spot_img
Home Blog Page 1293

ଉତ୍କର୍ଷ ଓଡ଼ିଶା ବ୍ରୋଚରରେ ମେକ ଇନ ଓଡ଼ିଶାକୁ ଭୂୟସୀ ପ୍ରଶଂସା

ଭୁବନେଶ୍ବର : ଉତ୍କର୍ଷ ଓଡ଼ିଶା । ଅନ୍ୟ ଯୋଜନା ପରି ଏ ବି ଥିଲା ବିଜେପି ସରକାରଙ୍କ ଏକ ନାମ ପରିବର୍ତ୍ତନ ଯୋଜନା । ନବୀନ ପଟ୍ଟନାୟକଙ୍କ ସରକାର ସମୟର ମେକ୍ ଇନ ଓଡ଼ିଶାକୁ ଉତ୍କର୍ଷ ଓଡ଼ିଶାରେ ପରିଣତ କଲେ ନୂଆ ସରକାର । ହେଲେ ଉତ୍କର୍ଷ ଓଡ଼ିଶା ବି ନବୀନ ସରକାର ସମୟର ଶିଳ୍ପ ବିକାଶକୁ ନେଇ ଆଗକୁ ବଢୁଛି ବୋଲି ସ୍ପଷ୍ଟ ହୋଇଛି । ଯାହାକୁ ମୋହନ ମାଝୀ ସରକାର ସ୍ବୀକାର କରିଛନ୍ତି । ଗତ ଦୁଇ ଦଶନ୍ଧରେ ଓଡ଼ିଶାର ଅର୍ଥନୀତି ଜାତୀୟ ହାରଠାରୁ ଆଗରେ ରହିଥିବା ଏହି ବ୍ରୋଚରର ଶୀର୍ଷ ମଣ୍ଡନ କରିଛି। ଉତ୍କର୍ଷ ଓଡ଼ିଶାର ବ୍ରୋଚରକୁ ଯଦି ପ୍ରଥମରୁ ପଢାଯିବ, ତାହାର ପ୍ରତି ଧାଡ଼ିରେ ରହିଛି ନବୀନ ସରକାର ସମୟର ସଫଳତାର ଗାଥା । ନିଜ ଆଲେଖ୍ୟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁସନ-୨୦୨୨ ବାଣିଜ୍ୟ ଉପଯୋଗୀ ବାତାବରଣ ସୃଷ୍ଟି କରି ପାରିଛି । ସିଙ୍ଗିଲ ଓ୍ବିଣ୍ଡୋ କ୍ଲିୟରାନସ୍ ସହ ଏହା ଏକ ଶକ୍ତିଶାଳୀ ଶିଳ୍ପ ବିକାଶକୁ ଗୁରୁତ୍ବ ଦେଇଛି । ସେହିପରି ଏକ ସ୍ଥାୟୀ ସରକାର ଯୋଗୁଁ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇଛି । ଯାହା ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ନିର୍ମାଣ, ପରିମଳ, ବିଦ୍ୟୁତ ଓ ନାରୀ ସଶକ୍ତିକରଣ କରି ପାରିଛି । ଆଶ୍ଚର୍ଯ୍ୟର କଥା ଯେଉଁ 5Tକୁ ମୋହନ ସରକାର ବାରମ୍ବାର ଟାର୍ଗେଟ କରୁଛନ୍ତି, ତାକୁ ଏହି ବ୍ରୋଚରରେ ମିଳିଛି ଭୂୟସୀ ପ୍ରଶଂସା । 5T କିପରି ଭାବେ ଓଡ଼ିଶାରେ ପରିବର୍ତ୍ତନ ଆଣି ପାରି ଓଡ଼ିଶା ବିକାଶରେ ସହାୟକ ହୋଇଥିଲା, ତାକୁ ବି ଏଥିରେ ସ୍ଥାନ ମିଳିଛି । ଗତ ୧୦ ବର୍ଷରେ ନିବେଶକଙ୍କ ପାଇଁ ପର୍ଯ୍ୟାପ୍ତ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ଇଜ୍ ଅଫ୍ ଡୁଇଂ ବିଜନେସରେ ଏକ ଆଚିଭର ଷ୍ଟେଟ୍ ଭାବେ ଓଡ଼ିଶାକୁ ପରିଗଣିତ କରାଯାଇଥିବା ବି ଉତ୍କର୍ଷ ଓଡ଼ିଶା ବ୍ରୋଚରରେ ସ୍ଥାନ ପାଇଛି । ବିଜେଡି ସମୟର ବିକାଶକୁ ବର୍ତ୍ତମାନର ସରକାର ସ୍ବୀକାର କରିବାକୁ ବାଧ୍ୟ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି । କାରଣ ଉତ୍କର୍ଷ ଓଡ଼ିଶାରେ ଯେଉଁ ପଦ୍ଧତି କରାଯାଇଛି, ତାହା ନବୀନ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା ଜରିଆରେ କରି ସାରିଛନ୍ତି ।

