ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତ ବିପର୍ଯ୍ୟସ୍ତ ହୋଇଛି। ରାଜ୍ୟରେ ମିଶନ ଶକ୍ତି ମହିଳାଙ୍କ ପ୍ରତି ଅବିଚାର କରୁଛି ଶାସକ ବିଜେପି । ଗୃହରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତ ଓ ମିଶନ ଶକ୍ତି ଇସି ପୁନ୍ନର୍ଗଠନ ଦାବି କଲା ବିଜେଡି । ଗୃହରେ ବିରୋଧୀ ବିଜେଡି ସଦସ୍ୟଙ୍କ ଗୃହରେ ନାରାବାଜି । ବିଧାନସଭାର ପ୍ରଶ୍ନକାଳରୁ ଗୃହରେ ହଟ୍ଟଗୋଳ ଓ ନାରାବାଜି କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ଗୃହରେ ହଟ୍ଟଗୋଳ ଯୋଗୁଁ ଗୃହ ଅହରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିରୋଧୀ ନାରାବାଜି କରିଥିଲେ । ଗୃହ ମୁଲତବି ପରେ ରାଜ୍ୟ ସରକାର ମହିଳା ମାନଙ୍କ ପ୍ରତି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ଆଣିଛି ବିଜେଡି । ଏହି ଷଡ଼ଯନ୍ତ୍ରକୁ ବନ୍ଦ କରିବାକୁ ଦାବି କରିଛି ବିଜେଡି । ଗୃହରେ ମହିଳାଙ୍କ ପାଇଁ ସ୍ଵର ଉଠାଇଲେ ବିରୋଧୀଙ୍କ କଣ୍ଠରୋଧ କରାଯାଉଥିବା ଅଭିଯୋଗ ଆଣିଛି ବିଜେଡି । ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ବିରୋଧୀ ବିଜେଡି ସଦସ୍ୟମାନେ ଧାରଣା ଦେଇଛନ୍ତି । ହାତରେ ପ୍ଲା କାର୍ଡ ଧରି ଶାସକ ଦଳ ବିଜେପି ବିରୋଧରେ ନାରାବାଜି କରୁଛନ୍ତି ।
ଆଜିଠୁ ଆରମ୍ଭ ହେଉଛି କଳା ଓ ବାଣିଜ୍ୟ ଷ୍ଟ୍ରିମର ପରୀକ୍ଷା: ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା
ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି କଳା ଓ ବାଣିଜ୍ୟ ଷ୍ଟ୍ରିମର ପରୀକ୍ଷା। ସବୁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ପରୀକ୍ଷା ଶୃଙ୍ଖଳିତ କରିବା ପାଇଁ CHSE ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । CHSE ପରିସରରେ ନିୟନ୍ତ୍ରଣ କକ୍ଷ କରାଯାଇଛି। ଏକା ସଙ୍ଗରେ ୫ଶହ ପରୀକ୍ଷା କେନ୍ଦ୍ରର ସ୍ଥିତି ସିସିଟିଭିରେ ଦେଖିହେବ। ଏଥର ପରୀକ୍ଷା ପାଇଁ ପାଞ୍ଚସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି। କେହି ବି ମୋବାଇଲ ନେଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ ନାହିଁ । କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟ ସାଇଲେଣ୍ଟ ମୋଡ଼ରେ ମୋବାଇଲ ଫୋନ ରଖିପାରିବେ। ଏବେ ନୂତନ ପରୀକ୍ଷା ଢାଞ୍ଚାରେ କ୍ୟାମେରା ବ୍ୟବସ୍ଥା ହୋଇଛି । ଯାହା ଫଳରେ ସ୍ଵଛତାର ସହ ପରୀକ୍ଷା ହେବ। ହବ୍ ବ୍ୟବସ୍ଥା ଯୋଗୁ ପ୍ରଶ୍ନପତ୍ର ଲିକର ସମ୍ଭାବନା ମଧ୍ୟ କମ ରହିଛି। ଗତକାଲିଠୁ ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହୋଇଛି।
