spot_img
Home Blog Page 1257

ବଲାଙ୍ଗୀର ଜିଲ୍ଲା ବୁଢିପଦର ଗାଁରେ ବ୍ୟାପୁଛି କିଡନୀ ରୋଗ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ବୁଢିପଦର ଗାଁରେ ବ୍ୟାପୁଛି କିଡନୀ ରୋଗ । କିଛି ବର୍ଷ ମଧ୍ୟରେ ୧୦ରୁ ଅଧିକ ଲୋକଙ୍କ କିଡନୀ ରୋଗରେ ମୃତ୍ୟୁ ଘଟିଲାଣି । ବର୍ତ୍ତମାନ ୨୦ ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦୂଷିତ ନଳକୂପ ପାଣି ଯୋଗୁଁ ରୋଗ ବ୍ୟାପୁଥିବା ନେଇ ସନ୍ଦେହ କରୁଛନ୍ତି ଲୋକେ । ଅଭିଯୋଗ କଲେ ମଧ୍ୟ ସ୍ଵାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସାବଧାନ! କାୟା ମେଲାଉଛି କିଡନୀ ରୋଗ । ଅକାଳରେ ଚାଲିଯାଉଛି ନିରୀହ ଜୀବନ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ବୁଢିପଦର ଗାଁରେ ବ୍ଯାପୁଛି କିଡନୀ ରୋଗ । କିଛି ବର୍ଷ ମଧ୍ଯରେ ୧୦ରୁ ଉର୍ଦ୍ଧ୍ଵ ଲୋକଙ୍କ କିଡନୀ ରୋଗରେ ମୃତ୍ଯୁ ଘଟିଲାଣି । ବର୍ତ୍ତମାନ ୨୦ ରୁ ଅଧିକ  ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏକାଧିକ ରୋଗୀଙ୍କ ଡାଇଲେସିସ ମଧ୍ଯ ଚାଲିଛି । ହେଲେ କିଛି ଲୋକ ଏହି ବ୍ଯୟବହୁଳ ରୋଗର ଚିକିତ୍ସା କରିନପାରି ଚେରିମୂଳି ଖାଉଛନ୍ତି । ସବୁଠୁ ବଡ କଥା ହେଲା ଲୋକେ ଏହି ରୋଗର କାରଣ ଜାଣିପାରୁନଥିବା ବେଳେ ଦୂଷିତ ନଳକୂପ ପାଣି ପିଇ ରୋଗ ବ୍ଯାପୁଥିବା ସନ୍ଦେହ କରୁଛନ୍ତି ।

ବୁଢିପଦର ଗାଁରେ ବ୍ୟାପୁଥିବା କିଡନୀ ସମସ୍ଯାର କାରଣ ଖୋଜିବା ଦିଗରେ ପଦକ୍ଷେପ ନେବାକୁ ଅନେକ ଥର ସ୍ଵାସ୍ଥ୍ଯ ବିଭାଗକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଗାଁରେ ଥିବା ନଳକୂପରୁ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଥିବାରୁ ଏହି ପାଣି ପିଇ ରୋଗ ବଢୁଥିବା ନେଇ ଆଶଙ୍କା କରୁଛନ୍ତି ଗ୍ରାମବାସୀ । ତେବେ ଏଠାକାର ପାଣି ପରୀକ୍ଷା କଲେ ପ୍ରକୃତ ତଥ୍ୟ ଜଣାପଡିବ । ତେବେ ଜିଲ୍ଲା ପ୍ରଶାସନ ଏହି ସମସ୍ଯା ସଂପର୍କରେ ଦୃଷ୍ଟି ଦେଇ ଗାଁରେ ମେଡିକାଲ କ୍ଯାମ୍ପ କରି ଚିକିତ୍ସା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ବଲାଙ୍ଗୀର ଜିଲ୍ଲାର ଅନେକ ଗାଁରେ ଏବେ କିଡନୀ ରୋଗ ବ୍ଯାପୁଥିବା ଦେଖିବାକୁ ମିଳିଛି । ସ୍ଵାସ୍ଥ୍ଯ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହାର ନିରାକରଣ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ନଚେତ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି ।

