spot_img
Home Blog Page 1261

ଆଜିଠୁ ମାଟ୍ରିକ ପରୀକ୍ଷା, ପରୀକ୍ଷା ଦେବେ ୫ ଲକ୍ଷ ୩୩୬ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ବୋର୍ଡ ପକ୍ଷରୁ ୩ ହଜାର ୧୩୩ ଟି ପରୀକ୍ଷା କେନ୍ଦ୍ର ଓ ୩୧୪ ଟି ନୋଡାଲ ସେଣ୍ଟରରେ ପରୀକ୍ଷା ଦେବେ ମୋଟ ୫ ଲକ୍ଷ, ୨୨ ହଜାର ୩୩୬ ପରୀକ୍ଷାର୍ଥୀ। ପ୍ରତି ସିଟିଂରେ ସକାଳ ୯ ଟାରୁ ପରୀକ୍ଷା ଆରମ୍ଭ ହେବ। ସାଢେ ୭ଟାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ।

ସେହିପରି ପ୍ରଶ୍ନପତ୍ର ମଧ୍ୟ ନୋଡାଲ ସେଣ୍ଟରରୁ ବାହାରି ସାଢେ ସାତଟାରୁ ସାଢେ ଆଠଟା ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ । ଗତକାଲି କଟକ ସ୍ଥିତ କମାଣ୍ଡ କଣ୍ଟ୍ରୋଲ ରୁମରୁ ୬ଶହ କେନ୍ଦ୍ର ସହ ଲାଇଭ ଡେମୋ ବା ଡ୍ରାଏ ରନ କରାଯାଇଥିଲା। ଲାଇଭ ଷ୍ଟ୍ରିମିଂ କରି ବୋର୍ଡ ପରୀକ୍ଷା ବ୍ୟବସ୍ଥା, ପ୍ରଶ୍ନପତ୍ରର ସୁରକ୍ଷା ଓ ସୁପରିଚାଳନା ଉପରେ ସମୀକ୍ଷା କରାଯାଇଥିଲା । ଏଥର ସମସ୍ତ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ଉପରେ ନଜର ରଖିଛି ଏଆଇ କ୍ୟାମେରା। କୌଣସି ସ୍ଥାନରେ ଅନିୟମିତତା ବା ପ୍ରଶ୍ନପତ୍ର ଲିକ୍ ଭଳି ପ୍ରସଙ୍ଗ ଆସିଲେ ଲାଇଭ ମୋଡରୁ ତାହାକୁ ଦେଖି ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥର ପରୀକ୍ଷାରେ ମୋବାଇଲକୁ ବାରଣ କରିବା ସହ ଚାରି ଥାକିଆ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି ।

ସେହିପରି ସବୁ ବିଷୟରେ ପ୍ରଶ୍ନପତ୍ରର ପ୍ରତି ପୃଷ୍ଠାରେ ୱାଟର ମାର୍କ ବ୍ୟବସ୍ଥା ରହିଛି। ଫଳରେ କେହି ଫଟୋ ଭାଇରାଲ କିମ୍ବା ଲିକ୍ କଲେ ତାହାର ତଥ୍ୟ ବୋର୍ଡକୁ ଜଣା ପଡିଯିବ। ଖରାକୁ ଦୃଷ୍ଟିରେ ରଖି ଏଥର ସବୁ ସେଣ୍ଟରରେ ଫ୍ୟାନ ଓ ପିଇବା ପାଣିର ସୁବିଧା କରାଯାଇଛି।

ଦିଲ୍ଲୀ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ,ମୁଖ୍ୟମନ୍ତ୍ରୀ ରେଖାଙ୍କ ହାତରେ ୧୦ ବିଭାଗ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ସରକାର ଗଠନ ଏବଂ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନ ହୋଇଛି ।  କ୍ୟାବିନେଟର ପ୍ରଥମ ବୈଠକ ପୂର୍ବରୁ ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପାଖରେ ୧୦ ବିଭାଗ ରଖିଛନ୍ତି । ଅନ୍ୟପଟେ ପରବେଶ ବର୍ମାଙ୍କୁ ଦିଲ୍ଲୀର ଜଳ ଏବଂ ରାସ୍ତା ସୁଧାରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।

ରେଖା ଗୁପ୍ତା (ମୁଖ୍ୟମନ୍ତ୍ରୀ) ପାଖରେ ଅର୍ଥ, ଯୋଜନା, ସାଧାରଣ ପ୍ରଶାସନ, ମହିଳା ଶିଶୁ କଲ୍ୟାଣ, ସେବା, ରାଜସ୍ୱ, ଲ୍ୟାଣ୍ଡ ଏବଂ ବିଲ୍ଡିଂ, ସୂଚନା ଏବଂ ଲୋକ ସମ୍ପର୍କ, ଭିଜିଲାନ୍ସ, ପ୍ରଶାସନିକ ସଂସ୍କାର ରହିଛି  ।

କାହାକୁ କେଉଁ ଦାୟିତ୍ୱ :

ପରବେଶ ବର୍ମାଙ୍କୁ ମିଳିଛି ପୂର୍ତ୍ତ, ବିଧାନସଭା ବ୍ଯାପାର, ପାନୀୟ ଜଳ ଓ ଗୁରୁଦ୍ବାରା ନିର୍ବାଚନ
ଆଶିଷ ସୁଦଙ୍କ ମିଳିଛି ଗୃହ, ଶକ୍ତି, ନଗର ଉନ୍ନୟନ, ଶିକ୍ଷା, ଉଚ୍ଚଶିକ୍ଷା ବିଭାଗ
ମନିଜିନ୍ଦର ସିଂ ସିର୍ସାଙ୍କୁ ମିଳିଛି ଖାଦ୍ଯ, ଜଙ୍ଗଲ ଓ ପରିବେଶ, ଶିଳ୍ପ।
ରବିନ୍ଦର ସିଂଙ୍କୁ ମିଳିଛି ସାମାଜିକ କଲ୍ୟାଣ, ଏସସି-ଏସଟି, ସମବାୟ
କପିଳ ମିଶ୍ରଙ୍କୁ ମିଳିଛି ଆଇନ ଓ ନ୍ୟାୟ, ଶ୍ରମ, ନିଯୁକ୍ତି, କଳା ଓ ସଂସ୍କୃତି, ପର୍ଯ୍ୟଟନ
ପଙ୍କଜ କୁମାର ସିଂଙ୍କୁ ମିଳିଛି ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ, ପରିବହନ, ସୂଚନା ପ୍ରଯୁକ୍ତି।

ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ : ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କଲା ଭାରତ

ନନ୍ଦିଘୋଷ ବ୍ୟୁରୋ :  ଦୁବାଇରେ ଚାଲିଛି ICC ଚାମ୍ପିଅନ୍ସ ଟ୍ରଫିରେ ଭାରତର ପ୍ରଥମ ପଦାର୍ପଣରେ ଦମଦାର ବିଜୟ । ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ବାଂଲାଦେଶ ଭାରତ ଆଗରେ ୨୨୯ ରନର ବିଜୟ ଲକ୍ଷ୍ୟ ରଖିଥିବାବେଳେ ଭାରତ ୪୬.୩ ଓଭରରେ ୨୩୧ ରନ କରି ବିଜୟୀ ହୋଇଥିଲା । ଭାରତୀୟ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଶୁଭମନ ଗିଲଙ୍କ ଲଢୁଆ ଶତକ । ସେ ୧୨୯ ବଲରେ ୧୦୧ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ଓ କେଏଲ ରାହୁଲ ୪୧ ରନ ଲେଖାଏଁ କରିଥିଲେ । ବିରାଟ କୋହଲି ୨୨ ରନ କରିଥିଲେ ।

ସେହିପରି ମେହେଦି ହାସାନ ମିରାଜ ମାତ୍ର ୫ ରନ କରି ସମ୍ମିଙ୍କ ବଲରେ ଶୁଭମନ ଗିଲଙ୍କ ହାତରେ ଧରା ପଡ଼ିଥିଲେ । ତେବେ ତାଞ୍ଜିଦ ୨୫ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ । ତେବେ ତାଓ୍ବିଦ ହ୍ରିଦୟ ଓ ଜାକର ଅଲ୍ଲି ଲଢୁଆ ବ୍ୟାଟିଂ କରି ସ୍ଥିତିକୁ ସମ୍ଭାଳିଥିଲେ । ହ୍ରିଦୟ ଏକ ଲଢୁଆ ଶତକ ଅର୍ଜନ କରିଥିବାବେଳେ ଜାକର ୬୮ ରନ କରିଥିଲେ । ତେବେ ଦଳ ୨୨୮ ରନ କରି ଅଲଆଉଟ ହୋଇଯାଇଥିଲା ।  ଭାରତ ପକ୍ଷରୁ ମହମ୍ମଦ ସମ୍ମି ୫ଟି ଓ୍ବିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ ଅକ୍ଷର ପଟେଲ ୨ଟି ଓ୍ବିକେଟ ନେଇଥିଲେ ।

