spot_img
Home Blog Page 125

୯୦ ବର୍ଷୀୟ ସଲିମ୍ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲା: ବାପାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ହିନ୍ଦି ସିନେମା ଜଗତର ଜଣାଶୁଣା ଲେଖକ ସଲିମ ଖାନ ବର୍ତ୍ତମାନ ସମୟରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଆଡମିଟ୍ କରାଯାଇଛି । ସଲିମଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଖାନ ପରିବାର ବହୁତ ଚିନ୍ତିତ ରହିଛନ୍ତି । ଫ୍ୟାନ୍ସ ମଧ୍ୟ ଏହାକୁ ନେଇ ବେଶ୍ ଦୁଃଖିତ ରହିଥିବା ବେଳେ ସଲିମଙ୍କ ଆରୋଗ୍ୟ ନେଇ କାମନା କରିଛନ୍ତି । ସଲିମଙ୍କର କ’ଣ ହୋଇଛି ବୋଲି ସଭିଏଁ ପଚାରୁଛନ୍ତି । ତେବେ ସଲିମଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର ସାମ୍ନାକୁ ଆସିନାହିଁ ।

ଅନ୍ୟପକ୍ଷରରେ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଖବର ପାଇ ସଲମାନ ଖାନ ସଙ୍ଗେସଙ୍ଗେ ହସ୍ପିଟାଲରେ ପହଞ୍ଚିଛନ୍ତି । ହସ୍ପିଟାଲ ବାହାରୁ ସଲମାନଙ୍କ ଭିଡିଓ ସାମ୍ନାକୁ ଆସିଛି । ତାଙ୍କର ମୁହଁରେ ଦୁଃଖ ଓ ବିବ୍ରତର ସ୍ପଷ୍ଟ ଛବି ବାରି ହୋଇ ପଡ଼ୁଛି । ଅଲବୀରା ଖାନ ମଧ୍ୟ ପିତାଙ୍କୁ ଦେଖିବାକୁ ପହଞ୍ଚିଛନ୍ତି । ତେବେ ସଲିମ ଖାନ କୌଣସି ସାଧାରଣ ରୁଟିନ ଚେକଅପ୍ ପାଇଁ ହସ୍ପିଟାଲ ଯାଇଛନ୍ତି ନା କୌଣସି ଗମ୍ଭୀର ବିମାରୀ କାରଣରୁ ଯାଇଛନ୍ତି ? ଏନେଇ ପରିବାର ତରଫରୁ କିଛି କୁହାଯାଇ ନାହିଁ ।

OLA ସିଇଓ ଭାବିଶ ଅଗ୍ରଓ୍ବାଲଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ

ଓଲା ସିଇଓ ଭାବିଶ ଅଗ୍ରଓ୍ବାଲଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯାଇଛି । ଗୋଆରେ ଓଲା ବାଇକର ଜଣେ ମାଲିକଙ୍କ ଅଭିଯୋଗ ଆଧାରରେ ଗ୍ରାହକ ବିବାଦ ସମାଧାନ ଆୟୋଗ ଓଲା ଇଲେକଟ୍ରିକର ସିଇଓ ଭାବିଶଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି ।

ଦେଶର ପ୍ରମୁଖ ଇଲେକଟ୍ରିକ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ଓଲା ଇଲେକଟ୍ରିକର ମୁସ୍କିଲ କମ୍ ହେବାର ନାଁ ଧରୁନାହିଁ । ଏହା ପୂର୍ବରୁ ନିଜର ଇଲେକଟ୍ରିକ ସ୍କୁଟରରେ ନିଆଁ ଲାଗିବାକୁ ନେଇ କମ୍ପାନୀ ଚର୍ଚ୍ଚାରେ ରହିଥିବା ବେଳେ ଏବେ ସିଇଓଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯାଇଛି । ଗୋଆର ଉପଭୋକ୍ତ ବିବାଦ ନିବାରଣ ଆୟୋଗ ଓଲା ଇଲେକଟ୍ରିକ ସହ ଜଡ଼ିତ ଏକ ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଗିରଫଦାରୀ ଜାରି କରିଛନ୍ତି ।

ପ୍ରୀତିଶ ଚନ୍ଦ୍ରକାନ୍ତ ଘାଡ଼ୀ ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଦାଖଲ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ସେ କିଣିଥିବା ଇଲେକଟ୍ରିକ ବାଇକ ମରାମତି ପାଇଁ ଓଲାକୁ ଦେଇଥିଲେ । ମାତ୍ର ଏବେ ତା’ର କୌଣସି ଖୋଜଖବର ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବାଇକର ପୂରା ଦାମ୍ ସେ ପୂର୍ବରୁ ଓଲାକୁ ଦେଇ ସାରିଛନ୍ତି । ଏହା ପରେ ବି ୟୁଜରଙ୍କୁ ନା ବାଇକ୍ ମିଳୁଛି ନା କୌଣସି ସନ୍ତାଷଜନକ ଉତ୍ତର ।

ଖରାଦିନେ ସନସ୍କ୍ରିନ ଲଗାଇବା କାହିଁକି ଆବଶ୍ୟକ ?

