିବ ନା ନାହିଁ, ତାହା ସ୍ପଷ୍ଟ ହୋଇନି। ଓଡ଼ିଶାକୁ କ୍ଷତି ଭରଣା ପାଇଁ ପଶ୍ଚିମ ବଙ୍ଗରେ ଥିବା ଓଡ଼ିଶାର ଡିଭିଜନ ଦିଆଯାଉ। ଆଞ୍ଚଳିକ ବୈଷମ୍ୟ କରିବାର ଅଧିକାର କେନ୍ଦ୍ର ସରକାରର ନାହିଁ। ରାଉରକେଲାରେ ନୂଆ ଡିଭିଜନ ହେଉ ବୋଲି ଦାବି କରିଛି ବିଜେଡି। ଆଗାମୀ ବିଧାନସଭା ଅଧିବେଶନରେ ଏହାକୁ ସ୍ୱତନ୍ତ୍ର ମୋସନ ଜରିଆରେ ସରକାରଙ୍କୁ ଘେରିବ ବିଜେଡି।

କୋଷ୍ଟଗାର୍ଡ ହେଲିକପ୍ଟର କ୍ରାସ, ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ଗଜୁରାଟ ପୋରବନ୍ଦର ଏୟାରପୋର୍ଟରେ ବଡ ଦୁର୍ଘଟଣା । ଏୟାରପୋର୍ଟରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ତଟରକ୍ଷୀ ବାହିନୀର ଚପ୍ପର ଏଏଲଏଚ ଧୃବ କ୍ରାସ ପରେ ଜଳିଯାଇଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

ପୋରବନ୍ଦର ବିମାନ ବନ୍ଦରର ଏୟାର ଏନକ୍ଲେଭ ନିକଟରେ ଦୁର୍ଘଟଣା ଘଟିଛି। ଗତ ଦୁଇ ମାସ ମଧ୍ୟରେ ଦ୍ବିତୀୟ ଥର କୋଷ୍ଟଗାର୍ଡ ଚପ୍ପର କ୍ରାସ ଘଟଣା ଘଟିଛି। ଏଏଲଏଚ-ଧୃବକୁ ସାମରିକ ବାହିନୀ ଦ୍ବାରା ପରିଚାଳିତ କରାଯାଇଥାଏ। ଦୁର୍ଘଟଣା ପରେ ଏହା ଏକ ଖୋଲା ପଡିଆରେ ଜଳିଯାଇଥିବା ଦେଖାଯାଇଥିଲା। ଘଟଣାର ତଦନ୍ତ ଜାରି ରହିଛି। ଏହି ହେଲିକପ୍ଟର ରୁଟିନ ଉଡାଣ ବେଳେ ଅଘଟଣ ଘଟିଥିଲା।

ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ, ଜି.ଉଦୟଗିରିରେ ସର୍ବନିମ୍ନ ୫ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଆଜି ୯ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି । ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ ହୋଇଛି ।

ଜି.ଉଦୟଗିରିରେ ସର୍ବନିମ୍ନ ୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ସିମିଳିଗୁଡା ୫.୯, ଫୁଲବାଣୀ  ୮, ଦାରିଙ୍ଗବାଡି-୮.୫, କୋରାପୁଟ ୯.୪, ରାଉରକେଲା ୯.୫, ଝାରସୁଗୁଡା ୯.୮, ଭବାନୀପାଟଣା ୯.୮, ନବରଙ୍ଗପୁର ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା କାଲିଠାରୁ ରାଜ୍ୟରେ ତାପମାତ୍ରା ବଢିବ । ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ପଶ୍ଚିମାଝଡର ପ୍ରଭାବରେ ରାଜ୍ୟରେ ଶୀତର ତାପମାତ୍ରା କମିବ। ରାଜ୍ୟକୁ ବହିବ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ।

ଛତିଶଗଡ଼ ସାମ୍ବାଦିକ ମୁକେଶ ଚନ୍ଦ୍ରକାର ହତ୍ୟା ମାମଲା; ନିଜ ପୁତୁରା ସମେତ ୩ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ସାମ୍ବାଦିକ ମୁକେଶ ଚନ୍ଦ୍ରକାର ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ନିଜ ପୁତୁରା ହିଁ ଥିଲା ହତ୍ୟାକାରୀ । ରୀତେଶ ଚନ୍ଦ୍ରକାରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ୨୮ ବର୍ଷ ବୟସ୍କ ମୁକେଶଙ୍କ ମୃତଦେହ ଏକ ସେପ୍ଟିକ ଟ୍ୟାଙ୍କରୁ ମିଳିବା ପରେ ରାଜ୍ୟରେ ସୃଷ୍ଟି ହୋଇଥିଲା ହଇଚଇ ।