ବିଜେପି ସରକାର ଭଲ ଭାବେ ଜାଣିଛି ନବୀନ ପଟ୍ଟନାୟକ ସରକାର ସମୟର ଉପଲବ୍ଧି । ଯାହା ବିଭିନ୍ନ ଫୋରମରେ ସେମାନେ ମାନୁଛନ୍ତି । ହେଲେ ରାଜନୈତିକ ଉଦ୍ଦେଶ୍ୟ ରଖି ଦଳକୁ ଖୁସି କରିବାକୁ ବିଜେପି ନେତା ପୁରୁଣା ସରକାରକୁ ବିରୋଧ କରୁଥିବା ବିଜେଡି କଟାକ୍ଷ କରିଛି । ସେହିପରି କଂଗ୍ରେସ ବି ଆଣିଛି ଗୁରୁତର ଅଭିଯୋଗ । ସବୁ କଥାରେ ମୋହନ ସରକାର ପୁରୁଣା ସରକାରକୁ ଦାୟୀ କରିବାରେ ବ୍ୟସ୍ତ । ହେଲେ ନିଜେ କଣ କରିବେ କି କରୁଛନ୍ତି, ତାହା ସେମାନେ ନିଜେ ଜାଣି ନାହାନ୍ତି । ନବୀନ ସରକାରର ଉପଲବ୍ଧିକୁ ସେମାନେ ସମ୍ମାନ ଦେବା କଥା ବୋଲି କଂଗ୍ରେସ ମତ ଦେଇଛି । ବିଜେପି ନେତା ବି ପରୋକ୍ଷରେ ମାନୁଛନ୍ତି ନବୀନ ସରକାର ସମୟର ସଫଳତା । ହେଲେ ଉତ୍କର୍ଷ ଓଡ଼ିଶା ବ୍ରୋଚରରେ ଏହା କିପରି ପ୍ରତିଫଳନ ହେଲା, ତାହା ବିଜେପିକୁ ହରଡ଼ଘଣାରେ ପକାଇଛି । ବିଧାନସଭା ଭିତରେ ବି ବିଭିନ୍ନ ସମୟରେ ପୁରୁଣା ସରକାରକୁ ବିଜେପି ଟାର୍ଗେଟ କରେ । ହେଲେ ଗୃହରେ ଯେଉଁ ଲିଖିତ ଉତ୍ତର ରଖନ୍ତି ମନ୍ତ୍ରୀମାନେ, ତାହା ନବୀନ ସରକାରଙ୍କ ସଫଳତାକୁ ହିଁ ବଖାଣିଥାଏ । ଡବଲ ଇଂଜିନ ସରକାରର ଏପରି ଡବଲ ଷ୍ଟାଣ୍ଡାର୍ଡ ନୀତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।

ସରଗରମ ହେବ ବଜେଟ୍ ଅଧିବେଶନ, ମାଳମାଳ ପ୍ରସଙ୍ଗ ନେଇ କମ୍ପିବ ଗୃହ

ଭୁବନେଶ୍ବର ; ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଧାନମଣ୍ଡିରେ ଜାରି ରହିଛି କଟନିଛଟନି । କୋଟିଆ, ମହାନଦୀ ଓ ପୋଲାଭରମରେ ରାଜ୍ୟ ସ୍ବାର୍ଥକୁ ଅଣଦେଖା । କଣାସ ଓ ବାଙ୍କୀରେ ହଇଜା ବ୍ୟାପୁଛି । ନିର୍ବାଚନୀ ପ୍ରତିଶୃତି ପାଲଟିଛି ପାଣିର ଗାର । ବଜେଟ ଅଧିବେଶନରେ ଏସବୁ ପ୍ରସଙ୍ଗକୁ ଅସ୍ତ୍ର କରି ଶାସକ ଦଳକୁ ଘେରିବେ ବିରୋଧୀ । ଲୋକଙ୍କ ସ୍ବର ସାଜି ଆକ୍ରମଣାତ୍ମକ ଭୂମିକା ତୁଲାଇବ ମୁଖ୍ୟ ବିରୋଧୀ ବିଜେଡି । ନାରୀ ନିର୍ଯାତନା,  ଭୁବନେଶ୍ବରର ଦିନ ଦିପହରେ ହତ୍ୟା, ଚୋରି, ନେତାଙ୍କ ଉପରେ ଆକ୍ରମଣ ଆଦି ପ୍ରସଙ୍ଗକୁ ଅସ୍ତ୍ର କରିବ ବିଜେଡି। ଏହା ସହ  ବାରବାଟୀ ଫ୍ଲଡ ଲାଇଟ ବନ୍ଦ ହୋଇଯିବାରୁ ଓଡିଶା ବଦନାମ ହେବା ପ୍ରସଙ୍ଗରେ ବି ବିଜେଡି ଡବାବ ମାଗିବ। ସରକାରଙ୍କ ବିଫଳତା ନେଇ ଘେରିବ କଂଗ୍ରେସ।