ନନ୍ଦିଘୋଷ ବ୍ୟୁରୋ: ଫେବୃଆରୀ ମାସ ଚାଲିଛି, କିନ୍ତୁ ସୂର୍ଯ୍ୟଙ୍କ ଉତ୍ତାପ ସହିହେଉନି । କିଛି ସପ୍ତାହ ପୂର୍ବରୁ ଲୋକମାନେ ସୂର୍ଯ୍ୟକିରଣରେ ବସିବାକୁ ଭଲ ପାଉଥିବା ବେଳେ ଏବେ ଖରାରେ ଦେହ କଳା ପଡ଼ିଯାଉଛି । ଗ୍ରୀଷ୍ମ ଋତୁର ଆରମ୍ଭ ସହିତ, ପ୍ରବଳ ସୂର୍ଯ୍ୟକିରଣ ଏବଂ ବୃଦ୍ଧି ପାଉଥିବା ତାପମାତ୍ରା ଆମ ଚର୍ମ ଉପରେ ସିଧାସଳଖ ପ୍ରଭାବ ପକାଏ। ଡାକ୍ତରମାନେ ଗ୍ରୀଷ୍ମ ଋତୁରେ ସନସ୍କ୍ରିନ୍ ଲଗାଇବାକୁ ସମସ୍ତଙ୍କୁ ପରାମର୍ଶ ଦିଅନ୍ତି, ଯାହା ଦ୍ଵାରା ଚର୍ମ ସୁସ୍ଥ ରହିଥାଏ। ଅନେକ ଲୋକ ଭାବନ୍ତି ଯେ ସନସ୍କ୍ରିନ୍ କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲଗାଯାଏ, କିନ୍ତୁ ଏହା ଚର୍ମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସୂର୍ଯ୍ୟକିରଣରେ ଥିବା କ୍ଷତିକାରକ କିରଣ ଚର୍ମକୁ ଗଭୀର ଭାବରେ କ୍ଷତି ପହଞ୍ଚାଇଥାଏ । ଯଦି ସମୟ ମଧ୍ୟରେ ସତର୍କତା ଅବଲମ୍ବନ ନ କରାଯାଏ, ତେବେ ଟ୍ୟାନ୍, ଅକାଳ କୁଞ୍ଚନ ଏବଂ ଚର୍ମ କର୍କଟ ରୋଗର ଆଶଙ୍କା ବଢ଼ିପାରେ।

ସୂର୍ଯ୍ୟରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ୍ କିରଣ (UV କିରଣ) ଚର୍ମକୁ କ୍ଷତି ପହଞ୍ଚାଏ। UV କିରଣ ଚର୍ମର ଉପର ସ୍ତରକୁ କ୍ଷତି ପହଞ୍ଚାଇ ଚର୍ମକୁ ପୋଡିଦେଇଥାଏ ଯାହା ଫଳରେ ଅକାଳରେ ବାର୍ଦ୍ଧକ୍ୟ ହୁଏ। ସୁରକ୍ଷା ବିନା ଦୀର୍ଘ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟର ଆଲୋକରେ ରହିବା ଦ୍ୱାରା ଚର୍ମ କୋଷଗୁଡ଼ିକୁ ସ୍ଥାୟୀ କ୍ଷତି ହୋଇପାରେ। ଏହି କ୍ଷତି ଧୀରେ ଧୀରେ ହୁଏ ଏବଂ ପରେ ଗୁରୁତର ଚର୍ମ ରୋଗ ହୋଇପାରେ। ସନସ୍କ୍ରିନର ନିୟମିତ ବ୍ୟବହାର ଚର୍ମକୁ ଏହି କ୍ଷତିକାରକ ରଶ୍ମିରୁ ରକ୍ଷା କରିବାରେ ସାହାଯ୍ୟ କରେ। ସନସ୍କ୍ରିନରେ ଥିବା ଉପାଦାନଗୁଡ଼ିକ ଚର୍ମକୁ UV କିରଣ ପ୍ରବେଶ କରିବାକୁ ରୋକିଥାଏ ଏବଂ ଚର୍ମକୁ କ୍ଷତି ହେବାରୁ ରୋକିଥାଏ।

