spot_img
Home Blog Page 126

ବୌଦ୍ଧରେ ପଥର ମାଫିଆଙ୍କ ରାଜ୍

ନନ୍ଦିଘୋଷ ବ୍ୟୁରୋ : ବୌଦ୍ଧରେ ପଥର ମାଫିଆଙ୍କ ରାଜ୍ । ଚାଲିଛି ବେଧଡ଼କ ପଥର ବ୍ଲାଷ୍ଟିଂ  । ଧୂଳିଧୂଆଁରେ ଆକ୍ତାମାକ୍ତ ଲୋକେ । ବାହାରକୁ ହେଉଛି ଟ୍ରିପ ଟ୍ରିପ ପଥର ଚୋରା ଚାଲାଣ । ନିଘୋଡ଼ ନିଦରେ ପ୍ରଶାସନ ।… ଖରଭୂଇଁ ଅଞ୍ଚଳର ବିଭିନ୍ନ ପଥର କୁଆଁରୀରେ ବିନା ଅନୁମତିରେ ବ୍ଲାଷ୍ଟିଂ ହେଉଥିବା ଅଭିଯୋଗ ହୋଇଛି । ରାତିରେ ପାହାଡ଼ ଫଟାଇ ଜେସିବି ସହାୟତାରେ ପଥର ଉଠାଉଛନ୍ତି ମାଫିଆ । ଯେଉଁଥିରେ ପରିବେଶ ନଷ୍ଟ ହେବା ସହ ସରକାର କୋଟିକୋଟି ଟଙ୍କାର ରାଜସ୍ଵ ହରାଉଥିବା ଅଭିଯୋଗ ହୋଇଛି ।…

ଖଣି ବିଭାଗର ସୂଚନା ଅନୁଯାୟୀ, ଆଶୀର୍ବାଦ କନଷ୍ଟ୍ରକ୍ସନକୁ ପଥର ସଂଗ୍ରହ ପାଇଁ ଅନୁମତି ମିଳିଛି । କିନ୍ତୁ ବ୍ଲାଷ୍ଟିଂ ପାଇଁ କୌଣସି ଅନୁମତି ଦିଆଯାଇନାହିଁ । କିଛିଦିନ ତଳେ ଏନଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ବିଭିନ୍ନ ସାମଗ୍ରୀ ଜବତ କରିଥିଲେ ମଧ୍ୟ ପୁଣି ବ୍ଲାଷ୍ଟିଂ ଚାଲୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି । ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧିକାରୀ ।…

ବିନା ଅନୁମତିରେ ପଥର ବ୍ଲାଷ୍ଟିଂ ଏବଂ ପଥର ଉତ୍ତୋଳନକୁ ନେଇ ବଢ଼ୁଛି ଚିନ୍ତା । ବେଆଇନ କାରବାର ଉପରେ କେବେ ଲାଗୁଛି ରୋକ ? କେବେ ଦୋଷୀଙ୍କ ବିରୋଧରେ ନିଆଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ? ତାହା ଦେଖିବାକୁ ବାକି ରହିଲା ।

ଗାଁକୁ ନାହିଁ ପକ୍କା ରାସ୍ତା

ନନ୍ଦିଘୋଷ ବ୍ୟୁରୋ : ଗାଁକୁ ନାହିଁ ପକ୍କା ରାସ୍ତା । ଆବଡ଼ାଖାବଡ଼ା ରାସ୍ତା ପାଲଟିଛି ଯୋଗାଯୋଗର ମାଧ୍ୟମ । ଭାରରେ ବୁହା ହେଉଛନ୍ତି ରୋଗୀ ଓ ଗର୍ଭବତୀ । ନିଦାବିଷ୍ଣୁ ପ୍ରଶାସନ ।… କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକ ରାଲେଗାଡା ପଞ୍ଚାୟତ ବଡାପାଡୁ ଗାଁକୁ ନାହିଁ ପକ୍କା ରାସ୍ତା । ଜରୁରୀ ସମୟରେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ସ୍ଥାନୀୟ ପ୍ରଶାସନକୁ ଜଣାଇ ସାରିଲେଣି, ହେଲେ ଫଳ ଶୂନ । ଖାଲି ମିଳୁଛି ଫମ୍ପା ପ୍ରତିଶୃତି ।…