ସୂଚନା ଅନୁଯାୟୀ, ବସ୍ତର ଅଞ୍ଚଳର ଗଙ୍ଗାଳୁରୁରୁ ହିରୋଲି ୧୨୦କୋଟି ଟଙ୍କାର ସଡ଼କ ନିର୍ମାଣ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିକୁ ପଦାକୁ ଆଣିଥିଲେ ମୁକେଶ। ପ୍ରଥମେ ଏହି ପ୍ରକଳ୍ପର ମୂଲ୍ୟ ୫୦ କୋଟି ଟଙ୍କା ଥିବାବେଳେ ପରେ ଏହାକୁ ୧୨୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଠିକାଦାର ସୁରେଶ ଚନ୍ଦ୍ରକାର ଏହି କାମ ନେଇଥିଲେ। ମୁକେଶଙ୍କ ଅନୁସନ୍ଧାନମୂଳକ ରିପୋର୍ଟ ଯୋଗୁ ଏହି ଦୁର୍ନୀତିର ତଦନ୍ତ ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ । ରୀତେଶ ହେଉଛି ସୁରେଶ ଚନ୍ଦ୍ରକାରର ଭାଇ । ଜାନୁଆରୀ ୧ରେ ସେମାନେ ମୁକେଶଙ୍କୁ ଡାକିଥିଲେ । ସେଠାରେ ପହଞ୍ଚିବା ପରେ ମୁକେଶଙ୍କ ମୋବାଇଲ ସୁଇଚ ଅଫ ହୋଇଯାଇଥିଲା । ପରେ ସେ ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ ମୁକେଶଙ୍କ ବଡ଼ଭାଇ ଯୁକେଶ । ଦୁଇ ଦିନ ପରେ ମୁକେଶଙ୍କ ମୃତହେବ ଚତ୍ତନପଡ଼ାସ୍ଥିତ ସୁରେଶଙ୍କ ମାଲିକାନାରେ ଥିବା ଜାଗାର ଏକ ସେପ୍ଟିକ ଟ୍ଯାଙ୍କରୁ ମିଳିଥିଲା । ହତ୍ୟା ଘଟଣାରେ ରୀତେଶ ଚନ୍ଦ୍ରକାର, ସୁପରଭାଇଜର ମହେନ୍ଦ୍ର ରାମତେକେ ଓ ଦୀନେଶ ଚନ୍ଦ୍ରକାରକୁ ଗିରଫ କରାଯାଇଛି । ଚତୁର୍ଥ ଅଭିଯୁକ୍ତ ସୁରେଶ ଚନ୍ଦ୍ରକାରକୁ ପୋଲିସ ଖୋଜୁଛି ।

ସାମ୍ବାଦିକଙ୍କ ହତ୍ୟାକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ସେ ଦାବି କରିଛନ୍ତି । ପୋଲିସ ଏହି ଘଟଣାରେ ସୁରେଶଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଛି । ପୋଷ୍ଟମର୍ଟମରୁ ସୂଚନା ମିଳିଛି ମୁକେଶଙ୍କ ମୁଣ୍ଡ, ପିଠି, ପେଟ ଓ ଛାତିରେ ଗୁରୁତର ଆଘାତ ଲାଗିଥିଲା । ଏହି ଘଟଣା ପରେ ରାୟପୁର ପ୍ରେସ କ୍ଲବ ପକ୍ଷରୁ ପ୍ରତିବାଦ କରାଯାଇଛି । ୨୦୧୨ରେ ମୁକେଶ କ୍ୟାରିୟର ଆରମ୍ଭ କରିଥିଲେ ପରେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ବସ୍ତର ଜଙ୍କସନ ତିଆରି କରିଥିଲେ । ତାହାର ସବସ୍କ୍ରାଇବର ସଂଖ୍ୟା ଥିଲା ୫୯ ଲକ୍ଷ । ତାଙ୍କ ନିଜ ଗ୍ରାମ ଥିଲା ବିଜାପୁରର ବାସାଗୁଡା ଗାଁ । ନିର୍ଭୀକ ରିପୋର୍ଟିଂରେ ସେ ଖ୍ୟାତି ଅର୍ଜନ କରିଥିଲେ । ସେପଟେ ସୁରେଶଙ୍କ ମାଲିକାନାରେ ଥିବା ଏକ ଜମିକୁ ଜବତ କରିଛି ପ୍ରଶାସନ।