ସନସ୍କ୍ରିନ୍‌ରେ ଏକ ସୂର୍ଯ୍ୟ ସୁରକ୍ଷା କାରକ (SPF) ଥାଏ, ଯାହା ସୂଚାଇଥାଏ ଯେ ଏହା କେତେ ସମୟ ପାଇଁ ସୂର୍ଯ୍ୟ କିରଣରୁ ଚର୍ମକୁ ସୁରକ୍ଷା ଦେଇପାରିବ। ସାଧାରଣତଃ ଗ୍ରୀଷ୍ମ ଋତୁରେ ୩୦ କିମ୍ବା ତା’ଠାରୁ ଅଧିକ SPF ଥିବା ସନସ୍କ୍ରିନ୍ ବ୍ୟବହାର କରିବାକୁ ସୁପାରିଶ କରାଯାଏ। ବାହାରକୁ ଯିବାର ଅତି କମରେ ୧୫-୨୦ ମିନିଟ୍ ପୂର୍ବରୁ ଏହାକୁ ଲଗାଯିବା ଉଚିତ ଏବଂ ପ୍ରତି ୨-୩ ଘଣ୍ଟାରେ ଏହାକୁ ପୁନଃ ଲଗାଯିବା ଉଚିତ। ଅନେକ ଲୋକଙ୍କର ଭୁଲ ଧାରଣା ଅଛି ଯେ ସନସ୍କ୍ରିନ୍ କେବଳ ସୂର୍ଯ୍ୟକିରଣରେ ଲଗାଇବା ଉଚିତ, କିନ୍ତୁ ସତ୍ୟ ହେଉଛି ଯେ UV ରଶ୍ମି ଘର ଭିତରେ କିମ୍ବା ମେଘୁଆ ଦିନରେ ମଧ୍ୟ ଚର୍ମରେ ପହଞ୍ଚିପାରେ। ସୂର୍ଯ୍ୟ ବିଶେଷ ଭାବରେ ସକାଳ ୧୦ ରୁ ଅପରାହ୍ନ ୪ଟା ମଧ୍ୟରେ ପ୍ରବଳ ଥାଏ, ତେଣୁ ଏହି ସମୟରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଉଚିତ । ପିଲା, ବୟସ୍କ ଏବଂ ସମ୍ବେଦନଶୀଳ ଚର୍ମ ଥିବା ଲୋକମାନେ ନିଶ୍ଚିତ ଭାବରେ ସନସ୍କ୍ରିନ୍ ଲଗାଇବା ଉଚିତ। ସନସ୍କ୍ରିନ୍ କେବଳ ଚର୍ମକୁ ସୁସ୍ଥ ରଖେ ନାହିଁ ବରଂ ଭବିଷ୍ୟତରେ ଗମ୍ଭୀର ଚର୍ମ ରୋଗକୁ ମଧ୍ୟ ରୋକିଥାଏ। ସୁସ୍ଥ ଚର୍ମ ବଜାୟ ରଖିବା ପାଇଁ କେବଳ ସନସ୍କ୍ରିନ୍ ଲଗାଇବା ଯଥେଷ୍ଟ ନୁହେଁ। ସୂର୍ଯ୍ୟ ସୁରକ୍ଷା ପାଇଁ ଟୋପି, ଛତା, ସନଗ୍ଲାସ୍ ଏବଂ ଲମ୍ବା ହାତର ପୋଷାକ ପିନ୍ଧିବା ମଧ୍ୟ ଅତ୍ୟନ୍ତ ଜରୁରୀ। ପର୍ଯ୍ୟାପ୍ତ ପାଣି ପିଇବା ଚର୍ମକୁ ହାଇଡ୍ରେଟେଡ୍ ରଖିବା ସହ ଚର୍ମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ସନ୍ତୁଳିତ ଖାଦ୍ୟ ଚର୍ମକୁ ଭିତରୁ ମଜବୁତ କରିବାରେ ସାହାଯ୍ୟ କରେ।

କାମ ଦେଲାନି ଡଲାର କୂଟନୀତି ; ଟ୍ରମ୍ପଙ୍କ ନିକଟତର ହେବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କାକୁ ହ୍ରାସ କଲା ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ସହିତ ମିତ୍ରତା କରିବା ପରେ, ପାକିସ୍ତାନ ଏବେ ଟ୍ରମ୍ପଙ୍କ ନିକଟତର ହେବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କାକୁ ହ୍ରାସ କରିଛି। ପାକିସ୍ତାନ ତା’ର ଲବିଂ କାର୍ଯ୍ୟକଳାପ ହ୍ରାସ କରିଛି ଏବଂ ଅନେକ ବଡ଼ ଲବିଂ ଫାର୍ମ ସହିତ ସମ୍ପର୍କ ଛିନ୍ନ କରିଛି । ରିପୋର୍ଟ ଅନୁଯାୟୀ ୨୦୨୫ ମସିହାରେ ପାକିସ୍ତାନ ଆମେରିକା ପ୍ରଶାସନରେ ନିଜର ଛାପ ଛାଡିବା ପାଇଁ ରେକର୍ଡ ପରିମାଣର ଟଙ୍କା ଖର୍ଚ୍ଚ କରିଥିଲା, କିନ୍ତୁ ଏବେ ସେ ତା’ର ଖର୍ଚ୍ଚରେ ଏକ ବଡ଼ ହ୍ରାସ କରିଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ ଅପରେସନ୍ ସିନ୍ଦୁର ପରେ ପାକିସ୍ତାନର ଅବସ୍ଥା ଶୋଚନୀୟ ଥିଲେ ମଧ୍ୟ ଲବିଂ ପାଇଁ ଟଙ୍କା ଯୋଗାଡ କରୁଥିଲା ଟ୍ରମ୍ପଙ୍କ ନିକଟତର ହେବାକୁ ଏବଂ ଭାରତକୁ କ୍ଷତି ପହଞ୍ଚାଇବାକୁ ।