ମେଡିକାଲ ସାଇନ୍ସର ଚମତ୍କାର! ୧୦ ବର୍ଷ ତଳେ ଦୁଇ ହାତ ହରାଇଥିଲେ ମହିଳା, ଏବେ ଶରୀରରେ ଲାଗିଲା ୭୬ ବର୍ଷୀୟା ବୃଦ୍ଧାଙ୍କ ଦୁଇ ହାତ

ନୂଆାଦିଲ୍ଲୀ: ଆଜିରସମୟରେ ମେଡିକାଲ ସାଇନ୍ସ ଅସମ୍ଭବକୁ ସମ୍ଭବ କରିପାରୁଛି । ହାତ, ଗୋଡ଼ ସମେତ ଶରୀରର ବିଭିନ୍ନ ଅଙ୍ଗ ପ୍ରତିରୋପଣ ଅନେକ ଲୋକଙ୍କୁ ନୂଆ ଜୀବନ ଦେଉଛି । ଏହା ମଧ୍ୟରେ ଜଣେ ମହିଳାଙ୍କ ଶରୀରରେ ଜଣେ ବୃଦ୍ଧଙ୍କ ଦୁଇ ହାତ ପ୍ରତିରୋପଣ କରାଯାଇଛି । ହରିୟାଣାର ଫରିଦାବାଦ ସ୍ଥିତ ଅମୃତା ହସ୍ପିଟାଲର ଡାକ୍ତରମାନେ ଏକ ବଡ଼ ଚମତ୍କାର କରିଛନ୍ତି । ୧୨ ଘଣ୍ଟାର ଜଟିଳ ସଜର୍ରୀ ମାଧ୍ୟମରେ ଜଣେ ୩୮ ବର୍ଷୀୟା ମହିଳାଙ୍କ ଶରୀରରେ ୭୬ ବର୍ଷୀୟା ବୃଦ୍ଧାଙ୍କ ଦୁଇ ହାତ ପ୍ରତିରୋପଣ ସମ୍ଭବ ହୋଇ ପାରିଛି । ଜୀବନରେ ଦୁଇ ହାତ ପୁଣି ଫେରି ପାଇବେ ବୋଲି ସ୍ବପ୍ନରେ ବି ଭାବି ନଥିଲେ ବୋଲି ଦୁଇ ହାତ ପାଇବା ପରେ ମହିଳା ଜଣଙ୍କ କହିଛନ୍ତି ।