ବଜେଟ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧୀ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ସୁରମା ପାଢୀ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି- ଚିରାଚରିତ ପ୍ରଥାରେ ଚାଲିବ ବିଧାନସଭା । ଅନ୍ୟପଟେ ବଜେଟ ଅଧିବେଶନରୁ ବିଧାନସଭା ପେପରଲେସ ହୋଇଛି । ଟ୍ୟାବରେ ବିଧାୟକମାନେ ପଢିବାର ବ୍ୟବସ୍ଥା ହୋଇଛି ।  ବିଧାନସଭାର ୧୪୭ ବିଧାୟକଙ୍କ ଆସନରେ ଟ୍ୟାବ ଲାଗିଛି ।  ତେଣେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି -ପେପରଲେସ ବିଧାନସଭା ପୂର୍ବ ସରକାର ଅମଳରୁ ଆରମ୍ଭ ହୋଇଥିବା । ତାହାକୁ ଏବେ କାର୍ଯ୍ୟକାରୀ କରାଯିବା ଭଲ କଥା । ଶାସକ ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଟ୍ଯାବ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟ୍ୟାବ ବ୍ୟବସ୍ଥାରେ ବହୁତ କିଛି ନାହିଁ ବୋଲି ସେ କହିଛନ୍ତି। ବାଚସ୍ପତି କହିଛନ୍ତି- ବିଧାନସଭାକୁ ପେପରଲେସ କରାଯାଇଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ୧୩ରୁ ୨୧ ପ୍ରଥମ ପର୍ଯ୍ୟାୟ, ମାର୍ଚ୍ଚ ୭ରୁ ଏପ୍ରିଲ ୫ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବସିବ। ରହିବ ମୋଟ ୨୮ଟି କାର୍ଯ୍ୟଦିବସ । ୧୭ରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ  ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ଅଧିବେଶନରେ ପରସ୍ପରକୁ ଘେରିବା ପାଇଁ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଡବଲ ଇଞ୍ଜିନ ସରକାରର ଅଧା ଇଞ୍ଜିନ ବି କାମ କରୁନି : ବିଜେଡି

ଭୁବନେଶ୍ବର :  ବିଭିନ୍ନ ପ୍ରସଙ୍ଗ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି। କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ । ସରକାରଙ୍କୁ ଘେରିବାକୁ ବିଜେଡିର ରଣନୀତି  । ବିଜେଡି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ  । ଏନେଇ ଶଙ୍ଖ ଭବନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆାଚାର୍ଯ୍ୟ । ସେ କହିଛନ୍ତି, ଗୃହରେ ଉଠିବ ଲୋକଙ୍କ ସମସ୍ୟା ।  ଏ ସରକାରର ଲକ୍ଷଣ ସବୁ କ୍ଷେତ୍ରରେ ନିମ୍ନଗାମୀ  । ଆଇନ ଶୃଙ୍ଖଳା ରକ୍ଷାରେ ସରକାରଙ୍କ ଚରମ ବିଫଳତା  । ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଲେ  । ଡବଲ ଇଞ୍ଜିନ ସରକାରର ଅଧା ଇଞ୍ଜିନ ବି କାମ କରୁନି   । ବିଭାଗ ମଧ୍ୟରେ ସମନ୍ୱୟ ନାହିଁ କି ମନ୍ତ୍ରୀଙ୍କ ଉପରେ ସରକାରଙ୍କ ଲଗାମ ନାହିଁ  । ଓଡ଼ିଶାବାସୀଙ୍କ ସ୍ୱର ବିଧାନସଭାରେ ଉଠାଇବ ବିଜେଡି  । ଭୁବନେଶ୍ୱରରେ ପ୍ରଶାସନ ସାମ୍ନାରେ ଯାହା ଘଟୁଛି ସମସ୍ତେ ଦେଖୁଛନ୍ତି  । ହତ୍ୟା, ଲୁଟ୍, ଛିନତାଇ, ନାରୀ ନିର୍ଯାତନା ବଢ଼ିଛି  । ୯ ମାସରେ ଅର୍ଥ ବ୍ୟବସ୍ଥାର ବିଫଳ ପରିଚାଳନା  । ଏହା ବିଧାନସଭାରେ ଉଠାଇବ ବିଜେଡି  । ଡବଲ ଇଞ୍ଜିନ ସରକାରରେ ସବୁ ଡବଲ ପ୍ରତିଶୃତି ମିଳିଥିଲା  । କେନ୍ଦ୍ରୀୟ ବଜେଟରେ ରାଜ୍ୟକୁ ଅବହେଳା ବିଧାନସଭାରେ ଉଠିବ ବୋଲି କହିଛନ୍ତି ପ୍ରସନ୍ନ । ଆଇନଶୃଙ୍ଖଳା, ଧାନମଣ୍ଡି ସମସ୍ୟା ସହ ସାରା ଓଡ଼ିଶାରେ ବିଷାଦମୟ ପରିସ୍ଥିତି ସୃଷ୍ଟି ହୋଇଛି  । ବିଧାନସଭାରେ ଲୋକଧର୍ମ ବିଜେଡି ପାଳନ କରିବ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ଶେଷ ଦିନରେ ମା’ କାଳୀ ଗୁମ୍ଫାରେ ପୂଜାର୍ଚ୍ଚନା କଲେ ନାଗା ସାଧୁ