ରିପୋର୍ଟ ଅନୁଯାୟୀ ୨୦୨୫ ମସିହାରେ ପାକିସ୍ତାନର ଲବିଂ ଖର୍ଚ୍ଚ ପ୍ରତି ମାସରେ ପ୍ରାୟ ୬୦୦,୦୦୦ ଡଲାରକୁ ବୃଦ୍ଧି ପାଇଛି। ଏହା ସାମ୍ପ୍ରତିକ ଦଶନ୍ଧି ମଧ୍ୟରେ ପାକିସ୍ତାନ ଦ୍ୱାରା ଖର୍ଚ୍ଚ ହୋଇଥିବା ସର୍ବାଧିକ ପରିମାଣ ଥିଲା। ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ମେ ମାସରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ, ଅପରେସନ ସିନ୍ଦୁର ପରେ ଏହି ବୃଦ୍ଧି ଦେଖାଯାଇଥିଲା। ସେହି ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା ଯାହାଫଳରେ ପାକିସ୍ତାନ ୱାଶିଂଟନରେ ଚାପୁଲୁସି ଆରମ୍ଭ କରିଥିଲା । ଏହି ଲବିଂର ଫଳସ୍ୱରୂପ ମୁନିର ହ୍ୱାଇଟ୍ ହାଉସରେ ହଲାଲା ଭୋଜି ଉପଭୋଗ କରୁଥିଲେ। ତେବେ ପାକିସ୍ତାନର ହଠାତ କ’ଣ ହୋଇଛି ଯେ ସେ ଭାରତ ଅପେକ୍ଷା ଅଧିକ ଖର୍ଚ୍ଚ ହ୍ରାସ କରିଛି ?

ପାକିସ୍ତାନ କଣ ଆମେରିକା ଉପରୁ ନିଜର ବିଶ୍ୱାସ ହରାଇଛି ?

ଏବେ ପାକିସ୍ତାନ ଜାଭେଲିନ୍ ଆଡଭାଇଜର୍ସ, ସିଡେନ୍ ଲ, ଅର୍କିଡ୍ ଆଡଭାଇଜର୍ସ, ସ୍କ୍ୱାୟାର ପାଟନ୍ ବଗ୍ସ ଏବଂ କନସାଇନ୍ସ ପଏଣ୍ଟ କନସଲ୍ଟିଂ ଭଳି ପାଞ୍ଚଟି ପ୍ରମୁଖ ଲବିଂ ଫାର୍ମ ସହିତ ତା’ର ଚୁକ୍ତିନାମା ସମାପ୍ତ କରିଛି । ଆମେରିକାର ନ୍ୟାୟ ବିଭାଗରେ ଦାଖଲ ହୋଇଥିବା ଦଲିଲ ଅନୁଯାୟୀ ଏହି ଫାର୍ମଗୁଡ଼ିକୁ ସାମୂହିକ ଭାବରେ ପ୍ରତି ମାସରେ ପ୍ରାୟ ୪୫୦,୦୦୦ ଦରମା ଦିଆଯାଉଥିଲା। ସେମାନଙ୍କର କାମ ଥିଲା ହ୍ୱାଇଟ୍ ହାଉସ୍, ଆମେରିକାର କଂଗ୍ରେସ ଏବଂ ବିଦେଶ ବିଭାଗ ଭଳି ପ୍ରତିଷ୍ଠାନ ସହିତ ସମ୍ପର୍କ ସ୍ଥାପନ କରିବା ଏବଂ ପାକିସ୍ତାନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା।

ଜାଭେଲିନ୍ ଆଡଭାଇଜର୍ସ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡିତ କିଥ୍ ସ୍କିଲର ଏବଂ ଜର୍ଜ ସୋରିଆଲ୍ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ଏହି ଫାର୍ମକୁ ପାକିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତିନାମା ଉପରେ ପରାମର୍ଶ ଦେବା ଏବଂ ଆମେରିକୀୟ ଆଇନ ପ୍ରଣୋଦକ ଏବଂ ଅଧିକାରୀଙ୍କ ସହିତ ବୈଠକ ଆୟୋଜନ କରିବା ଦାୟିତ୍ୱ ଦିଆଯାଇଥିଲା। ଏହି ଚୁକ୍ତିନାମା ଅକ୍ଟୋବର ୨୦୨୫ରେ ଶେଷ ହେଉଛି । ସେହିପରି ରବର୍ଟ ସିଡେନଙ୍କ ଦ୍ୱାରା ପ୍ରତିଷ୍ଠିତ ସିଡେନ ଲ’ର ମାସିକ $୨୦୦.୦୦୦ ଚୁକ୍ତିନାମା ମଧ୍ୟ ଅକ୍ଟୋବର ୨୦୨୫ରେ ଶେଷ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଲବିଂ ଖର୍ଚ୍ଚ ଏବେ ପ୍ରତି ମାସରେ ପ୍ରାୟ $୧୭୫,୦୦୦କୁ ହ୍ରାସ ପାଇଛି, ଯାହା ଭାରତର ଆନୁମାନିକ $୨୦୦,୦୦୦ ପ୍ରତି ମାସ ଅପେକ୍ଷା କମ୍। ବର୍ତ୍ତମାନ ପାକିସ୍ତାନ କେବଳ ଦୁଇଟି ଫାର୍ମ ସହିତ କାମ କରୁଛି: Qorvis LLC ଏବଂ Ervin Graves Strategy Group ।

