ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଅନୁଷ୍ଠିତ ହେବ ପ୍ରସିଦ୍ଧ ଶୁଲିଆଯାତ୍ରା । ଏନେଇ ଉଭୟ ଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରତିବର୍ଷ ଭଳି ବଲାଙ୍ଗୀର ଜିଲ୍ଲା ଶୁଲିଆ ପୀଠ ଖଇରଗୁଡ଼ା ଓ କୁମୁରିଆ ଶୁଲିଆ ପୀଠରେ ଆଦିବାସୀମାନେ ପାରମ୍ପରିକ ବଳି ଦେଇ ବିଧି ପାଳନ କରିବେ । ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ଶୁଲିଆ ଯାତ୍ରା ଦିନ ସକାଳୁ ମୁଖ୍ୟ ପୂଜକ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥାନ୍ତି । ଶୁଲିଆ ଗୁଡିରୁ ପରାମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୂଜକ ଓ ଦେହୁରୀମାନେ ଶୋଭାଯାତ୍ରାରେ ବାହାରି ଶୁଲିଆ ପୀଠରେ ପହଞ୍ଚିଥାନ୍ତି । ସେଠାରେ ପୂଜାର୍ଚ୍ଚନା ପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥାଏ । ପରେ ମାନସିକଧାରୀମାନେ ଆଣିଥିବା ମେଣ୍ଢା, କୁକୁଡ଼ା, ବତକକୁ ଶହ ଶହ ସଂଖ୍ୟରେ ବଳି ଦିଆଯାଇଥାଏ । ଚଳିିତ ବର୍ଷ ମଧ୍ୟ ଏଭଳି ବଳି ଦିଆଯାଇ ପରମ୍ପରା ପାଳନ କରାଯିବ ବୋଲି କହିଛନ୍ତି ଆଞ୍ଚଳିକ ଶୁଲିଆ ଯାତ୍ରା କମିଟି ସଭାପତି ମୟ ପ୍ରଧାନୀ । ସେପଟେ ଯାତ୍ରା ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇ ଜଣ ମାଜିଷ୍ଟ୍ରେଟ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକାଧିକ ପୋଲିସ ଫୋର୍ସ ମୁତୟନ ହେବେ ।
ଭାରତ-ଇଂଲଣ୍ଡ ଦିନିକିଆ ପୂର୍ବରୁ ସଜେଇ ହେଲାଣି ବାରବାଟୀ
ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ମାସ ପରେ ଅର୍ଥାତ ଫେବୃଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମ ରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର ମ୍ୟାଚ । ଏଥିପାଇଁ ବାରବାଟୀରେ ୧୫ ଦିନ ହେଲା ଚାଲିଛି ଜୋରସୋର ପ୍ରସ୍ତୁତି । ଷ୍ଟାଡିୟମର ୭ଟି ଯାକ ଗ୍ୟାଲେରୀ ସହ କ୍ଲକ ଟାୱାର, ପାଭିଲିୟନ ଓ ସ୍ପେଶାଲ ଏନକ୍ଲୋଜରର ରଙ୍ଗ କାମ ଦ୍ରୁତ ଗତିରେ ଚାଲିଥିବା ବେଳେ ପଡିଆର ଘାସ କଟା ଓ ପିଚ କାମ ତ୍ବରିତ ଗତିରେ ଚାଲିଛି । ମ୍ଯାଚ ର ଗୋଟିଏ ସପ୍ତାହ ପୂର୍ବରୁ ସବୁ କାମ ସାରିବାକୁ ଲକ୍ଷ୍ଯ ରଖାଯାଇଛି । ଦୁଇ ବର୍ଷ ଆଠ ମାସ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ମ୍ଯାଚ । ଶେଷ ଥର ପାଇଁ ୧୨ ଜୁନ ୨୦୨୨ ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ଯରେ ଏକ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା । ତେବେ ଏଥର ଭାରତ-ଇଂଲଣ୍ଡ ଭଳି ଦୁଇ ଶକ୍ତିଶାଳୀ ଟିମ ମଧ୍ଯରେ ୫୦ ଓଭର ବିଶିଷ୍ଟ ମ୍ୟାଚ ହେବ। ମ୍ୟାଚ ପାଇଁ ଓସିଏ ଟିକେଟ ଦାମ ଘୋଷଣା କରି ସାରିଥିବା ବେଳେ ଏଥର ୪୪ ହଜାର ଦର୍ଶକ ଖେଳକୁ ଉପଭୋଗ କରିବେ ।