ଭୁବନେଶ୍ବର : ମାଘ ସପ୍ତମୀ ଠାରୁ ଆରମ୍ଭ ହୋଇଥିବା ଖଣ୍ଡଗିରି ମେଳା ମାଘ ପୂର୍ଣ୍ଣିମାରେ ପଡ଼ିବ ପୂର୍ଣ୍ଣାହୂତି । ଶେଷ ଦିନରେ ଜୋରଦାର ଚାଲିଛି ପୂଜାର୍ଚ୍ଚନା । ମେଳା ସରିବା ପରେ ବିଦାୟ ନେବେ ସାଧୁସନ୍ଥ । ତେଣୁ ଶେଷ ଦିନରେ ସାଧୁ ସଂଗତି ପାଇଁ ଧାଇଁ ଆସିଛନ୍ତି ଶହଶହ ଶ୍ରଦ୍ଧାଳୁ । ପୂଜା ଓ ହୋମଯଜ୍ଞ ପାଇଁ ଅଞ୍ଚଳରେ ଦେଖିବାକୁ ମିଳିଛି ଆଧ୍ଯାତ୍ମିକ ପରିବେଶ । ମହାକୁମ୍ଭ ସ୍ଥଳରୁ ଆସିଥିବା ଜଳକୁ ସାଧୁ ସନ୍ଥଙ୍କ ଉପରେ ସିଞ୍ଚନ କରାଯାଇ ସାମୁହିକ ସଂକୀର୍ତ୍ତନରେ ସାମିଲ ହୋଇଛନ୍ତି ସଭିଏଁ ।

ନିୟମ ଅନୁଯାୟୀ ପୂର୍ଣ୍ଣାହୁତି ପୂର୍ବରୁ ମାଆ କାଳୀ ଗୁମ୍ଫାରେ ବୈଦିକ ରୀତି ନୀତିରେ ପୂଜାର୍ଚ୍ଚନା କରିଛନ୍ତି ନାଗାସାଧୁ । ଘଞ୍ଚ ଜଙ୍ଗଲ ଓ କଣ୍ଟକ ଯୁକ୍ତ ବୃକ୍ଷଲତାକୁ ଏଡେଇ ମାଆ କାଳୀଙ୍କ ଗୁମ୍ଫା ପାଦଦେଶରେ କିଛି ସାଧୁଙ୍କ ସହିତ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ୭୫୨ ଟି ଗୁମ୍ଫା ଭିତରୁ ଏହି ଗୁମ୍ଫା ହେଉଛି ଶ୍ରେଷ୍ଠ l ଗୁମ୍ଫାରେ ଭିତରେ ରୁହନ୍ତି ଶହଶହ ସଂଖ୍ୟାରେ ଚେମିଣି  l ଗୁମ୍ଫା ଭିତରେ ପ୍ରବେଶ କରିବା ପାଇଁ ରହିଛି ସୁଡଙ୍ଗ ।  ହେଲେ ଭିତରେ ପ୍ରବେଶ କଲା ପରେ ଜଣା ପଡୁଛି ବିରାଟ ମହଲ । ଏହାରି ଭିତରେ ଥିବା ଅନେକ ସୁଡଙ୍ଗ କେଉଁ ଆଡ଼େ ଯାଇଛି  ତାହାର ପ୍ରମାଣ କାହା ପାଖରେ ନାହିଁ । ଖଣ୍ଡଗିରି ମାଘ ମେଳା ପୂର୍ଣ୍ଣମୀରେ ଶେଷ ହେଉଥିଲେ ସୁଦ୍ଧା ୧୭ ତାରିଖ ପର୍ଯ୍ଯନ୍ତ ଚାଲିବ ଯାତ୍ରା ମହାକୁମ୍ଭ ।