ଅନେକ ବିଶେଷଜ୍ଞଙ୍କ ମତରେ ଲବିଂ କ୍ଷଣସ୍ଥାୟୀ ଲାଭ ଦେଇପାରେ କିନ୍ତୁ ଆମେରିକା ଏବେ ବି ଭାରତକୁ ଏକ ପ୍ରମୁଖ ରଣନୈତିକ ଅଂଶୀଦାର ବୋଲି ବିବେଚନା କରେ। ଏହା ବ୍ୟତୀତ ଭାରତ ସହିତ ଆମେରିକାର ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତି ପାକିସ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଆଣିଛି। ମୁନିର ଏବଂ ଶାହବାଜଙ୍କ ଚାପଶାଳୀତା ଏବଂ ପରବର୍ତ୍ତୀ ସମୟରେ ଦାରିଦ୍ର୍ୟ ଉପରେ ଏତେ ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ, ଭାରତର ଶୁଳ୍କ ୧୮% ଏବଂ ପାକିସ୍ତାନର ୧୯% ରେ ରହିଥିଲା, ଯାହା ଫଳରେ ନିଜ ଦେଶ ମଧ୍ୟରେ ବ୍ୟାପକ ସମାଲୋଚନା ହୋଇଥିଲା। ଏହି କାରଣରୁ ପାକିସ୍ତାନ ଆଉ ଲବିଂରେ ତା’ର ଟଙ୍କା ନଷ୍ଟ କରିବାକୁ ଚାହୁଁନାହିଁ।

 

ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ : ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ

ଭୁବନେଶ୍ବର : ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ଯାଏଁ ଚାଲିବ ଅଧିବେଶନ । ଗାର୍ଡଅଫ ଅନର ପରେ ପ୍ରଥମ ଦିନରେ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ରାଜ୍ଯପାଳ ଡ. ହରିବାବୁ କମ୍ଭମପାଟୀ । ଦିବଂଗତ ଓ ସହିଦ ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଜ୍ୟପାଳ । ବିକଶିତ ଭାରତ ପାଇଁ ଓଡ଼ିଶା ଗ୍ରୋଥ ଇଞ୍ଜିନ ହେବ ବୋଲି କହିଛନ୍ତି ରାଜ୍ୟପାଳ । ୨୦୩୬ରେ ଓଡ଼ିଶା ଗଠନକୁ ଶହେବର୍ଷ ପୂରିବ । ସମୃଦ୍ଧ ଓଡ଼ିଶା ପାଇଁ ସରକାର ପ୍ରତିଶୃତିବଦ୍ଧ । ତ୍ୟାଗ ଓ ଆତ୍ମବିଶ୍ବାସର ଭିତ୍ତି ଉପରେ ଦୃଢ଼ଭାବେ ଦଣ୍ଡାୟମାନ ଆଜିର ଓଡ଼ିଶା । ୨୦୩୬ ଏପ୍ରିଲ ୧ରେ ଆମ ସମ୍ମୁଖରେ ଏକ ସତ୍ୟନିଷ୍ଠ ପ୍ରତିଜ୍ଞା ଭଳି ଦଣ୍ଡାୟମାନ । ଏହାକୁ ଦୃଷ୍ଟିରେ ରଖି ଏକ ବିସ୍ତୃତ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ଡକ୍ୟୁମେଣ୍ଟକୁ ପ୍ରଧାନମନ୍ତ୍ରୀ ୨୦ ଜୁନ ୨୦୨୫ରେ ଉନ୍ମୋଚନ କରିଥିଲେ ।

୨୦୩୬ ସୁଦ୍ଧା ଓଡ଼ିଶାକୁ ୫ଶହ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ରାଜଧାନୀ ରାସ୍ତାର କରାଯାଉଛି ଆଧୁନିକୀ କରଣ । ଯାତାୟାତ ଭିଡ଼, ଆଞ୍ଚଳିକ ସଂଯୋଗୀକରଣକୁ ଗୁରୁତ୍ବ ଦିଆଯାଇଛି । ଜୟଦେବବିହାର- ନନ୍ଦନକାନ ରାସ୍ତା ଫ୍ଲାଏଓଭର ହେବ । ରିଂରୋଡକୁ କରାଯାଇଛି ଅନୁମୋଦନ। ସେମିକଣ୍ଡକ୍ଟରରେ ଅଧିକ ନିଯୁକ୍ତ ସୃଷ୍ଟି ହେବ । ଓଡ଼ିଶାରେ ଦୁଇଟି ଅତ୍ୟାଧୁନିକ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନକୁ ଅନୁମୋଦନ କରାଯାଇଛି । ୨୪୪୭ ସୁଦ୍ଧା ମୁଣ୍ଡପିଛା ଆୟ ୩୨ ଲକ୍ଷକୁ ବୃଦ୍ଧି ଲକ୍ଷ୍ୟ ରହିଛି ।