ବୃଦ୍ଧା ମା’କୁ ମାରିଦେଲା ପୁଅ
ନନ୍ଦିଘୋଷ ବ୍ୟୁରୋ: ବୃଦ୍ଧା ମା’କୁ ମାଡ଼ମାରିଲା ଭେଣ୍ଡିଆ ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମଳିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ଖଣ୍ଡରାବଳି ଗାଁରେ । ଏହି ଗାଁର ୭୦ ବର୍ଷୀୟା କାନ୍ତା ବିଷୋୟୀଙ୍କ ୫ଟି ଝିଅ ଥିବା ବେଳେ ଗୋଟିଏ ପୁଅ ଅଛି । ୫ଟି ଝିଅ ଶାଶୂଘରେ ରହିଥିବା ବେଳେ ପୁଅ କାଳିଆ ବିଷୋୟୀ ମା’ ନିକଟରେ ରହିଥାଏ । ଗତକାଲି ରାତିରେ ମା’ ପୁଅ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ କାଳିଆ ମାକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କାନ୍ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ରାସ୍ତାକଡ଼ରେ ପଡିରହିଛନ୍ତି । ଏନେଇ କିନ୍ତୁ ମାଡ ମାରିଥିବା ପୁଅର କୌଣସି ପ୍ରତିକ୍ରିୟା ମିଳିପାରିନି ।
ଆତ୍ମହତ୍ୟା ରୋକିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍
ନନ୍ଦିଘୋଷ ବ୍ୟୁରୋ: ରୋଗୀ ଆତ୍ମହତ୍ୟା କରିବାକୁ ଗଲେ ଡାକ୍ତରଙ୍କୁ ସତର୍କ ସୂଚନା ଦେବ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ । ଆମେରିକାର ଭାଣ୍ଡରବିଲ୍ଟ ୟୁନିଭରସିଟି ଅଫ୍ ମେଡିକାଲ ସାଇନ୍ସ୍ର ବୈଜ୍ଞାନିକମାନେ ଗବେଷଣା କରି ଭେଲ ଏଆଇ ବା VSAIL ବାହାର କରିଛନ୍ତି । ରୋଗୀର ବୈଦ୍ଯୁତିକ ତଥ୍ୟ ଆଧାରରେ ଯଦି ରୋଗୀ ମାନସିକ ସ୍ତରରେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛି ତାହେଲେ ୩୦ ଦିନ ପୂର୍ବରୁ ଚିକିତ୍ସା କରୁଥିବା ଡାକ୍ତରକୁ ଏହାର ସତର୍କ ସୂଚନା ମିଳିଯିବ । ଯାହାଫଳରେ ସମ୍ପୃକ୍ତ ରୋଗୀକୁ ମାନସିକ ଚିକିତ୍ସା ଦ୍ବାରା ତାକୁ ଆତ୍ମହତ୍ୟା କରିବାରୁ ରକ୍ଷା କରିହେବ ।
ଆତ୍ମହତ୍ୟା ରୋକିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ । ଆମେରିକାର ଭାଣ୍ଡରବିଲ୍ଟ୍ ୟୁନିଭରସିଟି ଅଫ୍ ମେଡିକାଲ ସାଇନସ୍ର ବୈଜ୍ଞାନିକ ଗବେଷଣା କରି ଏପରି ଏକ ନୂଆ AI ଆବିଷ୍କାର କରିଛନ୍ତି । ରୋଗୀର ମନରେ ଯଦି ଆତ୍ମହତ୍ୟା କରିବାର ଇଚ୍ଛା ଜନ୍ମେ । ତାହେଲେ ୩୦ ଦିନ ପୂର୍ବରୁ ରୋଗୀକୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସତର୍କ ସୂଚନା ଦେବ AI । ଯାହାକୁ କହୁଛନ୍ତି ଭାଣ୍ଡରବିଲ୍ଟ ସୁଇସାଇଡ ଆଟେମ୍ପ୍ଟ ଆଣ୍ଡ୍ ଆଇଡିଏସନ୍ ଲାଇକ୍ଲିହୁଡ୍ ମଡେଲ ବା VSAIL । ମାନସିକ ରୋଗ ଚିକିତ୍ସକଙ୍କ ମତରେ ଏପରି ଆବିଷ୍କାର ଆତ୍ମହତ୍ୟା ରୋକିବା କ୍ଷେତ୍ରରେ ବଡ଼ ବିପ୍ଲବ ଆଣିବ ।