 

କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଏବଂ ଛାତ୍ର ଅଶାନ୍ତି ଘଟଣା, ଆଉ ୫ ଜଣ ଗିରଫ

ଭୁବନେଶ୍ୱର : କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣା ଓ ପରବର୍ତ୍ତୀ ଛାତ୍ର ଅଶାନ୍ତି ଘଟଣା। ଛାତ୍ରଛାତ୍ରୀଙ୍କ ମାଡ଼ ମାରିବା ଘଟଣାରେ ଆଜି ୫ ଜଣଙ୍କୁ ଗିରଫ କରିଛି ଇନଫୋସିଟି ପୋଲିସ। ଛାତ୍ରଛାତ୍ରୀ ମାନେ ହଷ୍ଟେଲ ଖାଲି କରୁଥିବା ବେଳେ, ଏହି ୫ ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଚାଲିଯିବାକୁ କହିଥିଲେ। ତେବେ ହଷ୍ଟେଲ ଖାଲି କରିବାରେ ବିଳମ୍ବ ହେବାରୁ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍ କରିଥିଲେ ଅଭିଯୁକ୍ତ।

ଏହି ଘଟଣାରେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ହେଲେ କିଟ୍ ବିଶ୍ବବିଦ୍ୟାଳୟର କର୍ମଚାରୀ ଅଜୟ ସ୍ବାଇଁ, ସରୋଜ ରାଉତରାୟ, ଚନ୍ଦନ ସ୍ବାଇଁ, ସୁଧାଂଶୁ ଶେଖର ବେହେରା ଓ ରମାକାନ୍ତ ସେଠୀ। ପୂର୍ବରୁ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଜର ହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କରନ୍ତୁ ନାହିଁ ଏପରି ଭୁଲ୍, ନଚେତ୍ ଗଣିବେ ୨୫ହଜାର ଟଙ୍କା ଜୋରିମାନା

ନନ୍ଦିଘୋଷ ବ୍ୟୁରୋ : ଟ୍ରାଫିନ ନିୟମ ନମାନିଲେ ଭରିବାକୁ ପଡିବ ଜରିମାନା । ଏଥର କଡାକଡି ହେଲା ଟ୍ରାଫିକ ନିୟମ ।  ଭାରତରେ ରାସ୍ତାରେ ଚାଲୁଥିବା ସମସ୍ତ ଯାନବାହନ ପାଇଁ କିଛି ନିୟମ ସ୍ଥିର କରାଯାଇଛି। ତେଣୁ ସମସ୍ତ ଡ୍ରାଇଭରମାନଙ୍କୁ ଏହା ମାନିବାକୁ ପଡିବ।

ନିୟମ ଉଲ୍ଲଂଘନ କଲେ ଆପଣଙ୍କ ପକେଟ ଉପରେ ଭାରୀ ବୋଝ ପଡ଼ିପାରେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ସ୍କୁଟର ଏବଂ ବାଇକ ଚଳାଇବା ସମ୍ପର୍କରେ ମୋଟର ଯାନ ଆଇନ ଅନୁଯାୟୀ ସମାନ ନିୟମ କରାଯାଇଛି। ଯଦି ଏହି ନିୟମ ଉଲ୍ଲଂଘନ ହୁଏ। ତା’ପରେ ଆପଣଙ୍କୁ ୨୫୦୦୦ ଟଙ୍କାର ଚାଲାଣ ଦେବାକୁ ପଡ଼ିପାରେ।

ମୋଟର ଯାନ ଆଇନ ଅନୁଯାୟୀ ଚାଳକମାନଙ୍କ ପାଇଁ ଅନେକ ନିୟମ ପ୍ରଣୟନ କରାଯାଇଛି। ବାଇକ, କାର୍‌ ଏବଂ ପ୍ରତ୍ୟେକ ପ୍ରକାରର ଯାନବାହନ ପାଇଁ ଡ୍ରାଇଭିଂ ଲାଇସେନ୍ସ ରଖିବାର ନିୟମ ସମାନ। ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ନାହିଁ, ତେବେ ଆପଣଙ୍କର ଚାଲାଣ କାଟି ଦିଆଯାଏ। ଦେଶର ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। କିନ୍ତୁ ଯଦି ୧୮ ବର୍ଷରୁ କମ୍‌ ବୟସର କୌଣସି ପୁଅ କିମ୍ବା ଝିଅ ବାଇକ କିମ୍ବା ସ୍କୁଟର ଚଲାଉଥିବା ଧରାପଡ଼ନ୍ତି।