ଖବର ମୁତାବକ, ଏମ୍ସ ଋଷିକେଶର ୩୮ ବର୍ଷୀୟା ପିଏଚଡି ସ୍କଲାର ଟ୍ବିଙ୍କଲ ଡୋଗରା ପାଖାପାଖି ୧୦ ବର୍ଷ ତଳେ କରେଣ୍ଟ କାରଣରୁ ନିଜର ଦୁଇ ହାତ ହରାଇଥିଲେ । ଦୀର୍ଘ ବର୍ଷ ପରେ ଏବେ ମହିଳା ଜଣଙ୍କ ନୂଆ ଜୀବନ ପାଇଛନ୍ତି । ୭୬ ବର୍ଷୀୟା ମହିଳା ଡୋନର କେବଳ ଦୁଇ ହାତ ଅଙ୍ଗଦାନ କରିନାହାନ୍ତି, ୫ ଜଣ ଲୋକଙ୍କୁ ମଧ୍ୟ ନୂଆ ଜୀବନ ଦେଇଛନ୍ତି । ଏହି ଅବସରରେ ଡାକ୍ତରମାନେ ଡବଲ-ହ୍ୟାଣ୍ଡ ଟ୍ରାନ୍ସପ୍ଲାଣ୍ଟ ବ୍ୟତୀତ କିଡନୀ, କାର୍ଣ୍ଣିୟଲ, ଲଙ୍ଗ ଟ୍ରାନ୍ସପ୍ଲାଣ୍ଟ ସହିତ ପାଞ୍ଚଟି ଜଟିଳ ପ୍ରକ୍ରିୟାରେ ସଫଳ ହୋଇଥିଲେ । ଏହି ଐତିହାସିକ ସଜର୍ରୀ ପରେ ଅମୃତା ହସ୍ପିଟାଲ ଉତ୍ତର ଭାରତରେ ଡବଲ-ହ୍ୟାଣ୍ଡ ଟ୍ରାନ୍ସପ୍ଲାଣ୍ଟ କରିବାରେ ପ୍ରଥମ ହସ୍ପିଟାଲ ହୋଇପାରିଛି । ଜଣେ ସେନା ଅଧିକାରୀଙ୍କ ପତ୍ନୀଙ୍କ ଅଙ୍ଗଦାନ କାରଣରୁ ଏହା ସମ୍ଭବ ହୋଇପାରିଛି । ମହିଳାଙ୍କର ମୃତ୍ୟୁ ବ୍ରେନ ହେମରେଜ କାରଣରୁ ହୋଇଥିବା ବେଳେ ଏବେ ସେ ୫ ଜଣ ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି । ଏହି ସର୍ଜରୀ କରି ଡାକ୍ତରମାନେ ଇତିହାସ ରଚିଛନ୍ତି । ୭୬ ବର୍ଷୀୟା ମହିଳା ଏହି ଅଙ୍ଗଦାନ କରି ଅନ୍ୟ ବୃଦ୍ଧବୃଦ୍ଧାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ପରୀକ୍ଷା ଦେଇ ଫେରୁଥିବାବେଳେ ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷାର୍ଥୀ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ନାବାଳକ ପରୀକ୍ଷାର୍ଥୀଙ୍କ ପାଇଁ ବାଇକ ଚଳାଇବା ହେଲା କାଳ । ମାଟ୍ରିକ ପରୀକ୍ଷା ଦେଇ ବାଇକରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ।  ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷାର୍ଥୀ ଗୁରୁତର । ଗୁରୁତର ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗୁରୁତର ପରୀକ୍ଷାର୍ଥୀ ଚିଲିକା ବ୍ଲକ ନଈରୀ ଗାଁର ୧୬ ବର୍ଷୀୟ ସୋମନାଥ ବେହେରା । ସୋମନାଥ ନଈରୀ ଗାଁ ସ୍ଥିତ ଅପର୍ତ୍ତି ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଅଟନ୍ତି । ନଈରୀ ସ୍କୁଲ ପିଲାଙ୍କର ମାଟ୍ରିକ ପରୀକ୍ଷା କେନ୍ଦ୍ର ହରିପୁର ହାଇସ୍କୁଲରେ ପଡ଼ିଥିଲା । ହରିପୁରରେ ପରୀକ୍ଷା ଦେଇ ବାଇକ ଚଳାଇ ଘରକୁ ଫେରୁଥିବା ବେଳେ ନଈରୀ ନିକଟରେ ତାଙ୍କ ବାଇକ ଦୁର୍ଘଟଣା ହୋଇଥିଲା । ଫଳରେ ସୋମନାଥଙ୍କର ହାତ ଦୁଇ ଖଣ୍ଡ ହୋଇଯାଇଛି । ଏହା ସହ ଶରୀରର ବିଭନ୍ନ ଅଂଶ କ୍ଷତିଗ୍ରସ୍ତ ହୋଇଛି ।

ଧନଶ୍ରୀଙ୍କୁ କଣ ୬୦ କୋଟି ଦେଲେ କି ଚହଲ ? ଜାଣନ୍ତୁ ପ୍ରକୃତ ସତ..

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଖେଳାଳି ୟୁଜବେନ୍ଦ୍ର ଚହଲ ଏବଂ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ମାମଲା ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହିଛି । ତେବେ କୁହାଯାଉଛି କି, ଭରଣପୋଷଣ ପାଇଁ ଚହଲ ଧନଶ୍ରୀଙ୍କୁ ୬୦ କୋଟି ଟଙ୍କା ଦେଇଛନ୍ତି । ତେବେ ଏହି ଖବରରେ କେତେ ସତ୍ୟତା ରହିଛି । ତେବେ କହି ରଖୁଛୁ କି, ସେମାନଙ୍କ ଛାଡପତ୍ରର ଚୂଡ଼ାନ୍ତ ଶୁଣାଣି ଗୁରୁବାର, ୨୦ ଫେବୃଆରୀରେ ବାନ୍ଦ୍ରା ପରିବାର କୋର୍ଟରେ ହୋଇଥିଲା। ଏହି ସମୟରେ ଦୁହେଁ ସେଠାରେ ଉପସ୍ଥିତ ଥିଲେ। ଏହା ପରେ ହିଁ ଖବର ଆସିଥିଲା ​​ଯେ ଚହଲ ଧନଶ୍ରୀଙ୍କୁ ଭରଣପୋଷଣ ଭାବରେ ୬୦ କୋଟି ଟଙ୍କା ଦେଇଛନ୍ତି। ତଥାପି, ଏହା ସତ୍ୟ ନୁହେଁ।