ଆଜିକାଲି ଭଲ ସୁସ୍ଥ ଲୋକଙ୍କ ଭିତରେ ଛୋଟ ଛୋଟ କଥାରୁ ଆତ୍ମହତ୍ୟାପ୍ରବଣତା ବଢୁଛି । ପ୍ରେମରେ ଅସଫଳ, ଅତିରିକ୍ତ ମାନସିକ ଚାପ, ପରୀକ୍ଷାରେ ଭଲ ଫଳ ନ ମିଳିବା, ବିଷାଦଗ୍ରସ୍ତ, ବ୍ୟବସାୟରେ କ୍ଷତି, ହଠାତ ଆତ୍ମୀୟଙ୍କ ପ୍ରାଣହାନୀ, ଦୁର୍ଘଟଣାରେ ଦିବ୍ୟାଙ୍ଗ ହୋଇଗଲେ ବ୍ୟକ୍ତି ତାର ମାନସିକ ସନ୍ତୁଳନ ହରାଉଛି । କେବଳ ବିଷାଦଗ୍ରସ୍ତ ହେଲେ ଆତ୍ମହତ୍ୟା କରୁନାହାନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ବ୍ୟକ୍ତିର ଲକ୍ଷଣରେ ବ୍ୟାପକ ପରିବର୍ତ୍ତନ ଦେଖାଦେବ । ଲୋକଟି ସମସ୍ତଙ୍କ ସହିତ ମିଶୁଥିବ, ହଠାତ୍ ଦେଖାହେବା, ମିଶିବା ବନ୍ଦ କରିଦିଏ । ଖାଇବାକୁ ଇଚ୍ଛା ତାର ମରିଯିବ । ହଠାତ ସମସ୍ତଙ୍କୁ ମିଠା ବାଣ୍ଟିବ । ରୋଗୀର ମାନସିକ ସ୍ତରରେ ଏପରି ପରିବର୍ତ୍ତନ ଦେଖାଦେଲେ VSAIL ଡାକ୍ତରଙ୍କୁ ସତର୍କ କରାଇଦେବ ।
ଡାକ୍ତର ରୋଗୀର ଲକ୍ଷଣ ଦେଖି ଚିକିତ୍ସା କରେ । କିନ୍ତୁ ତାର ମାନସିକ ସ୍ତରରେ କଣ ଚାଲିଛି । ତାକୁ ଡାକ୍ତର ଜାଣିପାରିବନି । ନୂଆ ଗବେଷଣା ଅନୁଯାୟୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ ସ୍ବୟଂକ୍ରିୟ ଭାବେ କାମ କରିବ । ପୂର୍ବରୁ ଗଚ୍ଛିତ ଥିବା ରୋଗୀର ତଥ୍ୟକୁ ବିଶ୍ଲେଷଣ କରି ସେହି ରୋଗୀଟି ଯେତେଦୂରରେ ଥିଲେ ବି ତାର ମସ୍ତିଷ୍କରେ ଘଟୁଥିବା ପରିବର୍ତ୍ତନକୁ ଜ୍ୟୋତିଷ ଭଳି ପୂର୍ବାନୁମାନ କରି କହିଦେବ ଏଆଇ । ଯେତେବେଲେ ଡାକ୍ତର ସମ୍ପୃକ୍ତ ରୋଗୀ ପାଇଁ ଚିକିତ୍ସା ସେବାରେ କିଛି ପରିବର୍ତ୍ତନ କରିବାକୁ ଯାଉଥିବେ ।
ଏହି ସମୟରେ AI ତାର ମାନସିକ ସ୍ତରରେ ଆତ୍ମହତ୍ୟା କରିବାକୁ ଥିବା ଇଚ୍ଛା ଜନ୍ମିବା ନେଇ ସତର୍କ ସୂଚନା ପଠାଇଲେ ରୋଗୀର ଜୀବନ ବଞ୍ଚାଇହେବ । ଏହା ଏବେ ଆମେରିକାରେ ପରୀକ୍ଷା ନିରୀକ୍ଷା ଚାଲିଛି । ଆଗକୁ ଭାରତରେ ଏହି AI ଉପଲବ୍ଧ ହେବ । କେବଳ ଦୁରାରୋଗ୍ୟ ଚିକିତ୍ସାଧୀନ ରୋଗୀଙ୍କ କଥା ନୁହେଁ । ତଥ୍ୟରୁ ଜଣାପଡ଼ିଛି ଆତ୍ମହତ୍ୟା କରିଥିବା ୭୭ ପ୍ରତିଶତ ବ୍ୟକ୍ତି ଆତ୍ମହତ୍ୟା କରିବାର ବର୍ଷକ ପୂର୍ବରୁ ପ୍ରାଥମିକ ଚିକିତ୍ସକଙ୍କଠାରୁ ପରାମର୍ଶ ନେଇଥାନ୍ତି ।
ଏବେ ଇଣ୍ଟରନେଟ୍ ଯୁଗରେ ଆତ୍ମହତ୍ୟା କରିବା ପାଇଁ ବହୁ ଉପାୟ ଉପଲବ୍ଧ ହେଉଛି । ଯେଉଁଥିପାଇଁ ଛୋଟ ପିଲାଠୁ ଆରମ୍ଭ କରି ଉଚ୍ଚ ଶିକ୍ଷିତ ବ୍ୟକ୍ତି ଆତ୍ମହତ୍ୟା କରିବା ଘଟଣା ସାମନାକୁ ଆସୁଛି । ନୂଆ AI ସବୁ ଡାକ୍ତରଖାନାରେ ଯେତେ ଶୀଘ୍ର ଉପଲବ୍ଧ ହେବ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ । ଖାଲି ଚିକିତ୍ସା କ୍ଷେତ୍ରରେ ନୁହେଁ, ଧୀରେ ଧୀରେ ଏହାର ବ୍ୟବହାର ପୋଲିସ ପାଇଁ ବି ହୋଇପାରିବ।
ମଣ୍ଡିରେ ଉଠୁନି ଧାନ, ହନ୍ତସନ୍ତ ଚାଷୀ