ସଫଳ ହେଉଛି ପୂର୍ବ ସରକାରଙ୍କ ଦୂରଦୃଷ୍ଟି, ଫାଇଲେରିଆ ମୁକ୍ତ ହେଉଛି ଓଡ଼ିଶା

ବଲାଙ୍ଗୀର : ସଫଳ ହେଉଛି ନବୀନଙ୍କ ଦୂରଦୃଷ୍ଟି । ଫାଇଲେରିଆ ମୁକ୍ତ ହେଉଛି ଓଡ଼ିଶା । ୨୦୨୨ରୁ ଆରମ୍ଭ ହୋଇଥିଲା ଔଷଧ ସେବନ ଅଭିଯାନ । ବଲାଙ୍ଗୀର ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହା ୧୯ ଯାଏଁ ଚାଲିବ । ଜିଲ୍ଲାର ୧୩ ଲକ୍ଷ ୪୯ ହଜାର ୪୧ ଜଣଙ୍କୁ ବଣ୍ଟାଯିବ ଫାଇଲେରିଆ ନିରାକରଣ ବଟିକା । ଔଷଧ ସେବନ ଦ୍ଵାରା ବିଗତ ୩ବର୍ଷ ହେଲା ବଲାଙ୍ଗୀର ଜିଲ୍ଲାରେ ଲଗାତାର ଫାଇଲେରିଆ ରୋଗୀ ସଂଖ୍ୟା କମୁଛି । ୨୦୨୭ ସୁଦ୍ଧା ଜିଲ୍ଲା ଫାଇଲେରିଆ ମୁକ୍ତ ହେବା ନେଇ ଆଶା ରଖିଛି WHO  । ୨ ବର୍ଷର କମ୍ ଶିଶୁ, ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଛାଡ଼ି ୬ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଡିଇସି, ଆଲବେଣ୍ଡାଜଲ ଓ ଆଇଭରମେକ୍ଟିନ ବଟିକା ଦିଆଯିବ  । ଓଡିଶାର ୬ଟି ଜିଲ୍ଲାରେ ଆରମ୍ଭ ହୋଇଛି ଅଭିଯାନ।

ମଶା କାମୁଡିବା ଦ୍ବାରା ଫାଇଲେରିଆ କୀଟାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିଥାଏ  । ଔଷଧ ବଣ୍ଟନ ପାଇଁ ଜିଲ୍ଲାର ୧୯୩ ସବ ସେଣ୍ଟର, ୨୪୫ ପଞ୍ଚାୟତର ୧୪ଶହ ୫୮ ଗ୍ରାମ ଓ ସହରାଞ୍ଚଳର ୬୩ ଟି ଓ୍ବାର୍ଡକୁ ଅଭିଯାନରେ ସାମିଲ କରାଯାଇଛି  । ଜିଲ୍ଲାରେ ୧୯୩ ଜଣ ଫାଇଲେରିଆ ରୋଗୀ ଥିଲେ  । ୨୦୨୨ ରେ ତାହା କମି ୭୯ ଜଣ ରୋଗୀ ରହିଥିଲେ  । ୨୦୨୪ ରେ ଏହା ୫୧କୁ ଖସି ଆସିଥିଲା । ୨୦୨୫ ରେ ଜିଲ୍ଲାର ୧୬ ଟି ଗାଁରେ ପଜିଟିଭ୍ ବାହାରିଛନ୍ତି  । ଏହାର ନିରାକରଣ ପାଇଁ ବଲାଙ୍ଗୀର ଜିଲ୍ଲାରେ ୨ ହଜାର ୮୭ ଆଶା ଓ ଅଙ୍ଗନବାଡି ଟିମ୍, ୪ ହଜାର ୧୮୩ ଜଣ ଡ୍ରଗ ଆଡମିନିଷ୍ଟ୍ରେଟର ଓ ୨୦୧ ମୋବାଇଲ ଡ୍ରଗ ଆଡମିନିଷ୍ଟ୍ରେଟର, ୪୧୦ ଜଣ ସୁପରଭାଇଜର, ୩୫ ଟି ରାପିଡ ରେସପନ୍ସ ଟିମ୍ ୧୭ କଣ୍ଟ୍ରୋଲ ରୁମ ସହ ୭୬ ସୋସିଆଲ ମୋବିଲାଇଜର ସାମିଲ ହୋଇଛନ୍ତି  ।

ପୋଖରୀ ଗୁଡ଼ିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟାକରଣ ନେଇ ତେଜୁଛି ବିବାଦ

ବ୍ରହ୍ମପୁର : ବିବାଦ ଘେରରେ ବ୍ରହ୍ମପୁର ଆଖପାଖ ଅଞ୍ଚଳର ପୋଖରୀ । ହୋଇପାରୁନି ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ଯକରଣ । ଆଗକୁ ଯାତ୍ରା ଥିବାରୁ ଚିନ୍ତାରେ ଦଣ୍ଡୁଆ । ମାର୍ଚ୍ଚ ୧୪ରୁ ଅପ୍ରିଲ ୧୪ ଏକମାସ ବ୍ୟାପୀ ସହରରେ ପ୍ରତ୍ଯେକ ଦିନ ଦଣ୍ଡଯାତ୍ରା ଅନୁଷ୍ଠିତ ହେବ । ଜଳଦଣ୍ଡରେ ଜଳକ୍ରୀଡ଼ା କିପରି କରାଯିବ ସେନେଇ ଚିନ୍ତାରେ ଦଣ୍ଡୁଆ । ୨୦୨୩ ଡିସେମ୍ବରରେ ୩୧ଟି ପୋଖରୀର ପୁନଃଉଦ୍ଧାର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ୨୦୨୪ ଫେବ୍ରୁଆରୀ ୧୬ରେ ଆଉ ୯ଟି ପୋଖରୀର କାର୍ଯ୍ୟାଦେଶ ବିଣ୍ଟନ କରାଯାଇଥିଲା । ସମୁଦାୟ ୪୦ଟି ପୋଖରୀ ପାଇଁ ମିଶନ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୩୯ କୋଟି ୪୨ ଲକ୍ଷ ୪୯ ହଜାର ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ ହୋଇଥିଲା । ୮୦ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ଏଥିରେ ସାମିଲ କରାଯାଇଥିଲା । ହେଲେ ଦେଢବର୍ଷ ବିତିଥିଲେ ସୁଦ୍ଧା କାମ ଆରମ୍ଭ ହୋଇପାରୁନାହିଁ ।

