ନନ୍ଦିଘୋଷ ବ୍ୟୁରୋ: ବ୍ୟବସାୟୀଙ୍କୁ ଆକ୍ରମଣ କରି ୧୫ ଲକ୍ଷ ଲୁଟ। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଛତାବେଢା ସାପ୍ତାହିକ ବଜାରରେ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଛି । ଦିନ ଦ୍ବିପ୍ରହରରେ ମୁଖାପିନ୍ଧା ୭ ରୁ ୮ ଦୁର୍ବୃତ୍ତ ଲୁଟି ନେଲେ ୧୫ ଲକ୍ଷରୁ ଅଧିକ ଟଙ୍କା। ବ୍ୟବସାୟୀ ଅବଦୁଲ ଆନସାରି ଦୁଇ ଜଣ କର୍ମଚାରୀଙ୍କ ସହ ପାରୁଆ ପଞ୍ଚାୟତର ଛତାବେଡା ସାପ୍ତାହିକ ହାଟକୁ ଯାଉଥିଲେ। ଏହି ସମୟରେ ନିକଟସ୍ଥ ଏକ ପୋଖରୀ ନିକଟରେ ମୁଖାପିନ୍ଧା ୭ରୁ ୮ ଜଣ ବ୍ୟକ୍ତି ଏମାନଙ୍କୁ ଅଟକାଇଥିଲେ। ଅଟକିବା ପରେ ସେମାନେ ଅତର୍କିତ ଭାବେ ବାଇକ ଚାଳକଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେl ଦୁଇ କର୍ମଚାରୀ ଗୁଡୁ ଓ ୟୁନୁସଙ୍କୁ ଆକ୍ରମଣ କରି ଅବଦୁଲଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ। ଆକ୍ରମଣରେ ଗୁରୁତର ହୋଇ ଅବଦୁଲ ଅନସାରୀ ରାଇଘର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଦୁଇ ଜଣଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ଟିମ୍ ଇଣ୍ଡିଆ ଖେଳାଳୀଙ୍କ ସହ ଜଳଖିଆ ଖାଇ ବିବାଦରେ ଗମ୍ଭୀରଙ୍କ PA
ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ PA କୁ ନେଇ ଉଠିଲା ପ୍ରଶ୍ନ । BCCI ଅଧିକାରୀ ଉଠାଇଲେ ପ୍ରଶ୍ନ । ଅଷ୍ଟ୍ରେଲିଆରେ ଟିମ୍ ସହ କାହିଁକି ଥିଲେ ଗୌତମ ଗମ୍ଭୀରଙ୍କ ପିଏ ।
ଭାରତୀୟ କ୍ରିକେଟର ଟିମ୍ ଗତ ଟେଷ୍ଟ ସିରିଜରେ ନିରାଶଜନକ ପ୍ରଦର୍ଶନ ପରେ କୋଚ୍ ଗୌତମ ଗମ୍ଭୀର ନଜରକୁ ଆସିଛନ୍ତି । ଭାରତୀୟ ଦଳ ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ହାରିଥିଲା ଏବଂ ପରେ ସୀମା-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଦ୍ୱାରା ପରାସ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ କୋଚ୍ ଗମ୍ଭୀର ପୁଣି ଏକ ବିବାଦକୁ ଆସିଛନ୍ତି । ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ସହାୟକଙ୍କୁ ନେଇ ପ୍ରଶ୍ନ ଉଠିଛି। ବିସିସିଆଇର ଜଣେ ଅଧିକାରୀ ଗମ୍ଭୀରଙ୍କ ପିଏକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଚୟନକର୍ତ୍ତାଙ୍କ କାରରେ ଗମ୍ଭୀରଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଦେଖାଯାଇଥିଲା। ସେ ଗମ୍ଭୀରଙ୍କ ସହିତ ଡ୍ରେସିଂ ରୁମ୍ ସେୟାର ମଧ୍ୟ କରନ୍ତି ଏବଂ ଟିମଙ୍କ ସହ ହୋଟେଲରେ ରୁହନ୍ତି । ଏହା ଠିକ୍ ନୁହେଁ, ଏହା ଟିମ୍ ଇଣ୍ଡିଆର ଗୋପନୀୟତାକୁ ଉଲ୍ଲଂଘନ କରୁଛି ବୋଲି କହିଛନ୍ତି ଅଧିକାରୀ ।
ଗମ୍ଭୀରଙ୍କ PA ଉପରେ ଅସନ୍ତୋଷ ବ୍ୟକ୍ତ କରି ବିସିସିଆଇ ଅଧିକାରୀ କହିଛନ୍ତି, ଗମ୍ଭୀରଙ୍କ PA କାହିଁକି ଚୟନକର୍ତ୍ତାଙ୍କ କାରରେ ବସିଥିଲେ? ତୃତୀୟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ଚୟନକର୍ତ୍ତାମାନେ ସେମାନଙ୍କର ସମସ୍ୟା ବିଷୟରେ ବ୍ୟକ୍ତିଗତ ଭାବରେ ଆଲୋଚନା କରିପାରିବେ ନାହିଁ । କେବଳ ଏତିକି ନୁହେଁ, ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ଙ୍କ ପାଇଁ ନିର୍ମିତ ଜଳଖିଆ ସ୍ଥାନରେ ମଧ୍ୟ ଗମ୍ଭୀରଙ୍କ PA ଉପସ୍ଥିତ ଥିଲେ, ଏହା କାହିଁକି? ଏଭଳି ଅନେକ ପ୍ରଶ୍ୱ କରିଛନ୍ତି ବିସିସିଆଇ ଅଧିକାରୀ ।
ୟୁକ୍ରେନ ଯୁଦ୍ଧରେ ଉତ୍ତର କୋରିଆ ସୈନିକ ନିଜକୁ ବିସ୍ଫୋରଣରେ ଉଡ଼ାଇଲେ
ନନ୍ଦିଘୋଷ ବ୍ୟୁରୋ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ବାୟୁସେନାର ପାଇଲଟମାନେ ସିଧାସଳଖ ଶତ୍ରୁ ଜାହାଜ ସହିତ ନିଜ ବିମାନକୁ ଧକ୍କା କରୁଥିଲେ । ଏହି ଆତ୍ମଘାତୀ ପାଇଲଟମାନେ ‘କାମିକାଜେ’ ନାମରେ ପରିଚିତ ହୋଇଥିଲେ। ରୁଷରେ ୟୁକ୍ରେନ୍ ବିରୋଧରେ ଲଢ଼ୁଥିବା ଉତ୍ତର କୋରିଆର ସୈନିକମାନଙ୍କୁ ମଧ୍ୟ କାମିକାଜେ ଭୂମିକାରେ ଦେଖିବାକୁ ମିଳିଛି। ଚଳିତ ସପ୍ତାହରେ ରୁଷୀୟ ସେନା ସହ ଭୟଙ୍କର ସଂଘର୍ଷ ପରେ ୟୁକ୍ରେନର ସ୍ପେଶାଲ ଫୋର୍ସ କୁର୍ସ୍କ ଅଞ୍ଚଳର ବରଫଅଞ୍ଚଳରେ ମୃତଦେହ ଖୋଜୁଥିଲେ। ଏହି ସମୟରେ ସେମାନେ ଉତ୍ତର କୋରିଆର ଏକ ଡଜନରୁ ଅଧିକ ଶତ୍ରୁଙ୍କ ମୃତଦେହ ପାଇଥିଲେ। ଏହି ସମୟରେ ସେ ଜଣେ ଜୀବନ୍ତ ସୈନିକଙ୍କୁ ପାଇଥିଲେ। ୟୁକ୍ରେନର ସୈନିକମାନେ ତାଙ୍କ ପାଖକୁ ଆସିବା ମାତ୍ରେ ଉତ୍ତର କୋରିଆ ସୈନିକ ଜଣକ ନିଜକୁ ଉଡ଼ାଇ ଦେଇଥିଲେ, ଯାହାଫଳରେ ତାଙ୍କୁ ବନ୍ଦୀ କରାଯାଇ ପାରିବ ନାହିଁ।
ଗ୍ରେନେଡ୍ ବିସ୍ଫୋରଣରେ ସେ ଆତ୍ମହତ୍ୟା କରିଛନ୍ତି। ୟୁକ୍ରେନର ସ୍ପେଶାଲ ଫୋର୍ସ ଏକ୍ସରେ ମୁତୟନ ହୋଇ ଏହି ସୂଚନା ଦେଇଛନ୍ତି। ଏହି ସମୟରେ କୁର୍ସ୍କରେ ହୋଇଥିବା ଭୟଙ୍କର ସଂଘର୍ଷକୁ ସେ ବର୍ଣ୍ଣନା କରିଥିଲେ। ଏହି ବିସ୍ଫୋରଣରେ ସେମାନଙ୍କ ସୈନିକ ମାନେ ଆହତ ହୋଇନଥିବା ୟୁକ୍ରେନର ଅଧିକାରୀମାନେ କହିଛନ୍ତି। ଯୁଦ୍ଧ କ୍ଷେତ୍ରରେ ଗୁଇନ୍ଦା ରିପୋର୍ଟରେ ଏହି ଘଟଣା ସତ ପ୍ରମାଣିତ ହୋଇଛି, ଯାହା ଅନୁଯାୟୀ ଉତ୍ତର କୋରିଆ ସୈନିକମାନେ ଧରାପଡ଼ିବାରୁ ନିଜକୁ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି।
‘ସୈନିକମାନଙ୍କ ବ୍ରେନ୍ ୱାସ୍ କରାଯାଇଥିଲା’
ଏହି ଘଟଣା ଦର୍ଶାଉଛି ଯେ ଉତ୍ତର କୋରିଆର ସୈନିକମାନେ ବନ୍ଦୀ ନହେବା ପାଇଁ କେଉଁ ସୀମା ପର୍ଯ୍ୟନ୍ତ ଯାଉଛନ୍ତି । ଉତ୍ତର କୋରିଆସୈନିକମାନେ ମଧ୍ୟ ୟୁକ୍ରେନ ବିରୋଧରେ ଲଢୁଥିବାର କୌଣସି ପ୍ରମାଣ ନ ମିଳିବା ପାଇଁ ଏପରି କରାଯାଉଛି । ୨୦୨୨ରେ ଦକ୍ଷିଣ କୋରିଆକୁ ପଳାଇ ଆସିଥିବା ଉତ୍ତର କୋରିଆର ପୂର୍ବତନ ସୈନିକ କିମ୍ (୩୨) କହିଛନ୍ତି ଯେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେବା ଏବଂ ଆତ୍ମହତ୍ୟା କରିବା ବାସ୍ତବ। ଯୁଦ୍ଧ ପାଇଁ ସେଠାକୁ ଯାଇଥିବା ଏହି ସୈନିକମାନଙ୍କୁ ବ୍ରେନ୍ ୱାସ୍ କରାଯାଇଛି ଏବଂ କିମ୍ ଜଙ୍ଗଉନ୍ ଙ୍କ ପାଇଁ ନିଜକୁ ବଳିଦାନ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।
‘ଧରା ପଡ଼ିବା ମାନେ ଦେଶଦ୍ରୋହ’