ନନ୍ଦିଘୋଷ ବ୍ୟୁରୋ: ଚାଷୀକୁଳକୁ ସରକାର ଅଣଦେଖା କରୁଛନ୍ତିl ମଣ୍ଡିରେ ଅବ୍ୟବସ୍ଥା ଜାରି ରହିବା ସହ ଚାଷୀଙ୍କ ଉପରେ ଶୋଷଣ ବଢି ବଢି ଚାଲିଛି। ଯାହାକୁ ନେଇ ବିଧାସଭା ଷ୍ଟାଣ୍ଡିଂ କମିଟିରେ ଉଦବେଗ ପ୍ରକାଶ ପାଇଛି। ଖୁବଶୀଘ୍ର ବିଧାନସଭାର ଷ୍ଟାଣ୍ଡିଂ କିମଟି ସଦସ୍ୟ ଧାନମଣ୍ଡି ବୁଲିବା ସହ ଚାଷୀଙ୍କ ଦୁଃଖ ବୁଝିବେ। ମଣ୍ଡିରେ କଟନି ଛଟନି ଲାଗି ରହିଥିବାରୁ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର କାଡ଼ାମ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ଯାହାକୁ ନେଇ ଶାସକ ଓ ବିରୋଧୀ ମୁହାମୁହିଁ ।
ମଣ୍ଡିରେ ଉଠୁନି ଧାନ, ହନ୍ତସନ୍ତ ଚାଷୀ। ବିଧାନସଭାର ଷ୍ଟାଣ୍ଡିଂ କମିଟି ବୈଠକରେ ଝଡ଼। ମଣ୍ଡିରେ ମିଲର ରାଜ, ଚୁପ ସରକାରୀ ଅଧିକାରୀ। ସମସ୍ୟା ପାଇଁ ମଣ୍ଡି ବୁଲିବ ବିଧାନସଭା କମିଟି। ରାଜ୍ୟ ସରକାରଙ୍କ ଘୋଷଣା ଗୋଟେ ପଟେ,ବାସ୍ତବତା କିନ୍ତୁ ଓଲଟା। ମଣ୍ଡିରୁ ଧାନ ଉଠି ପାରୁନି। କଟନି ଛଟନିରୁ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ସରକାରୀ ଅଧିକାରୀନେ ଚୁପ ବସିଛନ୍ତି।ଯାହାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଉଦବେଗ ପ୍ରକାଶ ପାଇଛି। କମିଟିର ଅଧ୍ୟକ୍ଷ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଧାନ ମଣ୍ଡି ସମସ୍ୟା ନେଇ ଯୋଗାଣ ବିଭାଗ ଅଧିକାରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ମଣ୍ଡିରେ ଧାନ ଉଠୁନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି।ଖୁବଶୀଘ୍ର ବିଧାନଭା କମିଟି ଧାନ ମଣ୍ଡି ବୁଲିବା ସହ ଚାଷୀଙ୍କ ସମସ୍ୟା ପ୍ରଚାରି ବୁଝିବେ। ରାଜ୍ୟ ସରକାର ଭାଷଣବାଜିରୁ ଦୂରେଇ ରହି ଚାଷୀଙ୍କ ସମସ୍ୟା ଦୂର କରିବାକୁ ଦାବି କରିଛି କମିଟି। ବିଜେଡି ମଧ୍ୟ ବିଧାନସଭା କମିଟି ନିଷ୍ପତିକୁ ସ୍ବାଗତ କରିବା ସହ ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଘେରିଛି।
ରାଜ୍ୟରେ ଅନେକ ଜିଲ୍ଲାରେ ମଣ୍ଡି ଠିକ ଭାବେ ଖୋଲି ନାହିଁ ବୋଲି କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଛି। ଦଲାଲଙ୍କ କବଜାରେ ଧାନ ମଣ୍ଡି ଥିବାବେଳେ ସମସ୍ୟା ବଢ଼ି ବଢ଼ି ଚାଲିଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ସେପଟେ ଉତ୍ତର ରଖି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ୬ ମାସର ବିଜେପି ସରକାର ମଣ୍ଡି ସମସ୍ୟା ଦୂର କରିବାକୁ ନେଇଛନ୍ତି ଅନେକ ପଦକ୍ଷେପ। ଜାନୁଆରୀ ମାସ ଦ୍ବିତୀୟ ସପ୍ତାହ ପରେ ରାଜ୍ୟର ବିଭିନ୍ନ ଧାନମଣ୍ଡି ବୁଲିବ ବିଧାନସଭା କମିଟି। ଦେଖିବାର କଥା କମିଟି ପ୍ରସ୍ତାବକୁ କେତେ ଗୁରୁତ୍ବ ଦେଉଛନ୍ତି ସରକାର। ଏଥିରେ ଚାଷୀମାନଙ୍କ ଦୁଃଖ ଦୂର ହେଉଛି ନାଁ ଯଥା ପୂର୍ବଂ ତଥା ପରଂ ନୀତିରେ ଚାଲିବ ମଣ୍ଡି ।