ବହୁମୁଖୀ ଦାରଦ୍ର୍ୟକୁ ୫ ପ୍ରତିଶତକୁ କମାଇବା ଉପରେ ଗୁରୁତ୍ବ ଦିଆଯାଇଛି । ମହିଳା ଶ୍ରମଶକ୍ତି ଅଂଶଗ୍ରହଣକୁ ୭୦ ପ୍ରତିଶତ ବୃଦ୍ଧି ଲକ୍ଷ୍ୟ ରହିଛି । ରାମେଶ୍ବର-ପାରଦୀପ ଉପକୂଳ ରାଜପଥକୁ ଅନୁମୋଦନ । ବଢୁଛି ଲଘୁ ଖଣିଜ ସମ୍ପଦର ରାଜସ୍ବ ଆୟ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆସିଛି ସଂସ୍କାର । ସମସ୍ତ ପ୍ରାଇମେରୀ ସ୍କୁଲରେ ଖୋଲାଯାଇଛି ଶିଶୁ ବାଟିକା । ଆବର୍ଜନା ମୁକ୍ତ ଓଡ଼ିଶା ଦୃଷ୍ଟିକୋଣକୁ ତ୍ବରାନ୍ବିତ କରାଯାଇଛି ।

ପୁଣି ସାମ୍ନାକୁ ଆସିଲା SCB ମେଡ଼ିକାଲ ଅବ୍ୟବସ୍ଥାର ଚିତ୍ର ; ନିଘୋଡ଼ ନିଦରେ କର୍ମଚାରୀ, ଉଠାଉ ନାହାନ୍ତି ଫୋନ୍

କଟକ : ପୁଣି ସାମ୍ନାକୁ ଆସିଲା SCB ମେଡ଼ିକାଲରେ ଅବ୍ୟବସ୍ଥାର ଚିତ୍ର । ବ୍ୟାଟେରି ଗାଡ଼ି ନିୟନ୍ତ୍ରଣ କକ୍ଷର ଭିଡିଓ ଭାଇରାଲ୍ । ନିଘୋଡ଼ ନିଦରେ ଶୋଇ ଫୋନ୍ ଉଠାଉ ନାହାନ୍ତି ଦାୟିତ୍ଵରେ ଥିବା କର୍ମଚାରୀ । ଏସସିବି ବ୍ୟାଟେରି ଗାଡ଼ି ପାଇଁ ଖୋଲିଥିବା ନିୟନ୍ତ୍ରଣ କକ୍ଷର ଏକ ଭିଡିଓ ଭାଇରାଲ୍ ହୋଇଛି । କକ୍ଷର ଦାୟିତ୍ବରେ ଥିବା କର୍ମଚାରୀ ଶୋଇଥିବା ବେଳେ ଲ୍ୟାଣ୍ଡ ଫୋନ୍ ରିଙ୍ଗ ହେଉଛି । ଯେଉଁ ରୋଗୀଙ୍କ ଆଟେଣ୍ଡାଣ୍ଟମାନେ ବ୍ୟାଟେରି ଗାଡ଼ି ପାଇଁ ଲ୍ୟାଣ୍ଡ ଫୋନ୍ ନମ୍ବରରେ ଫୋନ୍ କରୁଛନ୍ତି ସେମାନଙ୍କ କଲକୁ ଏହି ନିୟନ୍ତ୍ରଣ କକ୍ଷରେ ରିସିଭ୍ କରାଯାଉନାହିଁ ।

ଏଭଳି ଅବ୍ୟବସ୍ଥା ଚିତ୍ର ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଉଦବେଗ ପ୍ରକାଶ ପାଇଛି। ନିକଟରେ ମେଡିସିନ୍ ବିଭାଗ ଆଇସିୟୁରେ ରୋଗୀ ବେଡରୁ ପଡ଼ିବା ଘଟଣାରେ ସାରା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଦାୟିତ୍ଵରେ ଥିବା ଆଇସିୟୁ ଇନଚାର୍ଜ ଓ ନର୍ସଙ୍କୁ ବଦଳି କରାଯାଇଥିଲା ।