ବଡାପାଡୁ ଗାଁକୁ ରାସ୍ତା ନଥିବାରୁ ପାହଡ଼ି ରାସ୍ତା ଦେଇ ଯାଆସ କରୁଛନ୍ତି ଲୋକେ । ବର୍ଷା ଦିନେ ସମସ୍ୟା ଦ୍ଵିଗୁଣିତ ହୋଇଯାଏ । ହେଲେ ପ୍ରଶାସନ ଦୃଷ୍ଟି ଦେଉନାହିଁ । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ସେପଟେ ଭିବିଜି ରାମଜିରେ ରାସ୍ତା କାମ କରିବାକୁ ରଖାଯାଇଛି । ଅନୁଦାନ ଆସିଲେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।…

କେବେ ବଡାପାଡୁ ଗାଁକୁ ହେଉଛି ରାସ୍ତା ନିର୍ମାଣ ? କେବେ ସୁବିଧାରେ ଯାଆସ କରୁଛନ୍ତି ଲୋକେ ? ତାହା ଦେଖିବାକୁ ବାକି ରହିଲା ।

ମାଲକାନଗିରିରେ ପୁଣି ଉପରମୁହାଁ ମ୍ୟାଲେରିଆ

ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରିରେ ପୁଣି ଉପରମୁହାଁ ମ୍ୟାଲେରିଆ …ଦିନକୁ ଦିନ ବଢୁଛି ସଂକ୍ରମଣ…ଜୁଲାଇ ମାସରେ ୨ ହଜାର ୮୧୬ ଜଣ ଆକ୍ରାନ୍ତ ଚିହ୍ନଟ … ୩ ଜଣଙ୍କ ମୃତ୍ୟୁ ଅଭିଯୋଗ… ସ୍ଥିତି ପରଖିବାକୁ ଜିଲ୍ଲାରେ ଡେରା ପକାଇଛନ୍ତି ରାଜ୍ୟସ୍ତରୀୟ ଟିମ୍…ଏଯାଏଁ ୪ ଲକ୍ଷ ୧୫ ହଜାର ମଶାରିବଣ୍ଟନ…ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ସରକାରଙ୍କ ପକ୍ଷରୁ ନିଆଯାଉଛି ଅନେକ କାର୍ଯ୍ୟକ୍ରମ …

୨୦୧୬ରେ ଜିଲ୍ଲାରେ ୪୦ ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ । ପରବର୍ତ୍ତୀ ବର୍ଷଗୁଡ଼ିକରେ ସଂକ୍ରମଣ କମିଥିଲା। ସରକାରୀ ପଦକ୍ଷେପକୁ ମିଳିଲା। ପ୍ରଶଂସା।ହେଲେ ୨୦୨୪ ପରଠାରୁ ପୁଣି ଉପରମୁହାଁ ସଂକ୍ରମଣ । ତାହେଲେ କେଉଁଠି ରହିଗଲା ନିୟନ୍ତ୍ରଣ?“ମାଲେରିଆ ନିୟନ୍ତ୍ରଣ ପାଇଁ ଆମେ ବିଭିନ୍ନ ପଦକ୍ଷେପ ନେଉଛୁ। ଲୋକଙ୍କୁ ସଚେତନ କରାଯାଉଛି। ରକୁ ନମୁନା ପରୀକ୍ଷା ମଧ୍ୟ ବଢ଼ାଯାଇଛି । ଆଗାମୀ ଦିନରେ ମ୍ୟାଲେରିଆକୁ ଶୂନ୍ଯ କରିବା ଦିଗରେ ପଦକ୍ଷେ ନିଆ ଯିବ।”ଅନ୍ୟପଟେ,

ମାଲକାନଗିରିର ଏହି ସ୍ଥିତି ଏବେ ରାଜ୍ୟସ୍ତରରେ ବି ଚିନ୍ତା ବଢ଼ାଇଛି । ଭୁବନେଶ୍ବରର ଖାରବେଳ ଭବନରେ ବସିଥିବା ରାଜ୍ୟସ୍ତରୀୟ ବୈଷୟିକ ଟାସ୍କଫୋର୍ସ ବୈଠକରେ ମାଲକାନଗିରିର ମ୍ୟାଲେରିଆ ସ୍ଥିତି ନେଇ ହୋଇଛି ବିଶେଷ ଆଲୋଚନା। ସ୍ଥିତି ପରଖୁବା ପାଇଁ ଅତିରିକ୍ତ ନିର୍ଦ୍ଦେଶକ ଭେକ୍ଟର ବୋର୍ନ ଡିଜିଜ୍‌ଙ୍କ ନେତୃତ୍ବରେ ଜିଲ୍ଲାକୁ ଆସିଛନ୍ତି ରାଜ୍ୟସ୍ତରୀୟ ଟିମ୍।