ଦିନକରେ ଦେଶରେ ୬ HMPV ପଜିଟିଭ ଚିହ୍ନଟ
ନନ୍ଦିଘୋଷ ବ୍ୟୁରୋ: ଦିନକରେ ଦେଶରେ ୬ HMPV ପଜିଟିଭ ଚିହ୍ନଟ। ବେଙ୍ଗାଳୁରୁରେ ଆଜି ପ୍ରଥମ HMPV ପଜିଟିଭ ଚିହ୍ନଟ ହୋଇଥିଲା। ବେଙ୍ଗାଳୁରୁରେ ପ୍ରଥମେ ଜଣେ ୮ ମାସର ଶିଶୁ ଠାରେ ହ୍ୟୁମାନ ମେଟାନ୍ୟୁମୋଭାଇରସ ବା HMPV ଚିହ୍ନଟ ହୋଇଥିଲା। ବେଙ୍ଗାଳୁରୁର ବାପ୍ଟିଷ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶିଶୁଠାରେ ଏହି ଭୂତାଣୁକୁ ଚିହ୍ନଟ କରାଯାଇଛି। ସେହିପରି ଆଉ ଜଣେ ୩ ମାସର ଶିଶୁଠାରେ ମଧ୍ୟ ଏହି HMPV ଚିହ୍ନଟ ହୋଇଛି। ତେବେ ୩ ମାସର ସିଶୁ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେହିପରି ତୃତୀୟ ପଜିଟିଭ ଗୁଜରାଟ ଅହମ୍ମଦାବାଦରୁ ଚିହ୍ନଟ ହୋଇଛି। ଅହମ୍ମଦାବାଦରେ ଜଣେ ୨ ମାସ ଶିଶୁଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଚେନ୍ନାଇରେ ଦୁଇ ଜଣ ଏବଂ କୋଲକାତାରେ ମଧ୍ୟ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଏବଂ ସେମାନଙ୍କ ପରିବାରର ନିକଟରେ କୌଣସି ବିଦେଶ ଯାତ୍ରା ରେକର୍ଡ ନାହିଁ। ଏହି ଭାଇରସ ସାଧାରଣତଃ ୧୧ ବର୍ଷ ବୟସରୁ କମ ବୟସର ଶିଶୁଙ୍କ କ୍ଷେତ୍ରରେ ଦେଖାଯାଏ। ଫ୍ଲୁ ନମୁନା ମଧ୍ଯରୁ ୦.୭ ପ୍ରତିଶତ କ୍ଷେତ୍ରରେ ଏହି ଭାଇରସ ମିଳିଥାଏ। କିଛି ଦିନ ଧରି ଏହି ଭୂତାଣୁକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି। ଭୂତାଣୁର ସମ୍ଭାବ୍ୟ ସଂକ୍ରମଣ ନେଇ ବି ପ୍ରସ୍ତୁତ ରହିଛନ୍ତି କେନ୍ଦ୍ର ସରକାର।
ଅବହେଳିତ ଅବସ୍ଥାରେ ଯାଜପୁରର ପ୍ରସିଦ୍ଧ ବରାହ କ୍ଷେତ୍ର
ନନ୍ଦିଘୋଷ ବ୍ୟୁରୋ: ଯାଜପୁରର ପ୍ରସିଦ୍ଧ ବରାହ କ୍ଷେତ୍ର। ଐତିହାସିକ ଓ ପୁରାଣ କିମ୍ବଦନ୍ତି ବହନ କରୁଥିବା ଏହି ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ହାତରେ ରହିଥିଲେ ବି ଆଜି ବି ରହିଛି ଅନେକ ସମସ୍ୟା। ଆର୍ଥିକ ଅଭାବରୁ ଦୈନିକ ନୀତିକାନ୍ତି ହେବା କଷ୍ଟକର ହୋଇପଡିଛି। ଏପରିକି ମୁଖ୍ୟ ମନ୍ଦିରରେ ଫାଟ ରହିଥିବା ବେଳେ ତାହା ମରାମତି ହେଉନାହିଁ। ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ପାନୀୟ ଜଳ ଶୈାଚାଳୟ କି ଆଶ୍ରୟ ସ୍ଥଳ ଟିଏ ନାହିଁ। ସେପଟେ ବରାହ କ୍ଷେତ୍ର ରେ ସମସ୍ଯା ସମଧାନ କରାଯିବ ବୋଲି କହିଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲପାଳ ।