ଧନଶ୍ରୀଙ୍କ ଓକିଲ କହିଛନ୍ତି ଯେ ଭରଣପୋଷଣ ରାଶି ଭୁଲ। ‘ବମ୍ବେ ଟାଇମ୍ସ’ ସହିତ କଥାବାର୍ତ୍ତାରେ ଧନଶ୍ରୀଙ୍କ ଓକିଲ କହିଛନ୍ତି ଯେ ୬୦ କୋଟି ଟଙ୍କାର ଭରଣପୋଷଣ ରାଶିର ଖବର ମିଥ୍ୟା। ଗଣମାଧ୍ୟମରେ ଭୁଲ ରିପୋର୍ଟ ଦିଆଯାଉଛି। ସେମାନଙ୍କୁ ପ୍ରଥମେ ଏକ ସତ୍ୟ ଯାଞ୍ଚ କରିବା ଉଚିତ ଥିଲା। ସେ କହିଥିଲେ, “ଏହି ମାମଲା ଏବେ ବି କୋର୍ଟରେ ଅଛି। ଗଣମାଧ୍ୟମ ପ୍ରଥମେ ଏକ ତଥ୍ୟ ଯାଞ୍ଚ କରିବା ଉଚିତ।”

ଆପଣଙ୍କୁ କହିରଖୁଛୁ ଯେ ଯେବେଠାରୁ ୬୦ କୋଟି ଟଙ୍କାର ଭରଣପୋଷଣ ରାଶିର ଖବର ଆସିଛି, ସେବେଠାରୁ ଧନଶ୍ରୀଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ୍ କରାଯାଉଛି। ଲୋକମାନେ ତାଙ୍କୁ ସ୍ୱାର୍ଥପର ଏବଂ ସୁଯୋଗବାଦୀ ବୋଲି ମଧ୍ୟ କହୁଛନ୍ତି। ଅନେକ ପ୍ରଶଂସକ ତାଙ୍କୁ ଲୋଭୀ ବୋଲି କହୁଛନ୍ତି। ତଥାପି, ତାଙ୍କ ଓକିଲ ଏହି ଖବରକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛନ୍ତି।

 

କାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା -୨୦୨୫

ନନ୍ଦିଘୋଷ ବ୍ୟୁରୋ: କାଲିଠାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା -୨୦୨୫ । ରାଜ୍ୟ ସରକାର ପ୍ରଥମ ଥର ପାଇଁ ଏହି ମେଳାର ଆୟୋଜନ କରୁଛନ୍ତି । ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଳା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳାରେ ରାଜ୍ୟର ବିଭିନ୍ନ ପ୍ରନ୍ତରରୁ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠିର ପ୍ରାୟ ୭ଶହ ଗ୍ରୁପ୍ ମହିଳା ଯୋଗଦେବେ। ୩୦୦ ଟି ଷ୍ଟଲରେ ଗୋଷ୍ଠି ଦ୍ବାରା ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନୀ ସମେତ ବିକ୍ରି କରାଯିବ। ଏହି ନଅ ଦିନିଆ ଭବ୍ୟ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଏବଂ ଅର୍ଗାନିକ୍ ଉତ୍ପାଦ ପ୍ରଦର୍ଶିତ ହେବ, ଯାହା ଦର୍ଶକମାନଙ୍କୁ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗିତା ଦେଖିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହାସହ ମେଳାରେ ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା, ମିଷ୍ଟାନ୍ନ ଏବଂମିଲେଟ୍-ଭିଭିକ ବ୍ୟଞ୍ଜନ ପର୍ଯ୍ୟନ୍ତ, ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହେବ। ଏହାସହ ବିଭିନ୍ନ ସାମଗ୍ରୀ ଉତ୍ପାଦନର ଲାଇଭ ଡେମୋ ଦେଖିପାରିବେ ସାଧାରଣ ଲୋକେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୁଭଦ୍ରା ଶକ୍ତି ମେଳାକୁ ଉଦ୍ଘାଟନ କରିବାର କାର୍ଯକ୍ରମ ରହିଛି। ମେଳାକୁ ଆସୁଥିବା ସମସ୍ତ ମହିଳା ଗୋଷ୍ଠିଙ୍କୁ ବିଭାଗ ପକ୍ଷରୁ ମାଗଣାରେ ଷ୍ଟଲ ଯୋଗାଇ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜଧାନୀରେ ଗର୍ଜିଲେ ଉଜ୍ଵଳା ଦିଦି