କିମଙ୍କ କହିବା ଅନୁଯାୟୀ, ଯଦି କୌଣସି ସୈନିକଙ୍କୁ ଶତ୍ରୁ ମାନେ ଧରି ଉତ୍ତର କୋରିଆକୁ ଫେରାଇ ଦିଅନ୍ତି, ତେବେ ତାହା ମୃତ୍ୟୁଠାରୁ ବି ଖରାପ ବୋଲି ବିବେଚନା କରାଯାଏ। ସେ କହିଛନ୍ତି ଯେ ଯୁଦ୍ଧ ବନ୍ଦୀ ହେବାର ଅର୍ଥ ଦେଶଦ୍ରୋହ। ଧରାପଡ଼ିଥିବା ସୈନିକଙ୍କୁ ଦେଶଦ୍ରୋହୀ ବୋଲି ବିବେଚନା କରାଯାଏ। ଉତ୍ତର କୋରିଆର ସେନା ସୈନିକଙ୍କୁ ଶେଷ ଗୁଳି ବଞ୍ଚାଇବାକୁ ପରାମର୍ଶ ଦେଇଥାଏ,ଯେମିତି ସେମାନେ ଆତ୍ମହତ୍ୟା କରିପାରିବ । ୟୁକ୍ରେନ୍ ଏବଂ ପାଶ୍ଚାତ୍ୟ ଆକଳନ ଅନୁଯାୟୀ ୟୁକ୍ରେନ୍ ବିରୋଧରେ ଲଢ଼ିବା ପାଇଁ ଉତ୍ତର କୋରିଆର ୧୧,ହଜାରରୁ ଅଧିକ ସୈନିକ ୟୁକ୍ରେନରେ ପହଞ୍ଚିଛନ୍ତି।
୭ ମିନିଟ୍ ବିଳମ୍ୱ ହେବାରୁ କ୍ୟାବ୍ ଡ୍ରାଇଭର ଉପରେ ବର୍ଷିଲେ ମହିଳା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ: କ୍ୟାବ୍ ଡ୍ରାଇଭର ଉପରେ ବର୍ଷିଲେ ମହିଳା । ୭ ମିନିଟ୍ ବିଳମ୍ୱରେ ଆସିବାରୁ ଡ୍ରାଇଭରକୁ ଖରାପ ଭାଷାରେ ଗାଳି ଦେବା ସହ ଛେପ ପକାଇଲେ ମହିଳା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୋସିଆଲ ମିଡିଆରେ ୟୁଜର୍ସମାନେ ଡ୍ରାଇଭର ସପକ୍ଷରେ ବାହାରିଛନ୍ତି। ସୂଚନା ଅନୁଯାୟୀ, ମହିଳା ଜଣଙ୍କ କ୍ୟାବ୍ ବୁକ୍ କରିଥିଲେ । କାର୍ ଡ୍ରାଇଭରଟି ୭ ମିନିଟ୍ ବିଳମ୍ୱରେ ପହଞ୍ଚିଥିଲା । ଏହାପରେ ମହିଳା ଜଣଙ୍କ ଡ୍ରାଇଭର ଉପରେ ବର୍ଷିଥିଲେ । ଡ୍ରାଇଭରକୁ ଅଭଦ୍ର ଭାଷାରେ ଗାଳି ଦେବା ସହ ଛେପ ପକାଇଥିଲେ। ଏବଂ ଡ୍ରାଇଭରଟି ଗାଳି ଦେବା ପରିବର୍ତ୍ତେ ବିନମ୍ର ସହିତ ମହିଳାଙ୍କୁ କାରରୁ ଯିବା ପାଇଁ କହିଥିଲା। ଡ୍ରାଇଭର ଜଣଙ୍କ ଏହି ଘଟଣାକୁ ତାଙ୍କ ମୋବାଇଲ ଫୋନରେ ରେକର୍ଡଙ୍ଗ୍ କରିଥିଲେ । ତେବେ ଏହି ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡି ନାହିଁ ।
This Cab driver was 7 mins "late".
The woman who booked the cab abused the driver, threatened him and spat on him.