ଯୁବ ଅଭିନେତା ସୋହମ ସିଂଙ୍କୁ ହୃଦଘାତ: ଆଇସିୟୁରେ ଚିକିତ୍ସାଧୀନ
ଭୁବନେଶ୍ବର: ଯୁବ ଅଭିନେତା ସୋହମ ସିଂଙ୍କୁ ହୃଦଘାତ । ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନା ଆଇସିୟୁରେ ଚାଲିଛି ଚିକିତ୍ସା । ଓଡିଆ ସିନେମାର ଯୁବ ପ୍ରଯୋଜକ, ଅଭିନେତା, ଗାୟକ ସୋହମ ସିଂଙ୍କୁ ମଣିପାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଥିବାବେଳେ ସେ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି । ସୋହମଙ୍କ ସିନେମା ଅଜାତଶତ୍ରୁ, ଆଇ ଲଭ ୟୁ ପ୍ରିୟା ଏବଂ ରାଉଡି ରାଜା ଖୁବ ଲୋକପ୍ରିୟତା ପାଇଥିଲା । ଆଗକୁ ଏକ ବଡ଼ ବଜେଟର ଆକ୍ସନ ସିନେମା ଆସୁଛି ଯାହାର ନାଁ ରଖିଛନ୍ତି ଅଲ୍ଲୀ ବଜରଙ୍ଗ ୱାଲି । ତାଙ୍କ ପ୍ରଯୋଜନାରେ ଅନେକ କଳାକାର, ଟେକ୍ନିସିଆନ କାମ କରି ନିଜ ପରିବାର ପୋଷଣ କରନ୍ତି । ସେ ଖୁବଶୀଘ୍ର ସୁସ୍ଥ ହୋଇ ଇଣ୍ଡଷ୍ଟ୍ରିରେ ପାଦ ରଖନ୍ତୁ ଏଥିପାଇଁ ଓଲିଉଡ଼ର ବହୁ କଳାକାର ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି ।
କାର୍ଯ୍ୟଭାର ଗ୍ରହଣ କଲେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର
ନୂଆଦିଲ୍ଲୀ: ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭାରତର ମୁଖ୍ୟ ନିର୍ବାଚନ କମିଶନର (CEC) ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗତ ୧୭ ତାରିଖ ବିଳମ୍ବିତ ରାତିରେ ଆଇନ ମନ୍ତ୍ରଣାଳୟ ତରଫରୁ ଏନେଇ ଏକ ଗେଜେଟ ନୋଟିଫିକେସନ ଜାରି କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜ୍ଞାନେଶ କୁମାରଙ୍କୁ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଓ ହରିୟାଣାର ମୁଖ୍ୟ ସଚିବ ଡ. ବିବେକ ଜୋଶୀଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା । ଭାରତର ୨୬ତମ CEC ଭାବେ ଜ୍ଞାନେଶ ପଦ ସମ୍ଭାଳିଛନ୍ତି ।
ନିଜର ଅବଧି ମଧ୍ୟରେ ଜ୍ଞାନେଶ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ଓ ୨୦୨୬ରେ କେରଳ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଦାୟିତ୍ବ ତୁଲାଇବେ । ସେହିପରି ୨୦୨୬ରେ ହେବାକୁ ଥିବା ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟ ସେ ତୁଲାଇବେ । କାର୍ଯ୍ୟଭାର ସମ୍ଭାଳିବା ପରେ ଜ୍ଞାନେଶ ନବନିଯୁକ୍ତ CEC କହିଛନ୍ତି, ରାଷ୍ଟ୍ର ନିର୍ମାଣର ପ୍ରଥମ ସିଡ଼ି ହେଉଛି ମତଦାନ । ଏଥିପାଇଁ ୧୮ ବର୍ଷ ପୂରଣ କରିସାରିଥିବା ଭାରତର ପ୍ରତ୍ୟେକ ନାଗରିକ ସର୍ବଦା ମତଦାନ କରିବା ଉଚିତ । ଭାରତର ସମ୍ବିଧାନ, ନିର୍ବାଚନୀ ଆଇନ, ନିୟମ ଓ ସେଥିରେ ରହିଥିବା ନିର୍ଦ୍ଦେଶାବଳୀ ଅନୁସାରେ ଭାରତର ନିର୍ବାଚନ ଆୟୋଗ ମତଦାତାଙ୍କ ସହିତ ସର୍ବଦା ରହିବେ ।