ଦିଲ୍ଲୀରେ ଜିରୋ ଭିଜିବିଲିଟି, ୧୫ଟି ବିମାନର ଚଳାଚଳ ବାତିଲ

ନୂଆଦିଲ୍ଲୀ: ସମଗ୍ର ଉତ୍ତରଭାରତରେ ଜାରି ରହିଛି ପ୍ରବଳ ଶୀତଲହରୀ। ଦିଲ୍ଲୀରେ ଅବସ୍ଥା ବେହାଲ। ଦିଲ୍ଲୀରେ ୧୫ଟି ବିମାନର ଚଳାଚଳ ବାତିଲ କରାଯାଇଥିବା ବେଳେ ୯୫ ବିମାନ ବିଳମ୍ବିତ ହୋଇଛି। ପ୍ରାୟ ୬୦ଟି ଟ୍ରେନ ଯାତ୍ରା ବି ବାଧାପ୍ରାପ୍ତ ହୋଇଛି। ଫଳରେ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀରେ ଦୀର୍ଘ ୯ ଘଣ୍ଟା ଧରି ଜିରୋ ଭିଜିବିଲିଟି ସ୍ଥିତି ରହିଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଓ ଶ୍ରମଶକ୍ତି ଏକ୍ସପ୍ରେସ ସମେତ ବହୁ ଟ୍ରେନ ୬ ଘଣ୍ଟାରୁ ଅଧିକ ସମୟ ଧରି ବିଳମ୍ବରେ ଯାତ୍ରା କରୁଛନ୍ତି।

ଗତକାଲି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୪୮ଟି ବିମାନର ଯାତ୍ରା ବାତିଲ ହୋଇଥିଲା। ଆଜି ସକାଳେ ଆଇଜିଆଇ ବିମାନବନ୍ଦରରେ ଭିଜିବିଲିଟି ମାତ୍ର ୫୦ ମିଟର ଥିବା ସୂଚନା ମିଳିଛି। ଦିଲ୍ଲୀରେ ତାପମାତ୍ରା ୧୦ଡିଗ୍ରୀ ସେଲସିୟସକୁ ଖସିଛି। କେବଳ ଦିଲ୍ଲୀ ନୁହେଁ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଘନକୁହୁଡି ସ୍ଥିତି ଲାଗି ରହିଛି। ସେପଟେ ଜମ୍ମୁ ଓ କାଶ୍ମୀରରେ ପ୍ରବଳ ତୁଷାରପାତ ହୋଇଛି। ଅଧିକାଂଶ ସ୍ଥାନରେ ତୁଷାରପାତ ହୋଇଛି। ପର୍ଯ୍ୟଟକମାନେ ବରଫ ପାହାଡରେ ଖୁସି ମନାଇଛନ୍ତି।

ବିଜେପି କର୍ମୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା !

ସମ୍ବଲପୁର: ସମ୍ବଲପୁର କଟାପାଲିରେ ଦୁର୍ଘଟଣା। କାରକୁ ଧକ୍କା ଦେଲା ହାଇୱା। ଦୁର୍ଘଟଣାରେ ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ବ୍ଲକ ଅଧ୍ଯକ୍ଷାଙ୍କ ସ୍ବାମୀ ମୂରଳୀଧର ଛୁରିଆ।  ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।  କାର୍ ଉପରକୁ ଚଢ଼ିଯାଇଥିଲା ହାଇଓ୍ବା।  ହାଇଓ୍ବା ଡ୍ରାଇଭର ଜାଣିଶୁଣି ହାଇଓ୍ବା ଚଢାଇ ହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ଏହି ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ହାଇଓ୍ବା ଡ୍ରାଇଭର ବାରମ୍ବାର ଧକ୍କା ଦେବା ସହ ତଳକୁ ଘୋଷାଡି ନେଇଥିବା କହିଛନ୍ତି ମୃତକଙ୍କ ସମ୍ପର୍କୀୟ ସୁଧୀର ଛୁରିଆ। ଏନେଇ ଥାନାରେ ଏତଲା ଦିଆଯିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଛତିଶଗଡ ଅବୁଜମାଡରେ ଏନକାଉଣ୍ଟର, ୪ ମାଓବଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ ଅବୁଜମାଡ ଜଙ୍ଗଲରେ ପୁଣି ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । କୋଣ୍ଡାଗାଓ, ନାରାୟଣପୁର ଓ ଦନ୍ତେୱାଡା ଜିଲ୍ଲାର DRG ଓ STF ବାହିନୀର ମିଳିତ ନକ୍ସଲ ବିରୋଧୀ ଅପରେସନ ବେଳେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ଗତକାଲି ରାତିରେ ଏହି ଏନକାଉଣ୍ଟର ହୋଇଥିବା ବେଳେ ଆଜି ସକାଳେ ଅବୁଜମାଡ ଜଙ୍ଗଲରେ ସର୍ଚ୍ଚ ଅପରେସନ କରି ଯବାନ ମାନେ ୪ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଘଟଣା ସ୍ଥଳରୁ AK-47 ଓ SLR ପରି ଅନେକ ଅତ୍ୟାଧୁନିକ ବନ୍ଧୁକ ଜବତ ହୋଇଛି । ମାଓବାଦୀଙ୍କ ଗୁଳିରେ ହେଡ୍ କନେଷ୍ଟବଳ ସନ୍ନୁ କରାମ ସହିଦ ହୋଇଛନ୍ତି।