ନନ୍ଦିଘୋଷ ବ୍ୟୁରୋ: ସ୍ଥାୟୀ ନିଯୁକ୍ତି ସହ ମାସିକ ୧୫ ହଜାର ଟଙ୍କା ପାରିଶ୍ରମିକ ତଥା ଅନ୍ୟାନ୍ୟ ୭ ଦଫା ଦାବି ନେଇ ଓଡ଼ିଶା ଉଜ୍ଵଳା ଦିଦି ସଂଘ ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଉଜ୍ଵଲା ଯୋଜନାକୁ ଗ୍ରାମାଞ୍ଚଳରେ ପ୍ରତ୍ୟେକ ପଞ୍ଚାୟତରେ ଜଣେ ବା ଦୁଇଜଣ ରହି କାମ କରୁଛନ୍ତି। ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ରାଜ୍ୟର ୧୦ ହଜାରରୁ ଉର୍ଧ୍ଵ ଉଜ୍ଵଲା ଦିଦିଙ୍କୁ ବିଜେପି ନିର୍ବାଚନ ପୂର୍ବରୁ ସ୍ଥାୟୀ ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଇଥିଲା। ବିଜେପି ସରକାରକୁ ଆସିବା କ୍ଷଣି ସ୍ଥାୟୀ ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଇଥିଲା। ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା। କିନ୍ତୁ ସରକାରକୁ ଆସିବା ପରେ ବାରମ୍ବାର ଆନ୍ଦୋଳନ ପରେ ମଧ୍ୟ ଦାବି ପୂରଣ ନ କରି ସରକାର ଏହି ଦିଦି ମାନଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଡବଲ ଇଞ୍ଜିନର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ଆନ୍ଦୋଳନରତ ଉଜ୍ଵଳା ଦିଦି ମାନେ କହିଛନ୍ତି। ତୁରନ୍ତ ବିଜେପି ଯେଉଁ କଥା ଦେଇଛି ତାହା ପୂରଣ କରୁ ନଚେତ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାଇ ଦେଇଛି ସଂଘ।

ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବଜ୍ରପାତ ବର୍ଷା। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଏବଂ କୁଆପଥର ବୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ପ୍ରଚଣ୍ଡ ବଜ୍ରପାତ ସହ ପ୍ରବଳ ବର୍ଷା ଏବଂ କୁଆପଥର ବୃଷ୍ଟି ନେଇ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କତା ଜାରି କରାଯାଇଛି। ସେହିଭଳି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ନୟାଗଡ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି।

ଏହି ସବୁ ଜିଲ୍ଲାରେ ୩୦ ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବା ସହ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୨୩ ତାରିଖରେ ବଜ୍ରପାତ ନେଇ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶ ଠାରୁ ଓଡ଼ିଶା ମଧ୍ୟ ଦେଇ ଏକ ନିମ୍ନଚାପରେଖା ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବଜ୍ରପାତ ଜାରି ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ବର୍ଷା ପ୍ରଭାବରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇ ନଥିବା ବେଳେ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ମଧ୍ୟରେ ରହୁଛି। ଗତ ୨୪ ଘଣ୍ଟାରେ କଟକ ଆଠଗଡରେ ସର୍ବାଧିକ ୪୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କେନ୍ଦୁଝର ଘଷିପୁରାରେ ୪୧.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଗତ ରାତିରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଅନୁଭୂତ ହୋଇଛି।

ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ସମାରୋହର ପ୍ରସ୍ତୁତି ସମ୍ପର୍କରେ ବିଜେଡିର ସାମ୍ବାଦିକ ସମ୍ମିଳନୀ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ। ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବ୍ଯାପକ କାର୍ଯ୍ୟକ୍ରମ ଆୟୋଜନ ହେବ। ଶଙ୍ଖ ଭବନରେ କାର୍ଯ୍ୟକ୍ରମ ଆୟୋଜନ ସହ କ୍ଷେତ୍ରୀୟ ସ୍ତରରେ କାର୍ଯ୍ୟକ୍ରମ ହେବ। ପ୍ରତି ନିର୍ବାଚନମଣ୍ଡଳି, ବ୍ଲକ ଓ ପୌରାଞ୍ଚଳ ସ୍ତରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଜୁବାବୁଙ୍କ ନୀତି ଆଦର୍ଶକୁ ନେଇ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଜେଡିର ବିଭିନ୍ନ ଛାମୁଆ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ବିଜେଡିର ନେତୃବୃନ୍ଦ, ନିର୍ବାଚିତ ପ୍ରତିନିଧି ତଥା ଦଳର ଛାମୁଆ ସଂଗଠନ ବିଜୁ ଜୟନ୍ତୀ ସଭା ତଥା ଆଲୋଚନାଚକ୍ର କରିବେ। ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପଡୁଥିବାରୁ ଏହି ଅବସରରେ ମଧ୍ୟ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆନ୍ତର୍ଜାତିକ ମହିଳା ଦିବସକୁ ବଡ଼ ଆକାରରେ ପାଳନ କରିବ ବିଜେଡି। ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଭିନ୍ନ ନିର୍ବାଚନମଣ୍ଡଳୀ, ବ୍ଲକ, ପୋରାଞ୍ଚଳସ୍ତରରେ ପାଳନ କରାଯିବ।

ମହିଳାଙ୍କୁ ସଶକ୍ତ କରିବା ଦିଗରେ ବିଜେଡି ସରକାର ନେଇଥିବା ପଦକ୍ଷେପ ଓ ମହିଳା ବିକାଶ ଓ ବିଜେଡିର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ହେବ। ଏଥିପାଇଁ ଶଙ୍ଖ ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମାର୍ଚ୍ଚ ୮ ରେ ଶଙ୍ଖ ଭବନରେ ମହିଳା ଦିବସ କାର୍ଯ୍ୟକ୍ରମ ହେବ। ବିଜୁବାବୁ ମହିଳାଙ୍କ ସମ୍ମାନ କଥା କହିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାଙ୍କୁ ଶୀର୍ଷରେ ପହଞ୍ଚାଇଛନ୍ତି। ସେମାନଙ୍କୁ ଆର୍ଥିକ ସମୃଦ୍ଧି ସହ ମାନସିକ ସମୃଦ୍ଧି ପାଇଁ ଅନେକ କାର୍ଯ୍ୟ କରାଯାଇଛି। ଏହି ଦିନ ଗର୍ବ ଓ ଗୌରବର ଦିନ। ମହିଳାଙ୍କ ଆର୍ଥିକ,ମାନସିକ ଓ ସାମାଜିକ ସୁଦୃଢ ଲାଗି ବିଜେଡି ଆଗକୁ କଣ କାର୍ଯ୍ୟ କରିବ ସେ ନେଇ ଆଲୋଚନା ହେବ।ବିଜେଡି ଯାହା କରିଥିଲା ତାହା କିଭଳି ଆଗକୁ ନିଆଯିବ ସେ ନେଇ ଯୋଜନା ପ୍ରସ୍ତୁତ ହେବ। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ ଉଦ୍ୟୋଗୀ, ଲେଖିକା ତଥା ବିଭିନ୍ନ ବର୍ଗର ପ୍ରତିଷ୍ଠିତ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯିବ।ମହିଳାମାନେ ଯେଭଳି ସଶକ୍ତ ହେଉଥିଲେ ମିଶନ ଶକ୍ତି ମାଧ୍ୟମରେ ଆଜିକାଲି କଣ ହେଉଛି ସେ ସମ୍ପର୍କରେ ଆଲୋଚନା ହେବ। ମହିଳା ମାନେ ନିଜର ଅଧିକାର ସମ୍ପର୍କରେ ଜାଣିବେ ଓ ସସକ୍ତ ହେବେ।