 

ଭୁଶୁଡିଲା ନିର୍ମାଣାଧୀନ ବହୁତଳ ବିଶିଷ୍ଟ କୋଠା

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ବହୁତଳ ମହଲା କୋଠା ଭୁଶୁଡ଼ିବା ଘଟଣାରେ ୭ ଜୀବନ ଯିବାର ଦିନକ ପରେ ରାଜଧାନୀର ଡେଲ୍‌ଟା ଛକ ନିକଟରେ ଆଉ ଏକ ବଡ଼ ଅଘଟଣ ଘଟିଛି। ଡେଲଟା ଛକ ନିକଟରେ ନିର୍ମାଣାଧୀନ ବହୁତଳ ବିଶିଷ୍ଟ କୋଠାର ବେସମେଣ୍ଟର ଛାତ ହଠାତ୍ ଭୁଶୁଡ଼ି ଯାଇଛି ।  ବେସମେଣ୍ଟ୍‌ରେ ରାତିରେ ଶ୍ରମିକମାନେ ଶୋଉଥିବାରୁ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଡେଲଟା ଛକ ନିକଟରେ ଏକ କମ୍ପାନୀ ପକ୍ଷରୁ ଲୁହା ଢାଞ୍ଚାରେ ବହୁତଳ ମହଲା ଅଟ୍ଟାଳିକା ନିର୍ମାଣ ହେଉଛି।

ଏହି ନିର୍ମାଣ କାର୍ଯ୍ୟରେ ପ୍ରତିଦିନ ଶତାଧିକ ଶ୍ରମିକ କାମ କରୁଛନ୍ତି ଓ ରାତିରେ ପ୍ରାୟ ୨୦ ରୁ ୩୦ ଜଣ ଶ୍ରମିକ ସେଠାରେ ରାତ୍ରୀଯାପନ କରନ୍ତି। ରବିବାର ରାତିରେ ଶ୍ରମିକମାନେ ଖାଇପିଇ ସାରି ବେସମେଣ୍ଟ୍‌କୁ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ୧୧ଟା ବେଳକୁ ହଠାତ୍ ବେସମେଣ୍ଟ୍‌ର ଛାତ ମଡ଼ମଡ଼ କରି ଭୁଶୁଡି ପଡ଼ିଥିଲା । ଛାତ ଭୁଶୁଡ଼ିବା ସମୟରେ ପ୍ରଚଣ୍ଡ ଶବ୍ଦ ହେବା ସହ ଆଖପାଖ ଅଞ୍ଚଳରେ ଭୂକମ୍ପ ଭଳି ଅନୁଭୂତ ହୋଇଥିଲା। ହଠାତ୍ ଛାତ ଭୁଶୁଡ଼ି ପଡ଼ିବାରୁ ସେଠାରେ କାମ କରୁଥିବା ଶ୍ରମିକମାନେ ଜୀବନ ବଞ୍ଚାଇବାକୁ ଦୌଡ଼ାଦୌଡ଼ି କରି ଘଟଣାସ୍ଥଳରୁ ବାହାରି ଆସିଥିଲେ । ପ୍ରଚଣ୍ଡ ଶବ୍ଦ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ମାତ୍ର ସିକ୍ୟୁରିଟି ବଳୟରେ ଥିବା ଯୋଗୁଁ ବାହାର ଲୋକମାନେ ସେଠାକୁ ଯାଇ ପାରି ନ ଥିଲେ ।….

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ

ନନ୍ଦିଘୋଷ ବ୍ୟୁରୋ : ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁମାନଙ୍କର କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଥିବା ବେଳେ ନୀତି ମଧ୍ୟ ସମାପନ କରାଯାଇଥିଲା। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ। ଭାଦ୍ରବ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଏହି ଦୁର୍ଲଭ ବେଶ ରେ ଶ୍ରୀବଳଭଦ୍ର ପ୍ରଳମ୍ବାସୁରକୁ ବଧ କରୁଥିବା ବେଶରେ ସଜ୍ଜିତ ହେବେ। ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କର ଏକ ହସ୍ତରେ ହଳ ଓ ଅନ୍ୟ ହାତରେ ମୂଷଳ ଶୋଭାପାଇଥାଏ |