The Taxi Driver never lost his cool. He stayed calm & composed. It is good that he recorded the incident. Otherwise, Samaj would have declared himself the culprit… pic.twitter.com/hVlnSEFkb1
— Incognito (@Incognito_qfs) January 14, 2025
୫୦ ବର୍ଷ ପୂର୍ବେ କୁମ୍ଭମେଳାକୁ ନେଇ ଚିଠି ଲେଖିଥିଲେ ଷ୍ଟିଭ ଜବ୍ସ, ୪.୩୨ କୋଟି ଟଙ୍କାରେ ନିଲାମ ହେଲା ଚିଠି
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ମହାଆଡମ୍ବରରେ ଆୟୋଜିତ ହୋଇଛି କୁମ୍ଭମେଳା । ମହାକୁମ୍ଭ ମେଳାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଏହି ମହାଆୟୋଜନରେ ସାମିଲ ହୋଇଥିଲେ ଆପଲ କୋ-ଫାଉଣ୍ଡର ଷ୍ଟିଭ ଜବ୍ସଙ୍କ ପତ୍ନୀ ଲୌରେନ୍ ପାୱେଲ ଜବ୍ସ । ଏହି ଅବସରରେ ଷ୍ଟିଭ ଜବ୍ସଙ୍କ ଦ୍ୱାରା ୫୦ ବର୍ଷ ପୂର୍ବେ ଲେଖାଯାଇଥିବା ଏକ ଚିଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ୪.୩୨ କୋଟି ଟଙ୍କା ନିଲାମ କରାଯାଇଛି ।
ଆପଲ କୋ-ଫାଉଣ୍ଡର ଷ୍ଟିଭ ଜବ୍ସ ୧୯୭୪ ମସିହାରେ ତାଙ୍କ ସାଙ୍ଗଙ୍କ ନିକଟକୁ ଏକ ଚିଠି ଲେଖିଥିଲେ । ଏହି ଚିଠିରେ ଭାରତ ଏବଂ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଆତ୍କୃଷ୍ଟ ଥିବା ଦର୍ଶାଯାଇଥିଲା । ଭାରତର କୁମ୍ଭମେଳା ବିଷୟରେ ମଧ୍ୟ ଏଥିରେ ଉଲ୍ଲେଖ ରହିଛି। କୁମ୍ଭମେଳାକୁ କିଭଳି ଆସିବେ ସେନେଇ ଯୋଜନା କରିଥିଲେ ଷ୍ଟିଭ ଜବ୍ସ ।
ଷ୍ଟିଭ ଜବ୍ସଙ୍କ ଦ୍ୱାରା ଲେଖାଯାଇଥିବା ୫୦ ବର୍ଷର ଏହି ଚିଠିକୁ ନିଲାମ କରାଯାଇଥିଲା। ଜଣେ ବ୍ୟକ୍ତି ଏହି ଚିଠିକୁ ୪.୩୨ କୋଟି ଟଙ୍କାରେ କିଣିଥିଲେ ।
ରିପୋର୍ଟ ଅନୁଯାୟୀ, ୫୦ ବର୍ଷର ଏହି ଚିଠିରେ ଲେଖାଥିଲା କି, ‘ଅପ୍ରେଲ ମାସରେ ଭାରତରେ ଆରମ୍ଭ ହେବାକୁ ଥିବା କୁମ୍ଭମେଳା ପାଇଁ ମୁଁ ଭାରତ ଯିବାକୁ ଚାହୁଁଛି । ମୁଁ ମାର୍ଚ୍ଚ ମାସରେ କୌଣସି ଦିନ ଆସିପାରେ, କିନ୍ତୁ କିଛି ଶୁନିଶ୍ଚିତ ନାହିଁ ‘। ତାଙ୍କ ଚିଠିରେ ସେ ଶେଷକୁ ‘ଶାନ୍ତି’ ଲେଖି ଶେଷ କରିଥିଲେ।
ଏହାପରେ ଷ୍ଟିଭ ଜବ୍ସ ୧୯୭୪ ମସିହାରେ ଭାରତ ଯାତ୍ରା କରିଥିଲେ । ଏହାସହ ଭାରତରେ ୭ ମାସ ରହି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ଅତି ନିକଟରୁ ଦେଖିଥିଲେ ଷ୍ଟିଭ ଜବ୍ସ ।