ଏପରି କ୍ଷେତ୍ରରେ ସେମାନଙ୍କ ବିରୋଧରେ ଏକ ଭାରୀ ଚାଲାଣ କରାଯାଏ। ଆପଣଙ୍କୁ ଜଣାଇ ଦେଉଛୁ ଯେ, ମୋଟର ଯାନ ଆଇନର କିଛି ନିୟମ ପରିବର୍ତ୍ତନ କରାଯାଇ ନାବାଳକଙ୍କ ଦ୍ୱାରା ଗାଡି ଚଲାଇବା ପାଇଁ ଜରିମାନା ବହୁତ ବୃଦ୍ଧି କରାଯାଇଛି। ଏବେ ଯଦି ଜଣେ ନାବାଳକ ଗାଡ଼ି ଚଲାଉଥିବା ଧରାପଡ଼ନ୍ତି। ତେବେ ତାଙ୍କ ଅଭିଭାବକଙ୍କୁ ମୋଟର ଯାନ ଆଇନ ୧୯୮୮ର ଧାରା ୧୯୯ଏ ଅନୁଯାୟୀ ୨୫୦୦୦ ଟଙ୍କା ଜରିମାନା କରାଯିବ। ଏହା ବ୍ୟତୀତ ଗାଡ଼ିକୁ ମଧ୍ୟ ଜବତ କରାଯାଇପାରେ। ନିକଟ ଅତୀତରେ ନାବାଳକମାନେ ଗାଡି ଚାଳନା କରିବା ସହିତ ଦୁର୍ଘଟଣାର ଅନେକ ରିପୋର୍ଟ ଆସିଛି। ସେଥିପାଇଁ ଏବେ ଟ୍ରାଫିକ ପୋଲିସ ଅଧିକ କଠୋର ହୋଇଯାଇଛି।

 

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀକାନ୍ତ। ଓଡ଼ିଶାରେ ଦାରିଦ୍ର୍ୟ ବଢୁଛି। ଦୁଇ ଲକ୍ଷ ୯୦ ହଜାର କୋଟିର ବଜେଟ୍ ବିଧାନସଭାରେ ଉପସ୍ଥାପନ କରି ମୋହନ ସରକାର ବାହାବା ନେଉଛି। ଓଡ଼ିଶା ସରକାର ଚଳିତ ବର୍ଷ ୩ ଲକ୍ଷ ୯୦ ହଜାର କୋଟି ବା ୪ଲକ୍ଷ କୋଟିର ବଜେଟ୍ ଆଣି ପାରିଥାଆନ୍ତେ । ଜୁଲାଇ ୨୪ରୁ ଖଣି ସେସ୍ ଓ ରୟାଲିଟି ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ କରାଯାଇଥିଲେ ସରକାରଙ୍କ ବଜେଟ୍ ୪ଲକ୍ଷ କୋଟିର ର ବଜେଟ୍ ହୋଇପାରିଥାନ୍ତା । କିନ୍ତୁ ଓଡ଼ିଶା ସରକାର ଖଣି ବ୍ୟବସାୟୀମାନଙ୍କ ଠାରୁ ସେସ୍ ଓ ରୟାଲିଟି ନେଉ ନାହାଁନ୍ତି।