କାର୍ଯ୍ୟାଦେଶ ଦେବା ପୂର୍ବରୁ ବିଏମ୍ସି ପକ୍ଷରୁ ସଂପୃକ୍ତ SHGଙ୍କ ମଧ୍ୟରେ ଚୁକ୍ତିନାମା କରିବା କଥା । କିନ୍ତୁ କୌଣସି ବିଏମ୍ସି ଚୁକ୍ତିନାମା କରିନାହିଁ । ତତ୍କାଳୀନ ନିର୍ବାହୀଯନ୍ତ୍ରୀ କେବଳ ମୌଖିକ ଭାବେ ଅନୁମତି ଦେଇଥିଲେ । ସଂପ୍ରତି ସରକାର ବଦଳିବା ସହ ନିର୍ବାହୀ ଯନ୍ତ୍ରୀଙ୍କ ମଧ୍ୟ ବଦଳି ହୋଇଛି । ଏଭଳି ପରିସ୍ଥିତିରେ କାମ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦୁଃଖ ବଢିଯାଇଛି । ବିନା ଚୁକ୍ତିନାମାରେ ବିଏମ୍ସି କିଭଳି ଟଙ୍କା ପ୍ରଦାନ କରିବ ସେଥିନେଇ ଦ୍ବନ୍ଦ୍ବ ଦେଖାଦେଇଛି । ବକେୟା ଟଙ୍କା ନମିଳିବା ଯୋଗୁଁ କାମ ବନ୍ଦ ରହିଛି । ଏଭଳି ସ୍ଥିତିରେ ସହରର ପୋଖରୀ ଗୁଡ଼ିକ କିପରି ପୁନଃଉଦ୍ଧାର କରାଯିବ ତାହା ସ୍ପଷ୍ଟ ହୋଇପାରୁନାହିଁ ।

ସମ୍ପର୍କ ରଖିବାକୁ ମନା କରିବାରୁ ପ୍ରେମିକା ଘର ଆଗରେ ପ୍ରେମିକର ପେଟ୍ରୋଲ ଢାଳି ଆତ୍ମହତ୍ୟା !

ରାଉରକେଲା : ପ୍ରେମ ପାଇଁ ଚରମ ପଦକ୍ଷେପ ! ଶରୀରରେ ନିଆଁ ଲଗାଇଦେଲା ପ୍ରେମିକ ! ପ୍ରେମିକା ଘର ଆଗରେ ଆତ୍ମହତ୍ୟା ! ଗୁରୁତର ଅଭିଯୋଗ ଆଣିଲେ ପରିବାର । ୪ ଵର୍ଷ ଧରି ଥିଲା ସମ୍ପର୍କ । ହେଲେ ସାମାନ୍ଯ କଥାକୁ ନେଇ ମନ ଭାଙ୍ଗିଦେଲା ପ୍ରେମିକା । ଯାହାକୁ ବରଦାସ୍ତ କରିପାରିଲାନି ପ୍ରେମିକ । ଶେଷରେ ପ୍ରେମିକା ଘର ଆଗରେ ଶରୀରରେ ପେଟ୍ରେଲ ଢାଳି ନିଆଁ ଲଗାଇଦେଲା । ଏମିତି ଏକ ଗୁରୁତର ଅଭିଯୋଗ ଆସିଛି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରୁ । ମୃତ ଯୁଵକ ହେଲେ ସାରଦାପାଲିର ୨୪ ଵର୍ଷର ରାମଦାସ ଵେଶ୍ରା । ୩ ତାରିଖ ରାତି ୧୧ ଟା ସମୟରେ ପ୍ରେମିକାଙ୍କୁ ଵୁଝାଇବା ପାଇଁ ପ୍ରେମିକାଙ୍କ ଘରକୁ ଯାଇଥିଲେ । ପ୍ରେମିକାଙ୍କ ପରିବାର ଲୋକ ଗାଳିଗୁଲଜ କରି ଅପମାନ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ପ୍ରେମିକା ଉସୁକାଇ ଥିବା ଅଭିଯୋଗ କରିଛନ୍ତି ରାମଦାସଙ୍କ ପରିବାର ।