ବୈତରଣୀ ନଦୀ କୂଳରେ ଅବସ୍ଥିତ ପୁରାତନ ବରାହ କ୍ଷେତ୍ର। ମନ୍ଦିରରେ ପୁଜା ପାଉଛନ୍ତି ଯଜ୍ଞ ବରାହ, ଶ୍ୱେତ ବରାହ , ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥ । ପୁରାଣ କିମ୍ବଦନ୍ତି ବହନ କରୁଥିବା ଏହି ମନ୍ଦିରର ସୁରକ୍ଷା ଦାୟିତ୍ୱ ନେଇଛି ଭାରତୀୟ ପ୍ରତ୍ନତତ୍ୱ ବିଭାଗ । କିନ୍ତୁ ସେବାୟତଙ୍କ ଅଭିଯୋଗ, ମାଗି ଯାଚି ଦୈନିକ ରୀତି ନୀତି ଏବଂ ଭୋଗ କରିବାକୁ ପଡୁଛି। ମନ୍ଦିର ଦଧିନଉତି ଭାଙ୍ଗି ପାଣି ଗଳିଲାଣି। ମନ୍ଦିରରେ ଆଶ୍ରୟ ସ୍ଥଳ, ଶୈାଚାଳୟ, ପାନୀୟ ଜଳ ବ୍ଯବସ୍ଥା ହୋଇପାରିନି । ନାନା ଅସୁବିଧା କାରଣରୁ ଶ୍ରଦ୍ଧାଳୁ ଆସୁନାହାନ୍ତି କି ଠାକୁରଙ୍କ ନୀତିକାନ୍ତି ଠିକ ଭାବେ ହୋଇପାରୁନି । ମନ୍ଦିରର ଉନ୍ନତି ଲାଗି ପଦକ୍ଷେପ ନେବାକୁ ଶ୍ରଦ୍ଧାଳୁ ଓ ସେବାୟତ ଦାବୀ କରିଛନ୍ତି ।
ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ ରହିଛି କ୍ଷେତ୍ର। ବରାହଙ୍କ ସହ ଏଠାରେ ରହିଛି ହରଗୌରୀ, ସୂର୍ଯ୍ୟ ଦେବତା, ନବଗ୍ରହ , ବିମଳା ଦେବୀ , ବିଷ୍ଣୁ ଏବଂ ରାମ ମନ୍ଦିର ଭଳି ଅନେକ ଛୋଟ ବଡ ମନ୍ଦିର। ମନ୍ଦିରକୁ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ହେଲେ ପ୍ରଶାସନିକ ଉଦାସୀନତା ଓ ଅବହେଳା କାରଣରୁ ଯାଜପୁରର ଏହି ପୁରାତନ ବିଷ୍ଣୁ କ୍ଷେତ୍ର ଆଜି ଅବହେଳିତ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେପଟେ ମନ୍ଦିର ସମସ୍ୟା ଦୂର କରିବା ଲାଗି ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଓ ତହସିଲ ସହ ଆଲୋଚନା କରାଯାଇ ପଦେକ୍ଷପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ଶୀତ
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ଶୀତ । ଉପାନ୍ତରୁ ଉପକୂଳ ସବୁଠି ରହିବ ଶୁଖିଲା ପାଗ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ ଡିଗ୍ରୀ ଉପରେ ରହିବ ତାପମାତ୍ରା । ଉପକୂଳରେ ୧୫ ଡିଗ୍ରୀରୁ ଅଧିକ ତାପମାତ୍ରା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ତାପମାତ୍ରା କମ୍ ରହିଛି । ଏଭଳି ପାଗ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ । ୪ ଦିନ ପରେ ରାଜ୍ୟରେ ପୁଣି ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ସେପଟେ ଆସନ୍ତା ଦୁଇ ଦିନ ପାଇଁ ଅତି ଘନକୁହୁଡି ନେଇ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ସୁନ୍ଦରଗଡ, ଢେଙ୍କାନାଳ, କଟକ, କଳହାଣ୍ଡି, କନ୍ଧମାଳ ଏବଂ କୋରାପୁଟକୁ ସତର୍କତା ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ୨୦ ମିଟର କିମ୍ବା ଜିରୋ ଭିଜିବିଲିଟି ରହିବାର ସମ୍ଭାବନା ରହିଛି । ସେହିଭଳି ଖୋର୍ଦ୍ଧା, ଅନୁଗୁଳ, ଗଜପତି, ଗଞ୍ଜାମ, ରାୟଗଡା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କେନ୍ଦୁଝର ଏବଂ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ । ଗତ ୨୪ ଘଣ୍ଟାରେ ରାଜ୍ୟର ୨ ଟି ସହରରେ ଶୀତ ଲହରୀ ଅନୁଭୁତ ହୋଇଛି । ପାହାଡିଆ ଅଞ୍ଚଳ ଭାବରେ ୭.