ଚାମ୍ପିୟନ୍ସ ଟ୍ରଫିର ଶୁଭାରମ୍ଭ ଆଜି: ପ୍ରଥମ ମ୍ୟାଚରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମୁହାଁମୁହିଁ
ଆଜିଠାରୁ ଚାମ୍ପିୟନ୍ସ ଟ୍ରଫିର ଶୁଭାରମ୍ଭ ହେବ । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଦୀର୍ଘଦିନ ହେଲା ବିଶ୍ବର ଅଗଣିତ କ୍ରୀଡ଼ାପ୍ରେମୀ ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରତୀକ୍ଷା କରି ରହିଥିବା ବେଳେ ଏବେ ତା’ର ଅନ୍ତ ଘଟିବାକୁ ଯାଉଛି । ଗତ ୨୦୧୭ରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା । ଆସନ୍ତା ୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ । ଉକ୍ତ ମ୍ୟାଚ ଦେଖିବାକୁ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଲାଣି । ଏହି ମ୍ୟାଚର ବଡ଼ ଝଲକ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିବ ।
ଏଥର ଚାମ୍ପିୟନ୍ସ ଟ୍ରଫିରେ ମୋଟ ୮ଟି ଟିମ ମଧ୍ୟରେ ୧୫ଟି ମୁକାବିଲା ଦେଖିବାକୁ ମିଳିବ । ୪ଟି ଲେଖାଏଁ ଟିମ୍ ଦୁଇଟି ଗ୍ରୁପରେ ରହିଛନ୍ତି । ଗ୍ରୁପ ଏ’ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ ରହିଥିବା ବେଳେ ଗ୍ରୁପ-ବି’ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ ରହିଛନ୍ତି । ୮ଟି ଟିମ ନିଜ ନିଜ ଗ୍ରୁପରେ ୩ଟି ଲେଖାଏଁ ମ୍ୟାଚ ଖେଳିବେ । ଗ୍ରୁପର ଟପ-୨ ଟିମ୍ ସେମିଫାଇନାଲ ପାଇଁ କ୍ବାଲିଫାଏ କରିବେ । ପ୍ରଥମ ସେମି ଦୁବାଇରେ ଓ ଦ୍ବିତୀୟ ସେମି ଲଢ଼େଇ ଲାହୋରରେ ହେବ । ଏହାପରେ ଫାଇନାଲ ମୁକାବିଲା ଖେଳାଯିବ । ଫାଇନାଲକୁ ଉନ୍ନୀତ ହେଉଥିବା ଟିମମାନେ ୫ଟି ମ୍ୟାଚ ଖେଳିବେ । ୧୫ଟି ମୁକାବିଲା ୪ଟି ଭେନ୍ୟୁରେ ଖେଳାଯିବ । ସେଥିରୁ ୩ଟି ଭେନ୍ୟୁ ପାକିସ୍ତାନରେ ଗୋଟିଏ ଦୁବାଇରେ ରହିବ ।
CEC ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି: ନିଯୁକ୍ତି ଓ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଚୟନ ସମିତିରେ ପ୍ରଧାନ ବିଚାରପତିଙ୍କୁ ସାମିଲ ନକରିବା ମାମଲାରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ । ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ ଦ୍ବାରା ରୁଜୁ ହୋଇଥିବା ମାମଲାରେ ବିଚାର କରିବେ ଖଣ୍ଡପୀଠ। ଏଡିଆର ଆବେଦନରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ଅଧିନିୟମ, ୨୦୨୩ର ଧାରା-୭ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଛି । ଏହି ଅଧିନିୟମ ଆଧାରରେ ପ୍ରଧାନ ବିଚାରପତିଙ୍କୁ ଚୟନ କମିଟିରୁ ବାହାର କରାଯାଇଛି । ଏହାକୁ ନେଇ ଦାୟର ହୋଉଥିବା ମାମଲାର ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ । ଏଥିରେ ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ବି. ଆର. ଗଓ୍ବାଇ, ଜଷ୍ଟିସ୍ ଜେ.