ଗୁରୁତର ଅବସ୍ଥାରେ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଓ ପରେ କଟକ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଚିକତ୍ସାଧିନ ଅବସ୍ଥାରେ ଗତ ୧୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ମୃତଦେହ ପରିବାର ଲୋକେ ଆଣିବା ପରେ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ତେବେ ପେଟ୍ରୋଲ ତଳେ ଢାଳି ହୋଇ ସିଗାରେଟ୍ ନିଆଁ ଲାଗି ଜଳି ଯାଇଥିବା ମୃତ୍ୟୁ ପୁର୍ଵରୁ ଯୁଵକ ଦେଇଥିବା ବୟାନ କିନ୍ତୁ ଏବେ ଭାଇରାଲ ହୋଇଛି । ଅନ୍ୟପକ୍ଷରେ ଗତ କିଛିଦିନ ହେଲା ପ୍ରେମ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ଯରେ ଝଗଡ଼ା ଲାଗିଥିଲା ବୋଲି କହିଛନ୍ତି ରାମଦାସଙ୍କ ବନ୍ଧୁ । ମୃତ ଯୁବକଙ୍କ ପରିବାର ଲୋକେ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆନନ୍ଦପୁର ଓ ଘଷିପୁରାରେ ଟମାଟୋର ଅଭାବୀ ବିକ୍ରି

ଆନନ୍ଦପୁର : ଟମାଟୋ ଦର ଅଚାନକ ହ୍ରାସ ବର୍ତ୍ତମାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ୧୦ ଦିନ ତଳେ ୨୦୦ ରୁ ୨୫୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଟ୍ରେ ଏବେ ମାତ୍ର ୩୦ ଟଙ୍କାରେ ବିକ୍ରି ହେଉଛି । କେଜି ପିଛା ୧ ଟଙ୍କାରେ ବିକ୍ରି ହେଉଥିବାରୁ ଯାହାକୁ ନେଇ ଚିନ୍ତାରେ ଚାଷୀ । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଘଷିପୁରା ବ୍ଲକରେ ପାଖାପାଖି ୪୦ରୁ ଉର୍ଦ୍ଧ୍ଵ ଗାଁ ଲୋକେ ଟମୋଟୋ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟେକ ଦିନ ଶହ ଶହ ଗାଡ଼ିରେ ଏଠାରୁ ଟମୋଟୋ ରାଜ୍ଯର ବିଭିନ୍ନ ସ୍ଥାନକୁ ଯାଇଥାଏ । ହେଲେ ଦୁଃଖର ବିଷୟ ଏଠାରେ ଶୀତଳଭଣ୍ଡାରଟିଏ ନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ ।

ଋଣ କରି ହେକ୍ଟର ହେକ୍ଟର ଜମିରେ ଟମାଟୋ ଚାଷ କରିଥିଲେ ଚାଷୀ । ଏବେ ଟମାଟୋ ଦର ହ୍ରାସ ପାଇଥିବାରୁ ଚାଷୀ କିପରି ଧାର କରଜ ସୁଝିବେ ଓ ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ । ଏଭଳି ସ୍ତରରେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଚାଷୀ । ଆନନ୍ଦପୁର ଅଞ୍ଚଳରେ କେବେ ସରକାର ଶୀତଳଭଣ୍ଡାର ନିର୍ମାଣ କରୁଛନ୍ତି । ଏବଂ ଚାଷୀଙ୍କ ସମସ୍ଯାର ସମାଧାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ହେକ୍ଟର ହେକ୍ଟର ଜମିରେ ଆଖୁ ଚାଷ କରି ଚାଷୀ ହତାଷ

ଧର୍ମଗଡ : କଳାହାଣ୍ଡି ଜିଲ୍ଲାର ତେଲ ନଦୀ ଅବବାହିକାରେ ଅବସ୍ଥିତ କଙ୍କେରି, କନା ଗାଁ, ଲୁହା ଗାଁରେ ପ୍ରଚୁର ପରିମାଣରେ ଆଖୁ ଚାଷ କରାଯାଏ । ସେହିପରି ଗୋଲାମୁଣ୍ଡା ବ୍ଲକର ଶୋଷିଆ, ହଳଦୀ ଅଞ୍ଚଳ ସାଙ୍ଗକୁ ଜୁନାଗଡ଼ ବ୍ଲକର ଆଟି ଗାଁ ତଲମଳା ଆଦି ଅଞ୍ଚଳ ହେଉଛି ଆଖୁ ଚାଷ ବହୁଳ  l ଏହି ଅଞ୍ଚଳରେ ଚଳିତ ବର୍ଷ ପ୍ରାୟ ହଜାରେ ହେକ୍ଟର ଚାଷ ଜମିରେ ଆଖୁ ଚାଷ ହୋଇଛି l ହେଲେ ଆଖୁର ବିକ୍ରି ବଟା ନିମନ୍ତେ ସୁବିଧା ସୁଯୋଗ ନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ ।