ଓଡ଼ିଶାରେ ଖଣି ସିଣ୍ଡିକେଟ ଚାଲିଛି। ଦୀର୍ଘ ବର୍ଷ ଧରି ପଶ୍ଚିମ ବଙ୍ଗର କୋଇଲା ଖଣିରୁ ସେସ୍ ଓ ରୟାଲିଟି ବହୁତ ଅଧିକ ଆଦାୟ କରୁଛି । ଓଡ଼ିଶାର ଖଣିରୁ ବାହାରୁ ଥିବା କଞ୍ଚାମାଲକୁ ବଜାରରେ ନ ବିକ୍ରି କରି ଶାଗମାଛ ଦରରେ ଖଣିଜ ପଦାର୍ଥକୁ ବିକ୍ରି କରୁଛନ୍ତି। ତେଣୁ ଓଡ଼ିଶା ୨ ହଜାର କୋଟି ଟଙ୍କା ବର୍ଷକୁ ସରକାର କ୍ଷତି ସହୁଛି । ଖଣି ବ୍ୟବସାୟୀମାନଙ୍କର ବକେୟା ଟଙ୍କା ପ୍ରାୟ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ସରକାରଙ୍କୁ ସେମାନେ ଦେଉନାହାଁନ୍ତି। ଏସମ୍ପର୍କରେ ବିଧାନସଭାରେ ସରକାର ଆଲୋଚନା କରନ୍ତୁ। ଦାଦନରେ ଓଡ଼ିଶା ଆଜି ଏକ ନମ୍ବର। ଓଡ଼ିଶାର ଖଣି ସିଣ୍ଡିକେଟ ଚାଲିଛି । ମାଗଣା ୩୦୦ ୟୁନିଟ ବିଜୁଳି, ୩ ହଜାର ଟଙ୍କା ବେକାରୀ ଭତ୍ତା ଆଦି ଦିଆଯାଇପାରିବ। ହେଲେ ସରକାର ନୀରବ ରହିଛନ୍ତି ବୋଲି କହିଛନ୍ତି ଶ୍ରୀକାନ୍ତ।

ବଜେଟରେ ବିଜେପି ଦେଖାଉଛି ରଙ୍ଗିଲା ସ୍ୱପ୍ନ, ବିଧାନସଭାରେ ବର୍ଷିଲେ ବିଜେଡି ଓ କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : ବଜେଟ ପରେ ବଜେଟ ଆଣୁଛନ୍ତି ରାଜ୍ୟ ସରକାର । ବଡ଼ ବଜେଟ ଆଣି ବାହା ବାହା ନେବାକୁ କରୁଛନ୍ତି ପ୍ରୟାସ । ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଆଣିଛନ୍ତି । କିନ୍ତୁ ପୂର୍ବ ବଜେଟର ମାତ୍ର ୫୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । ବହୁ ବିଭାଗରେ ବଜେଟ ଅର୍ଥ ଖର୍ଚ୍ଚ ଅତି ନଗନ୍ୟ । ୯ ମାସ ହେବ ବଜେଟ ଅର୍ଥ ଗ୍ରାଉଣ୍ଡରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରୁନାହିଁ । ମୋହନ ସରକାର ପ୍ରଥମ ବଜେଟରେ ୪୩ ହଜାର କୋଟି ଋଣ ଓ ଦ୍ବିତୀୟ ବଜେଟରେ ୪୭ ହଜାର କୋଟି ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଡବଲ ଇଞ୍ଜିନ ସରକାର ଡବଲ ଅର୍ଥ ପାଇବା ବଦଳରେ ଓଡ଼ିଶାକୁ ମିଳୁଛି କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ ।

କେତେବେଳେ ଡିଜି ସମ୍ମିଳନୀ ତ କେତେବେଳେ ପ୍ରବାସୀ ଭାରତୀୟ ସମ୍ମିଳନୀ । ଆନ୍ଧ୍ର ଓ ବିହାରକୁ କେନ୍ଦ୍ର ବଜେଟରେ ସ୍ବତନ୍ତ୍ର ଅନୁଦାନ ମିଳୁଥିବା ବେଳେ ଓଡ଼ିଶାକୁ ଅଣଦେଖା କରାଯାଉଛି । ଏପରି ଲମ୍ବା ଅଭିଯୋଗ ଆଣି ବଜେଟ ଆଲୋଚନାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ । ଅମୃତ କାଳରେ ଓଡ଼ିଶା କଣ ପାଇଲା, ତାହା ଏବେ ଗୀତ ହୋଇ ବାଜିଲାଣି। ଅନ୍ୟପଟେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବଜେଟରେ ବିଜେପି ରଙ୍ଗିଲା ସ୍ୱପ୍ନ ଦେଖାଉଛି  । ବିଜେପି ବଜେଟ ଅର୍ଥ ଖର୍ଚ୍ଚ କରିପାରୁନି କି ଖର୍ଚ୍ଚ କରିବାର କୌଶଳ ବି ଶିଖୁନି। ପୂର୍ବ ସରକାର ଏକ ଅଭିଜ୍ଞ ସରକାର ଥିଲା  । ବଜେଟରେ ଯାହା ଅର୍ଥ ରଖୁଥିଲେ ତାହାକୁ ଖର୍ଚ୍ଚ କରାଯାଉଥିଲା। କିନ୍ତୁ ଏ ସରକାର କାହା କଥା ଶୁଣୁନଥିବା ଅଭିଯୋଗ କରିଛି ବିଜେଡି।