ଅନୁଗୁଳ ଜିଲ୍ଲା ପାତ୍ରପଡ଼ା ଗାଁରେ ବଧୂହତ୍ୟା ଅଭିଯୋଗ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ପାତ୍ରପଡ଼ା ଗାଁରେ ବଧୂହତ୍ୟା ଅଭିଯୋଗ। ମହିଳାଙ୍କୁ ଯୌତୁକ ଓ ମାନସିକ ନିର୍ଯ୍ୟାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ । ମୃତ ମହିଳା ଜଣଙ୍କ ହେଉଛନ୍ତି ପାତ୍ରପଡ଼ା ଗାଁର ଅର୍ଜୁନ ନାଏକଙ୍କ ସ୍ତ୍ରୀ ଓଷା ନାଏକ।
ସୂଚନା ଅନୁଯାୟୀ, ଛେଣ୍ଡିପଦା ଥାନା ଜାମ୍ବୁନାଳି ଗାଁର ଓଷା ନାଏକ ବାଗଡ଼ିଆ ଥାନା ପାତ୍ରପଡ଼ା ଗାଁର ଅର୍ଜୁନ ନାଏକଙ୍କୁ ବିବାହ କରିଥିଲେ। ବିବାହର ପରେ ଯୌତୁକ ପାଇଁ ଶାଶୂ ଘର ଲୋକେ ଓଷାକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଉଷା ଆତ୍ମହତ୍ୟା କରିଥିବା ଖବର ପାଇ ଛେଣ୍ଡିପଦା ମେଡିକାଲରେ ପହଞ୍ଚିଥିଲେ ବାପଘର ଲୋକେ । ହତ୍ୟା ସନ୍ଦେହ କରି ମୃତ ମହିଳାଙ୍କ ବାପା ବାଗଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମହିଳା ସ୍ୱାମୀ ଅର୍ଜୁନଙ୍କୁ ଗିରଫ କରି ପୋଲିସ ତଦନ୍ତ ଚଳାଇଛି।
ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଲେ ଆଉ ଜଣେ ଭାରତୀୟ
ନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଲେ ଆଉ ଜଣେ ଭାରତୀୟ। ଏନେଇ ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରାଳୟ । ଋଷର ସାମରିକ ସହାୟତା ସେବା ବା ଆରଏମଏସଏସରେ କାର୍ଯ୍ୟରତ କେରଳ ତ୍ରିଶୂରର ବିନିଲ ଟିବି ନାମକ ବ୍ୟକ୍ତିଙ୍କ ନିଧନ ପରେ ଅବଶିଷ୍ଟ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ପଦକ୍ଷେପ ନେଇଛି ବୈଦେଶିକ ମନ୍ତ୍ରାଳୟ । ଓ୍ବାରଜୋନରେ କାର୍ଯ୍ୟରତ ଭାରତୀୟଙ୍କୁ ଉଦ୍ଧାର ସମ୍ପର୍କରେ ମସ୍କୋ ସ୍ଥିତ କର୍ତ୍ତୃପକ୍ଷ ଓ ନୂଆଦିଲ୍ଲୀ ସ୍ଥିତ ଋଷର ଦୂତାବାସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ।
ସୂଚନା ଅନୁଯାୟୀ, ବିନିଲଙ୍କ ସହ ଋଷ ଯାଇଥିବା ସମ୍ପର୍କୀୟ ଜୈନ ଟିକେ ବି ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ୩୨ ବର୍ଷ ବୟସ୍କ ବିନିଲ ଓ ୨୭ ବର୍ଷ ବୟସ୍କ ଜୈନ ଆଇଟିଆଇ ଡିପ୍ଲୋମାଧାରୀ ଏବଂ ସେମାନେ ଗତ ଏପ୍ରିଲରେ ଋଷ ଯାଇଥିଲେ। ଋଷ-ୟୁକ୍ରେନ ସୀମାରେ ସେମାନେ ଇଲେକ୍ଟ୍ରିସିଆନ ଓ ପ୍ଲମ୍ବର ଭାବେ କାର୍ଯ୍ୟରତ ଥିଲେ। ଦୁହେଁ ଋଷରେ ପହଞ୍ଚିବା ପରେ ସେମାନଙ୍କ ପାସପୋର୍ଟ ଜବତ କରାଯିବା ସହ ଓ୍ବାରଜୋନକୁ ପଠାଇ ଦିଆଯାଇଥିଲା। ମୃତ୍ୟୁ ଖବର ଆସିବା ପରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଜୈସ୍ବାଲ। ଆହତ ବ୍ୟକ୍ତିଙ୍କ ଚିକିତ୍ସା ସମ୍ପର୍କରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।
ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୮ରୁ ଅଧିକ ଭାରତୀୟ ନିହତ ହେଲେଣି । ଆହୁରି ୬୩ ଜଣ ଭାରତୀୟ ଋଷୀୟ ସେନାବାହିନୀରେ କାର୍ଯ୍ୟରତ ଥିବା ସୂଚନା ମିଳିଛି ।
ବିବାଦ ଭିତରେ ଲିଙ୍ଗରାଜଙ୍କ ନିତିକାନ୍ତି ବନ୍ଦ ହେବା ଭୁଲ୍; ତର୍ଜମା ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ ଘଟଣା। ସମସ୍ୟାର ସମାଧାନ ନେଇ ଆଇନମନ୍ତ୍ରୀଙ୍କ ଘରେ ବୈଠକ । ବୈଠକରେ ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଆଇନ ବିଭାଗ ସଚିବ, ସ୍ଥାନୀୟ ବିଧାୟକ, ଉଭୟ ନିଯୋଗ ପ୍ରତିନିଧି ଉପସ୍ଥିତ ଅଛନ୍ତି । ଦୁଇ ଦିନ ଧରି ନିତିକାନ୍ତି ବନ୍ଦ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଆଇନମନ୍ତ୍ରୀ । ବିବାଦ ଭିତରେ ଠାକୁରଙ୍କ ନିତିକାନ୍ତି ବନ୍ଦ ହେବା ଭୁଲ୍ । ଆଜି ହିଁ ନିର୍ଜାସ ବାହାରିବ । ତର୍ଜମା ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।
ସେପଟେ ଆଜି ବି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ଦୁଇଦିନ ହେବ ମକର ମଣ୍ଡପରେ ବସିଛନ୍ତି ମହାପ୍ରଭୁ। ନା ହେଉଛି ମଙ୍ଗଳ ଆଳତି ନା ହେଉଛି ଅବକାଶ ନୀତି। ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ସେବାୟତ। ଗତକାଲି ବାରମ୍ବାର ବୈଠକ ସତ୍ତ୍ୱେ ସମାଧାନର ବାଟ ବାହାରିପାରିନଥିଲା। ଚେଷ୍ଟା ଚାଲିଛି କହି ହାତ ଟେକିଦେଇଛନ୍ତି ମନ୍ଦିର ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ। ମକର ସଂକ୍ରାନ୍ତିରେ କ୍ଷୀର ଆଉଟା ନୀତି ନେଇ ଆରମ୍ଭ ହୋଇଥିଲା ବିବାଦ। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତି ବନ୍ଦ ପ୍ରସଙ୍ଗରେ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁଙ୍କ ସୂଚନା। ବଡୁ ନିଯୋଗ ପକ୍ଷରୁ ଅଙ୍ଗଲାଗି ସେବା ଜାରି ରହିଛି। ସାହାଣମେଲା ଦର୍ଶନ ହେଉଛି। ଭକ୍ତମାନେ ସୁରୁଖୁରୁରେ ଭଗବାନଙ୍କ ଦର୍ଶନ କରୁଛନ୍ତି। ଘୃତ କମଳ ନୀତି ସମ୍ପୂର୍ଣ୍ଣ ଭାବେ ଅଙ୍ଗଲାଗି ନୀତି। ଏହା ବଡୁ ନିଯୋଗର ନୀତି। ତେବେ ଗତକାଲି ବ୍ୟକ୍ତିଗତ ଆକ୍ଷେପ କରାଯାଇଥିବାରୁ କ୍ଷମା ନ ମାଗିବା ଯାଏଁ ସମାଧାନ ହେବନି ବୋଲି ଚେତାଇଛନ୍ତି ବଡୁ ନିଯୋଗ।