୫ ଡିଗ୍ରୀ ସହ କୋରାପୁଟ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରିଥିବା ବେଳେ ସମତଳ ଅଞ୍ଚଳ ଭାବରେ ଦାରିଙ୍ଗବାଡିରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ୧୦.୫, ନବରଙ୍ଗପୁରରେ ୧୦.୫, ଝାରସୁଗୁଡାରେ ୧୦.୮ ଏବଂ ଅନୁଗୁଳରେ ୧୧ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ ୧୪.୫ ଏବଂ କଟକରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଟିଟିଲାଗଡ ମୁନସିପାଲିଟିର ବିଚିତ୍ର ନୀତି, ଟେଲିଫୋନ ଖୁଣ୍ଟରେ ଲାଗୁଛି ବିଜୁଳି ବତୀ
ନନ୍ଦିଘୋଷ ବ୍ୟୁରୋ: ଟିଟିଲାଗଡ ମୁନସିପାଲିଟିର ବିଚିତ୍ର ନୀତି । ଟେଲିଫୋନେ ଖୁଣ୍ଟରେ ଲାଗୁଛି ବିଜୁଳି ବତୀ । ସହରର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଥିବା ବେଳେ ମୁନସିପାଲିଟି ତରଫରୁ ଅବ୍ୟବହୃତ ଟେଲିଫୋନ ଖୁଣ୍ଟ ସଂଗ୍ରହ କରି ସେହି ଖୁଣ୍ଟରେ ଲାଇଟ୍ ଲଗାଯାଇଛି। ଏହା ମୁନସିପାଲିଟି ଦ୍ବାରା ହେଉଥିବା ଦୁର୍ନୀତି ବୋଲି ସ୍ଥାନୀୟ ଲୋକେ କହିବା ସହିତ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।
ଟିଟିଲାଗଡରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଚାଲିଛି ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ହେଲେ କାମ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ କରିଛନ୍ତି ଟିଟିଲାଗଡ ବାସୀ। ବିଜୁ ଜନତା ଦଳର ଶାସନ ସମୟରେ ଖେଳକୁଦ କରିବା ଓ ବ୍ୟାୟମ ପାଇଁ ଜିମ୍ ସାମଗ୍ରୀ ବିଭିନ୍ନ ଅଞ୍ଚଳରେ ଲଗାଇବା ପାଇଁ ଦିଆଯାଇଥିଲା। ବ୍ୟାୟମ ସାମଗ୍ରୀ ବ୍ୟବହାର ନହୋଇ ଖୋଲା ଆକାଶ ତଳେ ପଡି ପଡି କଳଙ୍କି ଖାଉଛି। ସହର ମଧ୍ୟଭାଗରେ ରହିଛି ‘ମୁଡା ବନ୍ଧ’। ବନ୍ଧ ହିଡରେ ପେଭର୍ ବ୍ଲକ ପକାଇବା ସହିତ ଆଲୋକିକରଣ ପାଇଁ ପଦକ୍ଷେପ ନିଆଯାଉଛି। କାମ ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏହି ସ୍ଥାନ ରେ ଲାଗିଥିବା ପେଭର୍ ବ୍ଲକ ଗୁଡିକ ଭାଙ୍ଗିବା ସହିତ ଅନେକ ସ୍ଥାନ ରେ ଦବି ଗଲାଣି । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଟେଲିଫୋନ ଖୁଣ୍ଟ ନେଇ “ମୁଡା ବନ୍ଧ “ ହିଡ଼ ରେ ଲଗାଇବା ସହିତ ଟେଲିଫୋନ ଖୁଣ୍ଟ ରେ LED ଲାଇଟ୍ ଲଗାଯାଇଛି।