ସେପଟେ କଂଗ୍ରେସ କହିଛି, ମୋହନ ସରକାର ନିରାଶର ବଜେଟ ଆଣିଛନ୍ତି । ସୁଭଦ୍ରା ଟଙ୍କା ଦେଉଛନ୍ତି, କିନ୍ତୁ ମା’ମାନଙ୍କ କଥା ଶୁଣୁନାହାନ୍ତି। ଜୀବନ ଜୀବିକା ପାଇଁ ରାଜରାସ୍ତାରେ ଲଢେଇ କରୁଛନ୍ତି ମହିଳା। ବଜେଟରେ ନିଯୁକ୍ତି ଠାରୁ ଆରମ୍ଭ କରି ଲୋକଙ୍କ ସ୍ବାର୍ଥ ଉପରେ କୌଣସି ଦୃଷ୍ଟି ଦିଆଯାଇନାହିଁ । ବଜେଟ ଆଲୋଚନାରେ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜେପି କହିଛି ଆମେ ବିକାଶର ବଜେଟ ଆଣିଛୁ ।

 

ଚାଷୀ ପୋଷଣ ନା ଚାଷୀ ଶୋଷଣ, ଚାଷୀ ମାରଣର ନୂଆ ଫଣ୍ଡାରେ ଡବଲ ଇଞ୍ଜିନ ସରକାର

ନନ୍ଦିଘୋଷ ବ୍ୟୁରୋ : ସରକାରୀ ବିହନ ନେଇ ହତାଶ ଚାଷୀ । ସାମନାକୁ ଆସିଛି ରାଜ୍ୟ ବିହନ ନିଗମର ବଡ଼ କେଳେଙ୍କାରୀ । ପିଆଜ, ମେଥି ଓ ଲଙ୍କା ବିହନ ଗଜା ନ ହେବାରୁ ଗଞ୍ଜାମ ଜିଲ୍ଲାରେ ଚାଷୀ ମୁଣ୍ଡରେ ହାତ ଦେଇବସିଛନ୍ତି । ରାଷ୍ଟ୍ରାୟତ୍ତ ସଂସ୍ଥା କମ୍ ଟଙ୍କାରେ ଟେଣ୍ଡର ପକାଇଥିଲେ । ହେଲେ ରାଜ୍ୟ ବିହନ ନିଗମ କାହା ଚାପରେ ମଧ୍ୟପ୍ରଦେଶ ଭୋପାଳର ଏକ ଘରୋଇ ସଂସ୍ଥାରୁ ଅଧିକ ଦରରେ ବିହନ କିଣି ଚାଷୀଙ୍କୁ ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏ ନେଇ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ରାଜ୍ୟ ବିହନ ନିଗମରେ କୌଣସି ଅଧିକାରୀ ନାହାନ୍ତି କି ଅଧ୍ୟକ୍ଷ ଦାୟିତ୍ବରେ ଥିବା କୃଷି ବିଭାଗ ସଚିବଙ୍କୁ ଯୋଗାଯୋଗ କରାଗଲେ ବି କାର୍ଯ୍ୟବ୍ୟସ୍ତତା ଦର୍ଶାଇ ପଛଘୁଞ୍ଚା ଦେଉଛନ୍ତି । ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗକୁ ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

୨୦୨୪-୨୫ ଖରିଫ ବର୍ଷରେ ରବି ଫସଲ ପାଇଁ ପିଆଜ, ଲଙ୍କା, ମେଥି ଓ ପନିପରିବା ବିହନର ମିନି କିଟ୍ ଯୋଗାଇବାକୁ ରାଜ୍ୟ ବିହନ ନିଗମ ଇ-ଟେଣ୍ଡର ଆହ୍ବାନ କଲା । ବିଭିନ୍ନ ପନିପରିବା ବିହନ କିଲୋ ୪୪୭ ଟଙ୍କାରେ ଯୋଗାଇବାକୁ ରାଷ୍ଟ୍ରାୟତ୍ତ ସଂସ୍ଥା ହିନ୍ଦୁସ୍ତାନ ଇନ୍ସେକ୍ଟିସାଇଡ୍ସ୍ ଲିମିଟେଡ୍ ଟେଣ୍ଡର ପକାଇଥିଲା । କିନ୍ତୁ ରାଜ୍ୟ ବିହନ ନିଗମର ବୈଷୟିକ କମିଟି ରାଷ୍ଟ୍ରାୟତ୍ତ ସଂସ୍ଥାକୁ ଛାଡ଼ି ଭୋପାଳର ଏକ ଘରୋଇ ସଂସ୍ଥାକୁ କିଲୋ ପିଛା ୫୬୦ ଟଙ୍କାରେ ଯୋଗାଇବାକୁ ଚୟନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ହେଲେ ସେ ମଞ୍ଜିରୁ ଗଛ ହେଉନାହିଁ ବୋଲି ଗଞ୍ଜାମର ଚାଷୀ ଅଭିଯୋଗ କରିଛନ୍ତି ।