ଉଦିତଙ୍କ ସହ ରହିବାକୁ ଚାହୁଁଛନ୍ତି ପ୍ରଥମ ପତ୍ନୀ: ବିବାହ ପରେ ପତ୍ନୀର ଅଧିକାରରୁ ବଞ୍ଚିତ ହୋଇଥିବା ନେଇ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଥରେ ବଲିଉଡର ଲୋକପ୍ରିୟ ପ୍ଲେବ୍ୟାକ ସିଙ୍ଗର ଉଦିତ ନାରାୟଣ ବିବାଦ ଘେରକୁ ଆସିଛନ୍ତି । ନିକଟରେ ଜଣେ ଯୁବତୀଙ୍କୁ କିସ କରି ବିବାଦ ଘେରକୁ ଟାଣି ହୋଇଥିବା ୬୯ ବର୍ଷୀୟ ଗାୟକ ପୁଣି ଥରେ ପାରିବାରିକ ସମସ୍ୟାରେ ଛନ୍ଦି ହୋଇଯାଇଛନ୍ତି । ଉଦିତଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କର ପ୍ରଥମ ପତ୍ନୀ । ଉଦିତଙ୍କ ସହ ରହିବାକୁ ତାଙ୍କର ପ୍ରଥମ ପତ୍ନୀ ଚାହୁଁଛନ୍ତି । ବିବାହ ପରେ ଉଦିତ ତାଙ୍କୁ ପତ୍ନୀର ମାନ୍ୟତା ପ୍ରଦାନ କରିଥିଲେ ଓ ଅଧିକାରରୁ ବଞ୍ଚିତ କରିଥିଲେ । ବୟସ ଓ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏବେ ପ୍ରଥମ ପତ୍ନୀ ସିଙ୍ଗରଙ୍କ ସହ ରହିବାକୁ  ଇଚ୍ଛା ପ୍ରକାଶ କରିଛନ୍ତି ।

ଖବର ମୁତାବକ, ସିଙ୍ଗର ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀ ରଞ୍ଜନା ନାରାୟଣ ଝା ନିଜର ପତିଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବିବାହ ପରେ ଉଦିତ ତାଙ୍କୁ ପତ୍ନୀର ଅଧିକାରରୁ ବଞ୍ଚିତ କରିଥିବା ରଞ୍ଜନା ଅଭିଯୋଗ କରିଛନ୍ତି । ଆଜି ଉଦିତ ସୁପୌଲ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ୨୦୨୨ରେ ଉଦିତଙ୍କ ପ୍ରଥମ ପତ୍ନୀ ରଞ୍ଜନା ଦାମ୍ପତ୍ୟ ପୁନଃସ୍ଥାପନାର ମକଦ୍ଦମା ଦାୟର କରିଥିଲେ । ସିଙ୍ଗର ଅନେକ ଥର କୋର୍ଟରେ ହାଜର ହୋଇନଥିଲେ । ତେଣୁ କୋର୍ଟ ଉଦିତଙ୍କ ଉପରେ ଜରିମାନା ଲାଗୁ କରିଥିଲେ । ଗତ ଜାନୁଆରୀ ୨୫ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ଫ୍ୟାମିଲି କୋର୍ଟର ମୁଖ୍ୟ ବିଚାରପତି ଶେଷ ସୁଯୋଗ ଦେଇଥିଲେ । ବୟସ ଓ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ରଞ୍ଜନା ପତି ଉଦିତଙ୍କ ସହ ରହିବାକୁ ଚାହାନ୍ତି ବୋଲି ରଞ୍ଜନାଙ୍କ ଓକିଲ କହିଥିଲେ । ଯେତେବେଳେ ମୁମ୍ବାଇରେ ସେ ଉଦିତଙ୍କୁ ଦେଖା କରିବାକୁ ଯାଆନ୍ତି, ସେତେବେଳେ ତାଙ୍କ ପଛରେ ଗୁଣ୍ଡାଙ୍କୁ ଲଗାଇ ଦିଆଯାଏ ବୋଲି ରଞ୍ଜନା ଅଭିଯୋଗ କରିଛନ୍ତି । ତେବେ ବୁଝାମଣା କରିବାକୁ ଉଦିତ ଅଗ୍ରାହ୍ୟ କରିବା ସହ କେସ ଲଢ଼ିବେ ବୋଲି କହିଥିବା ରଞ୍ଜନା କହିଛନ୍ତି । ଏହି ମାମଲାରେ ଉଦିତ ପ୍ରତିକ୍ରିୟା ଦେଇ ନାହାନ୍ତି ।