ପ୍ରାୟ ୪ ଫୁଟ ଉଚ୍ଚତାର ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନସ୍ଥ ବଳଭଦ୍ର ଦେବଙ୍କ ନିମ୍ନ ଭାଗରେ ରଖାଯାଏ | ଅସୁରର ସ୍କନ୍ଧ ଏବଂ ଭୁଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ଯ  ବେଶରେ ସ୍ପଷ୍ଟ ହୁଏ | ଏହି ବେଶ ମଧ୍ୟାହ୍ନଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟାଧୂପ ସରିବାଯାଏଁ ରହିଥାଏ |ବିଶ୍ୱାସ ରହିଅଛି ଏହି ବେଶରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କଲେ ଅଶେଷ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ।

 

କନ୍ଧମାଳ ପୋଲିସ୍ ପକ୍ଷରୁ ଯୋର୍ ଧରିଲା ନିଶାମୁକ୍ତ ଓ ଅପରାଧ ମୁକ୍ତ କନ୍ଧମାଳ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ : କନ୍ଧମାଳ ପୋଲିସ୍ ପକ୍ଷରୁ ଯୋର୍ ଧରିଲା ନିଶାମୁକ୍ତ ଓ ଅପରାଧ ମୁକ୍ତ କନ୍ଧମାଳ ଅଭିଯାନ । ବାଲିଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଗଞ୍ଜେଇ ସହ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ୍ । ୩  ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪୨ କେଜି ଗଞ୍ଜେଇ ସହ ୨ ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ୍ । ଘଟଣାର ମୁଖ୍ୟ ଅଭିଯୁକ୍ତ ବାଲିଗୁଡ଼ା ଥାନା ତିଲପଡ଼ା ଗାଁର  ନିଳମ୍ବତ ମଲ୍ଲିକ ସମେତ ବୈାଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅଞ୍ଚଳର ବିରେନ୍ଦ୍ର ମଲ୍ଲିକ ଓ ରଞ୍ଜିତ୍ ଭୋଗକୁ ଗିରଫ କରାଯାଇଛି ।

ଏମାନେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପଥଚାରୀ ଓ ପର୍ଯ୍ୟଟକଙ୍କୁ ସୁନସାନ୍ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟ୍, ଛିନତାଇ କରିବା ସହ ଅନେକ ଚୋରି, ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।  ମାମଲା ରୁଜୁ କରି  ଅଧିକ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ…

 

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ସହର

ନନ୍ଦିଘୋଷ ବ୍ୟୁରୋ : ଆସୁଛି ଗଣେଶ ପୂଜା । ଆଦ୍ୟପୂଜ୍ୟଙ୍କ ଆରାଧନାରୁ ଆରମ୍ଭ ହେବ ପାର୍ବଣ ଋତୁ । ଏଥିପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ସହର । ବିଭିନ୍ନ ସ୍ଥାନରେ ଭଳିକି ଭଳି ଗଣେଶ ମୂର୍ତ୍ତି ନିର୍ମାଣ କରୁଛନ୍ତି କାରିଗର । ମାଟି, ପାଣି, କୁଣ୍ଡା, କପଡା, ପାଳ ଆଦି ମିଶ୍ରଣରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି  l ସରଗୁଲରେ ଗୋଟିଏ କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଦିନ ରାତି ଏକ କରି ମୂର୍ତ୍ତି ଗଢୁଛନ୍ତି । ଗ୍ରାହକଙ୍କ ଡିମାଣ୍ଡ ଅନୁସାରେ ମୂର୍ତ୍ତି ତିଆରି କରୁଥିବା କହିଛନ୍ତି ।…

ଏହି କୁମ୍ଭକାର ପରିବାର ଆଜକୁ ୩୫ ରୁ ୪୦ ବର୍ଷ ହେବ ମୂର୍ତ୍ତି ଗଢି ଆସୁଛନ୍ତି । ଶହେ ଟଙ୍କାରୁ ଆରମ୍ଭ କରି ୩୦ ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ତିଆରି କରୁଛନ୍ତି । ସହଯୋଗ କରୁଛନ୍ତି ଅନ୍ୟ ଶ୍ରମିକ । ଦିନକୁ ଦିନ ମାଟିର ଅଭାବ ସାଙ୍ଗକୁ ରଙ୍ଗ, ନଡା ଆଦି ସାମଗ୍ରୀର ମୂଲ୍ୟ ବୃଦ୍ଧି ହେଉଥିବାରୁ ଉଚିତ ପାରିଶ୍ରମିକ ମିଳୁନଥିବା କହିଛନ୍ତି କାରିଗର । ତଥାପି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ କରୁଛନ୍ତି ପ୍ରୟାସ ।…