ଖାଲି ସେତିକି ନୁହେଁ, ପ୍ୟାକେଟ୍ ଉପରେ କମ୍ପାନୀର ନାଁ ନାହିଁ,d ଲଟ୍ ନମ୍ବର ନାହିଁ । କେବେ ପ୍ରସ୍ତୁତ ହୋଇଥିବା ପ୍ରାମାଣିକ ବିହନ ତାର କୌଣସି ସୂଚନା ନାହିଁ । କେବଳ ରାଜ୍ୟ କୃଷି ବିଭାଗ ସହିତ ରାଜ୍ୟ ବିହନ ନିଗମ ବିପ୍ପଣନ କରିଥିବା ନେଇ ସୂଚନା ରହିଛି । ଯାହାକୁ ନେଇ ବଡ଼ ଧରଣର ଘୋଟାଲା ହୋଇଥିବା ଚାଷୀ ନେତା ଅଭିଯୋଗ କରିଛନ୍ତି । ଯଦି ଏହାର ତଦନ୍ତ ନ ହୁଏ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି । ଅନ୍ୟପଟେ ଏ ନେଇ ନନ୍ଦିଘୋଷ ଟିଭି ଖୋଳତାଡ଼ ପରେ ବିହନ ନିଗମର ବାବୁ ଧରାଛୁଆଁ ଦେଉନାହାନ୍ତି ।

ଆଳୁ ଦେଲାନି ପଶ୍ଚିମବଙ୍ଗ, ହଟହଟା ଓଡ଼ିଶା: ଖାଲି ଗପରେ ସୀମିତ ରହିଲା ସରକାରଙ୍କ ପଦକ୍ଷେପ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗ ଆଳୁ ଦେଲାନି। ଆଳୁ ପାଇଁ ହଟହଟା ହେଲେ ଓଡ଼ିଶାବାସୀ। ଖାଲି ଗପରେ ସୀମିତ ରହିଲା ସରକାରଙ୍କ ପଦକ୍ଷେପ। ଆକାଶଛୁଆଁ ହେଲାଣି ପିଆଜ ଠାରୁ ଆରମ୍ଭ କରି ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର। ସଠିକ ଭାବେ ଚାଷୀଙ୍କୁ ବିହନ ମିଳିଲାନି। ତା ସାଙ୍ଗକୁ ଉତ୍ପାଦିତ ଦ୍ରବ୍ୟର ହେଲା ଅଭାବୀ ବିକ୍ରି। ସବୁ ଜାଣି ବି ଚୁପ ବସିଛନ୍ତି ସରକାର। ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଥିବାରୁ ବିଜେପି ସରକାର ଉପରେ ବର୍ଷିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ଦରଦାମ ନିୟନ୍ତ୍ରଣ ଓ ଚାଷୀଙ୍କ ସାମଗ୍ରୀର ଅଭାବୀ ବିକ୍ରି ରୋକିବା ପାଇଁ ନାହିଁ ଆନ୍ତରିକତା। ଯେଉଁଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ବେଳେ, ଆଗକୁ ମଧ୍ୟ ଦରଦାମ ବୃଦ୍ଧି ଉତ୍କଟ ରୂପ ନେବ ବୋଲି ଚେତାଇ ଦେଇଛି ବ୍ୟବସାୟୀ ମହାସଂଘ। ପ୍ରତି ତିନି ମାସରେ ଥରେ ଦରଦାମ ନିୟନ୍ତ୍ରଣ ଓ ଚାଷ ଉତ୍ପାଦନ ବଢାଇବା ପାଇଁ ବୈଠକ କରିବାକୁ କହିଥିଲା ବିଜେପି ସରକାର। କିନ୍ତୁ ଏପର୍ଯ୍ୟନ୍ତ ତାହା ହେଲାଣି। ଏହା ସରକାରଙ୍କ ଆନ୍ତରିକତାର ଅଭାବ ବୋଲି କହି ସମାଲୋଚନା କରିଛି ବ୍ୟବସାୟୀ ମହାସଂଘ।