ଏନେଇ ପଚରାଉଚରା କରିବାରୁ, ଟେଲିଫୋନ ଖୁଣ୍ଟ କୌଣସି ବିଭାଗ କିମ୍ବା ବ୍ୟକ୍ତି କୁ ଦିଆଯାଇନାହିଁ ଯଦି କେହି ନେଇଛନ୍ତି ତାହେଲେ ଚୋରି କରିକି ନେଇଛନ୍ତି ବୋଲି କହିଛନ୍ତି ବିଏସଏନଏଲ ଏସଡିଓ। ଟିଟିଲାଗଡର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି ହେଲେ ବଜେଟ୍ କମ ଥିବାରୁ ଟେଲିଫୋନ ବିଭାଗର ଖୁଣ୍ଟ ନେଇ ଆଲୋକିକରଣ କାର୍ଯ୍ୟରେ ଲଗାଯାଇଛି ବୋଲି ଟିଟିଲାଗଡ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି। ସ୍ଥାନୀୟ ଲୋକେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ସମସ୍ଯା ସମାଧାନ ନହେଲେ ସ୍ଥାନୀୟ ଲୋକେ ଆଗାମୀ ଦିନରେ ଆନ୍ଦୋଳନର ଧମକ ଦେଇଛନ୍ତି।
ରୋହିତଙ୍କ ପରେ କିଏ ହେବେ ଟିମ ଇଣ୍ଡିଆର ଅଧିନାୟକ ? ଦୌଡ଼ରେ ଅଛନ୍ତି ଏହି ଖେଳାଳି
ନନ୍ଦିଘୋଷ ବ୍ୟୁରୋ: ବର୍ଡର ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆର ପରାଜୟ ପରେ ଦଳର ପ୍ରଦର୍ଶନକୁ ନେଇ ଉଠିଛି ପ୍ରଶ୍ନବାଚୀ । ରୋହିତ ଅବସର ନେବେ ଏଭଳି ଏକ ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳିଥିବାବେଳେ ହିଟମ୍ୟାନ ଏହାର ଜବାବ ଦେଇସାରିଛନ୍ତି । ସେ କହିଛନ୍ତି କି, ମୁଁ ଖରାପ ଫର୍ମ ଦେଇ ଗତି କରୁଛି । କିନ୍ତୁ ଅବସର ନେବି ନାହିଁ । ଭଳି ଏକ ସମୟରେ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର କହିଛନ୍ତି କି, ଭାରତକୁ ୨୦୨୫-୨୭ ବିଶ୍ବ ଟେଷ୍ଟ ଚାମ୍ପିୟନ୍ସସିପ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ସେତେବେଳକୁ ରୋହିତଙ୍କ ବୟସ ୩୮ ବର୍ଷ ପାର କରିଥିବ । ଏଣୁ ଟିମ ଇଣ୍ଡିଆକୁ ନୂଆ ଅଧିନାୟକ ଦରକାର ବୋଲି କୁହାଯାଉଛି । ଯଦି ଏଭଳି କିଛି ହୁଏ ତାହେଲେ ରୋହିତଙ୍କ ଉତ୍ତରାଧିକାରୀ କିଏ ହେବେ । ତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଦୌଡ଼ରେ ରହିଛନ୍ତି ୩ ଖେଳାଳି ।
ତେବେ ଟେଷ୍ଟରେ ଅଧିନାୟକ ଦୌଡ଼ର ଆଗରେ ରହିଛନ୍ତି ଜଶପ୍ରିତ ବୁମରା । ରୋହିତଙ୍କ ଅନୁପସ୍ଥିତିରେ ଦଳର ଅଧିନାୟକ ପଦ ସମ୍ଭାଳିଥିବା ବୁମରା ଆଗାମୀ ଦିନରେ ଅଧିନାୟକ ହେବେ ବୋଲି କୁହାଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ମ୍ୟାଚରେ ଅଧିନାୟକ ପଦ ସମ୍ଭାଳିଥିଲେ ବୁମରା । ସେପଟେ ଟି-୨୦ କଥା ଯଦି କହିବା ତାହେଲଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟ କୁମାର ରେସରେ ରହିଛନ୍ତି । ଅନ୍ୟପଟେ ଟେଷ୍ଟ ଏବଂ ଦିନିକିଆରେ ପନ୍ତ ଏବଂ କେଏଲ ରାହୁଲ ମଧ୍ୟ ଦୌଡ଼ରେ ରହିଛନ୍ତି । ରୋହିତଙ୍କ ପରେ ଏମାନେ ଦଳର ଅଧିନାୟକ ହେବେ ବୋଲି କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଆଳୋଚନା ଜାରି ରହିଛି ।