ପୁରାତନ ଗାଥା ବଖାଣୁଛି ବାଲ୍ମୀକି ଗୁମ୍ଫା

ନନ୍ଦିଘୋଷ ବ୍ୟୁରୋ : ଐତିହ୍ୟ ତଥା ବିଶ୍ଵାସର ପ୍ରତୀକ । ପୁରାତନ ଗାଥା ବଖାଣୁଛି ବାଲ୍ମୀକି ଗୁମ୍ଫା । ତଥାପି ମିଳୁନି ପର୍ଯ୍ୟଟନସ୍ଥଳୀ ମାନ୍ୟତା । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାରୁଣାବନ୍ତ ପାହାଡ ଶୀର୍ଷରେ ରହିଛି ବାଲ୍ମୀକି ଗୁମ୍ଫା । ଯାହାକୁ ବାଜେଣି ଗୁମ୍ଫା ମଧ୍ୟ କୁହାଯାଏ । ଏହି ଗୁମ୍ଫାକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । କୁହାଯାଏ ଏଠାକୁ ମହର୍ଷି ବାଲ୍ମୀକି ଆସିଥିଲେ । ଏଠାରେ ରହି ତପସ୍ୟା ମଧ୍ୟ କରିଥିଲେ । ସେହି କିମ୍ବଦନ୍ତୀକୁ ନେଇ ଏଠାରେ ବାଲ୍ମିକୀ, ପ୍ରଭୁ ରାମଚନ୍ଦ୍ର, ଭ୍ରାତା ଲକ୍ଷ୍ମଣ ଓ ମାତା ସୀତାଙ୍କୁ କାହିଁ କେଉଁ କାଳରୁ ପୂଜାର୍ଚ୍ଚନା କରାଯାଉଛି ।…

ଗୁମ୍ଫାକୁ ଯିବାକୁ ହେଲେ ବହୁ ପାହାଚ ଚଢି ଯିବାକୁ ପଡ଼ିଥାଏ । ବିଭିନ୍ନ ସମୟରେ ଏଠାରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥାଏ । ବିଶେଷ କରି ବର୍ଷା ନ ହେଲେ ଏଠାକୁ ଆସି ପୂଜାର୍ଚ୍ଚନା କଲେ, ବର୍ଷା ହୋଇଥାଏ ବୋଲି ଭକ୍ତଙ୍କ ରହିଛି ବିଶ୍ୱାସ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଏଠାରେ ଯଜ୍ଞ, ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇ ଆସୁଛି । ହେଲେ ଗୁମ୍ଫାକୁ ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ । ଆଲୋକୀକରଣ ବ୍ୟବସ୍ଥା ବି ନାହିଁ । ଏହା ଉପରେ ସରକାର ଦୃଷ୍ଟି ଦେବା ସହ ଗୁମ୍ଫାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ପାଇଁ ସାଧାରଣରେ ଦାବି ହୋଇଛି ।…

ରାସ୍ତା ସାରା ମୃତ୍ୟୁର ଶିଡ଼ି

ନନ୍ଦିଘୋଷ ବ୍ୟୁରୋ : ଦୁର୍ଘଟଣା ଖୋଲିଦେଲା ରାସ୍ତା ଦୁର୍ନୀତିର ଗୁମର । ୪ ମାସ ଗଲାନି ୧୦ କୋଟି ଟଙ୍କାର ରାସ୍ତା । ମରଣଯନ୍ତା ପାଲଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର-ତାଳଚୁଆ ପୂର୍ତ୍ତ ବିଭାଗ ରାସ୍ତା । ଖୋଳା ଠାରୁ ରଗଡାପାଟିଆ ୪ କିମି ରାସ୍ତା ପାଇଁ ୨୦୨୨ ମସିହାରେ ୧୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । ଗତ ମାର୍ଚ୍ଚ ମାସରେ କାମ ଶେଷ ହୋଇଛି । ହେଲେ ଅଧିକାଂଶ ରାସ୍ତା କଡ଼ରେ ମାଟି କି ମୋରମ ପଡ଼ିନି । ଅନେକ ସ୍ଥାନରେ ରାସ୍ତା ଦବିବା ସହ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଗତ ମାସ ୯ ତାରିଖରେ ଏକ ତେଲ ବୋଝେଇ ଟ୍ୟାଙ୍କର ରାସ୍ତା ତଳକୁ ଓଲଟି ପଡ଼ିଥିଲା । ପିଚୁ ଦବି ଯିବାରୁ ଟ୍ୟାଙ୍କର ଓଲଟି ପଡ଼ିଥିବା କୁହାଯାଉଛି । ଏପରି ଭୟଙ୍କର ଘଟଣା ବାରମ୍ବାର ଘଟୁଛି ।…