ନକଲି ମାଓ ପୋଷ୍ଟରର ଖୋଲିଲା ଗୁମର ; ଧରାପଡ଼ିଲେ ସାମ୍ବାଦିକ

ରାୟଗଡା : ନକଲି ମାଓ ପୋଷ୍ଟର ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିଥିବା ଘଟଣାରେ ରାୟଗଡ଼ା ପୋଲିସ ରବିବାର ୱେବ ସାମ୍ବାଦିକ ରଞ୍ଜୁ ଓରଫ୍ ଅନୁବ୍ରତ ବାରା ଓ ବଳି ମାଝି ଗିରଫ । ମାମଲାରେ ସେମାନଙ୍କ ଆଉ ଦୁଇଜଣ ସାଥୀ ବିଷମକଟକ ଥାନା ଅର୍ନ୍ତଗତ ସୀମାଂଚଳ କୁଟ୍ରୁକା ଏବଂ ଆପନା ମାଣ୍ଡାଙ୍ଗିକୁ ମଧ୍ଯ ଗିରଫ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସ୍ୱାଥି ଏସ.କୁମାର । ଶୁକ୍ରବାର ସକାଳେ ରାୟଗଡ଼ା ସହର ନିକଟବର୍ତ୍ତି ଶେଷଖାଲ ଥାନା ଅର୍ନ୍ତଗତ ଧୁମାଗୁଡ଼ା, ଚାନ୍ଦିଲି ଥାନା ଅର୍ନ୍ତଗତ ପାଇକପଡ଼ା ଏବଂ କଲ୍ୟାଣସିଂହପୁର ଥାନା ଅର୍ନ୍ତଗତ କୁମ୍ଭାରଗୁଡ଼ା ଛକ ନିକଟରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା ।

ଉକ୍ତ ମାଓ ପୋଷ୍ଟର ଜବତ ପରେ ରାୟଗଡ଼ା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ସାମ୍ବାଦିକ ଅନୁବ୍ରତ ବାରା ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇବା ପରେ ରବିବାର ତାଙ୍କୁ ଓ ବଳି ମାଝୀଙ୍କୁ ଗିରଫ କରିଥିଲା । ଛତିଶଗଡ଼ ରାଜ୍ୟର କିଛି ହାର୍ଡ଼କୋର ମାଓବାଦୀ ଆତ୍ମସମର୍ପଣ ଦର୍ଶାଇବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରିଥିଲେ ୱବ ସାମ୍ବାଦିକ ଅନୁବ୍ରତ ବାରା । ବର୍ତ୍ତମାନ ନକଲି ମାଓବାଦୀ ନାମରେ ମୋଟ ୪ ଜଣ ଗିରଫ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ରାୟଗଡା ଏସପି କହିଛନ୍ତି ।

ବିଧାନସଭା ଆରମ୍ଭରୁ ପୂର୍ବରୁ ଚାଷୀଙ୍କ ହଲ୍ଲାବୋଲ ; ଧାନ ଢ଼ାଳି ପ୍ରତିବାଦ ଉଦ୍ୟମ ବେଳେ ଉଠାଇ ନେଲା ପୋଲିସ

ଭୁବନେଶ୍ବର : ବିଧାନସଭା ଆରମ୍ଭରୁ ପୂର୍ବରୁ ଚାଷୀଙ୍କ ହଲ୍ଲାବୋଲ । ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ନବନିର୍ମାଣ କୃଷକ ଓ ଯୁବଛାତ୍ର ସଂଗଠନର ଆନ୍ଦୋଳନ । ଧାନ ଢ଼ାଳି ପ୍ରତିବାଦ କରିବାକୁ ଉଦ୍ୟମ ବେଳେ ଉଠାଇ ନେଲା ପୋଲିସ । ରାଜ୍ୟରେ ଧାନ ଚୋରି ହେଉଥିବା ଅଭିଯୋଗ ଆଣି ଗର୍ଜିଲା ନବନିର୍ମାଣ କୃଷକ ଓ ଯୁବ ଛାତ୍ର ସଂଗଠନ । ପ୍ରତି ଚାଷୀଙ୍କୁ କୁଇଣ୍ଟାଲ ପିଛା ୬ ରୁ ୧୨ କେଜି ଧାନ କଟନିଛଟନି କରାଯାଉଛି । ଗୋଟିଏ ଗୋଟିଏ ଜ଼ିଲ୍ଲାରୁ ୪୦ ରୁ ୫୦ କୋଟି ଟଙ୍କାର ଧାନ ଚୋରି କରୁଛନ୍ତି ସରକାର ।

ସରକାର ପ୍ରକୃତରେ ଲୋକଙ୍କ ସରକାର ନୁହଁ ବରଂ ପୁଞ୍ଜିପତିଙ୍କ ସରକାର ବୋଲି ଅଭିଯୋଗ କରିଛି ନବ ନିର୍ମାଣ କୃଷକ ସଂଗଠନ । ଧାନ ଚୋରି ବନ୍ଦ ନ ହେଲେ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ନବନିର୍ମାଣ କୃଷକ ଓ ଯୁବ ଛାତ୍ର ସଂଗଠନ ।