ବି. ପାରଦିଓ୍ବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ସାମିଲ୍ ଅଛନ୍ତି।
ସେପଟେ ଶୁଣାଣି ର୍ପୂବରୁ ତରବରିଆ ଭାବେ ନୂଆ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି, ସରକାରଙ୍କ ରାତି ଅଧିଆ ନିଯୁକ୍ତି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଭାରତୀୟ ନିର୍ବାଚନ କମିଶନର ଏକ ନିରପେକ୍ଷ ଏବଂ ସାମ୍ବିଧାନିକ ସଂସ୍ଥା । ଏହାର ମୁଖ୍ୟ ଚୟନ ବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବାଦ ଦେବା ପୂରା ପ୍ରକ୍ରିୟା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ବିରୋଧୀ ଦଳ ନେତା ହିସାବରେ ସମ୍ବିଧାନର ଲକ୍ଷ୍ୟ ଓ ଭିତ୍ତିକୁ ସୁରକ୍ଷା ଦେବା ମୋର କର୍ତ୍ତବ୍ୟ । ବର୍ତ୍ତମାନର ସରକାର ସିଇସି ନିଯୁକ୍ତି ସମୟରେ ଅନେକ ଦିଗକୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି । ଗତକାଲି ପୂର୍ବତନ ଆଇଏଏସ ଅଫିସର ଜ୍ଞାନେଶ କୁମାରଙ୍କୁ ସରକାର ନୂଆ ସିଇସି ଭାବେ ନିଯୁକ୍ତି ଦେଇଛନ୍ତି । ନୂଆ ନିୟମ ଅନୁସାରେ ଏହି ଚୟନ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ସିଇସି ମନୋନୀତ କରୁଥିଲେ । ନୂଆ ନିୟମ ଅନୁସାରେ ପ୍ରଧାନ ବିଚାରପତିଙ୍କ ବଦଳରେ ମନ୍ତିମଣ୍ଡଳର ଜଣେ ସଦସ୍ୟଙ୍କୁ ସାମିଲ କରାଯାଇଛି । କିଛି ଦିନ ତଳେ ଏ ପ୍ରସଙ୍ଗକୁ ଲୋକସଭାରେ ଉଠାଇଥିଲେ ରାହୁଲ । ସେତେବେଳେ ଆଶଙ୍କା କରିଥିଲେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଦ୍ବାରା ଚୟନ ବ୍ୟକ୍ତି ହିଁ ସିଇସି ହେବେ । ଏଭଳି ସ୍ଥିତିରେ ସେ କମିଟିରେ ତାଙ୍କର ମତ ଓ ମନ୍ତବ୍ୟ କେତେ ଗୁରୁତ୍ବ ବହନ କରିବ ତାକୁ ନେଇ ସେ ସନ୍ଦେହ ପ୍ରକଟ କରିଥିଲେ ।
ଓଲିଉଡ଼ର ଅଭିନେତା ସୋହମ ସିଂଙ୍କୁ ଦୃଦଘାତ
ଭୁବନେଶ୍ବର: ଓଲିଉଡ଼ର ଯୁବ ପ୍ରଯୋଜକ, ଅଭିନେତା, ଗାୟକ ଅଭିନେତା ସୋହମ ସିଂଙ୍କୁ ହୃଦଘାତ । ଏକ ଘରୋଇ ଡାକ୍ତରଖାନାରେ ଆଇସିୟୁରେ ଚାଲିଛି ଚିକିତ୍ସା । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡ଼ିଛି । ତାଙ୍କ ସିନେମା ଅଜାତ ଶତ୍ରୁ, ଆଇ ଲଭ ୟୁ ପ୍ରିୟା ଏବଂ ରାଉଡି ରାଜାକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଆଗକୁ ଏକ ବଡ଼ ବଜେଟର ଆକ୍ସନ ସିନେମା ଆସୁଛି ଯାହାର ନାଁ ରଖିଛନ୍ତି ଆଲ୍ଲୀ ବଜରଙ୍ଗୱାଲି l ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଚର୍ଚ୍ଚିତ ଚେହେରା l ତାଙ୍କ ଆଶୁ ଆରୋଗ୍ୟ ପାଇଁ କରି ପ୍ରଶଂସକ ଓ ଓଲିଉଡ଼ ଜଗତର ବିଭିନ୍ନ ବ୍ୟକ୍ତି ବିଶେଷ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନ କରିଛନ୍ତି ।