ରାସ୍ତାଟି ବିଶ୍ୱ ପ୍ରସିଦ୍ଧ ଭିତରକନିକାକୁ ସଂଯୋଗ କରୁଛି । ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ଏହି ରାସ୍ତା ଦେଇ ଭିତରକନିକାକୁ ଯାଇଥାନ୍ତି । ମାତ୍ର ରାସ୍ତାର ଦୁରାବସ୍ଥା ପାଇଁ ଭିତରକନିକାକୁ ଆସିବାକୁ ପର୍ଯ୍ୟଟକ ଭୟ କଲେଣି । ରାସ୍ତା ନିର୍ମାଣ ସମୟରେ ରାସ୍ତା କଡ଼ରୁ ପଙ୍କ ମାଟି ଉଠାଇ କାର୍ଯ୍ୟ କରାଯାଇଥିଲା । ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିଲେ । ଯାହା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି । ସ୍ଥାନୀୟ ଲୋକେ ଘଟଣାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ନିମ୍ନମାନର କାମ ହୋଇଥିବା ସ୍ଵୀକାର କରିଛନ୍ତି ଜିଲ୍ଲାପାଳ ।…

ଗମନାଗମନ ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର କିଛି ଅସାଧୁ କର୍ମଚାରୀ ଓ ଠିକା ସଂସ୍ଥା ପାଇଁ ଦୀର୍ଘ ମିଆଦି ଯୋଜନା ଭୁଶୁଡ଼ି ପଡୁଛି । ସରକାର କେବେ ଘଟଣାର ତଦନ୍ତ କରୁଛନ୍ତି ? କେବେ ଦୋଷୀ ମାନଙ୍କ ବିରୋଧରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ? ତାହା ଦେଖିବାକୁ ବାକି ରହିଲା ।

ଭିଜିଲାନ୍ସ ଜାଲରେ ୨ ରାଜସ୍ବ ନିରୀକ୍ଷକ

ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ ୨ ରାଜସ୍ବ ନିରୀକ୍ଷକ। ଜମି ମ୍ୟୁଟେସନ କରିବାକୁ ୩୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ, ଭିଜିଲାନ୍ସ ହାତରେ ପଡ଼ିଛନ୍ତି ୨ ରାଜସ୍ବ ଅଧିକାରୀ। ପୁରୀ ଜିଲ୍ଲା ପିପିଲି ତହସିଲ ଅଧୀନ ଶୀଉଳା ଆରଆଇ ସର୍କଲରେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଭିଜିଲାନ୍ସ କବଜାରେ ପଡ଼ିଛନ୍ତି ରାଜସ୍ବ ନିରୀକ୍ଷକ କଲ୍ୟାଣୀ ଜେନା ଓ ARI ପୂର୍ଣ୍ଣଚନ୍ଦ୍ର ବେହେରା। କୃଷି ଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ ସହ ମ୍ୟୁଟେସନ୍ ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

ଟଙ୍କା ନଦେଲେ କାମ କରିବେ ନାହିଁ ବୋଲି କହିବା ପରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ପରେ ଯୋଜନା ଅନୁସାରେ ଆଜି ଟ୍ରାପ୍ କରିଥିଲା ଭିଜିଲାନ୍ସ ଟିମ୍। ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟ ଅଧିକାରୀଙ୍କୁ ଧରିଛି ଭିଜିଲାନ୍ସ। ଶୀଉଳା RI ସର୍କଲ କାର୍ଯ୍ୟାଳୟ ସହ ଦୁଇ ଅଧିକାରୀଙ୍କ ବ୍ରହ୍ମକୁଣ୍ଡି, ଅଚ୍ୟୁତପୁର ଏବଂ ଭୁବନେଶ୍ୱର ରସୁଲଗଡ଼ରେ ଥିବା ଘରେ ଏକକାଳୀନ ଚଢ଼ାଉ କରାଯାଇଛି।