ସେପଟେ ଦରଦାମ ନିୟନ୍ତ୍ରଣରେ ବିଫଳତା ଓ ସରକାରଙ୍କ ମିଛ ପ୍ରତିଶୃତିକୁ ନେଇ ବିଜେପି ଉପରେ ବର୍ଷିଛି ଓଡ଼ିଶା ବିକାଶ ପରିଷଦ। ରାଜ୍ୟର ସମଗ୍ରୀକ ବିକାଶକୁ ନେଇ ସରକାର ବେପରୁଆ ମନୋଭାବ ପୋଷଣ କରିଛନ୍ତି। ଡବଲ ଇଞ୍ଜିନ ସରକାର ସବୁ କଥାକୁ ହାଲକା ଭାବେ ନେଉଛନ୍ତି। ଯାହାର ଫଳ ଭୋଗୁଛି ରାଜ୍ୟ। ଆଗକୁ ଜନତା ଏହାର ଦୃଢ଼ ଜବାବ ଦେବେ ବୋଲି ଚେତାବନୀ ଦେଇଛି ସଙ୍ଗଠନ। ଏସବୁ ପରେ ବି ଯୋଗାଣ ମନ୍ତ୍ରୀଙ୍କ ଚିରାଚରିତ ଉତ୍ତର ସମନ୍ୱୟ ବୈଠକ ହୋଇନି, ଆଗକୁ ହେବ।

ଏବେ ଆଳୁ ଉତ୍ପାଦନ ସମୟ ହୋଇଥିବା ବେଳେ, ଅନ୍ୟ କିଛି ଅତ୍ୟାବଶ୍ୟକ ପନିପରିବା ଉତ୍ପାଦନ ହେଉଛି। ଯାହାର ଅଭାବୀ ବିକ୍ରି ମଧ୍ୟ ଚାଲିଛି। କିନ୍ତୁ ଏସବୁର ବ୍ୟାପକ ଉତ୍ପାଦନ କିମ୍ବା ସଂରକ୍ଷଣ ପାଇଁ କୌଣସି ଉଦ୍ୟମ ହେଉ ନାହିଁ। ଯେଉଁଥି ପାଇଁ ଚଳିତ ବର୍ଷ ମଧ୍ୟ ଆଳୁଠୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀର ସଙ୍କଟ ପୁଣିଥରେ ଦେଖାଦେବାର ସମ୍ଭାବନା ରହିଛି।

ଆକାଶରୁ ଖସୁଛି ବଜ୍ର, ୬ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ନନ୍ଦିଘୋଷ ବ୍ୟୁରୋ : ସାବଧାନ ! ଆକାଶରୁ ଖସୁଛି ବଜ୍ର । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପଡିବ ବଡ ପ୍ରଭାବ । ୨୪ ଘଣ୍ଟା ପର୍ଯ୍ୟନ୍ତ ୨୫ ଜିଲ୍ଲାକୁ ଆଲର୍ଟ । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ । ୮ ଜିଲ୍ଲାରୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଜ୍ରପାତ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

ଗାଙ୍ଗେଟି ଓ୍ବେଷ୍ଟବେଙ୍ଗଲରୁ ଓଡ଼ିଶା ମଧ୍ୟ ଦେଇ ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିବା ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ପାଗ ବଦଳିବା ସହ ବଜ୍ରପାତ ଜାରି ରହିଛି । ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବଜ୍ରପାତକୁ ଦୃଷ୍ଟିରେ ରଖି ଏସ୍ଆରସି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କାଲି ସକାଳ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଏବଂ ଯାଜପୁରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଘଡଘଡି ସହ କୁଆପଥର ବୃଷ୍ଟି ନେଇ ଚେତାବନୀ ଦିଆଯାଇଛି । ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ନେଇ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡା ଏବଂ ଦେବଗଡ଼କୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୨ ତାରିଖରେ ବାଲେଶ୍ବର, ଭଦ୍ରକ ଏବଂ ମୟୁରଭଞ୍ଜକୁ ବଜ୍ରପାତ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।