ରାଜଧାନୀ ଭୁବନେଶ୍ବରରେ ଘନ କୁହୁଡ଼ି ; ଯାତାୟାତ ପ୍ରଭାବିତ

ଭୁବନେଶ୍ବର : ରାଜ୍ୟରେ ଏବେ ମିଶ୍ରିତ ପାଣିପାଗ ଦୃଶ୍ୟମାନ ହେଉଛି । ରାତିରେ ଥଣ୍ଡା ସାଙ୍ଗକୁ ଭୋର ସମୟରେ ଘନ କୁହୁଡ଼ିରେ ଆଚ୍ଛାଦିତ ହେଉଛି ବିଭିନ୍ନ ଅଞ୍ଚଳ । ଏହାସହ ଦିନବେଳା ଖରା ମଧ୍ଯ ଟାଣ ହେଉଥିବାରୁ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରୁଛି । ବର୍ତ୍ତମାନ ଉତ୍ତର ଆଭ୍ଯନ୍ତରୀଣ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ କମ ରହିଛି ।ଏଥିପାଇଁ ଥଣ୍ଡା ଜାରି ରହିଛି ।

ଆଜି ରାଜଧାନୀ ଭୁବନେଶ୍ବରରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ। ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଶୂନ ରହିଛି । ରାସ୍ତାଘାଟ ଦିଶୁନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି।ପଶ୍ଚିମ ଓଡ଼ିଶାରେ ରାତି ତାପମାତ୍ରା ୧୫ ଡିଗ୍ରୀ ସହ ଫୁଲବାଣୀ ଓ ରାଉରକେଲାରେ ୧୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୩, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୪ ଡିଗ୍ରୀ ରହିପାରେ। କିନ୍ତୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୮ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ  ।

ଆଜି ଶପଥ ନେବେ ବିଏନପି ନେତା ତାରିକ ରହେମାନ ; ମୋଦୀ କରିବେନି ଅଂଶଗ୍ରହଣ

ନନ୍ଦିଘୋଷ ବ୍ୟୁରୋ: ଆଜି ଏକାଦଶତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବିଏନପି ନେତା ତାରିକ ରହେମାନ। ଶପଥ ଗ୍ରହଣ ଉତ୍ସବ ସହ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବେ ତାରିକ । ଏହି ଉତ୍ସବ ବାଂଲାଦେଶ ସଂସଦ ଭବନର ସଦର୍ଣ୍ଣ ପ୍ଲାଜାରେ ଅନୁଷ୍ଠିତ ହେବ। ଦକ୍ଷିଣ ଏସିଆର ବହୁ ରାଷ୍ଟ୍ରର ନେତାଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରାଯାଇଛି। ପ୍ରଥମେ ନବନିର୍ବାଚିତ ସାଂସଦମାନେ ଶପଥ ନେବେ । ପରେ ପ୍ରଧାନମନ୍ତ୍ରୀ ଭାବେ ତାରିକ ଶପଥ ନେବେ । ତାରିକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ। କୂଟନୈତିକ ସଦଭାବ କ୍ରମେ ଅନ୍ତରୀଶ ଶାସକ ପ୍ରଫେସର ମହମ୍ମଦ ୟୁନୁସ ନିଜ ପକ୍ଷରୁ ୧୩ ରାଷ୍ଟ୍ରର ମୁଖ୍ୟଙ୍କୁ କରିଛନ୍ତି ଅନୁରୋଧ ।

ସେହି ରାଷ୍ଟ୍ର ମଧ୍ୟରେ ରହିଛନ୍ତି ଭାରତ, ଚୀନ, ସାଉଦିଆରବ, ପାକିସ୍ତାନ, ତୁର୍କୀ, ୟୁଏଇ, କତାର, ବ୍ରୁନେଇ, ମାଲେସିଆ, ଶ୍ରୀଲଙ୍କା, ନେପାଳ, ମାଳଦ୍ବୀପ, ଭୁଟ୍ଟାନ। ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରାଯାଇଛି ଆମନ୍ତ୍ରଣ। ତେବେ ଉତ୍ସବରେ ମୋଦୀ ସାମିଲ ହେବେ ନାହିଁ । ମୋଦୀଙ୍କ ବଦଳରେ ଉତ୍ସବରେ ସାମିଲ ହେବେ ଲୋକସଭା ବାଚସ୍ପତି ଓମ ବିରଲା। ପାକିସ୍ତାନ ପକ୍ଷରୁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଯୋଗ ଦେବା ସମ୍ଭାବନା ରହିଛି। ବାପା ଜିଆଉର ରହେମାନଙ୍କ ଦ୍ବାରା ପ୍ରତିଷ୍ଠିତ ବିଏନପି ଏବେ ଦେଶର ନେବ ନେତୃତ୍ବ। ଦୀର୍ଘ ୧୭ ବର୍ଷ ପରେ ନିର୍ବାସନରେ ରହି ସ୍ବଦେଶ ଫେରିଥିବା ପୁଅ ତାରିକ ରହେମାନ ହେବେ ପ୍ରଧାନମନ୍ତ୍ରୀ। ନିର୍ବାଚନରେ ତାଙ୍କ ଦଳ ପ୍ରାୟ ୬୦ ପ୍ରତିଶତ ଭୋଟ ହାସଲ କରିଥିଲା।