ରଞ୍ଜା ଉଦିତଙ୍କର ପ୍ରଥମ ପତ୍ନୀ ବୋଲି ଗତ ୨୦୦୬ରେ ରଞ୍ଜନା ଦାବି କରିଥିଲେ । ପ୍ରଥମେ ଉଦିତ ଏହାକୁ ମିଥ୍ୟା ବୋଲି କହିଥିଲେ ହେଁ ପରେ ରଞ୍ଜନାଙ୍କୁ ପ୍ରଥମ ପତ୍ନୀ ବୋଲି ଗ୍ରହଣ କରିବା ସହ ଜରୁରୀ ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଉକ୍ତ ବିବାଦ ଏବେ ନୂଆ ମୋଡ଼ ନେଇଛି । ଉଦିତଙ୍କ ଦ୍ବିତୀୟ ପତ୍ନୀଙ୍କ ନାମ ଦୀପା ଗହତରାଜ । ପ୍ରଥମ ପତ୍ନୀ ଥାଇ ଉଦିତଙ୍କର ଆଫେୟାର ରହିଥିଲା ଓ ୧୯୮୫ରେ ସେ ଦ୍ବିତୀୟ ବିବାହ କରିଥିଲେ । ଦ୍ବିତୀୟ ବିବାହ ପରେ ଉଦିତଙ୍କର ପୁତ୍ର ଆଦିତ୍ୟ ନାରାୟଣ ଜନ୍ମ ନେଇଥିଲେ ।

’ଫାଇଭ-ଟି ସ୍କୁଲ ଯୋଗୁଁ ରାଜ୍ୟରେ ଡ୍ରପ ଆଉଟ ହାର କମିଛି’

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଫାଇଭ-ଟିକୁ ପ୍ରଶଂସା। ଫାଇଭ-ଟି ସ୍କୁଲ ଯୋଗୁଁ ରାଜ୍ୟରେ ଡ୍ରପ ଆଉଟ ହାର କମିଛି । ବିଧାନସଭା ଶୂନ୍ୟକାଳରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୨୦୨୦-୨୧ରେ ୨୧ ଲକ୍ଷ ୯ହଜାର ୭୬ ପିଲା ନାମ ଲେଖାଇଥିଲେ । ୨୦୨୩-୨୪ରେ ନାମଲେଖା ସଂଖ୍ୟା ୨୧ ଲକ୍ଷ ୧୦ ହଜାର ୪୯୩କୁ ବୃଦ୍ଧି ପାଇଥିଲା।  ରାଜ୍ୟରେ ସ୍କୁଲ ରୂପାନ୍ତରଣ ପାଇଁ ୨୪ ଜିଲ୍ଲାରେ ସରକାର ଗତ ୨୦୨୦-୨୧ରୁ ୨୦୨୩-୨୪ ଚାରି ବର୍ଷରେ ୩ ହଜାର ୮୮ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ବଳକା ୬ ଜିଲ୍ଲାରେ ସ୍କୁଲ ରୂପାନ୍ତରଣ ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ କରାଯାଇଥିଲା । ଫାଇଭ-ଟି ସ୍କୁଲ ରୂପାନ୍ତରଣରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନ ଲାବରେଟୋରୀ, କ୍ରୀଡା ଉପକରଣ ଯୋଗାଇ ଦିଆଯାଇଛି । ଏବେ ସୁଦ୍ଧା ୭୩୬ ସ୍କୁଲ ରୂପାନ୍ତରଣ କାମ ଜାରି ରହିଛି । ଏହି କାମ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଏହି ପ୍ରଶ୍ନର ଆଲୋଚନାରେ ବିଜେପିର କିଛି ବିଧାୟକ ସ୍କୁଲ ରୂପାନ୍ତରଣରେ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ଏନେଇ କୌଣସି ବିଧିବଦ୍ଧ ଅଭିଯୋଗ ଆସିନି । ସେହିପରି ବିରୋଧୀଙ୍କ କଟାକ୍ଷ କରି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି  ଫାଇଭ-ଟି ସ୍କୁଲ ବ୍ଯାପକ ସଫଳତା ପାଇଛି। ଏଥିସହିତ ସେ ଫାଇଭ ଟି ସ୍କୁଲରେ କମ୍ପ୍ୟୁଟର ଶିକ୍ଷକଙ୍କ ଛଟେଇ ନେଇ ଉଦବେଗ ପ୍ରକାଶ କରିଥିଲେ।