ଚଳିତ ବର୍ଷ ଆଖୁ ଅମଳ ଆରମ୍ଭ ହେଲାଣି । ହେଲେ ଆଖୁ ବିକ୍ରି ପାଇଁ ସୁବିଧା ନ ଥିବା ଯୋଗୁଁ ଆଖୁକୁ ଘଣାରେ ପେଡି ଗୁଡ ତିଆରି କରି ବିକୁଛନ୍ତି ଚାଷୀ । ତାହା ପୁଣି ଛତିଶଗଡର କିଛି ଦଲାଲ ଶାଗ ମାଛ ଦରରେ କିଣିନେଉଥିବାରୁ ଚାଷୀ ପରିଶ୍ରମ ଅନୁସାରେ ପାଉଣା ପାଉନଥିବା ଅଭିଯୋଗ କରିଛନ୍ତି । ଚାଷୀଙ୍କୁ ଉତ୍ପାଦିତ ଫସଲର ବିକ୍ରିବଟା କରିବା ପାଇଁ ସରକାରୀ ସ୍ତରରେ ସୁବିଧା ସୁଯୋଗ ଯୋଗାଇଦେବାର ଆବଶ୍ଯକତା ରହିଛି ।

ଥମିବାର ନାଁ ଧରୁନି ମଣ୍ଡି ଟେନସନ, କଟନି ଛଟନିରେ ପେଶି ହେଉଛନ୍ତି ଅନ୍ନଦାତା

କଣ୍ଟାମାଳ : ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକରେ ଧାନ କିଣାରେ ବ୍ଯାପକ ଅବ୍ଯବସ୍ଥା । କଣ୍ଟାମାଳ ବ୍ଲକର ପ୍ରାୟ ସମସ୍ତ ମଣ୍ଡିରେ ମାସେ ମାସେ ଧରି ଧାନ ପଡିରହୁଛି । ମିଲର ଆବଶ୍ୟକ ଅନୁଯାୟୀ ଗାଡି ପଠାଉ ନଥିବାରୁ ଧାନ ଉଠିପାରୁନାହିଁ । ଫଳରେ ଚାଷୀମାନେ ଶୀତ କାକରରେ ମଣ୍ଡିରେ ଧାନ ଜଗି ବସୁଛନ୍ତି । ଏପରିକି ବହୁ ଦିନ ହେଲା ମଣ୍ଡିରେ ଧାନ ଉଠିପାରୁନଥିବାରୁ ମୂଷା ଓ ଉଇ ଲାଗି ଧାନ ନଷ୍ଟ ମଧ୍ଯ ହେଉଛି । ବିଭିନ୍ନ ମଣ୍ଡିରୁ ଚାଷୀଙ୍କ ଧାନ ଚୋରି ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି | ସବୁପରେ ବି କୁଇଣ୍ଟାଲ ପିଛା ୩ କେଜି ଧାନ କାଟିନେଉଛନ୍ତି ମିଲର ।ଏନେଇ ଚାଷୀ ପ୍ଯାକ୍ସ ସମ୍ପାଦକଙ୍କ ଠାରୁ ଆରମ୍ଭ କରି ଜ଼ିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଏପଟେ ମିଲର ଗାଡି ପଠାଉ ନ ଥିବାରୁ ଏପରି ଅବ୍ୟବସ୍ଥା ହେଉଥିବା ନେଇ ସ୍ୱୀକାର କରିଛନ୍ତି ସମବାୟ ସମିତି ସଂପାଦକ ।

ଏପଟେ ଯାଜପୁର ଜିଲ୍ଲା ଦଶରଥପୁରରେ ଚାଷୀ ଅସନ୍ତୋଷ । ଦଶରଥପୁର ବ୍ଲକ ତଳିଆ ପ୍ରାଥମିକ ସେବା ସମବାୟ ସମିତିରେ ମଣ୍ଡି ଅବ୍ଯବସ୍ଥା । ଟୋକନ ପାଇ ଚାଷୀ ଧାନ ନେଇ ମଣ୍ଡିକୁ ଯାଇଥିଲେ । ହେଲେ ମିଲର ଧାନ ନ ଉଠେଇବାରୁ ଚାଷୀଙ୍କ ଟୋକନ ଲାପ୍ସ ହୋଇଯାଇଛି । ଫଳରେ ଚାଷୀ ମାନେ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ଜଣାଇଛନ୍ତି । ୨୪ ଘଣ୍ଟା ମଧ୍ଯରେ ଧାନ ନଉଠିଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଚାଷୀ । ତୁରନ୍ତ ସରକାର ଓ ଜିଲ୍ଲାପ୍ରଶାସନ ଚାଷୀଙ୍କ ସମସ୍ଯାର ସମାଧାନ କରିବା ଜରୁରୀ ହୋଇପାଡିଛି ।