କେବେ ସୁଧୁରିବ ବ୍ରହ୍ମପୁର ଏମକେସିଜି ମେଡିକାଲ ସମସ୍ୟା
ବ୍ରହ୍ମପୁର: ଦିନକୁ ଦିନ ବଢିବାରେ ଲାଗିଛି ବ୍ରହ୍ମପୁର MKCG ମେଡକାଲ ସମସ୍ଯା । ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ହସ୍ପିଟାଲ ଅନେକ ସମୟରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହି ଆସିଛି । ଏବେ ଖରାଦିନ ଆସିଥିବା ବେଳେ ୱାର୍ଡରେ ଫ୍ୟାନ ଓ ଲାଇଟ ଖରାପ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ସେପଟେ କର୍ତ୍ତୃପକ୍ଷ କହିଛନ୍ତ, ଖୁବଶୀଘ୍ର ଟେଣ୍ଡର କରି କରାଯିବ ସମାଧାନ ।
ସମସ୍ଯା ଘେରରେ ବ୍ରହ୍ମପୁର ଏମକେସିଜି ମେଡିକାଲ । ଦକ୍ଷିଣ ଓଡ଼ିଶାର ଏହି ବଡ଼ ହସ୍ପିଟାଲରେ ହନ୍ତସନ୍ତ ରୋଗୀ । ମଶା ସାଙ୍ଗକୁ ଗରମରେ ଆଉଟୁ ପାଉଟୁ ଲୋକେ । ଅନେକ ୱାର୍ଡରେ ଲାଇଟ୍ ଜଳୁ ନଥିବା ବେଳେ ବୁଲୁନି ଫ୍ଯାନ୍ । ବାରମ୍ବାର ଅଭିଯୋଗ ପରେ ବି ବେଫିକର ହସ୍ପିଟାଲ ମ୍ୟାନେଜର୍ । ହସ୍ପିଟାଲରେ ପାନୀୟଜଳ, ବିଦ୍ୟୁତ୍ ବ୍ଯବସ୍ଥା ସହ ଉପକରଣ ପରିମଳ ଓ ସ୍ଵଚ୍ଛତା ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା ।
ଡାକ୍ତରଖାନାରେ ରହିଛି ୨୦ରୁ ଅଧିକ ବିଭାଗ । ପ୍ରତିଦିନ ୨ ହଜାରରୁ ଅଧିକ ରୋଗୀ ଏଠାକୁ ଆସନ୍ତି । ହେଲେ ଅନେକ ସମୟରେ ସମସ୍ଯା ପାଇଁ ଚର୍ଚ୍ଚାରେ ରହି ଆସିଛି ହସ୍ପିଟାଲ । ସ୍ତ୍ରୀ ଓ ପ୍ରସୂତି ବିଭାଗ ତୃତୀୟ ମହଲାର ଅନେକ ପଙ୍ଖା ଅଚଳ ହୋଇଥିବାରୁ ପ୍ରସୂତି ଓ ଶିଶୁ କଲବଲ ହେଉଛନ୍ତି । ନିରାଶ୍ରୟ, ଅସ୍ଥିଶଲ୍ଯ, ସବୁ ବିଭାଗରେ ସମାନ ଅବସ୍ଥା ।
ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଡେଙ୍ଗୁ, ମ୍ଯାଲେରିଆ ନେଇ ଫେରୁଛନ୍ତି । ସମସ୍ୟା ଦୀର୍ଘ ଦିନ ହେଲା ଲାଗି ରହିଥିଲେ ସୁଦ୍ଧା ହସ୍ପିଟାଲ ମ୍ୟାନେଜର୍ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ତେବେ ସମସ୍ୟା ସାଧାରଣ ବିଦ୍ୟୁତ ବିଭାଗ ସମସ୍ତ ବିଦ୍ୟୁତ ସମ୍ବନ୍ଧୀୟ କାର୍ଯ୍ୟ ତଦାରଖ କରୁଛି । ଲାଗୁ ନଥିବା ଫ୍ୟାନ ସହ ଲାଇଟକୁ ଏକା ସାଙ୍ଗରେ ହିସାବ କରି ବିଭାଗକୁ ଦିଆଯିବା ପରବର୍ତ୍ତୀ ପର୍ଯ୍ୟାୟରେ ଟେଣ୍ଡର୍ ପ୍ରକ୍ରିୟା ମାଧ୍ୟମରେ କାମ ସଂପୂର୍ଣ୍ଣ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏନେଇ କ୍ଯାମେରା ଆଗରେ କିଛି ପ୍ରତିକ୍ରିୟା ରଖି ନାହାନ୍ତି ।

